Unknown

 

 

 

 

 

 

 

 

୮୯ତମ ସଂଖ୍ୟା କୋଣାର୍କ ୧୯୯୩

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର

 

ସଂପାଦକ :

ବିନୋଦଚନ୍ଦ୍ର ନାୟକ

ପରିଚାଳନା ସଂପାଦକ :

ଶ୍ରୀ ଇନ୍ଦୁ ଭୂଷଣ କର

 

ମୁଦ୍ରଣ :

ସପ୍ତର୍ଷି ପ୍ରିଣ୍ଟର୍ସ, କଟକ-୧୦

ପ୍ରଚ୍ଛଦପଟ୍ଟ :

ଶିଲ୍ପୀ ଶ୍ରୀ ଛନ୍ଦାଚରଣ ଆଚାର୍ଯ୍ୟ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

‘‘କୋଣାର୍କ’’ ପ୍ରକାଶନର ନିୟମାବଳୀ

 

୧.

ପ୍ରତିବର୍ଷ କୋଣାର୍କର ଚାରିଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୁଲ୍ୟ ଟ.୮/- ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୨୫/- ହେବ । ବିଶେଷ ସଂଖ୍ୟାଗୁଡ଼ିକର ମୁଲ୍ୟ ସ୍ୱତନ୍ତ୍ର ଭାବରେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କୁ ଯୋଗାଇଥିବାକୁ ଚାରି ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବ ନାହିଁ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଶା ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ଏଥିରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ସାହିତ୍ୟିକଙ୍କ ସହ ସାକ୍ଷାତକାର ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟିକୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ । ସମାଲୋଚନା ପାଇଁ ଦୁଇଖଣ୍ଡ ପୁସ୍ତକ ସମ୍ପାଦକଙ୍କ ନିକଟକୁ ପ୍ରେରିତ ହେବା ଉଚିତ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇପାରିବ ।

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ହେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ୱରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନ ହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ଓ ଏହା ‘କୋଣାର୍କ’ର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

୬.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ ୨୦୦/- (ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୭.

‘କୋଣାର୍କ’ ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

***

 

ସୂଚୀ

୧.

ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନ :

ଏକ ସ୍ପଷ୍ଟୀକରଣ

ଡକ୍ଟର ନଟବର ସାମନ୍ତରାୟ

୨.

ସମ୍ବଲପୁର ହିତୈଷିଣୀ : ଏକ ଅଧ୍ୟୟନ

ଶ୍ରୀ ଫଣୀନ୍ଦ୍ର ଭୂଷଣ ନନ୍ଦ

୩.

ଲୋକ-କାହାଣୀର ସ୍ୱାତନ୍ତ୍ର୍ୟ

ଡକ୍ଟର କଇଳାଶ ପଟ୍ଟନାୟକ

୪.

ଛୋଟରାୟ ନାଟ୍ୟମାନସ : ଏକ ଅନ୍ୱେଷା

ଡକ୍ଟର ସର୍ବେଶ୍ୱର ମିଶ୍ର

କୁନ୍ତଳାଙ୍କ ଉପନ୍ୟାସ : ନାରୀ ନିର୍ଯ୍ୟାତନା, ଆତ୍ମହତ୍ୟା,

ସମାଜ ସଂସ୍କାର

ଶ୍ରୀ ମିହିର କୁମାର ସାହୁ

୬.

ଉପନ୍ୟାସର ଭାଷା ଓ ଶାନ୍ତନୁ ଆଚାର୍ଯ୍ୟଙ୍କ ଭାଷାଭଙ୍ଗୀ

ଡକ୍ଟର ବେଣୁଧର ପାଢ଼ୀ

୭.

କଥାଶିଳ୍ପୀ ରବି ପଟ୍ଟନାୟକ

ଶ୍ରୀ ବିଭୂତି ପଟ୍ଟନାୟକ

୮.

ମୃତ୍ୟୁର ଦିଗନ୍ତରେ ପ୍ରତିଭା, ପ୍ରେମ, ପ୍ରଜନନ

ଓ ଅବସାଦ : ରମାକାନ୍ତ କାବ୍ୟ-ଚେତନାର ଭିତ୍ତିଭୂମି

ଶ୍ରୀ ରମାକାନ୍ତ ରାଉତ

୯.

ଏକାଡେମୀ ସମାଚାର

 

 

***

 

Unknown

ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନ : ଏକ ସ୍ପଷ୍ଟୀକରଣ

ଡକ୍‌ଟର ନଟବର ସାମନ୍ତରାୟ

ପ୍ରାଗ୍‌ଭାଷ :

କୋଣାର୍କ ପତ୍ରିକାର ନ-୮୭, ଜାନୁଆରୀ ୧୯୯୩ ସଂଖ୍ୟାରେ ଭାଷା-ବିବାଦ-ସମ୍ପର୍କିତ ପ୍ରବନ୍ଧର ଶେଷରେ ତିନୋଟି ଅନୁପଲବ୍‌ଧ ପତ୍ରର କଥା କୁହାଯାଉଥିଲା । ଏସବୁ ହସ୍ତଗତ ହେଲେ ସେଗୁଡ଼ିକର ବିଷୟବସ୍ତୁ ତଥା ଡିରେକ୍ଟରଙ୍କ ଅନୁସୃତ କାଳକ୍ଷେପଣ ନୀତି, ଏ ଉଭୟ ବିଷୟର ପୂର୍ଣ୍ଣ ଅବରୋଧ ହୋଇପାରିବାର ସୂଚନା ସେଥିରେ ଦିଆଯାଇଥିଲା । ଏ ତିନୋଟି ପତ୍ରର ଉପଲବ୍‌ଧି ପରେ ଏଗୁଡ଼ିକର ଆଶ୍ରୟରେ ଭାଷା-ଆନ୍ଦୋଳନର ପରିପୂର୍ଣ୍ଣ ରୂପ ଉପସ୍ଥାପନପାଇଁ ବର୍ତ୍ତମାନର ପ୍ରବନ୍ଧଟି ପ୍ରସ୍ତୁତ କରାଯାଇଅଛି ।

 

ତିନୋଟି ପତ୍ରର ସାଧାରଣ ପରିଚୟ :

ଇନିସ୍‌ପେକ୍ଟର ମାର୍ଟିନ ସାହେବଙ୍କ ପ୍ରଥମ ପତ୍ର (ତା ୯-୮-୧୮୬୭), ଡିରେକ୍ଟରଙ୍କ ପ୍ରଥମ ପତ୍ର (ତା ୧୬-୮-୬୭) ଓ ଓଡ଼ିଶାର କମିଶନର ରେଭେନ୍‌ସାଙ୍କ ଦ୍ୱିତୀୟ ପତ୍ର (ତା ୪-୫-୧୮୬୮)ର ସାଧାରଣ ପରିଚୟ ଦେବା ପୂର୍ବରୁ ଏଠାରେ ସ୍ପଷ୍ଟ ମନେରଖିବା ଉଚିତ ଯେ ଓଡ଼ିଶାର ବିଭିନ୍ନ ଶ୍ରେଣୀର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାର ଅଧିକ ପ୍ରଚଳନ ପାଇଁ କମିଶନର ତା ୧୨-୯-୧୯୬୫ ପତ୍ରରେ ଯେଉଁ ପ୍ରସ୍ତାବ ଦେଇଥିଲେ ତାହାରି ଉପରେ ପୂର୍ବୋକ୍ତ ମାର୍ଟିନସାହେବ ଓ ଡିରେକ୍ଟରଙ୍କ ଦୁଇଟି ପତ୍ର ଲେଖାଯାଇଥିଲା । ପୁନର୍ବାର, ଏ ଦୁଇଟି ପତ୍ରନିବନ୍ଧ ଅଭିମତ ଉପରେ କମିଶନର ତା ୪-୫-୬୮ରେ ଯେଉଁ ପତ୍ର ଲେଖିଛନ୍ତି ସେଥିରେ ସ୍ୱକୀୟ ମତ, ତଥା ମାର୍ଟିନଙ୍କ ଦ୍ୱିତୀୟ ପତ୍ର (ତା ୩୦-୩-୬୮), କଟକବାସୀଙ୍କ ଆବେଦନପତ୍ର ଓ ସଂଗୃହୀତ ଲୋକମତ ହିଁ ପ୍ରଧାନ ସ୍ଥାନ ଅଧିକାର କରିଅଛି । ବର୍ତ୍ତମାନ, ଏ ତିନୋଟି ପତ୍ରର ପରିଚୟ ଦେଖନ୍ତୁ-

 

(କ)

From R.L. Martin E S Q. Inspector of Schools, South West Division to the Director of Public Instruction (No. 632 dtd. Midnapore, the 9th August, 1867)

 

 

I have the honor to reply to your memorandum No. 400 of the 28th January (1867) x x x

 

(ଖ)

From W.S. Atkinson, ESQ, Director of Public Instruction to the Secretary to rhe Secretary to the Govt. of Bengal-(N0-3592, dtd. Fort William, the 26th, August 1867)

 

With reference to paragraph 3 of my letter No.399 dtd. 28th January (1867), I have the honor to forward herewith copy of a letter No.632 dtd. the 9th August (1867) from the Inspector of Schools, South-West Division, and to state that I agree with the opinions expressed in it, and.x x x

x x x

ଏ ପତ୍ର ଦୁଇଟିରେ ଇନସ୍ପେକ୍ଟରଙ୍କ ଚିଠିର ସମୟ ତା ୯-୮-୬୭ ଲେଖାଯାଇଥିଲେ ହେଁ ତାହାଙ୍କ ଦ୍ୱିତୀୟ ପତ୍ରରେ ଏହା ୧୦-୮-୧୮୬୭ ବୋଲି ଆମ ପୂର୍ବ ପ୍ରବନ୍ଧରେ ଦେଖାଯାଏ । ଏ ସାମାନ୍ୟ ବ୍ୟତିକ୍ରମ ହୁଏତ ମୁଦ୍ରଣ ପ୍ରମାଦ ହୋଇପାରେ । ପୁନର୍ବାର ଏ ଦୁଇଟି ପତ୍ରରେ ଡିରେକ୍ଟରଙ୍କ ତା ୨୮-୧-୧୮୬୭ ପତ୍ରକୁ ‘ରେଫରେନ୍‌ସ’ ରୂପେ ଗ୍ରହଣ କରାଯାଇଛି-No. 399 ଟି ବଙ୍ଗସରକାରଙ୍କ ପାଇଁ ଓ No. 400ଟି ଇନିସ୍ପେକ୍ଟରଙ୍କ ପାଇଁ ଉଦ୍ଦିଷ୍ଟ ।

 

(ଗ)

From T. E. Ravenshaw ESQ, Officiating Commissioner of the Cuttack Division to the Secretary to the Govt. of Bengal-(No. 99 dtd. Cal.4. May, 1868)

 

Para 1

In reference to your letter No. 4727 dtd. 21st, Nov. 1867 you well have received Mr. Martin's subsequent letter dtd. 30th March, 1868 to the D. P. I in which. after careful local enquiry he has very considerably modified his views in respect to the more complete introduction of the Ooryah language, as the local Vernacular literature shall have sufficiently advanced and translation into Ooryah of the best works can be done.

 

Para 9

I enclose copy of my letter on the subject forwarded a few days ago to the Inspector of schools. My District Collector’s reports and the Native Ooryahs’ petition are submitted in original with request that they may be returned when no longer required.

 

ଏଥିରୁ ଏତିକି ସ୍ପଷ୍ଟ ଯେ ଇନିସପେକ୍ଟର ଓ ଡିରେକ୍ଟରଙ୍କ ପତ୍ର ଦୁଇଟିକୁ ବଙ୍ଗସରକାର ତା ୨୧-୧୧-୬୭ରେ କମିଶନରଙ୍କ ନିକଟକୁ ପ୍ରେରଣ କରିଥିଲେ । ତେଣୁ ତା ୪-୫-୬୮ରେ ୨ୟ ପତ୍ର ପ୍ରସ୍ତୁତି ବେଳେ କମିଶନରଙ୍କ ସମ୍ମୁଖରେ ଥିଲା-(କ) ଡିରେକ୍ଟରଙ୍କ ପ୍ରଥମ ପତ୍ର, (ଖ ଓ ଗ) ଇନିସପେକ୍ଟରଙ୍କ ଦୁଇଟି ପତ୍ର; (ଘ) ସ୍ଥାନୀୟ କଟକବାସୀଙ୍କ ଦରଖାସ୍ତ ଯାହାର ସୂଚନା ଦୀପିକାର ତା ୧-୨-୧୮୬୮ ସଂଖ୍ୟାରେ ଦେଖିବାକୁ ମିଳେ, (ଙ) ଜିଲ୍ଲା କଲେକ୍ଟରମାନଙ୍କ ଅଭିମତ । ଏସବୁ ସତ୍ତ୍ୱେ କମିଶନରଙ୍କ ଅଭିମତରେ ଦୀପିକା ସଂପାଦକଙ୍କ ଅଭିମତ କିପରି ସଂପୂର୍ଣ୍ଣ ପ୍ରତିଫଳିତ, ତାହା ଆମର ପରବର୍ତ୍ତୀ ଆଲୋଚନାରେ ଦେଖାଇ ଦିଆଯାଇଛି ।

 

ପତ୍ରଟିର ନବମ ଅନୁଚ୍ଛେଦରେ କମିଶନର ମାର୍ଟିନ୍‌ସାହେବଙ୍କୁ ଲେଖିଥିବା ଚିଠିର ଏକ ନକଲ ବଙ୍ଗସରକାରଙ୍କ ପାଖକୁ ପଠାଇ ଥିବାର ସମ୍ବାଦ ଅଛି । ଏ ପତ୍ରଟି କେବେ ଲେଖା ଯାଇଥିଲା ସେଥିରେ କ’ଣ ଲେଖାଥିଲା ତାହାର ସ୍ପଷ୍ଟ ସଂକେତ ନଥିଲେ ମଧ୍ୟ ଏ କ୍ଷେତ୍ରରେ ଦୁଇଟି ସଂଭାବନା କରାଯାଇପାରେ । ଡିରେକ୍ଟରଙ୍କ ପ୍ରତିକୂଳ ମନ୍ତବ୍ୟ ଦେଖି କମିଶନର ହୁଏତ ଓଡ଼ିଶାର ବାସ୍ତବ ପରିସ୍ଥିତି ଅନୁଧ୍ୟାନପାଇଁ ମାର୍ଟିନଙ୍କୁ ଓଡ଼ିଶା ଆସିବାକୁ ଅନୁରୋଧ କରିଥିବେ, କିମ୍ବା ମାର୍ଟିନଙ୍କ ଓଡ଼ିଶାଗସ୍ତ ଶେଷ ପରେ ସେ କି ରିପୋର୍ଟ ଲେଖିଲେ ତା’ର ନକଲ ପାଇବାପାଇଁ ଚେଷ୍ଟା କରିଥିବେ । ଆମର ବିଶ୍ୱାସ, ଏ ଦୁଇଟି ସମ୍ଭାବନା ମଧ୍ୟ ସତ୍ୟ ହୋଇପାରେ । ମାର୍ଟିନଙ୍କ ପ୍ରଥମ ପତ୍ରରେ ଓଡ଼ିଆ ଭାଷା ଉପରେ ତାଙ୍କର ବିଶେଷ ଧାରଣା ନଥିବା ଦେଖି କମିଶନର ତାଙ୍କୁ ଓଡ଼ିଶାକୁ ଆସିବାପାଇଁ ପରାମର୍ଶ ଦେଇଥିବେ ଓ ଦ୍ୱିତୀୟ ପତ୍ରଟି ଲେଖିସାରିଲା ପରେ ମାର୍ଟିନ ସେ ପତ୍ରର ଏକ ନକଲ କମିଶନରଙ୍କୁ ଦେଇଥିବେ । ଆମର ଏ ବିଶ୍ୱାସ କମିଶନର ପତ୍ରର ପ୍ରଥମ ଅନୁଚ୍ଛେଦ ଉପରେ ପ୍ରତିଷ୍ଠିତ ।

 

ପ୍ରାସଙ୍ଗିକ ଭାବେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଆମର ପୂର୍ବ ପ୍ରବନ୍ଧ (ଜାନୁଆରୀ ୧୯୯୩)ରେ ମାର୍ଟିନ ସାହେବଙ୍କ ମତ ପରିବର୍ତ୍ତନର କାରଣ ସମ୍ପର୍କରେ ଯେଉଁ ସମ୍ଭାବନା କରିଥିଲୁ, ତାହା କମିଶନରଙ୍କ ଦ୍ୱିତୀୟ ପତ୍ରରେ ମଧ୍ୟ ଦେଖିବାକୁ ମିଳେ । ତେଣୁ ସେ ପ୍ରବନ୍ଧର ପ୍ରସ୍ତୁତି ବେଳେ କମିଶନରଙ୍କ ଏ ପତ୍ରଟି ପାଖରେ ଥିଲେ ଆମକୁ ଦୀପିକାର ଦୀର୍ଘ ଉଦ୍ଧୃତି ଉଦ୍ଧାର କରିବାର ଆବଶ୍ୟକତା ରହିନଥାନ୍ତା ।

 

ଭାଷା-ବିଲୋପ ଇତିହାସରେ ଏ ତିନୋଟି ପତ୍ରର ବିଶିଷ୍ଟ ଭୂମିକା :

ବଙ୍ଗସରକାରଙ୍କ ପତ୍ର (ତା ୮-୧୧-୧୮୬୯)ର ପ୍ରଥମ ଅନୁଚ୍ଛେଦରେ ଅଛି,

‘‘The correspondence on the subject originated in certain remarks of the Commissioner of the Division (Mr. Ravenshaw) in his report on the state of education in that province in the year 1865, in which he called the particular attention of Government to the almost entire neglect of the Uriya language in the advanced classes of the schools in the districts in his Jurisdiction.’’ କମିଶନରଙ୍କ ଏଇ ପତ୍ର (ତା ୧୨-୯-୬୫)ରେ ଓଡ଼ିଆ ଭାଷାର ଅଧିକ ପ୍ରଚଳନ ଉପରେ ଯେଉଁ ମନ୍ତବ୍ୟ ଥିଲା, ଡିରେକ୍ଟର ଓ ଇନିସ୍‌ପେକ୍ଟରଙ୍କ ପ୍ରଥମ ପତ୍ରର ଆଲୋଚନାରେ ସେ ମନ୍ତବ୍ୟ ଥିଲା ପ୍ରଧାନ ଆଧାରସ୍ତମ୍ଭ । ପରବର୍ତ୍ତୀ ସମୟର ଇନିସ୍‌ପେକ୍ଟରଙ୍କ ପରିବର୍ତ୍ତିତ ଅଭିମତ ଓ ରେଭେନ୍‌ସାଙ୍କ ଦ୍ୱିତୀୟ ପତ୍ର, ଏ ଉଭୟର ସାରାଂଶ ଉପରେ ପ୍ରତିଷ୍ଠିତ ହୋଇଛି ବଙ୍ଗସରକାରଙ୍କ ଭାଷା-ନୀତିର ରୂପରେଖ, ଯାହା ତାହାଙ୍କ ତା ୮-୧୧-୬୯ ପତ୍ରରେ ଲିପିବଦ୍ଧ ହୋଇ ରହିଛି ।

 

ବର୍ତ୍ତମାନ ସରକାରୀ ସ୍ତରରେ ଥିବା ସାତୋଟି ମୂଳପତ୍ର ଭିତରୁ ଆଲୋଚକଙ୍କ ମଧ୍ୟରେ କିଏ କେଉଁ ପତ୍ରକୁ କିପରି ଅନୁଧ୍ୟାନ କରିଛନ୍ତି ତାହା ଦେଖନ୍ତୁ ।

 

‘ଓଡ଼ିଆ ସାହିତ୍ୟର ଇତିହାସ’ ପୁସ୍ତକର ପଞ୍ଚମ ପରିଚ୍ଛେଦ ‘ଓଡ଼ିଆଭାଷା-ବିଲୋପ ଆନ୍ଦୋଳନ’ରେ ଆମେ ବଙ୍ଗସରକାର ଓ ଡିରେକ୍ଟରଙ୍କ ଦ୍ୱିତୀୟ ପତ୍ରର ବିନିଯୋଗ କରିଥିଲେ ହେଁ ସେ ଦୁଇଟିର ମୂଳ ରୂପ ଦେଖିବାର ସୁବିଧା ପାଇନଥିଲୁଁ । ଅଧ୍ୟାପକ ପ୍ରଭାତ ମୁଖାର୍ଜୀ କମିଶନରଙ୍କ ଦୁଇଟି ଓ ଇନିସ୍‌ପେକ୍ଟରଙ୍କ ପ୍ରଥମ ପତ୍ରର ମୂଳରୂପ ଅଧ୍ୟୟନ କରିଛନ୍ତି । ଡକ୍ଟର ଜେ. କେ. ସାମଲ ଇନିସ୍‌ପେକ୍ଟରଙ୍କ ଦ୍ୱିତୀୟ ପତ୍ର, ଡିରେକ୍ଟରଙ୍କ ଦ୍ୱିତୀୟ ପତ୍ର ଓ ବଙ୍ଗସରକାରଙ୍କ ପତ୍ର–ଏ ତିନୋଟି ମୂଳପତ୍ର ଅନୁଧ୍ୟାନ କରିଛନ୍ତି । ଏ ଉଭୟ ଅଧ୍ୟାପକ ନିଜ ନିଜ ଦୃଷ୍ଟିକୋଣରୁ ପଡ଼ିଥିବା ପ୍ରାସଙ୍ଗିକ କେତେକ ଅଂଶ ନିଜ ନିଜ ଲେଖାରେ ଉଦ୍ଧାର କରିଥିଲେ ସୁଦ୍ଧା ସେ ପତ୍ରଗୁଡ଼ିକର ସାମଗ୍ରିକ ଚିତ୍ର ସେଥିରୁ ଉପଲବ୍‌ଧ ନହେବା ଆଶଙ୍କାରେ ଆମେ ବର୍ତ୍ତମାନ ସେଇ ତିନୋଟି ପତ୍ରର ମୂଳରୂପ ଓ ସେଥିରୁ ଥିବା ପ୍ରତ୍ୟେକ ଉପାଦାନର ସ୍ୱକୀୟ ଭୂମିକା ଓ ସେ ଗୁଡ଼ିକ ଭିତରେ ଥିବା ପାରସ୍ପରିକ ସମ୍ପର୍କ ଉପରେ ପ୍ରାଧାନ୍ୟ ଦେଇ ଆଲୋଚନା ଉପସ୍ଥାପନା କରୁଅଛୁ ।

ଭାଷା-ବିବାଦ ଆଲୋଚନାରେ ଇନିସ୍‌ପେକ୍ଟର ଓ ଡିରେକ୍ଟରଙ୍କ ପ୍ରଥମ ପତ୍ରମାନ ଦୁଇଟି ଦିଗରୁ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମତଃ, ଏ ଦୁଇଟି ପତ୍ର ସମସାମୟିକ ଶିକ୍ଷିତ ଲୋକଙ୍କ ମନରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଦ୍ୱିତୀୟତଃ, ଏ ଉଭୟ ପରବର୍ତ୍ତୀ ଆଲୋଚନାକୁ ସଂପୂର୍ଣ୍ଣ ପ୍ରଭାବିତ କରିଥିଲା, ଯାହା ମାର୍ଟିନଙ୍କ ଦ୍ୱିତୀୟ ପତ୍ର ଓ କମିଶନରଙ୍କ ୨ୟ ପତ୍ରରେ ଦେଖିବାକୁ ମିଳେ । ତେଣୁ ପତ୍ରଗୁଡ଼ିକର ସବିଶେଷ ବିଶ୍ଳେଷଣ କରିବା ପୂର୍ବରୁ ଲୋକଙ୍କ ମନର ପ୍ରତିକ୍ରିୟା ଓ ତା’ର ସ୍ୱରୂପ ପ୍ରଥମରୁ ଜାଣି ରଖିବା ଏକାନ୍ତ ବାଞ୍ଛନୀୟ ।

 

ଲୋକଙ୍କ ମନରେ ଡିରେକ୍‌ଟର-ମାର୍ଟିନସାହେବଙ୍କ ପତ୍ରର ପ୍ରତିକ୍ରିୟା :

ତା ୧୨-୯-୧୮୬୫ ସାଲର ରେଭେନ୍‌ସାଙ୍କ ପ୍ରଥମ ପତ୍ରରେ ଗୋଟିଏ ପ୍ରସ୍ତାବ ଥିଲା ଯେ ଯେଉଁ ସ୍ଥଳରେ ଉପଯୁକ୍ତ ଓଡ଼ିଆ ପୁସ୍ତକର ଅଭାବ ଅଛି କେବଳ ସେହି ସ୍ଥଳରେ ବଙ୍ଗଳା ପୁସ୍ତକ ଓ ଅନ୍ୟ ସର୍ବତ୍ର କେବଳ ଓଡ଼ିଆ ପୁସ୍ତକ ପ୍ରଚଳିତ ହେବ । ଡିରେକ୍ଟର (ତା ୨୬-୮-୬୭) ଓ ମାର୍ଟିନଙ୍କ ପତ୍ର (ତା ୯-୮-୬୭), କମିଶନରଙ୍କ ପୂର୍ବୋକ୍ତ ପ୍ରସ୍ତାବ ଉପରେ ପ୍ରତିଷ୍ଠିତ । ଏ ଉଭୟ ଶେଷାଧିକାରୀଙ୍କ ପତ୍ର ଲୋକଙ୍କ ମନରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଥିଲା ତାହା ଦୀପିକାର ତା ୪-୧-୬୮ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ଏହାର କିଛି ଅଂଶ ଆମେ ଏଠାରେ ସଜାଇ ଦେଉଛୁ ।

 

୧.

‘‘ଶିକ୍ଷାବିଭାଗର ଡାଇରେକ୍ଟର ଏବଂ ଏ ପ୍ରଦେଶର ଇନ୍‌ସ୍ପେକ୍ଟର ଗବର୍ଣ୍ଣମେଣ୍ଟରେ ପ୍ରସ୍ତାବ କରିଅଛନ୍ତି ଯେ ଓଡ଼ିଶାର ସ୍କୁଲ ସମସ୍ତରେ ବଙ୍ଗଭାଷାର ଅଧ୍ୟୟନ ବଳାତ୍‌କାର ରୂପେ ଚଳନ ହେଉ ଏବଂ ବଙ୍ଗପୁସ୍ତକମାନ ଏ ସମସ୍ତ ବିଦ୍ୟାଳୟର ପାଠ୍ୟପୁସ୍ତକ ବୋଲି ଧାର୍ଯ୍ୟ ହେଉ ।’’

 

୨.

‘‘ଏ ରୂପ ପ୍ରସ୍ତାବର ପ୍ରକୃତ ହେତୁ ଆମ୍ଭେମାନେ କହି ନପାରୁଁ, କାରଣ ଡାଇରେକ୍ଟର ଓ ଇନ୍‌ସ୍ପେକ୍ଟର ଗବର୍ଣ୍ଣମେଣ୍ଟରେ କି କି କାରଣ ଦର୍ଶାଇ ଅଛନ୍ତି ତାହା ଆମ୍ଭେମାନେ ଜାଣିପାରି ନାହୁଁ ।’’

 

୩.

‘‘ଆମ୍ଭମାନଙ୍କୁ ବୋଧହୁଅଇ ଉତ୍କଳରେ ସ୍କୁଲର ଶିକ୍ଷୋପଯୋଗୀ ଅଧିକ ପୁସ୍ତକ ନଥିବାରୁ ପ୍ରାୟ ଏ ରୂପ ହୋଇଅଛି ଅଥବା ଭୂତପୂର୍ବ ଜଣେ ଇନ୍‍ସ୍ପେକ୍ଟର ଯାହା ବ୍ୟକ୍ତ କରିଥିଲେ ଯେ ଉତ୍କଳ ଭାଷା ଭାଷା ନୁହଇ ସେହି କଥାକୁ ବର୍ତ୍ତମାନ ଉକ୍ତ ପଦରେ ଥିବା କର୍ମଚାରୀ ଗ୍ରହଣ କରିଅଛନ୍ତି ।’’

 

ଏ ତିନିଟି ଉଦ୍ଧୃତି ଉପରେ ଆମେ କ୍ରମାନ୍ୱୟରେ ନିମ୍ନ ପ୍ରଶ୍ନମାନ ଉତ୍‌ଥାପନ କରୁଛୁ ।

୧.

(କ)

ବଙ୍ଗଭାଷାର ଅଧ୍ୟୟନ ଓ ବଙ୍ଗଳା ପୁସ୍ତକର ପ୍ରଚଳନ ବ୍ୟତୀତ ଏ ଉଭୟ ଶିକ୍ଷାଧିକାରୀ କ’ଣ ଆଉ କିଛି କହିନାହାନ୍ତି ?

 

 

(ଖ)

ପୂର୍ବୋକ୍ତ ଅଭିମତଟି କ’ଣ ଇନ୍‌ସ୍ପେକ୍ଟରଙ୍କର ?

 

୨.

(କ)

ଏ ପ୍ରସ୍ତାବରେ କାରଣ ଯାହା, ତାହା କ’ଣ ଉଭୟଙ୍କ ପତ୍ରରେ ନାହିଁ ?

 

 

(ଖ)

ଦୀପିକା ସଂପାଦକ ଯଦି ସେ ଉଭୟଙ୍କ ପ୍ରସ୍ତାବର କାରଣ ଜାଣିପାରିଲେ ନାହିଁ ତା’ହେଲେ ସେମାନଙ୍କ ପ୍ରସ୍ତାବଟି ଜାଣିପାରିଲେ କିପରି ?

 

୩.

(କ)

‘ପୁସ୍ତକ ଅଭାବ’ କାରଣଟି କ’ଣ ଦୀପିକା ସଂପାଦକଙ୍କ ଅନୁମାନ ଓ ସେ କାରଣଟି କ’ଣ ମୂଳପତ୍ରରେ ନାହିଁ । ‘ପୁନଶ୍ଚ, କାରଣ’ ଯଦି ଅନୁମାନ, ତା’ହେଲେ ଦୀପିକା ପ୍ରଦତ୍ତ ପ୍ରସ୍ତାବ ମଧ୍ୟ ‘ଅନୁମାନ’ ହେବା ଉଚିତ ନୁହେଁ କି ?

 

 

(ଖ)

‘ଓଡ଼ିଆ ଭାଷା ଭାଷା ନୁହଇ’–ଏହା କ’ଣ ମାର୍ଟିନଙ୍କ ଅଭିମତ ?

 

ଆମ ପ୍ରବନ୍ଧର ପରବର୍ତ୍ତୀ ଅଂଶରେ ଆଲୋଚ୍ୟ ଦୁଇଟି ପତ୍ରର ମୂଳରୂପ ଦେଖିଲେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ପାଠକ ପାଠିକାମାନେ ଜାଣିପାରିବାର ସମ୍ଭାବନା ଥିବାରୁ ସେ ଉତ୍ତରଗୁଡ଼ିକ ବର୍ତ୍ତମାନ ଦେବାର କୌଣସି ଆବଶ୍ୟକତା ନାହିଁ ।

 

ଦୀପିକାର ତା ୨୫-୧-୧୮୬୮ ସଂଖ୍ୟାରେ ପ୍ରକାଶିତ ଜନୈକ ପତ୍ରପ୍ରେରକଙ୍କ ପତ୍ରର ଏକ ଅଂଶ ହେଉଛି, ‘‘ମହାଶୟ, ଆପଣଙ୍କ ଚଳିତ ମାସ ପ୍ରଥମ ସପ୍ତାହରେ ‘ଉତ୍କଳଭାଷା ଏ ଦେଶସ୍ଥ ବିଦ୍ୟାଳୟମାନଙ୍କରୁ ଉଠାଇ ଦେଇ ତତ୍‌ପରିବର୍ତ୍ତରେ ବଙ୍ଗଭାଷା ପ୍ରଚଳିତ ହେଉ’, ଏହି ପ୍ରସ୍ତାବ ପାଠକରି ଆମ୍ଭେମାନେ ଯତ୍‌ପରୋନାସ୍ତି ଦୁଃଖିତ ହେଲୁଁ ।’’ ଦେଖିବାର କଥା ଏ ଅଭିମତ ଉତ୍କଳଦୀପିକାରୁ ଉଦ୍ଧୃତ ନୁହେଁ ତା’ର ପ୍ରତିଧ୍ୱନି ମାତ୍ର ।

 

ସରକାରୀ ଆଦେଶ (ତା ୮-୧୧-୬୯) ପୂର୍ବରୁ ଏ ଧ୍ୱନି କିପରି ଲୋକଙ୍କ ମନରେ ଏକ ସ୍ଥିର ଧାରଣାରେ ରୂପାନ୍ତରିତ ହୋଇଥିଲା ତାର ସଂକେତ ଦୀପିକାର ତା ୧୩-୩-୬୯ ସଂଖ୍ୟାରେ ଏମିତି ଦେଖିବାକୁ ମିଳେ, ‘‘ବାବୁ ରାଜେନ୍ଦ୍ରଲାଲ ମିତ୍ର ସେଦିନ ସଭାରେ ବ୍ୟକ୍ତ କଲେ ଯେ ‘ଉତ୍କଳର ଯଥାର୍ଥ ହିତାକାଂକ୍ଷୀ ଯେ ହେବେ ସେ ସର୍ବାଗ୍ରେ ଉତ୍କଳଭାଷା ଉଠାଇ ଦେଇ ବଙ୍ଗଭାଷା ପ୍ରଚଳନ କରିବାର ଚେଷ୍ଟା କରିବେ’, କାରଣ ତାହାଙ୍କ ମତରେ ଯେତେକାଳ ଉତ୍କଳଭାଷା ଉଠିଯାଇ ନାହିଁ ସେତେକାଳ ଏ ଦେଶର ଉନ୍ନତି ହେବା ଅସମ୍ଭବ ।’’

 

ଏଠାରେ ସ୍ପଷ୍ଟ ମନେରଖିବା ଉଚିତ ଯେ ରାଜେନ୍ଦ୍ରଲାଲଙ୍କ ଏ ଧ୍ୱନି ସହିତ ଡିରେକ୍ଟର ମାର୍ଟିନଙ୍କ ପତ୍ରର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ନାହିଁ । ଏ ଉଭୟଙ୍କ ପତ୍ର ଉପରେ ଦୀପିକା ପ୍ରଥମେ ଯେଉଁ ଧ୍ୱନି ଦେଇଥିଲେ ତାହା ରାଜେନ୍ଦ୍ରଲାଲଙ୍କ ଧ୍ୱନିଦ୍ୱାରା ଅଧିକ ଦୃଢ଼ୀଭୂତ ହୋଇଯାଇଥିଲା । ଅଧିକନ୍ତୁ ଆଜି ମଧ୍ୟ ତାହା ଏକ ସ୍ଥିର ସତ୍ୟ ରୂପେ ସମ୍ମାନିତ ହେଉଅଛି । ତେଣୁ ପ୍ରକୃତ ସତ୍ୟର ଉପଲବ୍‌ଧିପାଇଁ ଦୀପିକା ଯେଉଁ ଦୁଇଟି ପତ୍ରକୁ ଲକ୍ଷ୍ୟରଖି ନିଜ ମନ୍ତବ୍ୟ ଦେଇଥିଲେ ତାହା ଅନୁଧ୍ୟାନ କରିବା ଏକାନ୍ତ ଅପରିହାର୍ଯ୍ୟ ।

 

ଡିରେକ୍‌ଟରଙ୍କ ପ୍ରଥମ ପତ୍ରର ବିଶ୍ଳେଷଣ :

ପୂର୍ବରୁ ଏ ପତ୍ରର କିଛି ଅଂଶ ଉଦ୍ଧାର କରାଯାଇଛି । ଏହାର ପର ଅଂଶ ହେଉଛି–

‘‘I agree with the opinion expressed in it, and consider that the study of Bengali should be made compulsory in all the middle and higher class schools in Orissa. All Ooryah boys should of course learn to write and speak their own dialect correctly, but I do not think there is much to be gained by carrying further the study of a tongue which is almost without a literature and which can hardly claim a position higher than that of a provincial patois".

 

ଡିରେକ୍ଟରଙ୍କ ଏଇ ପତ୍ରରେ ଥିବା ଅଭିମତ ମାର୍ଟିନସାହେବଙ୍କ ପତ୍ର ଉପରେ ପ୍ରତିଷ୍ଠିତ । କିନ୍ତୁ ମାର୍ଟିନ୍‌ସାହେବଙ୍କ ପ୍ରସ୍ଥାବ ସହିତ ସେ ସହମତ ବୋଲି ଯାହା କହିଛନ୍ତି ତାହା ଆଦୌ ସତ୍ୟ ନୁହେଁ । ମାର୍ଟିନଙ୍କ ଅଭିମତ ପ୍ରକାଶରେ ଯେତେ ଯାହା ସଂଦିଗ୍‌ଧତା ଅଥବା ଅସ୍ପଷ୍ଟତା ଥାଉନା କାହିଁକି ସେଥିରେ ଏକ ନିର୍ଦ୍ଦିଷ୍ଟ ଅଭିମତର ଆଭିମୂଖ୍ୟ ଅତିଶୟ ସ୍ପଷ୍ଟ । ଅପର ପକ୍ଷରେ ଡିରେକ୍ଟର ଅତି ସ୍ପଷ୍ଟଭାବେ ଯାହା ସବୁ କହିଛନ୍ତି ସେ ସବୁ ମାର୍ଟିନଙ୍କ ଅଭିମତର ବିକୃତୀକରଣ ମାତ୍ର । ଏହାର କେତୋଟି ଉଦାହରଣ ଦେଖନ୍ତୁ ।

 

ଡିରେକ୍ଟରଙ୍କ ପ୍ରସ୍ତାବରେ ମଧ୍ୟମ ଓ ଉଚ୍ଚଶ୍ରେଣୀର ସ୍କୁଲ (ଜିଲ୍ଲାସ୍କୁଲ ଓ ହାଇସ୍କୁଲ)ରେ ବଙ୍ଗଳା ଅଧ୍ୟୟନ ବାଧ୍ୟତାମୂଳକ ହେବ । ଦେଖିବାର କଥା, ପାଠ୍ୟକ୍ରମରେ ସାଧାରଣତଃ ବାଧ୍ୟତାମୂଳକ (କମ୍ପଲସରୀ) ଓ ବିକଳ୍ପ (ଅପ୍‌ସନାଲ) ନାମରେ ଦୁଇ ପ୍ରକାର ପୁସ୍ତକ ଅଧ୍ୟୟନ କରାଯାଏ । ମାର୍ଟିନସାହେବ ଏଇ ରୀତି ଅନୁସରଣ କରି କେଉଁଠି ଓଡ଼ିଆ କିମ୍ବା ବଙ୍ଗଳା ବାଧ୍ୟତାମୂଳକ କିମ୍ବା ବିକଳ୍ପ ହେବ ତାହା ଅସ୍ପଷ୍ଟ ହେଉନା କାହିଁକି ସ୍ଥିର କରିଅଛନ୍ତି, ଯାହା ସହିତ ଡିରେକ୍ଟରଙ୍କ ମତରେ କିଛି ସାମଞ୍ଜସ୍ୟ ନାହିଁ । ପୁନଶ୍ଚ, ଦୀପିକା ସମ୍ପାଦକ ଗୌରୀଶଙ୍କରଙ୍କର ‘କମ୍ପଲସରୀ’କୁ ‘ବଳାତ୍‌କାରରେ ବଙ୍ଗଳା ଅଧ୍ୟୟନ’ ରୂପେ ଗ୍ରହଣ କରିଅଛନ୍ତି, ଯାହା ଡିରେକ୍ଟର କିମ୍ବା ମାର୍ଟିନ ସାହେବଙ୍କ କାହାରି ଲେଖାରେ ନାହିଁ । କାରଣ, ଏ ଉଭୟଙ୍କ ଲେଖାରେ ବଙ୍ଗଳା ‘କମ୍ପଲସରୀ’ ହେଲେ ହେଁ ଓଡ଼ିଆ ବହି ପଢ଼ିବାରେ ବାରଣ କରାଯାଇ ନାହିଁ, ଯଦିଓ ଏ କ୍ଷେତ୍ରରେ ମାର୍ଟିନସାହେବ ଡିରେକ୍ଟରଙ୍କ ଅପେକ୍ଷା ଅତି ସ୍ପଷ୍ଟ । ଅପର ପକ୍ଷରେ ‘ବଳାତ୍‌କାରରେ ବଙ୍ଗଳା ଅଧ୍ୟୟନ’ । ଅର୍ଥରେ ଓଡ଼ିଆ ପ୍ରଚଳନର ପ୍ରତ୍ୟାହାର ପ୍ରଶ୍ନଟି ସ୍ପଷ୍ଟ ମିଶ୍ରିତ ହୋଇ ରହିଛି । ଆମର ଏପରି ବ୍ୟାଖ୍ୟା କିପରି ଯୁକ୍ତିସିଦ୍ଧ ତାହା ମାର୍ଟିନଙ୍କ ପତ୍ରର ବିଶ୍ଳେଷଣରେ ଦେଖାଇ ଦିଆଯିବ । ଦ୍ୱିତୀୟତଃ ଡିରେକ୍ଟରଙ୍କ ପ୍ରସ୍ତାବରେ ଓଡ଼ିଆ ଭାଷାକୁ ଏକ ‘ଡାଏଲକ୍ଟ’ କହି ତାକୁ କେବଳ ଶୁଦ୍ଧ ଭାବେ ଲେଖିବା ଓ କହିବା ଭିତରେ ସୀମିତ କରି ରଖିବା ଓ ତା’ର ଅଭିବୃଦ୍ଧି ଦିଗରେ ଅଧିକ ଯତ୍ନକଲେ ଅଧିକ କିଛି ସଫଳତା ନମିଳିବାର ଅଭିମତ ମାର୍ଟିନସାହେବଙ୍କ ଲେଖାରେ କେଉଁଠି ନାହିଁ । ତୃତୀୟତଃ, ଓଡ଼ିଆ ଭାଷାରେ କୌଣସି ପୁସ୍ତକ ନାହିଁ ଓ ଚତୁର୍ଥରେ, ଓଡ଼ିଆଭାଷା ଏକ କ୍ଷୁଦ୍ର ଆଞ୍ଚଳିକ ଭାଷାର ଉର୍ଦ୍ଧ୍ୱକୁ ଯିବାର ଗୌରବ ଲାଭ କରିନାହିଁ । ଏହି ଶେଷୋକ୍ତ ଅଭିମତଟି ମାର୍ଟିନସାହେବଙ୍କ ଲେଖାରେ ନଥିଲାବେଳେ ଗୌରୀଶଙ୍କରଙ୍କ ‘ଅନୁମାନ’ରେ ଶେଷ ଦୁଇଟି ସ୍ଥାନ ପାଇଛି ।

 

ଡିରେକ୍ଟରଙ୍କ ଏଇ ପତ୍ରର ପ୍ରାୟ ଚାରିବର୍ଷ ପୂର୍ବେ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରମାନେ ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ଭାଷାକୁ ଦ୍ୱିତୀୟ ଭାଷାରୂପେ ନେବାପାଇଁ ସେ ଯେଉଁ ପ୍ରସ୍ତାବ ବଙ୍ଗସରକାରଙ୍କୁ ଦେଇଥିଲେ ତାହା ଉପରେ ତତ୍‌କାଳୀନ ଓଡ଼ିଶାର କମିଶନର ଆର. ଏନ୍‌. ଶୋର ତା ୯.୬.୧୮୬୩ରେ ଲେଖିଥିବା ପତ୍ରର ଦୁଇଟି ଅନୁଚ୍ଛେଦ ପ୍ରାସଙ୍ଗିକ ଭାବେ ଏଠାରେ ଉଦ୍ଧାର କରାଯାଉଅଛି ।

 

୩.

I do not, for an instance, suppose that the Director of Instruction was aware of the injustice involved in his proposal; the terms in which he speaks of the Ooriah language shew that he was not. No one with any knowledge of Ooriah would call it a ‘dialect’ or ‘patois’. It is just as much an independent language as the Bengalee, although it does not boast so extensive a literature, and is not spoken by so large a population.

 

୪.

From the latter part of Mr. Atkinson’s letter No.1527 of the 30th April, it is not clear that he anticipates that the substritution of Bengali for Ooriah as the second language at the Entrance Examination will have effect of discouraging the study of Ooriah in the Zilla Schools of Orissa. Whether Mr. Atkinson really anticipates that Bengalee will thus become the language of the country, is not quite clear, nor anyone acquainted with the province suppose such a resolution possible.The proposal will, however, if carried out have one tangible effect, Viz, to close the University to all but the sons Bengalee parents

 

ଏ ଲେଖାର ତାତ୍‌ପର୍ଯ୍ୟ ବିଶ୍ଳେଷଣରେ ବୁଝାଇଦେବା ସର୍ବାଦୌ ନିଷ୍ପ୍ରୟୋଜନ; ତେବେ ଏହାର ଦୀର୍ଘ ଚାରିବର୍ଷ ପରେ ଡିରେକ୍ଟର ଓଡ଼ିଆ ଭାଷା ଉପରେ ଥିବା ଖବର ଏକ ଭ୍ରାନ୍ତ ଓ ବଦ୍ଧମୂଳ ଧାରଣାର ପରିବର୍ତ୍ତନ ନ କରିବା ଅତୀବ ଆଶ୍ଚର୍ଯ୍ୟଜନକ । ବର୍ତ୍ତମାନ ମାର୍ଟିନ ସାହେବଙ୍କ ପତ୍ରର ଆଲୋଚନା କରାଯାଉ ।

 

ମାର୍ଟିନ ସାହେବଙ୍କ ଏକ ବ୍ୟକ୍ତିଗତ କୈଫିୟତ :

 

ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ର (ତା ୩୦. ୩. ୧୮୬୮)ରେ ଉଲ୍ଲେଖ ଅଛି ଯେ ବିଦ୍ୟାଳୟରେ ଓଡ଼ିଆ ଭାଷାର ଅଧିକ ପ୍ରଚଳନ ଉପରେ ଗୋଟିଏ ସନ୍ତୋଷଜନକ ରିପୋର୍ଟ ପ୍ରସ୍ତୁତି ପାଇଁ ଜଣେ ବ୍ୟକ୍ତିର ଓଡ଼ିଆ ଉପରେ ଯେତିକି ଅଭିଜ୍ଞତା ଥିବା ଆବଶ୍ୟକ ତାହା ତାଙ୍କର ନଥିଲା । ଏଇ ଆତ୍ମ-ସ୍ୱୀକୃତି ପ୍ରଥମ ପତ୍ର (ତା ୯.୮.୬୭)ରେ ଏଇପରି ଅଛି–

 

The question was not one upon which I could feel myself capable of giving an opinion worth very much until I had something more than a slight acquaintance with Orissa and its population. I am not quite sure that upto the present time I have had sufficient intercourse with the province, but as my opinion has been called for without further delay I am forced to state conclusion to which I have come.

 

ଓଡ଼ିଶା ସହିତ ସମୂଚିତ ଅଭିଜ୍ଞତା ଥିବା ଉପରେ ଯେଉଁ ବ୍ୟକ୍ତି ନିଜେ ନିଶ୍ଚିନ୍ତ ନୁହନ୍ତି ସେ ଯଦି ବାଧ୍ୟବାଧକତାରେ କିଛି ଅଭିମତ ଦିଅନ୍ତି, ସେପରି ଅଭିମତ ଯେ ବହୁଦୃଷ୍ଟିରୁ ଅସ୍ପଷ୍ଟ ଓ ଅସଂପୂର୍ଣ୍ଣ ହୋଇପଡ଼ିବ, ତାଙ୍କର ଦ୍ୱିତୀୟ ପତ୍ର ସହିତ ତୁଳନା କଲେ, ଏହା ସହଜରେ ଉପଲବ୍‌ଧି ହୋଇପାରିବ । ଦ୍ୱିତୀୟ ପତ୍ରରେ ଅଛି, ‘‘ମୁଁ ପୂର୍ବ ପତ୍ରରେ ଦେଇଥିବା ଅଭିମତର ସାମାନ୍ୟ କିଛି ପରିବର୍ତ୍ତନ କରିଅଛି । ତଥାପି, ଏହା କହିଲେ ବାହୁଲ୍ୟ ହେବ ଯେ ମୁଁ ଯେଉଁ ବିଷୟ ଉପରେ ଧ୍ୟାନ ଦେଇଛି ତାଙ୍କୁ ସବୁ ଦୃଷ୍ଟିରୁ ଅତି ପ୍ରାଞ୍ଜଳଭାବେ ବିଚାର କରି ଏଇ ରିପୋର୍ଟରେ ମୋ ଅଭିମତକୁ ଅନ୍ତର୍ଭୁକ୍ତ କରିଅଛି ।’’ ମାର୍ଟିନ ସାହେବଙ୍କ ଏଇ ଉକ୍ତି କେତେ ଦୂର ଯଥାର୍ଥ, ତାହା ଜାଣିବାପାଇଁ ଆମେ ପରବର୍ତ୍ତୀ ଆଲୋଚନାରେ ତାହାଙ୍କ ଦୁଇଟି ପତ୍ରର ତୁଳନାତ୍ମକ ବିଚାର ଉପସ୍ଥାପନ କରିବାକୁ ବାଧ୍ୟ ହୋଇଛୁ । ଅଧିକନ୍ତୁ, ପ୍ରାସଙ୍ଗିକ ଭାବେ ଡିରେକ୍ଟରଙ୍କ ପ୍ରଥମ ପତ୍ର (୨୬-୮-୬୭-) ଭିତରେ ଥିବା ଅଭିମତର ସତ୍ୟାସତ୍ୟ ମଧ୍ୟ ଏଥି ସହିତ ବିଚାର କରିଛୁ ।

 

ମାର୍ଟିନ ସାହେବଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ :

ମାର୍ଟିନ ସାହେବଙ୍କ ଆଲୋଚନାଟି କମିଶନରଙ୍କ ପ୍ରଥମ ପତ୍ର (ତା.୧୨.୯.୬୫)ରେ ଥିବା ୧୨ଶ ଅନୁଚ୍ଛେଦର ଗୋଟିଏ ନିର୍ଦ୍ଦିଷ୍ଟ ଅଭିମତ ଉପରେ ପ୍ରତିଷ୍ଠିତ । ବସ୍ତୁତଃ, ସେ ସମୟରେ ଆଦାନ-ପ୍ରଦାନ ହୋଇଥିବା ସମସ୍ତଙ୍କ ପତ୍ରରେ ଏହା ଥିଲା ଏକମାତ୍ର ଭାର-କେନ୍ଦ୍ର । କମିଶନରଙ୍କ ଏଇ ଅଭିମତକୁ ନେଇ ମାର୍ଟିନ ସାହେବ କହିଛନ୍ତି,

 

I cannot agree with the Commissioner in thinking that ‘‘measures should be taken for introducing where-ever possible, Ooryah books to the entire exclusion of Bengalee.’’ It may be true that ‘‘the Ooryah language possesses the same capacity as Bengalee being derived from the same source,’’ but I do not believe the language twenty years ago was so advanced as Bengali was then, and during the last twenty years the Bengali literature has so much improved that the present book language is almost a new one, It would require at least twenty years, with a Bidyasagara to make a commencement, to make the Ooryah language which Bengali now is. Moreover, I think tkat it-is important that educated Ooryahs should know a language which would enable them to correspond freely with the educated men of Bengal. Bengalies cannot be expected to learn Ooryah, therefore, Ooryahs who are educated should, in my opinion, be able to express themselves fully and accurately in Bengali, even though the study if Ooryah be not compulsory, I certainly think that it should be optional.

 

ଉତ୍କଳଦୀପିକା (ତା ୧୭।୧୧।୧୮୬୬)ରେ ଅଛି, ‘‘ଆର. ଏଲ. ମାର୍ଟିନ ସାହେବ ଦକ୍ଷିଣ ପଶ୍ଚିମ ବିଭାଗର ସ୍ମୁଲ ସମୂହର ଇନିସ୍‌ନେକ୍ଟର ହୋଇଅଛନ୍ତି ।’’ ( ଅଧ୍ୟାପକ ବଂଶୀଧୀର ମହାନ୍ତିଙ୍କ ସଂପାଦିତ ‘ଅଠରଶ ଛଷଠି’ ପୁସ୍ତକ, ପୃ ୧୫୨) ତେଣୁ ମାର୍ଟିନ ସାହେବ କାର୍ଯ୍ୟରେ ଯୋଗ ଦେବାର ପ୍ରାୟ ୯ ମାସ ପରେ ଓଡ଼ିଶା ଉପରେ ସ୍ପଷ୍ଟ ଧାରଣା ନକରି ବାଧ୍ୟବାଧକତାରେ ଯେଉଁ ଅଭିମତ ପ୍ରକାଶ କରିଛନ୍ତି, ସେଥିରେ କେତେକ ବିଭ୍ରାନ୍ତି ଓ ଅସ୍ପଷ୍ଟତା ରହିଯିବା ଏକାନ୍ତ ସ୍ୱାଭାବିକ । ଉପର ଉତ୍‌ଧୃତି ଓ ତା’ର ପରବର୍ତ୍ତୀ ଅଂଶରେ ଏପରି ବିଭ୍ରାନ୍ତି ଉପଲବ୍‌ଧି କରିବା ଆଦୌ କଷ୍ଟକର ନୁହେଁ । ତେବେ ଏହା ଏକାନ୍ତ ସତ୍ୟ ଯେ ତାଙ୍କର ଲକ୍ଷ୍ୟ ଥିଲା କେବଳ ଗୋଟିଏ । କିନ୍ତୁ ଏଇ ଲକ୍ଷ୍ୟଟି ଏଇ ବିଭ୍ରାନ୍ତରେ ଏପରି ଆଚ୍ଛନ୍ନ ଯେ ଏଥିରୁ ଗୋଟିଏ ଭୁଲ ଅର୍ଥ ବାହାର କରିବା ଅତିଶୟ ସହଜ । ସେଥିପାଇଁ କମିଶନରଙ୍କ ଦୁଇଟି ବାକ୍ୟାଂଶକୁ ଉଦ୍ଧାର କରି ସେ ତାହା ଉପରେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ବର୍ତ୍ତମାନ ତାହା ବିଚାର କରାଯାଉଅଛି ।

 

ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଅଧ୍ୟୟନ ଅବହେଳିତ ହେଉଥିବାର ଦେଖି କମିଶନର ରେଭେନ୍‌ସା ଲେଖିଥିଲେ, ‘‘ବିଦ୍ୟାଳୟର ଯେଉଁ ଶ୍ରେଣୀ ବା କ୍ଳାସରେ ଉପଯୁକ୍ତ ଓଡ଼ିଆ ପୁସ୍ତକର ଅଭାବ ଅଛି ସେ ସ୍ଥଳରେ ବଙ୍ଗଳା ପୁସ୍ତକ, କିନ୍ତୁ ଅନ୍ୟ ସବୁସ୍ଥଳରେ କେବଳ ଓଡ଼ିଆ ପୁସ୍ତକର ପ୍ରଚଳନ ହେବା ଉଚିତ ।’’ ଏଇ ଅର୍ଥଟି Wherever possibleରୁ ଅତିଶୟ ସ୍ପଷ୍ଟ । କମିଶନରଙ୍କ ମତରେ ସମୟକ୍ରମେ ବଙ୍ଗଳା ପୁସ୍ତକରୁ ନୂତନ ଓଡ଼ିଆ ପୁସ୍ତକ ଅନୂଦିତ ହୋଇଗଲେ ଅନୁପଲବ୍‌ଧ ଓଡ଼ିଆ ପୁସ୍ତକର ସ୍ଥାନ ଏଇ ଅନୂଦିତ ପୁସ୍ତକ ପୂରଣ କରିପାରିବେ । ତେଣୁ ବିଦ୍ୟାଳୟରେ ଓଡ଼ିଆ ପୁସ୍ତକର ଅଭାବ ଆଉ ରହିବ ନାହିଁ, କି ବଙ୍ଗଳା ପୁସ୍ତକର ଆବଶ୍ୟକତା ଅନୁଭୂତ ହେବ ନାହିଁ । ଦେଖିବାର କଥା, ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ର (ତା ୩୦/୩/୬୮)ରେ ଏଇପରି ଏକ ପ୍ରସ୍ତାବ ସ୍ଥାନ ପାଇଛି । ମାର୍ଟିନ ସାହେବ ତାହାଙ୍କ ପ୍ରଥମ ପତ୍ରରେ କମିଶନରଙ୍କ ‘ବଙ୍ଗଭାଷାର ପୂର୍ଣ୍ଣବର୍ଜ୍ଜନ ସ୍ଥାନରେ କେବଳ ନିମ୍ନ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀର ବଙ୍ଗଳା ଭାଷାକୁ ଏକ ବିକଳ୍ପ ଭାଷାରୂପେ ଗ୍ରହଣ କରିବାର ପ୍ରସ୍ତାବ ଦେଇଅଛନ୍ତି । ସାଧାରଣଭାବେ ବିଚାର କଲେ ମନେହେବ ଏ ପ୍ରସ୍ତାବ ଯେପରି କି କମିଶନରଙ୍କ ମତର ସଂପୂର୍ଣ୍ଣ ବିପରୀତ । କିନ୍ତୁ ଏହା ଯେ ମାର୍ଟିନ ସାହେବଙ୍କ ପ୍ରସ୍ତାବର ଲକ୍ଷ୍ୟ ନୁହେଁ ତାହା ଦ୍ୱିତୀୟ ଉତ୍‌ଧୃତିର ବିଚାର ଦେଖିଲେ ଆମେ ଜାଣିପାରିବୁ ।

 

କମିଶନରଙ୍କ ମତରେ ‘‘ଓଡ଼ିଆ ଓ ବଙ୍ଗଳା ଭାଷା ଗୋଟିଏ ମୂଳସ୍ରୋତରୁ ଉଦ୍‌ଭୁତ ହୋଇଥିବାରୁ ଏ ଉଭୟ ଭାଷାର ଭାବଧାରଣ ଶକ୍ତି ମଧ୍ୟ ସମାନ ।’’ କିନ୍ତୁ ମାର୍ଟିନଙ୍କ ମତରେ, ‘‘କୋଡ଼ିଏ ବର୍ଷ ପୂର୍ବେ ବଙ୍ଗଳା ଭାଷା ଯେଉଁ ଉନ୍ନତ ଅବସ୍ଥାରେ ଥିଲା, ସେ ସମୟରେ ଓଡ଼ିଆ ଭାଷା ସେପରି ଉନ୍ନତ ଥିଲା ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ । ପୁନଶ୍ଚ. ଗତ କୋଡ଼ିଏ ବର୍ଷ ଭିତରେ ବଙ୍ଗଳା ପାଠ୍ୟପୁସ୍ତକର ଭାଷା ଏପରି ଅଭିବୃଦ୍ଧି ଘଟିଛି ଯେ ଆଜିର ସେଇ ପାଠ୍ୟ ପୁସ୍ତକର ଭାଷା ସଂପୂର୍ଣ୍ଣ ଏକ ନୂତନ ରୂପ ଆହରଣ କରିଅଛି । ବର୍ତ୍ତମାନର ବଙ୍ଗଳା ଭାଷା ସହିତ ଓଡ଼ିଆ ଭାଷା ସମାନ ହେବାକୁ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବର୍ତ୍ତମାନଠାରୁ କାର୍ଯ୍ୟ ଆରମ୍ଭକରି କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ।’’ ପୁଣି ସେ କହିଛନ୍ତି ଯେ ଆଜିର ଶିକ୍ଷିତ ଓଡ଼ିଆମାନେ ବଙ୍ଗଳା ପରି ଏକ ଉନ୍ନତ ଭାଷା ଜାଣିବା ଓ ବଙ୍ଗଳାର ଶିକ୍ଷିତ ଲୋକଙ୍କ ସହିତ ଅବାଧରେ କଥାବର୍ତ୍ତା କରିବା ଉଚିତ । ଅର୍ଥାତ୍‌ ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ବ୍ୟକ୍ତି ବଙ୍ଗଳା ଭାଷାରେ ନିଜର ଭାବକୁ ସଠିକ ଓ ସଂପୂର୍ଣ୍ଣ ଭାବରେ ପ୍ରକାଶ କରିବାର ଦକ୍ଷତା ଅର୍ଜନ କରିବା ଏକାନ୍ତ ଆବଶ୍ୟକ । ଏପରି ଏକ ମନ୍ତବ୍ୟରେ ଓଡ଼ିଆ ଭାଷାର ଉନ୍ନତି କେବଳ ବଙ୍ଗଳା ଭାଷା ଶିକ୍ଷା ମାଧ୍ୟମରେ କିପରି ହୋଇପାରିବ ତାହା ହିଁ ଦେଖିବାକୁ ମିଳେ । ଏଇ ବିଚାରରେ ସେ ପାଠ୍ୟକ୍ରମରେ ଓଡ଼ିଆ ଭାଷାକୁ କମିଶନରଙ୍କ ମତର ସଂପୂର୍ଣ୍ଣ ବିପରୀତରେ, ବାଧ୍ୟତାମୂଳକ ନକରି ଏକ ବିକଳ୍ପ ଭାଷା ହେବା ଉଚିତ ବୋଲି ପ୍ରସ୍ତାବ ଦେଇଅଛନ୍ତି ।

 

ମାର୍ଟିନଙ୍କ ଶିକ୍ଷା-ବ୍ୟବସ୍ଥାରେ ବଙ୍ଗଳା ଓ ଓଡ଼ିଆ ଭାଷାର ସ୍ଥାନ :

ଏ ଉଭୟ ଭାଷାର ଏକତ୍ର ପ୍ରଚଳନ ପାଇଁ ସେ ନିମ୍ନ ଶିକ୍ଷା-ବ୍ୟବସ୍ଥା ଉପସ୍ଥାପନ କରିଅଛନ୍ତି–

I certainly think that it (Ooryah) should be optional. At the same time whilest I think that in the Zilla Schools and in high school the optional of learning Bengali should be certainly given. I do not think that this be applied ti schools of the all the lower classes upon which I wish to bring educational operations to bear. In these schools I would teach Ooryah only to the entire exclusion of Bengali, In vernacular schools of the Middle class, however, I think the boys should certainly have the option of learning Bengali, and I think scholarships should only be given to those boys who can pass a fair examination as well in Bengali as in Ooryah.

 

At present this is the system pursued, the standard in Bengali being that of the third class in a Bengal school, there really is not upto present time anything that can be called liteature in Ooryah. I have never heard a simple complaint from the people in that subject.

 

ଏ ସମୁଦାୟ ଉଦ୍ଧୃତିଟି ଅନୁଧ୍ୟାନ କଲେ ଜଣାଯାଏ ବଙ୍ଗଳା ଭାଷା-ଅଧ୍ୟୟନ ମାଧ୍ୟମରେ ଓଡ଼ିଆ ଭାଷା-ଉନ୍ନତିର ଯେଉଁ ମାର୍ଗଟି ମାର୍ଟିନ୍‌ ସାହେବ ତାଙ୍କ ବିଶ୍ୱାସ ବଳରେ ସ୍ଥିର କରିଦେଲେ ତାହାରି ରୂପାୟନ କେବଳ ଏଥିରେ ସ୍ଥାନ ପାଇଅଛି । ସେଥିପାଇଁ ହାଇସ୍କୁଲ, ଜିଲ୍ଲାସ୍କୁଲ, ମଧ୍ୟଭର୍ଣ୍ଣାକୁଲାରସ୍କୁଲ (ଏଥିରୁ ମଧ୍ୟ-ଇଂରାଜୀସ୍କୁଲ ବାଦ୍‌ ପଡ଼ିଯାଇଛି) ସର୍ବତ୍ର ବଙ୍ଗଳା ଭାଷା ଅଧ୍ୟୟନକୁ ବିକଳ୍ପ ଭାବେ ଗ୍ରହଣ କରାଯାଇଛି । ପୁନଶ୍ଚ, ମଧ୍ୟମ ଶ୍ରେଣୀ ଭର୍ଣ୍ଣାକୁଲାର ପରୀକ୍ଷାରେ ପାଶ କରୁଥିବା ଛାତ୍ରଙ୍କୁ ଉଭୟ ବଙ୍ଗଳା ଓ ଓଡ଼ିଆ ଭାଷୀ ଛାତ୍ରଙ୍କୁ ବୃତ୍ତି ପ୍ରଦାନର ମଧ୍ୟ ବ୍ୟବସ୍ଥା କରାଯାଇଛି, ଏପରିକି ଯେଉଁ ଓଡ଼ିଆ ଛାତ୍ର ବୃତ୍ତି ପାଇବେ; ବଙ୍ଗଳା ଭାଷା ଶିଖିବା ତାଙ୍କ ପକ୍ଷରେ ଏକାନ୍ତ ଆବଶ୍ୟକ ବୋଲି କୁହାଯାଇଛି । ତେଣୁ ତାହାଙ୍କ ରିପୋର୍ଟର ଶେଷରେ ଅଛି, ‘‘I certainly think that no scholarship should be given to lads who do not know Bengali.’’

 

କମିଶନର (ତା ୧୨-୯-୬୫) ଓ ମାର୍ଟିନ (ତା ୯-୮-୬୭) ସାହେବଙ୍କ ଆଲୋଚନାରେ ଗୋଟିଏ ବିଶିଷ୍ଟ ଲକ୍ଷଣ ପରିଦୃଷ୍ଟ ହୋଇଥାଏ । କମିଶନର ସ୍କୁଲର ବିଭିନ୍ନ ଶ୍ରେଣୀରେ ଓଡ଼ିଆ ଭାଷା ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିଲା ବେଳେ ମାର୍ଟିନସାହେବ ଓଡ଼ିଆ ଭାଷାକୁ ନିମ୍ନ ଶ୍ରେଣୀର ସୀମା ଭିତରେ ରଖି ଅନ୍ୟ ସର୍ବତ୍ର ବଙ୍ଗଳା ଭାଷା ବିକଳ୍ପ ଭାଷା ରୂପେ ଉଲ୍ଲେଖ କରିଛନ୍ତି । ତେଣୁ ମନରେ ପ୍ରଶ୍ନ ହୁଏ, ତା’ହେଲେ ଓଡ଼ିଆ ଛାତ୍ରମାନେ କ’ଣ ଓଡ଼ିଆ ଭାଷା ଶିକ୍ଷା କରିବେ ନାହିଁ ? ମାର୍ଟିନଙ୍କ ଲକ୍ଷ୍ୟକୁ ଅନୁସରଣ କଲେ ମନେ ହେବ ଯେପରିକି ନିୟମାନୁମୋଦିତ ହୋଇନଥିବା ଏକ ପାରମ୍ପରିକ ଶିକ୍ଷା-ନୀତି ଏ ପ୍ରସ୍ତାବଦ୍ୱାରା କେବଳ ସ୍ୱୀକୃତି ପାଇଛି ମାତ୍ର । ସେ ସମୟରେ ଉପଯୁକ୍ତ ଓଡ଼ିଆ ପୁସ୍ତକର ଅଭାବ ହେତୁ ବଙ୍ଗାଳୀ ଶିକ୍ଷକମାନେ ଶ୍ରେଣୀ ଉପଯୁକ୍ତ ବଙ୍ଗଳା ପୁସ୍ତକ ବଙ୍ଗଳା ମିଶା-ଓଡ଼ିଆରେ ଶିକ୍ଷା ଦେଉଥିଲେ । ଓଡ଼ିଆ ଛାତ୍ରମାନେ ମିଶନାରୀମାନଙ୍କ ରଚିତ ବଙ୍ଗଳା ମିଶା ଓଡ଼ିଆ ପୁସ୍ତକ ମଧ୍ୟ ଅଧ୍ୟୟନ କରୁଥିଲେ । ବଙ୍ଗଳା ପୁସ୍ତକରୁ ବଙ୍ଗଭାଷାର ଗଠନରୀତି ଓ ବିଷୟବସ୍ତୁ ଆହରଣ କରି ଓଡ଼ିଆ ଛାତ୍ରମାନେ ପରୀକ୍ଷାରେ ଓଡ଼ିଆ ଭାଷାରେ ଉତ୍ତର ଲେଖୁଥିଲେ । ତେଣୁ ଓଡ଼ିଆ ଛାତ୍ରମାନେ ଓଡ଼ିଆ ପୁସ୍ତକ ପଢ଼ୁଥିଲେ ମଧ୍ୟ ବଙ୍ଗଭାଷା ଉପରେ ମଧ୍ୟ ନିର୍ଭର କରିବାକୁ ବାଧ୍ୟ ହେଉଥିଲେ । ନିମ୍ନଶ୍ରେଣୀ ବ୍ୟତୀତ ଅନ୍ୟ ସର୍ବତ୍ର ବଙ୍ଗଭାଷାକୁ ବିକଳ୍ପ ଭାଷା ରୂପେ ପ୍ରଚଳନ କରିବା-ମାର୍ଟିନସାହେବଙ୍କ ଏ ପ୍ରସ୍ତାବ ପୂର୍ବ ପ୍ରଚଳିତ ଶିକ୍ଷା ନୀତିର ଅନୁସରଣ ମାତ୍ର । କିନ୍ତୁ ଏଥିରେ ବିକଳ୍ପ ବଙ୍ଗଳା ଭାଷାର ଅଧ୍ୟୟନ ଓଡ଼ିଆ ଭାଷା-ଅଭିବୃଦ୍ଧିପାଇଁ ଉଦ୍ଦିଷ୍ଟ ଥିଲା, ଯାହା ଉପରେ ପୂର୍ବ ପ୍ରଚଳିତ ଶିକ୍ଷା-ନୀତିରେ ବିଶେଷ ଗୁରୁତ୍ୱ ଦିଆଯାଉନଥିଲା । ତେଣୁ ଏ କ୍ଷେତ୍ରରେ ଓଡ଼ିଆ ଭାଷାକୁ ଉଠାଇ ଦେବା କିମ୍ବା ଓଡ଼ିଆ ଭାଷା ଅଧ୍ୟୟନକୁ ଅସ୍ୱୀକାର କରିବାର ପ୍ରଶ୍ନ ନଥିଲା ।

 

ମାର୍ଟିନସାହେବଙ୍କ ଶେଷ ମନ୍ତବ୍ୟ :

ମାର୍ଟିନସାହେବଙ୍କ ଆଲୋଚନାର ସାରାଂଶ ରିପୋର୍ଟର ସର୍ବଶେଷ ଅନୁଚ୍ଛେଦରେ ଏଇପରି ଦିଆଯାଇଛି–

 

My opinion then is, in lower class schools Ooryah only should be taught; in all the others the option atleast of learning Bengali should be given. The only doubt I have being as to whether the study of Bengali should not be compulsory. I certainly think no scholarship should be given to lads who do not know Bengali,

 

ନିମ୍ନ ଶ୍ରେଣୀର ବିଦ୍ୟାଳୟରେ କେବଳ ଓଡ଼ିଆ ଭାଷା ଓ ଅନ୍ୟ ସର୍ବତ୍ର ବଙ୍ଗଳା ଭାଷା ଏକ ବିକଳ୍ପ ଭାଷା ରୂପେ ଅଧ୍ୟୟନ କରାଯିବ–ଏହାହିଁ ମାର୍ଟିନସାହେବଙ୍କ ଶିକ୍ଷା-ନୀତିର ସାରାଂଶ । ଏହାର କାରଣ, ‘‘ବଙ୍ଗଳା ଭାଷାର ଅଧ୍ୟୟନ ବାଧ୍ୟତାମୂଳକ ହେବା ଅନୁଚିତ କିମ୍ବା ଉଚିତ, ଏଇ ବିଷୟରେ ମୋର ଏକମାତ୍ର ସନ୍ଦେହ ରହିଯାଉଛି ।’’ ଏଥିରେ ଥିବା ସନ୍ଦେହର କାରଣ ହେଉଛି, (କ) ଏହା ଯଦି ଅନୁଚିତ, ଅର୍ଥାତ୍‌ ବଙ୍ଗଳା ଭାଷାର ସଂପୂର୍ଣ୍ଣ ପରିହାର, ତା’ ହେଲେ ଓଡ଼ିଆ ଭାଷାର ଉନ୍ନତି ପଥରେ ଏ ନୀତି ପ୍ରତିବନ୍ଧକ ସୃଷ୍ଟି କରିବ, (ଖ) ଯଦି ଉଚିତ, ଅର୍ଥାତ୍‌ ବଙ୍ଗଳା ଭାଷା ବାଧ୍ୟତାମୂଳକ ହେବ, ତା’ହେଲେ ଓଡ଼ିଆ ଭାଷା ଉପେକ୍ଷିତ ହେବାର ଆଶଙ୍କା ଅଛି । ତେଣୁ ଓଡ଼ିଆ ଭାଷା ଉନ୍ନତିର ଏକମାତ୍ର ନିର୍ଭରଯୋଗ୍ୟ ପନ୍ଥା ହେଉଛି ଏକ ମାଧ୍ୟମ ପନ୍ଥା, ଅର୍ଥାତ୍‌ ଉଭୟ ଓଡ଼ିଆ ଓ ବଙ୍ଗଳାରବି କଳ୍ପ ଭାଷା ରୂପେ ବ୍ୟବହାର, ଯାହା ତାହାଙ୍କ ପୂର୍ବ ଆଲୋଚନାରେ ସ୍ଥାନ ପାଇଛି । ଦେଖିବାର କଥା, ଏପରି ପ୍ରସ୍ତାବର ପଶ୍ଚାତ୍‌ରେ ଅଛି ତାଙ୍କର ଏକ ସରଳ ବିଶ୍ୱାସ, ଯାହା ଜଣେ ଅନଭିଜ୍ଞ ଶିକ୍ଷାଧିକାରୀଙ୍କ ପକ୍ଷରେ ସଂପୂର୍ଣ୍ଣ ସ୍ୱାଭାବିକ ।

 

କମିଶନର ମାର୍ଟିନ-ଡିରେକ୍ଟରଙ୍କ ପତ୍ରର ଏକ ତୁଳନାତ୍ମକ ବିଚାର :

କମିଶନରଙ୍କ ମତରେ ‘‘ଓଡ଼ିଆ ଭାଷା ହେଉଛି ପୃଥକ୍‌ ସ୍ୱତନ୍ତ୍ର ଭାଷା (distinct dialect); ବଙ୍ଗଳା ଓ ଓଡ଼ିଆ ଭାଷାର ଉତ୍‌ଭବ ଏକ ମୂଳସ୍ରୋତରୁ ହୋଇଥିବା ହେତୁ ଏ ଉଭୟ ଭାଷାର ଭାବ-ଧାରଣ ଓ ପ୍ରକାଶ ଶକ୍ତି ମଧ୍ୟ ସମାନ ।’’-କେବଳ ଦୁଇଟି ମାସର ବ୍ୟକ୍ତିଗତ ଅଭିଜ୍ଞତା, କେତେକ ବିଜ୍ଞ ପରାମର୍ଶଦାତାଙ୍କ ଉପଯୁକ୍ତ ଉପଦେଶରେ ପରିପୁଷ୍ଟ କମିଶନରଙ୍କ ଏଇ ଉକ୍ତି ଥିଲା ଓଡ଼ିଆ ଭାଷା ପ୍ରଚଳନ ପ୍ରସ୍ତାବର ମୂଳଭିତ୍ତି । ଉପଯୁକ୍ତ ବଙ୍ଗଳା ପୁସ୍ତକର ଓଡ଼ିଆ ଅନୁବାଦ ଓ ତାହାଦ୍ୱାରା ଅନୁପଲବ୍‌ଧ ଓଡ଼ିଆ ପୁସ୍ତକର ଅଭାବ ପୂରଣ ହେଉଛି ଓଡ଼ିଆ-ଭାଷା-ଅଭିବୃଦ୍ଧିର ଏକ ନିର୍ଭରଯୋଗ୍ୟ ଉପାୟ ମାତ୍ର । ପୁନଶ୍ଚ, ବଙ୍ଗଳା ଭାଷା-ପ୍ରଚଳନ ହେଉଛି ଓଡ଼ିଆ ଭାଷାର ଉନ୍ନତି ଦିଗରେ ଏକ ପ୍ରଧାନ ପ୍ରତିବନ୍ଧକ । ତେଣୁ, ବଙ୍ଗଳା ଭାଷା ବ୍ୟବହାରର କ୍ରମସଂକୋଚନ ଓ ଓଡ଼ିଆ ଭାଷାର କ୍ରମସଂପ୍ରସାରଣ ହିଁ ଓଡ଼ିଆ ଭାଷା-ଅଭିବୃଦ୍ଧି ସାଧନର ସର୍ବଶ୍ରେଷ୍ଠ ପରିଣତି ବା ଲକ୍ଷ୍ୟ ।

 

ଅପର ପକ୍ଷରେ ଓଡ଼ିଶା ଓ ଓଡ଼ିଆ ଭାଷା ଉପରେ ମାର୍ଟିନସାହେବଙ୍କର କୌଣସି ସ୍ପଷ୍ଟ ଧାରଣା ନଥିଲା । ତେଣୁ ଓଡ଼ିଆ ଭାଷା ଉପରେ ଥିବା କମିଶନରଙ୍କ ଅଭ୍ରାନ୍ତ ଧାରଣାକୁ ସ୍ୱୀକାର ନକରି ଓଡ଼ିଆ ଭାଷା ଉନ୍ନତ ନଥିବାର ଏକ ଭ୍ରାନ୍ତ ଧାରଣାକୁ ନିଜ ଯୁକ୍ତିର ଭିତ୍ତି ରୂପେ ସେ ଗ୍ରହଣ କରିଥିଲେ । ତାହାଙ୍କ ବିଶ୍ୱାସରେ ଓଡ଼ିଆ ପରି ଏକ ଅନୁନ୍ନତ ଭାଷାର ଉନ୍ନତି ବିକଳ୍ପ ବଙ୍ଗଭାଷା ପ୍ରଚଳନର ଉପାୟରେ ହିଁ କେବଳ ସମ୍ଭବପର । ଏଥିପାଇଁ ଯେତେ ଦୀର୍ଘ ସମୟ ଲାଗୁନା କାହିଁକି, ଓଡ଼ିଆ ଭାଷାର ଉନ୍ନତି-ସାଧନ ଲକ୍ଷ୍ୟ ଏଇ ଉପାୟରେ ହିଁ ସାଧିତ ହୋଇପାରିବ ।

 

କିନ୍ତୁ ଡିରେକ୍ଟରଙ୍କ ମତରେ ଓଡ଼ିଆ ହେଉଛି ସୀମିତ ପରିସରରେ ବ୍ୟବହୃତ ଏକ ଆଞ୍ଚଳିକ ଭାଷା, ତାହାଙ୍କ ଭାଷାରେ dialect, patois ମାତ୍ର । ତାହାଙ୍କ ଯୁକ୍ତିର ଭିତ୍ତିଭୂମି ଏଇ ଆଞ୍ଚଳିକ ଭାଷାର ଧାରଣା ଉପରେ ପ୍ରତିଷ୍ଠିତ ହୋଇଥିବାରୁ ସେ ଭାଷାର ଅଭିବୃଦ୍ଧି ସାଧନପାଇଁ କୌଣସି ଅର୍ଥ ବା ପରିଶ୍ରମର ଆବଶ୍ୟକତା ସେ ଅନୁଭବ କରିନଥିଲେ । ଏପରି ଭିତ୍ତିଭୂମି ଓ ସାଧନର ପରିଣତି ବା ଲକ୍ଷ୍ୟ ହେଉଛି ଓଡ଼ିଆଭାଷାର କ୍ରମସଂକୋଚନ ଓ ବଙ୍ଗଳା ଭାଷାର, କମିଶନର ଶୋର ସାହେବଙ୍କ ଭାଷାରେ ‘Bengali will thus become the language of the country" ସ୍ତରରେ ଉପସ୍ଥାପନ ।

 

ଦେଖିବାର କଥା, ଗୌରୀଶଙ୍କର ତା ୪-୧-୧୯୬୮ରେ ଡିରେକ୍ଟରଙ୍କ ପୂର୍ବୋକ୍ତ ଅଭିମତକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଅଛନ୍ତି । କାରଣ, ବଙ୍ଗଳା ପୁସ୍ତକର ବଳାତ୍‌କାର ପ୍ରବର୍ତ୍ତନ ଓ ଓଡ଼ିଆ ଭାଷା ଏକ ଭାଷା ନୁହେଁ–ଏ ଉଭୟ କଥା ଡିରେକ୍ଟର ହିଁ କହିଛନ୍ତି । ଏଥିରେ ଇନିସ୍‌ପେକ୍ଟରଙ୍କ ଅଭିମତର କୌଣସି ସମ୍ପର୍କ ନାହିଁ । ପୁନଶ୍ଚ, ଡିରେକ୍ଟରଙ୍କ କେବଳ ଉଚ୍ଚଶ୍ରେଣୀରେ ଭାଷା ପରିବର୍ତ୍ତନର କଥା କହିଛନ୍ତି । ‘ଦୀପିକା’ ସମସ୍ତ ବିଦ୍ୟାଳୟକୁ ଲକ୍ଷ୍ୟ କରିଛନ୍ତି-। ଡିରେକ୍ଟରଙ୍କ Compulsory ଓ ଦୀପିକାର ‘ବଳାତ୍‌କାର’ ଏକାର୍ଥବୋଧକ ନୁହେଁ । ‘ବଳାତ୍‌କାର’ର ପଶ୍ଚାତ୍‌ରେ ଓଡ଼ିଆଭାଷା-ପ୍ରତ୍ୟାହାରର ଭାବଟି ଅଛି । ମାର୍ଟିନସାହେବଙ୍କ ପତ୍ର ତନ୍ନ ତନ୍ନ ନିରୀକ୍ଷଣ କଲେ ସେଥିରେ ଏପରି ଅଭିମତ ଥିବାର ଅନୁଭୂତ ହୁଏ ନାହିଁ ।

 

ମାର୍ଟିନ ସାହେବଙ୍କ ମତ ପରିବର୍ତ୍ତନ ନିଜ ଭ୍ରମସଂଶୋଧନର ନାମାନ୍ତର ମାତ୍ର-:

ମାର୍ଟିନ ସାହେବ ଦ୍ୱିତୀୟ ପତ୍ର (ତା ୩୦। ୩ । ୬୮)ରେ ଲେଖିଛନ୍ତି ଯେ ସେ ତାଙ୍କର ପୂର୍ବ ପତ୍ର (ତା ୯ । ୮ । ୬୭)ରେ ଥିବା କେତେକ ଅଭିମତର ସାମାନ୍ୟ ପରିବର୍ତ୍ତନ କରିଦେଇଛନ୍ତି ଓ ଯାହା ଉପରେ ବର୍ତ୍ତମାନ ଚିନ୍ତା କରିଛନ୍ତି ତାହାକୁ ସେ ଏଇ ରିପୋର୍ଟରେ ବିଶଦଭାବେ ବୁଝାଇଛନ୍ତି । ପ୍ରଶ୍ନ ହେଉଛି ତାଙ୍କର ଏ ଅଭିମତ କ’ଣ ସତ୍ୟ ? ଯଦି ତାହା ସତ୍ୟ, ତା’ହେଲେ ଏ ସାମାନ୍ୟ ପରିବର୍ତ୍ତନଟି କ’ଣ ? ପତ୍ରରେ ଏହା କେଉଁଠି ସୂଚିତ ହୋଇନାହିଁ । ପୁନଶ୍ଚ, ଯାହାକୁ ବୁଝାଇ ଦିଆ ଯାଇଛି ବୋଲି ସେ କହିଛନ୍ତି ତାହା କ’ଣ ଅବିଶଦଭାବେ ପ୍ରଥମ ପତ୍ରରେ ଥିଲା ? ଦେଖି ବସିଲେ ଏ ଉଭୟ ପତ୍ର ଏପରି ସ୍ୱତନ୍ତ୍ର ଯେ ଏ ଦୁଇଟି ପତ୍ରକୁ କେବଳ ସାତଟି ମାସ ଅନ୍ତରରେ ଜଣେ ପଦସ୍ଥ ଅଫିସର ଲେଖିଛନ୍ତି ବୋଲି ମନରେ ବିଶ୍ୱାସ ହୁଏ ନାହିଁ । ଦ୍ୱିତୀୟ ପତ୍ରରେ ଏପରି ବହୁ ବିଷୟ ଅଛି ଯାହା ପ୍ରଥମ ପତ୍ରରେ ନଥିଲା । ପ୍ରଥମ ପତ୍ରଟି ଆମୂଳଚୂଳ ଅସ୍ପଷ୍ଟ । ଏଇ ଅସ୍ପଷ୍ଟତା ଭିତରେ ଲୁକ୍‌କାୟିତ ହୋଇ ରହିଛି ମାର୍ଟିନଙ୍କ ପ୍ରସ୍ତାବର ଅସଲ ରୂପ । କିନ୍ତୁ ଦ୍ୱିତୀୟ ପତ୍ରଟି ସର୍ବତ୍ର ସ୍ପଷ୍ଟ ଓ ସୁବୋଧ୍ୟ । ଏଥିରେ ଅଛି ଜଣେ ପ୍ରଶାସକଙ୍କର ପରିପକ୍ୱ ଚିନ୍ତାଧାରାର ଉଜ୍ଜ୍ୱଳ ସ୍ୱାକ୍ଷର ।

 

କିନ୍ତୁ ଏ ଉଭୟ ପତ୍ରରେ ଅଛି ଗୋଟିଏ ମାତ୍ର ଲକ୍ଷ୍ୟ–ଏ ଲକ୍ଷ୍ୟ ଓଡ଼ିଆ ଭାଷାର ଉନ୍ନତି ଭିତରେ ସୀମିତ । ଭିତ୍ତିଭୂମି ଓ ଗଠନକଳାର ଭିନ୍ନତା ହେତୁ ଏ ଉଭୟ ପତ୍ର ସାମଗ୍ରିକ ରୂପରେ ଭିନ୍ନ ଭିନ୍ନ ହୋଇ ପଡ଼ିଛନ୍ତି ମାତ୍ର ।

 

ଅନୁନ୍ନତ ଓଡ଼ିଆ ଭାଷା ହିଁ ପ୍ରଥମ ପତ୍ରର ଭିତ୍ତିଭୂମି । ଏଇ ଦୁର୍ବଳ ଭିତ୍ତି ଉପରେ ଏ ଭାଷାର ବିକାଶପାଇଁ ଆବଶ୍ୟକ ହୋଇଛି ଗୋଟିଏ ଆଶ୍ରୟ–ବିକଳ୍ପ ବଙ୍ଗଳା ଭାଷା ଏହାର ସ୍ଥାନ ପୂରଣ କରିଛି । କିନ୍ତୁ ବଙ୍ଗଳା ପରି ଏକ ଅପରିଚିତ ଭାଷାକୁ ଆୟତ୍ତ କରି ଓଡ଼ିଆ ଭାଷାରେ ଦକ୍ଷତା ଅର୍ଜ୍ଜନ କରିବା କୋମଳମତି ଓଡ଼ିଆ ଛାତ୍ରଙ୍କ ପକ୍ଷରେ ଆଦୌ ସୁବିଧାଜନକ ନୁହେଁ । ତେଣୁ ବିକଳ୍ପ ବଙ୍ଗଳା ଭାଷା ପ୍ରଚଳନ ତ୍ରୁଟିପୂର୍ଣ୍ଣ ଥିଲା କହିଲେ ଚଳେ । ଅପର ପକ୍ଷରେ ସେଇ ଗୋଟିଏ ଲକ୍ଷ୍ୟ ଥିଲେ ହେଁ ତା’ର ଭିତ୍ତିଭୂମି ଓ ଉପାୟ ବା ଗଠନକଳା ପ୍ରଥମ ପତ୍ରଠାରୁ ସଂପୂର୍ଣ୍ଣ ଭିନ୍ନ । ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ଓ ବଙ୍ଗଳା ଭାଷାର ସମସ୍ତ ଆକ୍ରମଣରୁ ଏହା ନିଜକୁ ରକ୍ଷା କରିବାରେ ସମର୍ଥ–ଏଇ ସୁଦୃଢ଼ ଭିତ୍ତି ଉପରେ ଦଣ୍ଡାୟମାନ ହୋଇଛି କେଉଁ କେଉଁ ଶ୍ରେଣୀର ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା କେତେ ଦୂର ବ୍ୟବହାର କରାଯିବ, ତା’ର ଏକ ସୁନ୍ଦର ନକ୍‌ସା-। ଏପରି ନକ୍‌ସାର ଆଭାସ ପ୍ରଥମ ପତ୍ରରେ ଥିଲେ ହେଁ ବିକଳ୍ପ ବଙ୍ଗଭାଷା ସେଥିରେ ପ୍ରଧାନ ସ୍ଥାନ ପାଇଥିବାରୁ ଓଡ଼ିଆ ଭାଷାର ସ୍ଥାନ ଓ ତା’ର ଆଲୋଚନା ସେ ନକ୍‌ସା ଭିତରେ ସଂପୂର୍ଣ୍ଣ ଲୁକ୍‌କାୟିତ ହୋଇପଡ଼ିଛି । ଜିଲ୍ଲା ସ୍କୁଲ ଓ ହାଇସ୍କୁଲରେ ବଙ୍ଗଳା କିମ୍ବା ଓଡ଼ିଆ ଭାଷା ଶିକ୍ଷାର ସମାନ ଅଧିକାର, ଅନ୍ୟ ସବୁଶ୍ରେଣୀର ବିଦ୍ୟାଳୟରେ କେବଳ ଓଡ଼ିଆ ଭାଷାରେ ଲିଖିତ ସମସ୍ତ ବିଷୟକ ପାଠ୍ୟପୁସ୍ତକର ପ୍ରଚଳନ, ସର୍ବୋପରି ଓଡ଼ିଆ ଭାଷାକୁ ଶିକ୍ଷାଦାନର ମାଧ୍ୟମ ରୂପେ ସ୍ୱୀକାର–ଏସବୁ ହେଉଛନ୍ତି ଦ୍ୱିତୀୟ ପତ୍ରରେ ଥିବା ଗଠନ-କଳାର ନିଦର୍ଶନ ମାତ୍ର । ଏଥିରେ ବଙ୍ଗଳା ଭାଷା ବିକଳ୍ପ ରୂପେ ଗୃହୀତ ହୋଇଥିଲେ ହେଁ ଏଇ ବଙ୍ଗଳା ଶବ୍ଦର ଅର୍ଥ ଥିଲା ସଂପୂର୍ଣ୍ଣ ଭିନ୍ନ । ବଙ୍ଗାଳୀମାନଙ୍କୁ ସ୍ଥାନୀୟ ଓ ବିଦେଶୀ ରୂପେ ବିଭକ୍ତ କରି କେବଳ ବିଦେଶୀ ବଙ୍ଗାଳୀମାନଙ୍କ ପାଇଁ ବିକଳ୍ପ ବଙ୍ଗ ଭାଷା ଶିକ୍ଷା ରଖାଯାଇଥିଲା । ଫଳରେ ସ୍ଥାନୀୟ ବଙ୍ଗାଳୀ ଛାତ୍ରମାନେ ଓଡ଼ିଆ ଛାତ୍ରମାନଙ୍କ ପରି କେବଳ ଓଡ଼ିଆ ଭାଷାରେ ଶିକ୍ଷା ପାଇବାର ପ୍ରସ୍ତାବ ଥିଲା । ଏପରି ଏକ ଅଭିନକ ନକ୍‌ସାର ଅନ୍ତଃସ୍ୱରରେ ଅଛି ବଙ୍ଗଳା ଭାଷାର କ୍ରମବିଲୋପ ଓ ଓଡ଼ିଆ ଭାଷାର କ୍ରମପରିବର୍ଦ୍ଧନ । ଏଇ ନୂତନ ଚିନ୍ତାର ସମୁଜ୍ଜ୍ୱଳ ଆଲୋକରେ ଏ ନକ୍‌ସାଟି ଆଲୋକିତ ହେଲା ବେଳେ ତା’ର ଏକ କ୍ଷୀଣ ରଶ୍ମି ପ୍ରଥମ ନକ୍‌ସାରେ ଆମେ ଦେଖିଥାଉଁ । ମାର୍ଟିନ ସାହେବଙ୍କ ମନର ଏ ପରିବର୍ତ୍ତନ ଓଡ଼ିଆ ଭାଷାର ସମୃଦ୍ଧ ରୂପ, ଅନୁବାଦର ସମସ୍ତ ସୁବିଧା, ସର୍ବୋପରି ଓଡ଼ିଆ ଭାଷା ସହିତ ତାଙ୍କର ପ୍ରତ୍ୟକ୍ଷ ଅନୁଭୁତି ହେତୁ ଯେ ସମ୍ଭବପର ହୋଇଛି ତା’ର ଆଭାସ କମିଶନରଙ୍କ ଦ୍ୱିତୀୟ ପତ୍ରର ଆରମ୍ଭରେ ଲିପିବିଦ୍ଧ ହୋଇ ରହିଛି ଯାହା ଏଇ ପ୍ରବନ୍ଧରେ ପୂର୍ବରୁ ଉଦ୍ଧୃତ ହୋଇଛି । ତେଣୁ ମାର୍ଟିନସାହେବଙ୍କ ମତ ପରିବର୍ତ୍ତନ ଯେ ତାହାଙ୍କ ପୂର୍ବମତ ସଂଶୋଧନର ନାମାନ୍ତର, ଏଥିରେ କୌଣସି ସନ୍ଦେହ ନାହିଁ ।

 

ମାର୍ଟିନଙ୍କ ଦ୍ୱିତୀୟ ପତ୍ର ଉପରେ କମିଶନରଙ୍କ ପ୍ରତିକ୍ରିୟା :

ବର୍ତ୍ତମାନ ପ୍ରଶ୍ନ ଉଠିପାରେ ଯେ ଓଡ଼ିଆ ଭାଷା ପ୍ରଚଳନ ସମ୍ପର୍କରେ କମିଶନରଙ୍କ ପ୍ରଥମ ପତ୍ର ଉପରେ ଡିରେକ୍ଟର ଓ ମାର୍ଟିନସାହେବଙ୍କ ଅଭିମତ ପାଇଲା ପରେ ଏହାରି ଭିତ୍ତି ଉପରେ ବଙ୍ଗ ସରକାର ନିଜର ଶେଷ ସିଦ୍ଧାନ୍ତ ନ ନେଇ ଏ ଉଭୟଙ୍କ ପତ୍ର ଉପରେ ପୁନର୍ବାର ଅଭିମତ ଦେବାକୁ କମିଶନରଙ୍କୁ ଅନୁରୋଧ କରୁଥିଲେ କାହିଁକି ? ଏହାର ଏକ ସରଳ ଭିତ୍ତିର ବୋଧହୁଏ, ଏ ଉଭୟ ଶିକ୍ଷାଧିକାରୀଙ୍କ ପତ୍ରରେ ସିଦ୍ଧାନ୍ତ ଗ୍ରହଣ କରିବାପାଇଁ କୌଣସି ଯୁକ୍ତିଯୁକ୍ତ ପ୍ରସ୍ତାବ ନ ଥିଲା । କାରଣ, ଡିରେକ୍‌ଟର ରୋକ୍‌ଠୋକ୍‌ ଓଡ଼ିଆ ଭାଷାକୁ ଏକ ନିମ୍ନ ସ୍ତରର ଆଞ୍ଚଳିକ ଭାଷା କହି ବଙ୍ଗଳା ଭାଷା ଓ ପୁସ୍ତକ ପ୍ରଚଳନର ପ୍ରସ୍ତାବ ଦେଲାବେଳେ ମାର୍ଟିନସାହେବ ବିକଳ୍ପ ବଙ୍ଗଭାଷା ପ୍ରଚଳନ ଉପରେ ଗୁରୁତ୍ୱ ଦେଇ ନିଜ ପ୍ରସ୍ତାବ ଭିତରେ କୌଣସି ସ୍ପଷ୍ଟ ଭାଷାନୀତି ଉପସ୍ଥାପନ କରିନଥିଲେ ।

 

ଏ ପରିସ୍ଥିତି ବିସ୍ତୃତ ସନ୍ତୋଷଜନକ ଉତ୍ତର ଦେବାପାଇଁ କମିଶନରଙ୍କୁ ଅପୂର୍ବ ସୁଯୋଗ ଦେଇଥିଲା । ବଙ୍ଗସରକାରଙ୍କୁ ଶୀଘ୍ର ଉତ୍ତର ନଦେଇ ସେ ନିଜ ଆୟୋଜନରେ ଲାଗିପଡ଼ିଲେ । ଏ ଉଭୟ ଶିକ୍ଷାଧିକାରୀଙ୍କ ପ୍ରତିକୂଳ ମନ୍ତବ୍ୟକୁ ପତ୍ରିକା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସେ ପ୍ରଚାର କରି ଲୋକମତ ସଂଗ୍ରହ କଲେ । ଲୋକେ ତାଙ୍କରି ଜରିଆରେ ଶିକ୍ଷାଧିକାରୀଙ୍କ ପ୍ରତିକୂଳ ଅଭିମତର ବିରୋଧ କଲେ । ଏ ସମ୍ପର୍କରେ ସେ ଜିଲ୍ଲା କଲେକ୍ଟରମାନଙ୍କ ଅଭିମତ ଲୋଡ଼ିଲେ । ସର୍ବୋପରି ମାର୍ଟିନଙ୍କୁ ବୋଧହୁଏ ପତ୍ର ଲେଖି ଓଡ଼ିଶାର ବାସ୍ତବ ପରିସ୍ଥିତି ଅନୁଧ୍ୟାନ ପାଇଁ କଟକ ଆସିବାର ଆୟୋଜନ କଲେ ଓ ମାର୍ଟିନଙ୍କ ଦ୍ୱିତୀୟ ପତ୍ର ପାଇବାପାଇଁ ଅନୁରୋଧ କଲେ । ଓଡ଼ିଆ ଭାଷା ପ୍ରଚଳନ ଉପରେ ତାହାଙ୍କ ଅନୁକୂଳ ଅଭିମତ ଗ୍ରହଣ କରି ସେ ମାର୍ଟିନଙ୍କ ପତ୍ରରେ ଥିବା ଏକ ପ୍ରଧାନ ପ୍ରତିବନ୍ଧକ-ବିକଳ୍ପ ବଙ୍ଗଭାଷା ପ୍ରଚଳନର ପ୍ରସ୍ତାବ–ତାହାର ତୀବ୍ର ବିରୋଧ କଲେ । ଏ କ୍ଷେତ୍ରରେ ତାଙ୍କର ଯୁକ୍ତି ଥିଲା–

 

I would go further than this. Mr. Martin assigns as a reason for leaving of the Bengalee or Ooryah optional in the high school and Zilla schools, that some Bengalees temporarily residents in Orissa may wish to educate their children in Bengalee, but nearly all the school masters are Bengalees. The Dy Inspectors of Schools are Bengalees and the Inspector has some portion of his circle in Bengal. All have, therefore, strong Bengal and Bengalee proclivities, and there will be. if option be permitted, a constant learning towards the Bengalee language which will be detrimental to the fundamental point to the kept in view, Viz, the education of the Ooryahs,

 

ମାର୍ଟିନସାହେବଙ୍କ ଦ୍ୱିତୀୟ ପତ୍ରରେ ଜିଲାସ୍କୁଲ, ହାଇସ୍କୁଲ ଓ ମଧ୍ୟଇଂରାଜୀ ସ୍କୁଲରେ ବଙ୍ଗଳା ଭାଷାକୁ ବିକଳ୍ପ ଭାଷା ରୂପେ ଗ୍ରହଣ କରିବାର ଯେଉଁ ପ୍ରସ୍ତାବ ଥିଲା ତାହାହିଁ ପୂର୍ବ ଉଦ୍ଧୃତିରେ ସମାଲୋଚିତ ହୋଇଅଛି । କମିଶନରଙ୍କ ବିରୋଧର କାରଣ ହେଉଛି, ସ୍କୁଲ ଶିକ୍ଷକ, ସମସ୍ତ ଡେପୁଟି ଇନିସ୍ପେକ୍‌ଟର ହେଉଛନ୍ତି ବଙ୍ଗାଳୀ; ବଙ୍ଗଦେଶ ଓ ବଙ୍ଗଳାଭାଷା ପ୍ରତି ସେମାନଙ୍କ ସ୍ୱାଭାବିକ ଆକର୍ଷଣ ହେତୁ ସେମାନେ ବଙ୍ଗଭାଷା ଶିକ୍ଷା ପ୍ରତି ଅଧିକ ଆଗ୍ରହୀ; ଫଳରେ ଓଡ଼ିଆ ଭାଷା ଶିକ୍ଷା ସଂପୂର୍ଣ୍ଣ ଅବହେଳିତ । ‘‘ଓଡ଼ିଆମାନଙ୍କ ଭିତରେ ଶିକ୍ଷା ବିସ୍ତାର କରିବା ଯଦି ଆମର ମୌଳିକ ଲକ୍ଷ୍ୟ, ତାହା ହେଲେ ବିକଳ୍ପ ବଙ୍ଗଳା ଭାଷାର ପ୍ରଚଳନ ଏ କ୍ଷେତ୍ରରେ ସଂପୂର୍ଣ୍ଣ କ୍ଷତିକାରକ ହେବ ।’’ ତେଣୁ ଏପରି ଅନିଷ୍ଟର ଦୂରୀକରଣପାଇଁ କମିଶନର ମାର୍ଟିନଙ୍କ ଏଇ ପ୍ରସ୍ତାବକୁ ବର୍ଜ୍ଜନ କରିବାକୁ ବାଧ୍ୟ ହୋଇଛନ୍ତି ।

 

କମିଶନରଙ୍କ ପ୍ରସ୍ତାବରେ ଓଡ଼ିଆ ଭାଷାର ସ୍ଥାନ :

କମିଶନରଙ୍କ ଏଇ ଦୀର୍ଘ ପତ୍ରରେ ଓଡ଼ିଆ ଭାଷାକୁ ସର୍ବତ୍ର ସର୍ବୋଚ୍ଚ ସ୍ଥାନ ଦିଆଯାଇଛି । ତାହାର ଗୋଟିଏ ନିଦର୍ଶନ ଦେଖନ୍ତୁ–

 

I entirely concur with the Inspector of Schools that we must strike at the root of the matter, but I would strike deeper and more decisively. So long as Ooryah is not recognised as the language of all and every grade of Orissa Schools, it is not to be expected that any material improvement will be made in Ooryah literature and any efficient and earnest effort be made to put in hands vigorously and completely the work of preparing good translations of all the best Bengalee works for immediate adoption as class books in Orissa Schools. This being once decided on, books will be rapidly translated from Bengalee and new works in Ooryah prepared, that time need not be long before the language will be as rich in literature as Bengalee.

 

ମାର୍ଟିନସାହେବଙ୍କ ପୂର୍ବରୁ ଦେଶରେ ଯେଉଁ ଦ୍ୱିଭାଷା-ପ୍ରଚଳନରୀତି ଅନୁସୃତ ହେଉଥିଲା ସେଥିରେ ଓଡ଼ିଆ ପୁସ୍ତକର ଅଭାବ ସମସ୍ତେ ଅନୁଭବ କରୁଥିଲେ ହେଁ କେହି ଏହାର ପ୍ରତିକାର ଦିଗରେ ଅଗ୍ରସର ହେଉ ନଥିଲେ । ତେଣୁ ଏ ଶିକ୍ଷା-ପଦ୍ଧତିର ମୂଳୋତ୍ପାଟନପାଇଁ ମାର୍ଟିନ୍ ଯେଉଁ ପ୍ରସ୍ତାବ ଦେଲେ ସେଥିରେ ପ୍ରତ୍ୟେକ ଶ୍ରେଣୀର ବିଦ୍ୟାଳୟରେ ଓଡ଼ିଆ ଭାଷା ମାଧ୍ୟମରେ ଓଡ଼ିଆ ଭାଷା ଶିକ୍ଷାର ସୁବିଧା ଥିଲା । କିନ୍ତୁ ଏହାର ଅନ୍ୟ ଏକ ଦୁର୍ବଳତା-ବିକଳ୍ପ ବଙ୍ଗଳା ଭାଷାର ପ୍ରଚଳନ ପରି ପ୍ରତିବନ୍ଧକ ଦୂର କରିବାକୁ କମିଶନର ଚେଷ୍ଟିତ ହେଲେ ଓ ମାର୍ଟିନଙ୍କଠାରୁ ଆଉ ଦୁଇ ପାଦ ଆଗକୁ ଯାଇ ସେଇ ପ୍ରତିବନ୍ଧକର ଅତି ଗଭୀରକୁ ଯାଇ ତା’ର ଶେଷ ସତ୍ତାଟିକୁ ମଧ୍ୟ ଧ୍ୱଂସ କରିଦେଲେ । ଶିକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଆ ଭାଷାକୁ ଏକମାତ୍ର ସ୍ୱୀକୃତ ଭାଷା ରୂପେ ମାନ୍ୟତା ଦେବା, ପ୍ରତ୍ୟେକ ବିଷୟକ ପୁସ୍ତକ ଓଡ଼ିଆ ଭାଷାରେ ରଚିତ ହେବା, ଏଇ ଭାଷାକୁ ଶିକ୍ଷା ପ୍ରଦାନର ମାଧ୍ୟମ ରୂପେ ସ୍ୱୀକାର କରିବା, ସେଥିପାଇଁ ବଙ୍ଗଳା ଭାଷାରୁ ବହୁ ସଂଖ୍ୟକ ଓଡ଼ିଆ ପୁସ୍ତକ ଅନୁବାଦ କରିବା-ଏହା କମିଶନରଙ୍କ ପ୍ରସ୍ତାବ ତଥା ନୂତନ ଶିକ୍ଷା-ବ୍ୟବସ୍ଥାର ଆଙ୍ଗିକ ମାତ୍ର । ଏପରି ପ୍ରସ୍ତାବ ଥରେ ଅନୁମୋଦିତ ହୋଇଗଲେ ଉପଯୁକ୍ତ ବଙ୍ଗଳା ପୁସ୍ତକର ନିର୍ବାଚନ, ଭିନ୍ନ ଭିନ୍ନ ଶ୍ରେଣୀ ଉପଯୁକ୍ତ ଉଚ୍ଚମାନର ଅନୂଦିତ ଓଡ଼ିଆ ପୁସ୍ତକର ଅଭାବ ଆଉ ରହିବ ନାହିଁ; ଫଳରେ ବଙ୍ଗଳା ଭାଷା ପରି ଅତି ଉନ୍ନତ ସ୍ତରରେ ପହଞ୍ଚିବାପାଇଁ ଓଡ଼ିଆ ପାଠ୍ୟପୁସ୍ତକକୁ ବେଶି ସମୟ ଲାଗିବ ନାହିଁ-। ଏପରି ଅନୁବାଦ କିପରି ହୋଇପାରିବ ସେ ବିଷୟର ସଂକେତ ପତ୍ରର ପରବର୍ତ୍ତୀ ଅନୁଚ୍ଛେଦରେ ଦିଆଯାଇଛି ।

 

We have already non capable and willing to undertake the work of translations and all that is wanted is a grantin-aid and permission for printing and distributing as soon as possible Ooryah editions of all the best existing books suitable for every class in Orissa schools.

ପୂର୍ବ ଉଦ୍ଧୃତିରେ ଥିବା ‘So long as Ooryah is not recognised as the language of all and every grade of Orissa schools’ ଓ ଏଇ ଉଦ୍ଧୃତିର ଶେଷାଂଶକୁ ନିରୀକ୍ଷଣ କଲେ କମିଶନର ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀରେ ଓଡ଼ିଆ ଭାଷା ପ୍ରଚଳନ ଉପରେ କିପରି ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି ତାହା ଆମେ ଅନୁଭବ କରିଥାଉ ।

 

କମିଶନର ବଙ୍ଗଭାଷା ବିରୋଧର ଯଥାର୍ଥତା :

ଶିକ୍ଷା-କ୍ଷେତ୍ରରେ କମିଶନର ବଙ୍ଗଳା ଭାଷାକୁ ଯେ ସଂପୂର୍ଣ୍ଣ ବାଦ ଦେଇଥିଲେ, ତାହା ନୁହେଁ; ତାହାକୁ ଏକ ‘extra language’, କହି ତା’ର ପ୍ରଚଳନର ପରିସରକୁ ସୀମିତ କରିଦେଇଥିଲେ, ଏ ପରିସରର ସ୍ୱରୁପ ଓ ବଙ୍ଗଭାଷା ବିରୋଧର ଯଥାର୍ଥତା, ଏ ଉଭୟ ବିଷୟ ତାଙ୍କରି ଭାଷାରେ ଏମିତି ସ୍ଥାନ ପାଇଛି ।

 

I would leave Bengalee as an extra language, if preferred to be taken up in addition to Ooryah, but in no case in supercession of it. Very few Ooryah, as a rule, leave their country to obtain public employment in Bengal, but a very great many Bengalees are similarly employed in Orissa and may be said to have usurped the best and most lucrative employments in the country which would have fallen to the lot of indigenous Ooryahs, had they afforded an opportunity of advanced education in their own language. So far Ooryahs had not had fair play and have been kept in the back-ground.

 

କମିଶନରଙ୍କ ପ୍ରସ୍ତାବରେ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ର (ସେ ଓଡ଼ିଆ କିମ୍ବା ବଙ୍ଗାଳୀ ଯେ କେହି ହୁଅନ୍ତୁ) ଓଡ଼ିଆ ଭାଷାରେ ଶିକ୍ଷା ପାଇବେ; କିନ୍ତୁ ଯେଉଁମାନେ ବଙ୍ଗଳା ପଢ଼ିବାକୁ ଆଗ୍ରହୀ, ସେମାନେ ବଙ୍ଗଳାକୁ ଏକ ଅତିରିକ୍ତ ଭାଷା ରୂପେ ନେଇପାରନ୍ତି । କିନ୍ତୁ ଏ କ୍ଷେତ୍ରରେ ମଧ୍ୟ ସେମାନେ ଓଡ଼ିଆ ପଢ଼ିବାକୁ ବାଧ୍ୟ । ବଙ୍ଗଳା ନେବାର ଅର୍ଥ ନୁହେଁ ଯେ ସେମାନେ ଓଡ଼ିଆ ଭାଷାକୁ ଉପେକ୍ଷା କିମ୍ବା ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ପଢ଼ିବେ । ବସ୍ତୁତଃ, ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷା ଥିଲା ମୁଖ୍ୟ ଓ ସମସ୍ତଙ୍କପାଇଁ ବାଧ୍ୟତାମୂଳକ । ଏ ପ୍ରସ୍ତାବର କାରଣ ସମ୍ପର୍କରେ କମିଶନର ଯୁକ୍ତି କରିଛନ୍ତି ଯେ ବଙ୍ଗାଳୀମାନେ ବଙ୍ଗଳା ଭାଷା ମାଧ୍ୟମରେ ଶିକ୍ଷା ପାଇ ସହଜରେ ପାଶ କରି ଚାକିରି ପାଇବାରେ ସମର୍ଥ ହେଲା ବେଳେ ଓଡ଼ିଆ ଛାତ୍ରମାନେ ବଙ୍ଗଳା ଭାଷାରେ ଶିକ୍ଷା ପାଇ ପରୀକ୍ଷାରେ ଅକୃତକାର୍ଯ୍ୟ ହୁଅନ୍ତି ଓ ସେମାନଙ୍କ ପାଇଁ ଚାକିରିର ଦ୍ୱାର ରୁଦ୍ଧ ହୋଇଯାଏ । ଓଡ଼ିଶାରେ ଶିକ୍ଷା ପ୍ରସାରର ଲକ୍ଷ୍ୟ ଯଦି ଓଡ଼ିଆମାନଙ୍କ ସ୍ୱାର୍ଥ ସଂରକ୍ଷଣ, ତା’ ହେଲେ ବଙ୍ଗଭାଷା ଶିକ୍ଷା ସେମାନଙ୍କ ପକ୍ଷରେ ଅହିତକର ହେବା ଉଚିତ ନୁହେଁ । ଦେଖିବାର କଥା, ବିଦ୍ୟାଳୟରେ ଏକମାତ୍ର ଓଡ଼ିଆ ଭାଷା-ପ୍ରଚଳନର ପ୍ରସ୍ତାବଟି କମିଶନରଙ୍କ ମୌଳିକ ଚିନ୍ତା-ପ୍ରସୂତ ନୁହେଁ । କମିଶନରଙ୍କ ଏ ଉକ୍ତି (ତା ୪-୫-୬୮)ର ଠିକ୍ ଏକ ମାସ ପୂର୍ବରୁ ଅର୍ଥାତ୍ ୪-୪-୬୮ରେ ଗୌରୀଶଙ୍କର ପ୍ରସ୍ତାବ ଦେଇଥିଲେ, ‘‘କି ସରକାରୀ କି ଚାନ୍ଦାଦାର ସମସ୍ତେ ବିଦ୍ୟାଳୟରୁ ବଙ୍ଗଭାଷା ଏକାବେଳେକେ ଉଠାଇ ଦେବା ।’’ କମିଶନର ଏଇ ଉକ୍ତିର କେବଳ ପୁନରାବୃତ୍ତି କରିଅଛନ୍ତି ।

 

ଓଡ଼ିଆ ଭାଷା ପ୍ରଚଳନ ସମ୍ପର୍କରେ କଟକବାସୀଙ୍କ ଦରଖାସ୍ତର ଭୂମିକା :

ଓଡ଼ିଆ ଭାଷା ପ୍ରଚଳନ ସମ୍ପର୍କରେ ନିଜ ଯୁକ୍ତି ଓ ଅଭିମତର ବଳିଷ୍ଠତା ତଥା ଗ୍ରହଣଯୋଗ୍ୟତାର ପ୍ରମାଣପାଇଁ କମିଶନର ନିଜ ପତ୍ର ସହିତ ଜିଲା କଲେକ୍ଟରମାନଙ୍କ ଅଭିମତ ଓ ଲୋକଙ୍କ ଦରଖାସ୍ତ ବଙ୍ଗସରକାରଙ୍କ ବିଚାରପାଇଁ ପ୍ରେରଣ କରିଥିଲେ । ଏଇ ଦରଖାସ୍ତର ଅଭାବ ହେତୁ କମିଶନର ଏ ବିଷୟରେ ଯାହା ଲେଖିଥିଲେ ତାହା ଏଠାରେ ଉଦ୍ଧାର କରାଗଲା–

 

I submit for consideration the report on the subject from local Collectors and also a petition from the natives of Orissa on the subject which has excited a good deal of attention among them, and raised in their minds fresh hopes that they may have an opportunity of competing in their own national language for educational advancement which they appear capable of appreciating equally with their Bengalee brethern. All appear to agree as to the Justice, propriety and desirability of affording the Ooryahs facililites for advanced education in their own language and all are apparently determined for recommending entire abolition of Bengalee except as an extra language. On the ground of the difficulty of procuring good Ooryah books, the petition enclosed would lead to a belief that the literature is not so deficient as was supposed and that work of adoption and translation of existing Bengalee books, if for a while stimulated by Govt. assistance, prove almost immediately adequate to the demand.

 

ଉତ୍କଳ ଦୀପିକା (ତା ୧-୨-୧୮୬୮) ରେ ଅଛି, ‘‘ଏହି ନଗରରେ ମଧ୍ୟ ଗତ ରବିବାର (ତା ୨୬-୧-୬୮) ଏ ସ୍ଥାନର ପ୍ରଧାନ ପ୍ରଧାନ ବ୍ୟକ୍ତିମାନେ ଏକ ସଭା କରି ଶିକ୍ଷା ବିଭାଗର କର୍ମଚାରୀମାନଙ୍କର ପ୍ରସ୍ତାବ ବିରୁଦ୍ଧରେ କମିଶନରଙ୍କ ନିକଟରେ ଆବେଦନ କରିବାର ସ୍ଥିର କରିଅଛନ୍ତି ।’’ କିନ୍ତୁ ଏଇ ଆବେଦନ ପତ୍ର ବା ଦରଖାସ୍ତର ବିଷୟବସ୍ତୁ କମିଶନର ନିଜ ଭାଷାରେ ଚାରୋଟି ବିଭାଗରେ ଅତି ଯୁକ୍ତିଯୁକ୍ତ ଭାବେ ଯେପରି ଉପସ୍ଥାପନ କରିଛନ୍ତି ସେଥିରେ ନିହତ ଅନ୍ତଃସ୍ୱର ଦୀପିକାର ‘ଓଡ଼ିଶାରେ ବଙ୍ଗ ଭାଷାର ଶିକ୍ଷା’ ନାମକ ଲେଖାର ଅନ୍ତଃସ୍ୱରରେ ଦେଖିବାକୁ ମିଳେ ନାହିଁ । ଏଇ ଶେଷୋକ୍ତ ଲେଖାରେ ଶିକ୍ଷା ବିଭାଗର କର୍ମଚାରୀ ତଥା ଓଡ଼ିଆ ଭାଷା ପ୍ରତି ପ୍ରଶାସନର ଅବହେଳା ଅତି କଠୋର ଭାବେ ସମାଲୋଚିତ ହୋଇଅଛି ଯାହାର କ୍ଷୀଣତମ ସଂକେତ ଲୋକଙ୍କ ଆବେଦନ ପତ୍ରରେ ନାହିଁ । କମିଶନରଙ୍କ ପୂର୍ବୋକ୍ତ ଚାରିଟି ବିଭାଗ ହେଉଛି–

 

ପ୍ରଥମ :

ଓଡ଼ିଆ ଭାଷା ପ୍ରଚଳନର ସମ୍ବାଦ ଓଡ଼ିଆମାନଙ୍କ ଦୃଷ୍ଟି ବିଶେଷ ଭାବେ ଆକର୍ଷଣ କରି ସେମାନଙ୍କ ମନରେ ଏପରି ନୂତନ ଆଶାର ସଞ୍ଚାର କରିଛି ଯେ ସେମାନେ ମନେ କରନ୍ତି ନିଜ ଶିକ୍ଷାର ଅଗ୍ରଗତିପାଇଁ ନିଜ ଜାତୀୟ ଭାଷାର ଅଧ୍ୟୟନଦ୍ୱାରା ପ୍ରତିଯୋଗିତା କରିବାର ଏକ ଅପୂର୍ବ ସୁଯୋଗ ସେମାନଙ୍କୁ ମିଳିଯାଇଛି । ଏପରି ଶିକ୍ଷାନୀତିକୁ ମଧ୍ୟ ସେମାନେ ମୁକ୍ତ କଣ୍ଠରେ ପ୍ରଶଂସା କରୁଅଛନ୍ତି ।

 

ଦ୍ୱିତୀୟ :

ଏମାନେ ସମସ୍ତେ ଏକମତ ଯେ ନିଜ ଭାଷା ମାଧ୍ୟମରେ ଉଚ୍ଚଶିକ୍ଷା ଲାଭ କରିବାର ନୀତି ପ୍ରଶାସନର ନ୍ୟାୟପରତା ବା ନିରପେକ୍ଷ ବିଚାର, କାର୍ଯ୍ୟ ସାଧନରେ ଯୁକ୍ତିଯୁକ୍ତତା ଓ ଲୋକକଲ୍ୟାଣ ଦୃଷ୍ଟିରୁ ବାଞ୍ଛନୀୟତାର ହିଁ ପ୍ରମାଣ ଦେଉଅଛି ।

 

ତୃତୀୟ :

ବଙ୍ଗଳା ଭାଷାକୁ ଏକ ଅତିରିକ୍ତ ଭାଷା ରୂପେ ଗ୍ରହଣ କରିବା ବ୍ୟତୀତ ଶିକ୍ଷା କ୍ଷେତ୍ରରୁ ବଙ୍ଗଳା ଭାଷାର ସଂପୂର୍ଣ୍ଣ ବିଲୋପ ସାଧନ ।

 

ଚତୁର୍ଥ :

ଉତ୍ତମ ଓଡ଼ିଆ ପୁସ୍ତକ ମିଳିବା ଏକାନ୍ତ କଷ୍ଟକର, ଏପରି ଅଭିମତ ସତ୍ୟ ନୁହେଁ । କାରଣ, ଲୋକଙ୍କ ଦରଖାସ୍ତରୁ ଜଣାଯାଏ ଯେ ଓଡ଼ିଆ ପାଠ୍ୟପୁସ୍ତକ ଯେତେ ତ୍ରୁଟିପୂର୍ଣ୍ଣ ବୋଲି ମନେକରାଯାଏ, ତାହା ଠିକ୍ ନୁହେଁ । କିଛି ସରକାରୀ ସାହାଯ୍ୟ ମିଳିଲେ ଉପଯୁକ୍ତ ବଙ୍ଗଳା ପୁସ୍ତକର ଓଡ଼ିଆ ଅନୁବାଦ ପୁସ୍ତକ ସମ୍ଭବ ହେବ ଓ ସେସବୁ ଅଚିରେ ସ୍କୁଲମାନଙ୍କୁ ଯୋଗାଇ ଦିଆଯିବ ।

 

ଏଇ ଚାରି ବିଭାଗର ସାରାଶଂ ହେଉଛି, ଜାତୀୟ ଭାଷା ମାଧ୍ୟମରେ ଶିକ୍ଷାର ଅଗ୍ରଗତି କେବଳ ସମ୍ଭବପର । ଶିକ୍ଷା କ୍ଷେତ୍ରରେ ଜାତୀୟ ଭାଷା-ପ୍ରଚଳନର ନୀତି ଶାସକଙ୍କ ନିରପେକ୍ଷତା, ଯୁକ୍ତିଯୁକ୍ତତା ଓ ବାଞ୍ଛନୀୟତା ନିଦର୍ଶନ ମାତ୍ର । ଏଥିପାଇଁ ଶିକ୍ଷା କ୍ଷେତରେ ବଙ୍ଗଳା ଭାଷାର ପୂର୍ଣ୍ଣ ବର୍ଜ୍ଜନ ଓ ଉପଯୁକ୍ତ ଅନୂଦିତ ଓଡ଼ିଆ ପୁସ୍ତକର ପ୍ରକାଶନ ଏକାନ୍ତ ଆବଶ୍ୟକ । ଦେଖିବାର କଥା, ଶିକ୍ଷା କ୍ଷେତ୍ରରେ ବଙ୍ଗଳା ଭାଷା ପ୍ରଚଳନର ପ୍ରସ୍ତାବ ଲୋକଙ୍କ ମନରେ ଯେଉଁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା, ଓଡ଼ିଆ ଭାଷା-ପ୍ରଚଳିତ-ଭିତ୍ତିକ ଏ ଆବେଦନ ପତ୍ରଟି ଥିଲା ସେଇ ପ୍ରତିକ୍ରିୟାର ପ୍ରତିକାରପାଇଁ ଉଦ୍ଦିଷ୍ଟ ମାତ୍ର ।

 

ବଙ୍ଗସରକାରଙ୍କ ଭାଷା-ନୀତି (ତା ୮-୧୧-୧୮୬୯) ନିର୍ଦ୍ଧାରଣରେ ମାର୍ଟିନସାହେବ ଓ କମିଶନରଙ୍କ ଦ୍ୱିତୀୟ ପତ୍ରମାନ ସମ୍ମାନିତ ହୋଇଥିଲେ ହେଁ ଲୋକଙ୍କ ଆଲୋଚ୍ୟ ଦରଖାସ୍ତଟି ଶାସନର ମୌଳିକ ନୀତିର ଥିଲା ଯଥାର୍ଥ ପ୍ରାଣ-କେନ୍ଦ୍ର । ଏଥିପାଇଁ ବଙ୍ଗ ସରକାର ଡିରେକ୍ଟରଙ୍କ ଅଭିମତ ପ୍ରତ୍ୟାଖ୍ୟାନ କରି ଲୋକଙ୍କ ଆବେଦନର ଯଥାର୍ଥତା ମୁକ୍ତ କଣ୍ଠରେ ସ୍ୱୀକାର କରିଅଛନ୍ତି । ବଙ୍ଗସରକାରଙ୍କ ପତ୍ରରେ ଅଛି–

 

It is clear from what before has been stated that the course which you (Director) recommend would defeat the object aimed at, if that object is the progress and advancement of purely Uriya education, for it is only too evident form what has been repeated that the tendency among those who have any influence in the matter of education is and has been, to encourage Bengali learning to the almost entire exclusion of the native language. Your proposal, therefore, to continue the study of Oriya simply in the elementary schools and not beyond, is in the Lieut-Governor’s opinion, not only against the wishes of the natives of Orissa, but it is opposed to the policy which he considers the Govt, is bound on every consideration to follow, viz, that our chief care should be to give to the Uriyas an opportunity of learning their own language and that the means for this end should be extensively supplied.

 

କମିଶନରଙ୍କଦ୍ୱାରା ଜନତାର ଅଭିମତ ସଂଗ୍ରହ :

କଟକ ହାଇସ୍କୁଲର ପରିସରରେ ଡିବେଟିଙ୍ଗ କ୍ଳବର ଯେଉଁ ସଭା ତା ୧୪-୪-୬୮ରେ ଅନୁଷ୍ଠିତ ହୋଇଥିଲା, ତାହା ଉପରେ ଉତ୍କଳ ଦୀପିକା (ତା ୨୫-୪-୬୮) ‘‘କଟକ ସଭା ଓ ଶ୍ରୀଯୁକ୍ତ କମିଶନର ସାହେବ’’ ଶିରୋନାମାରେ ଲେଖିଛନ୍ତି, ‘‘କଥା ପ୍ରସଙ୍ଗରେ ଶ୍ରୀଯୁକ୍ତ ରେବେନଶା ସାହେବ ସଭାରେ ବ୍ୟକ୍ତ କଲେ ଯେ ନାନା ପ୍ରକାର ଦେଶହିତକର ଏବଂ ଶାସନ ବିଷୟରେ ଅତ୍ରତ୍ୟ ସର୍ବସାଧାରଣଙ୍କର ମତ ଜଣାଯାଇପାରେ ଏ ପ୍ରକାର କୌଣସି ସୁଯୋଗ ଅନେକ କାଳରୁ ସେ ଅନୁସନ୍ଧାନ କରୁଅଛନ୍ତି ଏବଂ ଏ ସଭାଦ୍ୱାରା ତାହାଙ୍କର ଆଶା ପୂର୍ଣ୍ଣ ହେବାର ସମ୍ଭାବନା ଥିବାରୁ ଏହା ଦର୍ଶନ ନିମିତ୍ତ ଆସିଅଛନ୍ତି । ଦେଶୀୟ ଲୋକଙ୍କର ଅଭିପ୍ରାୟ ଜଣାଗଲେ ଶାସନକର୍ତ୍ତାମାନଙ୍କର ଅନେକ ଉପକାର ଏବଂ ଦେଶ ଶାସନର ବିସ୍ତର ସୁବିଧା ହୋଇପାରେ ।’’ ଏଇ ସଭାର ଠିକ୍ କୋଡ଼ିଏ ଦିନପରେ କମିଶନର ଲେଖନ୍ତି ତାଙ୍କର ଦ୍ୱିତୀୟ ପତ୍ର (ତା ୪-୫-୬୮) । ଏଥିରେ ଅଛି–

 

I believe nothing is likely to encourage the progress of education generally in Orissa as the adoption of its national language in all classes of schools. I have spoken to a great number of natives of all classes on the subject and their opinions are unanimously and enthusiastically in favour of Ooryah being adopted as the medium of education. ln these views the people have my warmest and most unqualified support.

 

ଓଡ଼ିଶା ପରି ପ୍ରଦେଶରେ ଶିକ୍ଷାର ଉନ୍ନତିପାଇଁ ସମସ୍ତ ବିଦ୍ୟାଳୟର ସମସ୍ତ ଶ୍ରେଣୀରେ ଓଡ଼ିଆ ପରି ଜାତୀୟ ଭାଷାର ପ୍ରବର୍ତ୍ତନ ଏକ ଦୁର୍ଲଂଘନୀୟ ଆବଶ୍ୟକତା, କମିଶନରଙ୍କ ଏଇ ବିଶ୍ୱାସ କେବଳ ଏଇଠି ନୁହେଁ, ଆଲୋଚ୍ୟ ପତ୍ରର ବିଭିନ୍ନ ସ୍ଥାନରେ ତାହା ସ୍ୱୀକୃତ ହୋଇଅଛି । ଶିକ୍ଷାଦାନର ମାଧ୍ୟମ ଓଡ଼ିଆ ଭାଷା ହେବା ଏକାନ୍ତ ବାଞ୍ଛନୀୟ ବୋଲି ଦେଶର ସବୁ ଶ୍ରେଣୀର ଲୋକେ ମଧ୍ୟ ଏକସ୍ୱରରେ ଓ ଅତି ଉତ୍ସାହର ସହ ସେମାନଙ୍କ ଅନୁକୂଳ ଅଭିମତ ପ୍ରକାଶ କରନ୍ତି । ତେଣୁ ଦେଶୀୟ ଲୋକଙ୍କ ଏ ଅଭିଳାଷ ଯେ କମିଶନରଙ୍କ ଉତ୍ସାହପୂର୍ଣ୍ଣ ଓ ଅବିଚ୍ଛିନ୍ନ ସହଯୋଗ ଲାଭ କରିବ ଏହା ସଂପୂର୍ଣ୍ଣ ସ୍ୱାଭାବିକ । ସ୍ଥୂଳତଃ, ପ୍ରତ୍ୟେକ ସ୍କୁଲରେ ଓଡ଼ିଆ ଭାଷାର ପ୍ରଚଳନ (କମିଶନର) ଓ ଓଡ଼ିଆ ଭାଷାକୁ ଶିକ୍ଷା-ଦାନର ମାଧ୍ୟମ ହେବାର ଗୌରବ ପ୍ରଦାନ (ଲୋକଙ୍କ ଅଭିଳାଷ)–ଶିକ୍ଷା ପ୍ରସାର କ୍ଷେତ୍ରରେ ଯେଉଁ ଦୁଇଟି ବିଷୟ ଏକାନ୍ତ ଅପରିହାର୍ଯ୍ୟ ତାହା ଏଇଠି ଦେଖିବାକୁ ମିଳେ ।

 

ଭାଷା-ଶିକ୍ଷା-ପ୍ରସାର ଦିଗରେ କମିଶନରଙ୍କ ଦୁଇଟି ସୁଚିନ୍ତିତ ପ୍ରସ୍ତାବ :

ଉନ୍ନତମାନର ପୁସ୍ତକ ପ୍ରକାଶ ଓ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ଉପରେ ଶିକ୍ଷାର ମାନଦଣ୍ଡ ପୂର୍ଣ୍ଣତଃ ନିର୍ଭର କରିଥାଏ । ପୁସ୍ତକର ରଚନା, ତା’ର ପ୍ରକାଶ ଓ ବିତରଣ ବା ଯୋଗାଣ ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ପରିଚାଳିତ ନ ହେଲେ ଉପଯୁକ୍ତ ପୁସ୍ତକ ନିୟମିତ ସମୟରେ ପ୍ରସ୍ତୁତ ହୋଇ ଛାତ୍ରମାନଙ୍କ ନିକଟରେ ପହଞ୍ଚାଇବା ବହୁ ସମୟରେ କଷ୍ଟକର ହୋଇଥାଏ । ପୁନଶ୍ଚ, ସ୍କୁଲ ସଂଖ୍ୟାର ଅଭିବୃଦ୍ଧି ହେତୁ ସମସ୍ତ ସ୍କୁଲକୁ ଗୋଟିଏ ନୀତିରେ ପରିଚାଳନା ଓ ପରିଦର୍ଶନ କରିବାପାଇଁ ଉଚ୍ଚପରିଦର୍ଶକଙ୍କ ନିଯୁକ୍ତି ଏକାନ୍ତ ଆବଶ୍ୟକ । ଅତୀତରେ ଓଡ଼ିଶାରେ ଶିକ୍ଷାର ଅନଗ୍ରସରତା ଜଣେ ସ୍ୱତନ୍ତ୍ର ଇନିସ୍ପେକ୍ଟର ନିଯୁକ୍ତ ନହେବା ହେତୁ ସମ୍ଭବପର ହେଉଥିଲା । ଏଥିପାଇଁ କମିଶନର ତାହାଙ୍କ ପତ୍ରରେ ଲେଖିଥିଲେ :

 

‘‘First, to appoint an Inspector of Schools for Orissa districts only, who may be able to devote his whole time and attention to the wants of the province in introducing the Ooryah language as the medium of education, and in establishing and superintending the proposed systems of Normal and village Gooroo schools and that as oppurtunity offers, preference should be given to the natives of Orissa in all educational appointments in the province. I belive there would be found even now a number of qualified men.’’

 

କମିଶନରଙ୍କ ପ୍ରଥମ ପ୍ରସ୍ତାବ ହେଉଛି ଓଡ଼ିଆ ଭାଷା ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ଓ ନର୍ମାଲସ୍କୁଲ ଗୁରୁଟ୍ରେନିଙ୍ଗ ସ୍କୁଲର ପ୍ରତିଷ୍ଠା, ଏ ଉଭୟ ବିଷୟର ତତ୍ତ୍ୱାବଧାରଣପାଇଁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଇନିସ୍ପେକ୍ଟର ପଦବୀ ସୃଷ୍ଟି ସର୍ବାଦୌ ଆବଶ୍ୟକ । ଏଠାରେ ଏତିକି ସ୍ମରଣ କରିବା କଥା ଯେ ମାର୍ଟିନଙ୍କ ବିକଳ୍ପ ବଙ୍ଗ ଭାଷାର ସମାଲୋଚନାରେ, ଲୋକଙ୍କ ଦରଖାସ୍ତର ବିଷୟବସ୍ତୁ ଉପସ୍ଥାପନାରେ, ଶିକ୍ଷିତ ଲୋକଙ୍କ ସଂଗୃହୀତ ଅଭିମତ ଭିତରେ, ପାଠ୍ୟପୁସ୍ତକର ପ୍ରକାଶନ ବ୍ୟବସ୍ଥା ଭିତରେ, ବର୍ତ୍ତମାନର ଇନିସ୍ପେକ୍ଟରଙ୍କ ପଦବୀ ସୃଷ୍ଟି ପ୍ରସ୍ତାବରେ ସର୍ବତ୍ର କମିଶନର ସ୍କୁଲର ପ୍ରତ୍ୟେକ ଶ୍ରେଣୀରେ ଓଡ଼ିଆ ଭାଷା ପ୍ରଚଳନ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ଏହା ଫଳରେ ଦେଶରେ ଅଧିକ ଶିକ୍ଷିତ ଲୋକ ବାହାରିବେ ଯେଉଁମାନେ ଶିକ୍ଷକ କର୍ମରେ ଅତି ସହଜରେ ନିଯୁକ୍ତ ହୋଇପାରିବେ ।

 

ପୁସ୍ତକ ରଚନା ଓ ତା’ର ପ୍ରକାଶନର ଏକ ନୂତନ ବ୍ୟବସ୍ଥା ହେଉଛି ତାହାଙ୍କର ଦ୍ୱିତୀୟ ପ୍ରସ୍ତାବ । କୌଣସି ମନୋନୀତ ଅନୁବାଦ ପୁସ୍ତକକୁ ଅନୁବାଦଙ୍କଠାରୁ ସ୍ୱତ୍ୱ କ୍ରୟକରି ପ୍ରକାଶ କରିବା, କୌଣସି ମୂଳ ରଚନା ଅଥବା ସଂଗ୍ରହର ଓଡ଼ିଆ ଅନୁବାଦ କିମ୍ବା ଉତ୍ତମ ଅନୁବାଦ ପାଇଲେ ସରକାର ଏହାର ପ୍ରକାଶନରେ ଆର୍ଥିକ ସାହାଯ୍ୟ ଦେବା ଉଚିତ । ଏ କ୍ଷେତ୍ରରେ ପୁସ୍ତକ ନିର୍ବାଚନ ବେଳେ ଲେଖକଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବା ଉଚିତ ଯେ ଏ ପୁସ୍ତକ ନିଶ୍ଚୟ ପାଠ୍ୟ ପୁସ୍ତକ ରୂପେ ଗୃହୀତ ହେବ ଓ ଏଥିରୁ ନିର୍ଦ୍ଦିଷ୍ଟ କେତେ ସଂଖ୍ୟକ ପୁସ୍ତକ ସରକାର ନିଜେ କିଣିନେବେ । ଏତଦ୍ ବ୍ୟତୀତ ଯେଉଁମାନଙ୍କର ପୁସ୍ତକ ଉଚ୍ଚକୋଟୀର ହେବ, ସେମାନଙ୍କୁ କିଛି ‘ବୋନସ୍’ ମଧ୍ୟ ଦେବା ଉଚିତ । ଏପରି ପ୍ରକାଶନରେ ବହୁ ଅର୍ଥ ବ୍ୟୟର ଆଶଙ୍କା ନାହିଁ । ଯଦି ବା କିଛି କ୍ଷତି ହୁଏ, ତା’ ହେଲେ ଲୋକଙ୍କ ଉପକାର ତୁଳନାରେ ସରକାରଙ୍କ ଏଇ କ୍ଷତି ନଗଣ୍ୟ ମାତ୍ର । ସମୟକ୍ରମେ ପୁସ୍ତକର ଚାହିଦା ଅଧିକ ଓ ସୁନିଶ୍ଚିତ ହୋଇଗଲେ ସରକାରୀ ସାହାଯ୍ୟ ମଧ୍ୟ ବନ୍ଦକରି ଦିଆଯିବ । ପୁନଶ୍ଚ, ଏପରି ପୁସ୍ତକ ମୁଦ୍ରିତ ହେଲେ ତାହା କେବଳ ସେ ସମୟର ଓଡ଼ିଶାର ବିଦ୍ୟାଳୟରେ ନୁହେଁ, ସମ୍ବଲପୁର ଓ ଗଞ୍ଜାମ ଜିଲାର ସ୍କୁଲମାନଙ୍କରେ ମଧ୍ୟ ପ୍ରଚଳିତ ହୋଇପାରିବ । ଓଡ଼ିଆ ପୁସ୍ତକର ଅଭାବ ହିଁ ବଙ୍ଗଳାଭାଷା ପ୍ରଚଳନର ପ୍ରଧାନ କାରଣ । ଓଡ଼ିଆ ପୁସ୍ତକ ଗୁଣରେ ଓ ସଂଖ୍ୟାରେ ଅଧିକ ହୋଇଗଲେ ବଙ୍ଗଳା ପୁସ୍ତକର ଆବଶ୍ୟକତା ଆଉ ରହିବ ନାହିଁ । ସେଥିପାଇଁ କମିଶନର ଓଡ଼ିଆ ପୁସ୍ତକ ଲେଖକମାନଙ୍କୁ ଅଧିକ ଆର୍ଥିକ ସାହାଯ୍ୟ ଦେବାର ପ୍ରସ୍ତାବ ଦେଇଥିବାର ଦେଖିବାକୁ ମିଳେ ।

 

କମିଶନରଙ୍କ ଦ୍ୱିତୀୟ ପତ୍ରର ପରବର୍ତ୍ତୀ ଘଟଣାବଳୀ :

କମିଶନରଙ୍କ ପ୍ରଥମ ପତ୍ର ଉପରେ ଲିଖିତ ମାର୍ଟିନସାହେବ ଓ ଡ଼ିରେକ୍ଟରଙ୍କ ପ୍ରଥମ ପତ୍ର ଦୁଇଟିରେ ଭାଷା ପ୍ରଚଳନ ସମ୍ପର୍କରେ ସର୍ବଶେଷ ସିଦ୍ଧାନ୍ତ ଦେବାପାଇଁ କୌଣସି ବିଶେଷ ସୁଚିନ୍ତିତ ପ୍ରସ୍ତାବ ନ ଦେଖି ବଙ୍ଗସରକାର ତା ୨୧ ନଭେମ୍ବର ୧୮୬୭ରେ କମିଶନରଙ୍କଠାରୁ ଅନ୍ୟ ଏକ ରିପୋର୍ଟ ଚାହିଁବାରେ ହୁଏତ କିଛି ଯଥାର୍ଥତା ଥାଇପାରେ (ଯାହା ବର୍ତ୍ତମାନ ପ୍ରବନ୍ଧରେ ପୂର୍ବରୁ କୁହାଯାଇଛି), କିନ୍ତୁ କମିଶନରଙ୍କ ଦ୍ୱିତୀୟ ପତ୍ର ପାଇଲା ପରେ ସେ (ବଙ୍ଗସରକାର) ତାହାକୁ ପୁନର୍ବାର ଡିରେକ୍ଟରଙ୍କ ନିକଟକୁ ପଠାଇବାରେ କିଛି ତ କାରଣ ନ ଥିଲା । କମିଶନରଙ୍କ ଏଇ ଦ୍ୱିତୀୟ ପତ୍ରର ପୂର୍ଣ୍ଣରୂପ ଦେଖି ନଥିଲେ ଏପରି ସନ୍ଦେହ ଯେ କୌଣସି ପାଠକର ମନରେ ଜାତ ହେବା ସଂପୂର୍ଣ୍ଣ ସ୍ୱାଭାବିକ । ଆମର ଅନ୍ୟ ଏକ ପ୍ରବନ୍ଧ (ଅଗଷ୍ଟ, ୧୯୮୮) ପ୍ରସ୍ତୁତ କଲାବେଳେ ଆମେ ଏଇ ଦ୍ୱିତୀୟ ପତ୍ରର କେତେକାଂଶ ବିନିଯୋଗ କରି ମାର୍ଟିନସାହେବଙ୍କ ପ୍ରଥମ ପତ୍ରକୁ ଭୁଲବଶତଃ ଅସ୍ୱୀକାର କରିଦେଇଥିଲୁ । ଉପଲବ୍ଧ ଉପାଦାନର ଅସଂପୂର୍ଣ୍ଣତା ହିଁ ଆମ ଭ୍ରାନ୍ତ ଅଭିମତର ପ୍ରଧାନ ହେତୁ; ବିଷୟ ବିଶ୍ଳେଷଣ ଠିକ୍ ଥିଲେ ହେଁ ଅନୁପଯୁକ୍ତ ଉପାଦାନ କିପରି ଆଲୋଚକକୁ ଭ୍ରାନ୍ତି ଦିଗକୁ ନେଇଯାଏ, ଏହା ହେଉଛି ତାହାର ଏକ ଉଦାହରଣ । ବଙ୍ଗସରକାର କାହିଁକି କମିଶନରଙ୍କ ପତ୍ରକୁ ଡିରେକ୍ଟରଙ୍କ ପାଖକୁ ପଠାଇଲେ ସେ ବିଷୟ ବର୍ତ୍ତମାନ ବିଚାର କରାଯାଉଅଛି ।

 

କମିଶନରଙ୍କ ଦ୍ୱିତୀୟ ପତ୍ରର ପ୍ରଥମାଂଶ ଅନୁଧ୍ୟାନ କଲେ ଜଣାଯାଏ ଯେ ସେ ମାର୍ଟିନସାହେବଙ୍କ ଦ୍ୱିତୀୟ ପତ୍ରର ଉଲ୍ଲେଖ ସହିତ ତା’ର କେତେକ ଅଭିମତକୁ ଯେପରି ସମାଲୋଚନା କରିଛନ୍ତି ସେଥିରୁ ବଙ୍ଗସରକାର ଭାଷା-ସମ୍ପର୍କରେ ମାର୍ଟିନସାହେବଙ୍କ ପରିବର୍ତ୍ତିତ ପ୍ରସ୍ତାବର କେତେକ ଆଭାସ ଦେଖିପାରିଛନ୍ତି । ତେଣୁ ମାର୍ଟିନଙ୍କ ପୂର୍ଣ୍ଣ ପ୍ରସ୍ତାବଟି ଜାଣିବାପାଇଁ ବଙ୍ଗସରକାର ଇଚ୍ଛା କରିଛନ୍ତି । ଏ ପତ୍ରଟି ଡିରେକ୍ଟରଙ୍କ ପାଖରେ ଥିବାରୁ ସେ ବାଧ୍ୟ ହୋଇ କମିଶନରଙ୍କ ପତ୍ରକୁ ତାହାଙ୍କ ପାଖକୁ ପଠାଇ ଦେଇଛନ୍ତି । ମାର୍ଟିନସାହେବଙ୍କ ଅନୁରୋଧ ସତ୍ତ୍ୱେ ଡିରେକ୍ଟର ତାହାଙ୍କ ଦ୍ୱିତୀୟ ପତ୍ରକୁ ଯଥା ସମୟରେ ବଙ୍ଗସରକାରଙ୍କ ପାଖକୁ ଯେ ପଠାଇଲେ ନାହିଁ ତାହା ନୁହେଁ, ବଙ୍ଗସରକାରଙ୍କ ତା ୧୬-୭-୧୮୬୮ ସାଲ ପତ୍ରର କୌଣସି ଉତ୍ତର ଦେଲେ ନାହିଁ । ଡିରେକ୍ଟର ଏହାର ଉତ୍ତର ଦେଲେ ଦୀର୍ଘ ଏକ ବର୍ଷ ପନ୍ଦର ଦିନ ପରେ, ଅର୍ଥାତ୍ ୧-୮-୧୮୬୯ରେ । ଏଇ କାଳକ୍ଷେପଣ ନୀତିର କଥା ଆମ ପୂର୍ବ ପ୍ରବନ୍ଧ (ଜାନୁଆରୀ, ୧୯୯୩)ରେ ଉପସ୍ଥାପିତ ହୋଇଅଛି । ପୁନର୍ବାର, ମାର୍ଟିନସାହେବ ଓ ଡିରେକ୍ଟରଙ୍କ ପ୍ରଥମ ପତ୍ରର କଥା ଦେଖନ୍ତୁ । ଏ ଉଭୟ ପତ୍ରରେ ଡିରେକ୍ଟରଙ୍କ ତା ୨୮-୧-୧୮୬୭ ପତ୍ରକୁ ରେଫରେନ୍ସ ରୂପେ ଗ୍ରହଣ କରାଯାଇଛି, ତାହା ବର୍ତ୍ତମାନ ପ୍ରବନ୍ଧର ଆରମ୍ଭରେ ଉଦ୍ଧାର କରାଯାଇଛି । ଏଥିରୁ ଚିଠି ନଂ. ୩୯୯ ବଙ୍ଗସରକାର ଓ ନଂ. ୪୦୦ ପତ୍ରଟି ମାର୍ଟିନସାହେବଙ୍କ ପାଇଁ ଉଦ୍ଦିଷ୍ଟ । କଟକରେ କଲେଜ କ୍ଳାସ ଖୋଲିବା ବିଷୟରେ ଡିରେକ୍ଟର ଯେପରି ଏକ ବର୍ଷ ପରେ ଉତ୍ତର ଦେଲେ (ଦେଖନ୍ତୁ ଆମ ଜାନୁଆରୀ ୧୯୯୩ ପ୍ରବନ୍ଧ), ସେଇପରି ଭାଷା-ପ୍ରଚଳନ ଉପରେ ଅଭିମତ ଦେବାପାଇଁ ସେ ମାର୍ଟିନଙ୍କୁ ତା ୨୮-୧-୧୮୬୭ରେ ଲେଖିବାଦ୍ୱାରା ଏକ ବର୍ଷ ବିଳମ୍ବ କରିଦେଲେ । ଡିରେକ୍ଟରଙ୍କ ଏଇ କାଳକ୍ଷେପଣ ନୀତି ହିଁ ଭାଷା-ବିବାଦକୁ ଅଯଥା ଚାରିବର୍ଷ ବଢ଼େଇ ଦେଇଛି । ଚିଠି ଆଦାନପ୍ରଦାନର ଆରମ୍ଭରୁ (ଯେପରି ଉପରେ ଦିଆଯାଇଛି) ଏପରି ବିଳମ୍ବ କରିନଥିଲେ, ଏପରିକି ବଙ୍ଗସରକାରଙ୍କ ତା ୧୬-୭-୧୮୬୮ ପତ୍ରର ଉତ୍ତର ଯଥାସମୟରେ ଡିରେକ୍ଟର ଦେଇଥିଲେ ବଙ୍ଗସରକାର ୧୮୬୮ ସାଲ ନଭେମ୍ବର ପୂର୍ବରୁ ଭାଷା-ପ୍ରତିଷ୍ଠା ସୂଚକ ଆଦେଶଟି ଦେଇପାରିଥାନ୍ତେ । ଏହା ନହେବା ଫଳରେ ୧୮୬୯ ଜାନୁଆରୀରୁ ଶିକ୍ଷା-ସମ୍ପର୍କ ଶୂନ୍ୟ ଯେଉଁ ଭାଷା-ବିବାଦ ଦୀପିକା ପୃଷ୍ଠାରେ ଦେଖାଦେଲା ତାହା କେବେ ସମ୍ଭବ ହୋଇନଥାନ୍ତା କି, ଏଇ ବିବାଦ ଏକମାତ୍ର ଅସଲ ଭାଷା-ବିବାଦ, ଏପରି ଏକ ଭ୍ରାନ୍ତ ଧାରଣା ଏକ ସ୍ଥିର ସତ୍ୟ ରୂପେ ଏ ଦେଶ ଲୋକଙ୍କଦ୍ୱାରା ସମ୍ମାନିତ ହୋଇ ଆସୁନଥାନ୍ତା । ଏଇ ଡିରେକ୍ଟର ସେତେବେଳେ ଏ ଦେଶ ଲୋକଙ୍କ ଆଖିରେ କିପରି ଧରା ଦେଇଥିଲେ ପ୍ରାସଙ୍ଗିକ ଭାବେ ତା’ର ଏକ ଉଦାହରଣ ଦେଖନ୍ତୁ ।

 

‘‘The Director’s visit to Orissa was apprehended in some quater, and he was thought as a linguistic Kalapahar of Orissa. It is said that he aimed a blow at the Uriya language, In its boyhood as the language is at present, it is most tenderly and carefully watched for fear of its being bewitched by a Northern Giant.’’ (ତା ୧-୬-୧୮୭୪ର ଉତ୍କଳ ହିତୈଷିଣୀ)

 

ଦେଖିବାର କଥା, ବଙ୍ଗଳା ଭାଷା ହେଉଛି ଏଇ 'Northern Giant'

 

ଭାଷା ବିଲୋପ-ଆନ୍ଦୋଳନର ବିଚାର ବେଳେ କେତୋଟି ବିଭ୍ରାନ୍ତିର ପରିଚୟ :

୧୮୬୫ସାଲ ସେପ୍ଟେମ୍ବର (କମିଶନରଙ୍କ ପ୍ରଥମ ପତ୍ର) ସମୟଠାରୁ ୧୮୬୯ ନଭେମ୍ବର (ବଙ୍ଗସରକାରଙ୍କ ପତ୍ର) ପର୍ଯ୍ୟନ୍ତ ସମୟ ଭିତରେ ଲିଖିତ ସାତୋଟି ପତ୍ରର ବିଷୟବସ୍ତୁ ଅନୁଶୀଳନ କଲେ ଭାଷା-ବିବାଦ ସମ୍ପର୍କରେ ଏ ଦେଶର କେତେକ ସମାଲୋଚକଙ୍କ ଆଲୋଚନାରେ ବିବିଧ ବିଭାନ୍ତି ଅଥବା ଅସଂପୂର୍ଣ୍ଣତା ଧରିପାରିବା ଆଦୌ ଅସମ୍ଭବ ନୁହେଁ । ସେଥିପାଇଁ ଏଇ ବିଭାଗଟି ଆମେ ପ୍ରସ୍ତୁତ କରିବାକୁ ବାଧ୍ୟ ହୋଇଛୁ ।

 

ଆଲୋଚ୍ୟ ସାତୋଟି ପତ୍ରରେ ଏକମାତ୍ର ଗୋଟିଏ ସମସ୍ୟା ଓ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ସେଇ ସମସ୍ୟାର ଭିନ୍ନ ଭିନ୍ନ ସମାଧାନ ପନ୍ଥା ମଧ୍ୟ ଦେଖିବାକୁ ମିଳେ । ଓଡ଼ିଶାର ବିଭିନ୍ନ ବିଦ୍ୟାଳୟରେ ଛାତ୍ରମାନେ କେଉଁ ଭାଷାର ପୁସ୍ତକ ଅଧ୍ୟୟନ କରିବେ-ଏହା ଥିଲା ଏକମାତ୍ର ସମସ୍ୟା । ଏଇ ସମସ୍ୟାର ନିମ୍ନ ତିନି ପ୍ରକାର ସମାଧାନ ଉପସ୍ଥାପିତ ହୋଇଥିଲା । ଯଥା–

 

(କ) ଅନୁପଲବ୍ଧ ଓଡ଼ିଆ ପୁସ୍ତକ ସ୍ଥାନରେ ଅନୁରୂପ ଉପଯୁକ୍ତ ବଙ୍ଗଳା ପୁସ୍ତକ; କିନ୍ତୁ ଅନ୍ୟ ସର୍ବତ୍ର କେବଳ ଓଡ଼ିଆ ପୁସ୍ତକର ପ୍ରଚଳନ କମିଶନରଙ୍କ ପ୍ରଥମ ପତ୍ରର ଏଇ ପ୍ରସ୍ତାବରୁ ଆଲୋଚନାର ଅୟମାରମ୍ଭ । ତାହାଙ୍କ ଦ୍ୱିତୀୟ ପତ୍ରରେ ସବୁ ପ୍ରକାର ସ୍କୁଲର ସବୁ ଶ୍ରେଣୀରେ କେବଳ ଓଡ଼ିଆ ଭାଷାର ପୁସ୍ତକ ଓଡ଼ିଆ ଭାଷା ମାଧ୍ୟମରେ ପଢ଼ାଯିବ । ବଙ୍ଗଳା ଭାଷା ଏକ ଅତିରିକ୍ତ ଭାଷା ରୂପେ ଗ୍ରହଣ କରାଯାଇପାରେ ।

 

(ଖ) ବିକଳ୍ପ ବଙ୍ଗଭାଷା ଶିକ୍ଷା ମାଧ୍ୟମରେ ଓଡ଼ିଆ ଭାଷା ଶିକ୍ଷା-ମାର୍ଟିନଙ୍କ ପ୍ରଥମ ପତ୍ରରେ ଏହା ସୂଚିତ । କିନ୍ତୁ ତାହାଙ୍କ ଦ୍ୱିତୀୟ ପତ୍ରରେ ଜିଲାସ୍କୁଲ ଓ ହାଇସ୍କୁଲରେ ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷା ବିକଳ୍ପ; ଅନ୍ୟ ସର୍ବତ୍ର ଓଡ଼ିଆ ଭାଷା ମାଧ୍ୟମରେ ସବୁ ବିଷୟକ ଓଡ଼ିଆ ପୁସ୍ତକର ଅଧ୍ୟୟନ, କେବଳ ମଧ୍ୟଭର୍ଣ୍ଣାକୁଲାର ଶ୍ରେଣୀରେ ବଙ୍ଗଳା ଏକ ଭାଷା ରୂପେ ଅଧ୍ୟୟନ ।

 

(ଗ) ସବୁ ଶ୍ରେଣୀରେ କେବଳ ବଙ୍ଗଳା ପୁସ୍ତକର ପ୍ରବର୍ତ୍ତନ; କେବଳ ନିମ୍ନ ଶ୍ରେଣୀରେ ଓଡ଼ିଆ ଶିକ୍ଷା–ଏହା ଡିରେକ୍ଟରଙ୍କ ଦୁଇଟି ପତ୍ରରେ ସ୍ଥାନ ପାଇଛି ।

 

ଆଲୋଚନାର ପରିପୂର୍ଣ୍ଣତାପାଇଁ ଆମେ ଏଠାରେ ପ୍ରାସଙ୍ଗିକ ଭାବେ ଗୌରୀଶଙ୍କରଙ୍କ ଏକ ମୂଲ୍ୟବାନ ପ୍ରସ୍ତାବ ଉପସ୍ଥାପନ କରୁଅଛୁ ।

 

(ଘ) ଓଡ଼ିଶାର ସମସ୍ତ ବିଦ୍ୟାଳୟରୁ (ଉଭୟ ସରକାରୀ ଓ ବେସରକାରୀ ସ୍କୁଲରୁ) ବଙ୍ଗଳା ଭାଷାର ପୂର୍ଣ୍ଣ ବହିଷ୍କାର, ଅର୍ଥାତ୍‌ ବିଦ୍ୟାଳୟରେ କେବଳ ଓଡ଼ିଆ ପୁସ୍ତକର ପ୍ରବର୍ତ୍ତକ ଓ ପ୍ରଚଳନ ।

 

ଏ ସମସ୍ୟା ଓ ସମାଧାନ ଅନୁଧ୍ୟାନ କଲେ ମନରେ ଦୁଇଟି ପ୍ରଶ୍ନ ସ୍ୱତଃ ଜାତ ହୋଇଥାଏ-। ଯଥା :

 

(କ) ୧୮୬୫ ସାଲ ପୂର୍ବରୁ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏଇ ଏକ ସମସ୍ୟା ଓ ତା’ର ସମାଧାନର ପନ୍ଥା କ’ଣ ନଥିଲା ? ଏହା କ’ଣ ଏକ ଆକସ୍ମିକ ଘଟଣା ?

(ଖ) ଓଡ଼ିଆମାନଙ୍କ ହିତ ଦୃଷ୍ଟିରୁ ପ୍ରତିଷ୍ଠିତ ବିଦ୍ୟାଳୟରେ ଓଡ଼ିଆ ଭାଷାଭାଷୀ ଛାତ୍ରମାନଙ୍କପାଇଁ ବଙ୍ଗଳା ପୁସ୍ତକର ପ୍ରଚଳନ ହେଉଥିଲା କାହିଁକି ?

 

ଏଥିରୁ ପ୍ରଥମ ପ୍ରଶ୍ନର ଉତ୍ତର ଅତି ସହଜ । ୧୮୬୫ ସାଲ ପୂର୍ବରୁ ଦୀର୍ଘ ୩୦ ବର୍ଷ ଧରି ଯେଉଁ ସମସ୍ୟା ଶିକ୍ଷା କ୍ଷେତ୍ରରେ ଦେଖାଦେଇଥିଲା ତା’ର ବିବରଣୀ ଏଇ ସାତୋଟି ପତ୍ରରେ ମିଳିବା ସମ୍ଭବ ବା ସ୍ୱାଭାବିକ ନୁହେଁ ; କାରଣ, ଏଇ ପତ୍ର ଲେଖକମାନେ ଗୋଟାଏ ଇତିହାସ ଭିତ୍ତିରେ ଅଭିମତ ଦେଉନଥିଲେ । ଆଧୁନିକ ଶିକ୍ଷାର ପ୍ରଚଳନର ସମୟରୁ ହିଁ ଏ ସମସ୍ୟାର ଆରମ୍ଭ । ତେଣୁ ୧୮୬୫-୬୯ ସାଲର ଏଇ ସାତୋଟି ପତ୍ର ସ୍ୱୟଂ ସଂପୂର୍ଣ୍ଣ ନୁହଁନ୍ତି–ସମୁଦାୟ ଭାଷା ଆନ୍ଦୋଳନର ଏହା ଶେଷାଂଶ ମାତ୍ର । ତେଣୁ ଏହା ଏକ ଆକସ୍ମିକ ଘଟଣା ନୁହେଁ ।

 

ଦ୍ୱିତୀୟ ପ୍ରଶ୍ନଟି ଓଡ଼ିଆ ପୁସ୍ତକର ଅଭାବ ଉପରେ ପ୍ରତିଷ୍ଠିତ । ୧୮୩୫ ସାଲ (ପୁରୀ ସ୍କୁଲ ପ୍ରତିଷ୍ଠାର ସମୟ) ସମୟରୁ ୧୮୬୫ ସାଲ ସମୟ ମଧ୍ୟରେ ଓଡ଼ିଆ ପୁସ୍ତକର ଅଭାବ କଥା ଦେଖିବାକୁ ମିଳେ, ଯାହା ଆଲୋଚ୍ୟ ସାତୋଟି ପତ୍ରରେ ମଧ୍ୟ ସ୍ୱୀକୃତ । ଏଇ ଉଭୟ ସମୟ ଭିତରେ ଥିବା ସମସ୍ୟା ଏକ ହେଲେ ହେଁ ସମାଧାନର ପନ୍ଥା ଥିଲା ପୃଥକ୍ । ଓଡ଼ିଆ ବଙ୍ଗଳା ଭାଷା ଭିତରେ ବହୁ ସାମ୍ୟ ଥିବାରୁ ଓଡ଼ିଆ ପୁସ୍ତକର ଅଭାବ ବଙ୍ଗଳା ପୁସ୍ତକ ପ୍ରଚଳନ ମାଧ୍ୟମରେ ହିଁ ପୂରଣ କରାଯାଉଥିଲା । ଏହା ଥିଲା ୧୮୩୫-୬୫ ସାଲରେ ସମାଧାନର ରୂପ । ଅପର ପକ୍ଷରେ ଅଧିକ ଓଡ଼ିଆ ପୁସ୍ତକର ରଚନା ଓ ପ୍ରକାଶନ ଥିଲା ଓଡ଼ିଆ ପୁସ୍ତକର ଅଭାବଜନିତ ସମସ୍ୟାର ଏକ ନିର୍ଭରଯୋଗ୍ୟ ସମାଧାନ । ଏହା ହିଁ ୧୮୬୫-୭୯ ସାଲରେ ସମାଧାନର ରୂପ । ଦେଖିବାର କଥା ପାଠ୍ୟପୁସ୍ତକର ଏଇ ଅଭାବ ଓ ତା’ର ସମାଧାନ କେବଳ ବିଦ୍ୟାଳୟର ପରିସର ମଧ୍ୟରେ ସୀମିତ ଥିଲା । ବିଦ୍ୟାଳୟର ବାହାରେ ଓଡ଼ିଆ ଭାଷା କହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଭାଷା ସହିତ ‘‘ଓଡ଼ିଆ ପାଠ୍ୟପୁସ୍ତକର ଅଭାବରେ ବଙ୍ଗଳା ପାଠ୍ୟପୁସ୍ତକର ପ୍ରଚଳନ’’ ନୀତିର କୌଣସି ସମ୍ପର୍କ ନଥିଲା । ଅର୍ଥାତ୍ ଭାଷା ପରିବର୍ତ୍ତନ କେବଳ ବିଦ୍ୟାଳୟର ପରିସର ମଧ୍ୟରେ ଥିଲା, ଅନ୍ୟ ସର୍ବତ୍ର ନୁହେଁ-ସମଗ୍ର ଓଡ଼ିଆ ଜାତି ବଙ୍ଗଳା ଭାଷା ବ୍ୟବହାର କରିବେ, ଏପରି ଅର୍ଥ ନୁହେଁ । ପୁନଶ୍ଚ, ଯେଉଁମାନେ ‘‘ଓଡ଼ିଆ ଭାଷା ସ୍ୱତନ୍ତ୍ର ନୁହେଁ, ଏହା ବଙ୍ଗଳାର ଏକ ଉପଭାଷା’’ ପରି ଅଭିମତ ପ୍ରକାଶ କରୁଥିଲେ ସେମାନେ ଭାଷାତତ୍ତ୍ୱ ଦୃଷ୍ଟିରୁ ବିଚାର କରି ଏହା କହୁନଥିଲେ । କାରଣ, ସେମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଭାଷା-ତତ୍ତ୍ୱଜ୍ଞ ନଥିଲେ । ଦୁଇଟି ଭାଷା ସମାନ ଥିବାର ଏକ ସ୍ଥୂଳ ଧାରଣା ନେଇ ଓଡ଼ିଆ ପୁସ୍ତକର ଅଭାବରେ ସେମାନେ ବଙ୍ଗଳା ପୁସ୍ତକ ପ୍ରଚଳନର ପ୍ରସ୍ତାବ ଦେଉଥିଲେ ମାତ୍ର । ସ୍କୁଲରେ ବଙ୍ଗାଳୀ ଶିକ୍ଷକ ନିଯୁକ୍ତ ହେଉଥିବାରୁ ଏପରି ପ୍ରସ୍ତାବର କାର୍ଯ୍ୟକାରିତାରେ ବିଶେଷ ବାଧା ସୃଷ୍ଟି ହେଉନଥିଲା ।

 

୧୮୬୫-୬୯ ସାଲ ନଭେମ୍ବର ମାସ ଭିତରେ ଲିଖିତ ସାତୋଟି ପତ୍ରରେ ସ୍କୁଲରେ ବଙ୍ଗଳା ଓଡ଼ିଆ ଭାଷା ପ୍ରଚଳନ (ତାହା ଓଡ଼ିଆ ଭାଷାର ସପକ୍ଷ, ବିପକ୍ଷ ଯାହା ହେଉନା କାହିଁକି) ଉପରେ ଯେପରି ବିଚାର ପ୍ରକାଶ ପାଇଛି ସେଇପରି ୧୮୬୮ ମସିହାରେ ପ୍ରଥମ ପାଞ୍ଚ ମାସରେ ଦୀପିକାର ବିଭିନ୍ନ ସଂଖ୍ୟାରେ ମଧ୍ୟ ଅଭିମତ ଉପସ୍ଥାପିତ ହୋଇଅଛି । ତେଣୁ ଦୀପିକାର ଏଇ ଉପାଦାନ ଭାଷା-ବିଲୋପ ଇତିହାସରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ୧୮୬୯ ମସିହାର ଆରମ୍ଭରୁ ସେଇ ବର୍ଷ ଅକ୍ଟୋବର ଭିତରେ ଓଡ଼ିଆ ଭାଷାକୁ କେନ୍ଦ୍ର କରି ଦୀପିକା ପୃଷ୍ଠାରେ ଯେଉଁ ବିବାଦର ଚିତ୍ର ସ୍ଥାନ ପାଇଛି ତାହା ବିଦ୍ୟାଳୟରେ ପ୍ରଚଳିତ ନୀତିଠାରୁ ସଂପୂର୍ଣ୍ଣ ପୃଥକ୍, ତେଣୁ ଭାଷା ବିଲୋପ-ଇତିହାସରେ ଏହା ସର୍ବାଦୌ ଅନାବଶ୍ୟକ । ପୁନଶ୍ଚ, ୧୮୬୯ ନଭେମ୍ବର ଭାଷା ଆଦେଶ ପ୍ରଚାର ପରେ ଯେଉଁ ପଣ୍ଡିତମାନେ ଭାଷା-ତାତ୍ତ୍ୱିକ ଆଲୋଚନା କରିଛନ୍ତି ସେମାନଙ୍କୁ ତଥା ସେମାନଙ୍କ କୃତିକୁ ଭାଷାତତ୍ତ୍ୱ ଦୃଷ୍ଟିରୁ ମାନ୍ୟତା ଦେଲେ ସେଥିରେ ଆମର କିଛି କହିବାର ନାହିଁ । କିନ୍ତୁ ଭାଷା ବିଲୋପ ଆନ୍ଦୋଳନରେ ସେମାନଙ୍କର ଯେ କୌଣସି ଭୂମିକା ନାହିଁ, ତାହା ନିଃସନ୍ଦେହରେ କୁହାଯାଇପାରେ । ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ର, କମିଶନରଙ୍କ ଦୁଇଟି ପତ୍ର, ଏପରିକି ବଙ୍ଗସରକାରଙ୍କ ପତ୍ରରେ ଭାଷାତାତ୍ତ୍ୱିକ ଆଲୋଚନା କେଉଁଠି ସ୍ଥାନ ପାଇନାହିଁ ।

 

ବସ୍ତୁତଃ, ଶିକ୍ଷାୟତନ ଥିଲା, ଭାଷା-ବିବାଦର ଆଦିପ୍ରସୂତି-ଭୂମି: ତାହା ସେଇ ଭୂମିରେ ବଢ଼ି ସମୟକ୍ରମେ ଯେଉଁ ବିଷବୃକ୍ଷରେ ପରିଣତ ହେଲା, ସେଥିରୁ ଦୁଇଟି ବିଷଫଳ-ଶିକ୍ଷାର ଅନଗ୍ରସରତା ତଥା ପରୀକ୍ଷାରେ ଓଡ଼ିଆ ଛାତ୍ରଙ୍କର ଅକୃତକାର୍ଯ୍ୟତା ଓ ଓଡ଼ିଆ ଭାଷାର ଅବହେଳା, ଏପରିକି ତା’ର ଅସ୍ୱୀକୃତି-ଜାତ ହେଲା, ଯାହା ଥିଲା ପୂର୍ଣ୍ଣତଃ ଲୋକହିତ ବିରୋଧୀ, ଯାହା ବିଭ୍ରାନ୍ତ ଶିକ୍ଷା-ନୀତି ଓ କୁଶାସନର ଏକ ଅନିବାର୍ଯ୍ୟ ପରିଣତି ମାତ୍ର । ଏଇ ବିଷବୃକ୍ଷର ମୂଳୋତ୍‌ପାଟନ ପାଇଁ ଏକାନ୍ତ ଆବଶ୍ୟକ ହେଲା ଦୁଇଟି ଆମୋଘ ଅସ୍ତ୍ର । ଯଥା : ବିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନର ସରକାରୀ ସ୍ୱୀକୃତି ଓ ପାଠ୍ୟପୁସ୍ତକ ରଚନା ଦିଗରେ ସରକାରୀ ଅନୁବାଦ ତଥା ଲେଖକମାନଙ୍କୁ ପ୍ରୋତ୍ସାହ ପ୍ରଦାନ । ତେଣୁ ଭାଷା ବିବାଦ ଯେଉଁଠି ଜନ୍ମି ବଢ଼ିଥିଲା ସେଇଠି ହିଁ ତାର ବିଲୟ ଘଟିଥିଲା । ସେଥିପାଇଁ ଭାଷା-ବିବାଦକୁ ଏଇ ଐତିହାସିକ ଘଟଣା ରୂପେ ବିବେଚନା କରି ତା’ର ଜନ୍ମ-ବିକାଶ-ବିନାଶର ଏକ ଏକ ଐତିହାସିକଧାରା ପର୍ଯ୍ୟାଲୋଚନା କରିବା ଭାଷା-ବିଲୋପର ଇତିହାସ ଲେଖକଙ୍କର ହେଉଛି ସର୍ବପ୍ରଧାନ କର୍ତ୍ତବ୍ୟ । ଏ କର୍ତ୍ତବ୍ୟ ପାଳନ ନକଲେ ସମାଲୋଚନାରେ ବିଭିନ୍ନ ବିଭ୍ରାନ୍ତି ଓ ଅପସିଦ୍ଧାନ୍ତ ଅବଶ୍ୟମ୍ଭାବୀ ହୋଇ ପଡ଼ିବ ।

 

ଏଇ ବିଭ୍ରାନ୍ତ ଆଲୋଚକଙ୍କ ମାନସିକ ଆଭିମୁଖ୍ୟରେ ଦୁଇଟି ବିଶିଷ୍ଟ ଲକ୍ଷଣ ପରିଲକ୍ଷିତ ହୁଏ । ଯଥା :- (କ) ସତ୍ୟାସତ୍ୟ ନିରୂପଣରେ ସେମାନଙ୍କର ଅକ୍ଷମତା ଓ (ଖ) ‘ଅଂଶ’କୁ ‘ପୂର୍ଣ୍ଣ’ ରୂପେ ଗ୍ରହଣ କରିବାର ଅବିମୃଷ୍ୟକାରିତା । କ୍ରମାନ୍ୱୟରେ ଏ ଉଭୟକୁ ବିଚାର କରାଯାଉଅଛି ।

 

(କ) କଠୋପନିଷଦର ୧ମ ଅଧ୍ୟାୟ ୨ୟ ବଲ୍ଲୀ ୨ୟ ମନ୍ତ୍ରରେ ‘ଶ୍ରେୟ’ (ଶୁଭକର) ଓ ‘ପ୍ରେୟ’ (ପ୍ରୀତିପ୍ରଦ ହେଲେ ହେଁ ଅଶୁଭକର) ନାମକ ଦୁଇଟି ବିପରୀତଧର୍ମୀ ପଦାର୍ଥକୁ ବୁଦ୍ଧିମାନ ମନୁଷ୍ୟ ନିଜ ବିବେକ ବଳରେ ପ୍ରଥମେ ପୃଥକ୍‌ ପୃଥକ୍‌ କରି ପ୍ରେୟର ବର୍ଜ୍ଜନ ତଥା ‘ଶ୍ରେୟ’ର ଅବଲମ୍ବନ କରିବା ଉଚିତ ବୋଲି କୁହାଯାଇଛି । ଏହାର ୪ର୍ଥ ମନ୍ତ୍ରରେ ଅଛି ବିଦ୍ୟା ଓ ଅବିଦ୍ୟାର କଥା । ଏଠାରେ ‘ବିଦ୍ୟା’କୁ ‘ଶ୍ରେୟ’, ପ୍ରକାଶଧର୍ମୀ, ବିବେକାତ୍ମକ ଏବଂ ‘ଅବିଦ୍ୟା’କୁ ‘ପ୍ରେୟ’ ଅପ୍ରକାଶ ବା ଅନ୍ଧକାରଧର୍ମୀ, ଅବିବେକାତ୍ମକ ରୂପେ ଗ୍ରହଣ କରାଯାଇଅଛି । ବିଦ୍ୟା ହିଁ ମୋକ୍ଷର ହେତୁ ଓ ଅବିଦ୍ୟା ‘ସଂସାର’ ବା ପୁନର୍ଜନ୍ମର ହେତୁ । ସ୍ଥୁଳତଃ ମୋକ୍ଷକାମୀ ବିବେକ ବଳରେ ଶ୍ରେୟ-ପ୍ରେୟକୁ ପୃଥକ୍‌ ପୃଥକ୍‌ କରି ପ୍ରକାଶ ବା ଆଲୋକରୂପୀ ବିଦ୍ୟା ବଳରେ ଅନ୍ଧକାର ରୂପୀ ଅବିଦ୍ୟାକୁ ନାଶ କରି ମୋକ୍ଷ ମାର୍ଗରେ ଗତି କରିଥାଏ । ପାତଞ୍ଜଳ ଯୋଗସୂତ୍ରର ସମାଧିପାଦ ୫ମ ସୂତ୍ରରେ ମନୁଷ୍ୟ ଚିତ୍ତର ଯେଉଁ ୫ଟି ବୃତ୍ତିର କଥା କୁହାଯାଇଛି ସେଥିରୁ ବିପର୍ଯ୍ୟୟ ବୃତ୍ତି ହେଉଛି ଅନ୍ୟତମ-। ଯୋଗସୂତ୍ର (୧/୬ ସୂତ୍ର) ଏହାର ୮ମ ସୂତ୍ରଟି ହେଉଛି ‘‘ବିପର୍ଯୟୋ ମିଥ୍ୟାଜ୍ଞାନମତତ୍‌ ରୂପ ପ୍ରତିଷ୍ଠମ୍ ।’’ ଅର୍ଥାତ୍‌ ବିପର୍ଯ୍ୟୟର ଅପର ନାମ ହେଉଛି ମିଥ୍ୟାଜ୍ଞାନ ଯାହା ପଦାର୍ଥର ବାସ୍ତବିକ ରୂପକୁ ପ୍ରତିଷ୍ଠା କରେ ନାହିଁ । (ମିଥ୍ୟାଜ୍ଞାନଂ+ଅ+ତତ୍‌ରୂପ+ପ୍ରତିଷ୍ଠମ୍) ଏ ବିଷୟରେ ଗୋଟିଏ ଉଦାହରଣ ଦେଖନ୍ତୁ । ସାମାନ୍ୟ ଅନ୍ଧାର ରାତ୍ରିରେ କିଛି ଦୂରରେ ଲମ୍ବ ହୋଇ ପଡ଼ିଥିବା ପଦାର୍ଥକୁ ଦେଖି ଜଣେ ଭାବେ ଏଇଟି ସାପ । କିନ୍ତୁ ନିକଟକୁ ସେ ଆସି ଦେଖେ ତାହା ସର୍ପ ନୁହେଁ ଖଣ୍ଡେ ରଜ୍ଜୁ ମାତ୍ର । ତା’ର ସର୍ପ ଜ୍ଞାନଟି ସେତେକିବେଳେ ପର୍ଯ୍ୟନ୍ତ ରହେ ଯେ ପର୍ଯ୍ୟନ୍ତ ତା ମନରେ ରଜ୍ଜୁ ଜ୍ଞାନର ଉଦୟ ହୋଇ ନଥାଏ । ସର୍ପ ଜ୍ଞାନର ଉଦୟ ଓ ରଜ୍ଜୁଜ୍ଞାନ ଜନିତ ସର୍ପ ଜ୍ଞାନର ବିନାଶ-ଏଇ ଉଭୟ ସମୟ ମଧ୍ୟରେ ଚିତ୍ତରେ ଯେଉଁ ସର୍ପ ଜ୍ଞାନଟି ରହେ ତାହାହିଁ ଚିତ୍ତର ବିପର୍ଯ୍ୟୟ ବୃତ୍ତି । ଏ ବୃତ୍ତିର ଜ୍ଞାନକୁ ଅସ୍ୱୀକାର କରିହେବ ନାହିଁ, କାରଣ ସେ ନିଜ ଆଖିରେ ତ ସାପକୁ ଦେଖୁଛି । କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ । କାରଣ ବାସ୍ତବ ପଦାର୍ଥଟି ହେଉଛି ରଜ୍ଜୁ । ସର୍ପ ଜ୍ଞାନଟି ରଜ୍ଜୁଜ୍ଞାନର ବାସ୍ତବ ରୂପକୁ ପ୍ରତିଷ୍ଠା ନକରି ନିଜକୁ ତା ଉପରେ ଆଚ୍ଛନ୍ନ କରି ଦେଉଛି । ତେଣୁ ବିପର୍ଯ୍ୟୟ ହେଉଛି ମିଥ୍ୟାଜ୍ଞାନ ମାତ୍ର । ଏହାର ଅନ୍ୟ ନାମ ଅବିଦ୍ୟା ବା ଅସତ୍ୟ ଜ୍ଞାନ ଅଥବା ଅଯଥାର୍ଥ ଜ୍ଞାନ-। ଦେଖିବାର କଥା, ଅବିଦ୍ୟା ବା ଅସତ୍ୟର ଅର୍ଥ ବିଦ୍ୟାହୀନତା ବା ଅସତ୍ୟତା ନୁହେଁ, ଅର୍ଥାତ୍ ଅବିଦ୍ୟା ନାସ୍ତି ସୂଚକ ନୁହେଁ, ଅସ୍ତିସୂଚକ ହେଲେ ବି ତାହା ମିଥ୍ୟା ମାତ୍ର । ସେଇପରି ଅଜ୍ଞାନର ଅର୍ଥ ଜ୍ଞାନହୀନତା ନୁହେଁ, ଯେଉଁ ଜ୍ଞାନ ରହେ ତାହା ଯଥାର୍ଥ ନୁହେଁ, ସତ୍ୟ ନୁହେଁ, ମିଥ୍ୟା ମାତ୍ର । ଏଠାରେ ତେଣୁ ଅଜ୍ଞାନ ହେଉଛି ମିଥ୍ୟାଜ୍ଞାନ ମାତ୍ର । ବିପର୍ଯ୍ୟୟ, ଅବିଦ୍ୟା, ଅଜ୍ଞାନ ଚିତ୍ତର ଏକ ଶକ୍ତି ବିଶେଷ । ଏହା ଅନ୍ଧକାର ସଦୃଶ । ଏଇ ଅନ୍ଧକାର ରୂପ ମିଥ୍ୟାଜ୍ଞାନ ପଦାର୍ଥର ମୂଳ ସତ୍ୟ, ବାସ୍ତବ ରୂପକୁ ବା ଜ୍ଞାନକୁ ଆଚ୍ଛାଦନ କରି ବ୍ୟକ୍ତିକୁ ବିଭିନ୍ନ ବିଭ୍ରାନ୍ତିରେ ନିକ୍ଷେପ କରିଥାଏ ।

 

(ଖ) ଅପୂର୍ଣ୍ଣଜ୍ଞାନ ପୂର୍ଣ୍ଣଜ୍ଞାନ ରୂପେ କିପରି ଦେଖାଦିଏ ବୌଦ୍ଧ ସାହିତ୍ୟରୁ ତା’ର ଗୋଟିଏ ଉଦାହରଣ ଦେଖନ୍ତୁ । ବୌଦ୍ଧ ସାହିତ୍ୟରେ ଥିବା ‘ଉଦାନବର୍ଗ’ର ଷଷ୍ଠ ବର୍ଗରେ ଅନ୍ଧ-ହସ୍ତୀ ବିଷୟକ ଏକ ସୁନ୍ଦର ଉପାଖ୍ୟାନ ଅଛି । ଯେଉଁ ଅନ୍ଧ ହସ୍ତୀର ମୁଣ୍ଡ, କାନ, ପାଦ ପ୍ରଭୃତି ଅଙ୍ଗକୁ ସ୍ପର୍ଶ କରି ହସ୍ତୀକୁ ସେଇ ଅଙ୍ଗ ପରି କହେ ସେ ଅନ୍ଧ ବ୍ୟକ୍ତି ହସ୍ତୀର ପୂର୍ଣ୍ଣ ରୂପ ଉପରେ ସମ୍ପୂର୍ଣ୍ଣ ଅଜ୍ଞ । ସେଇପରି ଯେଉଁମାନେ ଧର୍ମର ପୂର୍ଣ୍ଣ ରୂପ ଅବଧାରଣ ନକରି ନିଜ ନିଜର ଅପୂର୍ଣ୍ଣ ଧର୍ମକୁ ଏକମାତ୍ର ପୂର୍ଣ୍ଣଧର୍ମ ବୋଲି ବିଚାର କରନ୍ତି ସେମାନଙ୍କ ଅଜ୍ଞତାର ପ୍ରମାଣ ପାଇଁ ଉପରୋକ୍ତ ଅନ୍ଧ-ହସ୍ତୀ ଉପାଖ୍ୟାନଟି କୁହାଯାଇଛି । ଦେଖିବାର କଥା ଛାନ୍ଦୋଗ୍ୟୋପନିଷଦର ୫ମ ଅଧ୍ୟାୟ ୧୮ଶ ଖଣ୍ଡ ୧ମ ମନ୍ତ୍ରରେ ବୈଶ୍ୱାନରଙ୍କ ଅଙ୍ଗର ଉପାସନା ମାଧ୍ୟମରେ ବୈଶ୍ୱାନରଙ୍କୁ ପୂଜା କରିବାର କଥା ଅଛି-। ଏଇମାନଙ୍କୁ ଆଚାର୍ଯ୍ୟ ଶଙ୍କର ନିଜ ଭାଷ୍ୟରେ ‘‘ହସ୍ତିଦର୍ଶନ ଇବ ଜାତାନ୍ଧାଃ’’ ଅର୍ଥାତ୍‌ ଜନ୍ମରୁ ଅନ୍ଧ ବୋଲି କହିଛନ୍ତି । ଅନ୍ଧ ହାତ ଧରି ଆଉ ଜଣେ ଅନ୍ଧ ବାଟ ଚାଲିଲେ ଉଭୟେ ବାଟବଣା ହୁଅନ୍ତି । ତେଣୁ କଠୋପନିଷଦ (୧ । ୨ । ୫)ରେ ଅଛି ‘‘ଅନ୍ଧେନୈବ ନୀୟମାନା ଯଥାନ୍ଧାଃ’’ । ଅନ୍ଧ ସିନା ଅଂଶକୁ ପୂର୍ଣ୍ଣ ବୋଲି ବିଶ୍ୱାସ କରେ, କିନ୍ତୁ ଯେଉଁ ଚକ୍ଷୁଷ୍ମାନ୍‌ ସମାଲୋଚକମାନେ ନିଜ ନିଜ ଆଲୋଚନାରେ ଅନୁରୂପ ବିଚାର ବିମୂଢ଼ତା ଦେଖାନ୍ତି ସେମାନେ ନିଜ ନିଜକୁ ଓ ସେମାନଙ୍କ ପାଠକମଣ୍ଡଳୀଙ୍କୁ ଅନ୍ଧାରରେ ପକାଇଥାନ୍ତି ମାତ୍ର ।

 

ଓଡ଼ିଆ ଭାଷା-ବିଲୋପ ଆଲୋଚନା ପ୍ରସଙ୍ଗରେ ଦର୍ଶନ ମୂଳକ ଉପନିଷଦ ବାକ୍ୟର ଅବତାରଣା ଅପ୍ରାସଙ୍ଗିକ ବୋଲି ବିଚାର କରିବା ଉଚିତ ନୁହେଁ । ଦର୍ଶନ ଏକ ଯୁକ୍ତିସିଦ୍ଧ ବୌଦ୍ଧିକ ସିଦ୍ଧାନ୍ତ-ଗ୍ରନ୍ଥ । ସତ୍ (ସତ୍ୟ) ଓ ଅସତ୍ (ଅସତ୍ୟ, ମିଥାଜ୍ଞାନ)ର ବିଚାର-ଭିତ୍ତି ଉପରେ ଏହା ପ୍ରତିଷ୍ଠିତ । ବିଚାର ଭୂମିରେ ସତ୍ୟଜ୍ଞାନ (ସତ୍)କୁ ମିଥ୍ୟାଜ୍ଞାନ (ଅସତ୍)ଠାରୁ ପୃଥକ୍‌ କରିବା ଏକାନ୍ତ ଆବଶ୍ୟକ । ଏଇ ପୃଥକ୍‌କରଣ ପ୍ରକ୍ରିୟା ଜ୍ଞାନ, ବୁଦ୍ଧି, ବିବେକ ବଳରେ ସାଧିତ ହୋଇଥାଏ । ଦର୍ଶନଶାସ୍ତ୍ର ଆଧ୍ୟାତ୍ମିକ ଜଗତର କଥା ଭିତରେ ଏକ ଚିରନ୍ତନ ସତ୍ୟରେ ଉପନୀତ ହୋଇଥାଏ । କିନ୍ତୁ ତା’ର ବିଚାର-ଧାରାକୁ ଜାଗତିକ ପଦାର୍ଥ ପ୍ରତି ପ୍ରୟୋଗ କରି ଏଇ ପଦାର୍ଥ ଭିତରୁ ଏକ ଜାଗତିକ ସତ୍ୟର ମଧ୍ୟ ଅନୁସନ୍ଧାନ କରାଯାଇପାରେ । ଯୁକ୍ତି ବା ତର୍କର ପ୍ରଥମ ଆବଶ୍ୟକତା ହେଉଛି କେତେକ ଉପାଦାନ, ଯାହା ସତ୍(ସତ୍ୟ) ଓ ଅସତ୍(ଅସତ୍ୟ) ନେଇ ଗଠିତ । ବିଚାର ବୁଦ୍ଧି ବଳରେ ଯଥାର୍ଥ ଉପାଦାନକୁ ମିଥ୍ୟା ଉପାଦାନଠାରୁ ପୃଥକ୍‌ ନକଲେ ବିଷୟ ଉପରେ ସତ୍ୟଜ୍ଞାନ ଲାଭ କରିବା ସମ୍ଭବ ନୁହେଁ । ଯେଉଁମାନେ ଏପରି ବିଚାରଧାରା ପ୍ରତି ସଚେତନ ନହୋଇ ସତ୍ ଅସତ୍‌ ଗୁଣସମ୍ପନ୍ନ ସବୁ ପ୍ରକାର ଉପାଦାନକୁ ନେଇ ଭାଷା-ବିବାଦ ଆଲୋଚନା କରନ୍ତି ସେମାନଙ୍କ ଆଲୋଚନାରେ ଅବିଦ୍ୟା ବା ମିଥ୍ୟାଜ୍ଞାନ ଦେଖି ପାରିବା ଆଦୌ କଷ୍ଟକର ନୁହେଁ । ସେ ଆଲୋଚନାରେ ନା ଅଛି କିଛି ବିଚାରବୋଧ, ନା ଅଛି କିଛି ବିଷୟର ପରିପୂର୍ଣ୍ଣ ଧାରଣା । ଆମର ପୂର୍ବ ଆଲୋଚନାରେ ଯୁକ୍ତିର ଏ ଧାରା ଅନୁସୃତ କି ନୁହେଁ ତାହା ପାଠକ ପାଠିକାମାନେ ଅନୁଭବ କରିବେ ବୋଲି ଆମର ଆଶା । ଭାଷାବିବାଦକୁ ୧୮୬୫-୬୯ ସାଲରେ ସୀମିତ କରିବା ହେଉଛି ଅପୂର୍ଣ୍ଣ ଜ୍ଞାନର ପରିଚାୟକ ମାତ୍ର । ଭାଷା ବିବାଦକୁ ସ୍କୁଲ ପରିସର ଭିତରେ ସୀମିତ ନକରି ୧୮୬୯-୭୧ ଭିତରେ ସଂଘଟିତ ସବୁ ଅପ୍ରାସଙ୍ଗିକ ଉପାଦାନକୁ ଭାଷା ବିବାଦ ସୂଚକ ଉପାଦାନ ରୂପେ ଗ୍ରହଣ କରିବା ହେଉଛି ମିଥ୍ୟା ଜ୍ଞାନର ନିଦର୍ଶନ । ଯୁକ୍ତିର ମୌଳିକଧାରା ଯେଉଁଠି ଅସ୍ୱୀକୃତ, ସେଠାରେ ଅପୂର୍ଣ୍ଣତା, ବିଚାରଶୂନ୍ୟତାର ଆଧିପତ୍ୟ ମାନ୍ୟତା ପାଇବାରେ ଆଶ୍ଚର୍ଯ୍ୟ କିଛି ନାହିଁ । ଭାଷା-ବିବାଦ ଆଲୋଚନାରେ କିଏ, କେଉଁଠି କିପରି ଭ୍ରମ ସୃଷ୍ଟି କରିଛନ୍ତି ତାହା ଦେଖାଇ ଦେବା ବର୍ତ୍ତମାନ କ୍ଷେତ୍ରରେ ଆମର କର୍ତ୍ତବ୍ୟ ନୁହେଁ । ପାଠକ ପାଠିକାମାନେ ଆମ ଗୃହୀତ ବିଚାର-ମାନଦଣ୍ଡରେ ଏସବୁ ଦେଖିବାକୁ ଚେଷ୍ଟା କରିବା ଉଚିତ ।

 

ଉପସଂହାର :

ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନ ସଂପର୍କରେ ଆମେ ବିଭିନ୍ନ ସମୟରେ ଯେଉଁ ଆଲୋଚନା ପ୍ରସ୍ତୁତ କରିଛୁ ସେଥିରେ ଥିବା ଆମ ଲେଖାର ଆଭିମୁଖ୍ୟ ଓ ଉପାଦାନର ବିନିଯୋଗ ଉପରେ କିଛି ଜାଣି ରଖିବା ଉଚିତ । ସେଇ ଲେଖାଗୁଡ଼ିକ ହେଉଛି- (୧) ୧୯୬୪ ସାଲରେ ମୁଦ୍ରିତ । ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) ପୁସ୍ତକର ପଞ୍ଚମ ପରିଚ୍ଛେଦ । ‘ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ, (୨) ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନରେ ଫକୀରମୋହନଙ୍କ ଭୂମିକା (ମଇମାସ ୧୯୭୫) ପ୍ରବନ୍ଧ, (୩) ୧୯୮୮ ସାଲର ଅଗଷ୍ଟ ଓ ସେପ୍ଟେମ୍ବର, ୧୯୮୯ ସାଲର ଜାନୁୟାରୀରେ ପ୍ରକାଶିତ ‘ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନ : ଏକ ସ୍ପଷ୍ଟୀକରଣ’ ନାମକ ପ୍ରବନ୍ଧ; (୪) ୧୯୯୩ ଜାନୁଆରୀରେ ପୂର୍ବ ନାମରେ ପ୍ରକାଶିତ ପ୍ରବନ୍ଧ ଓ (୫) ସେଇ ନାମରେ ବର୍ତ୍ତମାନର ପ୍ରବନ୍ଧ । ସରକାରୀ ସ୍ତରରେ ଉପଲବ୍ଧ ଭାଷା-ସମ୍ପର୍କୀୟ ପ୍ରାସଙ୍ଗିକ ଉପାଦାନର ସଂଗ୍ରହ ଓ ସେଗୁଡ଼ିକର ବିଶ୍ଳେଷଣ ମାଧ୍ୟମରେ ଗୋଟିଏ ନିର୍ଦ୍ଦିଷ୍ଟ ଅଭିମତ ପ୍ରତିଷ୍ଠା ହେଉଛି ଆମ ଆଲୋଚନାର ପ୍ରଧାନ ବୈଶିଷ୍ଟ୍ୟ । ଆମ ଆଲୋଚନାରେ ଏଇ ଆଭିମୁଖ୍ୟ ପ୍ରଥମ ଲେଖା ପୂର୍ବ ସୂଚିତ । ‘ପଞ୍ଚମ ପରିଚ୍ଛେଦ’ରେ ରୂପାୟିତ ହୋଇଥିଲେ ହେଁ କେତେକ ମୂଳ ଉପାଦାନର ଅଭାବ ହେତୁ ୧୮୬୫-୬୯ ସାଲର ଚିତ୍ରଟି ସେଥିରେ ସନ୍ତୋଷଜନକ ଭାବେ ସ୍ଥାନ ପାଇପାରି ନାହିଁ । ପୂର୍ବ ଲିଖିତ ଦ୍ୱିତୀୟ ଲେଖାରେ ଫକୀରମୋହନଙ୍କ ଭୂମିକାର କଥା କୁହାଯାଇଛି । ଅବଶିଷ୍ଟ ତିନିଟି ଲେଖାରେ ଆଲୋଚ୍ୟ ସାତୋଟି ପତ୍ର ଉପରେ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଏଇ ପତ୍ରଗୁଡ଼ିକର ମୂଳରୂପ ଦେଖିବାର ସୁଯୋଗ ନଥିବାରୁ ତୃତୀୟ ଲେଖା [ଯାହା ତିନିଭାଗରେ ବିଭକ୍ତ] ଭିତରେ କେତୋଟି ପ୍ରମାଦ ରହିଯାଇଛି । ଚତୁର୍ଥ ଲେଖାରେ ଚାରୋଟି ପତ୍ର ଓ ପଞ୍ଚମ ଲେଖାରେ ତିନିଟି ପତ୍ରର ବିଶ୍ଳେଷଣ କରାଯାଇ ୧୮୬୫-୬୯ ସାଲରେ ଘଟିଥିବା ଘଟଣାର ପୂର୍ଣ୍ଣଚିତ୍ର ପ୍ରଦାନ କରାଯାଇଅଛି । ଦେଖିବାର କଥା, ପୂର୍ବୋକ୍ତ ପଞ୍ଚମ ପରିଚ୍ଛେଦରେ ଏଇ ଉପାଦାନର ଅଭାବରୁ ଏହା ସ୍ଥାନ ପାଇପାରି ନଥିଲା । ତେଣୁ, ପାଠକ-ପାଠିକାମାନଙ୍କୁ ଆମର ଅନୁରୋଧ, ସେମାନେ ପ୍ରଥମେ ଏଇ ଦୁଇଟି ଲେଖା ଓ ପରେ ଅବଶିଷ୍ଟ ତିନିଟି ଲେଖା ଅଧ୍ୟୟନ କଲେ ଭାଷାବିଲୋପର ଇତିହାସ ସମ୍ପର୍କରେ ସଠିକ୍‌ ଧାରଣା କରିପାରିବେ ଏବଂ ଆମର କେଉଁ ଲେଖାରେ କେଉଁଠି ପ୍ରମାଦ ଅଥବା ଅସଂପୂର୍ଣ୍ଣତା ଅଛି ତାହା ସହଜରେ ଅବଧାରଣ କରି ପାରିବେ ।

 

ପରିଶେଷରେ ଭାଷା-ବିବାଦର ଅନ୍ତିମ ବାଣୀର ବିଚାର କରାଯାଉଅଛି । ଯେଉଁ ବିବାଦକୁ ନେଇ ଆମେ ଏଇ ପ୍ରବନ୍ଧରେ ଆଲୋଚନା କରିଛୁ ତା’ର ସମୟ ସୀମା କେବଳ ଚାରିବର୍ଷ ଦୁଇମାସ । ଯେଉଁ ସମସ୍ୟାର ସମାଧାନପାଇଁ ଏତେ ଦୀର୍ଘ ସମୟ ବ୍ୟୟିତ ହୋଇଥିଲା ତାହା କ’ଣ ଥିଲା ଅତ୍ୟନ୍ତ ଜଟିଳ ? ଓଡ଼ିଆ ପୁସ୍ତକର ଅଭାବ ଯଦି ହୁଏ ସମସ୍ୟା, ତା’ହେଲେ ଅର୍ଥ ବ୍ୟୟରେ ଅଧିକ ପୁସ୍ତକ ପ୍ରକାଶଦ୍ୱାରା ତାହା ଦୂର କରାଯାଇ ପାରିଥାନ୍ତା । କିନ୍ତୁ ଦୁଃଖର କଥା, ଦୀର୍ଘ ୩୦ ବର୍ଷ (୧୮୩୫-୬୫) ଭିତରେ ଜଣେ ମାତ୍ର ଓଡ଼ିଆ-ପଣ୍ଡିତ ବିଶ୍ୱମ୍ଭର ବିଦ୍ୟାଭୂଷଣ-ଏ କ୍ଷେତ୍ରରେ ଦେଖା ଦେଇଥିଲେ । କମିଶନରଙ୍କ ପ୍ରଥମ ପତ୍ର (୧୮୬୫) ଓ ବଙ୍ଗ ସରକାରଙ୍କ ପତ୍ର (୧୮୬୯) ମଧ୍ୟରେ କେବଳ ଦୁଇଜଣ ଓଡ଼ିଆ–ଫକୀରମୋହନ ସେନାପତି ଓ ବିଚ୍ଛନ୍ଦ ପଟ୍ଟନାୟକ-ପୁସ୍ତକ ରଚନାରେ ହାତ ଦେଇଥିଲେ । ଭାଷା-ପ୍ରତିଷ୍ଠା ପରେ ଏଇ ଉଭୟଙ୍କ ଅନୁସରଣରେ ବହୁ ସଂଖ୍ୟକ ଲେଖକ ବାହାରିବାରୁ ଓଡ଼ିଆ ପୁସ୍ତକର ଅଭାବ ଦୂର ହୋଇ ଯାଇଥିଲା । ଏ କ୍ଷେତ୍ରରେ ସରକାରଙ୍କ ଭାଷା-ସ୍ୱୀକୃତି ଆଦେଶ ଓ ଲେଖକମାନଙ୍କୁ ପ୍ରୋତ୍ସାହନ ମୁଖ୍ୟଭୂମିକା ଗ୍ରହଣ କରିଥିଲା । ଦେଖିବାର କଥା, ବିଦ୍ୟାଳୟରେ ବଙ୍ଗଳାଭାଷାର ପ୍ରଚଳନ କୌଣସି ସରକାରୀ ଆଦେଶରେ କରାଯାଇ ନଥିଲା । ଓଡ଼ିଆ ପୁସ୍ତକର ଅଭାବ ହେତୁ ପ୍ରଥମେ ବଙ୍ଗଳା ପୁସ୍ତକ ବ୍ୟବହାର କରାଗଲା; ଓଡ଼ିଆ ପୁସ୍ତକ ରଚିତ ନ ହେବାରୁ ସମୟକ୍ରମେ ବଙ୍ଗଳା ପ୍ରଚଳନ ଏକ ପରମ୍ପରାରେ ପଡ଼ି ଯାଇଥିଲା । ଏଇ ଅବାଞ୍ଛନୀୟ ପରମ୍ପରାର ସଂଶୋଧନପାଇଁ ଏକାନ୍ତ ଆବଶ୍ୟକ ଥିଲା ଏକ ସରକାରୀ ଆଦେଶ ଓ ପୁସ୍ତକ ରଚନା ଦିଗରେ ଏ ଦେଶ ଲୋକଙ୍କ ଆଗ୍ରହ ଓ ସରକାରୀ ଅନୁଦାନ । ଏ ଉଭୟର ସାହାଯ୍ୟରେ ବହୁ ସଂଖ୍ୟକ ଓଡ଼ିଆ ପୁସ୍ତକ ରଚିତ ହେବାରୁ ବଙ୍ଗଳା ପୁସ୍ତକର ଆଉ କୌଣସି ଆବଶ୍ୟକତା ରହିଲା ନାହିଁ । ଏତେ ଛୋଟ ସମସ୍ୟା ଏତେ ବଡ଼ ଆନ୍ଦୋଳନର କାରଣ ହୋଇ ପାରେ, ଦୀର୍ଘ ୧୨୫ ବର୍ଷ ପରେ ଆଜି ଭାବିଲେ କଥାଟା ବିଶ୍ୱାସଯୋଗ୍ୟ ବୋଲି ମନେହୁଏ ନାହିଁ । କିନ୍ତୁ ଏହା ତ ଯଥାର୍ଥ ଇତିହାସ–ଏ ଜାତିର, ଏ ଭାଷାର ଦୁର୍ଭାଗ୍ୟ ମାତ୍ର । *

 

* ଏଇ ପ୍ରବନ୍ଧରେ ବ୍ୟବହୃତ ତିନୋଟି ପତ୍ର ମୋର ଅନୁରୋଧ କ୍ରମେ ଡକ୍ଟର ହିମାଦ୍ରି ଶଙ୍କର ବନ୍ଦୋପାଧ୍ୟାୟ ଓ ଡକ୍ଟର ଉଦୟନ ମିତ୍ର ଯୋଗାଇ ଦେଇ ଥିବାରୁ ଏ ଉଭୟଙ୍କ ଠାରେ ଗଭୀର କୃତଜ୍ଞତା ପ୍ରକାଶ କରୁଛି । (ପ୍ରାବନ୍ଧିକ)

 

 

ବାଣୀଭବନ,

ସାମନ୍ତରାପୁର, ଭୁବନେଶ୍ୱର-୨

 

***

 

ସଂବଲପୁର ହିତୈଷିଣୀ : ଏକ ଅଧ୍ୟୟନ

ଶ୍ରୀ ଫଣୀନ୍ଦ୍ର ଭୂଷଣ ନନ୍ଦ

 

ଊନବିଂଶ ଶତକର ଦ୍ୱିତୀୟାର୍ଦ୍ଧ ଓଡ଼ିଆ ଭାଷା-ସାହିତ୍ୟର ଏକ ଯୁଗାନ୍ତକାରୀ ଅଧ୍ୟାୟ । ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ମେଷ ତଥା ଅଭ୍ୟୁଦୟ, ଶିକ୍ଷା କ୍ଷେତ୍ରରେ ସଂସ୍କାର ସାମାଜିକ ତଥା ସାଂସ୍କୃତିକ ଜୀବନର ପରିବର୍ତ୍ତିତ ପଟ୍ଟଭୂମିକୁ ପର୍ଯ୍ୟାଲୋଚନା କଲେ ଏହାରି ଅନ୍ତରାଳରେ ସ୍ପଷ୍ଟ ହୁଏ ପତ୍ରପତ୍ରିକା ସମୂହର ଅନନ୍ୟ ଅବଦାନ । ଏପରି ଏକ ଯୁଗରୁଚିର ଅଭ୍ୟୁତ୍‍ଥାନ-ମୂଳରେ ଉଲ୍ଲିଖିତ ଶତାବ୍ଦୀର ଦୁଇଟି ମର୍ମନ୍ତୁଦ ଘଟଣା ଦାୟୀ । ଏକ ଦିଗରେ ନଅଙ୍କ ଦୁର୍ଭିକ୍ଷ (୧୮୬୫-୬୬) ଓଡ଼ିଆର ପ୍ରାଣତନ୍ତ୍ରୀକୁ ଦୋହଲାଇ ଦେଲାବେଳେ ବଙ୍ଗାଳି କର୍ତ୍ତୃକ ‘‘ଓଡ଼ିଆ ଏକଟି ସ୍ୱତନ୍ତ୍ର ଭାଷା ନୟେ’’ (୧୮୭୦)ର ଭାଷା-ବିଲୋପକାରୀ ଚକ୍ରାନ୍ତ ସାଂସ୍କୃତିକ ଜୀବନକୁ ଦୁର୍ବିସହ କରି ତୋଳିଲା । ଏ ଦୁଇ ଦୁର୍ବିପାକ ବିରୁଦ୍ଧରେ ପୂର୍ବ ଐତିହ୍ୟର ଦ୍ୱାହି ଦେଇ ନିଜତ୍ୱର ପରିପ୍ରକାଶ ଏକ ବିରାଟ ଆହ୍ୱାନ ରୂପେ ଦେଖା ଦେଇଥିଲା । ନବ- ଅଭ୍ୟୁତ୍‍ଥିତ ଶିକ୍ଷିତ ଗୋଷ୍ଠୀ ଏହାର ଉତ୍ତରରେ ସଚେତନ ପ୍ରୟାସ କରି ଓଡ଼ିଆ ସାହିତ୍ୟର ଅନନ୍ୟତା ପ୍ରତିପାଦନ କଲେ । ଏ ପର୍ଯ୍ୟାୟରେ ଗଢ଼ି ଉଠିଲା ମୁଦ୍ରାଯନ୍ତ୍ର ଏବଂ ଅନେକ ପତ୍ରପତ୍ରିକା । ଆଧୁନିକ ସାହିତ୍ୟର ଅଭିବୃଦ୍ଧି ତଥା ଜାତୀୟତାବାଦ ପ୍ରଖ୍ୟାପନ ଛଳରେ ଜନସଚେତନତା ସୃଷ୍ଟି ଦିଗରେ ନେତୃତ୍ୱ ନେଇଥିଲା ‘‘ଉତ୍କଳ ଦୀପିକା’’ (୧୮୬୬) ଏବଂ ‘ସମ୍ବାଦ ବାହିକା’ (୧୮୬୮) । ଏ ଆଭିମୁଖ୍ୟକୁ ସୁଦୂର ପ୍ରସାରୀ ତଥା ଶୀର୍ଷତମ ସ୍ଥାନରେ ପହଞ୍ଚାଇଥିଲା ‘‘ସଂବଲପୁର ହିତୈଷିଣୀ’’ (୧୮୮୯) ।

 

ବାମଣ୍ଡାର ସଂସ୍କୃତିପ୍ରେମୀ ରାଜା ସାର୍ ସୁଢ଼ଳଦେବ ୧୮୮୫ରେ କଟକରେ ‘‘ସୁଢ଼ଳ ପ୍ରେସ’’ ସ୍ଥାପନ କରି ଶ୍ରୀ ଚତୁର୍ଭୁଜ ପଟ୍ଟନାୟକଙ୍କ ସମ୍ପାଦକତ୍ୱରେ ‘ସଂସ୍କାରକ’ ଏବଂ ‘ସେବକ’ ପତ୍ରିକା ଦୁଇଟି ପ୍ରକାଶ କରାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସଂସ୍କାର ନାମରେ ଅନେକ ଅପ୍ରିୟ ଲେଖା ପ୍ରକାଶ ପାଇବାରୁ ସୁଢ଼ଳଦେବ ପ୍ରେସ୍ ଟି ୧୮୮୬ରେ ଦେବଗଡ଼ (ବାମଣ୍ଡାର ରାଜଧାନୀ)କୁ ସ୍ଥାନାନ୍ତରିତ କରି ଆଣିଲେ । ପ୍ରେସ୍ ‘ଜଗନ୍ନାଥ ବଲ୍ଲଭ ପ୍ରେସ୍’ ନାମରେ ପଶ୍ଚିମ ଓଡ଼ିଶା ମୁଖ୍ୟତଃ ଗଡ଼ଜାତ ତଥା ସମଗ୍ର ଓଡ଼ିଶାର ସାଂସ୍କୃତିକ ଅଭ୍ୟୁଦୟର ଆଭିମୁଖ୍ୟ ନେଇ ୧୮୮୯ ମେ ୩୦ରେ ‘ସଂବଲପୁର ହିତୈଷିଣୀ’ ପତ୍ରିକାକୁ ଜନ୍ମ ଦେଲା । ଏହାର ଅନ୍ତରାଳରେ ସାହିତ୍ୟପ୍ରେମୀ ରାଜା ସୁଢ଼ଳଦେବଙ୍କ ସଦିଚ୍ଛା ଏବଂ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନା କାର୍ଯ୍ୟ କରୁଥିଲା । ବିଦ୍ୟାରତ୍ନଙ୍କ ବ୍ୟତୀତ ଦାମୋଦର ମିଶ୍ର ପଦ୍ୟାଳଙ୍କାର ବ୍ରଜବନ୍ଧୁ ମିଶ୍ର, ବଳଭଦ୍ର ଦେବ, ଦୀନବନ୍ଧୁ ଗଡ଼ନାୟକ ତଥା ରତ୍ନାକାର ଶର୍ମା ସମୟକ୍ରମେ ସଂପାଦକତ୍ୱର କାର୍ଯ୍ୟ ତୁଲାଉଥିଲେ ।

 

ସଂବଲପୁର ହିତୈଷିଣୀ ପୃଷ୍ଠାରେ ଅନେକ ସାହିତ୍ୟିକ ନିଜକୁ ପ୍ରକାଶ କରିବାର ସୁଯୋଗ ଲଭିଥିଲେ । ଏମାନଙ୍କ ମଧ୍ୟରେ ରାଜା ସୁଢ଼ଳଦେବ; ରାଧାନାଥ, ସଚ୍ଚିଦାନନ୍ଦ ଦେବ, ଦାମୋଦର ମିଶ୍ର, ଚତୁର୍ଭୁଜ ପଟ୍ଟନାୟକ, ବିଶ୍ୱନାଥ କର, ଲାଲା ରାମନାରାୟଣ, ରାମକୃଷ୍ଣ ସାହୁ, ଚନ୍ଦ୍ର ମୋହନ ମହାରଣା ବିଦ୍ୟାରତ୍ନ; ସାଧୁ ଚରଣ ରାୟ, ଶଶିଭୂଷଣ ରାୟ, ଗଙ୍ଗାଧର, ନନ୍ଦକିଶୋର, ଚିନ୍ତାମଣି ମହାନ୍ତି, ପଦ୍ମଚରଣ ପଟ୍ଟନାୟକ, ଫକୀରମୋହନ, ଧରଣୀଧର ମିଶ୍ର, ଲକ୍ଷ୍ମଣ ମିଶ୍ର, ଲକ୍ଷ୍ମୀନାରାୟଣ ସାହୁ, ବିଜୟଚନ୍ଦ୍ର ମଜୁମ୍‍ଦାର, ଗୋପୀନାଥ ନନ୍ଦ, ବଳଭଦ୍ର ଦେବ, ଲିଙ୍ଗରାଜ ପାଣିଗ୍ରାହୀ, ବୃନ୍ଦାବନ ନାଥ ଶର୍ମା, ସୁଲୋଚନା ଦେଈ ପ୍ରମୁଖ ପ୍ରଧାନ । ଏହା ତିନି ପର୍ଯ୍ୟାୟର ସାହିତ୍ୟକଙ୍କୁ ପୃଷ୍ଠପୋଷକତା ଯୋଗାଇଥିଲା ।

 

ଏ ପତ୍ରିକା ନିଜର ଆଭିମୁଖ୍ୟ ପଣ୍ଡିତ ଭୁବନେଶ୍ୱର ବଡ଼ପଣ୍ଡା ନିମ୍ନୋକ୍ତ ଶ୍ଳୋକ ମତେ ପ୍ରକାଶ କରିଥିଲା ।

 

‘‘ସମାଜ କାର୍ଯ୍ୟାଣିଃ ରାଜନୀତିଃ, ବିଜ୍ଞାନ ସାହିତ୍ୟ ବିଚାର ଯୁକ୍ତିଃ

ଯତ୍ରୈବ ସନ୍ଦେଶଃ ବଚଃ ପ୍ରମେୟଂ ବରଂ ବରିବର୍ତ୍ତୁସୁପତ୍ରି କେୟ

ଗୁଣାନୁପାଦାୟ ମୁଦଂ ବହନ୍ତଂ, ଚିତ୍ରୈ ବିଚାରୈ ଜଗତ୍ ତ୍ସ୍ଫୁରନ୍ତଃ

ବଚୋବିଳାସୈ ହୃଦୟଂହରନ୍ତଃ, ସୌଜନ୍ୟ ପୁଣ୍ୟେନ ଜୟନ୍ତି ସନ୍ତଃ ।’’

 

ଏ ଶ୍ଳୋକଟି କେବଳ ଯେ ହିତୈଷିଣୀର ପୃଷ୍ଠା ମଣ୍ଡନ କରୁଥିଲା ତା ନୁହେଁ, ବରଂ ପତ୍ରିକାଟି ମଧ୍ୟ ଅନୁରୂପ ଭାବରେ ନିଜର ଆଭିମୁଖ୍ୟ ପ୍ରକାଶରେ ସଫଳକାମ ହୋଇ ପାରିଥିଲା ।

 

ଏ ପତ୍ରିକାଟି ନିରବଚ୍ଛିନ୍ନ ଭାବେ ୧୯୨୩ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ପ୍ରକାଶଲାଭ କରିଥିଲା । କେବଳ ୧୯୨୦ ମସିହା ଜାନୁଆରୀ ମାସରୁ ବାମଣ୍ଡା ‘‘Court of wards’’ ଅଧୀନରେ ରହିବାରୁ ରାଜପୃଷ୍ଠପୋଷକତାର ଅଭାବରୁ ଏ ପତ୍ରିକା ପ୍ରକାଶନ ୩୦-୭-୧୯୨୧ରୁ ତା-୮-୪-୧୯୨୨ ପର୍ଯ୍ୟନ୍ତ ବନ୍ଦ ରହିଥିଲା ।

 

ଏ ଆଲୋଚନାର କଳେବର ମଧ୍ୟରେ ‘ସଂବଲପୁର ହିତୈଷିଣୀ’ର ସାମଗ୍ରିକ ଅବଦାନକୁ ମୂଲ୍ୟାୟନ କରିବାକୁ ନିମ୍ନଲିଖିତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଅଛି ।

 

(କ)

ଆଧୁନିକ ସାହିତ୍ୟର ଗୌରବ ପ୍ରତିଷ୍ଠା ।

(ଖ)

ଶିକ୍ଷା ପ୍ରସାର ତଥା ଶିକ୍ଷା କ୍ଷେତ୍ରର କୁସଂସ୍କାର ଦୂରୀକରଣ ।

(ଗ)

ଓଡ଼ିଆ ଭାଷା ଆନ୍ଦୋଳନରେ ନେତୃତ୍ୱ ।

(ଘ)

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ।

 

(କ) ଆଧୁନିକ ସାହିତ୍ୟର ଗୌରବ ପ୍ରତିଷ୍ଠା ।

‘ଉତ୍କଳ ପ୍ରଭା’ କର୍ତ୍ତୃକ ରାଧାନାଥ-ଉପେନ୍ଦ୍ର ଭଞ୍ଜଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦନର ଯେଉଁ ଅଭିନବ ସାହିତ୍ୟିକ କନ୍ଦଳର ଅୟମାରମ୍ଭ ହୁଏ ସେ ବିବାଦରେ ‘ହିତୈଷିଣୀ’ ବିଜୁଳୀ (୧୮୯୩) ପ୍ରକାଶନ ସହିତ ଆଧୁନିକ ସାହିତ୍ୟ (ରାଧାନାଥ)ର ପକ୍ଷ ସମର୍ଥନ କରେ । ଏ ବିବାଦର ଫଳପ୍ରସୂ ସ୍ୱରୂପ ଏକ ନୂତନ ଯୁଗରୁଚିକୁ ଆଦରି ନେବାର ବାତାବରଣ ସୃଷ୍ଟି ହୁଏ, ଯାହାକି ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ଗତିପଥକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ କରେ । ଆଧୁନିକତାର ଶୁଚିଶୁଭ୍ର ପ୍ରତିଷ୍ଠା ଯେ ଓଡ଼ିଆ ସାହିତ୍ୟର ଶୁଭଙ୍କର ଭବିତବ୍ୟ ଏହାହିଁ ଏ ବିବାଦର ନିଷ୍ଠୁର ପରିଣତି ରୂପେ ପର୍ଯ୍ୟବସିତ । ଆଧୁନିକ ଓଡ଼ିଆ ସାହିତ୍ୟର ଆଦ୍ୟପର୍ବରେ ହିତୈଷିଣୀର ଏ ଅବଦାନ ଓଡ଼ିଆ ସାହିତ୍ୟର ଏକ ସ୍ମରଣୀୟ ଘଟଣା । ଏତଦ୍‍ବ୍ୟତୀତ ହିତୈଷିଣୀକୁ ଆଶ୍ରୟ କରି ଅନେକ ସାହିତ୍ୟିକ ପ୍ରତିଷ୍ଠା ଅର୍ଜନ କରି ପାରିଥିଲେ । ସେ ସମୟରେ ଓଡ଼ିଆ ସାହିତ୍ୟିକମାନଙ୍କୁ ପ୍ରକୃଷ୍ଟ ସୁଯୋଗ ଦେବାପାଇଁ ହିତୈଷିଣୀ ବ୍ୟତିରେକେ ଅନ୍ୟ ପତ୍ରିକା ନଥିଲା । ୧୮୯୭ରେ ‘ଉତ୍କଳ ସାହିତ୍ୟ’ ପ୍ରକାଶ ପର୍ଯ୍ୟନ୍ତ ଏବଂ ପରେ ମଧ୍ୟ ହିତୈଷିଣୀ ହିଁ ସାହିତ୍ୟିକମାନଙ୍କର ଧ୍ୟେୟ ଥିଲା । ହିତୈଷିଣୀ ପୃଷ୍ଠାରେ ନିଜକୁ ପ୍ରକାଶିତ କରି ପ୍ରତିଷ୍ଠାର ଚରମ ସୀମାକୁ ସ୍ପର୍ଶ କରିଥିବା ଲେଖକମାନେ ହେଲେ ଗଙ୍ଗାଧର ମେହେର, ନନ୍ଦକିଶୋର ବଳ, ସଚ୍ଚିଦାନନ୍ଦ ଦେବ, ପଦ୍ମଚରଣ ପଟ୍ଟନାୟକ, ଚିନ୍ତାମଣି ମହାନ୍ତି ପ୍ରମୁଖ । ଏଥିରୁ ସ୍ପଷ୍ଟତଃ ପ୍ରମାଣିତ ହୁଏ ଆଧୁନିକ ସାହିତ୍ୟର ପ୍ରତିଷ୍ଠା ତଥା ନୂତନ ସାହିତ୍ୟିକ ସୃଷ୍ଟିରେ ହିତୈଷିଣୀ ଏକ ଅନବଦ୍ୟ ଭୂମିକା ସମ୍ପାଦନ କରିଛି ।

 

(ଖ) ଶିକ୍ଷାପ୍ରସାର ତଥା ଶିକ୍ଷା କ୍ଷେତ୍ରର କୁସଂସ୍କାର ଦୂରୀକରଣ ।

ଊନବିଂଶ ଶତାବ୍ଦୀର ଓଡ଼ିଶା କିପରି ରାଜନୈତିକ, ସାଂସ୍କୃତିକ ଓ ଅର୍ଥନୈତିକ ଦୁରବସ୍ଥାର ସମ୍ମୁଖୀନ ହୋଇଥିଲା, ଇତିହାସ ତାର ସାକ୍ଷୀ । ଏ ସମୟର ଶିକ୍ଷାର ଦୁର୍ଗତି ସଂପର୍କରେ ଏବଂ ଶିକ୍ଷିତ ଓଡ଼ିଆଙ୍କ ସ୍ୱଳ୍ପତା ସମ୍ପର୍କରେ କଟକ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ୧୮୨୧ର ଦୁଃଖଦ ମନ୍ତବ୍ୟ ପ୍ରମାଣ ଦିଏ ।

 

‘‘Scarcely a single real Oriya received a salary of more than ten rupees per mensen, but several were naturalised Bengalis or Musalmans. I always give a preference to Oriyas, but at this moment I scarcely, know a single Oriya possessing qualification to fit him for being a common scribe.’’

[L.S.S. ‘O’ Malley–Bengal District Gazetter (Puri) p-258]

 

ଏପରିକି ନିଜର ଦାବୀ ଉପସ୍ଥାପିତ କରିବା ତଥା ସାମାଜିକ ଜୀବନର ଉନ୍ନତି ସାଧନର ସାମାନ୍ୟତମ ଅଭିଳାଷ ଲୋକଙ୍କ ମଧ୍ୟରେ ନଥିଲା । ଏ ସବୁର ମୂଳ କାରଣ ରୂପେ ଅଶିକ୍ଷାର ଅନ୍ଧକାର ହିଁ ଦାୟୀ । ଏଣୁ ଏକ ଶିକ୍ଷିତ ତଥା ଉପଯୁକ୍ତ ଦାୟାଦ ସୃଷ୍ଟିର ନୈତିକ ଦାୟିତ୍ୱ ବୁଦ୍ଧିଜୀବୀ ଗୋଷ୍ଠୀଙ୍କୁ ଅଥୟ କରିଥିଲା । ଏ ମନୋବୈଜ୍ଞାନିକ କାରଣ ‘ଦୀପିକା’ ତଥା ‘‘ହିତୈଷିଣୀ’’ ପୃଷ୍ଠାରେ ନିଜର ସ୍ୱରୂପ ଉଦ୍‍ଘାଟନ କଲା । ତେଣୁ ସଂବଲପୁର ଅଞ୍ଚଳ ତଥା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବିଶୁଦ୍ଧ ପାଠ୍ୟପୁସ୍ତକ ପ୍ରଣୟନ, ଉପଯୁକ୍ତ ଶିକ୍ଷକ ନିଯୁକ୍ତି ପ୍ରଭୃତି ସମ୍ପର୍କରେ ହିତୈଷିଣୀର ବିଭିନ୍ନ ସଂଖ୍ୟା ମୁଖର ହୋଇଉଠିଥିଲା । ଏହାର କେତୋଟି ଉଦାହରଣ ତଳେ ଉଦ୍ଧୃତ କରାଗଲା ।

 

୧.

‘ସଂବଲପୁର ହିତୈଷିଣୀ’ର ତା ୧୪-୯-୧୮୯୨ ସଂଖ୍ୟାରେ ‘ଶିକ୍ଷା ସମ୍ବନ୍ଧେ ଔଦାସୀନ୍ୟ’’ ଶୀର୍ଷକ ସଂବାଦରେ ଭାରତରେ ଶିକ୍ଷାନ୍ନୋତି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । ‘‘x x x ଭାରତର ଉଚ୍ଚଶିକ୍ଷା ବିସ୍ତାର ସମ୍ବନ୍ଧେ ସୁଶିକ୍ଷିତ ଗଭର୍ଣ୍ଣମେଣ୍ଟ ଔଦାସୀନ୍ୟ ଅବଲମ୍ବନ କରିଥିବାରୁ ଅବଗତ ହୋଇ ଆମ୍ଭେମାନେ ଅତ୍ୟନ୍ତ ଦୁଃଖିତ ହୋଇ ଅଛୁଁ । x x x ଉଚ୍ଚଶିକ୍ଷା ପ୍ରତି ଅନୁକୂଳ ଦୃଷ୍ଟି ରଖିବା ନିମନ୍ତେ ସରକାରଙ୍କ ନିକଟରେ ସବିନୟ ନିବେଦନ କରିଅଛୁଁ-।’’

 

୨.

କେବଳ ଯେ ଦେଶର ସୁଶିକ୍ଷା ପ୍ରତି ଏ ପତ୍ରିକା ଦୃଷ୍ଟି ଦେଇଥିଲା, ତା ନୁହେଁ, ଓଡ଼ିଶା ଶିକ୍ଷାକ୍ଷେତ୍ର ପ୍ରତି ମଧ୍ୟ ସଂବେଦନା ପ୍ରକାଶ ପାଇଥିଲା ‘‘ସମ୍ବଲପୁର ହିତୈଷିଣୀ’’ ତା ୨୧-୯-୧୮୯୨ ସଂଖ୍ୟାରେ ‘‘ଓଡ଼ିଆ ପାଠ୍ୟପୁସ୍ତକ-ନିର୍ବାଚନ ନିୟୋଗ’’ ଶୀର୍ଷକରେ ଏ ସମ୍ପର୍କରେ ଆଲୋକପାତ କରାଯାଇଛି । ‘‘x x x ମେମ୍ବର ମହୋଦୟମାନେ ଅତି ସମ୍ଭ୍ରାନ୍ତ ଏବଂ ଉଚ୍ଚ ପଦାରୂଢ଼ ବ୍ୟକ୍ତି ଅଟନ୍ତି, ଏହା ଅବଶ୍ୟ ସମସ୍ତେ ସ୍ୱୀକାର କରିବେ ସତ୍ୟ, କିନ୍ତୁ ଏପରି ବ୍ୟକ୍ତିମାନଙ୍କ ହସ୍ତରେ ଓଡ଼ିଆ ପାଠ୍ୟପୁସ୍ତକ ନିର୍ବାଚନ ଭାର ଦେବା ସର୍ବବାଦୀସମ୍ମତ ହୋଇ ନପାରେ । x x x ବର୍ତ୍ତମାନ ପ୍ରଚଳିତ ଓଡ଼ିଆ ପାଠ୍ୟପୁସ୍ତକ ସବୁ ବିବିଧ ଦୋଷାଶ୍ରିତ ହେବାର ପ୍ରଧାନ କାରଣ ପୁସ୍ତକ ନିର୍ବାଚକମାନଙ୍କର ଅନଭିଜ୍ଞତା ନକହି ଆଉ କି କହିବୁ ? ଏପରି ସ୍ଥଳେ ଏ ଅଞ୍ଚଳର ଉତ୍କଳ ଭାଷା ପାରଦର୍ଶୀ ବ୍ୟକ୍ତିମାନଙ୍କଦ୍ୱାରା ପାଠ୍ୟପୁସ୍ତକ ଏ ପ୍ରଦେଶର ଓଡ଼ିଆ ବିଭାଗରେ ଚଳାଇବା ଶ୍ରେୟସ୍କର ବୋଧକରୁଁ । ଭରସା କରୁଁ, କର୍ତ୍ତୃପକ୍ଷମାନେ ଏ ବିଷୟ ପ୍ରତି ପୁନର୍ବିଚାର କରିବେ ।’’

 

୩.

ସମ୍ବଲପୁର ହିତୈଷିଣୀର ତା ୨୮-୯-୧୮୯୨ ସଂଖ୍ୟାରେ ବିଶ୍ୱନାଥ କର କଟକ ନର୍ମାଲସ୍କୁଲର ଦୁର୍ଦ୍ଦଶା ତଥା ଦୋଷ ଦୁର୍ବଳତା ସଂପର୍କରେ ଆଲୋଚନା କରି ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି ।

 

୪.

ସମ୍ବଲପୁର ଶିକ୍ଷାବିଭାଗର ତ୍ରୁଟି ବିଚ୍ୟୁତି ସମ୍ପର୍କରେ ହିତୈଷିଣୀ ଅନେକବାର ସ୍ୱରଉତ୍ତୋଳନ କରିଛି ଏବଂ ବିଭାଗୀୟ ସୁବିଚାର ନିବେଦନ କରିଛି । ସମ୍ବଲପୁର ହିତୈଷିଣୀର ତା ୧୯-୧୦-୧୮୯୨ ସଂଖ୍ୟାରେ ‘‘ସମ୍ବଲପୁର ଓଡ଼ିଆ ଭାଷାର ବିଦ୍ୟାଳୟମାନଙ୍କରେ ଉପଯୁକ୍ତ ପାଠ୍ୟପୁସ୍ତକ ପ୍ରବର୍ତ୍ତିତ ହୋଇନଥିବା କଥା ‘‘ହିତୈଷିଣୀ’’ର ଜନ୍ମଦିନଠାରୁ ଆମ୍ଭେମାନେ କହି ଆସିଅଛୁଁ; ମାତ୍ର ଆମ୍ଭମାନଙ୍କର ସେହିସବୁ ଉକ୍ତି ଅରଣ୍ୟରୋଦନତୁଲ୍ୟ ହେଉଅଛି । ଏ ବିଷୟରେ କର୍ତ୍ତୃପକ୍ଷମାନେ ଯେପରି ଉଦାସୀନ; ଦେଶର ଲୋକମାନେ ସେହିପରି ଉଦାସୀନ, ଏପରି ସ୍ଥଳେ ସୁଫଳ ପ୍ରାପ୍ତିର ଆଶା ବିଡ଼ମ୍ବନା ମାତ୍ର । ବର୍ତ୍ତମାନ ପ୍ରଚଳିତ ପାଠ୍ୟପୁସ୍ତକର ଅଧିକାଂଶ ଯେ ଭ୍ରମପୂର୍ଣ୍ଣ ଓ ଅନୁପଯୋଗୀ ଏକଥା ଆମ୍ଭେମାନେ ଦୃଢ଼ତାର ସହିତ କହିପାରିବୁ ।’’

 

ସମ୍ବଲପୁର ହିତୈଷିଣୀ ତା ୧୧-୧୨-୧୮୯୩ ସଂଖ୍ୟାରେ ‘‘ସମ୍ବଲପୁର ଶିକ୍ଷାବିଭାଗ’’ ଶୀର୍ଷକ ସମ୍ବାଦରେ ଏ ପ୍ରସଙ୍ଗପ୍ରତି ଅଧିକ ଗୁରୁତ୍ୱାରୋପ କରାଯାଇଛି । ‘‘ସମ୍ବଲପୁର ଶିକ୍ଷାବିଭାଗ ସମ୍ବନ୍ଧେ ଆମ୍ଭେମାନେ ଅନେକବାର ଲେଖନୀ ଚାଳନା କରିଅଛୁଁ, ଅନେକବାର ବନ୍ଧୁ ଭାବରେ ଶିକ୍ଷାବିଭାଗର ଅନେକ ଅଭାବ ଦେଖାଇଅଛୁଁ, ମାତ୍ର ବଡ଼ ଦୁଃଖର ବିଷୟ ଯେ ତହିଁ ପ୍ରତି ବିଭାଗୀୟ କର୍ମଚାରୀ ବା କର୍ତ୍ତୃପକ୍ଷ କେହି କିଛି ସୁବିଚାର କଲେ ନାହିଁ । x x x x ପାଠ୍ୟପୁସ୍ତକ ଇଦୃଶ ଦୂଷିତ ହେତୁ ବିଭାଗୀୟ କର୍ତ୍ତୃପକ୍ଷମାନେ ଦାୟୀ ଅଟନ୍ତି । ସେମାନେ ଯଦ୍ୟପି ପାଠ୍ୟନିର୍ବାଚନ ଭାର ଉପଯୁକ୍ତ ବ୍ୟକ୍ତିଙ୍କ ଉପରେ ଅର୍ପଣ କରୁଥାନ୍ତେ, ତେବେ ଇଦୃଶ ଅପାଠ୍ୟପୁସ୍ତକ ଆଜି ସୁପାଠ୍ୟ ରୂପେ ଚଳି ଛାତ୍ରମାନଙ୍କ ପ୍ରକୃତୋନ୍ନତିରେ ଅନ୍ତରାୟ ସାଧିତ ହେଉ ନଥାନ୍ତା ।’’

 

ଏପରି ଅନେକ ଉଦ୍ଧୃତି ହିତୈଷିଣୀ ପୃଷ୍ଠାରୁ ନିଆଯାଇପାରେ । ଉଲ୍ଲିଖିତ ଉଦ୍ଧୃତି ସମୂହ ଓଡ଼ିଆ ଶିକ୍ଷାପ୍ରସାରରେ ଏ ପତ୍ରିକାର ଅନବଦ୍ୟ ଭୂମିକା ସମ୍ପର୍କରେ ସଗୌରବ ସମ୍ମତି ପ୍ରଦାନ କରନ୍ତି ।

 

(ଗ) ଓଡ଼ିଆଭାଷା ଆନ୍ଦୋଳନରେ ନେତୃତ୍ୱ :

 

ଓଡ଼ିଆ ଭାଷା ସୁରକ୍ଷା ଯଜ୍ଞରେ ସାମୂହିକ ଘୃତାହୂତି ସହିତ ଏକ ପ୍ରଧାନ ପରିଚର୍ଯ୍ୟାର ଭୂମିକା ହିତୈଷିଣୀ ଗ୍ରହଣ କରିଥିଲା । ସମ୍ବଲପୁର ରାଜକାର୍ଯ୍ୟରେ ହିନ୍ଦିଭାଷା ଚଳିବା ବିରୁଦ୍ଧରେ ତୀବ୍ରସ୍ୱର ଉତ୍ତୋଳନ କରି ଓଡ଼ିଆ ଭାଷାର ପୁନଃପ୍ରଚଳନ ସହିତ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଭିତ୍ତି ସୃଷ୍ଟି କରିଥିଲା । ହିତୈଷିଣୀ ପୃଷ୍ଠାରୁ ଏ ପ୍ରସଙ୍ଗର ସମୀଚୀନତା ହୃଦୟଙ୍ଗମ କରିହୁଏ ।

 

୧.

‘ସଂବଲପୁର ହିତୈଷିଣୀ’ର ତା ୨୪-୧୦-୧୮୯୪ ସଂଖ୍ୟାରେ ‘‘ହିନ୍ଦିଭାଷା ଚଳାଇବା ବିରୁଦ୍ଧରେ ପ୍ରସ୍ତାବ’’ ଶୀର୍ଷକ ସଂବାଦ ପ୍ରକାଶିତ ।

 

 

‘ସଂବଲପୁର ହିତୈଷିଣୀ’ର ତା ୨୩-୧-୧୮୯୫ ସଂଖ୍ୟାରେ କର୍ତ୍ତୃପକ୍ଷଙ୍କ ହିନ୍ଦିଭାଷା ପ୍ରତି ଆକର୍ଷଣର ସମାଲୋଚନା କରାଯାଇଛି ‘‘ହିନ୍ଦିଭାଷାର ଆଦର’’ ଶୀର୍ଷକରେ । ସମ୍ବଲପୁର ମାତୃଭାଷାର ଉଚ୍ଛେଦସାଧନ କରି ହିନ୍ଦିଶିକ୍ଷା ଚଳାଇବା ସକାଶେ କର୍ତ୍ତୃପକ୍ଷ ଆଗ୍ରହାନ୍ୱିତ, ଯେହେତୁ ଏଥିରେ ଏକମାତ୍ର ଓଡ଼ିଆମାନଙ୍କର କ୍ଷତି ଓ ଅସୁବିଧା ଛଡ଼ା ଆଉ ମାନଙ୍କର କ୍ଷତି ବା ଅସୁବିଧା ନାହିଁ । x x x ଯଦି ଭାଷା ପରିବର୍ତ୍ତନ ନକଲେ ମଧ୍ୟପ୍ରଦେଶ ଅଧୀନରେ ଏ ଜିଲ୍ଲାର ଶାସନ ବିଚାର କାର୍ଯ୍ୟ ଚଳିନପାରେ, ତେବେ ଏ ଜିଲ୍ଲାକୁ ମଧ୍ୟପ୍ରଦେଶରୁ ବାହାର କରି ଓଡ଼ିଶା ସହିତ ମିଶାଇ ଦେଲେ ଭାଷା ପରିବର୍ତ୍ତନ ନକଲେ ମଧ୍ୟ କାର୍ଯ୍ୟ ଚଳିପାରେ, ଏହା ହିଁ ଆମ୍ଭମାନଙ୍କର ପ୍ରାର୍ଥିତ ବିଷୟ ହେବା ଉଚିତ ।’’

 

୩.

ବିଚ୍ଛିନ୍ନାଞ୍ଚଳରେ ଭାଷାର ଦୁରବସ୍ଥା ପରିପ୍ରେକ୍ଷୀରେ ସଂ:ହି:ତା ୧୩-୨-୧୮୯୫ ସଂଖ୍ୟାରେ ପ୍ରକାଶିତ ‘ଓଡ଼ିଆ ଭାଷାର ଅନାଦର’ ଶୀର୍ଷକ ସମ୍ବାଦ ପ୍ରଣିଧାନଯୋଗ୍ୟ–‘‘ଓଡ଼ିଆ ଭାଷାର ଅନାଦର ଓ ଲାଞ୍ଛନା କେବେ ଦୂର ହେବାକୁ ନାହିଁ । ଗଞ୍ଜାମ, ମେଦିନୀପୁର, ସିଂହଭୂମ ଜିଲ୍ଲାର ଅସଂଖ୍ୟ ଓଡ଼ିଆ ମାତୃଭାଷା ହରାଇ ବସିଅଛନ୍ତି । ବର୍ତ୍ତମାନ ସମ୍ବଲପୁରର ଓଡ଼ିଆ ଭାଇମାନେ ଓଡ଼ିଆଭାଷା ହରାଇବାକୁ ବସିଛନ୍ତି । ଏ ସମ୍ବାଦରେ ଓଡ଼ିଆ ପୁଅମାନେ କେତେଦୂର ଦୁଃଖିତ ଏବଂ ମର୍ମାହତ, ତାହା ବଚନଦ୍ୱାରା ବ୍ୟକ୍ତ କରିହେବ ନାହିଁ ।’’

 

୪.

‘ସମ୍ବଲପୁରରେ ଭାଷା ସଙ୍କଟ’ ଶୀର୍ଷକ ସମ୍ବାଦ ୩୦-୧-୧୮୯୫ ତଥା ୨୦-୨-୧୮୯୫ ସଂଖ୍ୟାରେ ପ୍ରକାଶିତ ହୋଇ ହିନ୍ଦିଭାଷା ପ୍ରଚଳନ ବିରୁଦ୍ଧରେ ସ୍ୱର ଉତ୍ତୋଳନ ସହିତ ଓଡ଼ିଆ ଭାଷାର ପ୍ରଚଳନ ନେଇ ଦୃଢ଼ଯୁକ୍ତି ପରିବେଷଣ କରିଥିଲା । ତା ୨୦-୨-୧୮୯୫ ସଂଖ୍ୟାରେ କିରାଣୀମାନଙ୍କୁ ହିନ୍ଦିଶିକ୍ଷା କରିବାପାଇଁ ବାଧ୍ୟ କରିବାର ପ୍ରତିବାଦ ଏବଂ ଏ ପରିପ୍ରେକ୍ଷୀରେ ପ୍ରତିବାଦ ସ୍ୱରୂପ ଶ୍ରୀଯୁକ୍ତ ବୈକୁଣ୍ଠନାଥ ପାଢ଼ିଙ୍କ ଇସ୍ତଫା ପ୍ରଦାନର ସମ୍ବାଦ ପ୍ରକାଶିତ ।

 

୫.

ସଂ. ହି. ତା ୪-୧୨-୧୮୯୫ ସଂଖ୍ୟାରେ ‘ଓଡ଼ିଆ ଭାଷା ଓ ବଡ଼ଲାଟ’ ସମ୍ବାଦରେ ସମ୍ବଲପୁରରୁ ଓଡ଼ିଆ ଭାଷା ଉଚ୍ଛେଦ ବିରୁଦ୍ଧରେ ଦୁଇଟି ଆବେଦନ ପତ୍ର ବଡ଼ଲାଟଙ୍କ ବିଚାରାଧୀନ ସହିତ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି ।

 

୬.

ସଂ. ହି. ତା ୮-୪-୧୮୯୬ ସଂଖ୍ୟାରେ ‘ଭାଷାରକ୍ଷା ଚେଷ୍ଟା’ ସମ୍ବାଦ ପ୍ରକାଶିତ ।

 

୭.

ସଂ. ହି. ତା ୩୦-୭-୧୯୦୨ ସଂଖ୍ୟାରେ ‘ସମ୍ବଲପୁରରେ ଓଡ଼ିଆ ଭାଷା’ ସମ୍ବାଦରେ ୧୯୦୩ ପହିଲାରୁ ସମ୍ବଲପୁରରେ ଓଡ଼ିଆ ଭାଷା ଚଳିବାର ଘୋଷଣା ଆନନ୍ଦର ସହିତ କରାଯାଇଛି ।

 

ସମ୍ବଲପୁର ଭାଷା ଆନ୍ଦୋଳନର ପୃଷ୍ଠ ପୀଠିକାରେ ଓଡ଼ିଶା ଜାତୀୟ ଆନ୍ଦୋଳନର ସ୍ୱରୂପ ରଚିତ । ‘ଉତ୍କଳ ସମ୍ମିଳନୀ’ ରୂପକ ମହା ଅନୁଷ୍ଠାନର ସୃଷ୍ଟି ଅନ୍ତରାଳରେ ହିତୈଷିଣୀର ପ୍ରେରଣା ଏବଂ ଜାତୀୟତାବାଦର ଭୂମିକା ବିଦ୍ୟମାନ । ସମ୍ବଲପୁର ହିତୈଷିଣୀ ଏବଂ ଏହାର ସମ୍ପାଦକ ବିଦ୍ୟାରତ୍ନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ଫକୀରମୋହନ ଏ ଉକ୍ତି ପ୍ରତି ସ୍ୱୀକାରୋକ୍ତି ବାଢ଼ନ୍ତି–

 

‘‘କଳ୍ପଲତା ସମ୍ମିଳନୀ ଉତ୍କଳ ଦେଶରେ

ପ୍ରଥମରେ ଉପ୍ତବୀଜ ତୁମ୍ଭ ହୃଦୟରେ

ତୁମ୍ଭର ପତ୍ରିକା ଲଭିଅଛି ଉଚ୍ଚସ୍ଥାନ

ତୁମ୍ଭେ ଏକା କରିଜାଣ କବିଙ୍କୁ ସମ୍ମାନ ।’’

(ଅବସର ବାସରେ)

 

କେବଳ ଫକୀରମୋହନ ନୁହନ୍ତି ବରଂ ଓଡ଼ିଶାର ପରବର୍ତ୍ତୀ ବୁଦ୍ଧିଜୀବୀ ଗୋଷ୍ଠୀ ମଧ୍ୟ ଏ ଯୁଗାନ୍ତକାରୀ ଭୂମିକାକୁ ସମ୍ମାନ ଜଣାନ୍ତି ।

 

‘‘This newspaper of the adjacent feudatory state of Bamra gave expression to the public feeling when clearly declaring that the replacement of Oriya as the official language by Hindi was harmful to the interests of the the people to adopt measures against such official tyranny. The editor suggested that if a change of language is imperative for good administrative the district had better be transferred from the central provinces to the Orissa division of Bengal Presidency.’’

 

(This is the frist recorded statement of a desire for amalgamation of Sambalpur with the Orissa Division.)

 

The Political History of Orissa (1900-1936) By P. K. Mishra.

 

(ଘ) ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ତଥା ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ :

 

୧୮୫୪ ବେଳକୁ ସମ୍ବଲପୁର ଛୋଟନାଗପୁର କମିଶନରଙ୍କ ଶାସନାଧୀନ ଥିଲା । କେବଳ ସମ୍ବଲପୁର ନୁହେଁ ବରଂ ଗଞ୍ଜାମ ଅଞ୍ଚଳ ମାଡ୍ରାସ ପ୍ରେସିଡେନ୍‌ସି ଏବଂ ମୁଗଲବନ୍ଦୀ (କଟକ, ବାଲେଶ୍ୱର ପ୍ରଭୃତି) ଅଞ୍ଚଳ ବଙ୍ଗଳା ସରକାର ଅଧୀନରେ ରହି ଓଡ଼ିଶାର ଭାଗ୍ୟକୁ ଅବହେଳିତ ଓ ଖଣ୍ଡ ବିଖଣ୍ଡିତ କରି ତୋଳିଥିଲା । ଏ ପରିପ୍ରେକ୍ଷୀରେ ଓଡ଼ିଶାର ଅର୍ଥନୈତିକ, ରାଜନୈତିକ, ଏବଂ ସାମାଜିକ ସ୍ଥିତି ବିପର୍ଯ୍ୟସ୍ତ ତଥା ଶାସନଗତ ବୈଷାମ୍ୟ ଏ-ଭୂଖଣ୍ଡର ଐତିହ୍ୟ ଓ ସଂସ୍କୃତିକୁ ଭୂଲୁଣ୍ଠିତ କରି ଦେଇଥିଲା । ଏ ସମୟର ଓଡ଼ିଶାର ସାମୂହିକ ଉନ୍ନତି ସାଧନ, ଗମନାଗମନ ପଥର ଉନ୍ନତି ସହିତ ନିର୍ଭର କରୁଥିଲା ଏବଂ ଏ ରାଜ୍ୟର ଉନ୍ନତି ଏକ ଭାଷାକୈନ୍ଦ୍ରିକ ଅଖଣ୍ଡ ଓଡ଼ିଶା ଗଠନର ଅପେକ୍ଷାରେ ଥିଲା । ଏ ପର୍ଯ୍ୟାୟରେ ‘ଉତ୍କଳ ଦୀପିକା’, ‘ଉତ୍କଳପୁତ୍ର’ ‘ସମ୍ବାଦ ବାହିକା’ ଏବଂ ‘ସମ୍ବଲପୁର ହିତୈଷିଣୀ’ର ଅବଦାନ ଅନସ୍ୱୀକାର୍ଯ୍ୟ । ସମ୍ବଲପୁରର ଓଡ଼ିଶା ସହିତ ମିଶ୍ରଣ ନେଇ ୧୮୫୫ ମସିହାରେ ହେନ୍‌ରି ରିକେଟସ୍‌ ସାହେବ ପ୍ରଥମେ ମତ ପ୍ରକାଶ କରିଥିଲେ-

 

‘‘After much consideration, I am decidedly of opinion, that unless some reasonable and strong objections can be offered by the inhabitants, Sambalpur should be transferred to Cuttack. The inhabitants are most of them Oriyas and have no affinity or community of interest of any kind with the people of Chotanagpur. ......’’

 

ପଟଣା, ବୋଡ଼ା ସମ୍ବର, ଖଡ଼ିଆଳ, ବିନ୍ଦ୍ରା, ନୂଆଗଡ଼, ସାରଙ୍ଗଗଡ଼ ପ୍ରଭୃତି ମିଶ୍ରଣ ଉପରେ ମଧ୍ୟ ରିକେଟ୍‌ସ ସାହେବ ଗୁରୁତ୍ୱାରୋପ କରିଥିଲେ ।

 

ସମ୍ବଲପୁର ହିତୈଷିଣୀର ବିଭିନ୍ନ ସଂଖ୍ୟାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍ଦେଶ୍ୟରେ ଜନ ସଚେତନତା’ ସୃଷ୍ଟିକାରୀ ସମ୍ବାଦମାନ ପ୍ରକାଶ ପାଇଛି ।

 

୧.

ସଂ. ହି. ତା ୧୮-୩-୧୯୦୩ ସଂଖ୍ୟାରେ ପ୍ରାଦେଶିକ ସଂଯୋଗ ସମ୍ବାଦରେ ଏକ ମିଳିତ ଓଡ଼ିଶା ପ୍ରଦେଶ ଗଠନର ଅପରିହାର୍ଯ୍ୟତା ଘୋଷଣା କରାଯାଇଛି ।

 

୨.

ସଂ. ହି. ତା ୧୦-୧୧-୧୯୧୭ ସଂଖ୍ୟାରେ ନିମ୍ନଲିଖିତ ଘୋଷଣା ପ୍ରକାଶ ପାଏ–‘‘ଉତ୍କଳର ପ୍ରଧାନ ଅସୁବିଧା ଏକଭାଷୀମାନଙ୍କୁ ଏକତ୍ରୀକରଣ ବିଷୟରେ ଆନ୍ଦୋଳନ କରି ସେହି ଭାଗ୍ୟ ବିଧାତା (ସରକାର)ଙ୍କୁ ଜଣାଇବା ସମ୍ବନ୍ଧେ ଚେଷ୍ଟା କରିବା ସୁନ୍ଦର ହେଉଅଛି । ତେବେ ଏ ବିଷୟରେ ସମଗ୍ର ଉତ୍କଳର ଏକାଗ୍ରତା ଆବଶ୍ୟକ ଏବଂ ଏହି ଆନ୍ଦୋଳନ ସର୍ବବାଦୀସମ୍ମତ ଓ ନୀତି ଏବଂ ଆଇନସଙ୍ଗତ ଭାବେ ଚଳାଇବା ଉଚିତ । ଏଥିପ୍ରତି ଆମ୍ଭମାନଙ୍କର ସତର୍କତା ନିତାନ୍ତ ପ୍ରୟୋଜନ ।’’

 

୩.

ସଂ. ହି. ତା. ୨୪-୪-୧୯୨୦ ସଂଖ୍ୟାରେ ‘‘ଗଞ୍ଜାମ ଓଡ଼ିଆ ଜିଲ୍ଲା ସମିତି’’ ସମ୍ବାଦରେ ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣର ଉପାୟ ସଂପର୍କରେ ସୂଚନା ଦିଆଯାଇଛି ।

 

୪.

ସଂ. ହି. ତା ୩-୩-୧୯୨୩ ସଂଖ୍ୟାରେ ମେଦିନୀପୁର ଓଡ଼ିଆଙ୍କ ଦୁର୍ଦ୍ଦଶା ବର୍ଣ୍ଣନା ଛଳରେ ତାହାର ଓଡ଼ିଶା ସହିତ ମିଶ୍ରଣ ଦାବୀ କରାଯାଇଛି ।

 

ଉତ୍କଳ ଦୀପିକା ବ୍ୟତିରେକେ ବିଚ୍ଛିନ୍ନାଞ୍ଚଳ ଏକତ୍ରୀକରଣର ଆନ୍ଦୋଳନରେ ସଂବଲପୁର ହିତୈଷିଣୀ ଏକ ପ୍ରମୁଖ ଭୂମିକା ସମ୍ପାଦନ କରିଅଛି ।

 

ଉଲ୍ଲିଖିତ କାରଣସମୂହକୁ ବିଚାର କଲାବେଳେ ସଂ. ହି. ର ଓଡ଼ିଶାରେ ରେଳପଥ ନିର୍ମାଣ ସମ୍ପର୍କୀୟ ଭୂମିକାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଏତଦ୍‌ବ୍ୟତୀତ ବିବିଧ ସମାଚାର, ସମାଜ ସଂସ୍କାର, ଅସବର୍ଣ୍ଣ ବିବାହ, ଓଡ଼ିଶାର ପତ୍ରପତ୍ରିକା, ସମ୍ପର୍କୀୟ ଲେଖା, ସାହିତ୍ୟିକ ଆଲୋଚନା, କବିତା, ଗଳ୍ପ, ଭ୍ରମଣ କାହାଣୀ. ବୈଜ୍ଞାନିକ ସନ୍ଦର୍ଭ ପ୍ରଭୃତି ପ୍ରକାଶିତ ହେଉଥିଲା । ମୁଖ୍ୟତଃ ସାହିତ୍ୟିକ, ସମାଜିକ, ଆଧ୍ୟାତ୍ମିକ, ରାଜନୈତିକ ତଥା ବୈଜ୍ଞାନିକ ସଚେତନତା ସୃଷ୍ଟି ଏ ପତ୍ରିକାର ଆଭିମୁଖ୍ୟ ଥିଲା ।

 

ଉତ୍କଳୀୟ ସଂସ୍କୃତି ସହିତ ଏକାତ୍ମ ହୋଇଥିଲା ଏ ପତ୍ରିକା । ଜନଜୀବନକୁ ନିୟନ୍ତ୍ରିତ କରିଥିଲା ଆଧୁନିକତାର ପରିପ୍ରେକ୍ଷୀରେ । ଆଧୁନିକ ସାହିତ୍ୟର ପ୍ରତିଷ୍ଠା, ଶିକ୍ଷାର ପ୍ରସାର, ସାଂସ୍କୃତିକ ଜାଗରଣ, ସର୍ବୋପରି ଜନଜୀବନକୁ ସମାଜ ସଚେତନ କରି ଗଢ଼ି ତୋଳିବାରେ ଏ ପତ୍ରିକାର ମହନୀୟ ଅବଦାନ ଓଡ଼ିଶା ଇତିହାସରେ ଚିରଭାସ୍ୱର ହୋଇ ରହିବ ।

 

ଆଜି ଏ ପତ୍ରିକା ପ୍ରକାଶନର ଏକ ଶତାବ୍ଦୀ ପରେ ତାହାର ଅମୂଲ୍ୟ ଦାନକୁ ବିନମ୍ର ସ୍ମରଣ କରୁଛି ।

 

ସହାୟକ ଗ୍ରନ୍ଥ :-

ସଂବଲପୁର ହିତୈଷିଣୀ (କେତୋଟି ସଂଖ୍ୟା)

ଆଧୁନିକ ଓଡ଼ିଆ ସାହିତ୍ୟକୁ ବାମଣ୍ଡାର ଦାନ–ଅଧ୍ୟାପକ ରାମଚନ୍ଦ୍ର ବ୍ରହ୍ମା ।

ଓଡ଼ିଆ ଆନ୍ଦୋଳନର ଇତିହାସ–ପଣ୍ଡିତ ଶ୍ରୀ ବାଇକୋଳି ମହାପାତ୍ର ।

ସିମିଳା ଯାତ୍ରା–ଶ୍ରୀପତି ମିଶ୍ର ।

ଓଡ଼ିଆ ସାହିତ୍ୟର ଇତିହାସ–ଡଃ ନଟବର ସାମନ୍ତରାୟ ।

ଫକୀର ମୋହନ ଗ୍ରନ୍ଥାବଳୀ ।

The Political History of Orissa - P. K. Mishra.

ଊନବିଂଶ ଶତାବ୍ଦୀର ଓଡ଼ିଶା–ସୂର୍ଯ୍ୟନାରାୟଣ ଦାସ ।

 

 

ଫରେଷ୍ଟ ରେଞ୍ଜର କଲେଜ, ଅନୁଗୁଳ

ଢ଼େଙ୍କାନାଳ-୭୫୯୧୨୨

 

***

 

Unknown

ଲୋକ-କାହାଣୀର ସ୍ୱାତନ୍ତ୍ର୍ୟ

ଡକ୍‌ଟର କଇଳାଶ ପଟ୍ଟନାୟକ

 

ଆଧୁନିକ କ୍ଷୁଦ୍ରଗଳ୍ପ ପଠନ ଅଭ୍ୟସ୍ତ ସାଧାରଣ ପାଠକଙ୍କ ପାଖରେ ଲୋକ-କାହାଣୀର ପରିଚୟ ‘ରାଜାରାଣୀ ଗପ’ କି ‘ପଶୁପକ୍ଷୀ ଗପ’ କି ‘ଭୂତପ୍ରେତ ରାକ୍ଷସ ଗପ’ ଭାବେ ସୀମିତ । ଲୋକ-କାହାଣୀର ପରିଚୟ କ’ଣ ସତରେ କେବଳ ଏତିକି ? ନା ଏହାର ଅନ୍ୟ କିଛି ବୃହତ୍ତର ପରିଚୟ ଅଛି ? ଲୋକ-କାହାଣୀର ଚର୍ଚ୍ଚାସହ ଯେଉଁମାନଙ୍କର ସକ୍ରିୟ ସମ୍ପର୍କ ଅଛି ସେମାନେ ଜାଣିଛନ୍ତି ଏହା କେବଳ ରାଜାରାଣୀ...ଇତ୍ୟାଦିର ଗପ ନୁହେଁ ! ଏହି ପରିଚୟର ଅନ୍ତରାଳରେ ଏହାର ଥାଏ ସ୍ୱତନ୍ତ୍ର ଏକ ବୃହତ୍ତର ଆବେଦନ । କ୍ଷୁଦ୍ରଗଳ୍ପ ଜୀବନର ଖଣ୍ଡିତାଂଶକୁ, ମଣିଷ ମନର ଅବଦମିତ ରହସ୍ୟକୁ, ଜୀବନର ବାସ୍ତବିକତାକୁ ନାନା ଭାବେ ଉଦ୍‌ଭାସିତ କରେ । ଲୋକ-କାହାଣୀର କ୍ଷେତ୍ର ଓ ସ୍ୱରୂପ ଭିନ୍ନ । ଯେଉଁଥିପାଇଁ କ୍ଷୁଦ୍ରଗଳ୍ପର ଅଭ୍ୟସ୍ତ ପାଠକ ପାଖରେ ତାର ଚେହେରା ନିଆରା ।

 

ଲୋକ-କାହାଣୀର ଏ ନିଆରା ଚେହେରା ଭିତରର ନିଆରା ସ୍ୱରୂପକୁ ଜାଣି ପାରିଲେ ତା’ର ପ୍ରକୃତ ପରିଚୟ ମିଳିପାରିବ । ଆଧୁନିକ କ୍ଷୁଦ୍ରଗଳ୍ପ ଅପେକ୍ଷା ଲୋକ-କାହାଣୀର ପାର୍ଥକ୍ୟ ତା’ରି ବିଚାର ମାଧ୍ୟମରେ ଏହାର ସ୍ୱାତନ୍ତ୍ର୍ୟ ସ୍ପଷ୍ଟ ହୋଇପାରିବ ଓ ଏହାହିଁ ତାର ସ୍ୱରୂପକୁ ସ୍ପଷ୍ଟଭାବେ ଚିହ୍ନିତ କରିପାରିବ ।

 

ଲୋକ-କାହାଣୀର ସ୍ୱାତନ୍ତ୍ର୍ୟ ବିଚାର ଏହାର କଥାବସ୍ତୁ, ଚରିତ୍ର, ଶୈଳୀ ଆଦିକୁ କେନ୍ଦ୍ର କରି କରାଯାଇ ପାରେ।

 

କଥାବସ୍ତୁଗତ ସ୍ୱାତନ୍ତ୍ର୍ୟ :

ଲୋକ କାହାଣୀମାନଙ୍କରେ ଏକ ସୁପରିକଳ୍ପିତ, ସୁଗଠିତ କଥାବସ୍ତୁ ରହିଥାଏ । ନିର୍ଦ୍ଦିଷ୍ଟ ଘଟଣା, ଚରିତ୍ର ବା ପରିବେଶର ପରିଚୟାତ୍ମକ ଆରମ୍ଭ, ବିପଦ/ଦ୍ୱନ୍ଦ୍ୱ ସଂକୁଳ ମଧ୍ୟଭାଗ ଓ ଏକ ସୁଖଦ ପରିଣତିଯୁକ୍ତ ଆଖ୍ୟାନକୁ ଲୋକ-କାହାଣୀ ପ୍ରକାଶ କରେ । ଆଧୁନିକ କ୍ଷୁଦ୍ରଗଳ୍ପରେ ଯାହା ସର୍ବଥା ବର୍ଜିତ । ସାଂପ୍ରତିକ ଜୀବନସ୍ଥିତିର ଯଥାଯଥ ଚିତ୍ରଣ ବା ମୂଲ୍ୟାୟନ ସାଂପ୍ରତିକ କ୍ଷୁଦ୍ରଗଳ୍ପର ଧର୍ମ । ଲୋକ-କାହାଣୀର କଥାବସ୍ତୁ ଏ ଦୃଷ୍ଟିରୁ ଅତୀତ-ଭିତ୍ତିକ । ରାଜା, ରାଣୀ, ରାକ୍ଷସ ଆଦି ବର୍ତ୍ତମାନ ଅଦୃଶ ଚରିତ୍ରମାନଙ୍କ କ୍ରିୟାକଳାପ ଭିତ୍ତିରେ ଏହାର କଥାବସ୍ତୁ ଗଢ଼ି ଉଠିଥାଏ । ପରିବହନର ମାଧ୍ୟମ ଏଠି ଘୋଡ଼ା, ହାତୀ ବା ସବାରୀ । ଆକ୍ରମଣ ବା ଆତ୍ମାରକ୍ଷାର ଅସ୍ତ୍ର ଖଡ଼୍‌ଗ ବା ଧନୁଶର । ବିଶେଷ ବିଶେଷ ଅବସ୍ଥାରେ ମନ୍ତ୍ର ଓ ଐନ୍ଦ୍ରଜାଲିକ ବସ୍ତୁ ଆଦିର ପ୍ରୟୋଗ–ଏ ସମସ୍ତ କଥାବସ୍ତୁର ଏକ ଅତୀତମୁଖୀ ରୂପ ପ୍ରକାଶ କରେ ।

 

ପ୍ରତିଟି ଲୋକ-କାହାଣୀର କଥାବସ୍ତୁ ନ୍ୟାୟୀ ଓ ଅନ୍ୟାୟୀ, ଧର୍ମିକ ଓ ଅଧାର୍ମିକ ଏଇ ଦୁଇ ପକ୍ଷର ପାରସ୍ପରିକ ଦ୍ୱନ୍ଦ୍ୱ, ସଂଘର୍ଷକୁ ଭିତ୍ତି କରିଥାଏ । ସବୁବେଳେ କିନ୍ତୁ ଦୃଷ୍ଟିଶକ୍ତି ପରାଭୁତ ହୁଏ । ପାପ ଓ ଅଧର୍ମକାରୀ ଚରିତ୍ର ବିନଷ୍ଟ ହୁଏ । ନ୍ୟାୟ ଓ ସତ୍ୟପଥରେ ଚାଲିଥିବା ଚରିତ୍ର ବିଜୟୀ ଓ ପ୍ରଶଂସ୍ୟ ହୁଏ । କଥାବସ୍ତୁର ଏବଂବିଧ ନ୍ୟାୟ, ଧର୍ମ ଓ ସତ୍ୟାସକ୍ତି କୌଣସି କୌଣସି ଆଧୁନିକ କ୍ଷୁଦ୍ରଗଳ୍ପରେ ଅପ୍ରତ୍ୟକ୍ଷ ରୂପରେ ଆସେ । ଲୋକ-କାହାଣୀରେ ଏହା ଆସେ ପ୍ରତ୍ୟକ୍ଷ ରୂପେ-

 

କୌଣସି ବି ଲୋକ-କାହାଣୀର କଥାବସ୍ତୁରେ ଧର୍ମ-ସଂକୀର୍ଣ୍ଣତା ଦୃଶ୍ୟ ହୁଏ ନାହିଁ । ପ୍ରତିଟି ଲୋକ-କାହାଣୀ ନିଜର ଭାଷିକ-ପରିଚୟରେ ପରିଚିତ ହୁଏ । ଯେପରି, ଓଡ଼ିଆ, ଭୋଜପୁରୀ ବା ଜର୍ମାନୀ କାହାଣୀ । କୌଣସି ବି ଲୋକ-କାହାଣୀ ହିନ୍ଦୁ, ମୁସଲମାନ ବା ପାର୍ଶି, ଇହୁଦୀର କାହାଣୀ ବୋଲି ପରିଚିତ ହୋଇ ନଥାଏ । ବ୍ରତ, ଓଷା କଥାମାନଙ୍କରେ କିମ୍ବା ଧର୍ମୀୟ କିମ୍ବଦନ୍ତୀ ଆଦିରେ କୌଣସି କୌଣସି ଦେବଦେବୀ, ମହାପୁରୁଷଙ୍କର ମହାତ୍ମ୍ୟ ବର୍ଣ୍ଣିତ ହୋଇଥାଏ । ଅନ୍ୟ କୌଣସି ଧର୍ମ ପ୍ରତି ଏଥିରେ ଅକ୍ଷେପ, କୁତ୍ସା ବା ହେୟ ଭାବର ସୂଚନା ନଥାଏ । ଧର୍ମର ଉଦାର, ମଙ୍ଗଳମୟ ସ୍ୱରୂପ ଏଥିରେ ପ୍ରଦର୍ଶିତ ।

 

ନିୟତି ବା ଭାଗ୍ୟଦ୍ୱାରା ଲୋକ-କାହାଣୀର କଥାବସ୍ତୁ ନିୟନ୍ତ୍ରିତ ହୋଇଥାଏ । ମନୁଷ୍ୟର ଶକ୍ତି ନିୟତି ସମ୍ମୁଖରେ ପରାଜିତ ହୁଏ । ଭାଗ୍ୟଦ୍ୱାରା ଚରିତ୍ରମାନଙ୍କର ଗତିବିଧି ହୁଏ ନିରୂପିତ । ପ୍ରତିପତ୍ତିଶାଳୀ ଅହଂକାରୀ ରାଜା କେଉଁଠି ଦାଣ୍ଡର ଭିକାରୀ ହୁଏତ ରୋଗୀ ଦୁଃଖୀ କେହି ରାଜକନ୍ୟା ବାହାହେଇ ନିଜକୁ ପ୍ରତିଷ୍ଠିତ କରେ । ଭାଗ୍ୟ ବିପକ୍ଷରେ ଗତିକରି କେହି ସଫଳ ହୁଅନ୍ତି ନାହିଁ । କପାଳ ଲିଖନର ଅପ୍ରତିହତତାକୁ ଲୋକ-କାହାଣୀ ସ୍ୱୀକାର କରେ ।

 

ଚରିତ୍ରଗତ ସ୍ୱାତନ୍ତ୍ର୍ୟ :

ଲୋକ-କାହାଣୀରେ କେବଳ ମଣିଷ ନୁହେଁ, ଦେବଦେବୀ, ପଶୁପକ୍ଷୀ, ସରୀସୃପ, ଉଦ୍ଭିଦ, ଏପରିକି ନିତ୍ୟବ୍ୟବହାର୍ଯ୍ୟ ଗୃହୋପକରଣ ମଧ୍ୟ ଚରିତ୍ରଭାବେ ଆସି ଥାଆନ୍ତି । ଏଥିରେ ଅସ୍ୱାଭାବିକତା ପ୍ରତୀତ ହୁଏ ନାହିଁ । ଦେବଦେବୀ ଲୌକିକ ଭାବେ (ବଙ୍ଗଳା କାହାଣୀ ‘ସବୁଦ୍ଧି’ରେ ଶିବ ମଧ୍ୟ ଗୌରୀଙ୍କୁ ଫେରି ପାଇବାକୁ ବ୍ରତ କରୁଛନ୍ତି), ପଶୁପକ୍ଷୀ ଉଦ୍ଭିଦାଦି ମାନବୀୟ ବାକ୍‌ ଓ ଚିନ୍ତାଶକ୍ତି ନେଇ କାହାଣୀରେ ରହିଥାଆନ୍ତି । ଏସବୁ ଦୃଷ୍ଟିରୁ କ୍ଷୁଦ୍ରଗଳ୍ପ ଅପେକ୍ଷା ଲୋକ-କାହାଣୀର ଚରିତ୍ର-କ୍ଷେତ୍ରରେ ବ୍ୟାପକତା ଓ ବିଚିତ୍ରତା ସ୍ୱୀକୃତ ।

 

ଦ୍ୱିବିଧ ଚରିତ୍ରକୁ ନେଇ ଲୋକ-କାହାଣୀ ଗଢ଼ି ଉଠିଥାଏ । ଗୋଟିଏ ଧରଣର ଚରିତ୍ର ଭଲ, ଅପର ଧରଣର ମନ୍ଦ । ଏ ଉଭୟ ପ୍ରକାର ଚରିତ୍ରର ଚିନ୍ତା ଓ କର୍ମରେ ସେମାନଙ୍କର ଭଲତ୍ୱ ଓ ମନ୍ଦତ୍ୱ ଫୁଟିଉଠେ । ସାଧୁ ଚରିତ୍ର ସତ୍‌, ବିବେକୀ, ଧାର୍ମିକ, ନୀତିପରାୟଣ ହୋଇଥିବା ବେଳେ ଖଳଚରିତ୍ର ହୋଇଥାଏ ଅସତ୍‌, ଅବିବେକୀ, ଅଧାର୍ମିକ, ପାପାସକ୍ତ । କାହାଣୀର ମୂଳରୁ ଶେଷ ପର୍ଯ୍ୟନ୍ତ ଚରିତ୍ରର ଗୁଣ ଅପରିବର୍ତ୍ତିତ ହୋଇ ରହିଥାଏ । ପ୍ରତିଟି ଚରିତ୍ର ଏହି ଦୃଷ୍ଟିରୁ ସରଳରୈଖିକ (Flat) । ଆଧୁନିକ କ୍ଷୁଦ୍ରଗଳ୍ପରେ ନାନା କାରଣରୁ ସରଳରୈଖିକ ଚରିତ୍ର ଯେପରି ବର୍ତ୍ତୂଳ (Dynamic ବା Round) ଚରିତ୍ରରେ ରୂପାୟିତ ହୁଏ-ଲୋକ-କାହାଣୀରେ ସେପରି ଘଟେ ନାହିଁ ଓ ଏହି ନଘଟିବା ହିଁ ତା’ର ବୈଶିଷ୍ଟ୍ୟ । ମନୁଷ୍ୟ, ଭୂତପ୍ରେତ, ରାକ୍ଷସ, ପଶୁପକ୍ଷୀ, ସରୀସୃପ-ପ୍ରତ୍ୟେକ ଧରଣର ଚରିତ୍ର ଏଇ ଦୁଇ ବିପରୀତଧର୍ମୀ ଗୁଣ-ଭୂଷିତ ହୋଇ ଲୋକ-କାହାଣୀରେ ଦେଖାଦିଅନ୍ତି ।

 

ଲୋକ-କାହାଣୀର ଚରିତ୍ରମାନଙ୍କୁ ଅନୁଧ୍ୟାନ କଲେ ଜଣାପଡ଼େ, ଦୁର୍ବଳ ବା ଗୌଣ ଚରିତ୍ରଟି ଆଶ୍ଚର୍ଯ୍ୟ ଓ ଅବିଶ୍ୱାସ୍ୟକର ଭାବେ ସବଳ, ଦୃଷ୍ଟଶକ୍ତି ପାଖରୁ ବା କୌଣସି ଆସନ୍ନ ବିପଦରୁ ନିଜକୁ ବଞ୍ଚାଇ-ପରିସ୍ଥିତି ବା ଶତ୍ରୁକୁ ଜୟକରି ନିଜର ଯୋଗ୍ୟତା ପ୍ରମାଣିତ କରେ । ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସଂଗୃହୀତ ‘ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ’ କାହାଣୀଟିରେ ବିଜ୍ଞ ପଣ୍ଡିତ ଯାହା କରିପାରୁ ନାହାନ୍ତି, ତାଙ୍କର ଭଣ୍ଡାରୀ ଟୋକାଟି ତାହା କରିପାରିଚି । ଏହାଙ୍କ ସଂଗୃହୀତ ‘ସରଗର ଦରପଣ’ରେ ବଡ଼ଭାଇଠାରୁ ସାନଭାଇ ଶଠତାରେ ଅଧିକ ଧନ ଅର୍ଜନ କରି ନିଜର ଯୋଗ୍ୟତା ଦର୍ଶାଇଚି । ଉଦାହରଣ, ଯେକୌଣସି ଲୋକକାହାଣୀ ପଢ଼ିଲେ ହିଁ ମିଳିପାରିବ । ସବୁଠି ସାନପୁଅ, ସାନଝିଅ ବା ସାନରାଣୀଙ୍କର ହୋଇଥାଏ ନିଶ୍ଚିତ ବିଜୟ । ଏ ପ୍ରକାର ସ୍ୱାତନ୍ତ୍ର୍ୟ ପଛରେ ବିଦ୍ୟମାନ ଲୋକ-ମନସ୍ତତ୍ତ୍ୱ (Folk Psychology) । ସାଧାରଣ ଲୋକଙ୍କ ନିଜ ସାହୁକାର, ଜମିଦାର ଆଦିଙ୍କ ମନମୁଖୀନତା, ଅତ୍ୟାଚାର, ଶୋଷଣରୁ ରକ୍ଷା ପାଇବା, ସେ କଷ୍ଟର ପ୍ରତିଶୋଧ ନେବାର ଅବଚେତନସ୍ଥ ଅସ୍ପଷ୍ଟ ଇଚ୍ଛା କାହାଣୀ ମାଧ୍ୟମରେ ରୂପ ନିଏ । ରାକ୍ଷସ, ଅତ୍ୟାଚାରୀ ରାଜା ବା ଦୁର୍ମତି ବିମାତା ଭାବେ ସାହୁକାର ବା ତା’ର ପତ୍ନୀକୁ କଳ୍ପନା କରି ଗୋଟିଏ ନଗଣ୍ୟ ବା କନିଷ୍ଠ ଚରିତ୍ରଦ୍ୱାରା ସେମାନଙ୍କୁ ପରାଜିତ କରି ସାଧାରଣ ଲୋକେ ନିଜ ମନର ପ୍ରତିଶୋଧ-ଭାବନାକୁ ରୂପକାତ୍ମକ ଭାବେ ସ୍ୱୀକାର କରନ୍ତି ।

 

ଯେଉଁ ପଶୁପକ୍ଷୀ ଓ ସରୀସୃପମାନେ ଲୋକ-କାହାଣୀରେ ଚରିତ୍ରଭାବେ ଦେଖାଦିଅନ୍ତି, ସେମାନେ ଶାରୀରିକତାରେ ଜାଗତିକ ପଶୁପକ୍ଷୀ ଓ ସରୀସୃପ ପରି ହେଲେ ହେଁ ମଣିଷ ଅନୁରୂପ ଚିନ୍ତା ଓ ବାକ୍‌ଶକ୍ତି ମଧ୍ୟ ସେମାନଙ୍କର ରହିଥାଏ । ଏହି ବୈଶିଷ୍ଟ୍ୟ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ଏହି ସ୍ୱାତନ୍ତ୍ର୍ୟ ଯୋଗୁଁ କଥାକୁହା ପ୍ରାଣୀ (Talking animal) ଗୋଟିଏ ସ୍ୱତନ୍ତ୍ର ଅଭିପ୍ରାୟ (motif) ଭାବରେ ଲୋକକାହାଣୀ ଚର୍ଚ୍ଚାରେ ସ୍ୱୀକୃତ । ପାଶ୍ଚାତ୍ୟ ଦେଶମାନଙ୍କ ଅପେକ୍ଷା ଭାରତର ଏ ପ୍ରକାର ଚରିତ୍ରମାନଙ୍କର ପାର୍ଥକ୍ୟ ହେଉଛି, ଏମାନେ ମଣିଷ ସୁଲଭ । ପଞ୍ଚତନ୍ତ୍ରର ଜର୍ମାନୀ ଅନୁବାଦ କରିବା ବେଳେ ଥିଓଡ଼ର ବେନଫେ ମଧ୍ୟ ଇଶପ କାହାଣୀର ପଶୁପକ୍ଷୀଙ୍କଠାରୁ ଏଇ ଗୁଣଯୋଗୁଁ ଭାରତୀୟ ପଶୁପକ୍ଷୀଙ୍କୁ ସ୍ୱତନ୍ତ୍ର ବୋଲି ମତ ଦେଇଥିଲେ । ଭାରତୀୟ ପଶୁପକ୍ଷୀଙ୍କର ଚିନ୍ତା ଓ ବାକ୍‌ଶକ୍ତି କେବଳ ମନୁଷ୍ୟ ସୁଲଭ ନୁହେଁ, ସେମାନଙ୍କର ଆଚରଣ ମଧ୍ୟ ମନୁଷ୍ୟ ଅନୁରୂପ । ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସଂଗୃହୀତ ‘ଦିଗୋଡ଼ିଆଙ୍କୁ ବିଶ୍ୱାସ ନାଇଁ’ କାହାଣୀରେ ବାଘରାଜା ଯେତେବେଳେ କହିଚି ଯେ ବ୍ରାହ୍ମଣଟି ତା’ର ଧର୍ମପିତା ଓ ତାଙ୍କ ଦୟାରୁ ସେ କୂଅରୁ ଉଦ୍ଧାର ପାଇଚି ସେତେବେଳେ ବ୍ରାହ୍ମଣ ପ୍ରତି ସେମାନଙ୍କ କୃତ ଭୁଲପାଇଁ ସବୁ ବାଘଯାକ ଧାଡ଼ି ଧାଡ଼ି ଦାନ୍ତରେ କୁଟାନେଇ ବେକରେ ଗୋଛାଏ ଲେଖାଏଁ ପାଳଦଉଡ଼ି ପକେଇ ବ୍ରାହ୍ମଣ ଗୋଡ଼ତଳେ ପଡ଼ିଲେ ।’ ମଣିଷର କ୍ଷମା ଯାନୋଭଙ୍ଗୀ ଏଠାରେ ବାଘମାନଙ୍କଦ୍ୱାରା ଅନୁସୃତ ।

 

ଲୋକ-କାହାଣୀର ଚରିତ୍ରମାନଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଏମାନେ ପ୍ରତ୍ୟେକେ ନାମହୀନ । ବଂଶ, ଜାତି, ସାମାଜିକ ପ୍ରତିଷ୍ଠା ବା ପାରିବାରିକ ବୃତ୍ତିଗତ ପରିଚୟଦ୍ୱାରା ଏମାନେ ପରିଚିତ ହୋଇଥାଆନ୍ତି । ଯେପରି, ରାଜାପୁଅ, କଟୁଆଳ ପୁଅ, ରାକ୍ଷସ, ବ୍ରାହ୍ମଣ, ମାଲୁଣୀବୁଢ଼ୀ, ପାଟରାଣୀ, ସାନବୋହୂ, ସାଧବ, କୁମ୍ଭୀର, ବାଘ, ବାବନାଭୂତ, ସାହାଡ଼ାଗଛ, ଢ଼େଙ୍କି ଇତ୍ୟାଦି । ଏହାହିଁ ମୁଖ୍ୟତଃ ବିଶ୍ୱର ସମସ୍ତ ଲୋକକାହାଣୀର ଧର୍ମ । କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ମଧ୍ୟ ଲକ୍ଷିତ । ଅର୍ଥାତ୍‌ କେତେକ କାହାଣୀରେ ଚରିତ୍ରମାନେ ନାମ-ଚିହ୍ନିତ । କୁଞ୍ଜବିହାରୀ ଦାଶଙ୍କ ସଂଗୃହୀତ ‘ମଣିଷ ବିଚାର ଢେଉ’, ଦେବତା ବିଚାର ହେଉ, ଏପ୍ରକାର କାହାଣୀର ଏକ ପ୍ରକୃଷ୍ଟ ଉଦାହରଣ । ଏପରି ବ୍ୟତିକ୍ରମର କାରଣ, ଗଳ୍ପକଥକ ବା ଗଳ୍ପସାଗର କଥାଟି କହିବା ବେଳେ ସ୍ୱେଚ୍ଛାରେ ଚରିତ୍ରର ନାମକରଣ କରେ । ଶ୍ରୋତା ତାକୁ ମନେରଖେ ଓ ମୁହଁକୁ ମୁହଁ ସେହିପରି ଭାବେ ତାହା ଗତି କରେ । ମାତ୍ର ଏ ପ୍ରକାର ବ୍ୟତିକ୍ରମଯୁକ୍ତ କାହାଣୀର ସଂଖ୍ୟା ଖୁବ୍‌ କମ । ଚରିତ୍ରମାନେ ମୁଖ୍ୟତଃ ନାମହୀନ ।

 

ଶୈଳୀଗତ ସ୍ୱାତନ୍ତ୍ର୍ୟ :

ଆକସ୍ମିକତାହୀନ ଆରମ୍ଭ ହିଁ ଲୋକ-କାହାଣୀର ନିଜସ୍ୱଶୈଳୀ । ସ୍ଥାନ ବା ପାତ୍ର ସଂପର୍କୀୟ ଏକ ପରିଚୟାତ୍ମକ ଅନାକର୍ଷକ ବାକ୍ୟରୁ କହାଣୀର ଆରମ୍ଭ ଘଟେ । ଯେପରି, ‘ଗୋଟାଏ ରାଇଜରେ ଏକ ରାଜା ଥାଏ ଯେ, ସେ ରାଜାର ଗୋଟିଏ ପୁଅ ।’’ ଏକ ରାଇଜରେ ଗୋଟିଏ ବୁଢ଼ୀ ଥାଏ ଯେ, ତାର ଦିଓଟି ବୋହୂ ଥାଆନ୍ତି ।’ ଏକ ଦେଶରେ ଗୋଟିଏ ଚକୁଳିଆପଣ୍ଡାଟିଏ ଥାଏ, ସେଇଟି ଭାରି ଗରିବ ।’ ‘ଗୋଟିଏ ଗାଈଗୋଠିଆ ଥାଏ ।’ ‘ରାଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳ ପୁଅ, ଚାରିସଙ୍ଗାତ’ ଇତ୍ୟାଦି । ଆଧୁନିକ କ୍ଷୁଦ୍ରଗଳ୍ପ ପରି ଏପରି କୌଣସି ଏକ ଘଟଣାରୁ ଲୋକ-କାହାଣୀ ଆରମ୍ଭ ହୁଏ ନାହିଁ ଯାହା ଶୁଣିଦେବାମାତ୍ରେ ପରବର୍ତ୍ତୀ ଘଟଣା କଣ, ଜାଣିବାକୁ ଶ୍ରୋତା ଅନୁସନ୍ଧତ୍ସୁ ହେବ । ସର୍ବାଧିକ ଦ୍ୱନ୍ଦ୍ୱସଂକୁଳ, ବିପଦ୍‌ଜନକ କୌଣସି ଘଟଣାରୁ ଲୋକ-କାହାଣୀର ଆରମ୍ଭ ହୁଏ ନାହିଁ । ସମାପ୍ତି ମଧ୍ୟ ବିଧିବଦ୍ଧ ଭାବେ ଘଟେ । ସମସ୍ତ ଘଟଣାର ସୁସମାଧାନ ପରେ କାହାଣୀ ସରେ । ଆଉ କିଛି ଘଟିପାରେ ବା ଘଟିବା–ଏ କୌତୂହଳର ଅବକାଶ ନଥାଏ । ଅଥଚ ଆଧୁନିକ କ୍ଷୁଦ୍ରଗଳ୍ପର ଅନ୍ୟତମ ବୈଶିଷ୍ଟ୍ୟ ହେଉଚି ତାହା ଏପରି ଭାବେ ଶେଷ ହେବ ଯେପରି ମନେ ହେବ ଶେଷ ହୋଇନାହିଁ !

 

ଭୌଗୋଳିକତା ପ୍ରତି ଔଦାସିନ୍ୟ–ଲୋକକାହାଣୀର ଏକ ଦୃଷ୍ଟିଆକର୍ଷକ ଲକ୍ଷଣ । କୌଣସି ଦେଶର ନାମ କାହାଣୀରେ ଉଲ୍ଲିଖିତ ହୋଇନଥାଏ । ସେହିପରି ନଦନଦୀ, ବଣଜଙ୍ଗଲ, ପାହାଡ଼ ପର୍ବତର ନାମ ମଧ୍ୟ ଉଚ୍ଚାରିତ ହୋଇନଥାଏ । ‘ଅଗନାଅଗନି ବନସ୍ତ’କି ‘ସାତସମୁଦ୍ର ତେରନଈ’ ପରି ପ୍ରୟୋଗ ମଧ୍ୟରେ ଛଦ୍ମ ଭୌଗୋଳିକତା ପ୍ରକାଶିତ ହୋଇଥାଏ । କଦବା କ୍ୱଚିତ୍‌ କର୍ଣ୍ଣାଟ ଦେଶରେ, ଅବନ୍ତୀନଗରରେ, ଓଳାସୁଣୀପର୍ବତ ଆଦିର ଉଲ୍ଲେଖ ମୃଷ୍ଟିମେୟ କେତେକ ଲୋକକାହାଣୀରେ ପରିଦୃଷ୍ଟ ହୁଏ । ଲୋକକାହାଣୀର ଦେଶଦେଶାନ୍ତର ସଞ୍ଚରଣଶୀଳତାକୁ ଲକ୍ଷ୍ୟକଲେ ଜଣାଯାଏ ପ୍ରତି ଅଞ୍ଚଳର କିଛି ଆଞ୍ଚଳିକ ବୈଶିଷ୍ଟ୍ୟ କଥକ କାହାଣୀରେ ଖଞ୍ଜିଦେଇଥାଏ । ଆଞ୍ଚଳିକତାର ଚିହ୍ନ ଅନେକ କାହାଣୀରେ ଖୁବ୍‌ ସ୍ପଷ୍ଟ । ମାତ୍ର କୌଣସି ବି କାହାଣୀରେ କେହିବି କଥକ ନିଜ ଅଞ୍ଚଳର ନଦନଦୀ, ବଣପର୍ବତର ନାମୋଲ୍ଲେଖ କରିନାହାନ୍ତି । ଏପରି ବ୍ୟତିକ୍ରମ କାହିଁକି ? ଚରିତ୍ର ହେଉ ବା ବଣପର୍ବତ-କାହାରିକୁ ଲୋକକାହାଣୀକାର ନାମଦ୍ୱାରା ଚିହ୍ନିତ କରିବାର ପ୍ରବଣତା ଦେଖାଏ ନାହିଁ । ତେଣୁ ଜଣେ ରାଜା ଥିଲେ, ଗୋଟିଏ ରାଇଜ ଥିଲା ଆଦି ସେ କହେ । ଏତଦ୍‍ବ୍ୟତୀତ ନାମଦ୍ୱାରା ବକ୍ତବ୍ୟରେ ନିର୍ଦ୍ଦିଷ୍ଟତା ଆସିଯାଏ, ତା’ର ସାର୍ବଜନୀନତା କ୍ଷୂର୍ଣ୍ଣ ହୁଏ । ଲୋକକାହାଣୀଗୁଡ଼ିକରେ ନଦୀ ବଣ ପର୍ବତାଦିର ନାମ ନଥିବା ଫଳରେ ପ୍ରତି ଅଞ୍ଚଳର ଲୋକେ ତାକୁ ଆପଣାର କରିବାରେ ସକ୍ଷମ ହୋଇଛନ୍ତି ଓ ଏହାର ବ୍ୟାପ୍ତି ସହଜସାଧ୍ୟ ହୋଇଚି ।

 

ଏକ ବିଶେଷ ବାକ୍ୟାଂଶ, ପଦ୍ୟାଂଶ ବା ଗୁରୁତ୍ୱପୂର୍ଣ୍ଣ ଘଟଣାର ପୁନଃକଥନ ଲୋକ-କାହାଣୀର ଅନ୍ୟତମ ଶୈଳୀଗତ ବୈଶିଷ୍ଟ୍ୟ । ଆଧୁନିକ କ୍ଷୁଦ୍ରଗଳ୍ପର ଯେତେବେଳେ ଗୋଟିଏ ବି ଶବ୍‌ଦ ଅନାବଶ୍ୟକ ଭାବେ ଥିଲେ ତାହା ତାର ଦୋଷ ବୋଲି ପରିଗଣିତ ହୁଏ, ସେତେବେଳେ ଗୁରୁତ୍ୱପୂର୍ଣ୍ଣ ଘଟଣା ବା ବକ୍ତବ୍ୟ ପ୍ରକାଶିତ ହେଉଥିବା ବାକ୍ୟ, ବାକ୍ୟାଂଶର ପୁନରାବୃତ୍ତି ଲୋକ-କାହାଣୀର ଧର୍ମ । କଲୁରେଇବେଣ୍ଟ କଥାରେ କାଉଟିର କଥା ସ୍ମରଣ କରାଯାଇପାରେ । ତାର କଥନରେ ପୂର୍ବବର୍ତ୍ତୀ ବ୍ୟକ୍ତି ବା ବସ୍ତୁର ବକ୍ତବ୍ୟ ପୁନରାବୃତ୍ତି ହୋଇଥାଏ । ଫଳରେ କାଉର ଖାଦ୍ୟ-ଆକୁଳତା ସ୍ପଷ୍ଟଭାବେ ଶ୍ରୋତା ଅନୁଭବ କରେ । କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ବା ଅଂଶର କଥକ ପୁନରାବୃତ୍ତି କରିବାଦ୍ୱାରା ଶ୍ରୋତାମନରେ ତାହା ଲାଖିରହେ । କାହାଣୀ ଉପଭୋଗରେ ତାହା ସହାୟକ ହୁଏ । ଅପେକ୍ଷାକୃତ ଦୀର୍ଘକାହାଣୀଗୁଡ଼ିକରେ ଏହା ଫଳରେ ଧାରାବାହିକ ଘଟଣାର ସୂତ୍ର ଶ୍ରୋତା ପାଇଥାଏ ।

 

କାହାଣୀ ଉପସ୍ଥାପନାରେ ଏକ ଅନ୍ତରଙ୍ଗ କଥନଭଙ୍ଗୀ ଲୋକକାହାଣୀର ଅନ୍ୟତମ ଉଲ୍ଲେଖନୀୟ ଶୈଳ୍ପିକ ବୈଶିଷ୍ଟ୍ୟ । ଏହି ଶୈଳୀ ହିଁ ବର୍ଣ୍ଣିତ କାହାଣୀଟି କାହାଣୀ-କଥକର ‘ଚାକ୍ଷୁଷଘଟଣା’ ଏ ଭ୍ରମ ଶ୍ରୋତା ମନରେ ଜଣାଏ । ଶ୍ରୋତା କାହାଣୀକୁ କଥକର ପ୍ରତ୍ୟକ୍ଷଦର୍ଶୀ ଘଟଣାର ବିବରଣୀ ମନେକରେ । କାହାଣୀକୁ ବିଶ୍ୱାସ୍ୟ କରି ତୋଳିବାପାଇଁ ଏ ଶୈଳୀ ଯଥେଷ୍ଟ ସହାୟକ ହୁଏ । ଘୋଡ଼ାର ଟାପୁ ଶବ୍‌ଦ, ରାକ୍ଷସର ଗର୍ଜନ, ସାପର ଫୁତ୍‌କାର ଆଦିକୁ କଥକ ଧ୍ୱନ୍ୟାତ୍ମକ କରି ବିଶେଷଭାବେ ପ୍ରକାଶ କରେ । ରାଜପୁତ୍ରର ଦୀର୍ଘପଥ ଅତିକ୍ରମଣକୁ ବୁଝାଇବାକୁ ଯାଇ କହେ, ‘ଚାଲିଚିତ ଚାଲିଚିତ ଚାଲିଚି......’ କିମ୍ବା ‘ଯାଉ ଯାଉ ଯାଉ.....’ । ଏତଦ୍‌ବ୍ୟତୀତ ବଣଜଙ୍ଗଲର ନିର୍ଜନତା, ବିପଦଶଙ୍କୁଳତାକୁ ପ୍ରକାଶ କରିବାପାଇଁ କୁହାଯାଏ, ‘ପତର ପଡ଼ିଲେ ପଥର ପଡ଼ିଲା ପରି’, ‘କୁଆଟେ ଉଡ଼ିଗଲେ ଛୁଆଟେ ଉଡ଼ିଗଲା ପରି’ । ଅସୁରୁଣୀର ବର୍ଣ୍ଣନା ହୁଏ, ‘କଳାମଚମଚ ବୁଢ଼ୀଟିଏ, ମୁଣ୍ଡବାଳ ପାଚି ଝୋଟ ହୋଇଗଲାଣି, ପାଚିଲାମୂଳାପରି ଗୋଟେ ଦିଟା ଦାନ୍ତ.....।’ ଫଳରେ ବର୍ଣ୍ଣନାଟି ଅଧିକତର ମୂର୍ତ୍ତ (Concrete) ହୋଇ ଶ୍ରୋତାମନକୁ ସ୍ପର୍ଶ କରେ-। ବର୍ଣ୍ଣନାର ଏପରି ଚିତ୍ରାତ୍ମକତା ଶ୍ରୋତାପ୍ରାଣରେ କାହାଣୀର ବର୍ଣ୍ଣନା ଅନୁରୂପ ଏକ ପରିବେଶ ତିଆରି କରେ । କାହାଣୀର ଘଟଣା ଓ ଚରିତ୍ରମାନଙ୍କୁ ଏପରି ନାନାଭାବେ ଦେଖାଇବାଦ୍ୱାରା କାହାଣୀଟି କଥକର ‘ଅଙ୍ଗେ ନିଭାଇଲା, କଥା ବୋଲି ଶ୍ରୋତାର ହୃଦ୍‌ବୋଧ ହୁଏ । ପ୍ରହରାଜ ସଂଗୃହୀତ ମାଡ଼ହାଣ୍ଡିକଥାରେ ଦରିଦ୍ର ମା ପୁଅ ଦିହେଁ ମାଡ଼ହାଣ୍ଡି ଦୟାରୁ ଯଥେଷ୍ଟ ଧନପାଇ ପାରିଚନ୍ତି । ତା’ପରବର୍ତ୍ତୀ ଘଟଣାର ବର୍ଣ୍ଣନା ଏହିପରି–‘ତହିଁଆର ଦିନ ସକାଳୁଁ ସେ ଅସରପିତକ ମାପିବେ ବୋଲି ବୁଢ଼ୀ ଆସି ଆମ ଘରୁ ଆମ ଛଅସେରିଆ ଗଉଣୀଟି ମାଗିନେଇ ଥିଲା ଯେ, ମୁଁ ମନେ ମନେ ପାଞ୍ଚିଲି, ୟାଙ୍କର ତ ଅଇର ଖପରା ବଇରିବା, ୟେ କଅଣ ମାପିବାକୁ ଗଉଣୀ ନେଲେମ ? ୟା ବିଚାରି ଦିହରୁ ବୁଦ୍ଧିକାଢ଼ି ଆମ ଗଉଣୀ ପେଟରେ ଟିକିଏ ମହୁସିଠା ମାଡ଼ି ଦେଇଥିଲି ଯେ ବୁଢ଼ୀ ଆମ ଗଉଣୀ ଫେରେଇ ଦେଲା ବେଳକୁ ଦେଖେ ତ ଗଉଣୀ ପେଟରେ ବନହଳଦୀ ଭଳି ଅସଲ ଜଇପୁରୀ ମଉଡ଼ଟିଏ ଲାଗିଛି । ମୁଁ ତାକୁ ନେଇ ଆମ ଗୁରୁବାର ମାଣ ଦିହରେ ରଖିଦେଲି । ଚକୁଳିଆପଣ୍ଡା ଘରକୁ ବାଆଁରା ବାଆଁରି ହେଇ ବୁଲଚାଲ ହେଇ କରିଗଲି । ମାଆ ପୁଅ ଦିହଙ୍କି ଦିହେଁ ମତେ ଆଉ ପାଟି ଫିଟେଇଲେ ନାହିଁ । ମୁଁ ତେଣୁ ଆସି ବଣିଆକୁ ଡକେଇ ସେ ମଉଡ଼ କଟା ସୁନାରେ ପୁଅ, ଝିଅ; ନାତି ନାତୁଣୀଙ୍କ ପାଇଁ କାନକୁ, ନାକକୁ, ବେକକୁ, ମୁଣ୍ଡକୁ ଜାତିଜାତିକା ଅଳଙ୍କାର ଗଢ଼େଇଲି । ଘରଦୁଆର କରି ରହିଲି । ମୋ କଥାଟି ସଇଲା, ଫୁଲ ଗଛଟି ମଲା ।’

 

ଆବଶ୍ୟକତା ଅନୁଯାୟୀ ଅଭିପ୍ରାୟ (Motif) ପ୍ରୟୋଗ କରି କଥକ ସର୍ବଦା କାହାଣୀକୁ ଗତିଶୀଳ କରି ରଖେ । ଅଭିପ୍ରାୟ କେବେ କଥାକୁହା ପ୍ରାଣୀ ପରି ଚରିତ୍ର ରୂପରେ ତ କେବେ ନିଷେଧ (Taboo) ଭାବେ ବର୍ଣ୍ଣନାରେ ଆସି କାହାଣୀର ବୈଚିତ୍ର୍ୟ ସୃଷ୍ଟି କରେ । ନିରୂପାୟ ଦୁର୍ବଳ ମୁଖ୍ୟ ଚରିତ୍ରକୁ ହଠାତ୍‌ ହୁଏତ ମନପବନ କଠଉ ବା ବାନ୍ଧ ବାନ୍ଧ ଦଉଡ଼ି, ପିଟ ପିଟ ଠେଙ୍ଗା ମିଳିଯାଏ–ସେ ଦୁର୍ଗମପଥ ମୁହୂର୍ତ୍ତକେ ଯାତ୍ରାକରି ଅଭିଷ୍ଟ ସାଧନା କରେ । ୟେ କଠଉ, ଦଉଡ଼ି ବା ଠେଙ୍ଗା ମଧ୍ୟ ଅଭିପ୍ରାୟ । କୁହୁକ ଖଣ୍ଡା, ଅଦୃଶ୍ୟକାରୀ ମୁଦି, କୁହୁକମାଳା, ଭୋକ ଲଡ଼ୁ ଶୋଷଲଡ଼ୁ, ଜୀବଦାନକାରୀ ଫୁଲ ଆଦି ବିଭିନ୍ନ ପ୍ରକାରର ଅଭିପ୍ରାୟ । କାହାଣୀରେ ଗତି ଓ ବୈଚିତ୍ର୍ୟ ଦେବାରେ ଏଗୁଡ଼ିକର ଭୂମିକା ସ୍ୱୀକାର୍ଯ୍ୟ । ଆଧୁନିକ କ୍ଷୁଦ୍ରଗଳ୍ପ ବ୍ୟକ୍ତି-ଜୀବନ ଓ ସାମାଜ-ଜୀବନର ନିତ୍ୟପ୍ରାତ୍ୟହିକ ବାସ୍ତବିକତାର ଚିତ୍ର ଉପସ୍ଥାପିତ କରିବା ବେଳେ ଲୋକ-କାହାଣୀର ଏବଂବିଧ ଐନ୍ଦ୍ରଜାଲିକ ସଂପୃକ୍ତି ଆଧୁନିକ ବୁଦ୍ଧିଜୀବୀ ପାଠକ ପାଖରେ ତାହାକୁ ଅବାସ୍ତବ-ପ୍ରତୀତ କରାଏ । କିନ୍ତୁ ଏ କଥା ସ୍ମରଣୀୟ ଯେ, ଅଭିପ୍ରାୟର ପ୍ରୟୋଗଦ୍ୱାରା ହିଁ ଲୋକକାହାଣୀ ଗଣ-ସମ୍ମୋହନ ଶକ୍ତି ପାଇଥାଏ । ସମୂହ ପାଖରେ ନିଜକୁ ପ୍ରତିଷ୍ଠିତ କରିପାରେ । ଏହାହିଁ ପରମ୍ପରାକ୍ରମେ ଲୋକ-କାହାଣୀକୁ ଲୋକପ୍ରିୟ କରି ରଖି ପାରିଛି ।

 

ଲୋକ-କାହାଣୀରେ କେବଳ ଚରିତ୍ର, ଘଟଣାକ୍ଷେତ୍ର, ଭୌଗୋଳିକ ଉପାଦାନ ଆଦିର ନାମକରଣ ହୋଇ ନଥାଏ, ସ୍ରଷ୍ଟା ନିଜେ ମଧ୍ୟ ତା ନାମ ଊହ୍ୟ ରଖି ଦେଇଥାଏ । ଏହାହିଁ ଲୋକ-କାହାଣୀର ଅନ୍ୟତମ ସ୍ୱାତନ୍ତ୍ର୍ୟ, ଆଧୁନିକ କ୍ଷୁଦ୍ରଗଳ୍ପରେ ଯାହା ଅକଳ୍ପନୀୟ । ସ୍ରଷ୍ଟା ନିଜର ବକ୍ତବ୍ୟକୁ କେବଳ ପ୍ରକାଶିତ କରେ ଲୋକ-କାହାଣୀରେ-ନିଜକୁ ପ୍ରକାଶଯୋଗ୍ୟ ମନେ-କରେନି । କାହାଣୀର ମୌଖିକ ଗତିରେ କେତେ ପରିବର୍ତ୍ତନ ତାର ଘଟେ, କେତେ କଥକ ଦେଇ ତାହା ଗତି କରେ, ମାତ୍ର ଆଶ୍ଚର୍ଯ୍ୟ କୌଣସି ଜଣେ ବି କଥକ ନିଜ ନାମକୁ ସଂପୃକ୍ତ କରି କାହାଣୀ କହିନାହାନ୍ତି । ଲୋକକାହାଣୀକାରର ନା ଅଛି ନିଜକୁ ପ୍ରତିଷ୍ଠା କରିବାର ସ୍ୱପ୍ନ, ନା ନିଜ କଳ୍ପନା ଶକ୍ତିର ପରାକାଷ୍ଠାଲୋକରେ ପ୍ରସାରିତ କରାଇବାର ପ୍ରବଣତା–ସେଇଥିପାଇଁ ହୁଏତ କାହାଣୀରେ ନିଜ ଅଧିକାର ସାବ୍ୟସ୍ତ କରିବାର ଆଗ୍ରହ ବା ଆବଶ୍ୟକତା ତାର ଆସି ନାହିଁ । ଅଜ୍ଞାତ ସ୍ରଷ୍ଟାର ଅଦ୍ଭୂତ କଳ୍ପନାଶକ୍ତିର ପ୍ରମାଣ ପ୍ରତିଟି ଲୋକକାହାଣୀରେ ସୁସ୍ପଷ୍ଟ । କାହାଣୀ ସୃଷ୍ଟି କରିବା ପଛରେ ରହିଛି ସେଇ ପ୍ରତିଭାଧର ସ୍ରଷ୍ଟାମାନଙ୍କ ସରଳ ମନ ଓ ଉଦାର ହୃଦୟ । ଏହିସବୁ ସ୍ୱାତନ୍ତ୍ର୍ୟ ଯୋଗୁଁ ଲୋକକାହାଣୀର ସ୍ଥିତି ଏବେ ମଧ୍ୟ ସ୍ୱୀକୃତ ।

 

ସହାୟକ ଗ୍ରନ୍ଥ ଓ ପତ୍ରପତ୍ରିକା ସୂଚୀ –

ଶାରଳା ମହାଭାରତ ଶାରଳା ଦାସ–ଆଦିପର୍ବ, ମଧ୍ୟପର୍ବ, ବନପର୍ବ, ବିରାଟ ପର୍ବ, ଉଯ୍‌ଯୋଗ ପର୍ବ ପ୍ରଭୃତି ।

ସାରଳା ମହାଭାରତରେ ସାମାଜିକ ଜୀବନ–ଡଃ ଦୀନବନ୍ଧୁ ରଥ ।

ଶ୍ରୀ ଭାରତ ଦର୍ପଣ–ପଣ୍ଡିତ ଗୋପୀନାଥ ନନ୍ଦ ।

ସାରଳା ସ୍ମରଣିକା–ପ୍ରଜାତନ୍ତ୍ର ପ୍ରଚାର ସମିତି ।

ମାଟିର ମହାକବି ସାରଳା ଦାସ–ଡଃ ମାୟାଧର ମାନସିଂହ ।

ଓଡ଼ିଆ ସାହିତ୍ୟର ଆଦିପର୍ବ–ସୁରେନ୍ଦ୍ର ମହାନ୍ତି ।

ଓଡ଼ିଆ ସାହିତ୍ୟର ଇତିହାସ (ପ୍ରଥମ ଭାଗ)–ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ ।

ପ୍ରବଚନ ତରଙ୍ଗ–କବିଭୂଷଣ ସ୍ୱପ୍ନେଶ୍ୱର ଦାଶ ।

ଓଡ଼ିଆ ଲୋକଗୀତ ଓ କାହାଣୀ–ଡଃ କୁଞ୍ଜବିହାରୀ ଦାଶ ।

୧୦

ବିପ୍ଳବୀ କବି ଶାରଳା ଦାସ–ସମ୍ପାଦନା : ଡଃ ଉପେନ୍ଦ୍ର ମହାନ୍ତି ।

୧୧

ନିଜ ସଂଗ୍ରହ–ଲୋକଗାଥା, ଢଗଢ଼ମାଳି, ଲୋକଗୀତ, (ମହାଭାରତ ସମ୍ପର୍କିତ ଉପାଦାନ)-

୧୨

ସମ୍ମେଲନ ପତ୍ରିକା, ଲୋକ ସଂସ୍କୃତି ବିଶେଷାଙ୍କ, ସାହିତ୍ୟ ସମ୍ମେଲନ ପ୍ରୟାଗ ।

୧୩

ବାଂଲାର ଲୋକ-ସାହିତ୍ୟ (ପ୍ରଥମ ଖଣ୍ଡ)–ଡଃ ଆଶୁତୋଷ ଭଟ୍ଟାଚାର୍ଯ୍ୟ ।

୧୪

ଲୋକ-ସାହିତ୍ୟ କି ଭୂମିକା–ଡଃ କୃଷ୍ଣଦେବ ଉପାଧ୍ୟାୟ ।

୧୫

ଅସମୀୟା ଲୋକ-ସାହିତ୍ୟର ରୂପରେଖ–ଲୀଳା ଗଗୈ ।

୧୬

ଲୋକ ସାହିତ୍ୟ ବିଜ୍ଞାନ–ଡଃ ସତ୍ୟେନ୍ଦ୍ର ।

୧୭

ବାଂଲା ଲୋକ ସାହିତ୍ୟେ ରାମ ଓ ଭାରତ କଥା–ଶାନ୍ତିମୟ ଘୋଷାଲ ।

୧୮

Standard Dictionary of Folklore, Legends and Myths : Ed - Maria, Leach.

 

 

ଓଡ଼ିଆ ବିଭାଗ

ଶାନ୍ତିନିକେତନ-୭୩୧୨୩୫

 

***

 

ଛୋଟରାୟ ନାଟ୍ୟମାନସ : ଏକ ଅନ୍ୱେଷା

ଡକ୍‌ଟର ସର୍ବେଶ୍ୱର ମିଶ୍ର

 

ଓଡ଼ିଆ ନାଟକର ବିକାଶମାନ ଗତିପଥରେ ନାଟ୍ୟକାର ଗୋପାଳ ଛୋଟରାୟ ଏକ ସ୍ମରଣୀୟ ପ୍ରତିଭା । ପୁରପଲ୍ଲୀର ଅଖ୍ୟାତ ଲୋକଠାରୁ ଆରମ୍ଭ କରି ସହରର ବିଖ୍ୟାତ ଲୋକ ପର୍ଯ୍ୟନ୍ତ ସମସ୍ତେ ଯେ ଛୋଟରାୟ ନାଟକର ଅନୁରାଗୀ ଏହା ବୋଲିବା ବାହୁଲ୍ୟ ମାତ୍ର । ଓଡ଼ିଆ ନାଟକର ଆବର୍ତ୍ତନ ଓ ବିବର୍ତ୍ତନ ମଧ୍ୟରେ ଛୋଟରାୟଙ୍କ ଜ୍ଞାନଦୀପ୍ତ ପ୍ରତିଭା ସେଥିରେ ରସ ସଂଯୋଗ କରି ଇନ୍ଦ୍ରଧନୁର ବିଚିତ୍ର ବର୍ଣ୍ଣାଳୀ ସୃଷ୍ଟି କରିବାରେ ସମର୍ଥ ହୋଇ ପାରିଛି । ଓଡ଼ିଆ ନାଟକର ମଧ୍ୟୋତ୍ତର କାଳରେ ଏହି ପ୍ରତିଭାଧର ସ୍ରଷ୍ଟାଙ୍କ ଲେଖନୀ ଚାଳନା ଯଥାର୍ଥରେ ଏହି ଯୁଗକୁ ନାଟକର ସୁବର୍ଣ୍ଣଯୁଗ ଭାବରେ ଅଭିହିତ ହେବାପାଇଁ ବହୁ ଖୋରାକ ଯୋଗାଇ ଥିଲା ।

 

‘ମୁକୁର’ ପତ୍ରିକାର ସୁଯୋଗ୍ୟ ସଂପାଦକ ବ୍ରଜସୁନ୍ଦର ଦାସଙ୍କ ସହ ଛୋଟରାୟଙ୍କ ସାକ୍ଷାତ୍‌ ବାସ୍ତବିକ ତାଙ୍କ ଜୀବନକୁ ଏକ ଭିନ୍ନ ମୋଡ଼ ଦେଇଥିଲା । ଉଲ୍ଲେଖ କରିବା ନିଷ୍‌ପ୍ରୟୋଜନ ଯେ ଛୋଟରାୟ ନାଟ୍ୟମାନସର ଅଙ୍କୁରୋଦ୍‌ଗମ ହୋଇଥିଲା ‘ସହଧର୍ମିଣୀ’ ଏକାଙ୍କିକାରୁ । ଏହି ‘ସହଧର୍ମିଣୀ’ ଏକାଙ୍କିକା ହିଁ ଛୋଟରାୟଙ୍କୁ ବିଜୟର ଜୟମାଲ୍ୟ ପିନ୍ଧାଇ ଦେଇଥିଲା ।

 

ନାଟ୍ୟକାର ଛୋଟରାୟ, ପ୍ରତିଟି ନାଟକର କଥାବସ୍ତୁ ନିମିତ୍ତ ଭିନ୍ନ ଭିନ୍ନ ସମସ୍ୟାକୁ ଆଣି ସ୍ଵୀୟ ସୃଷ୍ଟିରେ ସ୍ଥାନିତ କରିଛନ୍ତି । ଯୁଗୀୟ ପ୍ରବୃତ୍ତିରେ ଭିନ୍ନ ଭିନ୍ନ ସମୟରେ ଏ ଦେଶରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଆପଣା ନାଟ୍ୟସୃଷ୍ଟିରେ କଳାତ୍ମକ ରୂପ ପ୍ରଦାନ କରି ସେ ଅଭିନବତ୍ୱର ପରିଚୟ ଦେବା ସଂଗେ ସଂଗେ ସମସ୍ୟାର ସମାଧାନ ନିମିତ୍ତ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ ଗଠନ, ଭାରତୀୟ ସ୍ୱାଧୀନତା ସଂଗ୍ରାମ, ସ୍ୱାଧୀନୋତ୍ତର କାଳରେ ଓଡ଼ିଶୀ ଜନଜୀବନରେ ଆଶା-ଆକାଙ୍‌କ୍ଷା ଅପୂର୍ତ୍ତି ଜନିତ କ୍ଷୋଭ, ବିଭିନ୍ନ ସମସ୍ୟା, ଯଥା-ବେକାର ସମସ୍ୟା, ଯୌତୁକ ପ୍ରଥା, ବ୍ୟକ୍ତିକୈନ୍ଦ୍ରିକତା, ନଗର ପଲ୍ଲୀଜୀବନରେ ସଂଘର୍ଷ ସହିତ ଗାନ୍ଧୀବାଦୀ ଦର୍ଶନ, ମାର୍କସବାଦୀ ଚେତନା ପ୍ରଭୃତି ସାମାଜିକ, ରାଜନୈତିକ, ସାଂସ୍କୃତିକ ତଥା ଅର୍ଥନୈତିକ ପୃଷ୍ଠଭୂମି ଉପରେ ଛୋଟରାୟ ନାଟ୍ୟସୌଧ ଗଢ଼ି ଉଠିଛି । ତାଙ୍କ ଲିଖିତ ଅଧିକାଂଶ ମଞ୍ଚ ନାଟକରେ ସ୍ୱୀୟ ସମାଜ ସଚେତନ ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ସ୍ପଷ୍ଟ ହୋଇଉଠିଛି ।

 

ସମାଜ ହିଁ ଛୋଟରାୟ ନାଟକର ପୃଷ୍ଠଭୂମି ହୋଇ ଥିବାରୁ ତାଙ୍କୁ ସମସାମୟିକ ସମାଜର ଦକ୍ଷ ରୂପକାର ବୋଲି ଅଭିହିତ କରାଯାଇପାରେ । ବସ୍ତୁତଃ ବିଚାର କଲେ ଓଡ଼ିଶୀ ସମାଜର ଆଶା-ନୈରାଶ୍ୟ, ହସ-କାନ୍ଦ, ଉଲ୍ଲାସ ତଥା ଆଶଙ୍କାର ନିଚ୍ଛକ ରୂପେ ନାଟ୍ୟକାରଙ୍କ ସୃଷ୍ଟିରେ ପ୍ରତିଫଳିତ ହୋଇଛି । ପଲ୍ଲୀଭୂମିଠାରୁ ନଗର-ଜୀବନ ପର୍ଯ୍ୟନ୍ତ ଉଭୟ କ୍ଷେତ୍ରରେ ବିବର୍ଣ୍ଣତା ଏବଂ ଉଜ୍ଜ୍ୱଳତା ଆଶା ଏବଂ ନିରାଶାକୁ ନାଟ୍ୟକାର କେବଳ ଅନୁଧ୍ୟାନ କରି ନାହାନ୍ତି ବରଂ ନିଜ ନାଟକରେ ବିଶ୍ଳେଷଣ କରିଛନ୍ତି ।

 

ସେବା ମାଧ୍ୟମରେ ସମାଜ ସଂସ୍କାର କରିବା ତଥା ଶିକ୍ଷିତ ଯୁବକମାନଙ୍କୁ ଗ୍ରାମାଭିମୁଖୀ କରିବା ନିମନ୍ତେ ଗାନ୍ଧିଜୀ ଯେଉଁ ଉଦ୍ୟମ କରିଥିଲେ, ‘ଫେରିଆ’ ନାଟକରେ ତା’ର ପ୍ରତିଫଳନ ଘଟିଛି । ଉକ୍ତ ନାଟକର ନାୟକ ବ୍ରଜ, ସୁର, ଶାନ୍ତି, କନକ, ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସଂଗ୍ରାମ ଚାଲୁରଖିଛନ୍ତି । ନିଜ ପଲ୍ଲୀଭୂମି ବିଷ୍ଣୁପୁର ଗ୍ରାମରେ ସେମାନେ ଗଢ଼ିଛନ୍ତି ଗ୍ରାମୋନ୍ନତି ସଂଘ । ନାଟକର ନାୟିକା ଶାନ୍ତି ନିକଟରେ ପ୍ରେମ ଅପେକ୍ଷା ଦେଶସେବା ମୁଖ୍ୟ ହୋଇ ଉଠିଛି । ସହର ଅପେକ୍ଷା ଗ୍ରାମକୁ ହିଁ ସେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ଏଣୁ ସୁରବାବୁଙ୍କୁ ସେ କହନ୍ତି- ‘‘କୌଣସି ବାଟ ବନ୍ଦ କରିନାହିଁ ସୁରଭାଇ । ସହରର ଶିକ୍ଷା କ’ଣ ମୁଁ ଜାଣେ । ଏଇଠି ଗାଁ ଗହଳରେ ରହି, ଏଇ ଚାଷୀ ମୂଲିଆଙ୍କ ଦୁଃଖରେ ଦୁଃଖୀ-ସୁଖରେ ସୁଖୀ ହୋଇ, ଘରଠାରୁ ବାହାର ପର୍ଯ୍ୟନ୍ତ କୋଉ କଥାରେ କାହାକୁ ଅନୁସରଣ ନକରି ଆମେ ଯଦି ଜୀବନ କଟାଇ ପାରିବା ତେବେ ସହରରେ ରହି ମୁଁ ପାଠ ପଢ଼ିବି କେଉଁ ଆଶାରେ ?’’ (ଫେରିଆ-ପୃ ୧୦୫)

 

‘ପରକଲମ’ ଏକ ରାଜନୈତିକ ବ୍ୟଙ୍ଗପୂର୍ଣ୍ଣ ନାଟକ ହେଲେ ହେଁ ଏଥିରେ ସମାଜର ନିଚ୍ଛକ ପ୍ରତିଛବି ପ୍ରତିଫଳିତ ହୋଇଛି । କ୍ଷମତାଲିପ୍‌ସୁ, ସ୍ୱାର୍ଥାନ୍ଧ ରାଜନୀତିଜ୍ଞମାନଙ୍କର କୁପରିଚାଳନା ଫଳରେ ଦେଶର ସାମାଜିକ ଜୀବନ କିପରି ପଙ୍ଗୁ ହୋଇ ପଡ଼ୁଛି ତା’ର ଚିତ୍ର ଏଥିରେ ସ୍ଥାନିତ । ଗାଁ ଗହଳିର ସାଧାରଣ ଜନତାଙ୍କୁ ନିର୍ବାଚନିକ ପ୍ରତିଶ୍ରୁତିର ଫମ୍ପା ଆଓ୍ୱାଜରେ ବଶୀଭୂତ କରି ତଥାକଥିକ ରାଜନୀତିଜ୍ଞମାନେ ନିର୍ବାଚନରେ ଜୟଲାଭକରି ଲୋକମାନଙ୍କଠାରୁ ଦୂରେଇ ଯାଆନ୍ତି । ଯେଉଁ ଲୋକଙ୍କମାନଙ୍କଠାରୁ ଭୋଟ ପାଇ ସେମାନେ ନିର୍ବାଚିତ ହୋଇଥାଆନ୍ତି ସେମାନଙ୍କ ଅସୁବିଧା ବିଷୟରେ ସଚେତନ ହେବାକୁ କୁଣ୍ଠାପ୍ରକାଶ କରନ୍ତି । ସେହି ନେତାମାନଙ୍କୁ କେନ୍ଦ୍ରକରି ଶାନ୍ତ ସରଳ ପଲ୍ଲୀଭୂମି ବିପନ୍ନ ହୋଇଉଠେ । ଗ୍ରାମର ଲୋକମାନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ, ସ୍ନେହ ସହାନୁଭୂତି ତିକ୍ତ ହୋଇପଡ଼େ ।

 

‘ଭରସା’ ନାଟକରେ ନାଟ୍ୟକାର ବିଭିନ୍ନ ସାମାଜିକ ସମସ୍ୟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ସଙ୍ଗେ ସଙ୍ଗେ ଜନୈକ ଶିଳ୍ପୀ ଜୀବନର ଦୁରବସ୍ଥାର ଚିତ୍ର ପ୍ରଦାନ କରିଛନ୍ତି । ଉକ୍ତ ନାଟକର ନାୟକ ଶିଳ୍ପୀ ମୋହନ ବମ୍ବେ ଆର୍ଟସ୍କୁଲରେ ଦୀର୍ଘ ଛ’ ବର୍ଷ ଅଧ୍ୟୟନ କରି କଟକ ଫେରିଆସି ନିଜର ଭଗ୍ନ କୁଟୀରରେ ଷ୍ଟୁଡ଼ିଓ କରି ଚିତ୍ର ଅଙ୍କନ କରିଛି । ଅର୍ଥନୈତିକ ଅଧୋଗତି ମୋହନ ଜୀବନର ଜ୍ୱାଳାକୁ କରିଛି ମର୍ମାନ୍ତିକ । ଫଳରେ ସେ ବିଭିନ୍ନ ଜଣାଶୁଣା ବ୍ୟକ୍ତିଙ୍କ ଦ୍ୱାରସ୍ଥ ହୋଇ ପ୍ରଶଂସିତ ହୋଇଥିଲେ ହେଁ, ତା’ର ଦୁଃଖ ଶୁଣି ସେମାନେ କହନ୍ତି–

 

‘‘ଦେଖ ମୋହନ, ଏଠି ଛବି ଆଙ୍କି ପେଟ ପୋଷିବା ଗୋଟାଏ କଥାର କଥା ମାତ୍ର । ବିପିନ ଚୌଧୁରୀ ବିଲାତରୁ ଶିଳ୍ପୀ ହୋଇ ଆସି ଏଠି ମୁକ ବଧିର ବିଦ୍ୟାଳୟ ଖୋଲିଲେ–ବର୍ମା ଖୁବ୍‌ ନାମକରି ଶେଷରେ ଦେଶବାସୀଙ୍କ ଦୟା ଉପରେ ନିର୍ଭର କରି ବଞ୍ଚିଲେ । ଉପେନ୍ଦ୍ର ମହାରଥି ବାହାରକୁ ପଳାଇ ଯାଇ ବଞ୍ଚିଗଲେ । ଆଉ ଗୋପାଳ କାନୁନ୍‌ଗୋ କଲେ ମାଷ୍ଟରୀ ।’’ (ଭରସା-ପୃ ୨୮)

 

ଶୁଦ୍ଧନାରୀତ୍ୱ ସମ୍ପର୍କୀୟ ସାମାଜିକ ସମସ୍ୟାକୁ ନେଇ ଗୋପାଳ ଛୋଟରାୟଙ୍କ ‘ନଷ୍ଟ ଉର୍ବଶୀ’ ନାଟକ ଲିଖିତ । ନୂଆଖୋଲି ଆଉ ପଞ୍ଜାବର ଶହଶହ ଅତ୍ୟାଚାରିତା ନାରୀ କଳଙ୍କିତ ନୁହନ୍ତି, ସେମାନଙ୍କର ଧର୍ମ, ସେମାନଙ୍କର ସତୀତ୍ୱ ନଷ୍ଟ ହୋଇ ନାହିଁ–ମହାତ୍ମାଗାନ୍ଧୀଙ୍କର ଉକ୍ତ ଉକ୍ତିରେ ଯେ ଏକ ନିଚ୍ଛକ ସାମାଜିକ ସତ୍ୟ ନିହିତ ଅଛି, ଏଥିରେ ସନ୍ଦେହ ନାହିଁ । ସତୀତ୍ୱ ଓ ଦେବୀତ୍ୱ ନାରୀର ଜନ୍ମଗତ ଅଧିକାର । ଏହା କେବଳ ରକ୍ତ ମାଂସରେ ଗଢ଼ା ଦେହର ବିଷୟ ନୁହେଁ, ଶରୀର ଓ ଅନ୍ତରର ସମର୍ଥନ ବିନା କେହି ଜୋର ଜବରଦସ୍ତ କରି ବଳପୂର୍ବକ ତାକୁ ଅମୂଲ୍ୟ ଚାରିତ୍ରିକ ସମ୍ପଦରୁ ବଞ୍ଚିତ କରି ପାରିବେ ନାହିଁ । ଏହି ବୈପ୍ଳବିକ ଓ ମାନବିକ ସମସ୍ୟାକୁ ଭିତ୍ତିକରି ନଷ୍ଟ ଉର୍ବଶୀ ନାଟକର ବିଷୟବସ୍ତୁ ପରିକଳ୍ପିତ ହୋଇଛି ।

 

ଛୋଟରାୟ ନିଜସ୍ୱ ସୂକ୍ଷ୍ମ ଦୃଷ୍ଟିରେ ସମାଜ ଏବଂ ବ୍ୟକ୍ତିଙ୍କୁ ଅବଲୋକନ କରି ବିଭିନ୍ନ ସଂପ୍ରଦାୟ/ଶ୍ରେଣୀରୁ ଚରିତ୍ର ଚୟନ କରି ତାକୁ ଶୈଳ୍ପିକ ତଥା କଳାତ୍ମକ ରୂପ ପ୍ରଦାନ କରି ଯେଉଁ ଚରିତ୍ରର ଚିତ୍ରଶାଳା ଗଢ଼ିଛନ୍ତି ତାହା ବାସ୍ତବିକ୍‌ ଅନନ୍ୟ । ‘ଫେରିଆ’ରେ ରେଖାଦେବୀ, ‘ଭରସା’ରେ ଆନନ୍ଦରାୟ, କୁମାର ସାହେବ, ‘ପରମକଲମର’ରେ ମକୁନ୍ଦ, ମନ୍ଦର ମହାନ୍ତି, ‘ପଥିକବନ୍ଧୁ’ରେ ରାଇଚରଣ, ବେଙ୍ଗମା, ‘ସାଧନା’ରେ ସାଧନା, ‘ଅଭାଗିନୀର ସ୍ୱର୍ଗରେ’ ରାଜୁ ବାବୁ, ‘ଅର୍ଦ୍ଧାଙ୍ଗିନୀ’ରେ ବଇଜେଜେ, ‘ନଷ୍ଟ ଉର୍ବଶୀ’ରେ ମଣିଅପା ପ୍ରଭୃତି ଚରିତ୍ର ଚିତ୍ରଣରେ କାଳ୍ପନିକ ପ୍ରଲେପ ନଦେଇ ଚରିତ୍ରର ବାସ୍ତବ ଦିଗ ପ୍ରତି ଅଧିକ ସଚେତନ ହୋଇଥିବା ଯୋଗୁଁ ସେସବୁ ଚରିତ୍ରରାଜି ପାଠକ/ଦର୍ଶକ ହୃଦୟରେ ଗଭୀର ରେଖାପାତ କରିବାକୁ ସମର୍ଥ ହୋଇଥାଏ । ଛୋଟରାୟ ନାଟକରେ ମୁଖ୍ୟ ଚରିତ୍ରଠାରୁ ଗୌଣ ଚରିତ୍ର ପର୍ଯ୍ୟନ୍ତ ପ୍ରତିଟି ଚରିତ୍ରର ସ୍ୱାତନ୍ତ୍ରତା ବେଶ୍‌ବାରି ହୋଇ ପଡ଼େ ।

 

ବସ୍ତୁତଃ ବିଚାର କଲେ ସଂଳାପ ସୃଷ୍ଟି କ୍ଷେତ୍ରରେ ନାଟ୍ୟକାର ଛୋଟରାୟ ଜଣେ କୁଶଳୀ କାରିଗର, ଜଣେ ସଫଳ ଯାଦୁକର । ସଂଳାପରେ ଇନ୍ଦ୍ରଧନୁର ବିଚିତ୍ର ବର୍ଣ୍ଣାଳୀ ସୃଷ୍ଟିକରି ସେ ନାଟ୍ୟ ପିପାସୁମାନଙ୍କର ମନ ହରଣ କରିଥାନ୍ତି । ଚରିତ୍ରର ପରିବେଶ, ପରିସ୍ଥିତି, ମାନସିକତା, ଶିକ୍ଷାପ୍ରତି ଏକାନ୍ତ ସଚେତନ ହୋଇ ନାଟ୍ୟକାର ଛୋଟରାୟ ସଂଳାପ ସଂଯୋଜନା କରିଥାନ୍ତି । ଫଳରେ ଚରିତ୍ରର ବ୍ୟଥା, ଆନନ୍ଦ, ମାନ ଅଭିମାନ ସଂଳାପ ମାଧ୍ୟମରେ ସୁନ୍ଦର ଭାବରେ ପ୍ରକଟିତ ହୋଇଥାଏ । ସୁଚିନ୍ତିତ ସଂଳାପ ସଂଯୋଜନାର କଳାକୌଶଳ ଛୋଟରାୟଙ୍କୁ ଅଛପା ନାହିଁ । ଛୋଟ ଛୋଟ ଚୂର୍ଣ୍ଣକ ସଂଳାପ ମାଧ୍ୟମରେ ଗଭୀର ଅର୍ଥଗୁମ୍ଫିତ କରି ବ୍ୟଙ୍ଗ-ବିଦ୍ରୂପ ଶ୍ଳେଷ ଯୁକ୍ତ ସଂଳାପ ପ୍ରୟୋଗରେ ନାଟ୍ୟକାରଙ୍କ ପଟାନ୍ତର ନାହିଁ ।

 

ଓଡ଼ିଆ ନାଟକରେ ହାସ୍ୟରସ ସୃଷ୍ଟିକ୍ଷେତ୍ରରେ ଛୋଟରାୟଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ସ୍ୱୀୟ ନାଟକରେ ହାସ୍ୟରସ ସୃଷ୍ଟି ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚରିତ୍ର ସୃଷ୍ଟି ନକରି ସେହି ଚରିତ୍ରସବୁକୁ ନାଟକର ଗୌଣ କଥାବସ୍ତୁ ସହ ଏପରି ଜଡ଼ିତ କରିଦେଇଛନ୍ତି ଯେ ସେ ଚରିତ୍ରରାଜି ନାଟକୀୟ କଥାବସ୍ତୁକୁ ଗତିଶୀଳ କରିବାରେ ସାହାଯ୍ୟ କରିଛନ୍ତି । ଛୋଟରାୟଙ୍କ ପୂର୍ବରୁ ଓଡ଼ିଆ ନାଟ୍ୟ ସାହିତ୍ୟରେ ଯେଉଁ ସବୁ ହାସ୍ୟରସ ପରିବେଷଣ କରାଯାଉଥିଲା ତାହା ମୁଖ୍ୟତଃ ଅସଙ୍ଗତିର ପାରମ୍ପରିକ ପଥ ଧରି ଚାଲିଥିଲା । କିନ୍ତୁ ମନନଶୀଳ ସ୍ରଷ୍ଟା ଛୋଟରାୟ ପାରମ୍ପରିକ ଶଗଡ଼ ଗୁଳାର ଗଡ୍‌ଡ଼ାଳିକା ପ୍ରବାହରେ ଭାସିନଯାଇ ନିତ୍ୟ ନୂତନ ଶୁଦ୍ଧ ନିର୍ମଳ ହାସ୍ୟରସର କଳକଲ୍ଲୋଳ ସୃଷ୍ଟି କରିଛନ୍ତି । ଛୋଟରାୟ ହାସ୍ୟରସର ଦୀପ୍ତି ଓ ଦ୍ୟୁତି ଦର୍ଶକ ତଥା ପାଠକ ହୃଦୟକୁ ରସାପ୍ଳୁତ କରିବା ସଙ୍ଗେ ସଙ୍ଗେ ବ୍ୟଙ୍ଗ-ବିଦ୍ରୂପ ଏବଂ କଟାକ୍ଷ ମଧ୍ୟରେ ସମାଜ ସଂସ୍କାରାଶ୍ରୟୀ ହୋଇଉଠିଛି । ତାଙ୍କ ରଚିତ ‘ଭରସା’ ‘ନଷ୍ଟଉର୍ବଶୀ’ ‘ପରକଲମ’, ପ୍ରଭୃତି ନାଟକରେ ହାସ୍ୟରସ ବୌଦ୍ଧିକ ସ୍ତରକୁ ନୀତି ହୋଇ ବେଶ୍‌ ମନୋଜ୍ଞ ହୋଇପାରିଛି । ‘ଭରସା’ ନାଟକରେ ଆନନ୍ଦରାୟ, ‘‘ନଷ୍ଟଉର୍ବଶୀ’ର ପଙ୍କଜ, ଭାସ୍କର ପ୍ରଭୃତି ଚରିତ୍ର ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ । ନାଟକରେ ହାସ୍ୟରସ ପରିବେଶଣ ବ୍ୟତୀତ ସଂପୂର୍ଣ୍ଣ ହାସ୍ୟରସକୁ ଉପଜୀବ୍ୟ କରି ଛୋଟରାୟଙ୍କ ‘ଘଟକ’ ଏବଂ ‘ହାସ୍ୟରସର ନାଟକ’ (କ୍ଷୁଦ୍ରନାଟକ) ରଚିତ ‘ଘଟକ’ ନାଟକର କଥାବସ୍ତୁର ପରିକଳ୍ପନା ଓ ଉପସ୍ଥାପନା ନିର୍ମଳ ହାସ୍ୟରସର ଏକ ଅସରନ୍ତି ଉତ୍ସ ଭାବରେ ଆତ୍ମପ୍ରକାଶ କରିଛି । ନାଟକର ସମସ୍ତ ଚରିତ୍ରର ଚରିତ୍ରଗତ ଅସାମଞ୍ଜସ୍ୟ ତଥା ସେମାନଙ୍କର କଥୋପକଥନ ମଧ୍ୟ ହାସ୍ୟଉଦ୍ଦୀପକ ।

 

ମଞ୍ଚନାଟକ ବ୍ୟତୀତ ଏକାଙ୍କିକା ରଚନା କ୍ଷେତ୍ରରେ ଛୋଟରାୟଙ୍କ ସଫଳତା ଅବିସମ୍ବାଦିତ । ଓଡ଼ିଆ ଏକାଙ୍କିକାକୁ ସର୍ବଭାରତୀୟ ଦରବାରରେ ପରିଚିତ କରାଇ ପ୍ରତିଷ୍ଠାଲାଭ କରାଇବାରେ ଛୋଟରାୟଙ୍କ ଐକାନ୍ତିକ ନିଷ୍ଠା ଭୁଲିବାର ନୁହେଁ । ୧୯୪୮ ମସିହାରେ ଓଡ଼ିଶାର କଟକଠାରେ ବେତାର କେନ୍ଦ୍ର ସ୍ଥାପନ ଏବଂ ପରେ ପରେ ଛୋଟରାୟଙ୍କର ବେତାର ସହ ସଂପୃକ୍ତି ଓଡ଼ିଆ ନାଟ୍ୟ ସାହିତ୍ୟପାଇଁ ଆଣିଦେଇଛି ବହୁ କ୍ଷୁଦ୍ର ନାଟକ । ନାଟ୍ୟକାର ସ୍ୱୀୟ ‘ହାସ୍ୟରସର ନାଟକ’ ପାଇଁ ୧୯୮୨ ମସିହାରେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଏତଦ୍‌ବ୍ୟତୀତ ‘ଶାଖାପ୍ରଶାଖା’, ‘ପୁରାପୁରି ପାରିବାରିକ’ (୧ମ, ୨ୟ, ୩ୟଭାଗ) ‘ଶ୍ରୀହରିଙ୍କ ସଂସାର’ ପ୍ରଭୃତି ବହୁ ଜନାଦୃତ ଏକାଙ୍କିକା ଛୋଟରାୟଙ୍କଦ୍ୱାରା ରଚିତ । ଛୋଟରାୟଙ୍କ ଏକାଙ୍କିକାର ସାମୂହିକ ସୌନ୍ଦର୍ଯ୍ୟ ଚେତନା ଅତୁଳନୀୟ । ଅନେକ ପ୍ରତିଶ୍ରୁତିର ଇଙ୍ଗିତ ତାଙ୍କ ଏକାଙ୍କିକାରେ ମିଳିଥାଏ । ମାନବ ଜୀବନରେ ପ୍ରତିଦିନ ଘଟୁଥିବା ଛୋଟ ଛୋଟ ଘଟଣା, ଯାହା ପ୍ରତି ମଣିଷ ଅନାସକ୍ତ ଭାବ ପ୍ରକାଶ କରିଥାଏ, ତାହାକୁ ହିଁ, ସେ ସ୍ୱୀୟ କଳାତ୍ମକତାର ସ୍ପର୍ଶରେ ନାଟକୀୟ ରୂପ ଦେଇ ଉପସ୍ଥାପନ କରିଛନ୍ତି । ମଧ୍ୟବିତ୍ତ ପାରିବାରିକ ଜୀବନଚର୍ଯ୍ୟା, ପଲ୍ଲୀଜୀବନର ନିଚ୍ଛକ ବାସ୍ତବଚିତ୍ର, ମଣିଷ ମନର ସ୍ୱରୂପ ବିଶ୍ଳେଷଣ, ସ୍ୱାଧୀନତା ପରବର୍ତ୍ତୀ ସାମାଜିକ ସମସ୍ୟାକୁ ଉପଜୀବ୍ୟ କରି ଛୋଟରାୟ ଏକାଙ୍କିକା ଗଢ଼ିଉଠିଛି । ବଳିଷ୍ଠ ସଂଳାପ ମାଧ୍ୟମରେ ଏସବୁ ବିଷୟକୁ ଏକାଙ୍କିକାରେ ଉପସ୍ଥାପନା କରି ସେ ଓଡ଼ିଆ ଏକାଙ୍କିକା ରାଜ୍ୟରେ ନିଜର ଆସନକୁ ସୁଦୃଢ଼ କରି-ପାରିଛନ୍ତି ।

 

ମଞ୍ଚନାଟକ, ଗୀତିନାଟ୍ୟ, ଏକାଙ୍କିକା ବ୍ୟତୀତ ନାଟ୍ୟକାର ଡଃ ହରେକୃଷ୍ଣ ମହତାବଙ୍କ ଲିଖିତ ‘ପ୍ରତିଭା’, କାହ୍ନୁ ଚରଣ ମହାନ୍ତିଙ୍କ ଲିଖିତ ‘ଝଞ୍ଜା’ ଉପେନ୍ଦ୍ର କିଶୋରଙ୍କ ରଚିତ ‘ମଲାଜହ୍ନ’ ଏବଂ ବାସନ୍ତୀକୁମାରୀଙ୍କ ଅନବଦ୍ୟ ଉପନ୍ୟାସ ‘ଅମଡ଼ାବାଟ’କୁ ନାଟ୍ୟରୂପ ଦେବାରେ ଅପୂର୍ବ ସଫଳତା ଲାଭ କରିଛନ୍ତି ।

 

ନିଜ ବ୍ୟକ୍ତିଗତ ଜୀବନର ଉପଲବ୍‌ଧ ଅନୁଭୁତି ଓ ମାନସିକ ସଂଘାତ ମଧ୍ୟରୁ ନାଟ୍ୟସ୍ରଷ୍ଟା ଗୋପାଳ ଛୋଟରାୟଙ୍କର ଆବିର୍ଭାବ ଘଟିଛି ବୋଲି କହିଲେ ଦ୍ୱିରୁକ୍ତି ହୋଇନପାରେ । ଉତ୍ତର ମଧ୍ୟକାଳୀନ ଓଡ଼ିଆ ନାଟ୍ୟସାହିତ୍ୟର ଜଣେ ସାର୍ଥକ ଶକ୍ତିଶାଳୀ ନାଟ୍ୟରଥୀ ଭାବରେ ସେ ସମ୍ମାନିତ । ସାହିତ୍ୟିକ ମୂଲ୍ୟାବଧାରଣ ଦୃଷ୍ଟିରୁ ତଦୀୟ ସୃଷ୍ଟିସମ୍ପଦ ଯେତିକି ରସୋତ୍ତୀର୍ଣ୍ଣ ନାଟ୍ୟିକ ସଫଳତା ବିଚାରରେ ତାହା ତତୋଽଧିକ ସାଫଲ୍ୟ ବିମଣ୍ଡିତ । ପ୍ରକାରାନ୍ତରେ କହିବାକୁ ଗଲେ ତଦୀୟ ସୃଷ୍ଟି-ସଂସାର ଉଭୟ ସାହିତ୍ୟିକ ଓ ନାଟ୍ୟିକ ମୂଲ୍ୟବୋଧର ଏକ ସମନ୍ୱିତ ଓ ସଫଳିକୃତ ରସ-ସଂପଦ ଏବଂ ସେହି ସୂତ୍ରରେ ନାଟ୍ୟକାର ଶ୍ରୀଯୁକ୍ତ ଛୋଟରାୟ ହେଉଛନ୍ତି ଉତ୍କଳୀୟ ନାଟ୍ୟପରମ୍ପରାର ଜଣେ ସାର୍ଥକ ଉତ୍ତରଦାୟାଦ ।

 

 

ଅଧ୍ୟାପକ, ଓଡ଼ିଆବିଭାଗ

କେ. ମ୍‌. ବିଜ୍ଞାନ କଲେଜ

ନରେନ୍ଦ୍ରପୁର, ଗଞ୍ଜାମ

 

***

 

Unknown

କୁନ୍ତଳାଙ୍କ ଉପନ୍ୟାସ : ନାରୀ ନିର୍ଯ୍ୟାତନା, ଆତ୍ମହତ୍ୟା, ସମାଜସଂସ୍କାର

ଶ୍ରୀ ମିହର କୁମାର ସାହୁ

 

ଓଡ଼ିଆ ସାହିତ୍ୟର ଔପନ୍ୟାସିକା ହିସାବରେ କୁନ୍ତଳାକୁମାରୀଙ୍କ ନାମ ହିଁ ପ୍ରଥମେ ଆସିଥାଏ । ତେଣୁ ଓଡ଼ିଆ ଉପନ୍ୟାସ ସାହିତ୍ୟରେ କୁନ୍ତଳାକୁମାରୀ ଏକ ସ୍ୱତନ୍ତ୍ର ସ୍ଥାନ ନିଅନ୍ତି । ସେ ସର୍ବମୋଟ ଛ’ଟି ଉପନ୍ୟାସ ଲେଖିଛନ୍ତି । ସେଥିମଧ୍ୟରୁ ‘ଚିତ୍ରପଟ’ ଉପନ୍ୟାସଟି ଅସଂପୂର୍ଣ୍ଣ । ‘ନବମପଟ’ ପରେ ଆଉ ଲେଖାଯାଇନାହିଁ । ଏହା ତାଙ୍କର ସର୍ବଶେଷ ଉପନ୍ୟାସ ଥିଲା । ତେଣୁ ତାହା ସଂପୂର୍ଣ୍ଣ କରିବା ପୂର୍ବରୁ ସେ ମୃତ୍ୟୁବରଣ କରିଥିବେ ବୋଲି ଅନୁମାନ କରାଯାଏ । ‘ଭ୍ରାନ୍ତି’ ତାଙ୍କର ପ୍ରଥମ ଉପନ୍ୟାସ । ‘ଭ୍ରାନ୍ତି’ ପରେ ସେ ‘ନଅତୁଣ୍ଡି’, ‘କାଳୀବୋହୂ’, ‘ପରଶମଣି’ ଏବଂ ‘‘ରଘୁ ଅରକ୍ଷିତ’’ ରଚନା କରିଛନ୍ତି । ‘‘ରଘୁ ଅରକ୍ଷିତ’’ ତାଙ୍କର ସର୍ବବୃହତ୍‌ ଏବଂ ସର୍ବଶ୍ରେଷ୍ଠ ଉପନ୍ୟାସ ।

 

ଫକୀରମୋହନଙ୍କ ପରବର୍ତ୍ତୀ ଲେଖକମାନଙ୍କ ମଧ୍ୟରୁ ଔପନ୍ୟାସିକା କୁନ୍ତଳାକୁମାରୀ ଅନ୍ୟତମ । କିନ୍ତୁ ଫକୀରମୋହନଙ୍କ ଉପନ୍ୟାସର ସମାଜ ଓ କୁନ୍ତଳାକୁମାରୀଙ୍କ ଉପନ୍ୟାସର ସମାଜ ମଧ୍ୟରେ ଅନେକ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ମୁଖ୍ୟତଃ ଚରିତ୍ରପ୍ରଧାନ ହୋଇଥିବା ସ୍ଥଳେ କୁନ୍ତଳାଙ୍କ ଉପନ୍ୟାସଗୁଡ଼ିକ ମୁଖ୍ୟତଃ ଘଟଣାପ୍ରଧାନ ହୋଇଛି । ବହୁ ଘଟଣାର ସଂଘାତ ଭିତରେ ସେ ଉପନ୍ୟାସର ଚରିତ୍ରଗୁଡ଼ିକୁ ଚତ୍ରିତ କରିଛନ୍ତି । ତାଙ୍କ ଉପନ୍ୟାସଗୁଡ଼ିକରେ ବିଶେଷ ଭାବରେ ନାରୀଚରିତ୍ର ହିଁ ପ୍ରାଧାନ୍ୟ ପାଇଛି । କୁନ୍ତଳା ନିଜେ ନାରୀ ହୋଇଥିବାରୁ ତାଙ୍କ ପକ୍ଷରେ ନାରୀ ମନସ୍ତତ୍ତ୍ୱକୁ ବୁଝିବା ଏବଂ ବ୍ୟାଖ୍ୟା କରିବା ଖୁବ୍‌ ସହଜ ହୋଇଛି । ନାରୀ ହୃଦୟର ଗହନ ବ୍ୟଥା, ମରମ କଥା, ପ୍ରେମପ୍ରଣୟ, ଆଶା ନିରାଶା, ସୁଖଦୁଃଖର ସ୍ୱର ଖୁବ୍‌ ସ୍ୱାଭାବିକ ଢଙ୍ଗରେ ତାଙ୍କ ଚରିତ୍ରଗୁଡ଼ିକରେ ରୂପାୟିତ ହୋଇଛି । ଉପନ୍ୟାସ ସୃଷ୍ଟିରେ କୁନ୍ତଳାଙ୍କ ସମାଜସଂସ୍କାର ମନୋଭାବ ଖୁବ୍‌ ସ୍ପଷ୍ଟ । ବିଭିନ୍ନ ଘଟଣା ମାଧ୍ୟମରେ ସମାଜର ଅନ୍ଧାରୀଦିଗକୁ ଉନ୍ମୋଚନ କରିବା, ମୁଖ୍ୟତଃ ନାରୀ ନିର୍ଯ୍ୟାତନାର ଚିତ୍ର ଦେବା ଏବଂ ତା’ର ପ୍ରତିକାରପାଇଁ ସ୍ୱରଉତ୍ତୋଳନ କରିବା ତାଙ୍କ ଉପନ୍ୟାସଗୁଡ଼ିକରେ ମୁଖ୍ୟ ଉପଜୀବ୍ୟ ହୋଇଛି । ‘‘ଏକମୁଖୀ ସମାଜର ପରିକଳ୍ପନା ତାଙ୍କର ସବୁ ଉପନ୍ୟାସରେ ସୁଲଭ । ଏଭଳି ଏକ ସମାଜ, ଯେଉଁଠି ନାରୀମାନେ ହୋଇନଥିବେ ଅବହେଳିତା, ଯେଉଁଠି ଜାତିଭେଦର ଶୁଣାଯାଉନଥିବ ପୁଣ୍ୟାନ, ଯେଉଁଠି ପାରିବାରିକ ଜୀବନରେ ଭରିରହିଥିବ ଏକ ଅନାବିଳ ପ୍ରଶାନ୍ତି, ଯେଉଁଠି ମଣିଷ ଭାବେ ଓଡ଼ିଆ ହୋଇଥିବ ସଭ୍ୟ, ଶିକ୍ଷିତ, ସମ୍ମାନିତ ।’’ (୧)

 

(୧) ଉପନ୍ୟାସ: କଳା ଓ ତତ୍ତ୍ୱ-କଇଳାଶ ପଟ୍ଟନାୟକ (ପୃ ୩୩-୩୪) (ସଂ) ଡଃ ଖଗେଶ୍ୱର ମହାପାତ୍ର ।

 

ନାରୀ ନିର୍ଯ୍ୟାତନା :

ନାରୀ ନିର୍ଯ୍ୟାତନା ଏକ ସମାଜିକ ବ୍ୟାଧି । ଏହା କେବଳ କୁନ୍ତଳାଙ୍କ ବର୍ଣ୍ଣିତ ସମାଜରେ ଥିଲା ତା’ ନୁହେଁ । ପୂର୍ବରୁ ଥିଲା ଏବଂ ଏବେ ମଧ୍ୟ ଅଛି । କୁନ୍ତଳା ନିଜେ ନାରୀ ହୋଇଥିବାରୁ ସମାଜରେ ନାରୀପ୍ରତି ଅବିଚାର, ଅନ୍ୟାୟ, ଅତ୍ୟାଚାର ତାଙ୍କ ପକ୍ଷରେ ଅସହ୍ୟ ହୋଇଛି । ସେ ନିଜେ ମଧ୍ୟ ଅନୁଭବ କରିଛନ୍ତି ନାରୀ-ନିର୍ଯ୍ୟାତନାର ରାକ୍ଷସୀ-ରୂପକୁ ।

 

କାଳୀବୋହୂର ‘‘ଲକ୍ଷ୍ମୀ’’, ପରଶମଣିର ‘‘ଲଳିତା’’, ରଘୁ-ଅରକ୍ଷିତର ‘‘ସୀତା’’ ଚରିତ୍ରରେ ନାରୀ ନିର୍ଯ୍ୟାତନାର ରୂପ ବିଶେଷ ଭାବରେ ପ୍ରକାଶ ପାଇଛି । କୁନ୍ତଳାକୁମାରୀଙ୍କ ଶିଷ୍ଟ ନାରୀ ଚରିତ୍ରଗୁଡ଼ିକ ହିଁ ନିର୍ଯ୍ୟାତିତା ହୋଇଛନ୍ତି । ଲକ୍ଷ୍ମୀ ବାପା ମା’ଙ୍କର ଅଲିଅଳି ଦୁଲଣୀ ହୋଇଥିଲେ ମଧ୍ୟ ଦଶବର୍ଷରେ ବିଧବା ହୋଇଛି । କି ଆଶ୍ଚର୍ଯ୍ୟ ପ୍ରକାରର ସମାଜ-ନୀତି । ଜନ୍ମର ସପ୍ତମ ବର୍ଷରେ ବିବାହ ଆଉ ଦଶମ ବର୍ଷରେ ବୈଧବ୍ୟ । ବିବାହ କ’ଣ, ସ୍ୱାମୀ କ’ଣ, ବିଧବା କ’ଣ ଜାଣିନଥିଲେ ମଧ୍ୟ ପରେ ତା’ଉପରେ ବୈଧବ୍ୟ ଯନ୍ତ୍ରଣାକୁ ଜବରଦସ୍ତ ଲଦି ଦିଆଯାଇଛି । ନାରୀର ସର୍ବଶ୍ରେଷ୍ଠ ବିପଦ ଏବଂ ଯନ୍ତ୍ରଣା ହେଉଛି ବୈଧବ୍ୟ । A. S. Altekar ତାଙ୍କ ‘‘The Position of women in Hindu Civilization.’’ ଗ୍ରନ୍ଥରେ କହିଛନ୍ତି–‘‘If a cruel fate inflicted widowhood upon the daughter, the calamity would break the parent’s heart. Remarriage being no longer possible, parent’s had to bear the heart-rending pain of seeing their daughter wasting herself in an interminable widowhood.’’ (p 4-5)

 

ଲକ୍ଷ୍ମୀର ଅବସ୍ଥା ମଧ୍ୟ ଠିକ୍‌ଏହିଭଳି ହୋଇଛି । କିନ୍ତୁ କୁନ୍ତଳା ସେପରି ପିତାମାତଙ୍କ ପ୍ରତି, କୁଳକାମିନୀ ବର୍ଗଙ୍କ ପ୍ରତି ବିଦ୍ରୋହ ମନୋଭାବ ପୋଷଣ କରିଛନ୍ତି । କୁନ୍ତଳା ବର୍ଣ୍ଣନା କରିଛନ୍ତି ଯେ–‘‘ରୂପ, ଯୌବନ, ଧନ-ଶ୍ରୀସମ୍ପନ୍ନା ଷୋଡ଼ଶ ବର୍ଷିୟା ଯୁବତୀପ୍ରତି ପରିବାରର ନାରୀବର୍ଗରେ ଥିଲା ହିଂସା, ଆଉ ଯୁବକବର୍ଗର ଆସକ୍ତି । x x x" (ପୃ-୯୬)

 

‘ଲକ୍ଷ୍ମୀ’’ ନବଘନର ଅତ୍ୟାଚାର ସହି ନପାରି ବୈଷ୍ଣବୀ-ମାତା ରାଧାର କଥାରେ ସନ୍ନ୍ୟାସବ୍ରତ ଗ୍ରହଣ କରିଛି । ବୃନ୍ଦାବନ ଯାଇଛି । ସେଠି ମଧ୍ୟ ଭଣ୍ଡ ତପସ୍ୱୀମାନଙ୍କ ଗୁପ୍ତଲୀଳାକଥା ଜାଣିପାରିଛି । କିନ୍ତୁ ଏ ସମ୍ପର୍କରେ ନିଜେ ମାତା ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଯେ–‘‘ମା ଏ ତ ପାପ ନୁହେଁ, ବୃନ୍ଦାବନରେ ପାପ ବା କେଉଁଠାକୁ ଆସିବ ? ଏତ ଶ୍ରୀକୃଷ୍ଣଙ୍କ ଲୀଳାଭୂମି । ଏଠାରେ ପ୍ରତ୍ୟେକ ପୁରୁଷ ତ ଶ୍ରୀକୃଷ୍ଣଙ୍କ ଅଂଶସମ୍ଭୁତ, ଆଉ ପ୍ରତ୍ୟେକ ନାରୀ ତ ତାଙ୍କରି ମହାହ୍ଲାଦିନୀ ଶକ୍ତି ଶ୍ରୀମତୀ ଶ୍ରୀରାଧିକାଙ୍କର ଅଂଶଜାତା ।’’ (ପୃ-୧୦୧) କୁନ୍ତଳା ଏଠି ଦର୍ଶାଇଛନ୍ତି ଯେ, ନାରୀ ମଧ୍ୟ ନାରୀକୁ କୁପଥଗାମୀ କରାଇବାରେ ସାହାଯ୍ୟ କରେ । ବାହାରକୁ ନିଷ୍କଳଙ୍କ ବୈଷ୍ଣବୀ-ମାତା ବୋଲାଇ ଭିତରେ ନାନା କୁକର୍ମରେ ସେମାନେ ଲିପ୍ତ ଥାଆନ୍ତି । ପୁଣି ସେଥିରେ ନାନା ସରଳା, ଦୁର୍ବଳା ନାରୀମାନଙ୍କୁ ଆଣି ସେମାନଙ୍କ ପାପ-କୁଣ୍ଡରେ ବୁଡ଼ ପକାଇବାକୁ ପ୍ରବର୍ତ୍ତାଇଥାନ୍ତି । ଏହା ମଧ୍ୟ ଏକ ପ୍ରକାରର ନାରୀ-ନିର୍ଯ୍ୟାତନା ।

ପୃଷ୍ଠା-୯୬, ୧୦୧, କୁନ୍ତଳା କୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

‘‘ପରଶମଣି’’ରେ ଶାଶୁ, ନଣନ୍ଦ ଓ ସ୍ୱାମୀର ଅତ୍ୟାଚାରରେ କୁଳବଧୂ ଲଳିତାର ବୈବାହିକ ଜୀବନ କିପରି ଦୁର୍ବିସହ ହୋଇପଡ଼ିଛି, ତା’ର ଜ୍ୱଳନ୍ତ ଚିତ୍ର ଅଙ୍କିତ ହୋଇଛି । ଶାଶୁଙ୍କର କାଠଫାଳିଆ ମାଡ଼, ଫୁଙ୍କୁନଳା ମାଡ଼, ହାଡ଼ଫଟା ଗାଳି, ନଣନ୍ଦଙ୍କ ଦେଖେଇ ଶିଖେଇ କଥାକୁହାପଣ, ଲଳିତାର ଜୀବନକୁ ଅଧିକ ମର୍ମାହତ କରି ପକାଇଛି । ଲଳିତା ମଧ୍ୟ ଲକ୍ଷ୍ୟ କରିଛି, ଏସବୁ ନିର୍ଯ୍ୟାତନାର କାରଣ ତା’ର ଯୌତୁକ । ‘ଲଳିତାର କାଠଫାଳିଆ ମାଡ଼ କଥା ମନେପଡ଼ିଲା । କି ନିର୍ମମ ପାଷାଣ ! କାହିଁକି ସେ କ’ଣ ଦୋଷ କରିଥିଲା କି ? ପରିଝିଅକୁ ବିଭାକରି ଆଣିବେ, ଶେଷକୁ ଏପରି ମାଡ଼ମାରି ତା’ ହାଡ଼ ଭାଙ୍ଗିବେ ! କିବା କଥା ! ତା ଯୌତୁକ ଭଲ ହୋଇନାହିଁ, ଗହଣାଗୁଡ଼ା ନୀରସା, ସେଥିରେ ତା’ର ଦୋଷ କ’ଣ ? ଟ୩୫ଙ୍କାର ଡାକବାବୁ ତା’ ବାପ, ଆଉ କେତେ ଦେଇଥାନ୍ତେ ?’’ (ପୃ ୧୧୮-୧୧୯) କେବଳ ସେତିକି ନୁହେଁ ନିରିମାଖୀ ବୋହୂଟିକୁ ଗାଁର ଦୁଷ୍ଟା ସ୍ତ୍ରୀ ଲୋକମାନେ ମଧ୍ୟ ପଦେ ଅଧେ କହିବାକୁ ଛାଡ଼ନ୍ତି ନାହିଁ । ଲଳିତା ବୃନ୍ଦାବନ ସହିତ କଟକ ଯାଇଥିବାର ଖବର ପାଇଁ ଗାଁ ସ୍ତ୍ରୀମାନେ ଲଳିତାର ଶାଶୁକୁ କହିଛନ୍ତି, ‘‘ଆଲୋ ବୁଢ଼ୀ ବୋଉ; ତୁ କ’ଣ ବୁଝୁଛୁ ? ତୋ ବୋହୂ ପୁଅକୁ ଓଷଦ କରିଛି, ନଇଲେ ଟଙ୍କା ଦବା ବନ୍ଦ କଲା, ପୁଣି ଗୁପତେ ଗୁପତେ ଭାର୍ଯ୍ୟାକୁ ନେଇଗଲା । ଏଡ଼େ ଆଦର କୋଉଦିନ ହେଲାମ ?’’ (ପୃ-୧୨୭) ଗାଁ ନାରୀମାନେ ଦର୍ଶାନ୍ତି ଯେ ପୁଅର କିଛି ଦୋଷ ନାହିଁ କି କାହାର କିଛି ଦୋଷ ନାହିଁ, ବୋହୂ ହିଁ ଓଷଦ କରି ପୁଅକୁ ଖରାପ କରିଛି । ତେଣୁ ବୋହୂ ପରୋକ୍ଷରେ ଦୋଷୀସାବ୍ୟସ୍ତ ହୋଇ ନିର୍ଯ୍ୟାତିତା ହୋଇଥାଏ ।

ପୃଷ୍ଠା (୧୧୮-୧୧୯), ୧୨୭-କୁନ୍ତଳାକୁମରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

ବିବାହ ପରେ ମା’ମାନେ ସାଧାରଣତଃ ପୁଅ ପାଖରୁ ବେଶୀ ବେଶୀ କରି ଟଙ୍କା ପଇସା ଆଣିବାକୁ ଚାହାଁଥାନ୍ତି । କାରଣ ସେମାନଙ୍କର ଧାରଣା ଥାଏ ପୁଅ ବୋହୂ ପିଛା ସବୁ ଖର୍ଚ୍ଚ କରିଦେଉଛି । ବିମ୍ବାଧର ଯେତେବେଳେ ଏହାର ପ୍ରତିବାଦ କରିଛି ଏବଂ ଆଉ ଅଧିକ ଟଙ୍କା ପଠାଇ ପାରିବ ନାହିଁ ବୋଲି କହିଛି, ସେତେବେଳେ ଲଳିତାର ଶାଶୁ ଓ ନଣନ୍ଦ ପୁଅ ବୋହୂକୁ ଯାବତୀୟ ଗାଳି ଗୁଲଜ କରି ଗାଁ କୁ ଫେରିଆସିବାକୁ ବାହାରିଛନ୍ତି । ଲଳିତା କ୍ଷମା ମାଗି ଅଟକେଇଛି । ସେତେବେଳେ ସବୁରାଗ ପୁଣି ଲଳିତା ଉପରେ ବର୍ଷିଛି ଯେ, ‘‘ରଖ’ ଲୋ ତୋ କ୍ଷମା, ତୋ ଗରବର ଫଳ ପାଇବୁ ଯେ, ଛ’ମାସ ଛ’ପକ୍ଷ ଯିବ ନାହିଁ, ପୁଅକୁ ଖାଇବସିବୁ । ଡାଆଣିଟା, ତୁ ପୁଣି ପିଲା ଦେଖେଇ ହଉଚୁ ।’’ (ପୃ-୧୩୩) ଏଠି ମା’ (ଲଳିତା)ର ଦୋଷ ନାହିଁ, କିନ୍ତୁ ତା’ର ମାତୃତ୍ୱକୁ ଧିକ୍‌କାର କରାଯାଇଛି । ଲଳିତାର କିଛି ଦୋଷ ନଥିଲେ ମଧ୍ୟ କୃତ୍ରିମ ଦୋଷ ସୃଷ୍ଟି କରାଯାଇ ତାକୁ ନିନ୍ଦା କରାଯାଇଛି, ପୁଣି ନିର୍ମମ ଭାବରେ ।

(ପୃ. ୧୩୩)-କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

‘‘ପରଶମଣି’’ର ଲଳିତା ପରି ପ୍ରମିଳା ମଧ୍ୟ ନିର୍ଯ୍ୟାତିତା ହୋଇଛି ନିଜ ସ୍ୱାମୀଙ୍କଦ୍ୱାରା । ତା’ର ସ୍ୱାମୀ ବଡ଼ ଜମିଦାରଙ୍କର ପୁଅ, ଶିକ୍ଷିତ କିନ୍ତୁ ଚରିତ୍ରହୀନ, ନିଶାଖୋର । ନିଜ ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ ନାରୀମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି ଏବଂ ଏଥିପାଇଁ ଶାଶୁ ଆଖିରେ ‘ପ୍ରମିଳା’ ହିଁ ଦୋଷୀ ବୋଲି ସାବ୍ୟସ୍ତ ହୋଇଛି । ପାରିବାରିକ ଜୀବନ ସ୍ନେହ, ଶ୍ରଦ୍ଧା, ସଦିଚ୍ଛା, ସହାନୁଭୂତି ବଦଳରେ ଈର୍ଷା, ଦ୍ୱେଷ ଓ ହିଂସାର ରାଜତ୍ୱରେ ଶୁଷ୍କ ଏବଂ ଅଶାନ୍ତିର ଗନ୍ତାଘର ହୋଇଉଠେ ଏବଂ ଏହା ପୁଣି ଗୁଣବତୀ ନାରୀର ଅସୀମ ଧୈର୍ଯ୍ୟ ସହନଶୀଳତା ବଳରେ ସୁଖ ଓ ସୋହାର୍ଦ୍ଦ୍ୟର ସଂସାରରେ ପରିଣତ ହୋଇପାରେ, ତାହା ମଧ୍ୟ କୁନ୍ତଳା ଦର୍ଶାଇଛନ୍ତି ଲଳିତା ଚରିତ୍ର ମାଧ୍ୟମରେ ।

 

କୁନ୍ତଳାକୁମାରୀ ‘‘ରଘୁ ଅରକ୍ଷିତ’’ରେ କନ୍ୟାବିକ୍ରି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି । ଏହା ଏକ ସାମାଜିକ ପ୍ରଥା ଭାବରେ ଚଳିଆସୁଥିଲା । A. S. Altekar ତାଙ୍କ "Marriage and Divorce" ଅଧ୍ୟାୟରେ ମଧ୍ୟ କହିଛନ୍ତି–‘‘Marriage by purchase was the order of the day among ancient Assyrians, and this circumstance may have been responsible for the name Asura being given to that form of marriage was originally a compensation to the brides family for the loss of her service.’’(page-39)

 

ଚଉଧୁରୀ ତାଙ୍କର ଝିଅମାନଙ୍କୁ ବିଭା ଦେଇଛନ୍ତି ବିକ୍ରି ମାଧ୍ୟମରେ । ‘‘ଚଉଧୁରୀଏ ବଡ଼ ଝିଅକୁ ବିଭା ଦେଇଛନ୍ତି ମାହାଙ୍ଗାରେ । ବରଟି ଦୋଭେଇ–ବୟସ ହୋଇଥିଲା ଦି’କୋଡ଼ି । ଟଙ୍କା ତିନିଶ ପଣିଦେଇ ଦିବ୍ୟସୁନ୍ଦର ଝିଅଟି ବୋହୂ କରିନେଲେ ।’’ ନିଜର ଯୁବତୀ ଝିଅକୁ ମଧ୍ୟ ଟଙ୍କା ପାଇଁ ପିତାମାତାମାନେ ୪୦/୫୦ ବର୍ଷର ବୁଢ଼ାମାନଙ୍କ ସହ ବିଭା ଦେବାକୁ ପଛଉ ନଥିଲେ । ଯୁବତୀ ନାରୀ-ସମାଜର ଏକ ପଣ୍ୟଦ୍ରବ୍ୟ ଥିଲା । ବାପମାନେ ପୁଅପାଇଁ ବୋହୂ ଠିକ୍‌ କରିବାକୁ ଯାଇ ନିଜପାଇଁ କନ୍ୟାମାନଙ୍କୁ କିଣି ଆଣୁଥିଲେ । ଏକାଧିକ ନାରୀମାନଙ୍କୁ ରକ୍ଷିତା ହିସାବରେ ଗ୍ରହଣ କରୁଥିଲେ । ଷାଠିଏ ବର୍ଷର ବୁଢ଼ାଟିଏ, ନିଜ ପୁଅ ପାଇଁ ସୀତାକୁ ବୋହୂ ଠିକ୍‌କରିବାକୁ ଯାଇ ଦି’ଗୁଣା ଟଙ୍କା ଦେଇ ନିଜ ପାଇଁ ଠିକ୍‌ କରି ନେଇଥିଲେ । ଚଉଧୁରୀ ଝିଅର ବାପ ହୋଇ ସୁଦ୍ଧା ଦି’ଗୁଣା ଟଙ୍କା ଲୋଭରେ କନ୍ୟାବିକ୍ରି କରିବାକୁ ତତ୍ପର ଥିଲେ । ବରଂ ଯୁକ୍ତି ବାଢ଼ିଛନ୍ତି–‘‘ବାପ ତ ନଗଦ ଜମିଦାର, ପୁଣି ପଣ ଦେବ ଅତିରିକ୍ତ । ମୁଁ ଏ ପାତ୍ର ଛାଡ଼ିବି କିଆ ?’’ (ପୃ ୧୭୪)

 

‘‘ଆମର ବ୍ରାହ୍ମୁଣିଆ ଘର–ଯେତେ ଟଙ୍କା ପଣ, ଝିଅର ସେତିକି ମୂଲ୍ୟ । ଖୁଆଇ ପିଆଇ କ’ଣ ମିଛରେ ଏଡ଼େରୁ ଏଡ଼େଟା କଲି ? କଡ଼ାଗଣ୍ଡା ବୁଝିନେବି ?’’ (ପୃ ୨୦୧)

 

(Page-39)-The position of woman in the Hindu civilization by A. S. Altekar.

ପୃ ୧୭୪, ୨୦୧–କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

ଭାଗ୍ୟକୁ କଠିନ ବାତରୋଗରେ ବୃଦ୍ଧ ବୃନ୍ଦାବନର ମୃତ୍ୟୁ ହେଲା । ହେଲେ ନାରୀ ନିର୍ଯ୍ୟାତନା କମିଲା ନାହିଁ, ବରଂ ବଢ଼ିଲା । ବୃନ୍ଦାବନ ମୃତ୍ୟୁର ଦାୟୀ ହେଲା ସୀତା । ତା’ର ଅଲକ୍ଷଣୀ ଗୁଣ ଯୋଗୁଁ ସେ ମରିଗଲା । ଚଉଧୁରୀଏ କହିଲେ, ହତଭାଗିନୀ, ତା’ର ପୋଡ଼ା କପାଳ ଯୋଗୁଁ ସେ ଏଡ଼େ ବଡ଼ ଜମିଦାର ଘରର ବୋହୂ ହୋଇ ପାରିଲା ନାହିଁ । ପିତାଙ୍କ ଭର୍ତ୍ସନା ସାଙ୍ଗଙ୍କୁ ଗାଁ ସ୍ତ୍ରୀ ମାନେ ଅଗ୍ନିରେ ଘୃତ ସଂଯୋଗ କରିଛନ୍ତି-‘‘ବେଦୀରେ ନ ବସୁଣୁ ବରକୁ ଖାଇଲା । ମା’ଲୋ କି ଅଲକ୍ଷଣୀ ! ରୂପ ସୁନ୍ଦର ହେଲେ କି ହେବ-ବିଧବା ଲକ୍ଷଣ ଦିହଯାକ ଭରା !’’ (ପୃ ୧୮୭) ପୁଣି ଏତିକି ନୁହେଁ, ଚଉଧୁରୀଙ୍କ ଶତ୍ରୁମାନେ ମଧ୍ୟ ଏହାର ସୁଯୋଗ ନେଇଛନ୍ତି । ଶତ୍ରୁତାର ଦାଉରେ ସୀତାକୁ ମଧ୍ୟ ଗାଳି ଦେଇଛନ୍ତି । ଚଉଧୁରୀଙ୍କ ଖୁଡ଼ୁତାପୁଅ ଭାଇ ନବଘନର ସ୍ତ୍ରୀ ହିଂସୁକୀ ରାଧାମଣି ନିର୍ଦ୍ଦୋଷୀ ସୀତା ଉପରେ ଅଯଥା ରାଗ ସୁଝାଇ କହିଛି–‘‘ଛି, ଆଲୋ ଅଲକ୍ଷଣି, ଗୋଜୀକପାଳି, ବରଗୁଡ଼ି ମୁହିଁ, ତୁ ପୁଣି ସ୍ୱାମୀ ଧରି ଘର କରିବୁ ? ତୋ ଠେଇଁ ସଧବା ଲକ୍ଷଣ ଅଛି ?’’ (ପୃ ୧୮୭)

 

ଶେଷରେ ନିରୀହ ବାଳିକା ସୀତା ଅଲକ୍ଷଣି, ଭାଗ୍ୟରେ ବିଧବା ଲକ୍ଷଣ ଅଛି ବୋଲି ପ୍ରତିପାଦିତ ହୋଇଛି । ତା’ର ବିବାହ ପ୍ରସଙ୍ଗ ଏଇଠି ରହିଛି ।

 

ଚଉଧୁରୀ ପୁଣି ସେଇ ପଣ ଲାଗି ଜଣେ ଚରିତ୍ରହୀନ, କାମୁକ, ମଦ୍ୟପ, ବିବାହିତ ପୁରୁଷ ଦିବାକର ସହ ସୀତାକୁ ବିବାହ ଦେବାକୁ ରାଜି ହୋଇଛନ୍ତି । ମା ମନ ବିଚଳିତ ହୋଇଛି । ହେଲେ ସେ ଅନୁଭବ କରିଛନ୍ତି ଚୌଧୁରୀଙ୍କ ଟଙ୍କା ପାଇଁ ଅଟଳ ମନକୁ । ଚୌଧୁରୀଙ୍କ କଥାରେ ପ୍ରତିବାଦ କରିବାକୁ ସରସ୍ୱତୀଙ୍କର ସାହସ ହୋଇନି, ବରଂ ସେ ଚିନ୍ତା କରିଛନ୍ତି–‘‘ଯୁଗଯୁଗାନ୍ତରର ଦାସୀତ୍ୱ ଯେ ତାଙ୍କ ଜାତିକୁ ଜଡ଼ କରି ଦେଇଛି ! ସ୍ୱାମୀଙ୍କ କଥାରେ ପ୍ରତିବାଦ !! କିନ୍ତୁ ଯାହା ସତ୍ୟ, ଯାହା ନ୍ୟାୟ, ତାହା ପାଇଁ ବି ପଦେ କଥା କହିପାରିବେ ନାହିଁ ?’’ (ପୃ ୨୦୭) ପୃ. ୧୮୭, ୧୮୭, ୨୦୭-କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

ନାରୀ ଏଠି ପୁରୁଷର ପ୍ରଭାବରେ ନିଷ୍ପେଷିତ ହୋଇ ପଡ଼ିଛି । ନ୍ୟାୟ ଅନ୍ୟାୟ, ସତ ଅସତର ବିଚାରକୁ ମଧ୍ୟ ଜଳାଞ୍ଜଳି ଦେବାକୁ ବାଧ୍ୟ ହୋଇଛି । ଏକ ପ୍ରକାରର ଜବରଦସ୍ତ ଭୟରେ ସେ ମୂକ ପାଲିଟି ଯାଇଛି ।

 

ଦିବାକରର ପ୍ରଥମ ସ୍ତ୍ରୀ ଶଙ୍କରୀ ମଧ୍ୟ ନିର୍ଯ୍ୟାତିତା ହୋଇଛି ନିଜ ସ୍ୱାମୀଙ୍କଦ୍ୱାରା । ବିବାହ ଦିନୁ ସ୍ୱାମୀଗତ-ପ୍ରାଣା ହୋଇଥିଲେ ମଧ୍ୟ ସ୍ୱାମୀଙ୍କ ସ୍ନେହ, ପ୍ରେମ, ସାନ୍ନିଧ୍ୟରୁ ବଞ୍ଚିତ ହୋଇଛି । ସୀତା ପ୍ରତି ତା’ର ଈର୍ଷା ହେବା ଖୁବ୍‌ ସ୍ୱାଭାବିକ୍ । ସମାଜ ତାକୁ ଦୋଷୀ କଲେ ମଧ୍ୟ ସେ ପ୍ରକୃତରେ ଜମା ଦୋଷୀ ନୁହେଁ । ଯେଉଁ ପୁରୁଷ ଥରେ ବିବାହ କରି ନିଜର ସ୍ତ୍ରୀକୁ ସ୍ତ୍ରୀ ପରି ପ୍ରେମ ଦେଇପାରି ନାହିଁ ଏବଂ ପୁନର୍ବିବାହ କରିପାରୁଛି, ସେ ନିର୍ଦ୍ଦୋଷ ହୋଇ ପାରୁଛି, ତେବେ ପ୍ରଥମ ସ୍ତ୍ରୀ ସଉତୁଣୀକୁ ଈର୍ଷା କରିବାରେ ଦୋଷ କେଉଁଠି ? ଏହା ତ ଅତି ସ୍ୱାଭାବିକ୍‌ ଈର୍ଷା । ବରଂ ସେ ଈର୍ଷା ନ କଲେ ବା ନ କରି ପାରୁଥିଲେ ଦୋଷୀ ହେବା ବେଶୀ ଯୁକ୍ତିଯୁକ୍ତ ।

 

ରଘୁନାଥର ଖୁଡ଼ୀ ରସକଳା ମଧ୍ୟ ନିର୍ଯ୍ୟାତିତା ହୋଇଛି ନିଜ ସ୍ୱାମୀଦ୍ୱାରା । ଦଶବର୍ଷ ଦିନରୁ ବିବାହ କରି ମଧ୍ୟ ତିରିଶ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ପ୍ରେମରୁ ବଞ୍ଚିତ ହୋଇଛି । ଶେଷରେ ତା’ର ବିଦ୍ରୋହୀ ମନ ‘ସ୍ତ୍ରୀ-ଜନ୍ମ’ଟିକୁ ହିଁ ଧିକ୍‌କାର କରିଛି । ‘‘କେତେ ପିଠିରେ ମାଡ଼ ସହିଛି, କେତେ ପଣତ କାନିରେ ଲୁହ ପୋଛିଚି, ବାରିପଟ କୂଅମୂଳ ଆମ୍ବଗଛ ଛାଇରେ ବସି ସାରା ଦି’ପହର କେତେ ଦିଅଁ ଦେବତା ଡାକିଛି, ତୁଳସୀ ଚଉରା ମୂଳେ ସଞ୍ଜଦୀପ ଦେଉ ଦେଉ ମା ବୃନ୍ଦାବତୀଙ୍କୁ କେତେ ଜଣାଇଛି । x x x ଏଇ କ’ଣ ଦାମ୍ପତ୍ୟ ପ୍ରେମ ? ଏଇ କ’ଣ ସ୍ୱାମୀର ସ୍ତ୍ରୀ ଉପରେ କର୍ତ୍ତୃତ୍ୱ ? ଭାତ ଗୁଣ୍ଡାଏ, ଲୁଗା ଖଣ୍ଡିଏ ଦେବେ ବୋଲି ଘର ପାଇଟିଠାରୁ ପୁଅଝିଅ ସରିକି କଡ଼ା ଗଣ୍ଡାରେ ଆଦାୟ କରିବେ ?’’ ଏ କେଉଁ ରାଜ୍ୟର ନ୍ୟାୟ ନିଶାପ ? x x x x x । ଭାବିଲା କର୍ମଫଳ ପୂର୍ବଜନ୍ମରେ ପାପ କଲେ ଏ ଜନ୍ମରେ ସ୍ତ୍ରୀ ହୁଅନ୍ତି ।’’ (ପୃ ୧୮୦)

ପୃଷ୍ଠା ୧୮୦-କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

କୁନ୍ତଳାଙ୍କ ନାରୀ ସମାଜର ପ୍ରତ୍ୟେକ ସ୍ତରରୁ ଆସିଛନ୍ତି । ଜମିଦାର ଘରର ନାରୀଠାରୁ ଆରମ୍ଭ କରି ଗାଁ ଦାଣ୍ଡର କଜିଆ ଖୋରଣୀ ପର୍ଯ୍ୟନ୍ତ ସମସ୍ତଙ୍କର ଚିତ୍ର ତାଙ୍କ ଉପନ୍ୟାସଗୁଡ଼ିକରେ ମିଳେ । ତାଙ୍କ ନାରୀ ତିନି ପ୍ରକାରର ।

 

କାଳୀବୋହୂର ‘ଲକ୍ଷ୍ମୀ’, ପରଶମଣିର ‘ଲଳିତା’, ରଘୁ ଅରକ୍ଷିତର ‘ସୀତା’ ପ୍ରାୟ ଏକ ଧରଣର ନାରୀ । ଏମାନେ ସାଧାରଣ ଭାବେ–ନାରୀ, ସରଳା, ଦୁର୍ବଳା, ଶିଷ୍ଟା ପ୍ରକୃତିର । କିନ୍ତୁ ଏଇମାନେ ହିଁ ସମାଜର ଭ୍ରଷ୍ଟାଚାର, ଅତ୍ୟାଚାରଦ୍ୱାରା ସମାଜିକ ନିୟମ ବନ୍ଧନରେ ବାନ୍ଧିହୋଇ ବିଶେଷ ଭାବରେ ନିଷ୍ପେସିତା ହୋଇଛନ୍ତି ।

 

କୁନ୍ତଳାଙ୍କ ଦ୍ୱିତୀୟ ପ୍ରକାରର ନାରୀ ହେଉଛନ୍ତି–‘ରଘୁଅରକ୍ଷିତ’ର ରସକଳା, ସରସ୍ୱତୀ, ପିତେଇ ନାନୀ, ତାରାମଣି, ‘ଭ୍ରାନ୍ତି’ର ଇନ୍ଦୂମୁଖୀ, ‘କାଳୀବୋହୂ’ର ଶାନ୍ତିଲତା ପ୍ରଭୃତି । ଏମାନେ ପ୍ରତ୍ୟେକ ଦୟା ଓ କୋମଳତାର ଆଧାର । ନାରୀ ପାଇଁ, ନାରୀର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ଏମାନଙ୍କ ହୃଦୟ ସର୍ବଦା ବ୍ୟଥିତ ହୋଇଛି । ଏମାନଙ୍କୁ କୁନ୍ତଳା ମାତୃସ୍ଥାନୀୟା ଚରିତ୍ରରେ ଚିତ୍ରିତ କରିଛନ୍ତି ।

 

ତୃତୀୟ ପ୍ରକାରର ନାରୀ ହେଉଛନ୍ତି ଦୁଷ୍ଟା ପ୍ରକୃତିର । ଏମାନେ ପରର ଅନିଷ୍ଟ କରିବାକୁ ଆଗୁଆ । ନିଜର ସ୍ୱାର୍ଥସାଧନ ପାଇଁ ପରକୁ ବିପଦକୁ ଠେଲି ଦେବାକୁ, ଦୁର୍ନାମ କରିବାକୁ ଏପରିକି ଜୀବନ ନଷ୍ଟ କାରିବାକୁ ମଧ୍ୟ ଏମାନେ ପଛାନ୍ତି ନାହିଁ । ସର୍ବଦା ନାନା ଅପକର୍ମରେ ଲିପ୍ତା ଥାଆନ୍ତି । ଏମାନେ ହେଲେ ଯୁଥିକା, ଗେହ୍ଲୀ, ରମାସୁନ୍ଦରୀ, ଜେମା, ତମାଳିନୀ ଇତ୍ୟାଦି । ଏମାନେ ନାରୀ ହୋଇ ମଧ୍ୟ ନାରୀର ଶତ୍ରୁତା କରନ୍ତି । ନାରୀ ନିର୍ଯ୍ୟାତନା ପାଇଁ ଏମାନେ ପୁରୁଷ ଅପେକ୍ଷା ବିଶେଷ ଭାବରେ ଦାୟୀ ବୋଲି ମନେହୁଅନ୍ତି ।

 

ଆତ୍ମହତ୍ୟା :

ପ୍ରତ୍ୟେକ ମନୁଷ୍ୟ ଚାହେଁ ଏକ ସୁସ୍ଥ, ସୁନ୍ଦର, ସୁଖୀ ଜୀବନଯାପନ କରିବାପାଇଁ । କିନ୍ତୁ ତା’ର ପରିବେଶ, ପରିସ୍ଥିତି, ସାମାଜିକ ବ୍ୟବସ୍ଥା, ଆର୍ଥିକ ଅସ୍ୱଚ୍ଛଳତା ବେଳେ ବେଳେ ତାହା ତାକୁ କରାଇ ଦିଏ ନାହିଁ ଏବଂ ସେ ତା ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟକୁ ଲାଭ କରିବାରେ, ଜୀବନର ଅର୍ଥ ବୁଝିବାରେ, ଜୀବନକୁ ଉପଭୋଗ କରିବାରୁ ବଞ୍ଚିତ ହୁଏ । ଆଖି ଆଗରେ ନାନା ସମସ୍ୟା ହି ଦେଖାଦିଏ । କିନ୍ତୁ ସମସ୍ୟାର ସମାଧାନ ମିଳେ ନାହିଁ । ସେତେବେଳେ ହିଁ ସେ ଜୀବନ ଓ ମୃତ୍ୟୁ ମଧ୍ୟରେ କୌଣସି ପାର୍ଥକ୍ୟ ଉପଲବ୍‌ଧି କରିପାରେ ନାହିଁ । ମାନସିକ ଅସ୍ଥିରତା ଏବଂ ଭଗ୍ନ ହୃଦୟ ନେଇ ସେ ମୃତ୍ୟୁକୁ ଶ୍ରେୟସ୍କର ମନେକରେ । ଆତ୍ମହତ୍ୟାକୁ ହିଁ ସବୁ ସମସ୍ୟାର ସମାଧାନ ବୋଲି ଗ୍ରହଣ କରିନିଏ ।

 

କୁନ୍ତଳାକୁମାରୀଙ୍କ ଚରିତ୍ରମାନେ ଆତ୍ମହତ୍ୟାପାଇଁ ବିଶେଷ ଭାବରେ ଆଗେଇ ଆସିଛନ୍ତି । କୁନ୍ତଳାଙ୍କ ଚରିତ୍ରଗୁଡ଼ିକର ହତାଶାବୋଧ ପାଇଁ ସେମାନଙ୍କୁ ମୃତ୍ୟୁ-ଚେତନା ଗ୍ରାସ କରିଛି । ଅବଶ୍ୟ କୁନ୍ତଳା ଏକମାତ୍ର ଶଙ୍କରୀ ବ୍ୟତୀତ ଆଉ କାହାରିକୁ ଏଥିରେ ସଫଳ ହେବାର ସୁଯୋଗ ଦେଇ ନାହାନ୍ତି । ‘କାଳୀବୋହୂ’ର ବାଳବିଧବା ‘ଲକ୍ଷ୍ମୀ’ ଉପରେ ଦୁଷ୍ଟ ନବଘନ ଅତ୍ୟାଚାର କରି ଚାଲିଛି । ନବଘନର ଉଦ୍ଦେଶ୍ୟ ବୁଝିପାରି ଲକ୍ଷ୍ମୀ ମୃତ୍ୟୁକୁ ଶ୍ରେୟ ମଣିଛି । ‘‘କୁଳରେ ଥାଇ କଳଙ୍କିନୀ ହେବା ଅପେକ୍ଷା ମରଣ ଶତଗୁଣ ବାଞ୍ଛନୀୟ ଭାବି ଲକ୍ଷ୍ମୀ ତହିଁର ଚେଷ୍ଟା କଲା; କିନ୍ତୁ ବିବେକ ବାରଣ କଲା । ମନ କହିଲା, ପୂର୍ବଜନ୍ମରେ ନଜାଣି କି ପାପ କରି ଆଜି ଏ ଦଶା । ପୁଣି କାହା ସକାଶେ ଆତ୍ମହତ୍ୟା କରି ପାପ ଅର୍ଜିବୁ ?’’ (ପୃ ୯୮) ସେଇ ଲକ୍ଷ୍ମୀ ବୃନ୍ଦାବନରେ ସନ୍ନ୍ୟାସିନୀମାନଙ୍କ ଗୁପ୍ତଲୀଳା କଥା ଜାଣି ପୂନର୍ବାର ଆତ୍ମହତ୍ୟା କରିବାକୁ ମନ ବଳାଇଛି । ‘‘ଗୃହରେ ଥିଲା ନାଗସର୍ପ ନବଘନ; ଆଉ ଏଠାରେ ଭେଟିଲା କାଳୀୟ ଭୁଜଙ୍ଗ ତ୍ରିଲୋଚନ ! ଦାରୁଣ ନୈରାଶ୍ୟରେ ଲକ୍ଷ୍ମୀ ଏଥର ଆତ୍ମହତ୍ୟା ସକାଶେ ଅଗ୍ରସର ହେଲା ।’’ (ପୃ ୧୦୧)

ପୃଷ୍ଠା-୯୮, ୧୦୧-କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟା), କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର, କଟକ ।

 

ଆତ୍ମହତ୍ୟା ପାଇଁ କୁନ୍ତଳା ନଦୀ ବା ପୋଖରୀକୁ ଡେଇଁ ମୃତ୍ୟୁବରଣ କରିବା କିମ୍ବା ବିଷ ଖାଇ ମରିବାର ବାଟ ହିଁ ଦେଖାଇଛନ୍ତି । ଲକ୍ଷ୍ମୀ ଯମୁନା ନଦୀରେ ଡେଇଁ ପଡ଼ିଛି ଆତ୍ମହତ୍ୟା ପାଇଁ । ‘‘ସେତେବେଳେ ରାତି ଦୁଇଘଡ଼ି; ଆକାଶରେ ଅସଂଖ୍ୟ ତାରା ଫୁଲକୁସୁମ ସଦୃଶ ବିକଶିତ । ବଙ୍କିମ ରଜତ ରେଖାତୁଲ୍ୟ ଇନ୍ଦୁ ନିଜର ସୌନ୍ଦର୍ଯ୍ୟ ପ୍ରକଟିତ କରୁଥିଲା । ଗଛରୁ ବକୁଳଫୁଲଗୁଡ଼ିଏ ଝଡ଼ି ପଡ଼ୁଥିଲେ । ଲକ୍ଷ୍ମୀ ଥରେ ଈଶ୍ୱରଙ୍କୁ ସ୍ମରଣ କଲା । ଥରେ କୋହରେ ପୂରିଗଲା । ଥରେ ଆକାଶକୁ ଅନେଇଲା; କିନ୍ତୁ ପରକ୍ଷଣରେ ଆଖି ପୋଛି ଡେଇଁ ପଡ଼ିଲା ।’’ (ପୃ ୧୦୨) କିନ୍ତୁ ପରେ ସ୍ୱାମୀ ସଦାନନ୍ଦ ତାକୁ ଉଦ୍ଧାର କରିଛନ୍ତି । ଚନ୍ଦ୍ରୋଦୟ ତାକୁ ବିବାହ କରି ନୂଆଜୀବନ ଦେଇଛି ।

 

‘ପରଶମଣି’ର ଲଳିତା ପ୍ରତି ନିଜର ଶାଶୁ, ନଣନ୍ଦ ଓ ସ୍ୱାମୀର ଅତ୍ୟାଚାର ଅସହ୍ୟ ହୋଇ ପଡ଼ିଛି । ଶେଷରେ ସେ ଠିକ୍ କରିଛି ମରିବାପାଇଁ । ସେ ମଧ୍ୟ ବାଛି ନେଇଛି ତା ଆଗରେ ଥିବା ପୋଖରୀ କିମ୍ବା କୂଅରେ ବୁଡ଼ି ଆତ୍ମହତ୍ୟା କରିବ । ‘‘ସେ ବଞ୍ଚିବ ନାହିଁ, ମରିବ; ନିଶ୍ଚେ ମରିବ । କିନ୍ତୁ କିମିତି ମରିବ ? ନିଜେ ପ୍ରଶ୍ନ କଲା, ନିଜେ ଉତ୍ତର ଆସିଲା । ସମ୍ମୁଖରେ ବିସ୍ତୃତ ଜଳାଧାର, କତିରେ କୂଅ; ମରିବାର ଭାବନା କ’ଣ ?’’ (ପୃ ୧୨୨)

 

ବିମ୍ବାଧର (ପରଣମଣି)ର ଅଭାବ, ଆର୍ଥିକ ସଂକଟ ତାକୁ ମୃତ୍ୟୁପଥକୁ ଟାଣି ନେଇଛି । ଅଭାବର ପ୍ରକୋପରେ ମୃତ୍ୟୁଚେତନା ତାକୁ ଗ୍ରାସ କରିଛି । ‘‘ସେଦିନ ସେ ଆତ୍ମହତ୍ୟା କରିବାକୁ ବାହାରିଥିଲେ । x x x ।’’ (ପୃ ୧୨୮) ସେହିପରି ପ୍ରମିଳା ମଧ୍ୟ ନିଜେ କୁପଥଗାମୀ ସ୍ୱାମୀ ପାଇଁ ଆତ୍ମହତ୍ୟା କରିବାକୁ ବାହାରିଛି । ଲଳିତାକୁ ଏକାନ୍ତରେ କହିଛି, ‘‘ଏ ଜୀବନ ରଖିବି ନାହିଁ, ଏଥର ନ ପଚାରିଲେ ବିଷ ଖାଇ ମରିବି । କି ଦୋଷରେ ଅଭାଗିନୀକି ତ୍ୟାଗ କଲେ ? x x x । ଭଉଣୀ, ନାରୀ କ’ଣ ପାଷାଣ, କେତେ ସହିବ ?’’ (ପୃ ୧୩୮)

ପୃଷ୍ଠା-୧୦୨, ୧୨୨, ୧୨୮, ୧୩୮-କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

ରଘୁନାଥର କକେଇ ହୁରୁଷି ଅରକ୍ଷିତ ରଘୁନାଥକୁ ଅନେକ କଷ୍ଟ ଦେଇଛି । ସମାନ୍ୟ କଥାରେ ମାଡ଼ ମାରୁଛି, ତଣ୍ଟିଆ ଦେଉଛି । ରଘୁର ଭାଗ୍ୟଟା ବି ମନ୍ଦ । ଦିନେ ସକାଳୁ ଘଡ଼ିଏ ତେଲ ଢାଳି ଦେଇଛି, ମାଛ ବାଛୁ ବାଛୁ ବିଲେଇ ଓଟାରି ନେଇଛି, ଭାତ ଗାଳୁ ଗାଳୁ ପଲମ ଭାଙ୍ଗି ଦେଇଛି-। ଏସବୁ କାଣ୍ଡ ଦେଖି ତା’ କକେଇ ତାକୁ ବାଡ଼େଇ ବାଡ଼େଇ ଖଣ୍ଡିଆ ଖାବରା କରିଦେଇଛି । ରଘୁନାଥ କାନ୍ଦି କାନ୍ଦି ବାବୁ ଓ ସୀତା ଆଗରେ କହିଛି–‘‘ଦେଖରେ ବାବୁ ! ପିଠା ଖଡ଼ିକାରେ ମାଡ଼ଦେଇ ମୋ ବାହୁରୁ ପୁଳାଏ ମାଉଁସ ଛିଣ୍ଡେଇ ପକେଇଛି । ମତେ କହୁଚି, ମର ଅଲକ୍ଷଣା ଅର୍କ୍ଷିତ, ଜଳଜଳାକୁ ଆଣି ନିତି ଲୋକସାନି ।’’ (ପୃ ୧୬୨) ଏପରି ଅତ୍ୟାଚାର ରଘୁନାଥ ସହିପାରିନି । ଆତ୍ମହତ୍ୟା କରିବାକୁ ଠିକ୍ କରିଛି । ‘‘ଆଉ ବଞ୍ଚିବି ନାହିଁ, ବାବୁ ! ତୋ ଆଗରେ ଏଇ ପୋଖରୀରେ ବୁଡ଼ି ମରିବି । ମୋ ପରି ଅର୍କ୍ଷିତର ବଞ୍ଚିବାଠୁ ମରିବା ଭଲ ।’’ (ପୃ ୧୬୧)

 

ସେହିପରି ସୀତା ତା’ର ବିବାହ ପ୍ରସଙ୍ଗ ନେଇ ମର୍ମାହତା । ନିଜର ଧନଲୋଭୀ ପିତା ଧନପାଇଁ ନିଜ ଝିଅର ସୁଖ ସ୍ୱାଚ୍ଛନ୍ଦ୍ୟକୁ ପଛରେ ପକାଇ ଝିଅ ଦରକୁ ବଢ଼ାଇ ଚାଲିଛନ୍ତି । ସୀତା ଭଗ୍ନ ସ୍ୱରରେ ପିତେଇ ନାନୀକୁ କହିଛି, ‘‘ଧିକ୍ କର୍ମଫଳ ! ଧିକ୍ ଜନ୍ମ ! ପଶୁଜନ୍ମ ପାଇଲି ନାହିଁ । ଠାକୁରଙ୍କର କ’ଣ ଏଇ ବିଚାର ?’’ (ପୃ ୨୧୫) ଅତ୍ୟଧିକ ନୈରାଶ୍ୟବୋଧରେ ନିଜ ଜୀବନକୁ ଧିକ୍‌କାର କରିଛି ସୀତା । ସେ ମୃତ୍ୟୁକୁ ହିଁ ଉଚିତ୍‌ ପଥ ବୋଲି ବାଛି ନେଇଛି । ପିତେଇ ନାନୀର ବାରଣ ସତ୍ତ୍ୱେ ସେ କହିଛି–‘‘ସେ ମରିବ, ସେ ଦୃଢ଼ପ୍ରତିଜ୍ଞ-ସେ ମରିବ, ବିଷ ଖାଇ ହେଉ, ପାଣିରେ ବୁଡ଼ି ହେଉ–ସେ ନିଶ୍ଚୟ ମରିବ ।’’ (ପୃ ୨୧୬)

ପୃଷ୍ଠା-୧୬୨, ୧୬୧, ୨୧୫, ୨୧୬–କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

ବିଧବା ଫୁଲମଞ୍ଜରୀ ସହିତ ସୁରଞ୍ଚନର ଗୋପନରେ ପ୍ରଣୟ ହୋଇଛି । ବୈଧବ୍ୟ ଯନ୍ତ୍ରଣା ସହି ନପାରି ଫୁଲମଞ୍ଚରୀ ସୁରଞ୍ଜନକୁ ବିବାହ କରିବାଲାଗି ସଂକଳ୍ପବଦ୍ଧ ହୋଇଛି । କିନ୍ତୁ ବିବାହପାଇଁ ଫୁଲମଞ୍ଜରୀର ସର୍ବସ୍ୱ ତ୍ୟାଗ ବେଳେ ସୁରଞ୍ଜନ ପଛଘୁଞ୍ଚା ଦେଇଛି । ତେଣୁ ଫୁଲମଞ୍ଜରୀ ଜିଦ୍ କରିଛି ସୁରଞ୍ଜନ ତାକୁ ବିବାହ ନକଲେ ସେ ବିଷ ଖାଇ ମରିବ ।

 

ଫୁଲର ଏକଜିଦ୍–‘‘ଯଦି ସୁର ତାକୁ ବିଭା ନହୁଏ, ସେ ବିଷ ଖାଇ ମରିବ । ହାତରେ ତାହାର ଅଫିମଡ଼ବା ।’’ (ପୃ ୨୭୮)

 

ସୁରଞ୍ଜନକୁ ଜବରଦସ୍ତ ବିଭା କରାଇବାପାଇଁ ତାଙ୍କ ବାପା ମିଛ ଟେଲିଗ୍ରାମ କରି ଡକାଇଛନ୍ତି । ସୁରଞ୍ଜନ କଟକରେ ପହଞ୍ଚି ହଠାତ୍ ଏ ପ୍ରକାର ବିବାହ ଆୟୋଜନରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି । ତାଙ୍କ ବାପା ମଧ୍ୟ ତାଙ୍କୁ ଭୟ ଦେଖାଇଛନ୍ତି ସେ, ଯଦି ସେ ବିଭା ନହୁଏ ସେ ତଣ୍ଟିରେ ଛୁରୀ ଦେଇ ମରିବେ । ‘‘ମୋର ମାନରକ୍ଷା କରିବାକୁ ହେବ–ଆଜି ରାତିରେ ବିଭା ନ ହୋଇ ତୁ କଟକ ଛାଡ଼ି ପାରିବୁ ନାହିଁ । ହେମଚନ୍ଦ୍ର ବାବୁଙ୍କ ଝିଅ କମଳଲତାକୁ ତୁ ଭଲରୂପେ ଜାଣୁ । ସେ ଯେପରି ସୁନ୍ଦରୀ, ସେହିପରି ଗୁଣବତୀ । ମୋ କଥା ନମାନି ଏଠୁ ଯଦି ପଲାଉ, ତେବେ ମୁଁ ଗଳାରେ ଛୁରୀ ଦେଇ ମରିବି ।’’ (ପୃ ୨୮୭) ଏସବୁ କଥା ଫୁଲମଞ୍ଜରୀ ଜାଣି ନପାରି ସୁରଞ୍ଜନଙ୍କ ବାଟ ଚାହିଁ ଚାହିଁ ବିବ୍ରତ ହୋଇ ପଡ଼ିଛି । ସେତେବେଳର ମାନସିକତା ତାକୁ ମୃତ୍ୟୁମୁଖୀ କରାଇଛି । ‘‘ତା’ର ଇଚ୍ଛା ହେଉଥିଲା, ସେହିକ୍ଷଣି ସୁରଞ୍ଜନକୁ ପାଇଲେ ତାଙ୍କ ଗୋଡ଼ତଳେ ଆତ୍ମହତ୍ୟା କରନ୍ତା ।’’ ପୃ (୨୮୭)

 

ମାୟା ରଘୁନାଥ ପ୍ରତି ଅତ୍ୟଧିକ ପ୍ରେମଭାରରେ ଢଳି ପଡ଼ିଛି । ତାକୁ ସେ ହୃଦୟର ସହିତ ଭଲପାଇ ବସିଛି । ହେଲେ ରଘୁନାଥଠାରୁ କିଛି ହେଲେ ଇଙ୍ଗିତ ନ ପାଇବାରୁ ଶେଷରେ ମୃତ୍ୟୁଚେତନା ତାକୁ ଗ୍ରାସ କରିଛି । ‘‘ତାର ଆଉ ସହିବାର ଶକ୍ତି ନାହିଁ, ଏଥର ସେ ଭାଙ୍ଗି ପଡ଼ିବ–ଏଥର ସେ ମରିବ–ରଘୁନାଥକୁ ଭାବି ଭାବି ମରିବ । ହାୟ, ନିଷ୍ଠୁର ରଘୁନାଥ ! ଏତେ ଦୂର ଉପେକ୍ଷା–ଏତେ ଦୂର ଲଞ୍ଛନା–ଏତେ ତାଚ୍ଛଲ୍ୟ । ଏଥିରେ କି ମନୁଷ୍ୟ ବଞ୍ଚିପାରେ ?’’ (ପୃ ୨୮୨-୮୩) ପରେ ରଘୁନାଥ ମଧ୍ୟ ମାୟାର ଅନୁପସ୍ଥିତିକୁ ଉପଲବ୍‌ଧି କରିଛି । ଚିଠିର ଜବାବ ପାଇଁ ରଘୁନାଥ ହପ୍ତାଏ ଦୁଇହପ୍ତା ଏପରିକି ମାସେ ଅପେକ୍ଷା କରିଛି, କିନ୍ତୁ କିଛି ଉତ୍ତର ପାଇନି । ମାୟା ସହିତ ଦେଖା କରିବାକୁ କଲିକତା ଆସିଛି । ସେଠି ମଧ୍ୟ ତା’ ସହିତ ଦେଖାହୋଇ ପାରିନି । ଜୀବନଟା ତାକୁ ଖୁବ୍‌ ଏକା ଲାଗିଛି । ଗଭୀର ନୈରାଶ୍ୟବୋଧ ତାକୁ ମୃତ୍ୟୁଚେତନା ଆଣିଦେଇଛି–‘‘ତାହାର ମନେହେଲା, ଏପରି ହତଭାଗ୍ୟ ଜୀବନ ଥାଇ ଲାଭ କ’ଣ ?’’ (ପୃ ୨୯୨-)

ପୃଷ୍ଠା-୨୭୮, ୨୮୭, ୨୮୭, ୨୮୨-୮୩, ୨୯୨-କୁନ୍ତଳାକୁମାରୀ ଗ୍ରନ୍ଥାବଳୀ (ଦ୍ୱିତୀୟ)

 

ସଉତୁଣୀ-ପୁଅ ନିର୍ବୋଧ, ସରଳ ଅମୂଲ୍ୟ ରତନର ମୃତ୍ୟୁରେ ସାବତ-ମା ଶଙ୍କରୀ ବ୍ୟଥିତ ହୋଇ ପଡ଼ିଛି । ନିଜେ ସିଧା ସଳଖ ତା’ର ମୃତ୍ୟୁର କାରଣ ନ ହୋଇଥିଲେ ମଧ୍ୟ ପରୋକ୍ଷରେ ତା’ର ଦୋଷକୁ ସେ ସ୍ୱୀକାର କରିଛି । ପ୍ରାୟଶ୍ଚିତ ପାଇଁ ସେ ନିଜର ମୃତ୍ୟୁକୁ ଶ୍ରେୟ ମଣିଛି–‘‘ଯେଉଁ ହାତରେ ଅମୂଲ୍ୟର ପ୍ରାଣ ନେଇଛି; ସେହି ହାତରେ ନିଜର ପ୍ରାଣ ନେବ । x x x । ବାରିଆଡ଼ କୂଅ ମୂଳେ କନିଅର ଗଛଟିଏ ଫୁଲ ଫଳରେ ନଇଁ ପଡ଼ିଥିଲା । ସେ ତୁନି ତୁନି କୂଅମୂଳକୁ ଗଲା । କେତୋଟି ସରସ ଫଳ ଛିଣ୍ଡାଇ ଆଣିଲା । ଘରେ ପଶି ଭିତରୁ କବାଟ କିଳିଦେଲା । ତାକୁ ପାଟିରେ ଯାକି ଶୋଇଲା । କ୍ରମେ ହାତଗୋଡ଼ ଥଣ୍ଡା ହୋଇ ଆସିଲା–ଚେତା ବୁଡ଼ିଲା ।’’ (ପୃ ୩୪୪)

 

କୁନ୍ତଳାଙ୍କ ଯେଉଁସବୁ ଚରିତ୍ର ଆତ୍ମହତ୍ୟା କରିବାକୁ ପଦକ୍ଷେପ ନେଇଛନ୍ତି, କେହିହେଲେ ସଫଳ ହୋଇପାରି ନାହାନ୍ତି । କିନ୍ତୁ କେବଳ ଶଙ୍କରୀ ସଫଳ ହୋଇଛି–‘‘ଶଙ୍କରୀ ଓ ଅମୂଲ୍ୟ ଏକାଦିନରେ ଚିତାରେ ଭସ୍ମୀଭୂତ ହେଲେ ।’’ (ପୃ ୩୪୫)

ପୃଷ୍ଠା - ୩୪୪, ୩୪୫–କୁନ୍ତଳାକୁମାରୀ ଗ୍ରନ୍ଥାବଳୀ (ଦ୍ୱିତୀୟ)

 

ସମାଜ ସଂସ୍କାର :

କୁନ୍ତଳାକୁମାରୀ ତାଙ୍କ ଉପନ୍ୟାସଗୁଡ଼ିକରେ ତତ୍କାଳୀନ ସମାଜର ନିଖୁଣଚିତ୍ର ପ୍ରଦାନ କରିଛନ୍ତି । ସାମାଜିକ ସମସ୍ୟାଗୁଡ଼ିକ ଉପରେ ସେ ବିଶେଷ ଭାବରେ ଆଲୋକପାତ କରିଛନ୍ତି । ତାଙ୍କର ସଂସ୍କାରମୁଖୀ ମନ ସେହି ସମସ୍ୟାଗୁଡ଼ିକର ସମାଧାନର ବାଟ ଖୋଜି ବାହାର କରିଛି । କୁନ୍ତଳା ସବୁବେଳେ ଚାହିଁଛନ୍ତି ଏକ ସୁସ୍ଥ ସୁନ୍ଦର ସମାଜ । ଯେଉଁଠି ନିରୀହା କନ୍ୟାଟିଏ ବାଲ୍ୟବିବାହ କରି ବୈଧବ୍ୟ ଯନ୍ତ୍ରଣାରେ ଘାଣ୍ଟି ହେଉନଥିବ, କୂଳବଧୂ ଉପରେ ଶାଶୁ, ନଣନ୍ଦ, ସ୍ୱାମୀର ଅତ୍ୟାଚାର ନଥିବ, ଜାତିପାଇଁ ମନୁଷ୍ୟ ମଧ୍ୟରେ କଳହ, ଈର୍ଷା, ଦ୍ୱେଷ ସୃଷ୍ଟି ହେଉ ନଥିବ, ତାଙ୍କ ଜମିଦାର ଲୁଟ୍ କରୁ ନଥିବ, ପୁରୁଷ ନିଜ ପତ୍ନୀକୁ ସହଧର୍ମିଣୀ ବୋଲି ଜ୍ଞାନ କରୁଥିବ । ସେ ତାଙ୍କ ଉପନ୍ୟାସଗୁଡ଼ିକରେ ବିଧବାକୁ ପୁନର୍ବିବାହ କରାଇଛନ୍ତି (କାଳୀବୋହୂର ‘ଲକ୍ଷ୍ମୀ’, ରଘୁଅରକ୍ଷିତର ‘ଫୁଲମଞ୍ଜରୀ’) । କୂଳବଧୂ ତା’ର ଅସୀମ ଧୈର୍ଯ୍ୟ ଓ ସହନଶୀଳତା ବଳରେ ନିଜ ଶାଶୁ, ନଣନ୍ଦ, ସ୍ୱାମୀଙ୍କ ମନ ପରିବର୍ତ୍ତନ କରାଇ ପାରିଛି । (ପରଶମଣିର ‘ଲଳିତା’) । ଜାତି ଧର୍ମ ନିର୍ବିଶେଷରେ ମନୁଷ୍ୟ ଜାତି ଗୋଟିଏ ଜାତି ହୋଇଛି (ସ୍ୱାମୀ ସଦାନନ୍ଦ, ଚନ୍ଦ୍ରୋଦୟ, କୃଷ୍ଣଚନ୍ଦ୍ର, ଶାନ୍ତି, ଜଗନ୍ନାଥ, ତାରାମଣି, ଲଛମନଜୀ ପ୍ରଭୃତି ଚରିତ୍ର ଚିତ୍ରଣରେ) । ‘‘କେବଳ ଆନନ୍ଦ ଦେବା ତାଙ୍କ ଉପନ୍ୟାସର ଲକ୍ଷ୍ୟ ନୁହେଁ । କଳା ଲାଗି କଳାରେ ସେ ବିଶ୍ୱାସିନୀ ନୁହନ୍ତି । ତାଙ୍କ ଉପନ୍ୟାସ ଉଦ୍ଦେଶ୍ୟମୂଳକ । ଜୀବନ ଲାଗି ସେ କଳାକୁ ବେଳେ ବେଳେ ବଳି ଦେଇଅଛନ୍ତି । ତାଙ୍କ ମତରେ ଜୀବନପାଇଁ କଳା; ଆଗେ ଜୀବନ, ପରେ କଳା । ଜୀବନକୁ ସୁନ୍ଦର, ମଧୁର କରିବା ତାଙ୍କର ଉଦ୍ଦେଶ୍ୟ ।’’ (୧)

(୧) ‘‘କୁନ୍ତଳାକୁମାରୀଙ୍କ ଉପନ୍ୟାସ; କାଳ ଓ ତାର କଳନା’’-ଡଃ କୁଞ୍ଜବିହାରୀ ଦାଶ

ସାହିତ୍ୟ : ଏକ ଆଲୋକ-ଆଲୋକନ : ଓଡ଼ିଶା ବୁକ୍ ଷ୍ଟୋର, କଟକ ।

 

କାଳୀବୋହୂର ‘ଲକ୍ଷ୍ମୀ’ ପ୍ରତି କୁନ୍ତଳା ଅଧିକ ଦୟାଶୀଳା ହୋଇଛନ୍ତି । ନିର୍ବୋଧ ବାଳିକା ସାତବର୍ଷରୁ ବିବାହ କରି ଦଶବର୍ଷରେ ବିଧବା ହେଲା । ଦଶବର୍ଷରୁ ପ୍ରଚଳିତ ସମାଜନୀତି ପାଇଁ ସେ ବୈଧବ୍ୟ ଯନ୍ତ୍ରଣାରେ ଘାଣ୍ଟି ହୋଇଛି । ‘‘ସେ (କୁନ୍ତଳା) ବାଳଶ୍ରୀ ବିଧବାର ଦୁଃଖରେ ସହାନୁଭୂତିଶୀଳା ହୋଇ ଯେଉଁ ଚିତ୍ର ଦେଇଛନ୍ତି ତାହା ତାଙ୍କ ପୂର୍ବରୁ କେହି ନିଶ୍ଚୟ ଦେଇ ନାହିଁ ।’’ (୨) କୁନ୍ତଳାଙ୍କ ସମାଜ ସଂସ୍କାରୀ ମନ କୁଳକାମିନୀବର୍ଗଙ୍କୁ କୈଫିୟତ୍ ମାଗିଛି-‘‘ହେ କ୍ରୂର କୁଳକାମିନୀ ବର୍ଗ ! ତୁମ୍ଭେ କିପରି ଚାରିବେଳା ଚାରିକଂସା ଭାତ ଧରି ଖାଉଛ ? ରୋହୀମାଛ, ଇଲିସି ଶୁଖୁଆ, ତାମ୍ପଡ଼ା ପୋଡ଼ା ନହେଲେ ଭାତ ରୁଚୁ ନାହିଁ । ଅଥଚ ତୁମ୍ଭରି ନଣନ୍ଦଟି, ତୁମରି ଭାଉଜଟି ବେଳାଏ ଅରୁଆ ମୁଠାକୁ ସମ୍ବଳ କରି ପଡ଼ିଛି । ନିର୍ଦ୍ଦୟ ସମାଜ ! ହସ ନାହିଁ । ରୋଦନ କର । ତୁମ୍ଭ ଉପରେ ଦଶଲକ୍ଷ ବିଧବାର କୋଡ଼ିଏ ଲକ୍ଷ ଆଖିର ଲୁହ ଝରୁଛି । ଧରି ରଖିଲେ ମହାନଦୀ ପୁରିଯିବଟି ?’’ (ପୃ-୯୧)

(୨) କୁନ୍ତଳାକୁମାରୀ ଜୀବନ ଚରିତ–ଶ୍ରୀ ଚକ୍ରଧର ମହାପାତ୍ର ।

ପୃ-୯୧-କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

 

ଲକ୍ଷ୍ମୀ ଯେତେବେଳେ ନିଜର ଚରମ ଦୁଃଖ ଦୁର୍ଦ୍ଦଶାର ପୂର୍ଣ୍ଣଚ୍ଛେଦ ଟାଣିବାପାଇଁ ନିଜକୁ ଯମୁନାରେ ବିସର୍ଜନ ଦେଇଛି, ସେତେବେଳେ କୁନ୍ତଳାଙ୍କ ପ୍ରାଣ କାନ୍ଦି ଉଠିଛି । କୁନ୍ତଳା ତତ୍‌କାଳୀନ ସମାଜବାଦୀମାନଙ୍କୁ ପୁରାଣରୁ ସଂସ୍କାରର ବାଣୀ ଶୁଣାଇଛନ୍ତି–‘‘ଯେଉଁ ଭାରତରେ ସଧବା ଦମୟନ୍ତୀଙ୍କର ପତି ଅନ୍ତର୍ଦ୍ଧାନରେ ଋତୁପୂର୍ଣ୍ଣ ସହିତ ପୁନଃ ସ୍ୱୟମ୍ବର ବ୍ୟବସ୍ଥା ହେଉଥିଲା, ବାଳବିଧବାର ଚିରବୈଧବ୍ୟ ରକ୍ଷା ହେଲା ତାହାର ଧର୍ମ । କୁନ୍ତୀ, ସତ୍ୟବତୀ ପିତୃଗୃହରେ ସନ୍ତାନ ପ୍ରସବ କରି ମଧ୍ୟ ଯେଉଁ ଭାରତ ଭୂମିରେ ତାଙ୍କ ସକାଶେ ସ୍ୱାମୀର ଅଭାବ ଘଟି ନଥିଲା, ଗୋଟିଏ କନ୍ୟାକୁ ପାଞ୍ଚବର ଏକତ୍ର ବିବାହ କଲେ ମଧ୍ୟ ନାରୀର ସତୀତ୍ୱହାନୀ ହୋଇ ନଥିଲା, ସେ ଦେଶରେ ପୁଣି ବାଳବିଧବାର ଦ୍ୱିତୀୟ ପତି ଗ୍ରହଣରେ ସମାଜ ରସାତଳକୁ ଯିବାର ଆଶଙ୍କା ।’’ (ପୃ ୧୦୨) ପରେ ସମାଜ ସଂସ୍କାରକ ଚନ୍ଦ୍ରୋଦୟ ହିଁ ଲକ୍ଷ୍ମୀକୁ ଗ୍ରହଣ କରିଛନ୍ତି, ନାନା କୁତ୍ସାରଟନା, ନିନ୍ଦା, ଅପବାଦ ସତ୍ତ୍ୱେ । ‘‘କ୍ଷୁଦ୍ର ସେହି ଉପନ୍ୟାସରେ ଦେଶସେବା ଓ ସମାଜସଂସ୍କାର ଘେନି ସେ ବହୁଚିତ୍ର ଦେଇଛନ୍ତି । ତାଙ୍କର ‘କାଳୀବୋହୂ’ ଆଜି ମଧ୍ୟ ସୁପାଠ୍ୟ, କାରଣ ସେ ସାମୟିକ ଉତ୍ତେଜନାରେ ଭାସି ନଯାଇ ଦେଶସେବାକୁ ମୁଖ୍ୟ କରିଛନ୍ତି ।’’ (ପୃ ୩୧୦) ।। ୧ ।।

ପୃଷ୍ଠା-୧୦୨-କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)

।। ୧ ।। କୁନ୍ତଳାକୁମାରୀ ଜୀବନ ଚରିତ-ଶ୍ରୀ ଚକ୍ରଧର ମହାପାତ୍ର

 

କୁନ୍ତଳାଙ୍କ ଚରିତ୍ରମାନେ ପୁରୁଷ ହୁଅନ୍ତୁ ବା ନାରୀ ହୁଅନ୍ତୁ, ଯେଉଁଠି ଆତ୍ମହତ୍ୟା କରିବାକୁ ଯାଇଛନ୍ତି, କୁନ୍ତଳା ସେମାନଙ୍କୁ ଜମା ସଫଳ କରାଇ ନାହାନ୍ତି । ଏହାର କାରଣ ତାଙ୍କର ସଂସ୍କାରମୁଖୀ ଚିନ୍ତାଧାରା । ସେ ଚାହିଁଛନ୍ତି ଜୀବନରେ ସଂଗ୍ରାମ କରି ବଞ୍ଚିବାକୁ ଏବଂ ସୁସ୍ଥ ଭାବରେ ବଞ୍ଚିବାକୁ । କେଉଁଠି ସେ ତେରବର୍ଷ ବାଳକ ମୁହଁରେ, ‘‘ନୂଆବୋଉ; ଭଗବାନଙ୍କୁ ଡାକ । ଛି; ଆତ୍ମହତ୍ୟା କରନା, କୁଳରେ କଳଙ୍କ ଦିଅନା ।’’ (‘ପରଶମଣି’ର ବୃନ୍ଦାବନ) କହି ଆତ୍ମହତ୍ୟାରୁ ନିବୃତ କରାଇଛନ୍ତି ତ କେଉଁଠି ନିଜ ଆତ୍ମୀୟସ୍ୱଜନଙ୍କ ପ୍ରତି ଅଧିକ ଆତ୍ମୀୟତା ସୃଷ୍ଟି କରାଇଛନ୍ତି (ଲଳିତା, ପ୍ରମିଳା, ବିମ୍ବାଧର, ଫୁଲମଞ୍ଜରୀ, ମାୟା, ସୀତା ପ୍ରଭୃତି ଚରିତ୍ରରେ) କେଉଁଠି କୁଳର ଭୟ ଦେଖାଇ ଆତ୍ମହତ୍ୟାରୁ ଓହରାଇ ଆଣି ପାରିଛନ୍ତି । ‘‘ମା ବାୟାଣୀ ହେଲୁ ? କୁଳରେ କଳଙ୍କ ଦେବୁ-? ବୁଡ଼ି ମରିବୁ ? (‘ରଘୁ ଅରକ୍ଷିତ’ର ପିତେଇନାନୀ) ।

 

‘ପରଶମଣି’ର ଲଳିତା ଏବଂ ପ୍ରମିଳା ଉଭୟେ ସେମାନଙ୍କ ସ୍ୱାମୀଙ୍କଦ୍ୱାରା ନିର୍ଯ୍ୟାତିତା ହୋଇଛନ୍ତି । ସେମାନଙ୍କ ମଧ୍ୟରେ ହୋଇଥିବା କଥୋପକଥନରୁ କୁନ୍ତଳାଙ୍କ ସଂସ୍କାରୀମନ ବୁଝାପଡ଼େ । ‘‘ତାକୁ ତ ସାତଖୁଣି ମାଫ୍‌, ଆମେ ପଦାକୁ ଚାହିଁଦେଲେ ଆମର ଦୋଷ, ଆମେ ଅସତୀ, ଆଉ ଆମରି ଆଖି ଆଗରେ ଆମ କଲିଜା ଦୁହିଁ ଦଶହଜାର ସ୍ତ୍ରୀ ଘେନନ୍ତୁ, ସେଥିରେ ତାଙ୍କୁ ଲୋକେ ତେଲ ପାଣିରେ ଗୋଡ଼ ବୁଡ଼େଇଛି ବୋଲି କହିବେ ନାହିଁ । ହାୟରେ, ସମାଜ ! ଆମ ଦୀର୍ଘନିଃଶ୍ୱାସରେ ଫାଟି ପଡ଼ୁନାହିଁ ! ଆମ କାନ୍ଦଣାରେ ମିଳେଇ ଯାଉନାହିଁ ! x x x । ଆମେ ଯେ ମଣିଷ, ଏହା କୋଉଦିନ ସେମାନେ ଭାବିବେ ।’’ (ପୃ ୧୩୯)

 

ରଘୁଅରକ୍ଷିତର ‘ଜଗନ୍ନାଥ’ କବିରାଜ ଜଣେ ସମାଜ-ସଂସ୍କାରକ । ତାଙ୍କ ପାଖରେ ଜାତିଭେଦ ନାହିଁ । ହାଡ଼ି, ପାଣ, ବ୍ରାହ୍ମଣ ନିର୍ବିଶେଷରେ ଗୋଟିଏ ଜାତି ବୋଲି ସେ ବୁଝିଛନ୍ତି-ମନୁଷ୍ୟଜାତି । କଥୋପକଥନ ଛଳରେ ତାରାମଣି ଏ କଥା ସରସ୍ୱତୀଙ୍କୁ କହିଛନ୍ତି–ତାଙ୍କଠାରେ ବାରଣ ଅବାରଣ ନାହିଁ । ସେଦିନ ଦୁଲେଇ ହାଡ଼ିଆଣୀକି ଜର ହୋଇଥିଲା । ତା’ ଘରକୁ ଯାଇ ତାକୁ ଛୁଇଁ ଓଷଦ ଦେଇ ଆସିଲେ । ଘରକୁ ଆଇଲାକୁ ସଞ୍ଜ ହୋଇଥିଲା । ମୁଁ କହିଲି, ହାଡ଼ିଆଣୀକି ଛୁଇଁଲ, ଗାଧୁଅ । ସେ ଟିକିଏ ହସିଦେଇ କହିଲେ, ‘‘ମଣିଷକୁ ଛୁଇଁଲେ ଯଦି ମଣିଷ ଛୁଆଁ ହେଉଥାନ୍ତେ ପୃଥ୍ୱୀ ରହନ୍ତା ନାହିଁ । ମୁଁ ଚିକିତ୍ସକ, ମୋ ପାଖରେ ହାଡ଼ି ପାଣ କ’ଣ ?’’ (ପୃ ୧୬୯)

 

ସୀତା ରଘୁନାଥକୁ ହୃଦୟ ଦେଇ ନିଜକୁ ପଚାରିଛି, ଏଥିରେ ତା’ର ଦୋଷ କ’ଣ ? ‘‘ଶକୁନ୍ତଳା ଯେ ଦୁଷ୍ମନ୍ତକୁ ବରଣ କରିଥିଲା–କାହା ଅନୁମତି ଘେନି ! ସାବିତ୍ରୀ ଯେ ସତ୍ୟବାନକୁ–ଦରିଦ୍ର ବନବାସୀକୁ ବରଣ କରିଥିଲା । ତେବେ ଆର୍ଯ୍ୟକୁମାରୀ ସୀତା ରଘୁନାଥକୁ ହୃଦୟ ସମର୍ପଣ କରିଛି, ସେଥିରେ ଦୋଷ !’’ (ପୃ ୧୯୩) ହୃଦୟଦାନ ପରେ ବିବାହର ପ୍ରତିବନ୍ଧନକୁ କୁନ୍ତଳା ଘୃଣା କରିଛନ୍ତି । କୋଷ୍ଠୀ ମିଳିବା, ଜାତକ ଦେଖାର ଅବ୍ୟବସ୍ଥାକୁ କୁନ୍ତଳା ସମାଲୋଚନା କରିଛନ୍ତି–‘‘ସୁଭଦ୍ରା ପାର୍ଥ ବେଳକୁ ପୋଥିଖୋଜା ପଡ଼ିଥିଲା କି ? ନ କୃଷ୍ଣ ରୁକ୍ମିଣୀ ବେଳକୁ ପାଞ୍ଜିକାର ଲୋଡ଼ା ହୋଇଥିଲା ? ସବୁ କେବଳ ଅଭାଗୀ ସୀତା ପାଇଁ ?’’ (ପୃ ୧୯୩)

 

କନ୍ୟାକୁ ବିକ୍ରୟ କରି ବିବାହ ଉତ୍ସବ ପାଳନ କରିବାରେ କୁନ୍ତଳା ପକ୍ଷପାତି ନୁହନ୍ତି । ସୀତାର ବିବାହରେ ସେ ମନ୍ତବ୍ୟ ଦେଇଛନ୍ତି ଯେ, ‘‘ବିବାହ ପୂଣ୍ୟକାର୍ଯ୍ୟ ସତ୍ୟ; କିନ୍ତୁ କିଏ ଜାଣେ–ଏ ବିବାହଟି ପୁଣ୍ୟକାର୍ଯ୍ୟ, ନା ପଣ୍ୟବିକ୍ରୟ ।’’ (ପୃ ୨୧୧)

 

ପୁରୀର ପଣ୍ଡାମାନଙ୍କ ବିରୁଦ୍ଧରେ ମଧ୍ୟ କୁନ୍ତଳା ସ୍ୱର ଉତ୍ତୋଳନ କରିଛନ୍ତି–‘‘ବିଶେଷତଃ ଏଠିକାର ଯେଉଁ ରକ୍ତଶୋଷଣକାରୀ ପଣ୍ଡାମାନେ ! ପଣ୍ଡା ନୁହନ୍ତି ଯେ, ଦଳେ ଜୋକ ତ ।’’ (ପୃ ୨୨୯)

ପୃଷ୍ଠା-୧୩୯, ୧୬୯, ୧୯୩ ୨୧୧, ୨୨୯-କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ) ।

 

ରଘୁନାଥ ବାଧ୍ୟରେ ମିଷ୍ଟର ବନେଟ୍‌ଙ୍କ ସହିତ ଥିଏଟର ଦେଖିବାକୁ ଯାଇଛି । ଏଠି କୁନ୍ତଳା ଆଧୁନିକ ନଗ୍ନସଭ୍ୟତା ବିରୁଦ୍ଧରେ ଯୁକ୍ତି ବାଢ଼ିଛନ୍ତି–‘‘ରଙ୍ଗମଞ୍ଚରେ ନାରୀର ଉଲଗ୍ନ ନୃତ୍ୟାଭିନୟ ତାହାର ଯେତେ ମନେପଡ଼ିଲା, ସେତେ ତା’ର ସର୍ବାଙ୍ଗ ଜଳିଗଲା–ଏ ଦୃଶ୍ୟ ମନୁଷ୍ୟ ଦେଖିବାକୁ ଯାଏ ? ପୁଣି ଭଦ୍ରବେଶଧାରୀ ମାନବ ! ପୃଥିବୀ ସଭ୍ୟ ହେଉଛି ନା ରସାତଳକୁ ଯାଉଛି ।’’ (ପୃ ୨୯୫) ଠିକ୍ ସେହିପରି ଜ୍ୟୋତିଷ ଡାକ୍ତରଙ୍କ ଘରେ କାନ୍ଥରେ ନାରୀପୁରୁଷର ନାନା ନଗ୍ନଚିତ୍ର ଦେଖି ରଘୁନାଥର ହୃଦୟ ଆଲୋଡ଼ିତ ହୋଇଥିଲା ।

 

ଶେଷରେ ସମାଜର ବିଭିନ୍ନ କୁସଂସ୍କାର, ଅନ୍ୟାୟ, ଅବିଚାରପାଇଁ କୁନ୍ତଳା ଉଭୟ ପୁରୁଷ ଓ ସ୍ତ୍ରୀକୁ ଦାୟୀ କରିଛନ୍ତି । ରଘୁନାଥ ଏହି କଥାକୁ ହୃହୟଙ୍ଗମ କରି ମାୟାକୁ କହିଛି–‘‘ଏଇଥର ବୁଝ ନାରୀନିର୍ଯ୍ୟାତନା ପାଇଁ କେବଳ ପୁରୁଷ ଦାୟୀ ନୁହେଁ । ସ୍ତ୍ରୀ ପୁରୁଷ ଉଭୟେ ମିଳି ସ୍ୱାର୍ଥପର ଭାବରେ ଯେଉଁସବୁ ଆଇନ୍‌କାନୁନ୍‌ ବାନ୍ଧିଛନ୍ତି, ସେହିତକ ବିଷଲତା ପରି ସମାଜ ଦେହରେ ଗୁଡ଼େଇ ହୋଇ ଏତକ ଅନର୍ଥ ଭିଆଇଛି ।’’ (ପୃ ୩୨୯) ତେଣୁ ଡଃ କୁଞ୍ଜବିହାରୀ ଦାଶ ଯଥାର୍ଥରେ କହିଛନ୍ତି ଯେ–‘‘ଜୀବନ-ରଙ୍ଗମଞ୍ଚର ସେ ଜଣେ ମୂକ ଦର୍ଶକ ନୁହନ୍ତି, ଅଭିନେତ୍ରୀ । ତେଣୁ ତାଙ୍କ ସଂସ୍କାର ଏକ ଚିନ୍ତା ନୁହେଁ, ବାସ୍ତବ ପ୍ରୟାସ ।’’ ।। ୧ ।।

 

କୁନ୍ତଳାକୁମାରୀ ଓଡ଼ିଆ ସାହିତ୍ୟର ‘ଲିଲି’ ଫୁଲ ପରି ଝଡ଼ିଗଲେ ସିନା, ହେଲେ ତାଙ୍କର ଉପନ୍ୟାସଗୁଡ଼ିକରେ ବର୍ଣ୍ଣିତ ସମାଜଚିତ୍ର ମଧ୍ୟରେ ଗଭୀର ଆଶାବାଦ, ମହାନ ସ୍ୱଦେଶଚିନ୍ତା, ମହାଭାରତୀୟ ଚିନ୍ତାଧାରା ମଧ୍ୟରେ ଉତ୍କଳୀୟ ଦେଶପ୍ରାଣତା, ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ ପାଇଁ ଉନ୍ନତ ପନ୍ଥା ତାଙ୍କୁ ଅମର କରିରଖିବ ।

।। ୧ ।। କୁନ୍ତଳାକୁମାରୀଙ୍କ ଉପନ୍ୟାସ : କାଳ ଓ ତାର କଳନା–ଡଃ କୁଞ୍ଜବିହାରୀ ଦାଶ ।

 

ସହାୟକ ଗ୍ରନ୍ଥସୂଚୀ :-

(୧)

ଉତ୍କଳଭାରତୀ କୁନ୍ତଳାକୁମାରୀ ଗ୍ରନ୍ଥମାଳା (ଦ୍ୱିତୀୟ)-(ସଂ) ଡଃ କୁଞ୍ଜବିହାରୀ ଦାଶ, କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର

(୨)

ସାହିତ୍ୟ : ଏକ ଆଲୋକ-ଆଲୋକନ-ଡଃ କୁଞ୍ଜବିହାରୀ ଦାଶ, ଓଡ଼ିଶା ବୁକ୍ ଷ୍ଟୋର, କଟକ

(୩)

କୁନ୍ତଳାକୁମାରୀ ଜୀବନ ଚରିତ-ଶ୍ରୀ ଚକ୍ରଧର ମହାପାତ୍ର, ଗ୍ରନ୍ଥମନ୍ଦିର, କଟକ-୨

(୪)

ଉପନ୍ୟାସ : କଳା ଓ ତତ୍ତ୍ୱ-( ସଂ) ଡଃ. ଖଗେଶ୍ୱର ମହାପାତ୍ର, ଓଡ଼ିଆ ବିଭାଗ, ବିଶ୍ୱଭାରତୀ

(୫)

The position of woman in Hindu Civilization–A. S. Altekar, Motilal Banarashidas (U. P)

(୬)

The History of Suicide in India.–Upendra Thakur, Maniram Manoharlal. Delhi-6

 

 

ଗବେଷକ, ଓଡ଼ିଆ ବିଭାଗ,

ବିଶ୍ୱଭାରତୀ,

ଶାନ୍ତିନିକେତନ-୭୩୧୨୩୫

 

***

 

ଉପନ୍ୟାସର ଭାଷା ଓ ଶାନ୍ତନୁ ଆଚାର୍ଯ୍ୟଙ୍କ ଭାଷାଭଙ୍ଗୀ

ଡକ୍‌ଟର ବେଣୁଧର ପାଢ଼ୀ

 

ଉପନ୍ୟାସ ଏକ ଭାଷା-ସୌଧ । ଶବ୍ଦ-ଚିତ୍ରର ଏକ ମନୋରମ କଳା-ମନ୍ଦିର ଭାବେ ମଧ୍ୟ ଉପନ୍ୟାସକୁ ଗ୍ରହଣ କରାଯାଇପାରେ । ଯେହେତୁ ଉପନ୍ୟାସର ଆତ୍ମା [ କାହାଣୀ ଓ ଦର୍ଶନ ] ଭାଷାର ସୁବିନ୍ୟସ୍ତ ପଞ୍ଜର ଉପରେ ହିଁ ଭରା ଦେଇ....ଖଞ୍ଜାଖଞ୍ଜି ହେଇ, ସହଂତ-ସୁନ୍ଦର ରସବୋଧକୁ ପ୍ରକଟିତ କରିଥାଏ; ଅପରୂପ କଳାନୈପୁଣ୍ୟର ମର୍ଯ୍ୟାଦାରେ ଉପନ୍ୟାସକୁ ସାହିତ୍ୟର ରାଜସିଂହାସନରେ ଅଭିଷିକ୍ତ କରାଇଥାଏ ! ଔପନ୍ୟାସିକର ସମୂହ ଭାବନା, ତା’ର ଚିନ୍ତା-ଚେତନା ଓ ଆଦର୍ଶ-ଦର୍ଶନକୁ ବିବିଧ ଶାବ୍ଦିକ ବ୍ୟଞ୍ଜନା ମଧ୍ୟରେ ପ୍ରକାଶକ୍ଷମ କରିବାପାଇଁ ‘ଭାଷା’ ହିଁ ବାହନ ଭଳି ସହିତ୍ୟିକର ‘ଭାବନା-ବୋଝ’କୁ ବୋହିନିଏ !! ସୁତରାଂ ଉପନ୍ୟାସ ହିଁ ସଂପୂର୍ଣ୍ଣ ଭାବେ ଭାଷା-ନିର୍ଭର । ଭାଷା ହିଁ ତା’ର ପ୍ରାଣ । ଭାଷା ବିହୁନେ ଉପନ୍ୟାସର ପରିକଳ୍ପନା ହିଁ ଅବାସ୍ତବ-ଅଯୌକ୍ତିକ ଓ ଅସମ୍ଭବ ମଧ୍ୟ ।

 

ଉପନ୍ୟାସର ଭାଷାପାଇଁ ଶାସ୍ତ୍ରକାରର ଯେମିତି କୌଣସି ବୈଧାନିକ ନିର୍ଦ୍ଦେଶ ହିଁ ନାହିଁ; ସେମିତି ଭାଷା ପ୍ରୟୋଗ କାଳରେ କୌଣସି କାନୁନ୍‌-କଟକଣା, ରୀତି-ନୀତିକୁ ସ୍ୱୟଂ ଔପନ୍ୟାସିକ ମାନ୍ୟତା ଦେବାପାଇଁ ମଧ୍ୟ ବାଧ୍ୟ ହୁଏ ନାହିଁ । ସମୟାନୁକ୍ରମେ ସମାଜର ଧାରା ବଦଳୁଥାଏ । ବଦଳୁଥାଏ ସଭ୍ୟତାର ଭେକ ! ମଣିଷର ରୁଚି ବି ସେହି ପରିବର୍ତ୍ତନର ଗୁଳାରେ ରଙ୍ଗ ବଦଳାଏ । ବଦଳିଯାଏ ସେ ଦୃଷ୍ଟିରୁ ମଣିଷ ମୁହଁର ଭାଷା....; ଉପନ୍ୟାସର ଓ ସର୍ବାଦୌ ସାହିତ୍ୟର ଭାଷା । ‘‘କେଉଁଠି କି ପ୍ରକାର ଭାଷାର ପ୍ରୟୋଗ କରିବାକୁ ହେବ, ଔପନ୍ୟାସିକର ବିଚାରବୁଦ୍ଧି ତାହା ସ୍ଥିର କରେ । ସେଥିପାଇଁ ଧରାବନ୍ଧା ନିୟମ କିଛି ରହିପାରିବ ନାହିଁ (୧) ।’’

 

୧.

କାହ୍ନୁଚରଣ ମହାନ୍ତି-ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ, ଉପନ୍ୟାସ, ସାହିତ୍ୟ : ଅଭ୍ୟୁଦୟ ସାହିତ୍ୟ ସମାଜ, କଟକ-୧୯୬୯ : ସଂ-ପଠାଣି ପଟ୍ଟନାୟକ, ଭୋଳାନାଥ ରାଉତ-ପୃ-୨୩

 

ସୁତରାଂ ଲୌକିକ-ମାନକ ଭାଷା, ମଫସଲୀ-ସହରୀ, ସଭ୍ୟ-ଅସଭ୍ୟ, ଆଦିମ-ନୂତନ ଆଦି ଶାସ୍ତ୍ରୀୟ କଟକଣା ଓ ସୀମାର ଊର୍ଦ୍ଧ୍ୱରେ ଔପନ୍ୟାସିକର ମୁକ୍ତ ଜୀବନ....! ଭାଷାର ପ୍ରୟୋଗ ଘେନି ଆପଣାର ଶୈଳୀ ବିଚାର ଏବଂ ପରିଶୁଦ୍ଧ-ସ୍ୱଚ୍ଛ ମନୋଭାବର ପ୍ରକଟନ କ୍ଷେତ୍ରରେ ତେଣୁ ଲେଖକ ସଂପୂର୍ଣ୍ଣ ସ୍ୱାଧୀନ । ସ୍ୱାଧୀନ ଭାବେ ଆପଣାର ଉଦ୍ଦେଶ୍ୟ ସାଧନ ସକାଶେ ଲେଖକ ଆପଣାର କୌଶଳମତେ ଶବ୍ଦଚୟନ କରେ । ଶବ୍ଦ-ସଂଧାନ କାଳରେ କିନ୍ତୁ ଲେଖକର ଉପଯୁକ୍ତ ଶିଳ୍ପୀ-ମନସ୍କତା [creative mentality] ହିଁ ସତର୍କତା ଅବଲମ୍ବନ ପୂର୍ବକ ନୂତନ ଭାବ ଓ ଅଭିନବ ଆବେଗର ସୂତ୍ର ଅନ୍ୱେଷଣରେ ସମର୍ଥ ହୁଏ । ଫଳରେ ଭାଷାର ଏହି କଳାତ୍ମକ ଓ ପ୍ରୟୋଗଜନିତ ସ୍ଥାନିକତା ଉପରେ ହିଁ ତା’ର ସମ୍ବେଦନଶୀଳ ମାଧୁର୍ଯ୍ୟ ସଂଚାରର ଶକ୍ତି ନିର୍ଭର କରିଥାଏ ଏବଂ ଲେଖକର ଏହ କଳା-କୌଶଳ ହିଁ ଅବହେଳିତ ସମାଜ ଅପନ୍ତରାର ଭାଷାକୁ ସାହିତ୍ୟରସରେ ରସାଣିତ କରି ଅନାହତ ସୌନ୍ଦର୍ଯ୍ୟ ଓ ଆବେଗସଂଜାତ ଭାବ-ବାହକର ସମର୍ଥ ଅଧିକାରୀ ରୂପେ ପ୍ରତିଷ୍ଠା ଆଣିଦିଏ । ଷ୍ଟିଫେନ ହେରୋଙ୍କ ଉକ୍ତିଟି ଏ ପ୍ରସଙ୍ଗରେ ଅବତାରଣ କଲେ ଅପ୍ରାସଙ୍ଗିକ ହେବ ନାହିଁ : ‘‘Words, he said have a certain value in the market place–a debased value. Words are simply receptacles of human thought; in the literary tradition they receive more valuable thoughts than they receive in the market place. (୧)’’

 

୧.

Stephen Hero-Copy Edition 1944, page-21 ।

 

ସାହିତ୍ୟ ପରମ୍ପରା ଭିତରେ ଭାଷାର ମହତ୍ତ୍ୱ ବୃଦ୍ଧିପାଏ-ଭାଷା ଅର୍ଥପୂର୍ଣ୍ଣ...ଆବେଗ ପ୍ରବଣ ହୁଏ ଓ କାଳକ୍ରମେ ବିକାଶଶୀଳ ଯୁଗ-ଆତ୍ମା ‘ଉନ୍ନତ ଭାଷା’ର ପାହାଚ ଆରୋହଣ ପୂର୍ବକ ଆପଣା ସଂସ୍କୃତି ତଥା କଳାର ଆଭିଜାତ୍ୟ ପ୍ରତିଷ୍ଠା କରିବାକୁ ସମର୍ଥ ହୁଏ । ଭାଷାରେ ଶିଳ୍ପର ଗୌରବ ଏବଂ ସାହିତ୍ୟରେ ନୂତନତାର ପ୍ରାଣ ସଂଚାର ସମ୍ଭବ ହେଇଥାଏ । ମାତ୍ର ସମସ୍ତ ପ୍ରାଚୁର୍ଯ୍ୟ ଏବଂ ଭାଷାଗତ କାରିଗରୀ ମୂଳରେ ଥାଏ ଲେଖକର ନିଜସ୍ୱ ଶୈଳୀ, ସାମର୍ଥ୍ୟ ଏବଂ ସ୍ୱୟଂସ୍ୱତନ୍ତ୍ର କଳାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ । କୁହାଯାଇପାରେ ଯେ ଯେକୌଣସି ସାଧାରଣ ଲୋକକଥିତ ଅପ୍ରଚଳିତ ଭାଷା ହିଁ ଲେଖକୀୟ ବଳିଷ୍ଠ ବ୍ୟକ୍ତିତ୍ୱଦ୍ୱାରା ମାର୍ଜିତ ହେଇ ସେହି ଭାଷାର ଆଙ୍ଗିକତାକୁ ସୌଷ୍ଠବ ମଣ୍ଡିତ କରିବାକୁ ସମର୍ଥ ହୁଏ; ସାହିତ୍ୟ ଜଗତରେ ନୂତନ ରୁଚି ତଥା ଭାବମୋଦି ପରିବେଶ ସର୍ଜନା କରିବାରେ ସଫଳ କାମ ହୁଏ । ‘‘ପରିବେଷଣ’ର ଭଙ୍ଗୀ ବା ଢାଞ୍ଚାରେ ଲେଖକ, ସ୍ୱପ୍ରତିଭାର ପରିଚୟ ଦେବା ସଙ୍ଗେ ସଙ୍ଗେ, ତାଙ୍କ ସୃଷ୍ଟିରେ ବ୍ୟବହୃତ ଭାଷାକୁ ନୂତନ ରୂପ, ନୂତନ ଅର୍ଥ ଓ ନୂତନ ପ୍ରାଣଶକ୍ତିରେ ସମୃଦ୍ଧ କରିଥାନ୍ତି । ଭାଷାର ଅକଳନ୍ତି-ପ୍ରକାଶଶକ୍ତି, ସୌନ୍ଦର୍ଯ୍ୟ ଓ ସାବଲୀଳତା, ଯାହାକୁ ନେଇ ଏକ ଭାଷା ଅନ୍ୟ ଭାଷାଠାରୁ ଅଧିକ ଗୌରବର ପାତ୍ର ହୋଇଥାଏ, ତାହା ସାଧକ ଓ ଲେଖକମାନଙ୍କର ନିଜତ୍ୱର ଅକ୍ଷୟମୁଦ୍ରା ବ୍ୟତୀତ ଅନ୍ୟ କିଛି ନୁହେଁ (୨) ।’’

 

୨.

ଅଧ୍ୟାପକ ପୀତାମ୍ବର ପ୍ରଧାନ-‘କଥାକାର ସୁରେନ୍ଦ୍ର ମହାନ୍ତି’-ଫ୍ରେଣ୍ଡସ୍ ପବ୍ଳିସର୍ସ-କଟକ-୨ୟ ସଂସ୍କରଣ-୧୯୮୨, ପୃ-୧୪୫ ।

 

ଉପନ୍ୟାସର ସଫଳତା ତେଣୁ ଏକ ପକ୍ଷରେ ତା’ର କାହାଣୀ, ଦର୍ଶନ ଏବଂ ଅନ୍ୟ ପକ୍ଷରେ ତା’ର କଥା କହିବାର ଭଙ୍ଗୀ, ଶବ୍ଦ ସଂଯୋଜନ ଓ ବାକ୍‌ବିନ୍ୟାସ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । କଥାବସ୍ତୁ ମଧ୍ୟରେ ଅନ୍ତର୍ନିହିତ ଭାବକୁ, ଶାଣିତ, ମାର୍ଜିତ ତଥା ଅନୁଭବ-ସଂବେଦୀ କରିବା ପାଇଁ ଓ ଔପନ୍ୟାସିକ ତା’ର ଶବ୍ଦ ସମ୍ପତ୍ତିକୁ ଘେନି ହାତ ସଫେଇ କରେ.....ମ୍ୟାଜିକ୍ ଆରମ୍ଭ କରେ-। ଶାବ୍ଦିକ ବ୍ୟଞ୍ଜନା (ଇଙ୍ଗିତଧର୍ମୀ ଭାଷା), ଆର୍କିଟାଇପ୍, ରୂପକଳ୍ପ ଓ ଚିତ୍ରକଳ୍ପ (Imagery)ର ଭିନ୍ନ ଭିନ୍ନ ସଂଯୋଜନାଦ୍ୱାରା ହିଁ ତାର ଏ ଉଦ୍ଦେଶ୍ୟଟିକୁ ସେ ସାର୍ଥକ କରିବାକୁ ଚାହେଁ । ଫଳରେ ବ୍ୟାବହାରିକ ଭାଷାଠାରୁ ସାହିତ୍ୟର ଭାଷା ଅନେକ ସମୟରେ ବଦଳିଯାଏ...। ବଦଳିବାକୁ ବାଧ୍ୟ ହୁଏ !! କାହିଁକି ନା ପ୍ରକାଶୋନ୍ମୁଖୀ ‘ଭାବ’ ବସ୍ତୁକୁ ଠିକଣା ଭାବରେ ପାଠକଙ୍କ ନିକଟରେ ପହଞ୍ଚାଇବାକୁ ହେଲେ କେଉଁ ଢଙ୍ଗରେ...ଓ କିଭଳି ଭାଷାରେ କହିବା ଲୋଡ଼ା ହୁଏ, କେଉଁଭଳି କଥାଟି କହିଲେ ଆଶା କରୁଥିବା ଅର୍ଥଟି ପାଠକ ଧରିପାରିବ....ବୁଝିପାରିବ-ତାହା ନିର୍ଦ୍ଧାରଣ କରିବା ହିଁ ଅନେକ ସମୟରେ ସମସ୍ୟା ହେଇପଡ଼େ ଓ ଏ କ୍ଷେତ୍ରରେ ଔପନ୍ୟାସିକଙ୍କୁ ଜଣେ ଭାଷାବିଷାରଦର ଭୂମିକାରେ ଅବତୀର୍ଣ୍ଣ ହେବାକୁ ହିଁ ପଡ଼ିଥାଏ । ପ୍ରତି ମୁହୂର୍ତ୍ତରେ ତେଣୁ ଲେଖକର ସଫଳତା ତା’ର ଲେଖନୀକୁ ସଂଜତ କରିବାର ସତର୍କ ବିନ୍ଧାଣୀପଣିଆ ଉପରେ ନିର୍ଭର କରେ । ନଚେତ୍ ସାମାନ୍ୟ ଅସତର୍କତା ହିଁ କଥା ଭିତରେ ଅକଥାର ପ୍ରବେଶ ଓ ଶବ୍ଦ ମଧ୍ୟରେ ଅନର୍ଥକ ଶବ୍ଦର ପ୍ରୟୋଗପାଇଁ ସୁଯୋଗ ସୃଷ୍ଟି କରେ, ସାହିତ୍ୟର ମାନ ହ୍ରାସ କରିବାରେ କାରଣ ହୁଏ ।

 

ସୁତରାଂ ଭଙ୍ଗୀପ୍ରଧାନ ଭାଷାଶୈଳୀ (mannered prose style)କୁ ଆଜିର ଲେଖକ ଅଦରକାରୀ ମନେକରି, ପାରମ୍ପରିକ କୃତ୍ରିମ ଢାଞ୍ଚାର ତତ୍‌ସମ ଶବ୍ଦସମ୍ଭାରକୁ ପରିହାର କରିବା ସହିତ ସ୍ୱଚ୍ଛନ୍ଦ ଜୀବନ ପ୍ରବାହ ମଧ୍ୟରେ ଖେଳିବୁଲୁଥିବା ଲୋକ କଥିତ ସରଳ ଭାଷାକୁ ହିଁ ଅଧିକ ପ୍ରୟୋଜନ ମନେକରି ସାହିତ୍ୟର ‘ପୁଞ୍ଜି’ ଭାବେ ତାକୁ ସଞ୍ଚୟ କରେ ଓ ଆବଶ୍ୟକ ସ୍ଥଳେ ତା’ର ସଦୁପଯୋଗ ମଧ୍ୟ କରି ଆପଣାର ବିଚକ୍ଷଣତାର ପ୍ରମାଣ ଦିଏ । ପ୍ରମାଣ କରିଦିଏ ଯେ, ସମସ୍ୟାବିକ୍ଷୁବ୍‌ଧ ସମାଜ ଏବଂ ମଣିଷର ଅନ୍ତର୍ଦାହ, ତା’ର ବେଦନାବିଦଗ୍‌ଧ ହୃଦୟର କଥା....ଗହନ ମନର କଥା ନିହାତି ବିଶ୍ୱସ୍ତ ଭାବରେ କେବଳ ଏଇ ଲୌକିକ ଭାଷା ହିଁ ପ୍ରକାଶ କରିବାକୁ ସମର୍ଥ ! ତେଣୁ, ‘‘ଆଜିର (ଓଡ଼ିଆ) ଔପନ୍ୟାସିକ ମଣିଷର ମନକୁ ଅତିକ୍ରମ କରି ଆତ୍ମା ସହିତ ସମ୍ପର୍କ ଯୋଡ଼ିବାକୁ ଚାହେଁ । ନୈତିକତା ବଦଳରେ ତେଣୁ ଆତ୍ମିକତାକୁ ସେ ଅଧିକଭାବେ ଗୁରୁତ୍ୱର ସହ ବିବେଚନା କରେ । ଏହି କାରଣରୁ ଆଜିର ଉପନ୍ୟାସର ଭାବ ଏବଂ ଭାଷା ଅନେକାଂଶରେ ଅନୈତିକ ଓ ବ୍ୟାକରଣ ବର୍ହିଭୂତ ମନେ ହୋଇଥାଏ [୧] ।’’

 

୧.

ଔପନ୍ୟାସିକ ଶାନ୍ତନୁକୁମାର ଆଚାର୍ଯ୍ୟ-ସାକ୍ଷାତକାର-ଧରିତ୍ରୀ/ସାକ୍ଷାତ : ଶ୍ରୀଯୁକ୍ତ ହୃଷୀକେଶ ମଲ୍ଲିକ-ରବିବାର ସାପ୍ତାହିକୀ (୨୯ । ୧୦ । ୭୮), ପୃ-୪ ।

 

ଓଡ଼ିଆ ଉପନ୍ୟାସ କ୍ଷେତ୍ରରେ ଲୌକିକ ଭାଷା ପ୍ରୟୋଗର ପରମ୍ପରା ଏବର ନୁହେଁ । କଥାଜନକ ଫକୀରମୋହନଙ୍କଠାରୁ ଆରମ୍ଭ ହେଇଥିବା ଏଇ ଧାରା କଥାଗୁରୁ ଗୋପୀନାଥଙ୍କଠାରେ ଅଧିକ ଯତ୍ନଶୀଳତାର ସହ ପରୀକ୍ଷିତ ହେଇ କଥାକର୍ଣ୍ଣ ଶାନ୍ତନୁଙ୍କଠାରେ ଅତ୍ୟଧିକ ପ୍ରଭାବଶାଳୀ ଭାଷାଶୈଳୀର ସଫଳତା ହାସଲ କରିଛି ବୋଲି ମତ ଦିଆଯାଇପାରେ । ଭାଷା ବିଳାସିତାର ଏଇ ନୂତନ ଦିଗନ୍ତରେ-ଓଡ଼ିଆ ଉପନ୍ୟାସ ଜଗତରେ, ଗୋପୀବାବୁଙ୍କ ପରେ ଶାନ୍ତନୁ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯେ ଭାଷା ବ୍ୟାପାରରେ ଅତି ଦୁଃସାହସିକ ପଦକ୍ଷେପ ହିଁ ଗ୍ରହଣ କରିଛନ୍ତି । କନ୍ଧମାଳ ଆଦିବାସୀ, ଗାଁ ଗଣ୍ଡାର ହରିଜନ ତଥା କିଛି ସହରାଞ୍ଚଳର ନିର୍ଦ୍ଦିଷ୍ଟ ଭାଷାକୁ ଗୋପୀବାବୁ ଆପଣା ଉପନ୍ୟାସର ପୁଞ୍ଜିଭାବେ ଆଦରି ନେଇଥିବା ବେଳେ ଶାନ୍ତନୁକୁମାରଙ୍କ ‘ଭାଷାରୁଚି’ରେ କୌଣସି ବାଛବିଚାର ହିଁ ଦେଖିବାକୁ ମିଳେ ନାହିଁ । ମନେହୁଏ ତାଙ୍କ ପ୍ରଜାପଣିଆ ମନ ‘ଭାଷାମଧୁ’ ପାଇଁ ସବୁ ଫୁଲଙ୍କୁ ସଙ୍ଖୋଳିଛି....ମିତ ବସିଛି, ଧାର ଉଧାର ମାଗିଛି ! ପୋକଶୁଙ୍ଘାଠାରୁ କେତକୀ ଫୁଲଯାଏ; ରିକ୍‌ସାବାଲାଠାରୁ ନ୍ୟାୟଧୀଶ ଓ ଚାଷୁଣୀଠାରୁ କୋଇଲା ସାଉଁଟାଳି ବସ୍ତିଅଞ୍ଚଳର ବୁଢ଼ୀ ପର୍ଯ୍ୟନ୍ତ-ଏମିତି କୌଣସି ଶ୍ରେଣୀର ଭାଷା ନାହିଁ ଆମ ଓଡ଼ିଆରେ, ଯାହାକୁ ହତାଦର କରିଛନ୍ତି ଶାନ୍ତନୁ !

 

‘‘ଧୂଆଁଳିଆ ମାଟିଗନ୍ଧ ଥିବା ପଙ୍କୁଆ ଭାଷାରେ ତୁଛାମିଛ ଓ ଆତ୍ମପ୍ରବଞ୍ଚନା ସବୁକୁ ଫୁଟାଇବା ପାଇଁ ଓ ପୁଣି କ୍ଳେଦାକ୍ତ ପୃଥିବୀର ପଚମାନ ଅଥଚ ଜୀବନର ମହିମ୍ନ ରୂପଗନ୍ଧକୁ ଲେଖିବାପାଇଁ ସେ ସନ୍ତସନ୍ତିଆ ବସ୍ତିଇଲାକାର ଉପାନ୍ତ ଆଇଁଷିଆ ଭାଷାରେ ତାଙ୍କ ଗଳ୍ପ ଉପନ୍ୟାସ ସବୁ ଲେଖିଛନ୍ତି । ଏ ଶିଳ୍ପୀ ସେ ପାଇଁ ସମସ୍ତଙ୍କ ଭିତରେ କେମିତି ନୂଆ ଲାଗନ୍ତି । ଯେଉଁ ଭାବ ସେ ପୋତିଲେ ତାହା ସେପରି ଅଦ୍ଭୁତ ନ ହେଲେ ହେଁ ଆମ ମାଟିରେ ତାହା ନୂଆ ଫଳିଛି (୧) ।’’ କାହିଁକି ନା, ଜୀବନର ସତ୍ୟ ସନ୍ଧାନ କରିବାକୁ ଯାଇ ଔପନ୍ୟାସିକର ଶିଳ୍ପ ଦୃଷ୍ଟିଟି ଘୂରି ବୁଲିଛି ସାରା ସମାଜ । ଖୋଜି ଖୋଜି ଅଲକର ନର୍ଦ୍ଦମାର ବସ୍ତିରେ ପହଞ୍ଚି ଘୃଣାରେ ନାକ କୁଞ୍ଚେଇ ଦେଇନି । କି ଦୂରଛଡ଼ା ହେଇ ସାମ୍ବାଦିକ ଭଳି-ସତର୍କ ଦୂରତାରେ ସେ ଖବର ଟିପି ଆଣିନି । ପରନ୍ତୁ ନଟେଇର ସୂତା ଖୋଲି ଆପଣାର ମନଗୁଡ଼ିକି ଦେଇଛି ଲମ୍ବେଇ ! ଯୋଉଁଠି ଶିଳ୍ପୀ-ଆତ୍ମା ଯାଇ ଲୋଟିଛି ପଙ୍କରେ, ମହୁମାଛିଟି ଭଳି ନର୍ଦ୍ଦମା ନର୍କରୁ ବି ରସ ଖୋଜିଛି-ଜୀବନ ଖୋଜିଛି । ଖୋଜିଛି ଯେମିତି ଉପନ୍ୟାସର ଚରିତ୍ରମାନଙ୍କୁ ସର୍ବହରାମାନଙ୍କ ଭିତରେ....ସାହି ବସ୍ତିରେ । ବ୍ୟାକୁଳ ଭାବେ ଖୋଜି ଆଣିଛି ସେଇ ସବୁ ଚରିତ୍ରମାନଙ୍କୁ–ଯେଉଁମାନେ ସହର ଉପାନ୍ତରେ, ଗାଁର ଗୋହିରୀ ସେପାରିରେ, ଭଦ୍ର ସମାଜର ଚଉପାଢ଼ୀ ତଳେ ଅତି ନ୍ୟୂନ, ମ୍ଳେଛ ଓ ଅଛବ ! ଆଉ ସେଇ ସବୁ ଅଛବମାନଙ୍କ ଜୀବନର ଚିତ୍ର ଆଙ୍କିବାକୁ ଯାଇ–ଛଡ଼ାଇ ଆଣିଛି ସେଇମାନଙ୍କ ପାଟିରୁ ଭାଷା...। ସାଉଁଟି ଆଣିଛି ଭାଷା ନର୍ଜର ଚାଚା’ଠାରୁ ଶିରିଆ ଚାଷୁଣୀଠାରୁ ଶାରୀକଣ୍ଠିଆ ସଂଗ୍ରାମୀଠାରୁ....ଧୋବା ବୁଢ଼ାଠାରୁ.....ଅହଲ୍ୟା ବାଉରାଣୀଠାରୁ ତ ? ହରେକ କିସମର ଭାଷା ବୟାନରେ ଗଢ଼ିତୋଳିଛନ୍ତି ଉପନ୍ୟାସର ଚିତ୍ରଶାଳା ଶାନ୍ତନୁ !

 

୧.

ଆଦିକନ୍ଦ ସାହୁ-‘ଶାନ୍ତନୁ ଆଚାର୍ଯ୍ୟଙ୍କ ଉପନ୍ୟାସରେ ବ୍ୟାବହାରିକ ଗଦ୍ୟ ଭାଷାର ବ୍ୟଞ୍ଜିତ ଗୌରବ’-ସପ୍ତର୍ଷି-ନଭେମ୍ବର/ଡିସେମ୍ବର-୧୯୮୦, ପୃ-୧ ।

 

ଶାନ୍ତନୁଙ୍କ ଭାଷା ପ୍ରୟୋଗ କ୍ଷେତ୍ରରେ ଦୁଃସାହସିକତା ଏବଂ ଲେଖକୀୟ ସ୍ୱାଧୀନତା ଘେନି ଏଠାରେ Thomas A Sebeokଙ୍କ ଉକ୍ତିଟି ଉଦ୍ଧାର କରାଗଲେ ଯଥାର୍ଥ ହେବ : ‘‘Naturalists for their carelessness in construction and their language without realizing that these matters seemed quite unimportant to them. They aimed for truth, not artistry; the novel or drama must offer a ‘slice of life’ not the structural artifice.’’ (୨)

 

୨.

Thomas A. Sebeok-Style in language-M.I.T. Press, 1964, page-283

 

କଳାପାଇଁ କଳା (Art for Art’s sake) ସୃଷ୍ଟିରେ ଔପନ୍ୟାସିକର ମହତ୍ତ୍ୱ ତେଣୁ ପ୍ରକଟିତ ହୁଏ ନାହିଁ । ଜୀବନ ସକାଶେ କଳାର ମହତାକାଙ୍‌କ୍ଷା ହିଁ ସର୍ବବାଦୀ ସ୍ୱୀକୃତ । ଜୀବନ ଶିଳ୍ପୀ ଶାନ୍ତନୁ ଆଚାର୍ଯ୍ୟଙ୍କ କଳାର କଳେବର ତେଣୁ ବାହ୍ୟାଡ଼ମ୍ବର, ଦୃଶ୍ୟମାନ ଚାକଚକ୍ୟ ଓ ଭାଷାର ଭେଳିକି ମଧ୍ୟରେ ଲକ୍ଷ୍ୟଭ୍ରଷ୍ଟ ବା ପୀଡ଼ିତ ନୁହେଁ । ପରନ୍ତୁ ଭାଷା ପ୍ରୟୋଗ କ୍ଷେତ୍ରରେ ନୂତନ ପ୍ରଚୋଦନା ଏବଂ ବୈପ୍ଳବିକ ସାହିତ୍ୟିକ ପଦକ୍ଷେପ ହିଁ ସମଗ୍ର ଓଡ଼ିଆ ଉପନ୍ୟାସକାରମାନଙ୍କ ସପକ୍ଷରେ ଏକ ଜବାବ୍‌; ଏକ ଦୁର୍ବାର ଆହ୍ୱାନ ବୋଲି କୁହାଯାଇ ପାରେ ।

 

(୨)

 

ଶାନ୍ତନୁଙ୍କର ‘ନରକିନ୍ନର’ ଉପନ୍ୟାସଠାରୁ ‘ମନ୍ତ୍ରୀଙ୍କ ସେୟାର’ ପର୍ଯ୍ୟନ୍ତ ପ୍ରତିଟି ଉପନ୍ୟାସର ଭାଷାରେ, ପ୍ରୋକ୍ତ ଅଭିନବ ଭାଷା-କୌଶଳର ପ୍ରୟୋଗଦ୍ୱାରା ଜୀବନର ଅନ୍ତରୀଣ ସତ୍ୟ ଉପଲବ୍‌ଧିପାଇଁ ଯେଉଁ ମାନବିକ ପ୍ରୟାସ ହିଁ ନିହିତ, ତାହାକୁ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ଇତିହାସରେ ଶାନ୍ତନୁକୁମାରୀୟ ନିଷ୍ଠା ତଥା ମର୍ଯ୍ୟାଦାବୋଧର ଏକମାତ୍ର ପ୍ରାମାଣିକ ସନନ୍ଦ ଭାବରେ ଗ୍ରହଣ କରାଯାଇପାରେ । କଥିତ ଭାଷାର ବହୁବର୍ଣ୍ଣି ଅନ୍ତରଙ୍ଗ ବିଧାନଟି ଔପନ୍ୟାସିକର ତଥାକଥିତ ‘ଗାମ୍ଭୀର୍ଯ୍ୟ’ ରକ୍ଷା କରିବା ଦିଗରେ ଅସମର୍ଥ ହୋଇପାରେ ସତ, ମାତ୍ର ଦଳିତ-ନିପୀଡ଼ିତର ଜୀବନ-ସତ୍ୟ ଖୋଜିବା ମାର୍ଗରେ ନିହିତ ଥିବା ସଂଗୁପ୍ତ ରହସ୍ୟଟି ଏହାଦ୍ୱାରା ସହଜରେ ଧରାଦିଏ.....! ‘ନରକିନ୍ନର’ ଉପନ୍ୟାସର ଗୋଦରୀ ବୁଢ଼ୀ, କାମାୟା, ରାମ୍‌ସିଂ, ନଜିର ମିଆଁ, ହରିମିସ୍ତ୍ରୀ, ଲଣ୍ଡ୍ରିବାଲୀ ମାଇକିନା, ବୀର ସାମଲ ଓ ଗୋଡ଼ିକିଆ ଭୈରବ ଚରିତ୍ର ମଧ୍ୟରେ ଲୌକିକ ଭାଷାର ବିବିଧ ରୂପସମ୍ଭାରହିଁ ଉଜ୍ଜୀବିତ ହୋଇ ରହିଥିବାର ଲକ୍ଷ୍ୟ କରାଯାଇପାରେ ।

 

ବସ୍ତିର ଗୋଦରୀବୁଢ଼ୀ, ଯାର ଘର ନାହିଁ, ପରିବାର ନାହିଁ ! ବାରବୁଲାଙ୍କ ହୁଗୁଳା ସଂପର୍କ ଘେନି ଯାର ଜୀବନ-‘‘ଅଳପେଇଷ, ଆଗେ ଯଦି ଆଇଚୁ ଆଗେ ତ ଯିବୁ । କାହାର ଗରଜ ନାଇଁ ତତେ ରଖିବ ? ତିନିକୋଡ଼ି ବରଷ ତ ଏ ସଂସାରରୁ ଖାଇଲୁଣି । x x x ଅଳପେଇଷ, ଶିଙ୍ଘ ହଉଚି ମୋ ଠେଇଁ ? [ ନର କିନ୍ନର-ପୃ-୮ ]

 

ପେଟ ପାଟଣାର ମୁହାଁସରେ ବାଆଁରା ଭାବେ, କଣିକିଆ କି ସମାଜଠୁଁ ଆଡ଼ହେଇ ରହିଥିବା ଗୋଟେ ପାରିବାରିକ ବିକ୍ଷୁବ୍‌ଧ ଜୀବନ । ‘‘ଆଲୋ ସବାଖାଇ, ଡାହାଣୀ, ବାଂଝି ! ତୋର ପୁଅ କିଏ, ନାତି କିଏ, ଆଉ ଘଇତା କିଏ ଲୋ ! ମୋ ଛୁଆଙ୍କ ଉପରେ ଫେଏର ତୋଅର ଆଖିଲୋ ! ହଇଲୋ ହେ ବାରବୁଲି....’’ [ଲଣ୍ଡ୍ରିବାଲି ଧୋବଣୀର ସଂଳାପ-ପୃ-୩୨-ତତ୍ରୈବ]

 

ଉଦ୍‌ବାସ୍ତୁର ଜୀବନ ଘେନି ବଞ୍ଚୁଥିବା ଷ୍ଟେସନ କଡ଼ର ଜଣେ ମୁସଲମାନ-ନଜିର ଚାଚାର ଭାଷା; ‘‘ଆବେ ଏ ବାତ୍ ମାଲୁମ୍ ନେଇଁ ?-ତୁ ଏତନା ବଡ଼ା ହୋଗିୟା, ତୁଝେ ଏତ୍ ନାଇ ମାଲୁମ୍ ନେହିଁ କୈସେରେ ? x x x ଶେର୍ ତୋ ଶାଲା ଏକଦମ୍ ଦିମାକ୍‌ଦାର ଜାନୁଆର୍‌–ସେ ଶାଲା ସବ୍ ସମଝିପାରେ [ ତତ୍ରୈବ-ପୃ-୫୩ ]’’

 

ଜଣେ ବିହାରୀ ଫେରିୱାଲାର ସଂଳାପ: ‘‘ଅବ୍ ଲେ ଲୋ ଦବାଇ–ଏକ୍‌ ଏକ୍‌ ଫୋଣ୍ଟା ହରରୋଜ୍‌ ଆଖୋଁ ମେଁ ତିନ୍‌ ଦଫା ଫେଁକୋ ଔର ମଚାଲୋ ଆହିସ୍ତା ଆହିସ୍ତା–ଫିର ଇସ୍‌କେ ବାଦ୍‌ ଚଷମା !’’ [ ପୃ-ଭୁର୍ଜପତ୍ର-୧୩୮୮ ସାଲ-ମାଘ-ଚୈତ୍ର ସଂଖ୍ୟାରେ ପ୍ରକାଶିତ ‘ଶକୁନ୍ତଳା’ର ଅଂଶ-ପୃ-୧]

 

ରେଲ ଲାଇନ୍‌ କଡ଼ୁ କୋଇଲା ଗୋଟେଇ ପେଟ ପାଳୁଥିବା ତମ୍ପୀମୁହିଁ ବୁଢ଼ୀ : ‘‘ଏ ପୁଅ ହେ ! x x ଆରେ ହେ ! ମୋ ବାପାଟା ପରା, ଧନଟା ପରା, ଧରମ ହେବ ତୋର ବୁଢ଼ୀ ନୋକ-ଉଠି ପାରୁନାଇଁ, ମୋ ବେଉସା ବୁଡ଼ାନାରେ ହେ–x x ଏ ପୁଅ.....ଏ ଧନ ! [ପୃ-୫୭, ନରକିନ୍ନର]

 

ପ୍ରତିଟି ଚରିତ୍ରର ଭାଷା ଏବଂ ସଂଳାପ ଭିତରେ ସ୍ୱାଭାବିକ ଢଙ୍ଗରେ ପରଖି ବସିଲେ, ଗୋଟିଏ ଗୋଟିଏ ଶ୍ରେଣୀ, ଗୋଟିଏ ଗୋଟିଏ ଗୋଷ୍ଠୀ ଜୀବନର ଗନ୍ଧ ସ୍ପଷ୍ଟ ଉକୁଟି ଉଠେ । ଯେମିତି ଶାନ୍ତନୁକୁମାରଙ୍କ ଭାଷା ଚରିତ୍ରପାଇଁ ହିଁ ନୁହେଁ, ଭାଷା ହିଁ ତାଙ୍କର ଚରିତ୍ର ! ଭାଷା କହିଦିଏ ତା’ର ପରିଚୟ–ଚରିତ୍ରର ପ୍ରମାଣପତ୍ର ଉପସ୍ଥାପନ କରେ ଭାଷା ! ବାଛୁଆରୀ ପଡ଼ିଯାଇଥିବା ଗାଁ କଣର ଭାଷା–ଯାହା ଇତିହାସରୁ ହଜିଯିବାକୁ ବସିଛି । ସେହି ସବୁ ଅଚଳନ୍ତି ଭାଷାକୁ ଆପଣାର ‘ସାହିତ୍ୟ–ଯାଦୁଘରେ’ ଯେମିତି ସାଇତି ରଖିବାପାଇଁ ସ୍ରଷ୍ଟା ଶାନ୍ତନୁ ଉନ୍ମୁଖ ହୋଇ ପଡ଼ିଛନ୍ତି :

 

‘‘ମୁଁ ମନାକରୁଚି ଏ ନିଆଁଲଗା ବଉଁଶକୁ–ଅମର ଯାତରା ତାମସା ଦରକାର ନାହିଁ, ଆମର ଇସୁକୁଲୁ ପାଠ ଦରକାର ନାହିଁ । x x x ସେଦିନୁ ମୁଁ କହୁଚି ଏ ଯୋଗିନୀଖିଆକୁ.....(ସର୍ବସ୍ୱାନ୍ତ ହୋଇଯାଇଥିବା ଅଭାବୀ ପରିବାରର ଗୋଟେ ନାରୀ–ନଟବରର ମା : ଶତାବ୍ଦୀର ନଚିକେତା-ପୃ-୧୭୪)

 

‘‘ମେତେ ଚିହ୍ନିଚରେ ବାଡ଼ିପୋଡ଼ାଏ ? ନାଜ ଲାଗୁନାଇଁ ?-ଏତେ ମିଣିପି ଆଇଚ ଗାଁଟାସାରା ନୋକ–x x x ନାଜ ନାଇଁ ! ଏଇ କୁଆଡ଼େ ଗାନ୍ଧି ମହାତମା ସରକାର’’ । (ତତ୍ରୈବ-ପୃ-୧୨୮/ମହନା ହାଡ଼ିର ସ୍ତ୍ରୀ) ପୁଣି ସୁକୁମାରୀର ଭାଷା : ‘‘ମୁଁ ନିଆଁନାଗୀ–ମୋର ମନେ ନାହିଁ–ଡାକ୍ତରଖାନା ଗଲାବେଳକୁ ନଟଭାଇ କହିଯାଇଥେଲେ–ଆପଣଙ୍କୁ ପଚାରିକିନି ଖାଇବାକୁ ଦେବାକୁ’’ (ପୃ-୧୫୪) ଭବାନୀ ପ୍ରସାଦଙ୍କ ଚାକର : ‘‘ବୁଢ଼ାବାବୁ ଚିଠି ନେଖିଥେଲେ, ତମ ପରୀକ୍ଷା ଫି ବାବତ ଟଙ୍କା ଆଉଚି ପଛରେ–ଧାନ ବିକିରି ହେଲେ ।’’ (ପୃ-୫୭)

 

ରୈକ୍ୱର ମା’ ଦକ୍ଷିଣାବର୍ତ୍ତ ଉପନ୍ୟାସରେ : ‘‘ତୁ ତ ଜନ୍ମ ହେଲୁ ଗହୀର ବିଲରେ ଟେଣ୍ଟେଇ ଡିମ ପାରିଲାପରି, ଘଣ୍ଟାଏ କାଳ ତୋ ତୋଟିରେ ଶବ୍ଦ ଦେଲା ନାଇଁ ଶଠୀଦୁଶୀ କିଟି କିଟି ଅନ୍ଧାର....।’’ (ପୃ-୬)

 

ଜଣେ ଚାଷୁଣିର ଭାଷା : ‘‘ସେ ସୁଆଗ ରଖିଦିଅ ତେଣିକି । ଆଗ କହିଲ–ସେ ଜମିଦାର ଖଣ୍ଡିଆଏ ପୁଣି ବାହାରିଲେଣି ନା ପଦାକୁ ! ଆମ ଦଳ ହାରିଗଲେ କିଆଁ ? ତମେ ପରା ଜିହଲ ଖଟିଥେଲ ! ଯୋଗିନୀଖିଆ ତଥାପି ଭୋଟ ଦେବେ ନାହିଁ ତୁମ ଦଳକୁ ?’’ (ଅନ୍ୟ ଏକ ସମୟ, ଅନ୍ୟ ଏକ ଭାରତ-ପୃ-୭୬)

 

‘ଶକୁନ୍ତଳା’ରେ ପରିବେଷିତ ଅର୍ଜୁନା ପାଣର ଭାଷା : ‘‘ବେ ହେଡ଼ାଖିଆ ଲକ୍ଷିଆ ବାହ୍ମଣ ! x x x ଆବେ ଉଠୁଚି କି ନାଇଁ ! x x x ତୋ ମା’କୁ ପଠାଣ ନଉ ! ତୋ ଭଉଣୀକୁ ହାଡ଼ି ନଉ । (ପୃ-୨୪-୨୫)

 

ଭାଷାର ଭିନ୍ନ କିସମ ଘେନି ଆଉ କେତୋଟି ଉଦାହରଣ ଦେଲେ ଯଥାର୍ଥ ହେବ । ଶକୁନ୍ତଳାରେ ବେପାରୀ, ପୁଲିସ୍ ଓ ପ୍ରାକ୍ତନ ମଣିଷର ରହଣିଆ ଭାଷାକୁ ନିଆଗଲେ ଜଣାଯିବ ଭାଷାର ସ୍ୱାତନ୍ତ୍ର୍ୟ ଶାନ୍ତନୁଙ୍କ ଉପନ୍ୟାସରେ କେଡ଼େ ବିଚିତ୍ର !

 

ଜଣେ ବେପାରୀ କହୁଚି; ‘‘ଆରେ ସରକାର ପହ୍ନାରେ ହାତ ମାରନା । ସେ ଜନ୍ତୁ ପହ୍ନେଇବ ଯଦି ପଇସା ବାହାରିବ ନାଇଁ–ବାହାରିବ ହିଣ୍ଡୁଆ ।’’ (ଶକୁନ୍ତଳା-ପୃ-୪୬) ପୋଲିସ; ‘‘ଆବେ କେତେ ଫଟେଇ ହଉଚୁ ମଣିଷ ମାରିବା ମଣିଷ ମାରିବା କଥା ପଚାରି ପଚାରିକା ଶାଲା କୁକୁର ଚୋ....ମହାଜନକା ବଚା ? ପୁଲିସବାଲାକୁ ଶାଲା କଅଣ ସମଜିଚ କିବେ ! (ପୃ-୩୧୦) କଣୁଆଁ ରାଜପୁତ୍ରଙ୍କ ମୃତ୍ୟୁ ଯେକି ପ୍ରଚଳିତ ମଣିଷର ରହସ୍ୟମୟ ଭାଷା ଲୋକମୁଖରେ ଯେଉଁଭଳି ଭାବେ ପ୍ରକାଶିତ; ‘‘ରାଜାପୁଅ କେତେ ଓଷଦ ବଇଦ କବିରାଜ କଲା । ହେଲେ ପାରିଲା କି ? ୟାପରେ ବନ୍ଧୁକ ଚୁଚୁମିବା ଛଡ଼ା ଆଉ କି ରାସ୍ତା ଥିଲା କହୁନ ! କିନ୍ତୁ ରଜାପୁଅ ସେ ! କିଛି ତମ ଆମ ଭଳି ନୁହଁ ଯେ ଏକା ଗୁଳିକେ ଶେଷ । ଛ ଛ ଗୁଳି ମାଇଲା ସେ । କାହାକୁ ? ତମ ଆମ ଭଳି ନିଜ ଛାତିକୁ ? ନିଜ ମୁଣ୍ଡକୁ ? ମାଇଲା କାହାକୁ-ଇନ୍ଦ୍ରିଙ୍କୁ, ପାଞ୍ଚ ଇନ୍ଦ୍ରିର ପାଞ୍ଚ ରିପୁଙ୍କୁ । ଆଗେ ମାଇଲା ପାଟି ଭିତରେ ଜିଭ ଇନ୍ଦ୍ରିକୁ । x x x ସେଇଠୁ ଯୁବରାଜ ମାଇଲେ ତାଙ୍କର ଦ୍ୱିତୀୟ ଗୁଳି-କାହାକୁ କାନ ଇନ୍ଦ୍ରିକୁ । x x x କେତେ କାନ୍ଦ ନ ଶୁଣୁଚି ନିତି ଏ ଶଳା ଇନ୍ଦ୍ରି କହିଲ ! ପହିଲେ ଆଖି ନ ଫିଟୁଣୁ ନିଜ ତୁଣ୍ଡରୁ କୁଆଁ କୁଆଁ ଶବ୍ଦ ପରା ଶୁଣେ ଏ ବାହାଞ୍ଚ ! (ଶକୁନ୍ତଳା-ପୃ ୧୭)

 

ଜୀବନର ମଧୁ ସଂଭାବନା, ତା’ର ନିଚ୍ଛକ ସତ୍ୟାନ୍ୱେଷା ଏବଂ ଗହନ ଆବେଗଟି କଥିତଭାଷା ବ୍ୟତିରେକେ ଏତିକି ସହଜ ଓ ଭାବପୂର୍ଣ୍ଣ ମନେହେବା ଆଦୌ ସମ୍ଭବପର ନୁହେଁ । ସାହିତ୍ୟିକ ଶିଷ୍ଟତା ଦୃଷ୍ଟିରୁ ବର୍ଣ୍ଣାଶୁଦ୍ଧି ଆଶାଳୀନତା, ମ୍ଳେଛ ଓ ଆଶ୍ରାବ୍ୟ ଭାଷାର ଦୋଷ ଦୁଷ୍ଟତାରେ ଏସବୁକୁ ରୁଚିହୀନ ବୋଲି କଥାକଥିତ ସାହିତ୍ୟ ସମାଲୋଚକମାନେ ଡେଙ୍ଗୁରା ପିଟିଲେ ବି ଭାବଗମ୍ୟତା ଓ ଅର୍ଥାନୁଭବ ଦିଗରେ ୟାଠାରୁ ବଳିଷ୍ଠ ଶୈଳୀ ଆଉ ଥାଇ ନପାରେ ବୋଲି ଦୃଢ଼ତାର ସହ କୁହାଯାଇପାରେ । ଅମାର୍ଜିତ ବେଆଡ଼ା ଗ୍ରାମ୍ୟ ଚଷାଚଷଣ୍ଡିର ଭାଷା, ହରିଜନର ଅଳନ୍ଧୁଲଗା ଅଚଞ୍ଛା ଭାଷା, ବସ୍ତିଅଞ୍ଚଳ କୁଲିର ସହରୀମିଶା ଭେଜାଲିଭାଷା, ପାଠଶାଠଠୁ ଦୂରରେ ଥିବା ମାଇପି ମଣିଷଙ୍କର ଅମୁହରି ଗାଉଁଲି ଭାଷା-ଯାହାକୁ ପଙ୍କୁଆ, ଆଇଁଷିଣିଆ, ଉଷୁମୁଳିଆ କି ଅଖାଡ଼ୁଆର ବିଶେଷଣରେ ଚିହ୍ନିତ କଲେ ବି; ଏଇ କଥିତ ଭାଷାର ନିରାଡ଼ମ୍ବର କଳେବର ମଧ୍ୟରେ ଯେ ଦିବ୍ୟ ସୁନ୍ଦର ‘ଭାବ’ର ମୂର୍ତ୍ତିଟି ଗୋପ୍ୟ ଥାଏ–ତାହା କେହି ଅସ୍ୱୀକାର କରିପାରିବେ ହିଁ ନାହିଁ । ଏ ପ୍ରସଙ୍ଗରେ Herbert Readଙ୍କ ମତଟି ଉଦ୍ଧାର କଲେ କଥିତ ଭାଷାର ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ଧାରଣା ଅଧିକ ସ୍ପଷ୍ଟ ହେବ । ‘‘reflect the speed of life, the pressure of life, its very essence.’’ (୧)

 

୧.

Herbert Read-Collected Essays in Literary Criticism Page-50

 

କୁଶଳୀ କୁମ୍ଭାର ହାତରେ କଞ୍ଚାନତପତ ମାଟିଆ ଦରବପରି କଞ୍ଚା କଞ୍ଚା ଭାଷାର ଅଷଣ୍ଠଣା ପ୍ରୟୋଗ ହିଁ ଶାନ୍ତନୁଙ୍କ ଶୈଳୀର ଏକାନ୍ତ ବୈଶିଷ୍ଟ୍ୟ । କେତେବେଳେ ତେଣୁ ଉଲଙ୍ଗ ଆଦିମ ପ୍ରବୃତ୍ତିର ନିରୁତା ପ୍ରକାଶପାଇଁ ଶାନ୍ତନୁଙ୍କ ଭାଷା ସେମିତି ଅବିକଳ ଅଚଞ୍ଛା ଆଇଁଷିଆ ଭାଷାର ଅକୃପଣ ଢଙ୍ଗରେ ପ୍ରକାଶିତ ହେଇଛି, ତ କେତେବେଳେ ଅପରିଶୁଦ୍ଧ ମଣିଷର ଚାରିତ୍ରିକ ଗୁରୁତ୍ୱ ଆରୋପଣ ନିମନ୍ତେ ସାହିତ୍ୟରେ ଅବ୍ୟବହାର୍ଯ୍ୟ ଓ ଅପରିଶୀଳିତ/ଅପରିଚ୍ଛନ୍ନ ମଣିଷର ଅନ୍ତରର ଭାଷା ନିହାତି ଅକୃତ୍ରିମ ଉପାୟରେ ଉପନ୍ୟାସରେ ଉତୁରି ପଡ଼ିଛି । ଯେଉଁଠାରେ ଖୋଜି ବସିଲେ ଅଶିଷ୍ଟତା ବା ଅଶ୍ଳୀଳତାର ଗନ୍ଧ ବି ବାରିହୁଏନା ଆଦୌ । ତେଣୁ ତ, ଓଡ଼ିଆ ଉପନ୍ୟାସ ସାହିତ୍ୟର ବଳିଷ୍ଠ ରୂପକାର ଭାବେ ଏବଂ ଅପୂର୍ବ ଭାଷା କାରିଗରୀର ଏକନିଷ୍ଠ ଭାଷ୍ୟକାର ଭାବେ ଶାନ୍ତନୁ ଆଚାର୍ଯ୍ୟଙ୍କ ସିଦ୍ଧି ତାଙ୍କର ଶ୍ରେଷ୍ଠ ସଫଳତା । ଏ ପ୍ରସଙ୍ଗରେ ସମାଲୋଚକ ଡକ୍ଟର ବାଉରୀବନ୍ଧୁ କରଙ୍କର ମତ ହିଁ ପ୍ରଣିଧାନଯୋଗ୍ୟ ।

 

‘‘ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପନ୍ୟାସଗୁଡ଼ିକର ସଫଳତା ଅନେକାଂଶରେ ତାଙ୍କର ସାଧାରଣ ରଚନାଶୈଳୀଦ୍ୱାରା ସମ୍ଭବ ହୋଇଛି । ବ୍ୟାବହାରିକ ଭାଷା ପ୍ରୟୋଗରେ ତାଙ୍କ ସମକକ୍ଷ ଔପନ୍ୟାସିକଟିଏ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ବିରଳ । ଯେତେ ଅଶ୍ଳୀଳ ହେଲେ ମଧ୍ୟ ସେ ସବୁକୁ ସାହିତ୍ୟରେ ସ୍ଥାନ ଦେବାକୁ ସେ କୁଣ୍ଠିତ ହୋଇ ନାହାନ୍ତି । (୧)’’ । ପରିବେଶ ଏବଂ ପରିସ୍ଥିତିର ଗୁରୁତ୍ୱ ଉପଲବ୍‌ଧି କରି, ଔପନ୍ୟାସିକର ଭାଷା ତଦନୁସାରେ କେତେବେଳେ ଭାବଗମ୍ଭୀର ତ, କେତେବେଳେ କାବ୍ୟିକ ସୁଲଭ ଚଟୁଳତାରେ ନିହାତି ଜୀବନ ଚଞ୍ଚଳ ! ଭାଷାପ୍ରୟୋଗ କାଳରେ ମିଶ୍ରି ବା ଯାବନିକ ଭାଷା, ଅଥବା ହିନ୍ଦୀ ଓ ଇଂରାଜୀ ମିଶା ଓଡ଼ିଆ ଭାଷାର ପ୍ରୟୋଗ କ୍ଷେତ୍ରରେ ଶାନ୍ତନୁ ଆଦୌ ନିଜକୁ ଅପ୍ରତିଭ ମଣି ନାହାନ୍ତି କିମ୍ବା ଦୋଦୋପାଞ୍ଚ ବିରାରରେ ସେଭଳି ଭାଷା ପ୍ରୟୋଗକୁ ଏଡ଼ିଯାଇ ନାହାନ୍ତି । ସେଇଭଳି କେତେକ ଦୃଷ୍ଟାନ୍ତ ନିମ୍ନରେ ପ୍ରଦତ୍ତ କରାଗଲା :

 

୧.

ଡଃ: ବାଉରୀବନ୍ଧୁ କର-ଔପନ୍ୟାସିକ ଶାନ୍ତନୁକୁମାର ଆଚାର୍ଯ୍ୟ-ଝଙ୍କାର-୧୯୮୫-ବିଷୁବ ଏପ୍ରିଲ୍, ପୃ-୫୫ ।

 

‘‘ଗୁରୁ, ସାରା ପୃଥିବୀରେ ହିନ୍ଦୁଙ୍କ ପରି, ଅବ୍‌ସେସ୍‌ଡ଼୍’ ଲୋକ ଆଉ ଅଛନ୍ତି କେଉଁଠି ଭଲା କୁହ ତ । ଯେଉଁମାନେ ଗୋଟେ ଘୁଷୁରୁଣୀ ପ୍ରତି ସେକ୍‌ସୁଆଲି, ଏତେ ଆକୃଷ୍ଟ ସେମାନେ ପୃଥିବୀକୁ ବେଦ ଉପନିଷଦ ଭଳି ‘ଟ୍ରାସ୍‌’, ଉପହାର ନଦେବେ ତ ଦେବ ଆଉ କଅଣ ?’’ (ଶକୁନ୍ତଳା-ପୃ-୨୦୨) ‘‘ଗାନ୍ଧିବାଦ୍‌ ଗୋଟାଏ ଗାଲୁ-ହୋକ୍‌ସ୍‌’’ (ପୃ-୩୮୩) ‘‘ୟୁ, ମିନ୍–ଆୱାର ଓଲ୍‌ଡ଼ ମ୍ୟାନ ଜଣେ ରେପିଷ୍ଟ !’’ (ପୃ-୩୮୫) । ଖାଣ୍ଟି ଓଡ଼ିଆ ସହ କଥନଶୈଳୀ ଅନୁସରଣରେ କେତେକ ଖାଣ୍ଟି ଇଂରାଜୀ ଶବ୍ଦ ପଦ (term) ଏଇଭଳି ସଂଯୋଜିତ ହୋଇ ଭାଷାର ସାବଲୀଳତାକୁ ପ୍ରକାଶ କରୁଥିବା ବେଳେ; କେତେକ ସ୍ଥାନରେ ସମ୍ପୂର୍ଣ୍ଣ ଇଂରାଜୀ ବାକ୍ୟର ପ୍ରୟୋଗ ମଧ୍ୟ ବିନା ଦ୍ୱିଧାରେ ଓ ସ୍ୱାଭାବିକ ଢଙ୍ଗରେ ପ୍ରକାଶ କରି ସେଇ ଏକା ଚମତ୍କାରିତା ଔପନ୍ୟାସିକ ପ୍ରଦର୍ଶନ କରିଛନ୍ତି । ଯଥା : କହିପକେଇଲେ ସେ, ‘ଓ ଗଅଡ଼୍ ! ସୋ ୟୁ ହାଭ୍‌ କମ୍‌ ଆଟ୍‌ଲାଷ୍ଟ ଟୁ ସିଇକ୍‌ ସେଲଟର୍ ହିଅର ଦିସ୍ ନାଇଟ୍ ଇନ୍ ସଚ୍‌ ଏ ଫ୍ୟାସନ୍‌’ (ମନ୍ତ୍ରୀଙ୍କ ସେୟାର, କଥା ପୃ-୬) ସେମିତି-‘‘ପ୍ଳିଜ୍‌ ଡୋଣ୍ଟ ଆଇ ଆମ୍, ଓକେ, କ୍ୱାଇଟ୍‌ ଓକେ, ‘‘(ତତ୍ରୈବ-ପୃ-୧୧) ପାଠକୀୟ ଭାବଆସ୍ୱାଦନ ପ୍ରକ୍ରିୟାରେ ଏଇ ସଂପୂର୍ଣ୍ଣ ଇଂରାଜୀ ଭାଷାର ପ୍ରୟୋଗ କୌଣସି ବ୍ୟାଘାତ କରିବାର ପ୍ରଶ୍ନ ତ ଉଠିପାରେନା, ପରନ୍ତୁ ସ୍ୱାଭାବିକ ଓ ବାସ୍ତବିକତାର ନିଚ୍ଛକ ମାୟାବଳୟ ଭିତରେ ପାଠକ ଆତ୍ମବିସ୍ମୃତ ହେଇପଡ଼େ । ସାହିତ୍ୟିକର କଳ୍ପଜଗତ (ମାୟା)ଠାରୁ ସେ ସଚେତନ ବସ୍ତୁଜଗତର ତାରତମ୍ୟ ବି ପାଶୋରି ଯାଏ-।

 

ହିନ୍ଦୀ ଏବଂ ଇଂରାଜୀ ଭାଷାର ଅପଭ୍ରଂଶ ତଥା ମିଶ୍ରିତ ଭାଷାର ଏକ କଳାତ୍ମକ ପ୍ରକାଶ ଅପୂର୍ବ ଢଙ୍ଗରେ ଶାନ୍ତନୁଙ୍କ ଉପନ୍ୟାସରେ ସଂଯୋଜିତ ହେଇଥିବାର ଲକ୍ଷ୍ୟ କରାଯାଇପାରେ : ‘‘ହେ, ଥୋଡ଼ା ରହବେ ଛୋକ୍ରି ! କେତେନା ଚାଉଳ୍‌, ଚିନି, କିରାସିନ୍‌ ଲବୁ କହୁନୁ–ଦଉଡ଼ୁଛୁ କାହିଁକି-? (ଯାତ୍ରାର ପ୍ରଥମ ପାଦ, ପୃ-୧୩)

 

‘‘ଓ ପୋର୍‌ ଫେସର ସାହେବ ! ତୁମ୍‌ ଅବି ପୋର୍‌ଫେସର ବନ୍‌ଗିୟା–ନେହିଁ ? (ଶତାବ୍ଦୀର ନଚିକେତା, ପୃ-୧୩୮)

 

‘‘କାପ୍‌ଟେଲିଷ୍ଟ ଡାବୁନ୍‌ ଡାବୁନ୍‌

ଡାବୁନ୍‌ ଡାବୁନ୍‌ କପ୍‌ଟେଲିଷ୍ଟ’’ x x x

‘‘ପଇସା ବାଲାକୋ–ଫାଡ୍‍ ଦୋ ।

ସିନେମା ଘର କୋ–ତାଡ୍ ଦୋ

ବାଲ୍‌କନି ଖୁଣ୍ଟିକୋ–ଉପାଡ୍‌ଦୋ’’ ଇତ୍ୟାଦି

(ନରକିନ୍ନର-ପୃ-୧୪୬)

 

ଉପରୋକ୍ତ ବାକ୍ୟଗଠନ ଓ ସଂଳାପ ପ୍ରୟୋଗ କାଳରେ ହିନ୍ଦୀ ଓ ଇଂରାଜୀ ଭାଷାର ବିକୃତ ପ୍ରୟୋଗ, ଅର୍ଥ ଏବଂ ଭାବ ଅବବୋଧ କ୍ଷେତ୍ରରେ ଅନ୍ତରାୟ ହୁଏ ନାହିଁ । ବରଂ ପାରିପାର୍ଶ୍ୱିକତା, ସ୍ଥାନିକତା ଏବଂ ଚାରିତ୍ରିକ ବିଶିଷ୍ଟତା ହିଁ ଉପନ୍ୟାସର କାବ୍ୟିକ ରସମୋଦିତାକୁ ଅଧିକ ତୀବ୍ର ଏବଂ ମର୍ମଭେଦୀ କରାଏ । ଏଭଳି ଭାଷା ପ୍ରୟୋଗ ଯେ ଗର୍ହିତ ଏହା କୁହାଯାଇ ନପାରେ । ଯେଣୁ ଭାଷାବିଦ୍‌ମାନଙ୍କର ଶାସ୍ତ୍ରୀୟ ସ୍ୱୀକୃତି ଏହା ପଛରେ ଦୃଢ଼ ଭାବେ ହିଁ ଉପସ୍ଥାପିତ-! ଭାଷାବିଦ୍‌ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ମତରେ : ‘‘ଯେତେଦୂର ପର୍ଯ୍ୟନ୍ତ ବିଶୁଦ୍ଧ ଘରୋଇ ଓଡ଼ିଆ ଭାଷା ବ୍ୟବହାର କରି ଆମ୍ଭମାନଙ୍କ ଭାବବ୍ୟକ୍ତ କରିବା ତେତିକି ଉତ୍ତମ । ଯେଉଁଠାରେ ଉପାୟାନ୍ତର ନାହିଁ, କିମ୍ବା ନକଲେ ଶୋଭନୀୟ ହେବ ନାହିଁ, ସେଠାରେ ମାର୍ଜିତ ଆମଦାନୀ ଓ Conventional (ଆଡ଼ମ୍ବରଯୁକ୍ତ) ଭାଷା ବ୍ୟବହାର କରିବା ଯୁକ୍ତିସିଦ୍ଧ ।’’ (୧) କୁହାଯାଇପାରେ ଯେ, ଏଇଭଳି ଦେଶୀୟ, କଥିତ ଓ ବୈଦେଶିକ ତଥା ଲୌକିକ କଥୋପକଥନ ଶୈଳୀର ଭାଷା ସଂଳାପ ପ୍ରୟୋଗଦ୍ୱାରା, ଉପନ୍ୟାସର କଳା-ଶିଳ୍ପ କ୍ଷୁର୍ଣ୍ଣ ହେବା ପରିବର୍ତ୍ତେ ଏକ ଅଭିନବ ସାହିତ୍ୟିକ ଭାଷାର ଅନ୍ତରୀଣ ସାବଲୀଳତା ହିଁ ସ୍ୱତଃସ୍ଫୁର୍ତ୍ତ ଆବେଗର ଭାବ–ପାଠକମାନଙ୍କ ଭିତରେ ଉତ୍ସରିତ କରିବାକୁ ସମର୍ଥ ହୋଇଥାଏ ।

 

୧.

ଗୋପାଳଚନ୍ଦ୍ର ପ୍ରହରାଜ–ଦୁଇଖଣ୍ଡି ଓଡ଼ିଆ ପୁସ୍ତକ ଶୀର୍ଷକ ସମାଲୋଚନା–ଉତ୍କଳ ସାହିତ୍ୟ, ୬ଷ୍ଠ ବର୍ଷ, ୫ମ ସଂଖ୍ୟା–ପୃ-୧୩୦ ।

 

ଭାଷା ବିନ୍ୟାସର ବୈଚିତ୍ର୍ୟ ଏବଂ ଭାବର ଅପୂର୍ବ ବର୍ଣ୍ଣାଳୀ ସୃଷ୍ଟି ନିମନ୍ତେ କାବ୍ୟିକ ରୂପକଳ୍ପ (Allegory) ଓ ଚିତ୍ରକଳ୍ପ (Imagery)ର ସୁଷମ ସଂଯୋଜନା କରିବା କ୍ଷେତ୍ରରେ ଶାନ୍ତନୁଙ୍କୁ ମଧ୍ୟ ଓଡ଼ିଆ ଉପନ୍ୟାସ ଜଗତର ଅବ୍ୟର୍ଥ ବିନ୍ଧାଣୀ ମର୍ଯ୍ୟାଦା ଦିଆଯାଇପାରେ । ଅନେକତ୍ର ପରିବେଶ ଏବଂ ପରିସ୍ଥିତିର ଅବିକଳ ନକ୍‌ସାଟିଏ ପାଠକ ସମକ୍ଷରେ ତୋଳି ଧରିବାକୁ ସେ ରୂପକଳ୍ପ ଓ ଚିତ୍ରକଳ୍ପ ପ୍ରୟୋଗ ମାଧ୍ୟମରେ ପ୍ରଯତ୍ନ କରିଥିବା ଲକ୍ଷ୍ୟ କରାଯାଇଥାଏ । ଏଥିପାଇଁ ସାମାନ୍ୟ କେତୋଟି ଉଦାହାରଣ ନେଲେ ଯଥେଷ୍ଟ ହେବ ।

 

‘‘ରାତି ଅଧରେ ଉଠିପଡ଼ି ମାଆଛଡ଼ା କୁକୁରଛୁଆ ଭଳି ଯେତେବେଳେ ପ୍ରଥମେ ପ୍ରଥମେ ସେ ଚିତ୍କାର କରିଉଠେ......’’ (ନବକିନ୍ନର-ପୃ-୮୮)

 

‘‘ହଠାତ୍ ହରିମିସ୍ତ୍ରୀର ଗେଣ୍ଡାକେଶର ଭଳି ବିଛେଇ ହେଇଯାଇଥିବା ଓଠ ଦିଟା ଚାପିଚୁପି ହେଇ ଭିତରକୁ ପଶି ପଶି ଗଲା ।’’ (ତତ୍ରୈବ-ପୃ-୧୧୮)

 

‘‘ଏଭଳି ଗୋଟାଏ ଗୋଟାଏ ସବାରଙ୍କୁ ରିକ୍‌ସାରେ ବସେଇ ନେଲାବେଳେ ତା’ର ମନେହୁଏ, ସତେ ଯେମିତି କୌଣସି ମଣିଷଙ୍କୁ ପିଠିରେ ବସେଇ ସେ ନଉନାହିଁ । ନଉଚି କୌଣସି ଗୋଟାଏ କିଛି କାଠ ଢବଲ ଯାହା ଭିତରେ ଗୁଡ଼ାଏ କାଚ ଜିନିଷ ଖୁନ୍ଦା ହେଇଚି, କି ଗୋଟାଏ ଗୁଡ଼ମାଠିଆ ଯାହା ଭିତରେ ଗୁଡ଼ାଏ ପାଣିଆ ଭେଜାଲ ଗୁଡ଼ ଭର୍ତ୍ତି ହେଇଚି.....।’’ (ତତ୍ରୈବ-ପୃ-୧୨୯)

 

‘‘ମାଟି ଉପରୁ ହାତେ ଉଞ୍ଚର ଗୋଟାଏ ଡାଙ୍ଗ ଭଳି ସେ ପୋତା ହେଇଥିଲା x x x ଚାଷ କ୍ଷେତରେ ପୋତା ହେଇଥିବା ହୁରୁଡ଼ାଟିଏ ଭଳି ।’’ (ତତ୍ରୈବ, ପୃ-୧୫୩)

 

‘‘ମାଛଘଣ୍ଟା ସରିଥିବା ଚାରିପଟେ ପିନ୍‌ପିନ୍‌ ଧଳାବଗମାନଙ୍କର ଭେଳା ଭଳି ଆଜି ସେପଟେ ଲାଗିଯାଇଥାଏ ପିନ୍‌ପିନ୍‌ ଧଳା ଖଦି, ପଞ୍ଜାବୀ ଚଦର ପୋଷାକ ପିନ୍ଧା ମଣିଷମାନଙ୍କର ମେଳା ।’’ (ତିନୋଟି ରାତିର ସକାଳ : ପୃ-୧୭)

 

‘‘ପ୍ରଥମ ଆଶ୍ୱିନର କାଚକେନ୍ଦୁ ପରି ପ୍ରବହମାନ ନେଳିଆ ଏହି ନାଳଟି ତା’ଆଖିକୁ ଦିଶେ କୌଣସି ଦୟାଳୁ ଇଂରେଜୀ ଲୋକର ଚିଲା ଆଖିରୁ ନିଗିଡ଼ି ଆସିଥିବା ଧାରେ ଲୁହ ପରି ।’’ (ପୃ-୧୯)

 

‘‘ଖବର କାଗଜଟା ଜୟଦ୍ରଥର ମୁଣ୍ଡପରି (Myth) ବିଭୁପ୍ରସାଦର କୋଳରୁ ଖସିପଡ଼ିଲା,’’ (ପୃ-୧୪୧) । କିମ୍ବା ‘‘ଆକାଶ ଗୋଟେ ଫଳନ୍ତି ଗଛପରି ଠିଆ ହୋଇଥାଏ ସେଦିନ ।’’ (ଅନ୍ୟ ଏକ ସମୟ, ଅନ୍ୟ ଏକ ଭାରତ-ପୃ-୧)

 

‘‘ଦୁର୍ବୃତ୍ତମାନେ ଦଳେ ହେଟା ବାଘଭଳି ସାଉଁ ସାଉଁ ହେଇ ଖେଦି ଆସୁଥିଲେ ପଛରେ ।’’ (ଯାତ୍ରାର ପ୍ରଥମ ପାଦ-ପୃ-୧୧) ‘‘ସବାଶେଷ ଲୋକଟା ଆପଣାର ବିକୃତ ଲାଳସା ମେଣ୍ଟନ ପାଇଁ ଚକୁଳି ଲେଉଟାଇଲା ଭଳି ମିନିକୁ ଓଲଟେଇ ଦେଇଥିଲା କେତେଥର ।’’ (ପୃ-୧୭)

 

‘‘ଅସତୀ ସ୍ତ୍ରୀ ଲୋକର ନାଗର ଭଳି ‘ଧନ’, ଯୋଡ଼ିଏ ଚଢ଼େଇ ଭଳି ବାଡ଼େଇ ପିଟିହବା, ଗିଲ ଫଳ ଭଳି କଣ୍ଟା କଣ୍ଟା ଓଠ, ଅଖ ଭଙ୍ଗାରଥର ଚକଟେ ଭଳି ତାଳପତର ଛତା । ଆଦି ଅଜସ୍ର ରୂପକଳ୍ପ/ଚିତ୍ରକଳ୍ପର ପ୍ରୟୋଗ ସମଗ୍ର ଉପନ୍ୟାସମାନଙ୍କରେ ସଂଯୋଜିତ ହୋଇ ଶାନ୍ତନୁଙ୍କ ଭାଷାଶୈଳୀର ଗୌରବ ପ୍ରତିଷ୍ଠା କରିଛି ।

 

(୩)

 

ଚିତ୍ରକଳ୍ପ, ରୂପକଳ୍ପ, ମିଥ୍‌, ଆର୍କିଟାଇପ୍, ପ୍ରତୀକ ଓ ଫାଣ୍ଟାସିର ଅସୀମ-ସୁନ୍ଦର ପ୍ରୟୋଗ ମାଧ୍ୟମରେ, ଆଧୁନିକ ସମାଜର ସମସ୍ୟାସଂକୁଳ ଜୀବନବୋଧର ଓ ନିରୁତା ଚେତନାର ଚିତ୍ରଟିଏ ଖୋଜିବା; ପୁଣି କେବଳ ଖୋଜିବାରେ ନିଶ୍ଚିନ୍ତ ନରହି ବହିର୍ଦେଶର କଠିନ ଆବରଣକୁ ଉଖାରି ନିଖାରି ଅନ୍ତର୍ପ୍ରଦେଶର ଗହନ ଦ୍ୱନ୍ଦ୍ୱ-ଦୋଳନକୁ ଠାବ କରିବାର ପ୍ରଶଂସନୀୟ ଉଦ୍ୟମ ହିଁ ସ୍ୱୟଂ ଶାନ୍ତନୁ ଆଚାର୍ଯ୍ୟଙ୍କ ନୂତନ ଭାଷା ଶୈଳୀର ପରମ୍ପରା ! ଯେଉଁ ପରମ୍ପରାର ବଗିଚାରେ ପ୍ରଜାପତିଟି ଭଳି ଆପଣା ଚିତ୍ରିତ ପକ୍ଷର ଶୋଭା ଘେନି ଝଡ଼ର ମଣିଷଠାରୁ ଝାଡ଼ୁଦାର ଓ ଝୋଲାଠୁଁ ଝୁମ୍ପୁଡ଼ି ପର୍ଯ୍ୟନ୍ତ ଉଡ଼ି ବୁଲିବା । ଯାବତ ମଣିଷର ଦୁଷ୍କୃତିଠାରୁ ସୁକୃତି ପର୍ଯ୍ୟନ୍ତ ସମସ୍ୟା, ଘଟଣା, ସଂସ୍କାର, କୁସଂସ୍କାର, ସଂସ୍କୃତି, ସଭ୍ୟତା, ଶିକ୍ଷା ସମେତ ମୂଲ୍ୟବୋଧ ଜନିତ ସଂକଟ ମଧ୍ୟରେ ପହଁରି ପହଁରି; ବୁଢ଼ିଆଣୀଟେ ଭଳି ଆପଣା ଚେତନା-ନାଭିରୁ ସୂତା ଯୋଡ଼ି କଳ୍ପନାର କଥା ନଥା, ନିଜସ୍ୱ ସୃଷ୍ଟିସୌଧ ନିର୍ମାଣ କରିବା ଯେମିତି ଶାନ୍ତନୁଙ୍କ ଶିଳ୍ପୀ ପ୍ରତିଜ୍ଞା ! ଆପଣାର ତୂଳୀରେ, ଆପଣାର କୌଶଳରେ ହିଁ, ଆପଣାର ନିଜସ୍ୱ ଦୃଷ୍ଟିରଙ୍ଗ ରଞ୍ଜେଇ ସୁନ୍ଦର ପୃଥିବୀର ମାନଚିତ୍ରଟିଏ ଆଙ୍କିବା । ମାଟିରୁ ଗଜୁରି ଆସୁଥିବା ଶବ୍ଦମାନଙ୍କୁ, ଉତୁରି ପଡ଼ୁଥିବା ଭାଷାମାନଙ୍କୁ ଚାଙ୍ଗୁଡ଼ି ଭରି ଗୋଟି ଗୋଟି କରି ତୋଳି ଆଣିବା ! ଆଉ କୁଶଳୀ ମାଳୀଟିଏ ଭଳି ନିଜର ଏରୁଣ୍ଡ ଉପରେ ଗୋଡ଼ ଲମ୍ବେଇ କରି-ସେଇ ସବୁ ଶବ୍ଦ, ସେଇ ସବୁ ଭାଷା ଓ ଚରିତ୍ରମାନଙ୍କୁ ଆପଣାର କଳା କୁଶଳତାରେ ଗୁନ୍ଥି ମାଳା ତିଆରିବା ହିଁ ତାଙ୍କର ଶୈଳୀ, ତାଙ୍କର କଳାଧର୍ମିତା ।

 

କବି ସମାଲୋଚକ ସୀତାକାନ୍ତ ମାହାପାତ୍ର କହିଛନ୍ତି ‘‘ସାହିତ୍ୟର ଭାଷା ପ୍ରତୀକ ଭାଷା, ସ୍ୱଚ୍ଛ ସାମାଜିକତାର ଭାଷା ନୁହେଁ । (୧)’’ ସେହି ଭାଷାକୁ ଯେଉଁ ଭାବରେ ଯେଉଁ ଢଙ୍ଗରେ କହିଲେ ମନକୁ ଛଇଁବ ! ନର୍ଦ୍ଦମା ଭିତରେ ନର୍କସ୍ନାନ କରୁଥିବା ମଣିଷ ଗଙ୍ଗାକୁ ବାଟରେ ଖୋଜିବ । ନୈରାଶ୍ୟର ଚଉରା ମୂଳେ ଢୁ ଢୁ ମୁଣ୍ଡ କୋଡ଼ୁଥିବା ନାରୀଟିର ହୃଦୟରେ ଜହ୍ନିଫୁଲର ରଙ୍ଗ ନେସି ହୋଇଯିବ । ଯେଉଁ ବାଗରେ ଓ ଯେଉଁ ଖଞ୍ଜରେ କହିଲେ ବାଟଗଲା ଲୋକକି ଦଣ୍ଡେ ଠିଆହେଇ ସମଝି ପାରିବ ଦୁଃଖ ! ସେଇ କିସମର ଭାଷାଟି ତୋଳି ଧରିବାପାଇଁ ଉପନ୍ୟାସରେ ହିଁ ଶାନ୍ତନୁଙ୍କର ସକଳ ପ୍ରୟାସ ନିବଦ୍ଧ ! ସେହି ବ୍ୟାକୁଳ ପ୍ରୟାସରୁ ଯେଉଁ ଶୈଳୀ, ତାହା ହେଲା–ଗାଲୁକଥା କହୁ କହୁ ଅସଲ କଥା ପାଖରେ ପହଞ୍ଚେଇ ଦେବା; ଅଖାଡ଼ୁଆ ବେଢ଼ଙ୍ଗ ଭାଷାରେ କହୁ କହୁ ଅପସଂସ୍କୃତି, ଅସଭ୍ୟତା ଓ ଶୋଷଣର ଗୁମରଟି ଖୋଲିଦବା ବୌଦ୍ଧିକ ପ୍ରୟାସ ହିଁ ତାଙ୍କର ଭାଷାଶୈଳୀ ।

 

୧.

ସୀତାକାନ୍ତ ମହାପାତ୍ର :–ଭିନ୍ନ ଆକାଶ ଭିନ୍ନ ଦୀପ୍ତି–ଅଗ୍ରଦୂତ–ପୃ-୧୩୭

 

 

ଅଧ୍ୟକ୍ଷ : ୟୁ. ଏନ୍. କଲେଜ

At/Po :-ଅଡ଼ଶପୁର, କଟକ-୭୫୪୦୧୧

 

***

 

କଥାଶିଳ୍ପୀ ରବି ପଟ୍ଟନାୟକ

ଶ୍ରୀ ବିଭୂତି ପଟ୍ଟନାୟକ

 

ଏ ଶତାବ୍ଦୀର ଷଷ୍ଠ ଦଶକ ଥିଲା ଓଡ଼ିଆ କ୍ଷୁତ୍ରଗଳ୍ପ ସାହିତ୍ୟର ଏକ ସନ୍ଧିକ୍ଷଣ । ଏହି ଦଶକରେ କେତେ ଜଣ ପ୍ରଚଣ୍ଡ ପ୍ରତିଭାଶାଳୀ କଥାଶିଳ୍ପୀ ନୂତନ ଭାବନା, ଅଭିନବ ଆଙ୍ଗିକରେ ଗଳ୍ପ ଲେଖି ଓଡ଼ିଆ ଗଳ୍ପର ମୋଡ଼ ବଦଳାଇବାରେ ଆନ୍ତରିକ ଉଦ୍ୟମ କରିଥିଲେ । ପ୍ରାକ୍‌-ସ୍ୱାଧୀନତା କାଳର ଗାଳ୍ପିକମାନଙ୍କ ଭଳି ସମାଜ ସଂସ୍କାର ପ୍ରତି ସେମାନଙ୍କର କୌଣସି ଅଙ୍ଗୀକାର ନଥିଲା କିମ୍ବା ପଞ୍ଚମ ଦଶକର କଥା-ଶିଳ୍ପୀମାନଙ୍କ ପରି ସଦ୍ୟଲବ୍‌ଧ ସ୍ୱାଧୀନତା; ସମସ୍ୟା-କଣ୍ଟକିତ ସମାଜକୁ ସମସ୍ୟା-ମୁକ୍ତ କରି ସୁଖ ଓ ସମୃଦ୍ଧି ଆଣି ଦେବ; ଏଭଳି କୌଣସି ମାୟାବୀ ସ୍ୱପ୍ନ ସେମାନଙ୍କ ଶିଳ୍ପୀ ଦୃଷ୍ଟିକୁ ଆଚ୍ଛନ୍ନ କରିନଥିଲା । ସେମାନେ ଏକ ମୋହ-ମୁକ୍ତ ମନ ଓ ବୈଜ୍ଞାନିକ ଦୃଷ୍ଟି ନେଇ ଜୀବନ ଏବଂ ଜଗତକୁ ନିଜସ୍ୱ ଭଙ୍ଗୀରେ ନିରୀକ୍ଷଣ କରୁଥିଲେ । ସେମାନଙ୍କ ସେହି ଅନୁଭୂତି ଓ ଉପଲବ୍‌ଧି ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନୂତନ ପ୍ରାଣ ଶକ୍ତିରେ ସମୁଜ୍ଜ୍ୱଳ କରିଥିଲା । ରବି ପଟ୍ଟନାୟକ ଥିଲେ ସେହି ନୂତନ ପ୍ରଜନ୍ମର କଥାଶିଳ୍ପୀମାନଙ୍କ ମଧ୍ୟରେ ଥିଲେ ଏକ ଅନନ୍ୟ ବ୍ୟକ୍ତିତ୍ୱ-

 

ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପଗ୍ରନ୍ଥ ‘‘ଅସାମାଜିକର ଡାଏରୀ’’ ଥିଲା କେତୋଟି ରେଖାଧର୍ମୀ ପରୀକ୍ଷାମୂଳକ ଛୋଟଗଳ୍ପର ଏକ ଶୀର୍ଣ୍ଣକାୟ ସଂକଳନ । ସେ ଗଳ୍ପଗୁଡ଼ିକରେ ଗଳ୍ପର ବକ୍ତବ୍ୟ ଅପେକ୍ଷା କବିତାର ଆବେଗ ଥିଲା ଅଧିକ, କିନ୍ତୁ ତାଙ୍କର ପରବର୍ତ୍ତୀ ଗଳ୍ପ ସଂକଳନ ‘‘ଅନ୍ଧଗଳିର ଅନ୍ଧକାର’’ରେ ସନ୍ନିବିଷ୍ଟ ଷୋଳଟି ଗଳ୍ପ ବହନ କରିଥିଲା ତାଙ୍କର ତୋଜୋଦୀପ୍ତ ପ୍ରତିଭାର ଅମ୍ଳାନ ସ୍ୱାକ୍ଷର ।

 

ତାଙ୍କର ଅନେକ ସମସାମୟିକ ଗାଳ୍ପିକ ସେମାନଙ୍କ ଗଳ୍ପର ଚମତ୍କାରିତା ଭାଷାର ଐନ୍ଦ୍ରଜାଲିକତା ଏବଂ ଶୈଳୀର ଅଭିନବତ୍ୱ ପାଇଁ ପାଠକମାନଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ରବିବାବୁଙ୍କ ଗଳ୍ପରେ ନା ଥିଲା ଆକର୍ଷଣୀୟ କାହାଣୀ ବର୍ଣ୍ଣନାର ଗତାନୁଗତିକତା କିମ୍ବା ଶୈଳୀରେ ପରୀକ୍ଷାମୂଳକ ନୂତନତା । ଆବେଗମୟ ଭାଷାର ବ୍ୟବହାର ମଧ୍ୟ ସେ ପରିହାର କରିଥିଲା ଭଳି ଏ ଗଳ୍ପ ପଢ଼ିଲା ବେଳେ ମନେ ହେଉଥିଲା । ତଥାପି ଏହି ଗଳ୍ପମାଳା ପାଠକ ମନରେ ଦୀର୍ଘସ୍ଥାୟୀ ପ୍ରଭାବ ବିସ୍ତାର କରିବାକୁ ସକ୍ଷମ ହୋଇଥିଲା ତାଙ୍କ ବକ୍ତବ୍ୟର ବଳିଷ୍ଠତା ପାଇଁ-!

 

‘ଅନ୍ଧଗଳିର ଅନ୍ଧକାର’ ଗଳ୍ପଗ୍ରନ୍ଥର ସବୁଠାରୁ ସ୍ମରଣୀୟ ଗଳ୍ପ ନିଃସନ୍ଦେହରେ ‘କବନ୍ଧ’ । ୧୯୬୪ ମସିହାରେ ରାଉରକେଲାରେ ଘଟିଯାଇଥିବା ସାଂପ୍ରଦାୟିକ ଦଙ୍ଗା ଉପରେ ଆଧାରିତ ଏହି ଗଳ୍ପ ଅନୁଭୂତିର ଅନ୍ତରଙ୍ଗରେ, ଭାବନାର ଗଭୀରତାରେ ଏପରି ଜୀବନ୍ତ ହୋଇ ଉଠିଛି ଯେ ପଢ଼ିଲାବେଳେ ମସ୍ତକ ବିହୀନ, ଉଗ୍ର ସାଂପ୍ରଦାୟିକତାର ବୀଭତ୍ସ କବନ୍ଧ-ନୃତ୍ୟ ପାଠକର ଚେତନାକୁ ପୀଡ଼ିତ କରିଦିଏ ।

 

ଗଛରୁ ଝଡ଼ି ପାଚିଲା ଫଳ ତଳେ ପଡ଼ିଯିବା ସାଧାରଣ ଲୋକଙ୍କ ପାଇଁ ତୁଛ ଘଟଣା ହୋଇପାରେ, କିନ୍ତୁ ସମାନ୍ୟତମ ଘଟଣାରୁ ନିଉଟନ୍‌ ଆବିଷ୍କାର କରନ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି...ବିଜ୍ଞାନରେ ଏକ ଯୁଗାନ୍ତକାରୀ ଆବିଷ୍କାର ।

 

ଗୋଟିଏ ସାମାନ୍ୟ ଘଟଣାରୁ ଯେପରି ଏକ ମହାନ୍‌ ବୈଜ୍ଞାନିକ ତତ୍ତ୍ୱ ଆବିଷ୍କୃତ ହୋଇପାରେ, ସେହିପରି ଏକ ସାମାନ୍ୟ ଘଟଣାକୁ ଅବଲମ୍ବନ କରି ମଧ୍ୟ ଏକ ଅସାମାନ୍ୟ ଗଳ୍ପ ଲେଖାଯାଇପାରେ । ଅବଶ୍ୟ ସବୁ ବର୍ଷାବିନ୍ଦୁ ଶାମୁକା ଗର୍ଭରେ ପଡ଼ି ଯେପରି ମୁକ୍ତା ହୁଅନ୍ତି ନାହିଁ; ସବୁ ସାମାନ୍ୟ ଘଟଣା ସେହିପରି ଗଳ୍ପ ହୁଅନ୍ତି ନାହିଁ । ସେଥିଲାଗି ଗଳ୍ପଟିଏ ଲାଗି ଘଟଣାଟିଏ ନୁହେଁ; ଦରକାର ହୁଏ ଲେଖକର ଅନ୍ତର୍ଭେଦୀ ଚାହାଣି ।

 

ଗଳ୍ପ ଲାଗି ଏକ ଆକର୍ଷଣୀୟ ଆରମ୍ଭ, ଉତ୍କଣ୍ଠିତ ମଧ୍ୟଭାଗ, ନାଟକୀୟ ପରିସମାପ୍ତି–ଏ ପୂର୍ବ ନିର୍ଦ୍ଧାରିତ ଗଳ୍ପର ଗଠନ-କଳାର ଲକ୍ଷଣ–ଲେଖାକୁ ଅତିକ୍ରମ କରିଯିବାର ପ୍ରବଣତା ରବିବାବୁଙ୍କ ଗଳ୍ପରେ ଖୁବ୍‌ ପ୍ରାଞ୍ଜଳ । ଘଟଣାର ଆକର୍ଷଣୀୟ ବିସ୍ତାର ଅପେକ୍ଷା, ବକ୍ତବ୍ୟର ତୀକ୍ଷ୍ଣତା ତାଙ୍କର ଗଳ୍ପଗୁଡ଼ିକୁ ଏକ ନିଜସ୍ୱ ମୌଳିକତାରେ ଉଦ୍‌ଭାସିତ କରିଦିଏ । ତାଙ୍କର ‘‘ସ୍ୱୟଂଭୁବୀ’’, ସେହିଭଳି ଏକ ସାମାନ୍ୟ ଘଟଣାର ଅସାମାନ୍ୟ ଗଳ୍ପ-ରୂପ ।

 

ସାଂପ୍ରତିକ ସମାଜବ୍ୟବସ୍ଥାର ସ୍ୱାଭାବିକ ନିୟମରେ ଏହି ଗଳ୍ପର ନାୟିକା କଲେଜ ଗେଟ୍‌ ପାଖରେ ରାତି ନଅଟା ପଇଁଚାଳିଶି ମିନିଟ୍‌ରେ ଧର୍ଷିତା ହୋଇ ଡାକ୍ତରଖାନା ଯାଇଥିଲା । କିନ୍ତୁ ସେ ଯେତେବେଳେ ଆତ୍ମସ୍ଥ ହେଲାପରେ ଜାଣିଲା ଯେ ପୋଲିସର ପରାମର୍ଶରେ ତା’ର ବଦନାମ ହୋଇଯିବା ଭୟରେ ତାର ବାପା ଧର୍ଷିତାକାରୀମାନଙ୍କୁ ଶାସ୍ତି ଦେବାପାଇଁ ଥାନାରେ ଏତେଲା ଦେବାପାଇଁ ନାରାଜ; ସେତେବେଳେ ତାର ମନ ପ୍ରଚଳିତ ସମାଜବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ କରି ଉଠିଲା । ସେ ମନେ ମନେ ପୋଡ଼ି ଜାଳି ଦେଲା କେତେ ପୁରାଣ, ଶାସ୍ତ୍ର, କାବ୍ୟ ଉପନ୍ୟାସ ।

 

ଯେଉଁ ପୁରାଣ, ଧର୍ମଶାସ୍ତ୍ର ସତ୍ୟକୁ ଗୋପନ କରି ନାରୀକୁ ସମାଜରେ ସତୀ ହୋଇ ରହିବାକୁ ଶିକ୍ଷା ଦିଏ, ସେହି ଶାସ୍ତ୍ର, ପୁରାଣ ବିରୁଦ୍ଧରେ ମାନସିକ ବିଦ୍ରୋହ, ଧର୍ଷିତା କୁମାରୀ କନ୍ୟାକୁ ଫେରାଇ ଦେଲା ତାର ଆତ୍ମଶକ୍ତି ।

 

ଜଷ୍ଟିସ୍‌ ମହାପାତ୍ରଙ୍କୁ ସେ ଫୋନ୍‌କଲା । ବାସ୍‌, ଗଳ୍ପଟି ଗତି କରିଗଲା ଅନ୍ୟ ଏକ ବାଙ୍କରେ । ଯେଉଁ କୁମାରୀ କନ୍ୟାର କଳଙ୍କ-କାହାଣୀ ଜଣେ ଭାବପ୍ରବଣ ଲେଖକର କଲମ ମୁନରେ ଏକ ରସଘନ, ରୋମାଣ୍ଟିକ୍‌ କାହାଣୀ ହୋଇଥାନ୍ତା, ରବି ପଟ୍ଟନାୟକଙ୍କ ହାତରେ ସେ ହୋଇଗଲା ଏକ ସମାଜ ସଚେତନ, ଶକ୍ତିଶାଳୀ, ବକ୍ତବ୍ୟ-ପ୍ରଧାନ ଗଳ୍ପ !

 

‘ସ୍ୱୟଂଭୁବୀ’ ଗଳ୍ପର ଅନ୍ୟ ଏକ ରୂପ ଆମେ ଦେଖୁ ତାଙ୍କର ‘‘ବନ୍ଧ୍ୟା ଗାନ୍ଧାରୀ’’ ଗଳ୍ପରେ ।

 

ଦିନ ଏଗାରଟା ବେଳେ ବିଚ୍‌ବଜାରରେ ଦୋକାନ ଭିତରୁ ଓଟାରି ଆଣି ଗୁଣ୍ଡା ବିନା ପଣ୍ଡା କୁନା ସାହୁକୁ ଖୁନ୍‌କରି ଦେଲା । ଚାରିଆଡ଼େ ଲୋକ ହାଉଯାଉ ହେଉଥିଲେ । ଏ ଅମାନୁଷିକ ହତ୍ୟାକାଣ୍ଡ ଦେଖି ଯିଏ ଯୁଆଡ଼େ ଅତର୍ଛାରେ ଛୁ’ । ପୋଲିସ ଅନୁସଂଧାନ ବେଳେ ସବୁ ଆଖିଥିବା ହୋସିଆର ଲୋକେ ଅନ୍ଧଭଳି କେହି କିଛି ଦେଖିନାହାନ୍ତି ବୋଲି ମନା କରିଦେଲେ....ବିନାପଣ୍ଡାର ଭୟରେ ! କେବଳ ପ୍ରାଇମେରୀ ସ୍କୁଲ ହେଡ୍‌ପଣ୍ଡିତ ଗଙ୍ଗାଧର ମିଶ୍ରଙ୍କ ଝିଅ ଭାରତୀ ଚିରଚିରା ରଡ଼ି ଛାଡ଼ି ବିଳିବିଳେଇ ଉଠିଥିଲା–‘‘ମୁଁ ଦେଖିଛି, ମୁଁ ଦେଖିଛି–ବିନା ପଣ୍ଡା କୁନା ସାହୁକୁ ଛୁରୀ ଭୁଷିଛି ।’’

 

ଏଗାର ବର୍ଷର ସେଇ କିଶୋରୀ ଛାତ୍ରୀର ଭୟାତୁର ସ୍ୱୀକାରୋକ୍ତି ହେଲା ତାର କାଳ । ଗୁଣ୍ଡା ବିନାପଣ୍ଡା ସଗର୍ବରେ ଘୋଷଣା କଲା–‘‘ସେ ଶାଳୀକୁ ମୁଁ ମାଇପ କରିବି । ତା ବାପକୁ କହିଦେଇ ଆସ–କଣ୍ଟ ରହିଲା ।’’

 

ଏ ସମାଜରେ ଗୁଣ୍ଡା, ନରହନ୍ତା ହୁଅନ୍ତି ନେତା, ଦେଶର ଭାଗ୍ୟ-ବିଧାତା, ବିନାପଣ୍ଡା ମଧ୍ୟ ବିନୟବାବୁ ଭାବରେ ସମ୍ମାନିତ ହୋଇ ବିଧାନସଭାକୁ ନିର୍ବାଚିତ ହେଲା । ଏମ୍‌. ଏଲ୍‌. ଏ. ହେଲା ପରେ ଭାରତୀକୁ ବିବାହ ପାଇଁ ଗଙ୍ଗାଧର ମିଶ୍ରଙ୍କ ପାଖକୁ ପ୍ରସ୍ତାବ ପଠାଇଲା । କନ୍ୟା ଦାୟ-ଗ୍ରସ୍ତ ଶିକ୍ଷକ ପିତା, କ୍ଷମତାଶାଳୀ ବିଧାୟକଙ୍କୁ ଜାମାତା ରୂପେ ପାଇବାର ସୌଭାଗ୍ୟକୁ ହାତଛଡ଼ା କରିବାକୁ ଚାହିଁଲେ ନାହିଁ । ଭାରତୀର ମତାମତ ନନେଇ ବିବାହର ତିଥି ସ୍ଥିର ହୋଇଗଲା ।

 

ବିବାହ ଲଗ୍ନର ମାସକ ପୂର୍ବରୁ ଆରମ୍ଭ ହେଲା ବିଧାୟକ ବିନୟ ପଣ୍ଡାଙ୍କ ଉଦ୍ୟମରେ ସ୍ଥାନୀୟ ଡାକ୍ତରଖାନାରେ ପରିବାର ନିୟନ୍ତ୍ରଣ କାର୍ଯ୍ୟକ୍ରମ । ନାରୀ ତ ପୁରୁଷମାନଙ୍କୁ ଅସ୍ତ୍ରୋପଚାର ଜରିଆରେ ସନ୍ତାନ ଜନ୍ମ ଦେବାର କ୍ଷମତାରୁ ବଞ୍ଚିତ କରିବାପାଇଁ ଡାକ୍ତର ଓ ନର୍ସମାନେ କ୍ୟାମ୍ପ୍‌ପକାଇ ବସି ରହିଲେ ।

 

ସେହି ଜନ୍ମନିୟନ୍ତ୍ରଣ, ଅସ୍ତ୍ରୋପଚାର ଶିବିରକୁ ଆସି ଭାରତୀ ଆର୍ତ୍ତ କଣ୍ଠରେ ନିବେଦନ କଲା–‘‘ଡାକ୍ତରବାବୁ; ଗୋଟାଏ ଖୁନୀ ଆସାମୀର ସନ୍ତାନକୁ ମୁଁ ଗର୍ଭରେ ଧାରଣ କରିବାକୁ ଚାହେଁ ନାହିଁ । ମତେ ବନ୍ଧ୍ୟା କରି ଦିଅନ୍ତୁ...’’

 

ଅସହାୟ ଭାରତୀର ଆର୍ତ୍ତ ନିବେଦନ ମଧ୍ୟରେ ଗାଳ୍ପିକ ପ୍ରଚଳିତ ପ୍ରବଞ୍ଚନାମୟ ରାଜନୀତି ବିରୁଦ୍ଧରେ କେବଳ ପ୍ରତିବାଦର ଉଦ୍ଦାତ୍ତ କଣ୍ଠସ୍ୱର ନୁହେଁ; କୀଟଦଷ୍ଟ ସମାଜ ବ୍ୟବସ୍ଥା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଯାଉଥିବ ନାରୀତ୍ୱର ମର୍ମନ୍ତୁଦ ଛବି ଅପୂର୍ବ କୁଶଳତାର ସହିତ ଅଙ୍କନ କରିଛନ୍ତି ।

 

ପଶ୍ଚିମୀ କଥା-ସାହିତ୍ୟରୁ ଧାର ଉଧାର ଆଣି ମଣିଷର ନିଃସଙ୍ଗତା, ମୃତ୍ୟୁଚେତନା, ନାୟକ-ନାୟିକାମାନଙ୍କର ନିଜ ସହ ନିଜର ଛାୟାଯୁଦ୍ଧର ଚିତ୍ରାଙ୍କନ କରି ରବି ପଟ୍ଟନାୟକ ତାଙ୍କର ଅନ୍ୟ ସମସାମୟିକ କଥାଶିଳ୍ପୀମାନଙ୍କ ଭଳି ‘ଆଧୁନିକ’ ହେବାକୁ କେବେ ଚାହିଁ ନଥିଲେ । ବ୍ୟକ୍ତିକୁ ସେ ଯେପରି ସମାଜଠାରୁ ବିଚ୍ଛିନ୍ନ କରି ଦେଖିବାକୁ ଚାହିଁ ନାହାନ୍ତି; ଗଳ୍ପକୁ ‘ସମସ୍ୟା’ଠାରୁ ଅଲଗାକରି ଚିହ୍ନିବାକୁ କିମ୍ବା ଚିହ୍ନାଇବାକୁ କେବେ ଯତ୍ନ କରିନାହାନ୍ତି । ସେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ମତବାଦର ପୃଷ୍ଠପୋଷକତା କରି ନଥିଲେ କିନ୍ତୁ ସାମାଜିକ ମଣିଷ ପ୍ରତି ମମତା ଓ ଅନୁରକ୍ତିରେ କୌଣସି ଶିଥିଳତା ବା ଅନ୍ୟମନସ୍କତା ସହ୍ୟକରି ପାରୁ ନଥିଲେ । ମଧ୍ୟବିତ୍ତ, ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଜୀବନଚର୍ଯ୍ୟା, ସେମାନଙ୍କର ଆଶା-ହତାଶାର ଛବି ସେ ଯେପରି ଗଭୀର ଆନ୍ତରିକତାର ସହିତ ନିଜ ଗଳ୍ପରେ ଫୁଟାଇଛନ୍ତି; ସମାଜର ଅନ୍ତ୍ୟଜ, ଅବହେଳିତ ଶ୍ରେଣୀର ଲୋକଙ୍କ ଜୀବନର ଚିତ୍ର ସେ ସେହିପରି ଆଶ୍ଚର୍ଯ୍ୟ ଦକ୍ଷତାର ସହିତ ରୂପାୟିତ କରିଛନ୍ତି ।

 

‘ଗୁରୁଗମ୍‌କେ’ ଗଳ୍ପର ନାୟକ ବାଢ଼ା ମାଝି ଓରଫ୍‌ ବାଢ଼ା ସୋରେନ୍‌ ଥିଲା ତାଙ୍କର ଜମିର ଭାଗଚାଷୀ । କିଶୋର ବୟସରେ ତା ସହିତ ଥିଲା ତାଙ୍କର ଗଭୀର ଆତ୍ମୀୟତା । ୧୯୪୯ ମସିହାରେ ସ୍ୱତନ୍ତ୍ର ଝାଡ଼ଖଣ୍ଡ ଆନ୍ଦୋଳନର ଆଗ୍ନେୟ ଉତ୍ତାପ ଯେତେବେଳେ ମୟୂରଭଞ୍ଜ ସାରା ବ୍ୟାପୀ ଯାଇଥିଲା, ସେତେବେଳେ ଆଦିବାସୀମାନେ ଧନୁତୀର, ଟାଙ୍ଗିଆ, ଫାର୍ଶା ଧରି ଅଣଆଦିବାସୀମାନଙ୍କ ଉପରେ ଆକ୍ରମଣ ଚଳାଇଲେ । ଏହି ଆନ୍ଦୋଳନକୁ ଦବାଇବାପାଇଁ ଅଣଆଦିବାସୀ ପୋଲିସ ବାହିନୀ ଆକ୍ରମଣକାରୀ ଆଦିବାସୀମାନଙ୍କ ଉପରେ ଗୁଳି ଚଳାଇଲେ । ବିଦ୍ରୋହୀ ଆଦିବାସୀମାନଙ୍କ ସହିତ ପୋଲିସ ଗୁଳିରେ ନିହତ ଆହତ ହେଲେ ଅନେକ ନିରୀହ ଆଦିବାସୀ । ଏଇ ନିର୍ଦ୍ଦୋଷ ନିହତ ଆଦିବାସୀମାନଙ୍କ ଭିତରେ ଥିଲେ ବାଢ଼ା ମାଝିର ଦୁଇପୁଅ, ଦୁଇ ବୋହୂ !

 

ବାଢ଼ା ମାଝିକୁ ମଧ୍ୟ ପୋଲିସ ଧରି ଆଣି ଥାନାର ହତା ମଝିରେ ନିଲ୍‌ଡାଉନ୍‌ କରି ଦିଆ ଯାଇଛି । ତା ଆଣ୍ଠୁ ତଳେ ଗୋଜିଆ ଗୋଡ଼ି । ଉପରେ ଜୁନ୍‌ମାସର ନିର୍ଦ୍ଦୟ ପ୍ରଖର ସୂର୍ଯ୍ୟ !

 

ସେ ବଡ଼ ଭାଇଙ୍କ ସାହାଯ୍ୟରେ ତାକୁ ଥାନାରୁ ମୁକୁଳାଇ ଆଣିଲେ ସତ; ହେଲେ ନିଜ ଦୁଇପୁଅ, ଦୁଇ ବୋହୂଙ୍କୁ ଆଉ ଫେରି ପାଇ ନଥିଲା ବାଢ଼ା । ଯେଉଁ ଅଣଆଦିବାସୀ ବାବୁମାନଙ୍କ ଟାଙ୍ଗରା ଜମିରେ ଦେହ ମେହନତ୍‌ କରି ବାଢ଼ା ସୁନାର ଫସଲ ଫଳାଇ ଥିଲା; ସେଇ ବାବୁମାନଙ୍କ ସ୍ୱାର୍ଥରକ୍ଷା ପାଇଁ ପୋଲିସ ତାର ପୁଅ ବୋହୂମାନଙ୍କୁ ଖୁନ୍‌ କରିଛି–ତାର କି ପ୍ରତିକ୍ରିୟା ସେଇ ଆଦିବାସୀ ଲୋକଟି ମନରେ ଘଟିଥିବ; ସେକଥା ଜାଣିବା ଆଗରୁ ତାଙ୍କୁ ମୟୂରଭଞ୍ଜ ଛାଡ଼ି ଭୁବନେଶ୍ୱର ଆସିବାକୁ ହୋଇଥିଲା ।

 

ଏ ଘଟଣାର ତେତିଶ ବର୍ଷ ପରେ ଗ୍ରାମକୁ ଯାଇ ବାଢ଼ାକୁ ଦେଖି ସେ ଚମକି ପଡ଼ିଥିଲେ । ଏପର୍ଯ୍ୟନ୍ତ ବାଢ଼ା ବଞ୍ଚି ରହିଛି, ଏହା ଥିଲା ତାଙ୍କ ପାଇଁ ପରମ ବିସ୍ମୟ ! ତାକୁ ଦେଖିବା ମାତ୍ରେ କିଶୋର ଜୀବନର ଅନେକ ଅଭୁଲା ସ୍ମୃତି ତାଙ୍କ ମନକୁ ବିନ୍ଦୁ ବନ୍ଦୁ ଆନନ୍ଦରେ ଭରିଦେଲା । କିନ୍ତୁ ବାଢ଼ା ତାର ପୁଅ ବୋହୂଙ୍କ ମୃତ୍ୟୁର ଦୁଃଖ ଭୁଲିଛି କି ନାହିଁ–ଅଣଆଦିବାସୀମାନଙ୍କୁ ସେ କ୍ଷମା କରିଛି କି ନାହିଁ–ସେ ବିଷୟରେ ତଥାପି ରହିଥିଲା ତାଙ୍କର ସଂଶୟ ।

 

ଏତେଦିନ ପରେ ତାଙ୍କୁ ଦେଖି ବୃଦ୍ଧ ବାଢ଼ା ମାଝି କିନ୍ତୁ ଆନନ୍ଦରେ ବିହ୍ୱଳିତ ହୋଇ ପଡ଼ିଲା । ତା ପାଟିରୁ ବାହାରି ପଡ଼ିଲା–‘‘ମୋକେ କେନେ ଏମିତି ଦେଖୁଛୁ ? ଗାଁକେ ଭୁଲିଗଲୁ ?’’

 

ତା’ର ବିଦ୍ୱେଷ-ବିହୀନ ଆନ୍ତରିକତାରେ ସେ ହତଚକିତ ହୋଇଗଲେ । ସେ କଣ ଅଣ-ଆଦିବାସୀବାବୁଙ୍କୁ କ୍ଷମା କରିଦେଇଛି ? ଭୁଲି ଯାଇଛି ନିଜର ସର୍ବସ୍ୱ ହରାଇ ଥିବାର ବ୍ୟଥା ? ପୁତ୍ରହନ୍ତାର ପ୍ରତିଶୋଧ ନେବା ପାଇଁ ତାର ରକ୍ତ ଟକମକ ହୋଇ ଫୁଟୁନାହିଁ ?

 

‘‘ବାଢ଼ା ମୁହଁରେ ସେମିତି ଅନାବିଳ ହସ । କଣାପାଟ ପାହାଡ଼ର କୁଡ଼୍‌ବି ଗଛରେ ଫୁଲଟିଏ ଫୁଟିଲାପରି-ଧାନ କିଆରୀରେ କେଣ୍ଡା ପଡ଼ିଲା ପରି, ମକା ଗଛରେ ଚଅଁର ପଡ଼ିଲା ପରି–ସ୍ୱାଭାବିକ, ଉନ୍ମୁକ୍ତ, ଶାନ୍ତ, ଉଦାର କ୍ଷମାଶୀଳ ପବିତ୍ର ହସଟିଏ !’’

 

ବାଢ଼ା ମଝିର ଏଇ ହସର ବର୍ଣ୍ଣନା ଭିତରେ ସରଳ ଆଦିବାସୀ ମନର ପବିତ୍ର ଉଜ୍ଜ୍ୱଳ ରୂପ ସେ ଏପରି ଫୁଟାଇ ଦେଇଛନ୍ତି ଯେ, ସାଧାରଣ ଭାଗଚାଷୀ, ଆଦିବାସୀ ବୁଢ଼ା ପ୍ରତି ପାଠକର ମନ ମଧ୍ୟ ଶ୍ରଦ୍ଧାରେ ଅବନତ ହୋଇ ଆସେ । ଲେଖକଙ୍କ ସହ କଣ୍ଠ ମିଳାଇ କହିବାକୁ ଇଚ୍ଛା ହୁଏ–‘‘ଜୋହାର୍‌ ଗୁରୁ ଗମ୍‌କେ, ଜୋହାର୍‌!’’

 

ସାନ୍ତାଳୀ ବୁଢ଼ା ବାଢ଼ା ମାଝି ଥିଲା ଭାଗଚାଷୀ; କିନ୍ତୁ ‘ଧର୍ମାନ୍ତର’ ଗଳ୍ପର ନାୟକ ବିଶୁ ଥିଲା ଭୂମିହୀନ ଚାଷୀ, ଦିନ ମଜୁରିଆ । ଯେଉଁଦିନ ଖଟେ, ସେଦିନ ଖାଏ, ଯେଉଁଦିନ କାମ ମିଳେ ନାହିଁ; ସେଦିନ ଉପାସ । ଆଶ୍ୱୀନ ମାସ ପରେ କାମଧନ୍ଦା ବନ୍ଦ । ବାଧ୍ୟ ହୋଇ ସହରକୁ ଯାଇ ଜନ୍ମନିୟନ୍ତ୍ରଣ ଅପରେସନ୍‌ କରାଇ ସେ ଯେଉଁ ପନ୍ଦର ଟଙ୍କା ସରକାରଙ୍କ ପାଖରୁ ପାଇଥିଲା; ସେଥିରେ ଗାଁକୁ ଫେରି କିଛି ଦିନ ଦୁଃଖେ କଷ୍ଟେ ଚଳିଗଲା ତା’ପରେ ?

 

ବିଲରେ ଧାନ ପାଚି ସୁନାର ରଙ୍ଗରେ ଚାରିଆଡ଼ ଝଲସେଇ ଦେଇଛି । କିନ୍ତୁ ତାର ଜମି ନାହିଁ । ପେଟରେ ଭୋକ । ଘରେ ମୁଠାଏ ହେଲେ ଚାଉଳ ନାହିଁ । କ’ଣ କରିବ ବିଶୁ ?

 

ପେଟ ବିକଳରେ ରାତି ଅଧରେ ସ୍ତ୍ରୀ ସୁଲି ସହିତ ବିଶୁ ଗଲା ପରବିଲରୁ ପାଚିଲା ଧାନ କାଟି ଆଣିବାକୁ । ପାଛିଆ ଭର୍ତ୍ତି ପାଚିଲା ଧାନ ଦୁହେଁ ବୋହି ଆଣିଲେ ଘରକୁ । ରାତିରାତି ଦୁହେଁ ଲାଗି ପଡ଼ି ମଳି ଧାନ ଅମଳ କଲେ । କିନ୍ତୁ ପାଚିଲା ଧାନର ବାସ୍ନାରେ ଘର ମହକୁଛି । ଚୋରୀ ଧାନର ବାସ୍ନାକୁ ସେମାନେ ଲୁଚାଇ ପାରିବେ କିପରି ?

 

ବିଶୁ କହିଲା–ଏଇ ସୁଲି ! ଧାନଗୁଡ଼ାକ ରାତାରାତି ଉଷେଇଁ ପକା । ଏ ଯେଉଁ ବାସ୍ନା ହେଉଛି ନା, ସକାଳୁ ଚାରିଆଡ଼କୁ ଚହଟି ଯିବ !

 

ଅମଳ ଧାନ ଉଷୁଆଁ ହାଣ୍ଡିରେ ପଡ଼ିଲା ବେଳକୁ ଭୋର ହେଲାଣି ।

 

ସୁଲିର ନାକରେ ବାଜୁଛି ଧାନ ସିଝାର ବାସ୍ନା । ଆଖିବୁଜି ହୋଇ ଆସୁଛି ତା ବାସ୍ନାରେ । ପାଞ୍ଚଦିନ ହେଲା ସେ ତୋରାଣି ପିଇ ପିଇ ରହିଛି । କାଲି ସେ ପେଟପୂରା ଖାଇବ । ଲକ୍ଷ୍ମୀ ଠାକୁରାଣୀଙ୍କୁ ଚୋରୀ କରି ଆଣି ଥିବାର ଅପରାଧବୋଧ, ସ୍ୱାମୀର ପାପ ଓ ଅନ୍ୟାୟ କଥା ସେଇ କ୍ଷୁଧା ନିବାରଣର ତୃପ୍ତିରେ ସେ ପାଶୋରି ଦେଲା ।

 

ପେଟର ଜ୍ୱାଳା ନିବାରଣ ପାଇଁ ଚାଷୀର ଧର୍ମ ଛାଡ଼ି ବିଶୁ ଯେ ଚୋର ହୋଇଗଲା, ସେଥିଲାଗି ସୁଲିର କୌଣସି ଗ୍ଳାନି ନଥିଲା । କାରଣ ତା’ ପାଇଁ ବଞ୍ଚିରହିବା ଥିଲା ସବୁଠାରୁ ବଡ଼ ଧର୍ମ ! ଆଉ ବଞ୍ଚିରହିବାପାଇଁ ତ ଅନ୍ନ ଲୋଡ଼ା...!

 

‘ମଧ୍ୟବର୍ତ୍ତୀ ଶୂନ୍ୟତା’ ଗଳ୍ପର ନାୟକ ବୃଦ୍ଧ ହୃଦାନନ୍ଦ ବାବୁ ସମୟ ସହିତ ପାଦ ମିଳାଇ ଚାଲି ପାରିନଥିଲେ । ସେଥିପାଇଁ ବଡ଼ପୁଅ ବାବୁନ୍‌ ଆମେରିକାରେ ବାହାଚୋରା ହୋଇ ରହିଗଲା ପରେ ସାନପୁଅ କୁନା ଉପରେ ତାଙ୍କର ବଡ଼ ଭରସା ଥିଲା, ସେ ଅନ୍ତତଃ ଏ ଦେଶରେ ତାଙ୍କ ପାଖରେ ରହିବ, କିନ୍ତୁ କମ୍ପ୍ୟୁଟର୍‌ ସାଇନ୍‌ସ୍‌ରେ ପି ଏଚ୍‌. ଡି କଲା ପରେ ସେ ମଧ୍ୟ ଚାଲିଗଲା ଭାଇର ପରାମର୍ଶରେ ଆମେରିକା ।

 

ବାପାମାଆଙ୍କୁ ସାନ୍ନିଧ୍ୟ ଦେବାପାଇଁ ପୁଅ ତାଙ୍କ ପାଖରେ ରହିବ ଏଇଟା ବଡ଼ପୁଅ ପାଇଁ ଥିଲା ଏକ କୁସଂସ୍କାର ଭଳି । ସାନ ଭାଇକୁ ସେ ଉପଦେଶ ଦେଇ ଲେଖିଥିଲା–‘‘ଜୀବନଟା ଯେ ଜଣକର ଏକାନ୍ତ ବ୍ୟକ୍ତିଗତ ବ୍ୟାପାର ସେଇଟା ସେମାନେ ତେତେ ଅନୁଭବ କରିବାକୁ ଦେବେ ନାହିଁ । ଜୀବନଟା ଯେପରି ତୋର ନୁହେଁ–ଯେ ଜୀବନଟା ଉପରେ ସମାଜ, କୁଳ, ବଂଶ, ପିତାମାତା, ଗୁରୁଜନ, ବନ୍ଧୁବାନ୍ଧବଙ୍କର ସମାନ ଅଧିକାର–କେବଳ ତୋ ଛଡ଼ା । ଏମିତି ଏକ ଅଣନିଃଶ୍ୱସାକର ପରିସ୍ଥିତିରେ ତୁ ବଞ୍ଚିରହିବୁ କିପରି ? x x x ଆମେରିକା ହିଁ ପୃଥିବୀର ଏକମାତ୍ର ସ୍ୱାଧୀନ ଦେଶ । କାରଣ ତା’ ପଛରେ ହଜାର ବର୍ଷର ପରମ୍ପରାର ଶିକୁଳୀ ନାହିଁ । ଐତିହର ହାତକଡ଼ା ନାହିଁ । ଧର୍ମର ଅନ୍ଧପୁଟୁଳି ନାହିଁ-x x x ହଁ, ଯଦି ପାରୁ ବୋଉପାଇଁ ଜଣେ ପର୍ମାନେଣ୍ଟ ନର୍ସ ବନ୍ଦୋବସ୍ତ କରିଦେବୁ । ଆଉ ବାପାଙ୍କପାଇଁ ଜଣେ ଚାକର । x x x ଇଣ୍ଡିଆରେ ତ ଲୋକର ଅଭାବ ହେବ ନାହିଁ । ପପୁଲେସନ୍‌ ଏକ୍‌ସ୍‌ପ୍ଳୋଜନର ଦେଶ । ଯାହା ଖର୍ଚ୍ଚ ହେବ ମୁଁ ଦେବି । ଭାବୁଛି କୋଡ଼ିଏ ହଜାର ଡଲାରର ଗୋଟିଏ ଡିପୋଜିଟ୍‌ କରିଦେଲେ ସେମାନଙ୍କ ଦରମାପତ୍ର ସେଇଥିରୁ ଆସନ୍ତା ଦଶନ୍ଧିପାଇଁ ଚଳିଯିବ ।’’

 

ସାନପୁଅ ଆମେରିକା ଚାଲିଗଲା ପରେ ତା ପାଖକୁ ବଡ଼ପୁଅ ବୁବୁନ୍‌ ଲେଖିଥିବା ଚିଠି ଆବିଷ୍କାର କରିଥିଲେ ହୃଦାନନ୍ଦ ବାବୁ । ଚିଠି ପଢ଼ି ସାରିଲା ପରେ ତାଙ୍କ ମନରେ ବାରମ୍ବାର ଗୁରେଇ ତୁରେଇ ହେଉଥିଲା ଗୋଟିଏ ପ୍ରଶ୍ନ–ଏମାନେ ତାଙ୍କର ପୁଅ ? ସତରେ ତାଙ୍କର ରକ୍ତର ସନ୍ତାନ ! ଅଥଚ ସେମାନଙ୍କୁ ସେ ବୁଝିପାରି ନାହାନ୍ତି କାହିଁକି ?

 

ପ୍ରଜନ୍ମର ବ୍ୟବଧାନ...ଜେନେରେସନ୍‌ ଗ୍ୟାପ୍ ଉପରେ ଆଧାରିତ ଏପରି ବଳିଷ୍ଠ ଗଳ୍ପ ଓଡ଼ିଆରେ ଆଉ କେତୋଟି ଲେଖା ହୋଇଛି ?

 

‘କବନ୍ଧ’ ‘ବନ୍ଧ୍ୟାଗାନ୍ଧାରୀ’ ‘‘ଗୁରୁଗମ୍‌କେ’’ ‘ଧର୍ମାନ୍ତର’ କିମ୍ବା ‘ମଧ୍ୟବର୍ତ୍ତୀ ଶୂନ୍ୟତା’ର କଥାଶିଳ୍ପୀ ସାମାଜିକ ମଣିଷଠାରୁ ବ୍ୟକ୍ତି ମଣିଷକୁ ଅଲଗା କରି ଚିହ୍ନିଥିଲେ । ତାଙ୍କର ଭୂତାତ୍ତ୍ୱିକ ଦୃଷ୍ଟିକୋଣ ତାଙ୍କୁ ଏଥିରେ ବିଶେଷ ଭାବେ ସହାୟତା କରିଥିଲା । ସେଥିଲାଗି ଖଣି ଭିତରୁ ମଣିର ସନ୍ଧାନ କରିପାରିଥିଲେ । ମାଟି ଉପରେ ଥିବା ଶ୍ୟାମଳ ବନସ୍ପତି; ତାର ପଲ୍ଲବିତ ଶାଖା ପ୍ରଶାଖା; ସୁରଭିତ ପୁଷ୍ପର ବର୍ଣ୍ଣବିଭା ଦେଖି ସେ ଆତ୍ମବିସ୍ମୃତ ହେଇ ନଥିଲେ । ତାଙ୍କର ଗଭୀର ଅନ୍ତର୍ଦୃଷ୍ଟି ଖୋଜି ବୁଲୁଥିଲା ମାଟିତଳକୁ ମାଡ଼ି ଯାଇଥିବା ସେଇ ଗଛର ଚେରକୁ । ଗଛର ଫୁଲ, ଫଳ, ପତ୍ର, ଡାଳ ଅପେକ୍ଷା ତାର ଚେର ଖୋଜିବାର ଅନୁସନ୍ଧିତ୍ସା ତାଙ୍କୁ ନେଇଯାଇଥିଲା ସମାଜରେ ପରିବ୍ୟାପ୍ତ ବହୁ କୁସଂସ୍କାର, ଅନ୍ଧବିଶ୍ୱାସ, ସାମାଜିକ ବୈଷମ୍ୟ ଆଉ ଅସାମାଜିକ ସ୍ୱାର୍ଥପରତା ସହିତ ସଂଗ୍ରାମ କରିବାପାଇଁ । ରୋମାଣ୍ଟିକ୍‌ ସବୁଜ ଦୃଷ୍ଟି ଧୂସର ବାସ୍ତବତାରେ ଶାଣିତ ହୋଇ ଉଠୁଥିଲା, କିନ୍ତୁ ତାଙ୍କର ଏହି ସାମାଜିକ ବାସ୍ତବତା ପ୍ରତି ଅଙ୍ଗୀକାର ତାଙ୍କ ଗଳ୍ପର ଚରିତ୍ରମାନଙ୍କୁ ବିଦ୍ରୋହୀ କରିଥିଲା, ବିପ୍ଳବୀ କରି ପାରୁ ନଥିଲା । ବିଦ୍ରୋହକୁ ସେ ପୌରାଣିକ ମିଥ୍‌ ଆଉ ଭୌଗୋଳିକ ଚିତ୍ରକଳ୍ପର ରେଶମୀ ଓଢ଼ଣାରେ ଆଢ଼ୁଆଳ କରି ରଖିବାକୁ କଳାତ୍ମକ ଉତ୍କର୍ଷତା ବୋଲି ମନେ କରୁଥିଲେ । ‘ପରଶୁରାମ’ ଗଳ୍ପର ନାୟକ ଭଳି ତାଙ୍କ ‘ପ୍ରଭାସତୀର୍ଥ’ ଗଳ୍ପର ନାୟକ ସୁକାନ୍ତ ସେଥିଲାଗି ଜନତା ନାମକ ସ୍ମୃତିଶକ୍ତିହୀନ ବିଚିତ୍ର ନିର୍ବୋଧ ଜୀବର ଜଡ଼ତା ଉପରେ ଆଘାତ କରିବାପାଇଁ ସଭାମଞ୍ଚ ଉପରକୁ ଗୁଳି ଚଳାଇ ନିଜେ ଦଗ୍‌ଧ ହୋଇ ଯାଇଥିଲା ।

 

କିନ୍ତୁ ରବି ପଟ୍ଟନାୟକ କେବଳ ପ୍ରତିବାଦର ରୂପକାର ନଥିଲେ, ସେ ଥିଲେ ପ୍ରେମ ପ୍ରଣୟର ଅନ୍ତରଙ୍ଗ କଥାକାର । ‘ଚେରାପୁଞ୍ଜି’ ତାଙ୍କର ଏକ ସାର୍ଥକ ପ୍ରତୀକାତ୍ମକ ପ୍ରେମଗଳ୍ପ । କଳ୍ପନା ଓ ବାସ୍ତବତା ମଧ୍ୟରେ ଥିବା ଦୂରତ୍ୱକୁ ମାପି ଏ କ୍ଷୁଦ୍ରାୟତନ ଗଳ୍ପରେ ପ୍ରେମର ଏକ ନୂତନ ଉପଲବ୍‌ଧି ଓ ଅନୁଭୂତିର ଅଭିଜ୍ଞାନ ଅଙ୍କିତ ହୋଇଛି ଚେରାପୁଞ୍ଜିରେ ବର୍ଷା ନାହିଁ, ସବୁଜ ତୃଣର ଅରଣ୍ୟ ନାହିଁ । ପ୍ରେମରେ ସ୍ୱପ୍ନଭିନ୍ନ କିଛି ହୀରକ କଠିନ ବାସ୍ତବତାର ଦ୍ୟୁତି ନାହିଁ, ପ୍ରେମିକା ଏକ ଟାଙ୍ଗରା ଚେରାପୁଞ୍ଜି !

 

‘ରାଗତୋଡ଼ି’, ‘ପରକୀୟା’ଠାରୁ ଆରମ୍ଭକରି ‘ପ୍ରେମ ଓ ସନ୍ନ୍ୟାସ’ ‘ଦୁଇପ୍ରେମିକା’ ପର୍ଯ୍ୟନ୍ତ ବହୁ ଗଳ୍ପରେ ସେ ପ୍ରେମର ବିଭିନ୍ନରୂପ ଉଦ୍‌ଘାଟନ କରିବାକୁ ଚେଷ୍ଟା କରିଛନ୍ତି । କାମୁକ ଦୃଷ୍ଟିରେ ନୁହେଁ, ପ୍ରେମିକ ଭାବରେ ଦୁର୍ବୋଧ୍ୟ ନାରୀଚରିତ୍ରକୁ ବୁଝିବାର ପ୍ରଚେଷ୍ଟା ମଧ୍ୟରେ ବହୁ-କୋଣ ହୀରାଖଣ୍ଡ ଭଳି ତାଙ୍କର ଗଳ୍ପମାନଙ୍କରେ ପ୍ରେମର ଦ୍ୟୁତି ଓ ଦୀପ୍ତି ବିଚ୍ଛୁରିତ ହୋଇ ପଡ଼ିଛି । ଇନ୍ଦ୍ରିୟାନୁଭୂତି ମଧ୍ୟରେ ଅତିନ୍ଦ୍ରିୟ ଜଗତର ଦୃଶ୍ୟ ଓ ମୌନତା ମଧ୍ୟରେ ସେ ଆବିଷ୍କାର କରିଛନ୍ତି ସନ୍ନ୍ୟାସର ରୂପ । ‘ଅନ୍ୱେଷ’, ‘ଅଭିସାରିକା’, ‘ମାନିନୀ’ ଓ ‘ସନ୍ଧି’ ପ୍ରଭୃତି ଗଳ୍ପରେ ଉତ୍‌କୀର୍ଣ୍ଣ ହୋଇଛି ତାଙ୍କର ଏହି ଅନ୍ତରଙ୍ଗ ଅଭିବ୍ୟକ୍ତି ।

 

ଗତ ଦୁଇବର୍ଷ ମଧ୍ୟରେ (୧୯୯୦-୯୧) ତାଙ୍କର ‘ଅମରିଲତା’; ‘ଛାୟାପୁତ୍ରର କାଳ’; ‘‘ବିଚିତ୍ରବର୍ଣ୍ଣା’’–ଏହି ତିନିଟି ଗଳ୍ପ-ସଂକଳନ ପ୍ରକାଶିତ ହୋଇଥିଲା । ରକ୍ତହୀନତା ଭୋଗ କରୁଥିବା ସାମ୍ପ୍ରତିକ ଓଡ଼ିଆ ଗଳ୍ପ ସାହିତ୍ୟରେ ନୂତନ ରକ୍ତ ସଂଚାରପାଇଁ ସେ ତପସ୍ୟାମଗ୍ନ ଥିଲା ବେଳେ; ହଠାତ୍‌ ତାଙ୍କର ପରଲୋକ ହୋଇଗଲା । ଓଡ଼ିଆ କଥା-ସାହିତ୍ୟର ଏକ ବେଗବାନ୍‌ ସ୍ରୋତ ରବି ପଟ୍ଟନାୟକଙ୍କ ମୃତ୍ୟୁରେ ସ୍ତବ୍‌ଧ ହୋଇଗଲା ।

 

3H, ଲୁଇସ୍‌ ରୋଡ଼୍‌

ଭୁବନେଶ୍ୱର – ୧୪

 

***

 

ମୃତ୍ୟୁର ଦିଗନ୍ତରେ ପ୍ରତିଭା, ପ୍ରେମ, ପ୍ରଜନନ ଓ ଅବସାଦ :

Unknown

ରମାକାନ୍ତ କାବ୍ୟ-ଚେତନାର ଭିତ୍ତିଭୂମି

ଶ୍ରୀ ରମାକାନ୍ତ ରାଉତ

 

ରମାକାନ୍ତ ରଥଙ୍କ କବିତାରେ ଅହରହ ମୃତ୍ୟୁର ନହବତ, ମୃତ୍ୟୁର ରୋଷେଣୀ, ଜାକଯମକ ଆଉ ମୃତ୍ୟୁର ବିରାଟ ପଟୁଆର । କାହିଁ କେବେ ସେ ପହଞ୍ଚିଯାଏ ବର ବେଶରେ ଯେତେବେଳେ ମଣିଷ ପକ୍ଷେ ଜୀଇଁବା ମରିବା ଏକା କଥା । ପୁଣି କେତେବେଳେ ‘‘ଏକା ଏକା ଚାଲିବାକୁ ହୁଏ ମୃତ୍ୟୁରୁ ମୃତ୍ୟୁକୁ’’ । (୧) ସବୁ ସ୍ୱପ୍ନ ଦେଖା ସରିନଥାଏ, କି ରକ୍ତର ଜୁଆର କମିନଥାଏ । ଆଉ କେତେବେଳେ ପଛଆଡ଼ୁ ଲାଉ ହୋଇ ଲଟକିଯାଏ କାନ୍ଧରେ ମୃତ୍ୟୁ କୁନ୍‌କୁନା କଅଁଳା ପିଲାଟେ ପରି । ମୃତ୍ୟୁବି ତ ମାଡ଼ିଆସେ ଠିକ୍‌ ଏକ ତୋଫାନ ପରି, ଯାହାର ଆଦି ନାହିଁ କି ଅନ୍ତ ନାହିଁ’ ଏବଂ (୨) ‘‘ବଡ଼ବଡ଼ କଳା ଲହଡ଼ିରେ/ବୁଡ଼ିଯାଏ ଖୁବ୍‌ଛୋଟ ଆତ୍ମାଟିଏ/ତାକୁ ଧରିରଖିବାକୁ ଦେହ ନାହିଁ ।’’ ତାହା ପୁଣି : ‘‘ହଠାତ୍‌ ଅଚଳ ଗଡ଼ିଯାଉଥିବା ଚକ’’ଟି ପରି, ଯାହା ଶୁଭ କି ଅଶୁଭ କହିବା କଷ୍ଟ, କୌଣସି ସଙ୍କେତ ନାହିଁ । ମୃତ୍ୟୁର । ଏମିତି ଅତର୍କିତ, ଅଦ୍ଭୁତ ଭୟାନକ ବିସ୍ତୃତ ଏ ମୃତ୍ୟୁ । ଅବିକଳ ତାଙ୍କରି କଥାରେ ‘‘ତମର ଚୌଦିଗେ ମୃତ୍ୟୁ ଏବଂ ତା’ର ଥଣ୍ଡା ଥଣ୍ଡା ହାତ/ଚିପିବାକୁ ଆସେ ତମ ବେକ ।’’ (୩)

 

ଆମ ଚତୁଃପାର୍ଶ୍ୱରେ ମୃତ୍ୟୁର ବିରାଟ ପଟୁଆର, ମୃତ୍ୟୁର କଳା ଛାଇ, ଯମଦୂତମାନଙ୍କର ଭୟଙ୍କର ଉଦ୍ଦଣ୍ଡନାଚ, ସେମାନଙ୍କ ଶୂନ୍ୟ ନିଷ୍କରୁଣ ହାତ ଅତର୍କିତ ଲମ୍ବିଆସେ । ମୃତ୍ୟୁର ନିର୍ଦ୍ଦୟ ବୀଭତ୍ସ ଭ୍ରୁକୁଟୀ ବିବ୍ରତ ଓ ବିଭ୍ରାନ୍ତ କରେ ଅହରହ । ମୃତ୍ୟୁର କରାଳ କୁଣ୍ଡଳୀରେ ନିପତିତ, ତା ଆଗ୍ନେୟ ସ୍ଫୂଲିଙ୍ଗରେ ହତଚକିତ, ସେ ଉତ୍ତାପରେ ସନ୍ତୁଳିତ ମଣିଷର ଆର୍ତ୍ତକୁହାଟ, ତା’ର ବେଦନା ବିଧୂର ନିଃସଙ୍ଗ ଚମ୍ପୂ, ନିଥର ଚଉପଦୀର ନିର୍ବେଦ ସାହାନାଇରେ ଦିଗ୍‌ବିଦିଗ ପ୍ରକମ୍ପିତ ହେଉଥାଏ । ହେଲେ ମୁକ୍ତି କାହିଁ ତା’ର ସେ ମହାକାଳ ନାଗଫାଶରୁ !! ମୃତ୍ୟୁଦେବୀଙ୍କର ଅସଂଖ୍ୟ ଯୋଗ୍ନୀ ଲୋଳଜିହ୍ୱା ଲହରେଇ ଚାଟିଯାଉଛନ୍ତି ଏ କାକୁସ୍ଥ ମରଣଶୀଳମାନଙ୍କୁ । ଚଉଦିଗେ ଖାଲି ମୃତ୍ୟୁର ସାଇରନ, ମୃତ୍ୟୁର ସାହାନାଇ, ମୃତ୍ୟୁର ହୋରିଖେଳ ଓ ମୃତ୍ୟୁର ଦୂରନ୍ତ ଅଭିଯାନ–ଏଠି, ସେଠି, ସବୁଠି । “.....death hath thousand several doors/For men to take their Exists.” (୪) ସ୍ଥାବର, ଜଙ୍ଗମ କୀଟ ପରିଯନ୍ତେ ସମସ୍ତଙ୍କୁ ଅକ୍ତିୟାର କରି କାବୁ କରିବା ନିମନ୍ତେ ମୃତ୍ୟୁ ଲକ୍ଷେ ବିଳ ବିଛେଇଛି । ହତଭମ୍ଭ ମଣିଷ ପଶିଯାଉଛି ତା ଭିତରେ ଛାଏଁ ଛାଏଁ । ଆମ ସ୍ଥିତି, ଆମ ଗତି, ଆମ ବିସ୍ତାର, ଆମ ଚୌହଦୀ, ଆମ ଅର୍ଦ୍ଧ, ଆମ ଊର୍ଦ୍ଧ୍ୱ ସବୁଠିଁ ଯେପରି ମୃତ୍ୟୁର କୋକୁଆଭୟ, ମୃତ୍ୟୁର ତାଣ୍ଡବଲୀଳା, ସବୁ ଅସ୍ଥିର, ଅଥୟ, ସର୍ବତ୍ର ମୃତ୍ୟୁର ସସ୍ର ଅଗ୍ନିବଳୟ ଜଳୁଛି, ତ୍ରାହି ମିଳିବ କୋଉଠୁ ।

 

ଉପରେ ତୃଷାର୍ତ୍ତ ମହାକାଶ, ତଳେ ନିର୍ଜ୍ଜଳା ନିଷ୍ଫଳା ପୃଥ୍ୱୀ, ଆଁ ମେଲିଛି ଫଟାଭୂଇଁ–ଖଣ୍ଡ ଖଣ୍ଡ ଚିରୁଳା ଚିରୁଳା ମାଟି, ରୌଦ୍ରଦଗ୍‌ଧ ବୈଶାଖର ଆଗ୍ନେୟ ଆସର, ଫୁଟନ୍ତା ତୈଳ ପରିଖାର ଦୁର୍ବିସହ ଜ୍ୱଳନ ଏବଂ ‘‘ଅସରନ୍ତି ଜ୍ୱଳନରେ ମହାଦ୍ୟୁତିମଗ୍ନ’’ । ‘‘ମହାଶୂନ୍ୟରେ ମୃତ୍ୟୁର ପ୍ରଳୟ ଡମ୍ବରୁ ଡିବିଡିବି ବାଜୁଛି; ଅଗଣନ ତାରାପୁଞ୍ଜ, ନୀହାରିକା, ଗ୍ରହ, ଧୂମକେତୁ’’ (୫) ଆଲୋକର ସ୍ରୂବ, ସ୍ରୁଚ ଆହୂତିରେ ଜଳୁଛନ୍ତି ପ୍ରଚଣ୍ଡ ତାତିରେ । ଆକାଶରେ ଅଗ୍ନିର କୁଣ୍ଡଳୀ କଡ଼ ଲେଉଟେଉଛି ଏବଂ ‘‘ଭୟରେ ବୁଜିଲୁ ଆଖି ଦେଖି/ସେହି ଜ୍ୱଳମାନ କର୍କଶ ଓ ପିଙ୍ଗଳ ପିଚ୍ଛିଳ’’ (୬) ଯାହାକୁ ଏଲିଏଟ୍‌ କହନ୍ତି; (୭) ‘‘This is dead land’’ ଏବଂ ‘‘Valley of dying stars’’ । ଆମେ ଏକ ଦଗ୍‌ଧ ବସୁଧାର ଅନ୍ତେଃବାସୀ, ଯୋଉଠି ‘‘no water but only rock’’ (୮) ଲଣ୍ଡା ପାହାଡ଼, ଟାଙ୍ଗରାଭୂଇଁ, ମୃତ ଆଗ୍ନେୟଗିରି–ମୁଖଗହ୍ୱର, ଗିରିକାନ୍ତାର, ମରୁ ମରିଚୀକା; ଟୋପାଏ ପାଣି ନାହିଁ କି ବିନ୍ଦୁଏ ବର୍ଷା ନାହିଁ । ଜନ୍‌ୱେବଷ୍ଟର୍‌ଙ୍କ ପରିଭାଷାରେ : (୯) ‘‘The heaven over my head seems made of molten brass. The earth of Flaming Sulphur, yet I am not mad’’ ଏବଂ ମିଲ୍‌ଟନଙ୍କ ଦୁନିଆର ସ୍ୱରୂପ : (୧୦) A Sulphurous hell/the fiery surge and impetus rage....and thunder/Winged with red lightning’’ ଏମିତି ଏକ ଅଜବ ଦୁନିଆ, ଏପରି ଏକ କିମ୍ଭୂତକିମାକାର ପୃଥିବୀରେ ଆମେ ଆତଜାତ ହେଇଛେଁ, ଚଳ ପ୍ରଚଳ କରୁଛେଁ । ଏଇତ ଆଶ୍ଚର୍ଯ୍ୟ, ସବୁଠୁଁ ବିସ୍ମୟକର କଥା ଯେ, ଏସବୁ ସତ୍ତ୍ୱେ ମଣିଷ ବଞ୍ଚିଛି, ନିଜର ଭାରସାମ୍ୟ ନହରାଇ, ସୁସ୍ଥ ଦେହ ମନ ନେଇ, ପ୍ରାତ୍ୟହିକ କର୍ମଜଞ୍ଜାଳକୁ ଇଂଜାମ କରି । ମୃତ୍ୟୁର ଏ ଘନଘୋର କିଟିକିଟି ଅନ୍ଧାରକୁ କିଏ ଅପସାରଣ କରିପାରନ୍ତା ମଣିଷର ଜୀବନ-ପରିଧିରୁ, ତା ଭାଗ୍ୟାକାଶରୁ, ଉତ୍ତରାଧିକାରୀ ସୂତ୍ରରେ ହାସଲ କରିଥିବା ତା ଦଲିଲ ଦସ୍ତାବିଜ ଓ ନଥିପତ୍ରରୁ ? ‘‘A man awaits his end’’ (୧୧) ଏଇଥିପାଇଁ ବୋଧହୁଏ; ଯେହେତୁ ‘‘Man has created death’’ (୧୨) ତା ଲଲାଟରେ ମୃତ୍ୟୁର ବିଜୟ ତିଳକ, ତା’ ଭାଗ୍ୟ ବିପର୍ଯ୍ୟୟ, ତା’ ଜୀବନର ଅପର୍ଯ୍ୟାପ୍ତ ଦୁର୍ଗତି ଓ ଦୁର୍ବିସହ ବେଦନା ବୋଝର ହେତୁ ସେ ନିଜେ । ଭାରତୀୟ ଧର୍ମଶାସ୍ତ୍ର, ଗ୍ରୀକ୍‌ କାବ୍ୟପୁରାଣ ଓ ଖ୍ରୀଷ୍ଟିୟାନ ଧର୍ମଗ୍ରନ୍ଥ ବାଇବେଲ ବା ବୌଦ୍ଧଗ୍ରନ୍ଥ ତ୍ରିପିଟକ-ସବୁଠିଁ ସେଇ ଏକା କଥାର ଅବତାରଣା ମଣିଷର ପତନ ଓ ସ୍ଖଳନ । ‘ପାରାଡ଼ାଇଜ ଲଷ୍ଟ’ର ପ୍ରାରମ୍ଭିକ ପଙ୍‌କ୍ତିରେ ଯାହା କୁହାଯାଇଛି;

 

“Of man’s first disobedience and the fruit

Of that forbidden tree whose mortal taste

Brought death into the world and all our woe

With loss of Eden.” (୧୩)

 

ମଣିଷର ବିଭ୍ରମ, ବିଭ୍ରାନ୍ତି, ପ୍ରଲୋଭନ, ପାପ,ସ୍ଖଳନ, ଅମାନ୍ୟ ଓ ଅବାଧ୍ୟତା ପୃଥିବୀରେ ଏକ ବିରାଟ ବିୟୋଗାନ୍ତକ ନାଟକ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କଲା, ଯାହା ସେଇ ପ୍ରାକ୍‌ ସୃଷ୍ଟିକାଳରୁ ନିରବଚ୍ଛିନ୍ନ ଭାବେ ଅଭିନୀତ ହୋଇ ଆସୁଛି । ଆମେ ସମସ୍ତେ ସେ ଅଗ୍ନି ବଳୟ ଚଉପାଶେ ବନ୍ଧାହୋଇ ବାଉଁଶରାଣୀ ପରି ଅବିରତ ଘୂରି ବୁଲୁଛୁ, ସେ ତାତିରେ ଶଝିଶିଝି ସେମଟା ହେଉଛୁ । ଆମ ନିକଟରେ ଏବେ ଏକ ଦ୍ୱନ୍ଦିକ ପ୍ରଶ୍ନ : ଟ୍ରାଜେଡୀ କ’ଣ ମଣିଷକୃତ ? ସମାଧାନ ତ ଦିଆସରିଛି ଆଗରୁ । ରାମାୟଣ ଓ ମହାଭାରତକୁ ନଜିର ରୂପେ ନିଆଯାଇପାରେ ଏଥିପାଇଁ । ଏଥିରେ ଯେଉଁ ବିୟୋଗାନ୍ତକ ମହାନାଟକ ସୃଷ୍ଟି ହେଲା କାହାକୁ ଦାୟୀ କରାଯିବ ? କୈକେୟୀ, ମନ୍ଥରା ନା ଦଶରଥ ? ପାଣ୍ଡବ, କୌରବ, ଶକୁନି ନା ପାଞ୍ଚାଳୀ ? ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବେ ବିଷାଦଗ୍ରସ୍ଥ ଅର୍ଜ୍ଜୁନଙ୍କୁ ଶ୍ରୀକୃଷ୍ଣ କହିସାରିଛନ୍ତି ତା’ର ଉତ୍ତର : ‘‘ମୟୈବୈତେ ନିହତା ପୂର୍ବମେବ ।’’ ଏବଂ ତାପରେ ‘‘ନିମିତ୍ତମାତ୍ର ଭବ ସବ୍ୟଶାଚୀ’’ । (୧୪) କୌରବ ସମେତ ସମସ୍ତଙ୍କ ମୃତ୍ୟୁ ଓ ମହାଭାରତ ଯୁଦ୍ଧର ପରିଣତି ପୂର୍ବନିର୍ଦ୍ଧାରିତ । ସେହିପରି ରାବଣର ମୃତ୍ୟୁ ମଧ୍ୟ ବିଧି ନିର୍ଦ୍ଦିଷ୍ଟ । କିନ୍ତୁ ସେଥି ନିମନ୍ତେ ଯେତେ ସବୁ ଦ୍ୱନ୍ଦ୍ୱ, ସଂଘର୍ଷ, ପ୍ରତିରୋଧ ସବୁ ମାୟା, ମୋହ, ଅଜ୍ଞତା ଓ ଭ୍ରମ ପ୍ରମାଦରୁ । ଏସବୁ ସେଇ ବିୟୋଗାନ୍ତକ ମହାର୍ଣ୍ଣବକୁ ପୁଷ୍ଟ କରେ । ସେକ୍‌ସ୍‌ପିଅରଙ୍କ ‘ହାମ୍‌ଲେଟ’ ଓ ଅର୍ଜୁନଙ୍କ ଅନ୍ତର୍ଦ୍ୱନ୍ଦ୍ୱରେ ମେଳଅଛି । ଦୁହିଁଙ୍କ ସମସ୍ୟା ପ୍ରାୟ ପାଖାପାଖି । ସେଇ (୧୫) “To be or not to be” ପ୍ରତିଧ୍ୱନି । ଅନ୍ତିମ ପରିଣତି ବିଷାଦମୟ ଯାହାକୁ ଯୁଧିଷ୍ଠିର କହିଲେ : ‘‘ବିଷାଦର ସିଂହାସନ ହେଲା ସିନା ଭୋଗ ।’’ କିନ୍ତୁ ମହାକାଳର ଏସବୁ ଏକ ମାମୁଲି ଖେଳ । ସେକ୍‌ସପିୟରଙ୍କ ଅଭିବ୍ୟକ୍ତି :

 

(୧୬) “As flies to waston boys are we to Gods

They kill us for their sports”

 

ଗ୍ରୀକ୍‌ନାଟକର ‘Tragedy of fate’ ଉପରେ ଆଧାରିତ । ଏ ସମସ୍ତ ଟ୍ରାଜେଡ଼ୀର ଅଙ୍କୁଶ ଈଶ୍ୱରଙ୍କ ହାତରେ ଏବଂ ତାହାକୁ ଫାଙ୍କି ଦେବା ମଣିଷର ସାଧ୍ୟାତୀତ । ମହାଭାରତର ‘ଶକୁନୀ’ ବା 'Othelo' ନାଟକର ‘ଇୟାଗୋ’ ବିୟୋଗାନ୍ତକ ନାଟକରେ ଅଗ୍ନିସଂଯୋଗ କରିଛନ୍ତି ଏବଂ କପଟ ପାଶା ବା ରୁମାଲ ସେ ଟ୍ରାଜିକ୍‌ସ୍ଫୁଲିଙ୍ଗକୁ ଭୟାବହ କରିଛି ଏବଂ ଡେସ୍‌ଡେମ୍‌ନା ଓ ଯାଜ୍ଞସେନୀ ସେଥିରେ ବଳିପଡ଼ିଛନ୍ତି । ରାମାୟଣର ସୀତାଙ୍କ ଅବସ୍ଥା ବି ତଦ୍ରୂପ । ବିଲ୍ୱମଙ୍ଗଳର ମାନସିକ ବିକାର ଓ ବିକୃତି, ଅନୁତାପ ଓ ଅନୁଶୋଚନାରୁ ଜୀବନର ପରମ ଟ୍ରାଜେଡୀ ଆରମ୍ଭ । ‘ଇଡ଼ିପସ୍‌’ ନାଟକ ପରି ବିଲ୍ୱମଙ୍ଗଳ ନିଜେ ବିଷାଦକୁ ବରଣ କରିଛି ଯାହାକୁ ଆରିଷ୍ଟଟଲ୍‌ ‘ପର୍‌ଗେସନ’ ବୋଲି କହିଲେ । କିନ୍ତୁ ପିତାଙ୍କୁ ବଧ କରିବା ଓ ଜନ୍ମିତ ମାଆକୁ ରାଣୀ କରିବା ‘ଇଡ଼ିପସ’ର ଅଣାୟତ୍ତ । ଏ ଭୟାନକ ପାଶବିକତାରୁ ମାନବୋତ୍ତର ଅବସ୍ଥାକୁ, ପ୍ରବୃତ୍ତିରୁ ନିବୃତ୍ତିକୁ, ଦୈହିକ ଯୌନଲାଳସାରୁ ପ୍ରେମର ପବିତ୍ର ସୋପାନକୁ, ମୋହମାୟାର ଇନ୍ଦ୍ରଜାଲରୁ ସଂଜ୍ଞା ଓ ସଂବୀତ୍‌ର ଚରମ ବିସ୍ଫୋରଣ ଓ ଏକ ଉତ୍ତୁଙ୍ଗ ବିୟୋଗାନ୍ତକ ନାଟକର ସୃଷ୍ଟି ହୋଇଛି । ଏଠି ଚରିତ୍ରମାନେ ସେ ଟ୍ରାଜିକ ସ୍ରୋତ ପ୍ରବାହକୁ ତ୍ୱରାନ୍ୱିତ କଲେ ହେଁ ତାକୁ ରୋକିବାର ଶକ୍ତି ସେମାନଙ୍କର ନାହିଁ । ଅନ୍ୟ କଥାରେ କହିଲେ ଏଠାରେ ‘ପରିବେଶ’ ଓ ଫେଟ୍‌ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସେକ୍‌ସପିୟର, ମାର୍ଲୋ ଓ ୱେବଷ୍ଟର ପ୍ରମୁଖଙ୍କ ନାଟକ ଏବଂ ଥମାସ୍‌ ହାର୍ଡ଼ି, ଦସ୍ତୋୟେଭସ୍କି, ପ୍ରେମଚାନ୍ଦ ଓ ଫକୀର ମୋହନଙ୍କ ଉପନ୍ୟାସରେ ଏଇ ଧ୍ୱନିର ତରଙ୍ଗ । ଇଉରିପାଇଡ୍‌ସଙ୍କ ଦୃଷ୍ଟିରେ ବିଷାଦ କବିତାରେ ମଣିଷକୁ ମାନବିକ ଘଟାଟୋପରେ ଚିତ୍ରଣ କରାଯାଏ, ସଫୋକ୍ଳିସଙ୍କ ମତରେ ଆଉ ଟିକିଏ ଉଚ୍ଚତର ସୋପାନକୁ ଉତ୍ତୀର୍ଣ୍ଣ ହୋଇଥାଏ । ଆରିଷ୍ଟଟଲ୍‌ ଏ ଉଭୟର ସମନ୍ୱୟ ରକ୍ଷାକରି କହନ୍ତି : ଉଭୟ ବାହ୍ୟ ଓ ଅନ୍ତଃସଂଘର୍ଷ ଓ ସଂଘାତରୁ ଟ୍ରାଜେଡ଼ୀର ଅଇଘରା ଜଳିଉଠେ । ଉଭୟର ପ୍ରତିଫଳନ ବିଷାଦ କବିତା ଓ ନାଟକରେ ଦେଖାଯାଏ । ବିଭୀଷିକା, ହତ୍ୟା, ଲୁଣ୍ଠନ, ଧ୍ୱଂସ, ମୃତ୍ୟୁ, ପତନ, ଦୁର୍ଗତି ଓ ଦୁର୍ଦ୍ଦଶାଦି ଟ୍ରାଜେଡ଼ୀର ଅନ୍ତିମ ପରିଣତି । ଅବଶ୍ୟ ପ୍ରାଚୀନ ଗ୍ରୀକ୍‌ ଦାର୍ଶନିକ ଓ ଭାରତୀୟ ଭାଗ୍ୟବାଦୀମାନେ ଇଶ୍ୱରକୈନ୍ଦ୍ରିକ ଦର୍ଶନ ତଥା ନୈତିକତା ଉପରେ ଆସ୍ଥାବାଦୀ । ଆଧୁନିକ ବିଜ୍ଞାନପୁଷ୍ଟ ମାନସ ବା ଯୌକ୍ତିକ ଚତନା ଅଧ୍ୟୁଷିତ ଜନଜୀବନ ବିବର୍ତ୍ତନର ବହୁ ସ୍ତର ଅତିକ୍ରମି ଆସିଥିଲେ ହେଁ ବହୁ ନୂତନ ସମସ୍ୟାର ବହଳ ଛାପ ସେଥିରେ ଜମାଟ ବାନ୍ଧିଛି ଏବଂ ତା ଅଳନ୍ଧୁରେ ସାମାନ୍ୟ ଏକ ନିଆଁଝୁଲ ପଡ଼ିଗଲେ ଘଡ଼ିକରେ ସ୍ୱର୍ଣ୍ଣଲଙ୍କା ପୋଡ଼ି ବିରାଟ ବିଶ୍ୱଯୁଦ୍ଧ ସଂଘଟିତ ହେବ । ଟ୍ରାଜେଡ଼ୀ ତେଣୁ ନିରବଚ୍ଛିନ୍ନ ଓ ନିରାଧାର; ପୃଥିବୀର ଆକସ୍ମିକ ଉପଚାର ।

 

ଆଜି ଏକ ଚରମ ଅରାଜକତା ପୃଥିବିକି କବଳିତ କରିଛି ଏବଂ ଏହା ଚରମ ଅବସ୍ଥାରେ ପହଞ୍ଚିଲେ ତାହାକୁ ସଜାଡ଼ିବା ସକାଶେ ଭଗବତ ଅବତାରର ଆବଶ୍ୟକତା ପଡ଼ିଥାଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ସେଇ ବିଶ୍ୱାସବାଦର କଙ୍କାଳ ଉପରେ କବି W. B. Yeatsଙ୍କ ‘The Second Coming’ କବିତାରେ କୁହାଯାଇଛି :

 

‘‘Things fall apart, the centre cannot hold

Mere anarchy is loosed upon the world,

The blood dimmed tide is loosed and everywhere,

The ceremony of innocence is drowned,

The best lack all convictions, while the worst,

Are full of passionate intensity’’ (୧୭)

 

ଯାହାକୁ ଜୟଦେବ କହିଲେ (୧୮) ‘‘ମ୍ଳେଚ୍ଛ ନିବହ ନିଧନ କଳୟସିକରବାଳମ୍‌/ଧୂମକେତୁମିବ କିମପିକରାଳସ୍‌ ।’’ ଭଗବତ ଗୀତାରେ କୁହାଗଲା; ‘‘ପରିତ୍ରାଣାୟ ସାଧୁନାଂ ବୀନାଶାୟଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ’’ । (୧୯) ବିଂଶ ଶତାବ୍ଦୀର ବିପର୍ଯ୍ୟସ୍ତ ପୃଥିବୀର ବୀଭତ୍ସ ଓ କରୁଣ ଚିତ୍ର । ଏଲିଅଟ୍‌ ଆହୁରି ମର୍ମସ୍ପର୍ଶୀ ଭାଷାରେ କହିଲେ : ଏ ପୃଥିବୀ ନିର୍ଜଳା ‘cactus land’ (୨୦) ଏକ ମୃତ୍ୟୁଉପତ୍ୟକା ‘dead land’ (୨୧) ଏବଂ ଆମେ ସବୁ–‘hollow men’/stuffed men’’ (୨୨) ଏଲିଏଟ୍‌ଙ୍କ ‘ୱେଷ୍ଟଲାଣ୍ଡ’ ବା ହେମିଂୱେଙ୍କ ‘ଫିଏଷ୍ଟା’ (୨୩) ସର୍ବତ୍ର ପୃଥିବୀର ନିଷ୍ଫଳାରୂପ ଓ ମଣିଷର ଅସହାୟତାର ଚିତ୍ର ପ୍ରକଟିତ । ସତ୍ୟ ଓ ଈଶ୍ୱରଙ୍କୁ କବର ଦେଇ ସାରିଛୁ ଆମେ କେବେଠୁଁ । ରମାକାନ୍ତ ରଥଙ୍କ ‘ଯୀଶୁଖ୍ରୀଷ୍ଟ’ କବିତାର ଶେଷ କେଇଧାଡ଼ି ସେଇ ନିୟତବସୁଧାର ଅସଂହତ ଚିତ୍ର ଓ ବିପଥଗାମୀ ଭାବନାର ଆଭାସ :

 

‘‘ମୁଁ ଜାଣେ ଯେ ସକାଳେ ମୁଁ ଠିଆହେବି ବଜାର ମଝିରେ

ଲଙ୍ଗଳା ହୋଇ ଓ ମୋର ସ୍ୱର ଶୁଣା ଯିବନି କାହାକୁ ।

ମୋ ସାମ୍ନାରେ ଦଳେ ଛୁଆ ନାଚୁଥିବେ ଅସଭ୍ୟ ଭାବରେ ।

ମୋର ଗତିବିଦ୍ଧ ହେବ ସହସ୍ର ବେଶ୍ୟାଙ୍କ

ଫାଙ୍କା ପେଟମାନଙ୍କରେ ଅଟ୍ଟହାସ୍ୟଦ୍ୱାରା ନିର୍ମିତ କ୍ରୁଶରେ ।’’ (୨୪)

ମୃତ୍ୟୁର ଦିଗନ୍ତରେ ପ୍ରତିଭା,ପ୍ରେମ,ପ୍ରଜନନ ଓ ଅବସାଦ

ରମାକାନ୍ତ କାବ୍ୟ-ଚେତନାର ଭିତ୍ତିଭୂମି ।

 

ଏମିତି ଅସମାହିତ ଭାରସାମ୍ୟବିହୀନ ପୃଥିବୀରେ ମଣିଷର ସ୍ୱରୂପ ସେଇ ରମାକାନ୍ତଙ୍କ କବିତାରେ : ‘‘ଏବଂ ମୁଁ ଅଗ୍ନାଅଗ୍ନିବଣେ ଶୁଆ ଓ ଅନ୍ୟାନ୍ୟ ଚଢ଼େଇମାନଙ୍କୁ ତଡ଼ିବା ପାଇଁ ଧାନକ୍ଷେତ ବାଉଁଶରେ ବନ୍ଧା/(୨୫) ସଫେଦକନାର ଅଟେ ଅଭ୍ୟନ୍ତର ।’’ ଏବଂ କବିତା ଶେଷରେ ତା’ର କଂକ୍ରିଟ ରୂପ ‘‘ପାହାଚରେ ମୁଁ ଖସୁଚି ପାଳଭୂତ ପରି ।’’ ‘‘ଆସେ ସବୁ ଆଜି ପାଳଭୂତ ପାଲଟିଛୁ ।’’ ଡବ୍ଲ୍ୟୁ. ବି. ୟେଟସ ମଧ୍ୟ ଖୁବ୍‌ ଚମତ୍କାର ଭାବେ ମଣିଷର ଏ ଅବକ୍ଷୟର ଚିତ୍ର ଆଙ୍କିଛନ୍ତି :

 

‘‘An aged man is but a paltry thing

A tattered coat upon a stick’’ (୨୬)

 

ବୁଦ୍ଧମାନଙ୍କୁ ପାଳଭୂତ ‘A scarecrow’ ‘ମୃତ ବଂଶଧର’ କହି ଆମେ ଦୈହିକ ସଂଗୀତ ବା ‘Sensous music’ ଓ ପପ୍‌ଡାନ୍‌ସର ତାଳେ ତାଳେ ବିଭୋର ହେଉଛୁ । ଆତ୍ମାର ସଙ୍ଗୀତ ଗାନ ଆଧୁନିକ ବିପର୍ଯ୍ୟସ୍ତ ଜଗତରେ ଜନ୍ମିଥିବା ବିଶୃଙ୍ଖଳ ମଣିଷ ପକ୍ଷେ ସମ୍ଭବ ନୁହେଁ । ବୃଦ୍ଧମାନେ ଏ ବୃହନ୍ନଳା ସମାଜକୁ ଆଦୌ ନିଜର କରିପାରିଲେ ନାହିଁ । ତେଣୁ ସମୁଦ୍ର ଅତିକ୍ରମି ବାଇଜାନ୍ତିୟମକୁ ଯାତ୍ରା କରିବାର ଶପଥ ନେଲେ ସେମାନେ । ସେଠି ଗ୍ରୀସୀୟ ବିନ୍ଧାଣୀର ନୈବ୍ୟକ୍ତିକ କଳ୍ପନା ପ୍ରସୂତ ସାତ୍ତ୍ୱିକ ଚିତ୍ର ଅଙ୍କାଯାଏ, ଅଗ୍ନି ବସ୍ତ୍ରାବୃତ ସନ୍ନ୍ୟାସୀବୃନ୍ଦ ସ୍ୱୟମ୍ଭୁ ସମ ପବିତ୍ର ଅଗ୍ନିରୁ ଆବିର୍ଭୂତ ହୋଇଥାନ୍ତି ‘‘And be the Singing master of my soal.’’ ଏବଂ ତାଙ୍କ ଅନ୍ତରକୁ ନିଗାଡ଼ି ଆତ୍ମାରେ ଠୁଳ କରନ୍ତି, ‘‘Into the artifice of eternity.’’ (୨୭)

 

ପ୍ରତ୍ୟେକ ମଣିଷ ଜଣେ ଜଣେ ଭାବପ୍ରବଣ ଶିଳ୍ପୀ, ଯେକି ଅନ୍ତରର ସବୁ ଆବେଗ, ଉନ୍ମେଷ, ଆନନ୍ଦ ଓ ଉଚ୍ଛ୍ୱାସ ବିନିମୟରେ ନିଜ ଜୀବନର ମାଷ୍ଟରପିସ୍‌ ଆଙ୍କିବାର ସହଜାତ ପ୍ରବୃତ୍ତିରେ ମୂହ୍ୟମାନ ହୋଇ ଉଠନ୍ତି । ସେଦିଗରୁ ଦେଖିଲେ ପ୍ରତ୍ୟେକ ମାନବାତ୍ମାରେ କବିସୁଲଭ ସୌକୁମାର୍ଯ୍ୟ, କଳ୍ପନାବିଳାସ, ଶିଳ୍ପୀସୁଲଭ ଭାବପ୍ରବଣତା, ନିଷ୍ଠା, ଆତ୍ମବିଭୋର ଓ ତଲ୍ଲୀନ ଭାବ ନିହିତ, ଯାହାର ସମନ୍ୱିତ ପରିପ୍ରକାଶକୁ ପ୍ରେମ ବୋଲି କୁହାଯାଇପାରେ । କେବଳ ମଣିଷ ନୁହେଁ, ସଜୀବ ମାତ୍ରେଇ ସେଇ ପ୍ରେମର ସୁରଭି ଓ ସୃଜନ ଉଲ୍ଲାସରେ ପୁଲକିତ ହୋଇଥାନ୍ତି । ଏହା ଏକ ସ୍ୱତସ୍ଫୂର୍ତ୍ତ ଆବେଗ ଓ ଜୈବିକ କ୍ଷୁଧା; ଏକାନ୍ତ ଅପରିହାର୍ଯ୍ୟ ବି । କିନ୍ତୁ ସାଂପ୍ରତିକ ଜଗତରେ ସମସ୍ୟା ସଙ୍କୁଳ, ବସ୍ତୁନିଷ୍ଠ, ବ୍ୟସ୍ତମୁଖର ଜୀବନଧାରା, ବର୍ଦ୍ଧିଷ୍ଣୁ ଜନବିସ୍ଫୋରଣ, ଉତ୍କଟ ଖାଦ୍ୟ ସଙ୍କଟ, ଅବିଶ୍ୱାସର ଘନକୁହେଳୀ ଓ ଦୁର୍ବିସହ ଜୀବନ ଜଞ୍ଜାଳ ଭିତରେ ନାରୀ ପୁରୁଷ ସଙ୍ଗ ସ୍ୱାଭାବିକ ସମ୍ପର୍କ ଅନେକାଂଶରେ ବିଡ଼ମ୍ବିତ ଓ ସଙ୍କୁଚିତ ହୋଇ ପଡ଼ୁଛି । ଆଜି ସୃଷ୍ଟିରେ ଆନନ୍ଦ ନାହିଁ; ପୁରୁଷାକାର ଓ ବୀରତ୍ୱର ଅହମିକା ସେଥିରେ ପ୍ରତିଫଳିତ ହେଉନାହିଁ; ତାହା ଗତାନୁଗତିକ, ଭୟ ଓ ଶଙ୍କାକୁଳ ସମ୍ଭାବନା ପିଣ୍ଡିତ ଏକ ମାମୁଲି ପ୍ରଜନନ, ଏକ ଜୈବିକ ପ୍ରକ୍ରିୟା ଯାହାକୁ ବୈଜ୍ଞାନିକମାନେ ଅସ୍ତ୍ରୋପଚାରାଦି ନାନା କୃତ୍ରିମ ପ୍ରକ୍ରିୟାରେ ନିୟନ୍ତ୍ରଣ କରୁଛନ୍ତି । ତେଣୁ ‘‘ତ୍ରିକୋଣାକାରର ଗଧଟୋପି ପିନ୍ଧି’’ ଚିତ୍ରଗୁପ୍ତ ଦପ୍ତରରେ ଉଲ୍ଲୁବନିବା ତ ଏକ ବିକାଶଶୀଳ ମନୋବୃତ୍ତି, ଏକ ସଭ୍ୟ ଆଚାରବିଧି । ‘ଅନନ୍ତଶୟନ’ର କାବ୍ୟ-ପୁରୁଷ ଏମିତି ନିର୍ମମ ଅନ୍ତର୍ଦହନରେ ଦଂଶିତ । ଧର୍ମପଦର ଗ୍ଳାନି, ନୌରାଶ୍ୟ ଓ ଅପୂର୍ଣ୍ଣ ବ୍ୟକ୍ତିତ୍ୱର ଅବସାଦ ତାକୁ ଜାଳିପୋଡ଼ି ନିଃଶେଷ କରିଛନ୍ତି । ଚିରକାଳ ପିତୃ ସ୍ନେହରୁ ବଞ୍ଚିତ ଜଣେ ପୁତ୍ରର ପିତୃ ପରିଚୟ ଘଟିବାର ଅବ୍ୟବହିତ ପରେ ହଠାତ୍‌ ତାକୁ ଝିଙ୍କିନେବାର ହୀନ ଚକ୍ରାନ୍ତ ଧର୍ମପଦକୁ ରକ୍ତାକ୍ତ କରିଛି, ବିଳପି ଉଠିଛି ତା ଅନ୍ତରାତ୍ମା, ଆତ୍ମାହୂତି ଦେଇଛି ତା ଶିଳ୍ପୀପ୍ରାଣ, ତା ପ୍ରେମ, ତା ପ୍ରତିଭା ଏମିତି ଶହୀଦ ହେବାର ଏକ ଲୌକିକ ଗଧଟୋପି ପିନ୍ଧାର ତାକୁ ଉଲ୍ଲୁ ବନାଇଛି ଏ ସମାଜ । ‘ଅନନ୍ତ ଶୟନ’ କବିତାର ଆତ୍ମଧିକ୍‌କାର, କ୍ଳୀବତ୍ୱର ନିଷ୍ଫଳ ପ୍ରୟାସ ଓ ପିତୃତ୍ୱର ମର୍ମଦାହୀ ଆର୍ତ୍ତନାଦ ଏବଂ ‘ଧର୍ମପଦର ଆତ୍ମାହତ୍ୟା’ର ଆତ୍ମାଭିମାନ, ଆସ୍ପର୍ଦ୍ଧା ଓ ଶ୍ଳେଷର ଅସମ୍ଭବ ମେଳ ଅଛି । ରାଧା ବି ସମାଜଦ୍ୱାରା ବହୁଭାବେ ନିର୍ଯ୍ୟାତିତା । ତାଙ୍କ ନାରୀତ୍ୱକୁ, ପ୍ରେମକୁ, ଆତ୍ମାକୁ ଚରମ ଅବହେଳା ପ୍ରଦର୍ଶନ କରି ତାଙ୍କୁ ନିର୍ମମ ଅନ୍ତର୍ଦହନର ଜଳନ୍ତା ଯୂଈକୁ ଠେଲି ଦିଆଯାଇଛି । ତା’ର ପ୍ରତିବାଦରେ ରାଧାଙ୍କର ପ୍ରତିକ୍ରିୟା, କୃଷ୍ଣ ଆଉ ନାହାନ୍ତି ବୋଲି ଖବର ପାଇ, ‘‘କନ୍ୟାପରି ମୁଁ ପିନ୍ଧିବି/ଅଳଙ୍କାର ପାଟ ପୀତାମ୍ବରୀ/ଯେତେ ଥଟ୍ଟା ଅପଯଶ, ସବୁରି ଜବାବ/ଦେବି ଚୁଡ଼ି ଝମ୍‌ଝମ୍‌ କରି ।’’ (୨୮) ଏସବୁ ଶିଳ୍ପୀର ଅଭିମାନ । କିନ୍ତୁ ଶ୍ରୀରାଧାରେ ରାଧାଙ୍କର କୃଷ୍ଣ ଉପଲବ୍‌ଧି ଓ ଅଣାକାର ଚେତନା ରମାକାନ୍ତ ରଥଙ୍କ ଭାଷାରେ ଯେଉଁଠାରେ ଆକାର ନଥାଇ, କେବଳ ଚେତନା ଥାଏ । ଯେଉଁପରି ସମୁଦ୍ର, ଯାହାର ତଳ ନାହିଁ, ଉପକୂଳ ନାହିଁ ।’’ ସେଠି କେହି ନଥିବେ ଓ କିଛି ନଥିବ । ଅନ୍ତରର ସବୁ ଦମ୍ଭ ଓ ଅହଂକାର ଧୋଇ ଯାଇଥିବ । ଦୁଃଖସୁଖ ଏବଂ ଏପରିକି ମରିବା ଜୀଇଁବା ଏକାକଥା ହୋଇଥିବ । ତେଣୁ ରାଧା ସେ ଚରମ ଅଭିମାନକୁ ରୂପାନ୍ତର କରି ଶେଷକୁ ଉପନୀତ ହୁଅନ୍ତି :

 

‘‘ତମେ ଯଦି ତାଙ୍କପାଇଁ ମରିନଥାନ୍ତ ମୁଁ

ଗୋଟାପଣେ ପାଇଥାନ୍ତି କିପରି ତୁମକୁ ?’’ (୨୯)

 

ସେଠି ସବୁ ରକ୍ତ ମାଂସର ଉତ୍ତେଜନା ପ୍ରଶମିତ ହୋଇ କୃଷ୍ଣଙ୍କ ବିଶୁଦ୍ଧତା ଠାରେ ମିଶି ଯାଇଥିବ । ସେଠି ରାଧା ନିଜେ ନଥିବେ କି ତାଙ୍କ ଜୀବସତ୍ତା ନଥିବ; ଥିବ ଖାଲି ମହାଶୂନ୍ୟ ଏବଂ “ସେ ମହାଶୂନ୍ୟରେ ସତ୍ୟ ଓ ଅସତ୍ୟ ଏକାକଥା ହୋଇଥିବ ।’’ ସେଠି ‘‘ମରିବାକୁ ବଞ୍ଚିବାରେ ପରିଣତ କରିହୁଏ ।’’ ଅନନ୍ତଶୟନର କାବ୍ୟପୁରୁଷ ମୃତ୍ୟୁର ଇଲାକାରେ, କ୍ଷୀର ସମୁଦ୍ରର ସର୍ପଜିମାରେ ନିଜର ଏକାନ୍ତ କୁଳାଙ୍କୁର ଛାଡ଼ିଲାପରି ଶ୍ରୀରାଧାରେ ବି ସେଇ ରୂପକଳ୍ପ, ସେଇ ମିଥ୍‌; ‘‘ତେବେ ଯାଅ ଶୋଇପଡ଼ କଳ୍ପ କଳ୍ପାନ୍ତର ଶୂନ୍ୟ ଜଳଧିରେ ।’’ (୩୦) ସେଠି ଶ୍ୟାମ କୃଷ୍ଣବର୍ଣ୍ଣ ଓ ନିରାକାର ହେବା ଏବଂ ରାଧା ଉଦ୍‌ଗ୍ରୀବ ଶୂନ୍ୟସ୍ଥାନଟିଏ ହୋଇ କୃଷ୍ଣଙ୍କୁ ‘‘କାଳକାଳ ଜାକିଧରି ଥିବି ବିବସନ ଅନ୍ତଃକରଣରେ ।’’ (୩୧) ସେଇ ଉତ୍ତୀର୍ଣ୍ଣ ଚେତନାର ପ୍ରତିଛବି ।

 

ସାଂପ୍ରତିକ ସମୟ, ସମାଜ ଓ ଜୀବନଚର୍ଯ୍ୟାରେ ଆଧ୍ୟାତ୍ମିକତା, ଚରିତ୍ରବତ୍ତା ଓ ନୈତିକତାଦିର ଏତେ ଅବକ୍ଷୟ ଘଟିଛି ଏବଂ ଅନ୍ୟପକ୍ଷରେ ରାଜସିକ ଉପଚାର ତଥା ଉଲ୍ଲଙ୍ଗ ତାମସିକ ବିଳାସ ଏତେ ମାତ୍ରାରେ ସୀମାତିକ୍ରମ କରିଛି, ଯଦ୍ଦ୍ୱାରା ସମାଜର ବରିଷ୍ଠ ଲୋକେ ବଡ଼ ବିମର୍ଷ ହେଉଛନ୍ତି; ଅଶ୍ୱସ୍ତିକର ଓ ଅଣନିଃଶ୍ୱାସୀ ବୋଧ କରୁଛନ୍ତି । ଏକରକମ ଜୀବନର ନୈତିକ ମାନଦଣ୍ଡ ବା ethics ବଦଳି ଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଇ ତାମସିକ ଆଚାର, ଉପଚାର, ସେଇ ସଂଭୋଗ ସଙ୍ଗୀତର ତାଳେ ତାଳେ ପାଦ ପକେଇ ତଥାକଥିତ ଉଗ୍ର ଯୁବସଂପ୍ରଦାୟ ସଙ୍ଗେ ଖାପଖୁଆଇ ନପାରି ସେମାନେ ଏକ ବାସନ୍ଦ ସଂପ୍ରଦାୟ ଭଳି ଆତ୍ମପ୍ରତାରଣାରେ କାଳ କାଟୁଛନ୍ତି । ପକ୍ଷାନ୍ତରେ ଯୁଗଯନ୍ତ୍ରଣାର ଉତ୍କଟ ହଳାହଳ, ବଂଶ ବ୍ୟବଧାନର ଫାଟ ଓ ବୌଦ୍ଧିକ ଦାସତ୍ୱ (Intelluctual Slavery) ବିଂଶ ଶତାବ୍ଦୀର ସୀମାତିକ୍ରମ କରିସାରିଛି, ଯାହା ଅନେକ ଦିନ ଆଗେ ଜର୍ଜଓରୱେଲ ଆଶଙ୍କା କରିଥିଲେ ‘Nineteen Eighty Four’ (୩୨) ଉପନ୍ୟାସରେ । ଏପରି ଏକ ଅସ୍ୱାଭାବିକ ଦୟନୀୟ ଅବସ୍ଥା ସଂପର୍କରେ କବି ୟେଟସ୍‌ କହନ୍ତି ଆଧୁନିକ ପୃଥିବୀ ‘‘no country For the oldmen’’ (୩୩) ମୂଳ ରାସ୍ତାରୁ ଓହରିଯାଇ ଆଧୁନିକ ଯୁବକଯୁତୀମାନେ ନୂଆରାସ୍ତାର ଯେଉଁ ଗୁଳା କାଟିଲେ ପରିଣତ ବୟସର ଲୋକେ ବହୁ ଆୟାସ ପ୍ରଯତ୍ନ ସତ୍ତ୍ୱେ ବି ସେଥିରେ ପାଦରଖି ସିଧାସିଧା ଚାଲିପାରିଲେ ନାହିଁ । ସେଇ ଯୁବକ ଯୁବତୀ ଓ ନୀଡ଼ରେ ଥିବା ପକ୍ଷୀମାନଙ୍କୁ କବି ମୃତ ବଂଶଧର ‘dying generation’ ବୋଲି କହନ୍ତି ଏବଂ ପରସ୍ପର ହାତ ଛନ୍ଦାଛନ୍ଦି ହୋଇ ଦୈହିକ ସଙ୍ଗୀତ (Sensuous music) ଗାଇ ପପ୍‌ଡାନ୍‌ସରେ ବିଭୋର ହୁଅନ୍ତି ସେମାନେ । ସେଠି ଆତ୍ମାର ସଙ୍ଗୀତ ଗାଇ ବୃଦ୍ଧ ମଣିଷର ସ୍ଥିତିକି ଅନ୍ତତଃ ‘‘Monuments of Unageing intellect’’ (୩୪) ଭାବେ ଉପଲବ୍‌ଧି କରିବା ସାମ୍ପ୍ରତିକ ସମାଜ ତଥା ବିପର୍ଯ୍ୟସ୍ତ ଜଗତରେ ଆଦୌ ସମ୍ଭବ ନୁହେଁ । ତେଣୁ ବୃଦ୍ଧମାନେ ବେଳାଭୂମି ଆଡ଼େ ମୁହାଁଇଲେ ସମୁଦ୍ର ଅତିକ୍ରମୀ ପବିତ୍ର ବାଇଜାନ୍ତିୟମକୁ ଯାତ୍ରା କରିବାର ସାତ୍ତ୍ୱିକ ଅଭିପ୍‌ସା ପୋଷଣ କରି, ଯେଉଁଠି ଗ୍ରୀସିୟନ ବିନ୍ଧାଣୀର ନୈବ୍ୟକ୍ତିକ କଳ୍ପମାନସରେ ମଣିଷର ନିରାସକ୍ତ ସାତ୍ତ୍ୱିକ ସ୍ୱରୂପକୁ ରୂପ ଦିଆଯାଏ ଏବଂ ପବିତ୍ର ଅଗ୍ନିକୁଣ୍ଡରୁ ଆବିର୍ଭୁତ ଅଗ୍ନି ବସ୍ତ୍ରାବୃତ୍ତ ସନ୍ନ୍ୟାସୀବୃନ୍ଦ ପ୍ରକଟିତ ହୋଇଥାନ୍ତି : ‘‘...the singing masters of my soul’’ ଅନ୍ତରକୁ ନିଃଶେଷକରି ଆତ୍ମାକୁ ଠୁଳ କରନ୍ତି ‘‘Into the artifice of eternity’’ (୩୫) ଗ୍ରୀସିୟନ ବିନ୍ଧାଣୀର ମୁଦା, ପୁଟଦିଆ, କୁଟିକମ ସୁବର୍ଣ୍ଣପକ୍ଷୀ, ଯାହା ଏକଦା ଚୀନା ସମ୍ରାଟଙ୍କ ତନ୍ଦ୍ରିଳ ଓ ଅଶାନ୍ତ ପ୍ରାଣରେ ଅମୃତର ସ୍ପର୍ଶଭରି ଦେଇଥିଲା ଏବଂ ଉତ୍କଳୀୟ ସ୍ଥପତୀର ନିହାଣ ମୁଗୁରରେ ନିଷ୍ପାଣ ପଥର ବୁକୁରେ ଜୀବନ୍ୟାସ ପାଇଥିବା କୋଣାର୍କର ଶାଳ ଭଂଜିକାର ଅଳସ ଅପାଙ୍ଗ, ଅନଙ୍ଗ ଚିତ୍ରଲେଖା, ମୁଦ୍ରା ଓ ନୃତ୍ୟଲାସ୍‌ ହୁଏତ ବହୁବର୍ଷ ଧରି ଦର୍ଶକର ଦୃଷ୍ଟି ବିସ୍ଫାରିତ କରିପାରେ, ତା କ୍ଳାନ୍ତି, ଅପନୋଦନ ତଥା ଅବସର ବିନୋଦ କରି ତାଙ୍କୁ ମନ୍ତ୍ର ମୁଗ୍‌ଧ କରିପାରେ । ସେଇ ପରିପ୍ରେକ୍ଷୀରେ ଏସବୁ ଅମରକୀର୍ତ୍ତିର ସ୍ରଷ୍ଟା ଅମରଶିଳ୍ପୀମାନଙ୍କୁ ଧର୍ମପଦ ପରି କ୍ଷଣଜନ୍ମା ସ୍ଥପତିପ୍ରତିଭାକୁ, ଦିନେ ଯାହାର କଣ୍ଠରୋଧ କରି ହୁଏତ ଆତ୍ମହତ୍ୟା ନିମନ୍ତେ ବାଧ୍ୟ କରାଯାଇଥିଲା; ଆଜି ସେଇ ଅମର ପ୍ରତିଭାକୁ ତାରିଫ୍‌କରି କୀର୍ତ୍ତିର ଅକ୍ଷୟତିଳକ ବନ୍ଧାଯାଇପାରେ, କାରଣ ‘‘Fame is a food that deadmen eat’’ (୩୬) ତାକୁ ଜୀର୍ଣ୍ଣ କରିବାର ସାମର୍ଥ୍ୟ ଆମ ପାକସ୍ଥଳୀରେ ନାହିଁ । କେବଳ ସାଢ଼େ ଛ’ଫୁଟର ସଂକୀର୍ଣ୍ଣ ଏକ ଅନ୍ଧାର ଗମ୍ଭିରାରେ ଶୋଇ ଯଶୋରସାମୃତ ଆକଣ୍ଠ ପାନ କରାଯାଏ । କଳା ସ୍ଥାପତ୍ୟର ପୃଷ୍ଠପୋଷକତା ଦ୍ୱାହିରେ, ବିନ୍ଧାଣୀ କୁଳର ଆସନ୍ନ ମୃତ୍ୟୁକୁ ଏଡ଼େଇବା ନତୁବା ସେମାନଙ୍କ ମାନଇଜ୍ଜତ୍‌, ପୌରୁଷ ପରାକାଷ୍ଠାରେ କଳଙ୍କର ଛିଟନ ପଡ଼ିବାପାଇଁ ଧର୍ମପଦ ପରି ଅର୍ବାଚୀନ ଶିଳ୍ପୀର ଜୀବନ ତ ଅତି ମାମୁଲି କଥା ଏବଂ ସେମାନଙ୍କ ମୁଣ୍ଡରେ ଶହୀଦର ଗଧଟୋପି ପିନ୍ଧେଇ ଆତ୍ମହତ୍ୟା ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ କରିଦେବା ତ ଏକାନ୍ତ ଅପରିହାର୍ଯ୍ୟ, ଏକ ଜାତୀୟ କର୍ତ୍ତବ୍ୟ ଓ କୃତଜ୍ଞତାର କୁର୍ବାନୀ ମଧ୍ୟ । ସତ କହିଲେ ବିଷ ପିଇ ଆତ୍ମହତ୍ୟା କରିବାକୁ ପଡ଼େ, ପ୍ରବଞ୍ଚକମାନଙ୍କ ମୁଖା ଖୋଲିଦେଲେ କ୍ରୁଶବିଦ୍ଧ ହେବା ନିଶ୍ଚିତ । ସମାଜର ବଡ଼ପଣ୍ଡାମାନେ ସବୁବେଳେ ନ୍ୟାୟର ପଥରୋଧ କରନ୍ତି, ସତ୍ୟର କଣ୍ଠରୋଧ କରନ୍ତି ଏବଂ ଚାପି ଦିଅନ୍ତି ଉନ୍ମେଷ ଉନ୍ମୁଖ ପ୍ରତିଭାକୁ । ଶିଶୁ ଧରମାର ଜୀବନ ପାଖୁଡ଼ା ଉନ୍‌ମୋଚିତ ହେଲା ବେଳେ ବାରଶ ବଢ଼େଇ ଗୃଧ୍ର-ମରଣ-ଆଖି ଝାମ୍ପିପଡ଼େ ତା ଉପରକୁ ‘‘ବାରଶ ଯମର/ଉଦ୍ଧତ କରବାଳ’’ ଊର୍ଦ୍ଧ୍ୱେ ଉତ୍ତୋଳିତ ହୁଏ ଏବଂ ‘‘ଅନ୍ତିମ ହାହାକାରେ...ସୂର୍ଯ୍ୟଟେ ଖସି/ବିଲୀନ ହୋଇଲା/ଅନ୍ତିମ ଅନ୍ଧକାରେ ।’’ (୩୭) ଏଇ ହେଉଛି ଶିଳ୍ପୀର ମରଣୋତ୍ତର ସମ୍ମାନ, ସ୍ରଷ୍ଟାର ଅନ୍ତିମ ପରିଣତି ଓ ପ୍ରତିଭା ପ୍ରତି ନିୟତୀର ନିର୍ମମ ଉପହାସ ! ସେଇ ହରିକାଠରେ ବେକ ଦେଖେଇଛି ‘ଶିଶୁ ବିଧାତା’ ଧରମା, ବଳି ପଡ଼ିଛନ୍ତି । ‘ଅନନ୍ତ ଶୟନ’ର କାବ୍ୟନାୟକ ଏବଂ ସମାଜର ସେ ନିଆଁଝୁଲ ଜାଳିପୋଡ଼ି ଦେଇଛି ଶ୍ରୀରାଧାଙ୍କ ସରସ କୋମଳ ପ୍ରେମ ପାରିଜାତକୁ ।

 

ନାରୀ ଏକ ସୂକ୍ଷ୍ମ ମନୋଜ୍ଞ କାନଭାସ । ନାରୀର ଦେହ, ମନ, ପ୍ରେମ, ପ୍ରଣୟରେ ଆତ୍ମହରା ହୋଇ ଭାବପ୍ରବଣତାର ମାଙ୍ଗଳିକ ଶଙ୍କଧ୍ୱନି କରାଯାଇପାରେ, ସହଯାତ୍ରୀ ରୂପେ ତା’ସଙ୍ଗେ ନୀଡ଼ରଚନା କରାଯାଇପାରେ । ପାରସ୍ପରିକ ସହାବସ୍ଥାନ, ସହମତି ଓ ସମର୍ପଣ ତଥା ଦୁଇଟି ଉଚ୍ଛଳ ଆତ୍ମାର ଆନନ୍ଦାତିଶୟ ଭାବପ୍ରବଣ ମାନସିକ ଓ ଦୈହିକ ମିଳନର ସମୁଦ୍ର ମନ୍ଥନରୁ ଅମୃତ ସୃଷ୍ଟିର ସୃଜନ-ବେଣୁ ବାଜିଉଠେ । ସର୍ଜନା ସବୁଠୁଁ ସୂକ୍ଷ୍ମ, ସୁନ୍ଦର, ଆବେଗିକ, କମନୀୟ କଳାବିଳାସ, ଅନ୍ତରର ପ୍ରତ୍ୟେକ ତନ୍ତ୍ରୀକି ତାହା ଦୋହଲେଇ ଦିଏ । ପ୍ରତ୍ୟେକ ଜୀବାତ୍ମାରେ ତା’ର ସ୍ୱତଃ ବିକାଶ ସଂଘଟିତ ହୁଏ । ସମର୍ପଣ ଏଇ ପ୍ରେମଭାବକୁ ଅଧିକ ସାନ୍ଦ୍ର, ଅଧିକ ନିବିଡ଼ ଓ ରସଘନ କରିଥାଏ । ତେଣୁ ପରମ ପୁରୁଷ କୃଷ୍ଣଙ୍କୁ ସର୍ବସ୍ୱ ସମର୍ପଣ କଲେ ପ୍ରେମ ପରିଣତ ଅବସ୍ଥା ପ୍ରାପ୍ତ ହୁଏ । ଏଇ ଆତ୍ମସମର୍ପଣ ଓ ଆତ୍ମବିସ୍ମରଣରୁ ଦେବଦୁର୍ଲ୍ଲଭ ସୁଧାଭକ୍ତିର ସ୍ୱରୂପ ଉପଲବ୍‌ଧି କରିହୁଏ । ପରକୀୟା ହେଲେ ବି ତାହା ପବିତ୍ର, ମହାନ ଏବଂ ତଦ୍ଦ୍ୱାରା ଅନ୍ତଃଶୁଦ୍ଧି ଓ ଭଗବତ୍‌ ପ୍ରାପ୍ତିର ସମ୍ଭାବନା ଉଜ୍ଜ୍ୱଳ ଓ ଆସନ୍ନ ଏବଂ ଆଧ୍ୟାତ୍ମିକ ମାର୍ଗ ଢେର ପ୍ରଶସ୍ତ । କିନ୍ତୁ ବୈଷ୍ଣବ ତଦ୍‌ବିଦମାନେ ଆଉ ପାଦେ ଆଗେଇ ଯାଇ ପ୍ରେମ ଓ କାମ ମଧ୍ୟରେ ଏକ ସୀମାରେଖା ଟାଣିଛନ୍ତି-। ‘ଚୈତନ୍ୟ ଚରିତାମୃତ’ରେ ଏ ପ୍ରସଙ୍ଗରେ କୁହାଯାଇଛି, ‘‘ଆତ୍ମେନ୍ଦ୍ରିୟ ତୃପ୍ତିଇଚ୍ଛା ତାରେ ବଲେ କାମ । କୃଷ୍ଣେନ୍ଦ୍ରିୟ ତୃପ୍ତି ବାଞ୍ଛାତାରେ ବଲେ ପ୍ରେମ’’ । (୩୮) ମୋଟାମୋଟି ଏଇ ହେଲା ଇନ୍ଦ୍ରିୟଗ୍ରାହ୍ୟ କାମ ଓ ଶୁଦ୍ଧ ପ୍ରେମର ସଂଜ୍ଞା । କିନ୍ତୁ ଚାହିଦା ମୁତାବକ ‘‘ଘନୀଭୂତ ନୀଳ ସବୁ, ଅର୍ଦ୍ଧ ଅପରିଚିତ ଓ ପରିଚିତ ଆକାଙ୍‌କ୍ଷାର ନୀଳଯୋଗଫଳ’’ରୁ ଅଦୃଶ୍ୟ, ଅଣାକାର ଓ ଅରୂପ ଶକ୍ତିଠାରେ ସଂପୂର୍ଣ୍ଣ ଆତ୍ମସମର୍ପଣ ନକଲେ ସତ୍ୟଭାମାଦି ଅଷ୍ଟପାଟ ମହିଷୀଙ୍କ ଭୁଜବନ୍ଧନୀରୁ କିମିତି ଗଣ୍ଠିଧନକୁ ମୁକୁଳେଇ ହେବ ? ତେଣୁ ସେମାନଙ୍କ ସ୍ଥୂଳଚେତନାରେ ଯାହା ମୃତ୍ୟୁ, ହୁଏତ ରାଧାଙ୍କ ପାଇଁ ତାହା ଅଣାକାର ଚେତନା ଓ ସାତ୍ତ୍ୱିକ ସଂଭୋଗର ଷୋଳଅଣା ଭୋଗ ଦଖଲ, ଯାହାର ବାୟବୀୟ ଶୂନ୍ୟ ଶରୀରକୁ କେବଳ ମୃତ୍ୟୁପରେ ହିଁ ଓଦାଛାତିରେ, ‘‘କାଳ କାଳ ଜାକିହେବ ବିବସନ ଅନ୍ତଃକରଣରେ ଓ ଯାହାର ନିଃଶ୍ୱାସ ପ୍ରଶ୍ୱାସକୁ ବାରିହେବ ବାୟୁତରଙ୍ଗରୁ ଅଭିସାର ଲାଗି ଅଥୟ ହେବା, ସଂକେତ ସ୍ଥଳକୁ ବାୟାଣୀ ପରି ଧାଇଁବା ଏବଂ ଅପବାଦ ଅପଯଶରୁ କୀର୍ତ୍ତିର ଢେଉ ଗଣିବା ଓ ମୃତ୍ୟୁର ନିଷ୍କରୁଣ ସମୁଦ୍ର ମନ୍ଥନରୁ ଅମୃତ ଅନିଷା କରିବା ଏକ ପ୍ରବଣାତିଶୟ ଚରମ ଅବସ୍ଥା, ଯହିଁରେ ପ୍ରାଣୀ ହିତାହିତଜ୍ଞାନ ଶୂନ୍ୟ ହୋଇ କାଳିସୀ ପରି ପ୍ରଳାପ କରେ ଓ ଉଦ୍ଦଣ୍ଡ ପ୍ରକ୍ରିୟାରେ ମୂହ୍ୟମାନ ହୋଇ ଉଠେ, ଯାହା ସେଇ ଅତିମାନବୀୟ ଦେହାତୀତ ଉପଚାର ବା ଚୈତନ୍ୟଙ୍କ ‘‘କୃଷ୍ଣେନ୍ଦ୍ରିୟ ପ୍ରେମ । ୟେଟ୍‌ସଙ୍କ କଥାରେ (୩୯) ‘‘I call it a death in life and life in death’’ । ସେ ମୃତ୍ୟୁ ଓ ଜୀବନର ଏକ ଅଭେଦ ଚିତ୍ର’’ । ତେଣୁ ମୃତ୍ୟୁର ଇଲାକାରେ ପ୍ରତିଭା, ପ୍ରେମ, ପ୍ରଣୟ ବା ପ୍ରଜନନ ଏକାକାର, ନିଶ୍ଚିହ୍ନ ହୋଇଗଲେ ବି ଜୀବନ୍ମୟ ହୋଇ ଜଳେ ଦାଉ ଦାଉ ଠିକ୍‌ କୃଷ୍ଣଙ୍କ ମୃତ୍ୟୁର ଅବ୍ୟବହିତ ପରେ ରାଧାଙ୍କ ସୂନ୍ଥାର ସିନ୍ଦୂର ଗାର ପରି । ତେଣୁ ଜୀବନ ମୃତ୍ୟୁ-ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ସିନା ! ଏଥିପାଇଁ ବାଇଜାନ୍ତିୟମକୁ ସାମୁଦ୍ରିକ ଯାତ୍ରାକାଳରେ ଦେହ ମନର ପ୍ରାୟଶ୍ଚିତ, କୁଚ୍ଛ୍ର ସାଧନ ଓ ଶୁଦ୍ଧି ଲୋଡ଼ା, ଯାହା ପରିଶେଷରେ ସିଦ୍ଧିର ମାର୍ଗ ଉନ୍‌ମୋଚନ କରେ । ହୁଏତ କଳାକାର ଧର୍ମପଦ ପାଇଁ ଜୀଇଁବା, ମରିବା ଅର୍ଥହୀନ ହୋଇପଡ଼ିଛି ଏବଂ ତା ଶିଳ୍ପୀ ପ୍ରତିଭାର ଚରମ ଉତ୍କର୍ଷ ପଥରର ଏକ ଶ୍ରେଷ୍ଠ ମହାକାବ୍ୟର ଆଲିମ୍ପନ ଆଙ୍କିସାରି ଶିଳ୍ପୀସୁଲଭ ଅଭିମାନ ଓ ଭାବପ୍ରବଣତାରେ ସେ ଆତ୍ମହତ୍ୟା ଲାଗି ପ୍ରସ୍ତୁତ ହୋଇପଡ଼ିଛି । ଏକ ମହାନ ସଂଶୟ, ଅହମିକା, ଆତ୍ମଗ୍ଳାନି ଓ ନିର୍ଲ୍ଲଜ ଆତ୍ମସଂତୋଷପାଇଁ ତା ପୂର୍ବପୁରୁଷଙ୍କ ମୁଣ୍ଡରେ, ‘‘ତ୍ରିକୋଣାକାର ଗଧଟୋପି’’ ପିନ୍ଧେଇ ସେମାନଙ୍କୁ ଉଲ୍ଲୁ ବନେଇ ସେ ଚାଲିଯାଇଛି ତା ଇପ୍‌ସିତ ଅଫେରା ବାଟରେ, ଯୋଉଠୁ ପଥିକ କେବେ ଫେରେନା, ଯଦିଓ ଆସନ୍ନ ଯାତ୍ରାର ଅବ୍ୟବହିତ ପୂର୍ବେ ତା ଅପୂର୍ଣ୍ଣ ପ୍ରେମ, ପ୍ରଣୟ ଓ ଅସ୍ଫୂଟ ପ୍ରତିଭାର ଉଦ୍‌ଗତ ତାପ ତାକୁ ପ୍ରତିମୁହୂର୍ତ୍ତରେ ଜଳାଏ । କିନ୍ତୁ କେତେକାଳ ଏସବୁର ସ୍ଥିତି ମୃତ୍ୟୁର ହୀମ ଶୀତଳ ମେରୁରେ, ତା ସଫେଦ ଶେଯରେ, ତା ନୀଳଉପତ୍ୟକାରେ ଓ ତା’ ନାଲି ବତୀଘର ସାମ୍ନାରେ !!! ମୃତ୍ୟୁକୁ ଅତି ସହଜ ଭାବେ ଗ୍ରହଣ କରିଛନ୍ତି କବି । ସେ କହନ୍ତି ଆମ ପ୍ରାତ୍ୟହିକ ଜୀବନଧାରାରେ ନିର୍ବାହିତ ସାଧାରଣ କର୍ମ ଇଂଜାମ ପରି ମରଣ ବି ଗୋଟିଏ କାମ । ତେଣୁ ସେ ନେଇ ବ୍ୟସ୍ତ ବିବ୍ରତ ହେବା କଣ ଲୋଡ଼ା ? ମୃତ୍ୟୁପାଇଁ ତାଙ୍କର ‘‘ପଛଘୁଞ୍ଚା ନାହିଁ କିମ୍ବା ଅଯଥା ବ୍ୟସ୍ତତା/ନାହିଁ ବା ଅପରିପକ୍ୱ ବିମର୍ଷତା ନାହିଁ ।’’ ଧର୍ମପଦ ଖୁବ୍‌ ଦୃଢ଼ଚିତ୍ତରେ ତେଣୁ ମୃତ୍ୟୁକୁ ବରିନେଇଛି । କୃଷ୍ଣଙ୍କ ମୃତ୍ୟୁରେ ରାଧା ଆଦୌ ବିଚଳିତା ହୋଇ ନାହାନ୍ତି । ଅନନ୍ତଶୟନର କାବ୍ୟପୁରୁଷ ସେମିତି ତାଙ୍କ ବାତ୍ସଲ୍ୟ ବିଚ୍ଛେଦ ସହି ନେଇଛନ୍ତି । ପ୍ରକୃତିର ପ୍ରତ୍ୟହ ସଂଘଟିତ ଏଇ ବିୟୋଗାନ୍ତକ ନାଟକକୁ ଦେଖିଲେ ସବୁ ଯିମିତି ସହି ହୋଇଯାଏ । ଚନ୍ଦ୍ର ଅସ୍ତ ବେଳେ ସୂର୍ଯ୍ୟୋଦୟ ପୁଣି ସୂର୍ଯ୍ୟାସ୍ତବେଳେ ଚନ୍ଦ୍ରୋଦୟରୁ ଜୀବନର ଉଭୟ ଦିଗ ବାରିହୁଏ, ଯାହାକୁ ସରୋଜିନୀ ନାଇଡ଼ୁ କହନ୍ତି : ‘‘The laughter of sun today, the death of wind tomorrow.’’ ରମାକାନ୍ତ ରଥ ସେଇ ପ୍ରକୃତିରୁ ଅନୁଭବ କଲେ, ‘‘ବିଷାଦ ନରଖି ଶିଖିଥିଲି ମୁଁ ନିଜକୁ ସାମିଲ/କରି ଦେବାଲାଗି ତାରାମାନଙ୍କ ସାଙ୍ଗରେ ।’’

 

‘ଧର୍ମପଦର ଆତ୍ମହତ୍ୟା’, ରମାକାନ୍ତ ରଥଙ୍କ ନୂତନ ନିର୍ଯ୍ୟାସ ଓ ନୂତନ ପ୍ରୟୋଗର କବିତା । ଏହାକୁ ଆର୍କିଟାଇପ କବିତାର ପରିସରଭୁକ୍ତ କରାଯାଇପାରେ । ଧର୍ମପଦ ରମାକାନ୍ତ ରଥଙ୍କ କବିତାରେ ଏକ ପ୍ରତୀକ, ଯାହାକୁ ରବିସିଂ କହନ୍ତି ‘ଶିଶୁବିଧାତା’ ଓ ‘ଲାଲ ପାଗୋଡ଼ାର ପ୍ରେତ’ । ଗୋପବନ୍ଧୁ ଧର୍ମପଦକୁ ଏକ ତ୍ୟାଗପୂତ ଜାତୀୟ ଚରିତ୍ର ଭାବେ ଆଙ୍କିଛନ୍ତି, ଯେପରି ସଚ୍ଚିରାଉତରାୟଙ୍କ ଲେଖନୀରେ ସହୀଦ ବାଜିରାଉତ ଭାରତୀୟ ସାହିତ୍ୟ, ସଂସ୍କୃତି ଓ ସ୍ୱାଧୀନତା ଇତିହାସରେ ଏକ ଜାତୀୟବାଦୀ ଚରିତ୍ର ରୂପେ ପ୍ରକାଶ ପାଇଛି । ଗୋପବନ୍ଧୁ ଓଡ଼ିଶାର ବିକ୍ଷିପ୍ତ, ଜାତୀୟ ଚେତନାକୁ ଧର୍ମପଦ ମାଧ୍ୟମରେ ଜନମାନସରେ ସାନ୍ଦ୍ରଭାବେ ଆରୋପଣ କରିଛନ୍ତି, ଯେପରି ‘ମାଣିକ-କିଂବଦନ୍ତୀ’ ତତ୍କାଳୀନ ପରାଜିତ ଉତ୍କଳୀୟ ସେନା ଶୋଣିତରେ ଅପୂର୍ବ ଉନ୍‌ମାଦନା ଓ ଅଫୂରନ୍ତ ଉତ୍ସାହଭାବ ସୃଷ୍ଟି କରିଥିଲା କାଞ୍ଚିସେନାକୁ ପରାହତ କରିବା ନିମନ୍ତେ । କାହାରି କାହାରି ମତରେ ଧର୍ମପଦ କିମ୍ବଦନ୍ତୀ ଗୋପବନ୍ଧୁଙ୍କର ସଂପୂର୍ଣ୍ଣ ମାନସ-ପ୍ରସୂତ । ଉକ୍ତ ଆଖ୍ୟାନ ଓଡ଼ିଶାରେ ଅତି ଲୋକପ୍ରିୟ କିମ୍ବଦନ୍ତୀ; ସାହିତ୍ୟ ଓ ସଂସ୍କୃତିର ଅପରିହାର୍ଯ୍ୟ ଅଂଶ ରୂପେ ଗୃହୀତ ହୋଇ ସାରିଛି । ଗୋପବନ୍ଧୁଙ୍କ ‘ଧର୍ମପଦ’କୁ ଏକ ଜାତୀୟବାଦୀ ଗାଥା କାବ୍ୟ ଭାବେ ଗ୍ରହଣ କରାଯାଇପାରେ । ଧର୍ମପଦ-ବାରବର୍ଷର ଶିଳ୍ପୀଟିଏ ଯାହାଠାରେ ପ୍ରଚଣ୍ଡ ପ୍ରତିଭା ଆତ୍ମଗୋପନ କରିଥିଲା । କିନ୍ତୁ ଜନ୍ମରୁ ସେ ବାପା ସଙ୍ଗେ ସାକ୍ଷାତ ହେବାର ଅବକାଶ ପାଇ ନାହିଁ । ଶିଳ୍ପୀ ସର୍ଦ୍ଦାର ବିଶୁମହାରଣା ସେହିଦିନୁ ସ୍ତ୍ରୀ, ପୁତ୍ର, ଘରଦ୍ୱାର ଛାଡ଼ି ବାରଶହ ଶିଳ୍ପୀ ମେଳରେ ଚନ୍ଦ୍ରଭାଗାଠାରେ କୋଣାର୍କ ମନ୍ଦିର ନିର୍ମାଣରେ ବ୍ୟାପୃତ । ସେମାନେ ସମସ୍ତ ପ୍ରଚେଷ୍ଟା, ପ୍ରଯତ୍ନ, ଅଭିଜ୍ଞତା ଓ ଶିଳ୍ପୀକୌଶଳ ବିନିର୍ବ୍ୟୟ କରି ସୁଦ୍ଧା ମନ୍ଦିରର ଦଧିନଉତି ବସେଇବାରେ ସକ୍ଷମ ହୋଇପାରି ନାହାନ୍ତି । ଶେଷରେ ନିଷ୍ଠୁର ରାଜାଜ୍ଞା ଘୋଷିତ ହୋଇଛି : ରାତିକ ଭିତରେ ମନ୍ଦିର ମୁଣ୍ଡି ନମରିଲେ ବାରଶ ବଢ଼େଇଙ୍କ ମୁଣ୍ଡ କାଟ । ଠିକ୍‌ ସେହି ରୋମାଞ୍ଚକର ଚରମ ମୁହୂର୍ତ୍ତରେ ଧର୍ମପଦ ଚନ୍ଦ୍ରଭାଗା ତୀରରେ ପହଞ୍ଚିଛି ମାତୃ ସଂକେତର ପରୱାନା ବାରିବରକୋଳି, ବଳିଆ କୁକରକୁ ସାଥୀରେ ଧରି । ବାପାଙ୍କ ସଙ୍ଗେ ପ୍ରଥମ ସାକ୍ଷାତରେ ଧର୍ମପଦ ଶୁଣିଛି ଏଇ ନିଷ୍ଠୁର ନିଷ୍ପତ୍ତିର ନିଷ୍କରୁଣ ବାଣୀ । ଧର୍ମପଦର କୌତୁହଳୀ ମନ, ତାର ସୂକ୍ଷ୍ମ ଶିଳ୍ପୀ ମାନସ ଏବଂ ତା’ଭିତରେ ମହଜୁତ ପୋଥିଲବ୍‌ଧ ସ୍ଥାପତ୍ୟ କୌଶଳର ପ୍ରାୟୋଗିକ ଅନୁଶୀଳନ ମନ୍ଦିର ସଂଦର୍ଶନ ମାତ୍ରେ ତାଠି ଏକ ଆତ୍ମପ୍ରତ୍ୟୟ ସୃଷ୍ଟି କରିଛନ୍ତି, ହଠାତ୍‌ ଏକ ସମାଧାନର ଖିଅ ତା ମୁଣ୍ଡରେ ପଶିଛି-। ରାତିକ ଭିତରେ ‘ଶିଶୁବିଧାତା’ ଧର୍ମପଦ ମନ୍ଦିରର ଦଧିନଉତି ବସେଇଛି, ଶିଳ୍ପୀକୁଳର ମାନଇଜ୍ଜତ ବଞ୍ଚି ଯାଇଛି । କିନ୍ତୁ ପରମୁହୂର୍ତ୍ତରେ ଆଉ ଏକ ଆତଙ୍କର ଇନ୍ଦ୍ରଜାଲ, ଶଙ୍କା, ସଂଶୟ ଘନେଇ ଆସିଛି । ବିଶୁ ମହାରଣା ନିକଟରେ ‘‘ବାରଶହ ଘାତକ’’ଙ୍କ ଲୁବ୍‌ଧ ଆଖି ଠୁଳ ହୋଇଛି ‘‘ଶିଶୁ ଧରମାର ବୁକୁପରେ/ତା ଜୀବନ-ଫୁଲର’’ ଲୁଣ୍ଠନ ନିମନ୍ତେ/ଏବଂ ସେମାନେ ଏକ ଦ୍ୱନ୍ଦିକ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି : ‘‘ବାରଶ ବଢ଼େଇରେ ଦାୟୀ ନା ପୁଅରେ ଦାୟୀ’’ ? ଯାହାର ସମାଧାନ ନିମନ୍ତେ, ଯାହାର ପ୍ରତିକ୍ରିୟା ସ୍ୱରୂପ ଧର୍ମପଦପାଇଁ ଆତ୍ମହତ୍ୟାର ନିଶ୍ଚିତ ରାହା ଦିବାଲୋକ ପରି ସ୍ୱଷ୍ଟ ହୋଇ ଉଠିଛି ।

 

ଅନାସକ୍ତ କୋଣାର୍କ ଆସକ୍ତ ଅନେକ କବିଙ୍କୁ ଆକୃଷ୍ଟ କରିଛି । (୪୦) ‘‘ଲାବଣ୍ୟର ନଷ୍ଟ ଅସ୍ଥିମାଳ/ସୁଷମାର ଖଣ୍ଡିତ କଙ୍କାଳ’’ କୋଣାର୍କ ‘‘ବାରଶତ କବିକଳ୍ପନାରେ’’ ‘‘ଅନନ୍ତ କବିତା ଧାରା ନିହିଲେ ସେ ତୋ ଦେହେ ପରଶି’’ ଏବଂ ପ୍ରସ୍ତରେ ପ୍ରସ୍ତରେ ଉତ୍କୀର୍ଣ୍ଣ ହେଲା ‘ସୁନିହିତ କବିତା ସଂହାର/ହେ ପାଷାଣୀ କବିତା ଝଙ୍କାର’ । ଏହା ହେଉଛି କବି ମାନସିଂହଙ୍କ ଅଭିବ୍ୟକ୍ତି କୋଣାର୍କ ସମ୍ପର୍କରେ । କିନ୍ତୁ ଧର୍ମପଦ ସମ୍ପର୍କରେ ଗୋପବନ୍ଧୁଙ୍କ ଦୃଷ୍ଟିକୋଣ ଭିନ୍ନ । କାବ୍ୟିକ ପ୍ରତିକ୍ରିୟା ବା ଏକ କାବ୍ୟ-ପୁରୁଷ ଭାବେ ଧର୍ମପଦକୁ ଜୀବନ୍ୟାସ ଦେବା ଦିଗରେ ରକ୍ତମାଂସ ଓ ଚର୍ମର ଆଢ଼େଣୀ ଦେଇ ମାନବୀୟ ଦୁର୍ବଳତା, ପ୍ରେମ, ସମ୍ଭୋଗ, ସ୍ୱପ୍ନ, ରାଗ ଓ ଅପୂର୍ଣ୍ଣ ଅଭିଳାଷରେ ମୂହ୍ୟମାନ କରିବାରେ କବି ରବିସିଂ ଓ ରମାକାନ୍ତ ରଥଙ୍କ ସ୍ୱାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ । ଆଦର୍ଶ ଓ ଅଙ୍ଗୀକାରକୁ ବାଦଦେଲେ ଉଭୟେ ଖୁବ୍‌ ପାଖାପାଖି । ରବିସିଂଙ୍କ ମତରେ ଧର୍ମପଦ ଏକ ‘ପ୍ରତିଭାର ପ୍ରେତ’ ଯିଏ କବିଙ୍କ ‘ଚିନ୍ତାର ପୃଷ୍ଠଭୂମିରେ/ବୁଲୁଛି ଭ୍ରମିରେ’ ଏବଂ ସେ ଏକ ‘ଯୁଗ ସନ୍ତ୍ରାସୀ’ ଜ୍ୱଳମାନ ଏକ ‘‘କାଳାନଳ ଶିକ୍ଷା/ଧକ ଧକ ଧକ/ଆପଣା ଇନ୍ଧନେ ଜଳୁଛି....’’ (୪୨) ବାରଶ ଶିଳ୍ପୀଙ୍କୁ କବି ଆକ୍ଷେପ କରି କହନ୍ତି : ‘ଜୀବନ ଫୁଲର ଲୁଣ୍ଠନକାରୀ ଡାକୁ’ ଏବଂ ‘ବାରଶ ଘାତକ’ । ଏ ଘଟଣା ଓଡ଼ିଶାର ଏକ କଳଙ୍କିତ ଅଧ୍ୟାୟ ବୋଲି ବର୍ଣ୍ଣନାକରି କବି ରୋଷରୁଷ୍ଟ ଆବେଗରେ କହନ୍ତି ସିନ୍ଧୁ ଉପକଣ୍ଠରେ ଦଣ୍ଡାୟମାନ କୋଣାର୍କ ମୁଖଶାଳାର ଭୂପତିତ ମୂକ ମୌନ (୪୩) ‘‘ଏ ଶିଳାଖଣ୍ଡ ମୃତସକାଳର ଲିପି/ଜାତିଭାଲପଟେ ଘନ କଳଙ୍କ/ଅଲିଭା ପାଣ୍ଡୁଲିପି । ତା ସତ୍ତ୍ୱେ ଧର୍ମପଦ ଏକ ସ୍ରଷ୍ଟା, ଏକ ପ୍ରତିଭା ଏବଂ ପ୍ରତିନିୟତ ‘‘ନିନ୍ଦାବାଦର ବୃନ୍ଦାବନରେ ପ୍ରତିଭାର ଶେଷରବ ।’’ (୪୪) ତେଣୁ କେତେ ଅକଳନ ପ୍ରତିଭାର ପ୍ରେତ’’ ଚୌଦିଗେ ଘୂରି ବୁଲନ୍ତି ଅଭିଶପ୍ତ ଏ ଭୂଇଁ ପରେ । ଧର୍ମପଦର ଶୋଣିତ ଛିଟାରେ ଉଦୟ ସୂର୍ଯ୍ୟଙ୍କ ସାରା ଦେହ ଲାଲ ହୋଇଯାଇଛି-। ପୂର୍ବାଶାକୂଳେ କବି ପ୍ରତ୍ୟୁଷରେ ରକ୍ତର ପ୍ରଣିପାତ କରିଛନ୍ତି ଏବଂ ‘ଲାଲପାଗୋଡ଼ାର ପ୍ରେତ’ ତାଙ୍କୁ କାଳିସୀ ଲାଗିଛି, ଯୋଉଲାଗି ଏ ଆଗ୍ନେୟ ଲାଭାର ଉଦ୍‌ଗିରଣ । କବିଙ୍କ ଅଭିବ୍ୟକ୍ତି ! ବିଶ୍ୱ ଧ୍ୱଂସ ପାଉ ବରଞ୍ଚ ବିଶ୍ୱକର୍ମା ବଞ୍ଚିଥାଉ, ତା ନହେଲେ, ‘‘ନୂତନ ବିଶ୍ୱ ଜନ୍ମ ଲଭିବ କାହୁଁ ? (୪୫) ସ୍ରଷ୍ଟାତ ନିଶ୍ଚିତ ଭାବେ ସୃଷ୍ଟିଠାରୁ ଗରୀୟାନ । ଜଣେ ଧର୍ମପଦ ବଞ୍ଚିଥିଲେ କେତେ କୋଣାର୍କ ଗଢ଼ିଥାନ୍ତେ । ମୋଟ ଉପରେ ରବିସିଂଙ୍କ ‘ଲାଲପାଗୋଡ଼ାର ପ୍ରେତ’ ଏକ ବିପ୍ଳବ କବିତା, ଏଥିରେ ସମାଜର କର୍ଣ୍ଣଧାର ଓ ଏଷ୍ଟାବିଶମେଣ୍ଟ ବିରୋଧୀ ଉଗ୍ରସ୍ୱର ପ୍ରଚ୍ଛନ୍ନ, ଏବଂ ପ୍ରତ୍ୟକ୍ଷ ସଂଗ୍ରାମର ଆହ୍ୱାନ ନିହିତ-

 

ଧର୍ମପଦ ଏକ ପ୍ରତିଭା ବା ଜିନିୟସ । ଆମ ସାମାଜିକ ବ୍ୟବସ୍ଥାରେ ପ୍ରତିଭାର ବିକାଶ ନିମନ୍ତେ ଆଦୌ ସ୍ଥାନ ନାହିଁ, କେବେ ବି ନଥିଲା । ବରଂ ତା’ ପ୍ରଗତିପଥରେ ଏମିତି ଅନେକ ପ୍ରତିକୂଳ ବ୍ୟବସ୍ଥା ସୃଷ୍ଟି କରାଯାଇ ତା ବିକାଶକୁ ବିଡ଼ମ୍ବିତ କରାଯାଏ । ତା ସକାଶେ ଭ୍ରୁକୁଟୀର ଏତେ ଜଳନ୍ତା ଆଖିସବୁ ଚକ୍ରବ୍ୟୁହ ରଚନା କରନ୍ତି ଯେ ତା’ର ଅକାଳ ମୃତ୍ୟୁଛଡ଼ା ଉପାୟନ୍ତର ରହେନା । ହୁଏତ ଏହା ଏକ ସର୍ବକାଳୀନ ସାର୍ବଜନୀନ ସତ୍ୟ । ନାଟ୍ୟକାର ଜର୍ଜ ବର୍ଣ୍ଣାଡ଼ସ’ଙ୍କ‘ସେଣ୍ଟ ଜୋଆନ’ (୪୬) ନାଟକକୁ ଏ ପ୍ରସଙ୍ଗରେ ଅବତାରଣା କରାଯାଇପାରେ । ଈର୍ଷାକାତର ମନ୍ତ୍ରୀ, ପାରିଷଦ ଓ ସମ୍ଭ୍ରାନ୍ତବର୍ଗ ଶେଷରେ ଅସୀମ ପ୍ରତିଭା ଅଧିକାରିଣୀ ଜୋଆନ୍‌କୁ ସୈତାନୀ (Witch) ବୋଲି ସର୍ବସାଧାରଣରେ ଘୋଷଣା କରିଦେଇ ମୃତ୍ୟୁଦଣ୍ଡ ଦେବାପରି ଧର୍ମପଦର ଅଲୌକିକ ସ୍ଥାପତ୍ୟ ପ୍ରତିଭା ନିକଟରେ ଖର୍ବ ନିଷ୍ପ୍ରଭ ଓ ଲଜ୍ଜିତ ବାରଶହ ‘‘ଲୁଣ୍ଠକଦଳ, ପ୍ରତିଭା ହତ୍ୟାକାରୀ’’ ଓ ଦଲାଲଙ୍କ ମୁଣ୍ଡରେ ସେପରି ଏକ କପଟପୂର୍ଣ୍ଣ-ଦୋହା ବିଶୁମହାରଣାର କାନକୁ ବଧୀର କରି ପକାଇଥିବ । ଏହି ମାରଣାସ୍ତ୍ର ପ୍ରୟୋଗରେ ଶିଳ୍ପୀ ସର୍ଦ୍ଦାର ବିଶୁମହାରଣାକୁ ସେମାନେ ହତଭମ୍ଭ କରିଦେଇଥିବେ । ‘ବାରଶ ଯମର’ ‘ବାରଶ ମରଣ ଆଖି’ ଓ ଉଦ୍ଧତ କରବାଳ ଚୋଟରେ ନିର୍ମମ ଅଟ୍ଟହାସ୍ୟ ଆହତ ବିଦ୍ରୁପରେ ଧର୍ମପଦର ଶିର ଭୁଲୁଣ୍ଠିତ ହୋଇଥିବ, ବିଶୁମହାରଣାର ପିତୃତ୍ୱ ଅସହାୟ କ୍ରନ୍ଦନ ଓ ଅସୀମ ଦୁଃଖ ଦାବାନଳରେ ଜଳିପୋଡ଼ି ନିଃଶେଷ ହୋଇ ଯାଇଥିବ । ସେମାନେ ଜାଣିଛନ୍ତି ନିଶ୍ଚୟ ବିଶୁମହାରଣାର ଜାନୁଭଗ୍ନ କେମିତି କରାଯିବ, ଏକିଲସ୍‌ର ଦୁର୍ବଳତମ ଅବୟବ କିଏ ? ସେମାନେ ଜାଣନ୍ତି ବିଶୁମହାରଣାର ଦୁର୍ବଳତା, ଜାତିଭାଇଙ୍କ ପ୍ରତି ତା’ର ଅକପଟ ଆସକ୍ତି ତଥା ଅହେତୁକ ମୋହ, ଯୋଉଥିପାଇଁ ନିଜ ପୁଅକୁ ବିସର୍ଜନ କରିବାରେ ସେ ପଛଘୁଞ୍ଚା ଦେବନି । ଏଇ ହେଲା ସପ୍ତମହାରଥୀ ତୁଲ୍ୟ ସମାଜପତିମାନଙ୍କର ଅଭିମନ୍ୟୁ ବଧର ଚକ୍ରବ୍ୟୁହ ସଂରଚନର ନକ୍‌ସା ଓ ଆମ ସମାଜବ୍ୟବସ୍ଥା, ଯାହା ବିରୁଦ୍ଧରେ କୋପୀ ଦୁର୍ବାସାପରି ‘ରୋଷର ବହ୍ନି’ ଜାଳନ୍ତି କବି ରବିସିଂ ଏବଂ ଆକଳନ କରନ୍ତି ‘‘ମୃତଧରମାର/କେତେ ଆକଳନ/ପ୍ରତିଭାର ପ୍ରେତ ଚଉଦିଗେ ଘୂରିବୁଲେ’’ ।(୪୭) ଗୋପବନ୍ଧୁ ସମ୍ଭବତଃ ନିଜକୁ ସାମିଲ କରିଦେଇଛନ୍ତି ବିଶୁମହାରଣାର ତଥାକଥିତ ତ୍ୟାଗ ଓ ଆଦର୍ଶର ଝାପ୍‌ସା ଜ୍ୟୋତିରେଖା ମଧ୍ୟରେ । ତେଣୁ ଗୋପବନ୍ଧୁଙ୍କ ଧର୍ମପଦ ରାମଚନ୍ଦ୍ରଙ୍କ ପରି ପିତୃସତ୍ୟସନ୍ଧ ବାଧ୍ୟ ସନ୍ତାନଟିଏ, ଯା ମୁଣ୍ଡରେ ଆଦର୍ଶର ଗଧଟୋପି ପିନ୍ଧେଇ ଦେଇ ସମାଜପତିମାନେ ତାକୁ ଆତ୍ମହତ୍ୟାର ପରୱାନାଟି ଧରେଇ ଦେଇଛନ୍ତି । କିନ୍ତୁ ଗୋପବନ୍ଧୁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ‘‘କର୍ମଣେବାଧିକାରସ୍ତେ ମା ଫଳେଷୁ କଦାଚନ’’କୁ ଦୋହରେ ଧର୍ମପଦ ପ୍ରସଙ୍ଗରେ କହନ୍ତି ମାନବ ଜୀବନ ନୁହଇ କେବଳ ବର୍ଷ, ମାସ, ଦିନ ଦଣ୍ଡ/କର୍ମେ ଜୀଏ ନର କର୍ମ ଏକ ତାର ଜୀବନର ମାନଦଣ୍ଡ’’ । (୪୮) ଲାଲପାଗୋଡ଼ାର ପ୍ରେତ’ରେ ପ୍ରତ୍ୟକ୍ଷ ସଂଗ୍ରାମର ଆହ୍ୱାନ ଅଛି । ଧର୍ମପଦର ଲୋହିତ ଶୋଣିତ ଛିଟାରେ ସୂର୍ଯ୍ୟ ବି ଆରକ୍ତ ହୋଇଛନ୍ତି, ମହାକାଳ ଆହ୍ୱାନ କରିଛି ସେଇ କୁଚକ୍ରୀମାନଙ୍କୁ ସେଇ ଅମରସ୍ରଷ୍ଟାର ଅମର ନିହାଣରେ ରଚିତ ପାଷାଣ କାବ୍ୟ ଲିପିକୁ ଅନ୍ୟଥା ବିଲୋପ କରିବାର ଶକ୍ତି ସେମାନଙ୍କର ଅଛିକି ? କାଜିନଜୁରଲଙ୍କ ପରି ବିପ୍ଳବର ବଜ୍ରନିର୍ଘୋଷ ନିନାଦିତ ହୁଏ ରବିସିଂଙ୍କ କବିତାରେ । ସତ୍ୟ ଦିନେନା ଦିନେ ପ୍ରକଟିତ ହେବ । ତାର କଣ୍ଠରୋଧ କରିବା ଶକ୍ତି କାହାରି ନାହିଁ । ଗୋପବନ୍ଧୁ ବି ତାହା ସ୍ୱୀକାର କରିଛନ୍ତି :‘‘ଲୁଚିରହେ ନାହିଁ ସତ୍ୟ ଚିରଦିନ କାଳେ ତା ହୁଏ ବିବୃତି/ନାହିଁ ଧର୍ମପଦ ଭାଙ୍ଗିଛି ଦେଉଳ ଅଛି ଖାଲି ଜନଶ୍ରୁତି ।’’ (୪୯)

 

ରମାକାନ୍ତଙ୍କ ଧର୍ମପଦ ନିଆରା ଏକ ଚରିତ୍ର । ଧର୍ମପଦ ହୁଏତ ତାଙ୍କପାଇଁ ଏକ ମିଥ୍‌, ଜଣେ ଆଧୁନିକ ମଣିଷ, ଯିଏ ଏକ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ଆମ ଭଳି ସେ ରକ୍ତମାଂସର ମଣିଷ, ଭ୍ରମ, ପ୍ରମାଦ, ଦୋଷଦୁର୍ବଳତା ଅଛି ଆନନ୍ଦ ଓ ପ୍ରେମ ବିଫଳତାରେ ଫେଣ୍ଟାଫେଣ୍ଟି । ତେଣୁ ଜୀବନରେ ସେ ଅନେକ ସ୍ୱପ୍ନ ଦେଖିଛି, ପ୍ରେମ ଗଜଲ ଗାଇଛି, ଆଶା ଆଶାବରୀର ଆଳାପ ଧରିଛି-। ସିଏ ବି ଗୋଟିଏ ଅଣବାପୁଆ ପିଲାପରି ସାଙ୍ଗ ଚାଟମାନଙ୍କ ବିଦ୍ରୂପର ଶରବ୍ୟ ହୋଇ ମାଆ ପାଖରେ ଜିଗର କରିଛି ପିତୃ ପରିଚୟ ନିମନ୍ତେ । ପିତୃ ପରିଚୟ ହୋଇଛି ଚନ୍ଦ୍ରଭାଗାର ସିକତବେଳାରେ ବାରଶ ବଢ଼େଇ ମେଳେ ଯେତେବେଳେ କି ସମସ୍ତେ ଏକ ଆସନ୍ନ ବିପଦରେ ସନ୍ତ୍ରସ୍ତ । ଅପୂର୍ଣ୍ଣ କୋଣାର୍କର ଦଧିନଉତି ବସେଇ ସେମାନଙ୍କୁ ସେ ନିଶ୍ଚିନ୍ତ ମୃତ୍ୟୁମୁଖରୁ ରକ୍ଷା କରିଛି । କ୍ଷଣକପାଇଁ ସମସ୍ତଙ୍କ ‘ବାହାବାହା’ର ଉଚ୍ଛ୍ୱସିତ ପ୍ରଶଂସାରେ ଆତ୍ମହରା ବି ହୋଇଥିବ । କିନ୍ତୁ ତାପାଇଁ ସଫଳତା ଓ ମୃତ୍ୟୁ ହାତ ଧରାଧରି ହୋଇ ଆସିଛନ୍ତି । କୋଣାର୍କର ପରିପୂର୍ଣ୍ଣତା ମାତ୍ରେଇ ଧର୍ମପଦର ସୃଜନଶୀଳ ଆତ୍ମାର ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି, ଖିନ୍‌ଭିନ୍‌ ହୋଇଯାଇଛି ତା କଳ୍ପନା-କମଳ, ତାସୌଖିନୀ ମନ ଉପବନର ସମସ୍ତ ଗୋଲାପ ଜଳିଯାଇଛି, ଅପମୃତ୍ୟୁ ହୋଇଯାଇଛି ତା ପ୍ରେମ, ସ୍ୱପ୍ନ, ପରିଣୟ ଓ ଜୀବନର ସମସ୍ତ ସବୁଜିମାର । ସିନ୍ଧୁ ଉପକଣ୍ଠରେ ପାଷାଣର ଏକ ମହାକାବ୍ୟର ମାଷ୍ଟରପିସ ଆଙ୍କି ସାରିବା ପରେ ସତେ ଯେପରି ସେ ମହାକବିର ମହାନିର୍ବାଣ । ସେ ଅମର ପ୍ରତିଭାର ଜୀବନ ପ୍ରଦୀପଟି, ନିଃଶେଷିତ ହୋଇଯାଇଛି । ଲାଲପାଗୋଡ଼ାର ପ୍ରେତ ପରି ଧର୍ମପଦର ଆତ୍ମହତ୍ୟାରେ ବିପ୍ଳବର ତୀବ୍ର ଆହ୍ୱାନ ନାହିଁ କି ଅନ୍ୟାୟ ଓ ଅସତ୍ୟପାଇଁ ରକ୍ତାକ୍ତ ପ୍ରତିବାଦର ଦୁଆ ଉଠିନି । ଏଠିଅଛି ଶିଳ୍ପୀସୁଲଭ ଦୂରନ୍ତ ଅଭିମାନର ଅଭିଲେଖ, ଅପୂର୍ଣ୍ଣ ପ୍ରୟାସର ମୃଦୁ ଉଦ୍‌ଗିରଣ, ଗଭୀର ମାନସିକ ରୋମନ୍ଥନ ଓ ଅନ୍ତର୍ଦହନର ଆଶାନ୍ତଝଡ଼ । ସୁକାନ୍ତ ଭଟ୍ଟାଚାର୍ଯ୍ୟଙ୍କ କବିତାପରି ବୌଦ୍ଧିକ ବିପ୍ଳବର ଅତି ମନ୍ଥର ଓ ଶୀତଳ ଦାବଦାହର ମୃଦୁଦହନରେ ରମାକାନ୍ତଙ୍କ ‘ଧର୍ମପଦର ଆତ୍ମହତ୍ୟା’ ବେଶ୍‌ ଏକ କଳାତ୍ମକ ସୋପାନକୁ ଉତ୍ତରିତ ହୋଇଯାଇଛି । ଏକ ମୃତ ‘ଚିଲ’ ସମ୍ପର୍କରେ କବିଙ୍କ ଅଭିବ୍ୟକ୍ତି : ‘‘ଅନେକ ଆଜି ନିରାପଦ/ନିରାପଦ ମୂଷାଛୁଆ ଓ ଖାଦ୍ୟ ହାତରେ ଶଙ୍କିତ ପଥିକ/ସେ ନିରାପଦ, କାରଣ ମୃତ ।’’ (୫୦) ମୃତ୍ୟୁ ସମ୍ପର୍କରେ ସୁକାନ୍ତ ଭଟ୍ଟାଚାର୍ଯ୍ୟଙ୍କ ଦୃଷ୍ଟିକୋଣ ରମାକାନ୍ତଙ୍କ ସଙ୍ଗେ ମେଳ ଖାଉଛି । ଶୈଳୀରେ ବି ଉଭୟ ଖୁବ୍‌ ପାଖାପାଖି ଯଦିଓ ଦର୍ଶନରେ ସ୍ୱତନ୍ତ୍ର ସେମାନେ ।

 

ପ୍ରତିଭାକୁ କାହିଁକି କେହି ବରଦାସ୍ତ କରିପାରନ୍ତି ନାହିଁ, କାୟ, ମନ, ବାକ୍ୟରେ, ଗ୍ରହଣ କରିପାରନ୍ତିନି ନିସ୍ତରଙ୍ଗ ଅନ୍ତଃକରଣରେ । ସମାଜ ବହୁ ବ୍ୟଗ୍ରତା ପ୍ରକାଶ କରେ, ଅନେକ ଉତ୍କଣ୍ଠା ପ୍ରଦର୍ଶନ କରେ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କର ସମାଗମ ସକାଶେ । କିନ୍ତୁ ସେମାନଙ୍କ ଭାରା ଆପତ୍ତି, ଓଜର, ଜୋର, ଜୁଲୁମକୁ ସେ ମୋଟେ ସହିପାରେନା । ଠିକ୍‌ ପାଦ ନେବା ମାତ୍ରେ ସେ ସମାଜପତିମାନଙ୍କ ବିଷଦୃଷ୍ଟିରେ ହିଁ ପଡ଼ିଯାଏ ଏବଂ ତା’ ଚଉପାଶେ ସେଇ ସପ୍ତରଥୀମାନଙ୍କ ଚକ୍ରାନ୍ତ ଚକ୍ରବ୍ୟୂହ ବେଢ଼ିଯାଏ । ସତ୍ୟ ଧର୍ମ ଓ ନ୍ୟାୟର ପଥରୋଧ ହୁଏ, ପ୍ରତିଭାର ବିକାଶ ବିଡ଼ମ୍ବିତ ହୁଏ । ସମାଜପତିମାନଙ୍କ ବିଦ୍ରୂପ ଗୁଞ୍ଜରଣରେ ଆହତ, ସେମାନଙ୍କ ଶାଣିତ ତରବାରୀରେ ଶତଧା ବିଦୀର୍ଣ୍ଣ ଶିଳ୍ପୀମାନସ ଅବେଳରେ ଝାଉଁଳି ପଡ଼େ, ମଉଳି ପଡ଼େ ତା’ ସୌଖିନୀ କଳ୍ପବିଳାସ, ଅନେକ ଆକ୍ରମଣରେ ବିଷାକ୍ତ କଣ୍ଟାରେ ବିଦୀର୍ଣ୍ଣ ହୁଏ ତା’ କମନୀୟ ହସ୍ତ, କ୍ଷତାକ୍ତ ହୁଏ ସାରା ଅବୟବ । ଶିଳ୍ପୀମାନସର ଏପରି ଏକ ଗ୍ଳାନି ଓ ବେଦନା ବିଧୂର ପ୍ରତିକ୍ରିୟାରୁ ଜନ୍ମ ନେଇଛି ରମାକାନ୍ତ ରଥଙ୍କ ‘ଧର୍ମପଦର ଆତ୍ମହତ୍ୟା’ । ଧର୍ମପଦ-କବିତାର ପ୍ରଟାଗନିଷ୍ଟ, ଯିଏ ହୁଏତ ନିଜର ଅସୀମ ଆତ୍ମଗ୍ଳାନି ବିଫଳ ଓ ଅପୂର୍ଣ୍ଣ ପ୍ରୟାସର ସ୍ୱରଲିପିକି ବ୍ୟକ୍ତ କରିବା ପ୍ରସଙ୍ଗରେ ଆହତ ଅଭିସଂପାତରେ ଆକ୍ଷେପ କରିଛି ସାଂପ୍ରତିକ ସମୟ, ସମାଜ, ଓ ପାରିପାର୍ଶ୍ୱିକ ପରିସ୍ଥିତିକୁ । କଳ୍ପନାପ୍ରବଣ ଅଭିସଂପାତର ନିଆଁ ଚିହ୍ନିବାରେ ଗୁମୁରି ଉଠିଛି ଏବଂ ନେତିବାଦର ଦୁଆ ଉଠେଇ ସେ ଉଚ୍ଚାରଣ କରିଛି :–

 

‘‘ମଗ୍ନକର ଏ ଚନ୍ଦ୍ରକୁ

ଛିନ୍ନକର ପ୍ରତି ତାରାକୋଳୁ

ଅସ୍ୱୀକାର କର ଏ ରାତ୍ରିକୁ ।’’ (୫୧)

 

ସେ ରାତ୍ରି ଅନ୍ୟାୟ, ଅସତ୍ୟ ଓ ଚକ୍ରାନ୍ତର କାଳରାତି, ଯାହାର ଦୁର୍ଭେଦ୍ୟ ଭ୍ରଷ୍ଟାଚାରୀ ମାୟା ଜାଲରେ ଏମିତି କେତେ ଦୁର୍ଘଟଣା, ଅପମୃତ୍ୟୁ, ହତ୍ୟା ଓ ଆତ୍ମହତ୍ୟା ସଂଘଟିତ ହୋଇଯାଇଛି । ଧର୍ମପଦ ପରି କଳାକାରମାନଙ୍କର ଆଶା ସ୍ୱପ୍ନ, କଳ୍ପନା ଓ ଅଭିଳାଷର ଆଲେଖ୍ୟ ନିଃଶେଷ ହୋଇଯାଇଛି । ହୁଏତ ଏପରି ଏକ ବିଜୟ ରଜନୀରେ ଆଶାର-ମଶିଣାରେ ଶୋଇ ପ୍ରଣୟ ଗଜଲ ଗାଉଥାନ୍ତା । ପ୍ରେମ ବିଚ୍ଛେଦରେ ଜଡ଼ସଡ଼, ଅଶ୍ରୁ ଆନନ୍ଦରେ ଜୁଡ଼ୁବୁଡ଼ୁ ଲୁହ-କୋହର ଆହତ ନିଃଶ୍ୱାସରେ ଫେଣ୍ଟାଫେଣ୍ଟି ପ୍ରେମ୍‌ ବିରହର ବିଶ୍ରମ୍ଭ ଆଳାପ ଧରି ପାରିଥାନ୍ତା ସେ । କିନ୍ତୁ ସେ ନିଜେ ଏମିତି ଅଭିସଂପାତ-ଅନଳ ଧାସରେ ଶିଝି ଦୁନିଆର ଅଗ୍ନିନିର୍ବାପିତ କରିବାର ଦୁର୍ବାରଣପଥ ନେଇଛି । ଜଣେ ଅସମର୍ଥିତ, ତ୍ୟକ୍ତ, ନିଃସଙ୍ଗ ଓ ନିଃସହାୟ ମଣିଷ ପରି ଆତ୍ମହତ୍ୟା କରି ଦୁନିଆର ସବୁ ହଳାହଳକୁ ପିଇ ଅନ୍ୟମାନଙ୍କ ରାସ୍ତା ପରିଷ୍କାର କରିଦେବା ନନ୍ଦନବନର ଆଦ୍ୟ ଅନ୍ତେବାସୀ ଆଦିମ ଓ ‘ଶତରୂପା’ଙ୍କ ଔଦ୍ଧତ୍ୟ ଅବଜ୍ଞା, ମିଥ୍ୟା, ପ୍ରବଞ୍ଚନା ଏବଂ ଈଶ୍ୱରଙ୍କଠାରେ ଅକ୍ଷମଣୀୟ ପାପ, ଅବାଧ୍ୟତାର ଶୋଣିତଧାରା ଉତ୍ତରାଧିକାରୀ ସୂତ୍ରରେ ସମଗ୍ର ମାନବ ସମାଜକୁ ସଂକ୍ରମିତ ଓ କଳୁଷିତ କରିଛି । ମଣିଷ ଆଜି ପାପ, ଅଧର୍ମ ଓ ଅନ୍ୟାୟ ଅଗ୍ନିଘେର ମଧ୍ୟରେ ଅଣନିଃଶ୍ୱାସୀ ହୋଇ ମୁକ୍ତିର ପଥ ସନ୍ଧାନ କରୁଛି, ହାତଟେକି ଚିତ୍କାର କରୁଛି, ଅନ୍ଧାରରେ ଗୁରୁଣ୍ଡି ଗୁରୁଣ୍ଡି ଆଲୋକର ଅନ୍ୱେଷଣ କରୁଛି । ଧର୍ମପଦ ସେ ଅଗ୍ନିକୁଣ୍ଡଳୀ ମଧ୍ୟରେ ଲକ୍ଷ ଫୁଲର ସୁରଭିରେ ଆମୋଦିତ ‘ଆଦାମ’ ଓ ‘ଇଭ’ଙ୍କ ନିଭୃତ ନିଳୟ ନିସର୍ଗ ନନ୍ଦନକୁ ପ୍ରତ୍ୟାବର୍ତ୍ତନର ଇନ୍ଧନ ସଜାଡ଼ିଛି । ତେଣୁ ଏକ ପାରମ୍ପରିକ ପ୍ରତୀକ୍ଷାରେ ସେ ଉଦ୍‌ଗ୍ରୀବ, ଯୋଥିପାଇଁ କେଇ ଖଣ୍ଡି ବାଉଁଶରେ ବନ୍ଧା ହୁଲି କୋକେଇଟିଏ, ଯହିଁରେ ପାଞ୍ଚ ଛଅଫୁଟର ଦେହଟାକୁ ବେଶ ନିରାପଦରେ ଛାଡ଼ିହେବ ଯିମିତି ‘‘ସାପବି ଗୋଟିଏ ଶେଯ, ବରଂ ବେଶୀ ନିରାପଦ’’। (୫୨) ଏବଂ ପରିଶେଷରେ ‘‘ରାମନାମ ସତ୍ୟ’’ର ବାଗାଡ଼ମ୍ବର ପହେଳି, ଲୌକିକ ମୁକ୍ତି ଓ ସଦ୍‌ଗତି ସକାଶେ କିଛି ସ୍ତବ, ସ୍ତୋତ୍ର ଆଉ ମହାମନ୍ତ୍ର ।

 

ଧର୍ମପଦର ଦୃଷ୍ଟି ବିସ୍ଫାରିତ ହୋଇଛି କୋଣାର୍କର ପାଷାଣୀ ବିଗ୍ରହ ଆଡ଼େ–ଯେଉଁ ଶାଳଭଂଜିକା, ଯାହାର ଛାତିରେ ଏକ କଳାଛାଇର ପ୍ରତିଫଳନ ତହିଁରେ ନିବଦ୍ଧ । ହୁଏତ ସେ ଛାୟା ଭୌତିକ କି କୌଣସି ପାର୍ଥିବ ସତ୍ତାଦ୍ୱାରା ସମର୍ଥିତ ସେ ନେଇ ସନ୍ଦେହର ଘନାବର୍ତ୍ତ । ସାଂପ୍ରତିକ ସମୟ ପରିପ୍ରେକ୍ଷୀରେ ସେ ନିଜ ଭିତରେ ଓ ଅଶରୀରୀ ପ୍ରେତ ମଧ୍ୟରେ କିଛି ତଫାତ୍‌ ବାରିପାରେନା । କବିଙ୍କ ମତରେ ରକ୍ତ ମାଂସରେ ସ୍ଥୂଳଦେହୀ ଧର୍ମପଦ ଓ ପାଷାଣଦେହା ନର୍ତ୍ତକୀ ଉଭୟ ଏକ ଚେତନାକୁ ସମ୍ଭୂତ ।

 

‘‘ସେ ଏକ ଚେତନା ଯା’ର ରୂପ ଏଇ ଶିଳାର ନର୍ତ୍ତକୀ

ମୁଁ ଏକ ଚେତନା ଯାହା ବସ୍ତୁ ହୋଇ ଘେନିଚି ଜୀବନ ।’’(୫୩)

 

ଏବଂ ଉଭୟ ଚେତନାର ସଂଶ୍ରବର ସେତୁ ଓ ସମନ୍ୱୟର ଦଧିନଉତି ସଂଯୋଜିତ । ହୁଏତ ଶିଳାର ନର୍ତ୍ତକୀ ଏକ ନିଷ୍ଠା, ଏକାଗ୍ରତା ଓ ପରାକାଷ୍ଠାର ସମନ୍ୱୟ, ଏକ ସୃଜନୀଶୀଳ ଶିଳ୍ପୀ ମାନସର ଭାବାତୀତ ଆବେଗ ଓ କଳ୍ପନାବିଳାସରୁ ପ୍ରସୂତ, ଯାହା ନିର୍ଜୀବ ପାଷାଣ ବୁକୁରେ ଜୀବନସଂଚାର କରିବା ଖୁବ୍‌ବଡ଼କଥା ନୁହେଁ । ଆଉ ଧର୍ମପଦ ଯିଏ ଏବେ ସ୍ରଷ୍ଟାଭାବେ ଉତ୍ତୀର୍ଣ୍ଣ ଏକ ଅତିନ୍ଦ୍ରୀୟ ଚେତନା, ଅଫୁରନ୍ତ ଉଲ୍ଲାସ ଓ ଆନନ୍ଦାତିଶୟ ଭାବାତୀତ ଯୁଗନ୍ନଧ ବିଳାସିତାରୁ ସମ୍ଭୂତ । ସେ ସ୍ଥପତି ହୁଅନ୍ତୁ ବା ଦେହର କାନ୍‌ଭାସରେ ରକ୍ତମାଂସର ରଙ୍ଗନେଇ ଚିତ୍ର ଆଙ୍କିବା ପ୍ରକଳ୍ପରେ ପ୍ରୟାସୀ ନରନାରୀ ହୁଅନ୍ତୁ ପ୍ରତ୍ୟେକ ଏକ ଶିଳ୍ପୀସୁଲଭ ନିବିଡ଼ ଅନୁରାଗ ତଥା ସାତ୍ତ୍ୱିକ ଉଲ୍ଲାସରେ ସୃଷ୍ଟିର ନକ୍‌ସା ଟାଣନ୍ତି । ତେଣୁ ସ୍ରଷ୍ଟା ସାମ୍ନାରେ ସୃଷ୍ଟିର ବିଲୟ ବା ବିନାଶ ଯେ କେତେ କରୁଣ, ମର୍ମନ୍ତୁଦ ତା’ର ପ୍ରତିଫଳନ ‘ଅନନ୍ତଶୟନ’ରେ ପରିସ୍ଫୁଟ ।

 

‘‘ହେ ମୋର ମାଂସର ମାଂସ ଅସ୍ଥି ମୋର ନିଜର ଅସ୍ଥିର

ମୁଁ ନୁହେଁ, ତମେ ହିଁ ଆଜି ହଜିଗଲ । ଶ୍ୱାସ ଶୁଭେ ଶଙ୍ଖ ଶବ୍ଦ ପରି

‘‘ଓ ମୋ ମୃତ୍ୟୁର ଫାଙ୍କା ଦର୍ପଣରେ ଦିଶେ ମୃତ୍ୟୁ କେବଳ ତୁମରି ।

x x x

ନାଲି ମନ୍ଦାରର ମାଳେ ତମେ ଚାଲ ଦକ୍ଷିଣ ଦିଗକୁ

ମଇଁଷି ପିଠିରେ ଚଢ଼ି । ମୁଁ କାନ୍ଦୁଛି ତମ ମେଲାଣିରେ ।

ଏ ଆମର ଶେଷଦେଖା ସରିଗଲା ସମ୍ପର୍କ ଏଠାରେ ।’’ (୫୪)

 

‘ଧର୍ମପଦର ଆତ୍ମହତ୍ୟା’ ଓ ‘ଅନନ୍ତ ଶୟନ’ ମଧ୍ୟରେ ଏକ ଅଭୂତ ନିରବଚ୍ଛିନ୍ନ ସଂଯୋଗ ରହିଛି । ଉଭୟ କବିତାର ପରିଣତି ଟ୍ରୀଜେଡ଼ୀ ଓ ଅନ୍ତଃସ୍ୱରରେ ଏକ ଯନ୍ତ୍ରଣାଦଗ୍‌ଧ ସ୍ରଷ୍ଟାମାନସର ଅପୂର୍ଣ୍ଣପ୍ରୟାସ ଓ ବ୍ୟର୍ଥ ହତାଶାଗ୍ନିରେ ପ୍ରଜ୍ୱଳିତ ଏବଂ ବିଦ୍ରୂପ ସ୍ଫୁଲିଙ୍ଗରେ ବିଦୀର୍ଣ୍ଣ ହୋଇଅଛି । ଶିଳ୍ପୀର ସୌଖିନୀମନ, ତା କୋମଳ କଳ୍ପନାବଳୟ ଓ ସର୍ବୋପରି ସ୍ରଷ୍ଟାର ଅନ୍ତିମ ସ୍ୱପ୍ନ ନୈରାଶ୍ୟ ନିଆଁରେ ଜଳିପୋଡ଼ି ନିଶ୍ଚିହ୍ନ ହୋଇଯାଇଛି ମହାଳର ଫୁତ୍କାରରେ । ‘‘ମଧ୍ୟାହ୍ନ ସମୟ ଏକ ଅମର ରାକ୍ଷସ’’ ପରି ‘‘ଏକମାତ୍ର ଗତିଶୀଳ ତମ ଫଟୋଗ୍ରାଫ’’ରୁ ନିର୍ଗତ ଉଷ୍ମ ନିଃଶ୍ୱାସକୁ ଲୁଟି ନେଲା ଏବଂ ‘‘ଯନ୍ତ୍ରଣା ଯଥେଷ୍ଟ ଦେଲା ।’’ ସମୟ ‘‘କେତେବେଳେ କୃପଣ ତ କେତେବେଳେ ବିଭୀଷିକାମୟ ।’’ (୫୪) ସେଇ ସମୟର ବିବର୍ତ୍ତନ ଦର୍ପଣରେ ବି କବି ଦେଖନ୍ତି ନିଜର ପ୍ରତିକୃତି : ‘‘ମୁଁ ଦେଖିବି ମୋ ସମୟ ବସିଅଛି ଆତତାୟୀ ପରି/ମୋ ବାଟକୁ ଚାହିଁ ତମ ଛବି ଅଙ୍କଫାର୍ଶା ହାତେ ଧରି ।’’ (୫୫) ସମୟ ଆତତାୟୀ ହାତରେ ଛବି ଆଙ୍କିବାର ଫାର୍ଶା-ଚମତ୍କାର ଏକ ପ୍ରତୀକ ଏବଂ ସେ ସମୟ ପରିଧିରେ ‘‘ମୃତ୍ୟୁ ଘଣ୍ଟାଘଣ୍ଟା ଶୂନ୍ୟ ଅପେକ୍ଷାରେ’’ ଥାଏ, ଚାରିଆଡ଼ ଅସ୍ପଷ୍ଟ ଦିଶେ, ସବୁ ଶୂନଶାନ-ସଡ଼କ ବଜାର, ‘‘ଶୂନ୍ୟଦିନ, ଶୂନ୍ୟରାତି’’–ବହଳ ଅନ୍ଧାରୀ କେବଳ ‘‘ନିଛାଟିଆ ଷ୍ଟେସନରେ ଟ୍ରେନ ଚାଲିଯିବାର ଆବାଜ’’ । (୫୬) ଜୀବନ-ନର୍ତ୍ତକୀ ଅପସରିଯାଏ ପର୍ଦ୍ଦାରୁ, ଶୁଭେନି ତା’ ଘୂଙ୍ଗୂରର ଧ୍ୱନି, ଦେଖଣାହାରୀଏ ଅଧୈର୍ଯ୍ୟ ଅସ୍ଥିର ବିଦାୟ ଜ୍ଞାପନ କରନ୍ତି । ଆଉ ଏକ ଦୃଶ୍ୟପଟରେ ଛିଣ୍ଡାଲୁଗା ପରିହିତ ସନ୍ନ୍ୟାସୀ ବେଶରେ ଭାଗ୍ୟ ‘‘ସର୍ବଦା ଜଗିଛି ମୋ ବାଟ/ସୋ ସଂକ୍ଷିପ୍ତ ସୁଡ଼ଙ୍ଗର ଅନ୍ଧାର ମୁହଁରେ ।’’ (୫୭) ସେଇ ସମୟର ନିର୍ମମ-ରଥ-ଚକତଳେ ଚାପି ହେଉଛନ୍ତି କେତେ ଧର୍ମପଦ ଏବଂ ଅନନ୍ତଶୟନର ମୃତ ବତ୍ସାମାନେ, ରାଧାଙ୍କପରି ପ୍ରେମ କାଙ୍ଗାଳିନୀ ବିରହିଣୀମାନେ । ଏ ଟ୍ରାଜେଡ଼ୀ ପ୍ରକୃତିକୃତ ନହେଁ ବରଂ କୃତ୍ରିମ, ଚରିତ୍ରମାନଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାର ଅସତର୍କ ପରିଣତି, ଯାହାକୁ F. S. Lucas କହନ୍ତି “unexpected catastrophe resulting from a deed unwillingly done.” (୫୮) ଭାଗ୍ୟର ଭୂମିକା ଏଠି ଏତେ ସ୍ପଷ୍ଟ ନୁହେଁ । ‘Irony of action’ ରୂପ ନିଏ କୁଟୀଳ ସମାଜପତିମାନଙ୍କର ନିଜ ସ୍ଥିତି ଦୃଢ଼ କରିବାର ଦୁର୍ବାର ପ୍ରୟାସ ଓ ପାରିପାର୍ଶ୍ୱିକ ସମାଜର କୁଟୀଳ ଓ ନିର୍ମମ ବ୍ୟବସ୍ଥାଦି । ତେଣୁ ଏ ଅପୂର୍ଣ୍ଣ କ୍ଷତିର କାରଣ ରୂପେ ନିଜେ ବିଶୁମହାରଣା ଓ ‘ଅନନ୍ତ ଶୟନ’ର କାବ୍ୟପୁରୁଷ ମୁଖ୍ୟ ଆସାମୀ । କାରଣ ପ୍ରଚଳିତ ସଭ୍ୟ ସମାଜର ଜଣେ ରୁଚିଶୀଳ, ଅଗ୍ରଗାମୀ ନାଗରିକ ଭାବେ ସେମାନଙ୍କ ଜଘନ୍ୟ କାର୍ଯ୍ୟକଳାପ ହିଁ ସେମାନଙ୍କ ଉତ୍ପାଦନ-ଶୀଳତାର ପଥରୋଧ କରିଛି ସେମାନଙ୍କ ହାତଗଢ଼ା ସୃଷ୍ଟିକୁ ନିଶ୍ଚିତ ମରଣ ମୂହଁକୁ ଠେଲି ଦେଇଛି ହୁଏତ ଏକ ଫମ୍ପା ଆଦର୍ଶବାଦ ନତୁବା ସାମାନ୍ୟ ମାନସିକ ଅସ୍ଥିରତା ହେତୁ । ସେଥି ସକାଶେ ନିଜ ନିଜକୁ ଦାୟୀ କରି ସେ ପ୍ରଚଣ୍ଡ କ୍ଷୋଭ ଓ ବିମର୍ଷରେ କହନ୍ତି : ‘‘ତ୍ରିକୋଣାକାରର ଗୋଟେ ଗଧଟୋପି ପାଳିବାକୁ ଜୁବୁଲି କ୍ଷତିର ।’’ ତଥାପି ସେ ସମୟକୁ ଧରିରଖିବା ଲାଗି କବିଙ୍କର ଦୂରନ୍ତ ପ୍ରୟାସ । କାରଣ ସେଠିଥିଲା ତାଙ୍କ ପୌରୁଷର ଚାବିକାଠି ‘‘ସବୁଋତୁ, ତମର ଜଙ୍ଘରେ/ପଳାତକ ସମୟର ବିଷ ।’’ ପୁଣି ସେ ସମୟ, ‘‘ଏକାଧାରରେ ସନ୍ତୁଷ୍ଟ ଓ ଭୀଷଣ ଭୋକିଲା’’ ଏବଂ ଯାହାର ‘‘ହସ ଶୁଭେ ଘଡ଼ଘଡ଼ି ଶବ୍ଦ ପରି’’ (୫୯) ସେ ସମୟର ଆଖିରେ, ଓଠରେ ଓ ସାରା ଦେହରେ ଶେଷ ଅସରନ୍ତି ଦିନମାନଙ୍କର ଚିତ୍ରିତ ଚାଦର । ସମୟ ଅପେକ୍ଷା କରୁଥିବା ‘‘ମୋପାଇଁ ଉଦ୍ଦିଷ୍ଟ ଏକ ଚକଚକ ଫାର୍ଶାର ଇସ୍ପାତେ’’ (୬୦) ତା’ର ଅଟ୍ଟହାସ୍ୟ ଶୁଭୁଥିବ, ଜୀବନ ଦର୍ପଣରେ ଶେଷ ଭବିଷ୍ୟତର ନିଚ୍ଛକ ପ୍ରତିଫଳନ ଘଟିଥିବ । ସେ ସମୟ ବଡ଼ କୃପଣ, ଯଦିଓ ଅନେକ ଥର ନିଶାର୍ଦ୍ଧରେ ସେ ଅନେକ ରୂପରେ ଆସେ ଏବଂ ବଡ଼ ନିଷ୍ଠୁର ଭାବେ ରୋକ୍‌ଠୋକ୍‌ ‘‘ମନା କରିଦେଲା ଆଉ ଏକ ଚନ୍ଦ୍ର ପକ୍ଷ ରାତି’’; ବରଂ ଟାଣିନେଲା ‘‘ବାୟୁଶୁନ୍ୟ ଶଙ୍ଖମଲମଲ ପିଣ୍ଡାରେ ଅଦୃଶ ଏକ ବିଚାରକ ଠାକୁ’’ । (୬୧) ସେଠି କେବଳ ଦେଖିହେବ ଗଦାଗଦା ‘‘ପ୍ରାଚୀନ କାମନାମାନଙ୍କର ଉଲ୍ଲସିତ ପ୍ରସ୍ତପ୍ରସ୍ତ ସରଳ ଯୌବନକୁ ’’।

 

ସେ ସମୟ ଚାଲିଯିବା ପରେ ସବୁ ଆୟତ୍ତାଧୀନ ହୋଇଯାଏ, ସବୁ ସହଜ ଲାଗେ; ଏପରିକି ମୃତ୍ୟୁବି ଶାନ୍ତ ସରଳ ଜଣାପଡ଼େ : ‘‘ଅନ୍ୟ କେତେ କାମ ପରି ମୃତ୍ୟୁ ଏକ କାମ’’ ତେଣୁ, ‘‘ତମେ ଚାଲିଯିବା ପରେ ଆଉ କିଛି ଯାଏ ଆସେ ନାହିଁ ’’ (୬୨) ସେଠି ଏପରି ଏକ ସମୟର ପରିପୃକ୍ତ ଚରମ ସୋପାନ ବିଦ୍ୟମାନ, ଯୋଉଠି ‘‘ଜୀବନ ପରେ ମୃତ୍ୟୁ ନାହିଁ କିମ୍ବା ମୃତ୍ୟୁ ପରେ ପ୍ରାୟଶ୍ଚିତ ନାହିଁ’’ ସବୁ ଏକାକାର ସେ କାଳାର୍ଣ୍ଣବରେ ଏବଂ ତା’ର ଅନ୍ତିମ ଅବସ୍ଥାରେ : ‘‘କିଛି ନଥିବ, କେବଳ ଥିବ ଅମାପ ଅଂଧାର’’ ଯାହାକୁ ରାଧା କହନ୍ତି ଯାହାର ସମୁଦ୍ର ପରି ‘‘ତଳ ନାହିଁ, ଉପକୂଳ ନାହିଁ; ଯୋଉଠି ମରିବା ଜୀଇଁବା ଏକାକଥା ଏବଂ ସତ୍ୟାସତ୍ୟର ବିଭେଦ ବାରି ହୁଏନା । ପୁନଶ୍ଚ ରାଧା କହନ୍ତି ‘‘ପ୍ରିୟତମ ମୁଁ ଜାଣିଛି ତମ ସମୟର ମାନେ କ’ଣ’’ । (୬୩) ସେ ତାକୁ କୃଷ୍ଣଙ୍କ ବିବର୍ତ୍ତନ ସଙ୍ଗେ ତୁଳନା କରନ୍ତି, ଯାହା କ୍ରମେ, କୃଷ୍ଣବର୍ଣ୍ଣ ହୋଇଯିବ/ତାପରେ ଅଦୃଶ ହେବ ନିରାକାର ହେବ’’ ଏବଂ ଯେତେ ନିରେଖିଲେ ବି, ତମ କଟାକ୍ଷ ଓ ହସ ନଦିଶିବ ’’। (୬୪) ଏହା ଏକ ଅଣାକାର ଚେତନାର ଉପଲବ୍‌ଧି; ରମାକାନ୍ତଙ୍କ ସମୟର ସ୍ୱରୂପ, ଯାହା ତାଙ୍କ କାବ୍ୟସତ୍ତାକୁ ନିୟନ୍ତ୍ରଣ କରେ ।

 

‘ଅନନ୍ତ ଶୟନ’ର କାବ୍ୟପୁରୁଷ ଓ ଅନ୍ତର୍ଦହନରେ, ଗ୍ଳାନି ଓ ବିଫଳ ପ୍ରୟାସରେ ଜୀବନପ୍ରତି ଏକ ଶ୍ଳେଷ ଓ ଉଦାସ ଦୃଷ୍ଟିଭଙ୍ଗୀର ଅଦ୍ଭୁତ ମେଳ ଅଛି । ଉଭୟ କବିତାର ଅନ୍ତିମ ପରିଣତି ରମାକାନ୍ତଙ୍କ କାବ୍ୟତତ୍ତ୍ୱକୁ ପ୍ରତିଫଳନ କରୁଛି । ‘ଅନନ୍ତ ଶୟନ’ର କାବ୍ୟ-ପୁରୁଷ ଆତ୍ମଧିକ୍‌କାର ଓ ଧର୍ମପଦର ଆତ୍ମଦହନରେ ଯେଉଁ ସ୍ୱାଭିମାନ, ଦମ୍ଭ ଅହଂକାର ଓ ଆସ୍ପର୍ଦ୍ଧାଦିର ଯେପରି ଶୋଚନୀୟ ପରିସମାପ୍ତି ଘଟିଛି, ରାଧାଙ୍କର ଆହୁରି ତୀବ୍ର ଭାବେ ସେ ସବୁର ବିଲୟ ହୋଇଛି । ରାଧା ବି ନିଜ ଜୀବନ ବୃତ୍ତାନ୍ତ ଖୋଜି ପାଇ ନାହାନ୍ତି ମୃତ୍ୟୁର ଅଣାକାର ଶୂନ୍ୟ ପରିଧିରେ, ଯେଉଁଠି ବିଭେଦ, ବ୍ୟବଧାନ କିଛି ନାହିଁ କେହି ନାହାନ୍ତି ସେ ମହାଶୂନ୍ୟରେ । ପ୍ରକୃତିପକ୍ଷେ ‘ଅନନ୍ତ ଶୟନ’ ଓ ଧର୍ମପଦର ଆତ୍ମହତ୍ୟାର ନାଭିକେନ୍ଦ୍ର ହେଉଛି ‘ଶ୍ରୀରାଧା’, ଯାହାର ପରିପୂରକ ରୂପେ ରମାକାନ୍ତ ରଥଙ୍କ କାବ୍ୟ-ଚେତନା ଏକ ଉତ୍ତୀର୍ଣ୍ଣ ସୋପାନରେ ପଦାର୍ପଣ କରିଛି-। ତେଣୁ ଉପର୍ଯ୍ୟୁକ୍ତ କବିତାତ୍ରୟ ଆପାତଃ ଅସଂହତ ଜଣା ଗଲେ ହେଁ ନିବିଡ଼ ଭାବେ ସଂଯୋଜିତ । ତେବେ ଆତ୍ମହତ୍ୟା କଣ ଧର୍ମପଦ ପାଇଁ ଏକମାତ୍ର ନିଶ୍ଚିତ ରାହା ଥିଲା ? କହିବା କଷ୍ଟକର ନିଶ୍ଚୟ-। ତଥାପି ଚରମ ଦୁଃଖ ଦୁର୍ଦ୍ଦିନରେ ବି ସୃଷ୍ଟିର ବିବର୍ଣ୍ଣ ସ୍ପଷ୍ଟ ମୁହଁ ଝଲସା ଦେଖାହୁଏ । କିନ୍ତୁ ସେତେବେଳକୁ ସମାଜ କ୍ଳୀବତ୍ୱ ବା ବନ୍ଧ୍ୟାତ୍ୱ ବ୍ୟାଧୀରେ ତ୍ରିକୋଣାକାର ନାଲି ପରାଓ୍ୱାନା ଓ ସବୁଜ ପତ୍ରିକାର ନାମାବଳୀ ସାରା ଦେହକୁ ଆଚ୍ଛାଦିଥିବ । ବିରୁଦ୍ଧାଚରଣ ପୂର୍ବକ ଗ୍ରୀନକାର୍ଡ଼ ପ୍ରଲୋଭନରେ ସୃଜନଶୀଳ ମାନବାତ୍ମାର ନିର୍ମମ କୃତ୍ରିମ ଆସ୍ତ୍ରୋପଚାରର କରୁଣ ପରିଣତି ଆମ ସମୟ ଓ ଦୁନିଆରେ ଏକ କ୍ରୂର ଓ କୁତ୍ସିତ ବିଧାନ । ଏମିତି ଅନେକ ‘ମୃତବତ୍ସାଙ୍କ ଜନନୀ, ଯାହାଙ୍କ ଦେହ ଏବେବି ତୋଫା ଗଙ୍ଗଶିଉଳି ପରି ସତେଜ ଓ ଏବେବି ରାତିରେ ‘‘ଅସ୍ପଷ୍ଟ ପାହାଡ଼ ତଳେ ଦପ୍‌ ଦପ୍‌ ଜଳିବା ନିଆଁର/ନିମନ୍ତ୍ରଣ ତମ ଦେହେ/ଖରା ଘଣ୍ଟାରେ/ଏବେ ବି ହୋଇନି ସନ୍ଧ୍ୟା’’ (୬୫) ସୃଜନ ବିଳାପରେ ଦିଗ ଫଟାଉଛନ୍ତି । ଫଟାଭୂଇଁକି ଚାହିଁ ନିର୍ମୋଘ ଆକାଶ ହତାଶ ନିଃଶ୍ୱାସ ଛାଡ଼ୁଛି । ‘‘ମୋ ବାର୍ଦ୍ଧକ୍ୟ କାନ୍ଦୂଅଛି ଶୁନ୍‌ଶାନ୍‌ ମଧ୍ୟରାତ୍ରି ତଳେ ।’’ ଏଇ ହେଲା ସ୍ରଷ୍ଟା ବା ଶିଳ୍ପୀର ବିଳାପ, ତା ଭାଗ୍ୟ ବିପର୍ଯୟ ଓ ନିର୍ମମ ନିର୍ବାସନ, ମାନବିକତା ପ୍ରତି ଏବଂ ଅପରିଣାମଦର୍ଶୀ ମଣିଷର ପାଶବିକତା ପ୍ରତି ନିୟତୀର କ୍ରୂର ଉପହାସ । ଶିଳ୍ପୀପାଇଁ ସବୁଠୁଁ ବଡ଼ ଦୁଃଖ, ସବୁଠୁଁ ଗୁରୁତର ଦଣ୍ଡ ହେଉଛି ତାକୁ ତା ପ୍ରବୃତ୍ତିରୁ ବଞ୍ଚିତ କରିବା, ତା ପ୍ରତିଭା ବିକାଶରେ ଅନ୍ତରାୟ ହେବା-। ତେଣୁ ଧର୍ମପଦ ଆତ୍ମହତ୍ୟାର ନିଶ୍ଚିତ ପଥ ବାଛି ନେଇଛି ଏବଂ ଅନନ୍ତଶୟନର କାବ୍ୟପୁରୁଷ ନିଜକୁ ବଡ଼ ନିଃସହାୟ ମଣି କହିଛନ୍ତି : ଆମର କାଗଜ ଡଙ୍ଗା ବର୍ଷାପାଣି ସ୍ରୋତେ ଭାସିଯାଏ । ଆମର ଏକାଠି ହେବା ସେହିପରି ଭାସିଯାଏ ।’’ (୬୬) ଏବଂ ତା ପରର ପରିଣତି ଅତି କରୁଣ : ‘‘ତମେ ଖାଲି ନାଚିଚ ରାତିର ଅନ୍ଧାରେ ଓ ମୁଁ ଅନ୍ଧ ଥିବାବେଳେ’’ । ଶିଳ୍ପୀର ଏକାନ୍ତ ଅସହାୟତା, ମହାକାଳ ସାମ୍ନାରେ ଆମେ କେଡ଼େ ନିଃସଙ୍ଗ, କେତେ ଦୁର୍ବଳ ସତେ ! ଆମର ନିଜସ୍ୱ ସ୍ଥିତି ନଥାଏ ସେଠି : ‘‘ତା ହେଲେ ତମେ ତମେ ନୁହଁ, ମୁଁ ବି ମୁଁ ନୁହଁ, ତାହା ଖାଲି ନାଚ ।’’ ନିୟତୀର ନିର୍ଦ୍ଦେଶ ପାଳନ ହିଁ ସବୁଠୁଁ ବଡ଼ ସତ୍ୟ । ‘ଅନ୍ୟ ଏକ ଅହଲ୍ୟା ସଂବାଦ’ରେ କବି ଯଦୁନାଥଦାଶ ମହାପାତ୍ର ତାଙ୍କ ନିଃସହାୟ ଅବସ୍ଥାର ଚିତ୍ର ଆଙ୍କିଛନ୍ତି : ‘‘ଆମେ ନିଖୋଜ ହୋଇ ଯାଇଚେ ରଙ୍ଗହୀନ ଅନ୍ଧାର ଭିତରେ/ଆମ ମନର ଭୂତମାନଙ୍କର ଉଲଗ୍ନ ନାଚ ଦେଖି ଦେଖି ଆମେ ସୃଷ୍ଟି କରିଚେ/ଆମପାଇଁ ଆଲୋକ ଶୂନ୍ୟ ଗୁମ୍ଫାଟିଏ/ଓ ସେଇ ଆମ ଜଗତ ।’’ (୬୭) ଏଇ ଅସହାୟ ବିକଳ ଅବସ୍ଥାକୁ ଦେଖି ଟେନିସନ୍‌ ଗାଇଥିଲେ ଠିକ୍‌ ଏକ ଅସହାୟ ଶିଶୁ ଭଳି : (୬୮) ‘‘A child in the night/crying for the light’’ ତେଣୁ ଏ ଅସହାୟ, ଅନ୍ତରୀଣ ଦମ୍ପତି କେବଳ ସେଇ ନିର୍ଦ୍ଦେଶ ପାଳନ ଲାଗି ଅଭିପ୍ରେତ । ସବୁ ମିଛ, ନାଚହିଁ ସତ । ସେ ନାଚ ଦେବଳ ସେଇମାନଙ୍କ ମଧ୍ୟରେ ସୀମାବଦ୍ଧ ଏବଂ (୬୯) ‘ମାପିବାକୁ ନିଜକୁ ଓ ପରସ୍ପରେ ଛାଇର ନିକ୍ତିରେ’ । ସ୍ମୃତିର ଝାପ୍‌ସା ବାରଣ୍ଡା ଗାଢ଼ ଅନ୍ଧାର ବୁକୁରେ, ଯୋଉଠି ଶୂନ୍ୟ ବର୍ତ୍ତ୍ମସବୁ ପରିପୂର୍ଣ୍ଣ ନିଶ୍ଚୁପ ନିର୍ବାକ ଶିଳ୍ପୀମାନେ ନିଜ ନିଜର ପ୍ରଶସ୍ତ ଓ ପ୍ରାଞ୍ଜଳ ଦୁଃଖରେ ବି ସୃଷ୍ଟିର ବିଷର୍ଣ୍ଣ ଅଥଚ ପରିଷ୍କାର ମୁହଁ ଝଲ୍‌ସା ଦେଖି ପାରୁଛନ୍ତି : କ୍ଳୀବତ୍ୱ ଓ ବନ୍ଧ୍ୟାତ୍ୱ ବ୍ୟାଧିରେ, ସେତେବେଳେ ସମାଜ ସେମାନଙ୍କୁ ‘‘ଉଲ୍ଲୁର ତ୍ରିକୋଣାକାର ଗଧଟୋପି’’ (୭୦) ବା ସବୁଜ ପତ୍ରିକାର ନାମାବଳୀ ଦେଇଥାଏ । ମୁଣ୍ଡର ମସଲା କିଛି ଯଦି ବିନିର୍ବ୍ୟୟ କରିହେବ, କିଛି ସମାଧାନର କୁଟାଖିଅ ଧରିହେବ, ସେଇ ଛଟପଟ ଅବସ୍ଥା, ଗଳଦ୍‌ଘର୍ମ ରକ୍ତାକ୍ତ ସଂଗ୍ରାମର ଉପଶାନ୍ତି ପାଇଁ ।

 

ଧର୍ମପଦ ତେଣୁ ଆଶାର ଆଶାବାରୀ ବା ବାଦଶାହୀ ଗଜଲର ଆଳାପ ଧରିବା ଲାଗି ମୋଟେ ପସନ୍ଦ କରିନାହିଁ । କଳ୍ପନାର ମଶାଣିରେ ଶୋଇ ନିରାନନ୍ଦ ଜୀବନର ଦୁଃସହ ଦୁଃଖ ଯାତନାକୁ ବିସ୍ମୃତ ହେବାର ପଦ୍ମଭୁକ୍‌ ପ୍ରୟାସ ତା’ର ନାହିଁ । ସେ ଚାହିଁଚି ସ୍ୱପ୍ନର ବତୀସବୁ ସୂର୍ଯ୍ୟର ନିଃଶ୍ୱାସରେ ଜଳିପୋଡ଼ି ନିଃଶେଷ ହେଇଯାନ୍ତୁ । ଚନ୍ଦ୍ରର ଲୁହରେ ସବୁଜ ଭ୍ରୁଣମାନେ ଆର୍ଦ୍ର ହେଇଯାନ୍ତୁ, ବାୟୁର କ୍ରନ୍ଦନରେ ଆକାଶ ପ୍ରକମ୍ପିତ ହେଉ । କାରଣ, ଯୋଉଠି କେବଳ ରାତିର ଅନ୍ଧାରରେ ନାଚିବାକୁ ବାଧ୍ୟ କରାଯାଏ, ଯେତେବେଳେ କି ନୃତ୍ୟସଙ୍ଗୀ ଆଖିରେ ଅନ୍ଧପଟି, ସେ ନାଚରେ ଆନନ୍ଦ ଅପେକ୍ଷା ବିଷାଦ ବେଶୀ । ତେଣୁ ଏସବୁ ଜାଗତିକ ଦୁଃଖ, ଦୁର୍ଦ୍ଦଶା, ଏ ଛନ୍ଦ ବନ୍ଧରୁ ମୁକୁଳିବାକୁ ହେଲେ ଆତ୍ମହତ୍ୟା ହିଁ ନିଶ୍ଚିତ ଓ ନିରାପଦ ରାହା, ଯଦିଓ ଆତ୍ମହତ୍ୟା ସମ୍ପର୍କରେ ସନ୍ଦେହର ପ୍ରଶ୍ନବାଚୀ ଉଠାଯାଇଛି : ‘‘Then is it sin/To rush into the secret chamber of death/Ere death dare come to us ?’’ (୭୧) ।

 

ସଂସ୍କୃତି ଓ ପ୍ରାଚୀନ ମୂଲ୍ୟବୋଧର ଅପମୃତ୍ୟୁ ଲାଗି କବି ଆଶ୍ୱସ୍ତି ଅନୁଭବ କରିଛନ୍ତି । ଆଜି ଜଗତର ରୂପ, ରଙ୍ଗ, ଢ଼ଙ୍ଗ ସବୁ କିଛି ବଦଳି ଯାଇଛି । ଚେତନାର ବିକଳାଙ୍ଗ ପ୍ରତିଫଳନ ଆମ ଜୀବସତ୍ତାକୁ ବିପର୍ଯ୍ୟସ୍ତ କରୁଛି । ୟେଟସ୍‌ ତେଣୁ ଆମ ସମୟରେ ଲୋକଙ୍କୁ ‘‘Those dying generations’’ ବୋଲି କହିଛନ୍ତି । ତାଙ୍କ ମତରେ ଆମେ ସବୁ କଳୁଷିତ ହୋଇଯାଇଛୁ ଏବଂ ଆତ୍ମା ଏକ ମୃତ୍ୟୁରଥର ସାରଥୀ । (୭୨) ‘‘Fastened to a dying animal’’ ଏବଂ ସାମ୍ପ୍ରତିକ ଜଗତର ଚିତ୍ର ହେଉଛି :

 

‘‘That twenty centuries of stony sleep

Were vexed to nightmare by a rocking cradle.’’ (୭୩)

 

ଏ ପରିପ୍ରେକ୍ଷୀରେ ସୀତାକାନ୍ତଙ୍କ କବିତାକୁ ନଜିର ଭାବେ ମଧ୍ୟ ଗ୍ରହଣ କରାଯାଇପାରେ :

 

‘‘ଆଜି ଖାଲି ନିର୍ବିକଳ୍ପ ସାମାଧିରେ ଚେଁ ଚାଁ ଅତୃପ୍ତିର ପ୍ରେତ

ଆଜି ଖାଲି ଶୂନ୍ୟତାର ଜଙ୍ଗଲରେ ବିକଟ ଭୀତିର ପେଚା

ଭୟଙ୍କର ଚେତନାରେ ମଗ୍ନ ବୋଧିସତ୍ତ୍ୱ ।’’ (୭୪)

 

ହୁଏତ W. B. Yeats ‘Second Coming’ର ସେ ‘Vast image of SPIRITUSMUNDI’ ବା ଜୟଦେବଙ୍କ କଳ୍‌କୀ ଅବତାର ଧୂମକେତୁ ସମ କରାଳ ଅଥବା ଦଳିତ ହିରଣ୍ୟକଶିପୁ ତନୁଭୁଙ୍ଗମ୍‌ ଏଇ ଭୟଙ୍କର ଚେତନାର ପ୍ରତିଫଳନ ‘ବୋଧିସତ୍ତ୍ୱ’ ବା ନରସିଂହ ହୁଅନ୍ତୁ ଆମ ଚେତନାର ନକଲି, ମଗ୍ନ ଓ ବୀଭତ୍ସ ସ୍ୱରୂପ ବା Imitation ଏବଂ ଆମ ଶତାବ୍ଦୀ ଓ ସଂସ୍କୃତିର ବିକଳାଙ୍ଗ ପ୍ରତିଫଳନ ।

 

ଗୁରୁପ୍ରସାଦଙ୍କ କବିତାରେ ଚେତନାର ବିକଳାଙ୍ଗ ଅବକ୍ଷୟ ରୂପ ଭିନ୍ନ ଭାବେ ପ୍ରତିପାଦିତ ହୋଇଅଛି :

 

‘‘କିନ୍ତୁ ମୋର ଏ ସମ୍ମୁଖରେ ଏ ବିଚିତ୍ର ଏକପାଦ ବିଶିଷ୍ଟ ବୃଷଭ

ପୁଣି ଏଇ ଭଦ୍ରଲୋକ ଧଳାଧୋତି ପଞ୍ଜାବୀ ଓ ଧଳାଟୋପି

ଧଳାଧଳା ବର୍ଣ୍ଣ ପୁଣି ଈଷତ୍‌ ପିଙ୍ଗଳ ଯଷ୍ଟିର ଆଘାତ ଆଉ ବୃଷଭର ଆର୍ତ୍ତନାଦ

ଏକାକତୀର୍ଥରେ ରାଜା ଶେଷକ୍ରିୟା ସମାପ୍ତ ତୁଂଭର ।’’ (୭୫)

 

‘ବୃଷଭ’ ଓ ‘ଭଦ୍ରଲୋକ’ ଦୁଇଟିକୁ ସିମ୍ବଲ ଭାବେ ଗ୍ରହଣ କରାଯାଇ ପାରେ । ବୃଷଭ ପ୍ରାକ୍ତନ ମୂଲ୍ୟବୋଧର ପ୍ରତୀକ ଓ ‘ଭଦ୍ରଲୋକ’ ଆଧୁନିକ ମନ୍ଦଶକ୍ତି (Evil force) ତାଙ୍କୁ କେହି କେହି କଳ୍‌କୀ ଭାବେ ଗ୍ରହଣ କରନ୍ତି ଏବଂ ତାଙ୍କର ପ୍ରଚଣ୍ଡ ଆଘାତରେ ବୃଷଭ ତିନୋଟି ପାଦ ହରାଇଛି । କିନ୍ତୁ ସେ ଯଷ୍ଟିର ଆଘାତର ଅବସାନ ଘଟିନାହିଁ ତଥାପି ।

 

ରମାକାନ୍ତ ରଥଙ୍କ ପାରିପାର୍ଶ୍ୱିକ ସମାଜ, ଓ ପରିବେଶ, ଯୋଉଠି ସେ ବିଚରଣ କରୁଛନ୍ତି ଊଣାଅଧିକେ ସେଇ ଏକପ୍ରକାର :

 

‘‘ତାହେଲେ ମୁଁ ଚାଲିଯାଉଛି ନିଆଁରେ

ତଣ୍ଟି ମୋର ଶୁଖିଯାଏ, ସତେ ଅବା ମୁଁ ଗିଳୁଛି ଶୁଖିଲା କାଗଜ

ଆଣ୍ଠୁ ଥୂରୁଥୂରୁ ହୁଏ, ତଳିପାର ଫୋଟକା ସତ୍ତ୍ୱେ ମୁଁ

କାହାପାଇଁ ଜାଣେନାହିଁ, କିନ୍ତୁ ଚାଲେ ତଥାପି ନିଆଁରେ ।’’ (୭୬)

 

ଏବଂ ତାପରେ ଏଠିକି ଆଉ ନଫେରିବାର ଅଙ୍ଗୀକାର, ଯୋଠି ‘‘କଳାଜହ୍ନ ତଳେ ଜଳିଲାଣି ବାଲି ଅଇଘର ।’’ ଏବଂ ଛାଇମାନେ ତାଙ୍କୁ ଘେରି ନାଚିଲେଣି । ତତଲା ପାହାଚରୁ ସେ ପାଳଭୂତ ପରି ଖସୁଛନ୍ତି ଏବଂ ‘‘ସାମ୍ନାରେ ମଚ୍‌ମଚ୍‌ ଅନ୍ଧାର ।’’ ଏଲିଏଟ୍‌ଙ୍କ ‘What the Thunder Said’ରେ ସେଇ ଅସମୁଦ୍ର ଇଲାକାର ବାଲିବନ୍ତ ଓ ଟାଙ୍ଗରା, ନିଷ୍ଫଳା ପୃଥ୍ୱୀର ବିବର୍ଣ୍ଣ ଓ ବିକଳାଙ୍ଗ ଚେହେରା ସମ୍ପର୍କରେ କୁହାଯାଇଛି’ (୭୭)

 

Here is no water but only rock

Rock and no water and the sand road

x x x

Which are mountains of rock without water

Sweat is dry and feet are in the sand

Dead mountain mouth of curious teeth that can’t spit

Here one can neither stand nor lie nor sit.

But dry sterile thunder without rain”

 

ସୀତାକାନ୍ତଙ୍କ ‘ମାଟି ଓ ମଣିଷ’ରେ ଏମିତି ଏକ ଯନ୍ତ୍ରଣାଦଗ୍‌ଧ ମୃତ୍ୟୁର ପରିବେଶ; ଖାଁ ଖାଁ: ବିକଟ ଓ ପୈଶାଚିକ ଚିତ୍ର ନିହତ :

 

‘‘ଏହି ମହାଶୋଭାଯାତ୍ରା, ଏଇ ଯେଉଁ ଛାଇର ଗହଳ

ହୃଦୟରେ ଖାଲି ମୋର କଣ୍ଟାବୁଦା, ଧସାବାଲି

ନାଗଫେଣୀ, ମରୁଭୂମି, ଟୋପେ ନାହିଁ ଜଳ,

ବଉଦର ଶବାଧାର ଆକାଶରେ, ଏ ଆକାଶ ରୁଗ୍‌ଣ ଓ ମହଳ ।’’ (୭୮)

 

ଯୁଦ୍ଧ ପରବର୍ତ୍ତୀ ପୃଥିବୀର ନଗର, ଦୁର୍ଗ, ଅଟ୍ଟାଳିକାଦିର ବିଧ୍ୱସ୍ତ ବିପର୍ଯ୍ୟୟ ଅବସ୍ଥା । ଚରମ ଚିତ୍ର ଦେଖି ଏଲିଏଟ୍‌ ଲେଖିଛନ୍ତି : (୭୯) ‘Cracks and reforms and bursts in the Violet air/Falling towers/Jerusalem Athens, Alexandriya Vienna London/Unreal.’ ସେମିତି ସୀତାକାନ୍ତ ଚିହ୍ନଟ କରିପାରୁନାହାନ୍ତି : ‘‘ଇଏ କେଉଁ ସହରର କେଉଁ ରାସ୍ତା କେଉଁ ଗାଁଆ ଦାଣ୍ଡ/ନୂଆଖାଲି ? ହିରୋସୀମା ? ପିଣ୍ଡାରକ ? ଦ୍ୱାରକା ? ପ୍ରଭାସ ?’’ ମଣିଷ ହାତର ଏ ବିସ୍ଫୋରଣ ଓ ଜ୍ୱାଳାମୟୀ ଚରମ ବିପର୍ଯ୍ୟୟ । ଆମ ଅନ୍ତରର ସୌଖିନୀ ଓ କରୁଣାର ଆବ୍ରୁ ଉନ୍‌ମୋଚିତ ହୋଇ ପାଷାଣ, ନିଥର ନିରସ ଓ ନିସ୍ପନ୍ଦ ହୋଇଯାଇଛି । ଧର୍ମପଦର ଦୁଃଖାନ୍ତକ ଜୀବନ ନାଟିକା ସେଇ ପ୍ରସ୍ଥର କାବ୍ୟର ଦୁଇ ପୃଷ୍ଠାର ଶିଳାଲେଖ ମାତ୍ର । ତେଣୁ ସେ ଅନ୍ୱିଷା କରିଛି ପାରମ୍ପରିକ ରୀତିରେ ଗଡ଼ିଆସୁଥିବା ଚିରନ୍ତନ ସତ୍ୟକୁ, ଯାହା ସ୍ୱୀକୃତି ଦିଏ ପ୍ରତିଭାର ସଫଳ ସ୍ୱାତନ୍ତ୍ର୍ୟ ଏବଂ ଗ୍ରହଣ କରିନିଏ ଏକ ଅମର ପ୍ରତିଭାର ପ୍ରଶସ୍ତି ଜୀବନଧାରାକୁ । ତେଣୁ ଚିନ୍ତା ଚେତନାର ଏ ଚିରନ୍ତନ ବିକାଶ, ଏ ବିବର୍ତ୍ତିତ ଅବକ୍ଷୟର ଉତ୍ତରଣ ନିମନ୍ତେ କବିଙ୍କର ନିରବଚ୍ଛିନ୍ନ ନିରବଧି ଅନ୍ୱେଷା ।

 

ପରିବର୍ତ୍ତୀ ପଙ୍‌କ୍ତିମାନଙ୍କରେ କବି ସମୟ ସଚେତନ ହୋଇଛନ୍ତି ଏବଂ ଶୋକ ସନ୍ତପ୍ତ ଆତ୍ମାକୁ କିଞ୍ଚିତ୍‌ ଆଶ୍ୱସ୍ତ କରିଛନ୍ତି ଆତ୍ମପ୍ରବୋଧନାରେ । ସବୁ ବ୍ୟତିକ୍ରମ ସତ୍ତ୍ୱେ ବି ସମୟ ରଥ ଗଡ଼ି ଚାଲିଛି ଏବଂ ସେଇ ମହାସ୍ରୋତରେ ମୃତ୍ୟୁହୀନ ପ୍ରଶସ୍ତ ଜୀବନ ବି ଉବୁଟୂବୁ ହେଉଛି । ଜେରୁଜେଲମ୍‌, ଏଥେନ୍‌ସ୍‌, ଭିଏନା, ଆଲେକଜାଣ୍ଡ୍ରିଆ, ମଥୂରା, ଦ୍ୱାରକା, ବୃନ୍ଦାବନ, ପ୍ରଭାସ, ହିରୋସୀମା, ନାଗାସୀକା, ନୂଆଖାଲି, ଜାଲିଓ୍ୱାନାଓ୍ୱାଲା ଓ କୁଏତ୍‌ ବା ସଦ୍ଦାମର ବଙ୍କର କାହାରି ନିସ୍ତାର ନାଇଁ । ହୁଏତ ପରବର୍ତ୍ତୀ ସମୟରେ ଚ୍ଛିନ୍ନପୃଷ୍ଠାରେ ମାତ୍ର କେଇଘଡ଼ି ଲାଗି ଆମ ମାନସିକ ବିକାଶ ଓ କଳ୍ପନା ବିଳାସର ଉତ୍କର୍ଷରେ କୋଣାର୍କର ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ ପରିପାଟୀ ଆମ ଉତ୍ତରଦାୟାଦମାନଙ୍କୁ ହତଚକିତ କରିପାରେ, ବିସ୍ମୟ ବିସ୍ଫାରିତ ଚକ୍ଷୁରେ ଦୁନିଆ ବାହାବା କରିପାରେ । କିନ୍ତୁ କେତେଦିନ ଏ ଅହମିକା, ଏ ଆତ୍ମାଭିମାନ ତିଷ୍ଠି ରହିବ କାଳର ଅବିନାଶା ହାତରୁ। ମୃତ୍ୟୁ ହିଁ ଜଗତର ଏକମାତ୍ର ସତ୍ୟ । ରାତ୍ରିର କବର ତଳେ ଚନ୍ଦ୍ର ଆତ୍ମହତ୍ୟା କରେ ସୂର୍ଯ୍ୟର ଇଲାକାରେ ଲକ୍ଷଲକ୍ଷ ନୀହାରିକାଙ୍କ ଆତ୍ମାହୂତି ଓ କୋଟି କୋଟି ପୂର୍ଣ୍ଣିମୀ ଅମାବାସ୍ୟା ପ୍ରଚଣ୍ଡ ସମୟ ସ୍ରୋତରେ ସାମିଲ ହୋଇଯାଏ, ନିଶ୍ଚୟ ହୁଏ ଆଲୋକବର୍ଷ, ବ୍ରହ୍ମବର୍ଷ, ଦେବବର୍ଷ । ତେଣୁ ବାଦସାହୀଇନାମକୁ ପାଦରେ ଠେଲିଦେଇ, ଈର୍ଷ୍ୟାର ସୀମାଠାରୁ ନିଜକୁ ନିବୃତ୍ତ ରଖି, ଯଶ କୀର୍ତ୍ତିର ବିଜୟକବଚ ଲାଗି ପ୍ରଲୁବ୍‌ଧ ନ ହୋଇ ଚିନ୍ତାଚେତନାର ଦୋଛକି ରାସ୍ତାରେ ଲଟକିଥିବା ରିକ୍ତ, ତ୍ୟକ୍ତ ଧର୍ମପଦର ଆତ୍ମହତ୍ୟା ଛଡ଼ା ଆଉକି ଉପାୟାନ୍ତର ଥିଲା ? କାରଣ ତା ପ୍ରତିଭାକୁ ଗ୍ରହଣ କରି ତା ସପକ୍ଷରେ ସାନ୍ଧ୍ୟ ଦେବା ସକାଶେ ସ୍ୱରଉତ୍ତୋଳନ କରିବାର ଶକ୍ତି କାହାର ଥିଲା ? ନର୍କର ସୀମାନ୍ତ ଡେଇଁ, ବୈକୁଣ୍ଠ ଫାଟକ ଟପିବାଲାଗି କୋପୀ ବିଶ୍ୱାମିତ୍ରମାନଙ୍କର ସମସ୍ତ ଧର୍ମ ଓ ସୁଫଳର ପୁଞ୍ଜି ଏକାଠି ହେଲେ ବି ନଖଟ ପଡ଼ିବ, ସ୍ୱର୍ଗ ନରମଣିଷ ସ୍ପର୍ଶରେ ଅପବିତ୍ର ହେବ ନାହିଁ । ତେଣୁ ଦେବରାଜ ଇନ୍ଦ୍ରଙ୍କ ବଜ୍ର ପ୍ରହାର ନହେଲେ ଚମଚଟାପରି ଆକାଶର ମଧ୍ୟମ ଓହଳରେ ଝୁଲି ସ୍ତିମୀତ ଆଲୁଅରେ ଶୂନ୍ୟ ଅଙ୍ଗନର ନିଝୁମ ନିଃସଙ୍ଗତା ମଧ୍ୟରେ ସମୟର ରିକ୍ତ ଅଶ୍ରୁତ ସାହାନାଇ ଶୁଣିବାଠାରୁ ନିଜେ ନିଜେ ନିଜର ଅତିପ୍ରିୟ ବସ୍ତୁଟିର ପରିସମାପ୍ତି କ’ଣ ଭୁଲ ହେବ ? ଧର୍ମ ପଦର ଏ ଆଖିର ସିଦ୍ଧାନ୍ତ ।

 

ରମାକାନ୍ତ ରଥଙ୍କ ଅଧିକାଂଶ କବିତାରେ ମୃତ୍ୟୁର ଛନ୍ଦ, ନିର୍ଯ୍ୟାସ, ମୃତ୍ୟୁର ବିବିଧ ମାଙ୍ଗଳିକ ଘଣ୍ଟାଧ୍ୱନି ଏବଂ ମୃତ୍ୟୁ ଚେତନାର ସ୍ପଷ୍ଟ ପଦଧ୍ୱନିର ମୁଦ୍ରାଙ୍କ ଅନନ୍ତ ଶୟନଠାରୁ ଶ୍ରୀରାଧା ଯାଏ ସର୍ବତ୍ର ମୃତ୍ୟୁକୁ ବିଭିନ୍ନ ରୂପ, ରଙ୍ଗ, ସ୍ପର୍ଶ ଓ ଚେତନା ମଧ୍ୟରେ ସେ ଆକଳନ କରିଛନ୍ତି । ‘ସଚିତ୍ର ଅନ୍ଧାର’ରେ ମରୁଭୂମି ମଧ୍ୟରେ ମୃତ୍ୟୁ ଆସିଛି ଅସରନ୍ତି ଏକ କାଳରାତି ରୂପେ, ଯିଏ ସୂର୍ଯ୍ୟାଲୋକର ଛଦ୍ମବେଶ ଫିଙ୍ଗି ଦେଇ ଜାହେର କରିଛି ନିଜ ସ୍ଥିତି ଏବଂ ମୁଁ ଦେଖୁଛି ତମେ ଆସ ବିଭିନ୍ନ ଦିଗରୁ/ଝୁଲିଝୁଲି ମୋ ପରମାୟୁକୁ (୮୦) ଦୁନିଆରେ ଅବିରତ ମୃତ୍ୟୁର ପଟୁଆର ଚାଲିଛି ଏବଂ ସେଥିରେ ସାମିଲ ହୋଇ ସ୍ମୃତି, କୀର୍ତ୍ତି, ପ୍ରତିଭା, ପ୍ରଣୟ ସବୁ ଏକାକାର ନିଶ୍ଚିହ୍ନ ହୋଇ ଯାଉଛି । ସେଇ ମହାସତ୍ୟକୁ ସ୍ୱୀକାର କରି ଶହଶହ ଧର୍ମପଦ ଅନେକ ମୃତବତ୍ସାର ଜନକ ଜନନୀ ଏବଂ ବହୁ ରାଧା, ମୀରା, ଅହଲ୍ୟା, ଅନାରକଲି ମୃତସ୍ତୂପରେ ଆଚ୍ଛାଦିତ ହୋଇଛନ୍ତି । ସମସ୍ତେ ଜାଣନ୍ତି ଜନରବର ଏ ପ୍ରବଳ ଘୋଘୋ ଶବ୍ଦରେ, ସମାଜପତିମାନଙ୍କର ଏ କ୍ରୂର କୁଟିଳ ଚକ୍ଷୁ ସାମ୍ନାରେ, ଜଗତର ଏ ଗତାନୁଗତିକ ବୁନିୟାଦୀର ଶଗଡ଼ଗୁଳାରୁ ଖସିଆସି ନିଜକୁ ପ୍ରତିଷ୍ଠା କରିବାର ଜିଦ୍‌ଖୋର ମନୋବୃତ୍ତି, ନିଜ ବ୍ୟକ୍ତିତ୍ୱ, ପ୍ରତିଭା, ଅହଂ, ଅହମିକା, ପ୍ରେମ, ପ୍ରଣୟ, ବୃତ୍ତି, ପ୍ରବୃତ୍ତିର ଅସ୍ତିତ୍ୱ ସେମାନେ ରଖିବେ ନାହିଁ । ତେଣୁ ମାନେମାନେ ସେଠୁ, ଅପସରିଯାଇ ମୃତ୍ୟୁଠାରେ ଆତ୍ମସମର୍ପଣ କରିଦେବା ବରଂ ଶ୍ରେୟ । କାରଣ ମୃତ୍ୟୁ ସାମ୍ୟବାଦର ଏକ ପ୍ରଚଣ୍ଡ ମାର୍ତ୍ତଣ୍ଡ, ଯେଉଁଠି ଏ ସମାଜପତି ଶଠ ଏବଂ ଚକ୍ରାନ୍ତକାରୀଙ୍କ ସମସ୍ତ ଆସ୍ପର୍ଦ୍ଧା, ଦାମ୍ଭୀକତା, ଗର୍ବ, ଅହଙ୍କାର ଓ ଅଟ୍ଟହାସ୍ୟ ବି ବୁଦ୍‌ବୁଦ୍‌ ପରି ମିଳେଇ ଯାଏ । ଏ ଦୁନିଆରେ ସଫଳ ସ୍ୱାତନ୍ତ୍ର୍ୟ ବା ମୃତ୍ୟୁହୀନ ପ୍ରଶସ୍ତ ଜୀବନପାଇଁ ଆଦୌ କ୍ଷେତ୍ର ନାହିଁ । ଦ୍ୱନ୍ଦ ସଂଶୟ, ସଂଘର୍ଷ, ସଂଘାତ; ସତ୍ୟାସତ୍ୟ; ତର୍କ ବିତର୍କ; ଏବଂ ଚିନ୍ତା ଚେତନାର ମଧ୍ୟ ସ୍ୱର୍ଗରେ ଲଟକି ନିର୍ଦ୍ଦୟ ବିସୃତିମାନଙ୍କର ରୋମନ୍ଥନ ଅଥବା ଏକ ଅସ୍ୱୀକୃତ ଜୀବନର ସଂଚାଳକ ଭାବେ କ୍ଳାନ୍ତିକର ପ୍ରତୀକ୍ଷାଠାରୁ ନିଜର ଅଥର୍ବ ଅସାମର୍ଥ୍ୟକୁ ମାନିନେଇ ଅନନ୍ୟୋପାୟଭାବେ ଆତ୍ମହତ୍ୟା କରିବାରେ କ୍ଷତି କେଉଁଠି ? ଯଦି ମୃତ୍ୟୁ ଜୀବନର ଅନ୍ତିମପର୍ବ ଏବଂ ଏତଦ୍ଦ୍ୱାରା ଏକ ମହାନ ସତ୍ୟକୁ ସମ୍ମାନ ଦିଆଯାଇ ପାରିବ, ଏକ ଅମାହିତ ପ୍ରଶ୍ନର ସମାଧାନ ହୋଇପାରିବ ତେବେ ମୃତ୍ୟୁକୁ ହସି ହସି ଆଲିଙ୍ଗନ କରିବାରେ ଏତେ ଆପତ୍ତି ଓଜର କିଆଁ, ଏତେ କୁଣ୍ଠିତ କାର୍ପଣ୍ୟ ବା ଅସ୍ୱୀକୃତ ଅଙ୍ଗୀକାର କାହିଁକି ? ଏହା ଯେପରି ରାଧାଙ୍କର ସ୍ୱୀକାରୋକ୍ତି । ସେହିପରି ଧର୍ମପଦର ମୃତ୍ୟୁକାଳୀନ ଜମାନବନ୍ଦୀ, ତା’ ଜୀବନଦର୍ଶନର ସ୍ୱରଝଙ୍କାର ଓ ପ୍ରାକ୍ତନ ବିଳାପର ପ୍ରତିଧ୍ୱନି । କୋଣାର୍କର ଦଧିନଉତିରେ, ଶାଳଭଞ୍ଜିକାର ଛାଇଛାଇଆ ବକ୍ଷୋଜରେ, ମହୋଦଧିର ଉତ୍ତାଳ ଉର୍ମିରେ, ବେଳାଭୂମିର ଅସଂଖ୍ୟ ଉପଳରେ, ଅସ୍ତଜହ୍ନର ଏଲିଜିରେ, ସୂର୍ଯ୍ୟର ଆହତ ନିଃଶ୍ୱାସରେ, ସମୟ-ରଥର ଶାଶ୍ୱତ ଧ୍ୱନିରେ ଏହି ମହାସତ୍ୟ ଅରୂପ ଅକ୍ଷରରେ ଉତ୍କୀର୍ଣ୍ଣ ହୋଇଛି ।

 

ମୃତ୍ୟୁତ୍ତୋର ଜୀବନ ଉପକଣ୍ଠରେ ଏକ ନିଆରା ସମୟର ଉପଲବ୍‌ଧି, ହୁଏତ ଆମ ପ୍ରାତ୍ୟହିକ ଗଣନା ବହିର୍ଭୁତ ଏକ ସପ୍ତମ ଋତୁ ଯୋଉଠି ଆଶା, ନିରାଶା, ଆନନ୍ଦ, ନିରାନନ୍ଦ, ଭଲ, ମନ୍ଦ, ରୋଗ, ଶୋକ, ରୋଷ ରୁଷ୍ଟ ସବୁ ମିଳେଇଯାଏ । ସେଠି କେହି ନଥିବେ ଓ କିଛି ନଥିବ, ମୁଁ ନିଜେ/ନଥିବି କି ମୋ ଜୀବନ ବୃତ୍ତାନ୍ତ ନଥିବ’’ । (୮୧) ବୋଲି ରାଧାଙ୍କର ଅନୁଭବ । ‘‘ସେଠି ଜଣେ ଅଦୃଶ୍ୟ ବିଚାରକ ଥାଇପାରେ, ଯିଏ ଜେରା କରିବା ଆଗୁ ସବୁକିଛି ବିସ୍ମୃତ ହୋଇଯାଏ ଏପରିକି ବେଳେବେଳେ ଭ୍ରମ ହୁଏ ନିଜ ଦେହାନ୍ତର ।’’ (୮୨) ଯୋଉଠି ନିଜେ ‘ଯଶୋଦା’ ବାଳକୃଷ୍ଣର ଭାଗ୍ୟ ନିଜ ପଣତରେ ବାନ୍ଧି ତାଙ୍କ ଓଦାଛାତିରେ ଜାକିଧରି ତା’ଲାଗି ଗୀତ ଗାଉଥିବା ବେଳେ ବି ଜାଣିପାରୁନଥିବେ ସେ ଗୀତ ଶୁଭୁଛି ମୋର ସ୍ୱରରେ ବା ମୋ ପୁଅରେ ସ୍ୱରରେ । ତାପରେ ଅନନ୍ତ ସମୟ ଯାଏ ନିଆଁପରି ଜଳିଜଳି ରାଧା ବି ଶୀତଳ ହୋଇ ଲିଭିଯାଇଥିବେ ଯଦିଓ ଜଳିବା ସାମଗ୍ରୀ ଅଭାବ ନଥିବ ତାଙ୍କଠି । ବିବଶନ ଅନ୍ତଃକରଣରେ କାଳକାଳ ଜାକି ଧରିବି ଫେରିଯିବେ ସେ ନିଷ୍ଫଳତାକୁ ପୁନଶ୍ଚ ଯେଉଁଠୁ ଆସିଥିଲେ । ସେଠି ଆସ୍ପର୍ଦ୍ଧା ସବୁ ଶେଷ ହୁଏ ଏବଂ ଅର୍ଦ୍ଧପରିଚିତ, ପରିଚିତ ଓ ଅପରିଚିତ ଆକାଙ୍‌କ୍ଷାର ଘନୀଭୂତ ନୀଳ ଯୋଗଫଳ ପ୍ରକାଶିତ ହୋଇସାରିଥିବ । ରକ୍ତମାଂସର ସମସ୍ତ ଉତ୍ତେଜନା ଅତିକ୍ରମୀ ଏପରି ଏକ ସୋପାନର ସନ୍ଧାନ ପାଇସାରିଥିବେ ରାଧା, ଯୋଉଠି କିଛି ନଥିବ, ଥିବ ଖାଲି କୃଷ୍ଣଙ୍କର ଏକ ମହାଶୂନ୍ୟ ପରି ସର୍ବବ୍ୟାପୀ ରୂପ ଏବଂ ସେ ମହାଶୂନ୍ୟରେ/ସତ୍ୟ ଓ ଅସତ୍ୟ ଏକାକଥା ହୋଇଥିବ ?’’ (୮୩) ସମସ୍ତ ଅପୂର୍ଣ୍ଣ ଇଚ୍ଛାମାନଙ୍କର ସ୍ୱପ୍ନିଳ ପରପୂର୍ତ୍ତି ଶ୍ରୀକୃଷ୍ଣଙ୍କ ଅଙ୍ଗଲାଗି ହେବା ଏବଂ ଉଦ୍‌ଗତ ତାପ ଓ ଦୀର୍ଘଶ୍ୱାସରେ ନିଉଛାଳି, ଚୂମାମାନଙ୍କ ଗଜରାହାରରେ ଗଳାମଣ୍ଡନ କରି ଓ ଲଜ୍ଜାରୁଣ ସ୍ୱପ୍ନ ଅଳତାରେ ତାଙ୍କ ପାଦରଞ୍ଜାଇ ରାଧା ପହଞ୍ଚିଯିବେ ସେଇ ବିଶୁଦ୍ଧତାଠାରେ । ଧର୍ମପଦ ପରି ରାଧାଙ୍କ ମନସରୋବରରେ ପ୍ରସ୍ଫୁଟିତ ପ୍ରେମ ଓ ସରାଗ ପଦ୍ମଟି ଲୋକାପବାଦର ଭୀଷଣ କରକାପାତରେ ଖିନଭିନ୍‌ ହୋଇଯାଇଛି । କିନ୍ତୁ ତାକୁ ସମ୍ଭାଳି ନେବାର ଅମାପ ଧୈର୍ଯ୍ୟ ଓ ଅସୀମ ସାହସ ରାଧାଙ୍କର ରହିଛି । ତେଣୁ ସେ ମରିବାକୁ ବଞ୍ଚିବାରେ ପରିଣତ କରିଛନ୍ତି । (୮୪) ରାତିକଥା ମନେପକାଇ ସବୁ ଦୁଃଖ ଛାଏଁ ଛାଏଁ ସହିନେଇଛନ୍ତି ଯେତେବେଳେ କୃଷ୍ଣଙ୍କ ଦେହାନ୍ତ ଖବର ମିଳେ, ସେଥିରେ ରାଧା ଆଦୌ ବିଚଳିତ ହୋଇ ନାହାନ୍ତି କି ଗଭୀର ଶୋକ ପ୍ରକଟନ କରିନାହାନ୍ତି, ଅନେକ ସୁଖ ସନ୍ତୋଷ ଭିତରେ ସେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ରାଧାଙ୍କପାଇଁ କୃଷ୍ଣଙ୍କ ମୃତ୍ୟୁ କେବଳ ତାଙ୍କ ସମ୍ପର୍କୀୟମାନଙ୍କ ପାଇଁ, ରାଧାଙ୍କୁ ଗୋଡ଼େ ଗୋଡ଼େ ଜଗୁଥିବା ଲୋକଙ୍କ ସକାଶେ । କିନ୍ତୁ ରାଧାଙ୍କପାଇଁ କୃଷ୍ଣ କେବେ ମରିନପାରନ୍ତି, ତେଣୁ ସେ କହିଛନ୍ତି (୮୫) ‘‘କାହାରିକୁ ଜଣାନାହିଁ ତମେ ଅଛ ବୋଲି ।’’ ତେଣୁ ସମସ୍ତେ କୃଷ୍ଣଙ୍କୁ ଜୁଇରେ ଥାପନା କରିଦେବା ପରେ ପରେ ରାଧାଙ୍କୁ ବି ଭୁଲିଯିବେ । ତେଣୁ ଏକ ନିଭୃତ ନୀଳୟରେ ଯମୁନା ଉପକଣ୍ଠରେ ସେ କୃଷ୍ଣଙ୍କୁ ଭେଟିବେ, ତାଙ୍କୁ ଭିଡ଼ିଧରିବେ ଆଶ୍ଳେଷରେ ଏବଂ କୃଷ୍ଣଙ୍କ ହାତ ଛୁଇଁଯିବ ତାଙ୍କ ସାରା ଅବୟବ । ସେଇ ଅବସ୍ଥା ଏକ ଚରମ ଅବସ୍ଥା, ସନ୍ତୋଷର ନିବିଡ଼ ସମ୍ଭୋଗର କଥା, ଜୀବନ୍ମୃତ ଅବଚେତନ ମଧ୍ୟରେ ରହିଯାଏ ଜୀବାତ୍ମା ଯାହାକୁ କବି କହନ୍ତି : ‘‘ଯେତେବେଳେ ମରିପାରୁନଥିବି ଅଥଚ/ଜୀଇଁବାବି ପୂରା ଅସମ୍ଭବ । (୮୬) ଏ ଅନୁଭୂତି ଅବଚେତନାର ଅତି ମାନସିକ ସ୍ତରର ଭାବନା । ଏହା ରାଧାଙ୍କର ରୋମନ୍ଥନ, କଳ୍ପନା ଜଗତର ଅତି ମାନବୀୟ ଅନୁଭବ ।

 

ମୃତ୍ୟୁର ଯୋଉ ଅମୃତ ନିଦାନ ପରିପୂର୍ଣ୍ଣ ତାହା ଅନ୍ୟତ୍ର ଦୁର୍ଲ୍ଲଭ । ରାଧାଙ୍କ ଦୃଷ୍ଟିରେ ମୃତ୍ୟୁ ସ୍ପର୍ଶରେ କୃଷ୍ଣଙ୍କ ସ୍ପର୍ଶ ରହିଛି । ତେଣୁ ମୃତ୍ୟୁ ହିଁ ତାଙ୍କୁ ଭଗବତ୍‌ ପ୍ରାପ୍ତିର ଏକମାତ୍ର ଅବଲମ୍ବନ । ଏହାପରେ ଆଉ କି ଅପୂର୍ଣ୍ଣ ପ୍ରୟାସ ବାକି ରହିଛି ତାଙ୍କର ଯୋଥିପାଇଁ ସେ ଅଟକି ଯିବେ ? ତାଙ୍କ ଦୃଷ୍ଟି, ଶ୍ରବଣ ଓ ସ୍ପର୍ଶ ଶକ୍ତି ସବୁ ଏବେ ଆୟତ୍ତାଧୀନ, କେବଳ ‘‘ଅସଂଯତ ମନ ଦେଖେ ରୂପ ଧାଡ଼ି ଧାଡ଼ି’’ ଯୋଥିପାଇଁ ସତ୍ୟର ନିର୍ମଳ ଜ୍ୟୋତି ଲୋଡ଼ିବାର ଆବଶ୍ୟକତା ନାହିଁ । ସେ ରୂପ ନିଶ୍ଚୟ କୃଷ୍ଣଙ୍କର । ତେଣୁ ସେ କହନ୍ତି : ‘‘ତମେ ଚାଲିଯିବା ପରେ ଆଉ କିଛି ଯାଏ ଆସେ ନାହିଁ ।’’ (୮୭) ଧର୍ମପଦର ବି କ’ଣ ଆଉ ବାକି ? ତା’ ଜୀବନର ମାଷ୍ଟରପିସ ଏତେ ଜଲ୍ଦି ଲେଖା ହୋଇଗଲା ଚନ୍ଦ୍ରଭାଗାର ବାଲିବନ୍ତର କାନ୍‌ଭାସରେ । ସେ ପାଷାଣ ଏପିକ୍‌ର ପ୍ରତିଟି ଶିଳାଖଣ୍ଡରେ ଉତ୍କୀର୍ଣ୍ଣ ଧରମାର ଅମର ନିହାଣରେଖା ଚିରକାଳ ତାକୁ ଅମର କରିବ । ତେଣୁ ମୃତ୍ୟୁର ନିଶ୍ଚିତ ମାର୍ଗ ତା ପାଇଁ ଅଧିକ ନିରାପଦ । ‘ଅନନ୍ତ ଶୟନ’ର କାବ୍ୟ-ପୁରୁଷ ପାଇଁ ଆଉ ଆଶ୍ୱାସନା କାହିଁ ?’’ (୮୮) ‘‘ସାପ ବି ପାରିବନାହିଁ ଧରି ତାଙ୍କ ଫେରାର ଆତ୍ମାକୁ’’ ସେ ଚାଲିଯିବ ତା’ ଇପ୍‌ସିତ ଅଫେରା ବାଟରେ । ଚାରିଆଡ଼େ କଳାମଚମଚ ଅନ୍ଧାର ଏବଂ ‘‘ସେମାନେ ବସି କିଳିଛନ୍ତି ଜର୍ଜ୍ଜା (୮୯) । ଏକ ନିଷିଦ୍ଧ ସମୟର ଚରମ ମୁହୂର୍ତ୍ତରେ ଯେତେବେଳେ ଆଣ୍ଠୁ ଥୂରୁଥୂରୁ । ତଳିପାରେ ଫୋଟକା, ଜହ୍ନତଳେ ଜଳେ ବାଲି ଅଇଘର’’ ଚଉପାଶେ ଘେରି ଛାଇମାନେ ନାଚିଲେଣି; ଆଉ ନିଆଁରେ ଏମିତି ଚାଲିବାରେ କି ଲାଭ ! ବିଶ୍ରାମ ତ ଏକାନ୍ତ ଲୋଡ଼ା, ହେଲେ ହେଉ ସାପଶେଯ ‘‘ମୋ ଛାତିର କଣ୍ଟା କଣ୍ଟା ବଣ’’ ଯେତେ ଭୟାନକ, ଯେତେ ବୀଭତ୍ସ । କାରଣ ‘‘ବହୁବର୍ଷ ତଳେ/ଛାଡ଼ି ଆସିଥିବା ଘରକୁ ମୁଁ ପହଁରି ପହଁରି ଫେରିବାକୁ ଅସମର୍ଥ । ଇଏ ସେଇ ପାରିଜାତବନର ଘର ଓ ମଣିଷର ପ୍ରଥମ ପାପର କଥା, ଯୋଉଠୁ ମୃତ୍ୟୁ ତା ପାଖକୁ ଆସିଲା । ରାଧା ବହୁତ ହିମତ ଓ ଦୃଢ଼ତାର ସହ ଲୋକଙ୍କ ଥଟ୍ଟା, ପରିହାସ, ବିଦ୍ରୂପ ଓ ଅପକଳଙ୍କର ଜବାବ ଦେଇଛନ୍ତି । ପାଟ ପୀତାମ୍ବରୀରେ ଶ୍ରୀଅଙ୍ଗ ମଣ୍ଡନ କରି ହୋମକନ୍ୟା ଭଳି ନିଜକୁ ସଜେଇଛନ୍ତି ଏବଂ ପ୍ରତୀକ୍ଷା କରିଛନ୍ତି ବରବେଶଧାରୀ ସେଇ ଅରୂପ, ଅକ୍ଷୟ, ଅଣାକାର ପୁରୁଷ ସକାଶେ ଯିଏ, ପ୍ରତିଭା ଶତପଥୀଙ୍କ ‘ସବା ସାନପୁଅ’ପରି ସବାପଛେ ବହୁତ ବିଳମ୍ବରେ ବା ରବୀନ୍ଦ୍ରାନାଥଙ୍କ (୯୦) ‘‘କବେ ନୀରବ ହାସ୍ୟ ମୁଖେ ଆସବେ ବରେର ସାଜେ ।’’ ସେତେବେଳକୁ ସେ ବିଗତ ଯୌବନା, ଲୋଳିତଚର୍ମା, କୁତ୍ସିତବର୍ଣ୍ଣା ହୋଇଯାଇଥିଲେ ହେଁ ଏବଂ ‘‘ଛାତିର ଝରଣା ଶୁଖି ଠକ୍‌ଠକ୍‌/ଥଣ୍ଡା ଖଣ୍ଡେ ଲୋଚା କୋଚା ରୁଟିପରି’’ ହୋଇଯାଇଥିଲେ ବି, ‘‘ଓଠର ନହକା ଡାଳୁ’’ ରଙ୍ଗୀନ୍‌ ପ୍ରଜାପତିମାନେ ଉଡ଼ିଯାଇଥିଲେ ବି, ‘‘ରକ୍ତମାଂସର ଗୋଟିଏ ସେତୁ’’ (୯୧) ପାଲଟିଥିବା ଏବଂ ‘‘ଭିଣିହେଇ ଯାଇଥିବା ହାଡ଼ରୁ ମାଉଁସ’’ (୯୨) ରିକ୍ତକୋଳରେ ସେ ସମ୍ଭାଷଣ କରିନେବେ ଅଭିମାନୀ ପରି ସବାଶେଷରେ ଆସିଥିବା ସେଇ ନୂତନ ଆଗନ୍ତୁକକୁ/ଜୀବନର ନାନ୍ଦୀମୁଖୀଠାରୁ ଅନ୍ତିମ ସମୟ ଯାଏ ଅପେକ୍ଷା କରି ବସିଥିବା ଓ ‘‘ମୁଁ ଡାକିବି ସନ୍ତାପକୁ, ଏପରି ଋତୁକୁ/ଯେତେବେଳେ ପତ୍ର ଝଡ଼େ ବୃକ୍ଷମାନଙ୍କରୁ ।’’ (୯୩) କାକୁସ୍ଥ ମଣିଷଟିର ଶେଷ ଅଭିଳାଷ କ’ଣ ହେଇପାରେ ? ଆଉ କି ଅପୂର୍ଣ୍ଣ ପ୍ରୟାସ ଥାଇପାରେ ତା’ର ? ସେଇ ରମାକାନ୍ତ ରଥଙ୍କ ଭାଷାରେ କହିଲେ, ‘‘ଭଲ ପାଇବାଠୁ ଭଲ ନପାଇବା ଯାଏଁ/ଲମ୍ବାରାସ୍ତା ଚାଲିଚାଲି ବସିଅଛି/କ୍ଳାନ୍ତ ନାରୀଟିଏ ।’’ (୯୪) କ’ଣ ପାଇଁ ? ସେଇ ‘ସବାସାନପୁଅ’ ସକାଶେ ଯାହାର ସୁନ୍ଦର ମୁହଁ ‘‘ଶୂନ୍ୟରେ ଉଠିବ ଝଳି ପୂନେଇଁ ଚାନ୍ଦଟି ପରି’’ ଏବଂ କୋଳାଗ୍ରତ କରିବାକୁ ଉଦ୍ୟତ ହେଉଁ ହେଉଁ ଓ ‘‘ପାଦ ଦେବା ଆଗରୁତୁ ଜୀର୍ଣ୍ଣ ଏଇ ସେତୁ/ଭାଙ୍ଗି ପଡ଼ି ସାରିଥିବ ସାମ୍ନାରେ ତୋହର ।’’ (୯୫) ରବୀନ୍ଦ୍ରନାଥଙ୍କର ତ ସେଇଥିଲାଗି ଅନ୍ତିମ ପ୍ରତୀକ୍ଷା ଏବଂ ଅନ୍ତରଙ୍ଗ ସମ୍ଭାଷଣ, ‘‘ନିଖିଲ୍‌ରାତେ ପତିର ସାଥେ ଚଲବେ ପତିବ୍ରତା/ମରନ୍‌ ତୁମି ମରନ୍‌ ଆମାର କଓ ଆମାକେ କଥା ’’ (୯୬) ତେବେ ମୃତ୍ୟୁ ପ୍ରତି ଏ ଅହେତୁକ ଆକର୍ଷଣ, ଏ ଅତୁଟ ମୋହ ଓ ଅବାରିତ ମମତା କାହିଁକି, ଯୋଥିଲାଗି ଏତେ ଉଚ୍ଛନ୍ନ ଆବେଗ ଓ ଅର୍ତଚ୍ଛ ଉଦ୍ଦାମରେ ରାଧା ଜଡ଼ସଡ଼ ହେଇ ଧାଇଁଛନ୍ତି, ତନ୍ମୟ ବିଭୋର ହେଉଛନ୍ତି, ରୋକିପାରି ନାହାନ୍ତି ତାଙ୍କ ସୁଖ ସଂତୋଷକୁ ଯଦିଓ ଜାଗତିକ ମଞ୍ଚ ଉପରେ ଦୁଃସ୍ଥ ଅଭିନେତ୍ରୀଟି, ‘‘That streets and frets his hour upon the stage.” (୯୭) ଜୀବନ ଆଉ କ’ଣ ନିଦଘେରରେ ଥିବା ଅନେକ ସ୍ୱପ୍ନ ସଂଭୋଗ ଓ ଅପୂର୍ଣ୍ଣ ଇଚ୍ଛାମାନଙ୍କର ନିଷ୍ଫଳ ପରିଣତି, ଏକ ଚଳନ୍ତି ଛାୟା ଯାହାକୁ ସେକ୍‌ସପିଅର କହନ୍ତି: (୯୮) “a tale/Told by an idiot, full of sound and fury/signifying nothing" ବୋକାମୁହଁରେ ଭଣିତ ଏକ ଗୁଲିଗପ ନିରର୍ଥକ ଶବ୍ଦର ଆଟୋପରେ ଧୁମ୍‌ଧସ୍ତ ଯାହାର ଅନ୍ତିମ ସ୍ଥିତି ଶୂନ୍ୟ, ନିରର୍ଥକ । ତେବେ ଏଥିଲାଗି ଏତେ ଆଡ଼ମ୍ବର କିଆଁ ? ମୃତ୍ୟୁ ଦରବାରରେ ତ ସବୁ ଏକାକଥା, ସବୁରି କବର ଦିଆଯାଏ ତା ପିଙ୍ଗଳ ଚଉତରାରେ । ସେଇଥିପାଇଁ ସମ୍ଭବତଃ ଏ ବ୍ୟଗ୍ରତା, ଏ ଆକର୍ଷଣ, ଏ ଏକାତ୍ମୟତା !! ମୃତ୍ୟୁରେ ଯେଉଁ ଅମର ସ୍ପର୍ଶ, ଯେଉଁ ଅମୃତ ନିଦାନ ଓ ଯେଉଁ ଅନ୍ତରଙ୍ଗ ନିବିଡ଼ତା ନିହିତ ତାହା ଅନ୍ୟ କେଉଁଠି ନଥାଏ । ପ୍ରିୟ ବସ୍ତୁପାଇଁ, ଇପ୍‌ସିତ ପୁରୁଷର ସାନ୍ନିଧ୍ୟ ସକାଶେ, ଅପୂର୍ଣ୍ଣ ପ୍ରୟାସ ଓ ଅବଦମିତ ଇଚ୍ଛାମାନଙ୍କର ପରିପୂର୍ତ୍ତି ଓ ଅବରୁଦ୍ଧ କାମନାର ଚରିତାର୍ଥ ଲାଗି ମୃତ୍ୟୁର ସାମ୍ୟବାଦୀ ତୋରଣରେ ଆତ୍ମସମର୍ପଣ କରିବାଠାରୁ ଆଉ ନିଶ୍ଚିତ ପନ୍ଥା କିଛି ନାହିଁ । ସେଇଥିପାଇଁ ସମ୍ଭବତଃ କବିଙ୍କର ଏ ଉଦାସ ଓ ନିର୍ଲିପ୍ତ ସ୍ୱୀକାରୋକ୍ତି :- ‘‘I celebrate the silent kiss that ends short life or long." (୯୯) କାରଣ ମୃତ୍ୟୁର ତ୍ରିବେଣୀ ଘାଟରେ ହିଁ ଇସ୍‌ପିତ ପୁରୁଷ ସଙ୍ଗେ ମିଳିତ ହେବାର ଆଶା ଅଧିକ ଉଜ୍ଜଳ । ସେଇ ରାଧାଙ୍କ ଭାଷାରେ ‘‘ତମେ ଯଦି ତାଙ୍କପାଇଁ ନମରି ଥାନ୍ତ ମୁଁ/ଗୋଟାପଣେ ପାଇଥାନ୍ତି କିପରି ତୁମକୁ ? (୧୦୦) ଏ ଅଙ୍ଗୀକାର ରାଧାଙ୍କ ପାଇଁ ଯେତିକି ସତ୍ୟ, ଧର୍ମପଦ ଲାଗି ସେତିକି ପ୍ରଯୁଜ୍ୟ ଓ ଆମ ସଭିଙ୍କ ଜୀବନ ଧାରାରେ ବେଶ୍‌ ଯୋଖି ହେବ ।

 

ପ୍ରକରଣ ପଞ୍ଜି :

ରଥ ରମାକାନ୍ତ : କବିତା-୨୨-ଶ୍ରୀରାଧା, ଲାର୍କବୁକ୍‌ସ୍‌, ଷ୍ଟୋନିରୋଡ଼, କଟକ-୨, ପ୍ରଥମ ପ୍ରକାଶ, ୧୯୮୫

ରଥ ରମାକାନ୍ତ : ଅନାୟାସେ ନାଆଁଦିଆ କବିତା–ସପ୍ତମଋତୁ, ପୃଷ୍ଠା-୭୦, ଲାର୍କବୁକ୍‌ସ, ଲୁଇସ୍‌ରୋଡ଼, ଭୁବନେଶ୍ୱର-୧୯୭୭

ରଥ ରମାକାନ୍ତ : ଅନନ୍ତଶୟନ–ଅନେକ କୋଠରୀ-ପୃଷ୍ଠା-୨୭, ଲାର୍କବୁକ୍‌ସ, ଷ୍ଟୋନି ରୋଡ଼ କଟକ, ପ୍ରଥମ ସଂସ୍କରଣ, ୧୯୬୭

ୱେବ୍‌ଷ୍ଟର ଜନ୍‌: Dutchess of Malti–Acr. IV, Scene-II, Earnest Benn Ltd. London, 4th Impression-1971.

ମହାପାତ୍ର ସୀତାକାନ୍ତ : ମୃତ୍ୟୁନାଚ-ଅଷ୍ଟପଦୀ-ପୃଷ୍ଠା-୧ ଗ୍ରନ୍ଥମନ୍ଦିର, ବିନୋଦବିହାରୀ, କଟକ-୨, ୧ମ ସଂସ୍କରଣ, ୧୯୬୭ ।

ତତ୍ରୈବ ।

ଏଲିଏଟ ଟି.ଏସ. : Hollow Men–Selected poem of T.S.Eliot, p.p. 78-79, Faber and Faber Ltd. London, 1969

ଏଲିଏଟ ଟି.ଏସ. :What the Thunder Said-The Waste Land p.p. 64, Faber and Faber Limited, Rasell Square, London, 1969.

ୱେବଷ୍ଟର ଜନ : Dutchess of Malfi-Act IV. Scene-II p.p. 68, Earnest Benn Ltd. London, 1971

୧୦

ମିଲ୍‌ଟନ ଜନ : Paradise Lost-Book I-p.p.-I Macmillan Co, Ltd

୧୧

ୟେଟ୍‌ସ ବଟ୍‌ଲର ଉଇଲିୟମ :W.B. Yeats : Selected poems-Death-p.p.142, Macmillan & Co. Ltd. 1969.

୧୨

ତତ୍ରୈବ ।

୧୩

ମିଲ୍‌ଟନ ଜନ : Paradise Lost-Book-I, p.p.1,Macmillan.

୧୪

ଜୈନ ମୋତିଲାଲ ସଂକଳିତ : ଶ୍ରୀମଦ୍‌ ଭଗବତ ଗୀତା, ଗୀତାପ୍ରେସ, ଗୋରଖପୁର, ୧୧ଶ ଅଧ୍ୟାୟ-ଶ୍ଳୋକ-୩୩ ।

୧୫

ସେକ୍‌ସପିୟର ଉଇଲିୟମ୍‌: Hamlet the Prince of Denmark-Complete Work of W. Shakespeare-ELBS, London, 1968.

୧୬

ସେକ୍‌ସପିୟର ଉଇଲିୟମ :Kinglear Complete Work, ELBS, London, 1968.

୧୭

ୟେଟସ୍ ଡବ୍ଳ୍ୟୁ.ବି :The Second Coming-Golden Treasure, Oxford University Press, Newyork Toronto, 1965.

୧୮

ଗୋସ୍ୱାମୀ ଜୟଦେବ : ଗୀତଗୋବିନ୍ଦ, ସମ୍ପାଦନା କେଦାରନାଥ ମହାପାତ୍ର, କଟକ-ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର ।

୧୯

ଜୈନ ମୋତିଲାଲ : ଶ୍ରୀମଦ୍‌ ଭଗବତଗୀତା-୧୧ଶ ଅଧ୍ୟାୟ, ଗୀତାପ୍ରେସ, ଗୋରଖପୁର ।

୨୦

ଏଲିଏଟ ଟି.ଏସ : Waste Land-Faber and Feber, London, 1969.

୨୧

ଏଲିଏଟ ଟି.ଏସ : Hollow Men-Selected Poems, Feber & Faber.

୨୨

ତତ୍ରୈବ ।

୨୩

ହେମିଙ୍ଗୱେ ଆର୍‌ନେଷ୍ଟ : The Sun Also Rises (FIESTA)-Jonathan Cape 30-Bedtord Square, London, 1967

୨୪

ରଥ ରମାକାନ୍ତ-ଅନେକ କୋଠରୀ-ଯୀଶୁଖ୍ରୀଷ୍ଟ-ପୃଷ୍ଠା-୨୨, ଲାର୍କବୁକ୍‌ସ, ୧୯୬୭ ।

୨୫

ରଥ ରମାକାନ୍ତ-ତତ୍ରୈବ ।

୨୬

ୟେଟସ୍‌ଡ଼ବ୍ଳ୍ୟୁ.ବି. Sailing to Byzantium-The Tower, p.p. 104, Macmillan.

୨୭

ତତ୍ରୈବ ।

୨୮

ରଥ ରମାକାନ୍ତ-ଅନେକ କୋଠରୀ-ଅନନ୍ତ ଶୟନ-ପୃଷ୍ଠା-୨୬, ଲାର୍କ ବୁକ୍‌ସ ।

୨୯

ଅତ୍ରୈବ ।

୩୦

ଅତ୍ରୈବ

୩୧

ଅତ୍ରୈବ

୩୨

ଓରୱେଲ ଜର୍ଜ-Nineteen Eightyfour-Penguine Books

୩୩

ୟେଟସ୍‌ ଡ଼ବ୍ଳ୍ୟୁ.ବି.- Saining to Byzantium-W.B. Yeats : Selection of Poems.

୩୪

ଅତ୍ରୈବ

୩୫

ଅତ୍ରୈବ ।

୩୬

ଡବସନ, ହେନେରୀ ଅଷ୍ଟିନ୍‌: The Fame and Friendship : Selection in English Poems, B. S. E. Orissa, Cuttack, p.p. 67, 1966.

୩୭

ସିଂହ ରବୀନ୍ଦ୍ର ନାଥ : ଲାଲ ପାଗୋଡ଼ାର ପ୍ରେତ-ପୃଷ୍ଠା-୬, ପ୍ରଗତି ପବ୍ଲିଶର୍ସ କଟକ-୧୯୬୩

୩୮

ଗୋସ୍ୱାମୀ କୃଷ୍ଣଦାସ : ଚୈତନ୍ୟ ଚରିତାମୃତ-ଦେବ ସାହିତ୍ୟ କୁଟୀର, କଲିକତା-୯,୧୯୯୨

୩୯

ୟେଟସ ଡବ୍ଲ୍ୟୁ.ବି. : Byzantium-The Winding Stairs and other Poems.

୪୦

ମାନସିଂହ ଡଃ ମାୟାଧର : କୋଣାର୍କ, କବିତା ପ୍ରବେଶ, ଓଡ଼ିଆ ମାଧ୍ୟମିକ ବୋର୍ଡ଼, ୧୯୫୨

୪୧

ତତ୍ରୈବ ।

୪୨

ସିଂହ ରବୀନ୍ଦ୍ର ନାଥ : ଲାଲପାଗୋଡ଼ାର ପ୍ରେତ-ପୃଷ୍ଠା-୨୫, ପ୍ରଗତିପବ୍ଲିଶର୍ସ, କଟକ, ୧୯୬୩

୪୩

ତତ୍ରୈବ

୪୪

ତତ୍ରୈବ

୪୫

ତତ୍ରୈବ ।

୪୬

ଶ’ ଜର୍ଜ ବର୍ଣ୍ଣାଡ଼ : Saint Joan, Penguine Publication, 1963.

୪୭

ସିଂହ ରବୀନ୍ଦ୍ର ନାଥ : ଲାଲପାଗୋଡ଼ାର ପ୍ରେତ, ପୃଷ୍ଠା-୧୯, ପ୍ରଗତିପବ୍ଲିଶର୍ସ, କଟକ

୪୮

ଦାସ ଗୋପବନ୍ଧୁ : ଧର୍ମପଦ, ଗୋପବନ୍ଧୁ ସାହିତ୍ୟ ମନ୍ଦିର, କଟକ

୪୯

ତତ୍ରୈବ

୫୦

ଭଟ୍ଟାଚାର୍ଯ୍ୟ ସୁକାନ୍ତ : ଛାଡ଼ପତ୍ର-ଚିଲ

୫୧

ରଥ ରମାକାନ୍ତ-ଅନେକ କୋଠରୀ-ଅନନ୍ତଶୟନ, ପୃ-୨୬, ଲାର୍କ ବୁକ୍‌ସ, କଟକ

୫୨

ରଥ ରମାକାନ୍ତ-କେତେ ଦିନର-ଧର୍ମପଦର ଆତ୍ମହତ୍ୟା, ଲାର୍କ ବୁକ୍‌ସ, ୧୯୬୨

୫୩

ତତ୍ରୈବ ।

୫୪

ରଥ ରମାକାନ୍ତ-ସପ୍ତମଋତୁ-ପୃ-୨୭, ଲାର୍କବୁକ୍‌ସ, ୧୯୭୭

୫୫

ତତ୍ରୈବ

୫୬

ତତ୍ରୈବ

୫୭

ତତ୍ରୈବ ।

୫୮

Books Cleanth & Wimsatt, K. J.R, William-Literary Criticism : Oxford BH Publishing Co. Culcutta, Bombay, Delhi-p.p. 44, 1974.

୫୯

ରଥ ରମାକାନ୍ତ-ସପ୍ତମଋତୁ-ପୃ-୫୬, ଲାର୍କ ବୁକ୍‌ସ, ୧୯୭୬

୬୦

ତତ୍ରୈବ

୬୧

ତତ୍ରୈବ

୬୨

ତତ୍ରୈବ ।

୬୩

ରଥ ରମାକାନ୍ତ-ଶ୍ରୀରାଧା-କବିତା ନଂ ୧୫, ପୃ-୩୪, ଲାର୍କ ବୁକ୍‌ସ

୬୪

ଅତ୍ରୈବ ।

୬୫

ରଥ ରମାକାନ୍ତ-ଅନେକ କୋଠରୀ-ଅନନ୍ତ ଶୟନ, ପୃ-୨୭

୬୬

ତତ୍ରୈବ

୬୭

ତତ୍ରୈବ

୬୮

ଟେନିସନ ଲର୍ଡ଼ ଆଲଫ୍ରେଡ଼-In Memoriam, The Poems of A.L. Tennyson Vol-I, E.p. Dutton & co. Newyork, Reprinted, 1918.

୬୯

ରଥ ରମାକାନ୍ତ-ଅନେକ କୋଠରୀ-ଅନନ୍ତଶୟନ-ପୃ-୨୯, ଲାର୍କ ବୁକ୍‌ସ

୭୦

ତତ୍ରୈବ ।

୭୧

ସେକ୍‌ସପିୟର ଉଇଲିୟମ-Act-IV, Scene-XIII, Arden Shakespeare, Mathuen and Co. Ltd. London, Reprinted 1970,

୭୨

ୟେଟସ୍‌ ଡ଼ବ୍ଳ୍ୟୁ.ବି.-Sailing to Byzantium, W.B. Yeats : Selected Poems.

୭୩.

ୟେଟସ୍‌ ଡ଼ବ୍ଳ୍ୟୁ.ବି.-Second Coming-Golden Treasure, Oxford University press, Toronto, 1965.

୭୪

ମହାପାତ୍ର ସୀତାକାନ୍ତ-ଅଷ୍ଟପଦୀ-ମୃତ୍ୟୁନାଚ, ଗ୍ରନ୍ଥମନ୍ଦିର, କଟକ-୨, ୧୯୬୭

୭୫

ମହାନ୍ତି ଗୁରୁପ୍ରସାଦ : ସମୁଦ୍ର ସ୍ନାନ

୭୬

ରଥ ରମାକାନ୍ତ : ଅନେକ କୋଠରୀ-ଅନନ୍ତଶୟନ-ପୃ-୩୩, ଲାର୍କ ବୁକ୍‌ସ

୭୭

ଏଲିଏଟ ଟି.ଏସ : What Thunder said-The Waste Land, Faber and Faber

୭୮

ମହାପାତ୍ର ସୀତାକାନ୍ତ : ମାଟି ଓ ମଣିଷ-ଅଷ୍ଟପଦୀ, ଗ୍ରନ୍ଥମନ୍ଦିର, କଟକ, ୧୯୬୭

୭୯

ଏଲିଏଟ ଟି. ଏସ : The Waste Land.

୮୦

ରଥ ରମାକାନ୍ତ :-ସଚିତ୍ର ଅନ୍ଧାର-ମରୁଭୂମି-ପୃ-୧୨୬, ଲାର୍କ ବୁକ୍‌ସ, ଭୁବନେଶ୍ୱର, ୧୯୮୨

୮୧

ରଥ ରମାକାନ୍ତ-ଶ୍ରୀରାଧା-ପୃ-୭୭, ଲାର୍କ ବୁକ୍‌ସ

୮୨

ରଥ ରମାକାନ୍ତ- ସପ୍ତମଋତୁ-ଦ୍ୱିତୀୟ ବିଚାରକ-ପୃ-୨, ଲାର୍କ ବୁକ୍‌ସ

୮୩

ରଥ ରମାକାନ୍ତ-ଶ୍ରୀରାଧା-ପୃ-୧୨ । ୮୪-ଶ୍ରୀରାଧା-ପୃ-୧୦୯ । ୮୫-ଶ୍ରୀରାଧା, ପୃ-୧୧୪

୮୬

ଅତ୍ରୈବ

୮୭

ରଥ ରମାକାନ୍ତ : ସପ୍ତମଋତୁ-ତମେ ଚାଲିଯିବା ପରେ-ପୃ-୪୯-୫୦, ଲାର୍କ ବୁକ୍‌ସ

୮୮

ରଥ ରମାକାନ୍ତ : ଅନେକ କୋଠରୀ-ଅନନ୍ତଶୟନ, ପୃ-୨୬,

୮୯

ତତ୍ରୈବ ।

୯୦

ଠାକୁର ରବୀନ୍ଦ୍ର ନାଥ : ମୃତ୍ୟୁଗୀତି-ସଂଚୟିତା

୯୧

ଶତପଥୀ ଡ଼ଃ ପ୍ରତିଭା : ନିୟତବସୁଧା (ସବା ସାନପୁଅ) କବିତାଚୟନ-ପୃ-୧୨୭, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ୧୯୮୧

୯୨

ତତ୍ରୈବ ।

୯୩

ରଥ ରମାକାନ୍ତ-ଚିତ୍ରପ୍ରତିମା-ସପ୍ତମଋତୁ

୯୪

ରଥ ରମାକାନ୍ତ : ଶ୍ରୀ ରାଧା

୯୫

ଶତପଥୀ ଡଃ ପ୍ରତିଭା : ସବା ସାନପୁଅ (ନିୟତବସୁଧା) କବିତାଚୟନ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ୧୯୮୧

୯୬

ଠାକୁର ରବୀନ୍ଦ୍ର ନାଥ-ମୃତ୍ୟୁଗୀତି-ସଂଚୟିତା

୯୭

ସେକ୍‌ସପିୟର ଉଇଲିୟମ : Macbeth-Act-V-Last Scene, Arden shakespeare.

୯୮

ତତ୍ରୈବ

୯୯

ୟେଟ୍‌ସ ଡବ୍ଳ୍ୟୁ.ବି. : The Tower, Selected Poems.

୧୦୦

ରଥ ରମାକାନ୍ତ-ଶ୍ରୀ ରାଧା-କବିତା-୬୧, ଲାର୍କ ବୁକ୍‌ସ

 

ଠିକଣା : ଘରନଂ ୩ ଆର୍‌ ୫/୪ କଳ୍ପନାଞ୍ଚଳ, ଭୁବନେଶ୍ୱର-୭୫୧୦୧୪

 

***

 

ଏକାଡେମୀ ସମାଚାର

 

ଆର୍ତ୍ତ ବଲ୍ଲଭ ସ୍ମାରକୀ ବକ୍ତୃତାମାଳା ।

ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ‘‘ଡଃ ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୃତାମାଳା’’ ତା 23-12-93, 24-12-93 ଦୁଇଦିନ ବ୍ୟାପୀ ସ୍ଥାନୀୟ ଭଞ୍ଜକଳାମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଶରତ କୁମାର କର 23 ତାରିଖ ସନ୍ଧ୍ୟାରେ ଏହି ଦୁଇଦିନିଆ ବକ୍ତୃତାମାଳା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଭାଷାତତ୍ତ୍ୱବିତ୍‌ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ ଏବଂ ଅନ୍ୟାନ୍ୟ ପଡ଼ୋଶୀ ଭାଷା ସହ ଏହାର ସମ୍ପର୍କ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ଉଦ୍‌ଘାଟନ ଉତ୍ସବରେ ପୌରୋହିତ୍ୟ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ଇନ୍ଦୂ ଭୁଷଣ କର ସ୍ୱାଗତ ଭାଷଣ ଦେଇ 1964 ମସିହାରୁ ଆରମ୍ଭ ହୋଇଥିବା ଆର୍ତ୍ତବଲ୍ଲଭ ସ୍ମାରକୀ ବକ୍ତୃତାମାଳାରେ ବର୍ତ୍ତମାନ ସୁଦ୍ଧା 7ଟି ବକ୍ତୃତା ପ୍ରଦାନ କରାଯାଇଥିବା ବିଷୟ ପ୍ରକାଶ କରିଥିଲେ ।

 

ସଂସ୍କୃତି ମନ୍ତ୍ରୀ ଶ୍ରୀ କର ଆର୍ତ୍ତବଲ୍ଲଭଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ କରି ବକ୍ତୃତାମାଳାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଡ. ଦେବୀପ୍ରସନ୍ନ ପଟ୍ଟନାୟକ ସ୍ମାରକୀ ବକ୍ତୃତା ପ୍ରଦାନ କରି ଓଡ଼ିଆ ଭାଷାର କ୍ରମବିକାଶ ସମ୍ପର୍କରେ ଏକ ସାରଗର୍ଭକ ଭାଷଣ ଦେଇଥିଲେ ।

 

ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ତାଙ୍କର ଅଭିଭାଷଣରେ ଆର୍ତ୍ତବଲ୍ଲଭଙ୍କ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ବ୍ୟକ୍ତିତ୍ୱ ଅଧ୍ୟୟନ ଗବେଷଣା ଓ ଲୁପ୍ତ ସାହିତ୍ୟର ପୁନରୁଦ୍ଧାର ଦିଗରେ ତାଙ୍କର ଆଜୀବନ ସାଧନା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସ୍ୱର୍ଗତ ଆର୍ତ୍ତବଲ୍ଲଭଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ୱରଚିତ ଏକ କବିତା ସେ ଆବୃତ୍ତି କରିଥିଲେ ।

 

ସଭାପତିଙ୍କ ଅଭିଭାଷଣ ପରେ ଡ. ରାଜେନ୍ଦ୍ର ପ୍ରସାଦ ଦାସ, ଡ. ବାସୁଦେବ ସାହୁ, ଡ. କୃଷ୍ଣଚରଣ ସାହୁ ଓ ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ ପ୍ରମୁଖ ସ୍ମାରକୀ ବକ୍ତୃତା ଉପରେ ବିଭିନ୍ନ ପ୍ରଶ୍ନ ଉତ୍‌ଥାପନ କରିଥିଲେ ଏବଂ ଡ. ପଟ୍ଟନାୟକ ସେ ସବୁର ଉତ୍ତର ଦେଇଥିଲେ । ଶେଷରେ ଏକାଡେମୀର ସହସମ୍ପାଦକ ଶ୍ରୀ କୈଳାସ ବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଝାରସୁଗୁଡ଼ାରେ କବିତା ପାଠୋତ୍ସବ ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଝାରସୁଗୁଡ଼ା ସାହିତ୍ୟ ସଂସ୍କୃତି ସଂସଦର ମିଳିତ ଆନୁକୂଲ୍ୟରେ ତା 5-1-93 ରିଖଠାରୁ 7-1-93 ତିନିଦିନ ବ୍ୟାପୀ ସ୍ଥାନୀୟ ନଗର ପାଳିକା ନାଟ୍ୟମଣ୍ଡପ ଠାରେ ଏକ ମନୋଜ୍ଞ କବିତା ପାଠୋତ୍ସବର ଆୟୋଜନ କରାଯାଇ ଥିଲା । ଏହି କବିତା ପାଠୋତ୍ସବକୁ ଓଡ଼ିଶାର ବୟୋଜ୍ୟେଷ୍ଠ କବି ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କବି କ୍ରାନ୍ତିକାରୀ ସ୍ରଷ୍ଟା ଓ ସାମ୍ପ୍ରତିକ ପରିପ୍ରେକ୍ଷୀରେ ଜାତିପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିବାପାଇଁ କବିତାର ସୃଷ୍ଟି ଅପରିହାର୍ଯ୍ୟ ବୋଲି ଶ୍ରୀ ଗଡ଼ନାୟକ ସ୍ୱୀୟ ଉଦ୍‌ଘାଟନୀ ଅଭିଭାଷଣରେ କହିଥିଲେ ।

 

ଏକାଡେମୀର ଉପସଭାପତି ଶ୍ରୀ ବିନୋଦଚନ୍ଦ୍ର ନାୟକ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଆଧୁନିକ ଓଡ଼ିଆ କବିତାର ଆଙ୍ଗିକ ଓ ଆତ୍ମିକ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ ।

 

ଏକାଡେମୀ ପକ୍ଷରୁ ସର୍ବଶ୍ରୀ ରାଧାମୋହନ ଗଡ଼ନାୟକ, ଡଃ. ବିନୋଦଚନ୍ଦ୍ର ନାୟକ, ଶ୍ରୀ ରବିସିଂ, ଶ୍ରୀ ହୁସେନରବି ଗାନ୍ଧୀ, ଡଃ ହାଡ଼ିବଂଧୁ ମିର୍ଦ୍ଧା, ଶ୍ରୀ ଗଣେଶ ପ୍ରସାଦ ପଟେଲ, ଶ୍ରୀ ଶଶିଭୂଷଣ ଦାସ, ଶ୍ରୀ ଇନ୍ଦୁଭୂଷଣ କର, ଶ୍ରୀ ଫକୀରମୋହନ ପଟ୍ଟନାୟକ, ଡଃ ମନୋରମା ମହାପାତ୍ର (ବିଶ୍ୱାଳ) ଏବଂ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ପ୍ରମୁଖ କବିବୃନ୍ଦ ସ୍ୱରଚିତ କବିତା ଆବୃତି କରିଥିଲେ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ, ଓଡ଼ିଶୀନୃତ୍ୟ, ଭଜନ ଓ ଜଣାଣ ପରିବେଷଣ କରାଯାଇଥିଲା । ଶ୍ରୀମତୀ ଅଳକାଚାନ୍ଦ ଓ ତାଙ୍କର ସାଥୀବୃନ୍ଦ ସଙ୍ଗୀତ ପରିବେଷଣ କରିଥିଲେ ।

 

ଫକୀରମୋହନଙ୍କ ୧୫୧ ତମ ଜୟନ୍ତୀ ପାଳନ ।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବ୍ୟାସକବି ଫକୀରମୋହନ ସେନାପତିଙ୍କର ୧୫୧ତମ ଜୟନ୍ତୀ ସମାରୋହ ଉପଲକ୍ଷେ ତା ୧୪-୧-୯୩ ରିଖରେ ବାଲେଶ୍ୱରସ୍ଥ ଗାନ୍ଧୀସ୍ମୃତି ଭବନଠାରେ ‘‘ଓଡ଼ିଆ ସାହିତ୍ୟକୁ ଫକୀରମୋହନଙ୍କ ଅବଦାନ’’ ଶୀର୍ଷକ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ଓଡ଼ିଶାର ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଶରତ କୁମାର କର ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ । ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଶାନ୍ତିକାନନସ୍ଥ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ସଂସ୍କୃତିମନ୍ତ୍ରୀ ଏବଂ ଏକାଡେମୀ ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ପୁଷ୍ପାଞ୍ଜଳି ଅର୍ପଣ କଲାପରେ ସଭା ଆରମ୍ଭ ହୋଇଥିଲା । ଅପରାହ୍‌ଣ ୫ ଘଣ୍ଟାରେ ଅନୁଷ୍ଠିତ ‘‘ଓଡ଼ିଆ ସାହିତ୍ୟକୁ ଫକୀରମୋହନଙ୍କ ଅବଦାନ’’ ଶୀର୍ଷକ ଆଲୋଚନାଚକ୍ରରେ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ସଭାପତିତ୍ୱ କରିଥିଲେ ଏବଂ ଏକାଡେମୀର ସମ୍ପାଦକ ଶ୍ରୀ ଇନ୍ଦୁଭୂଷଣ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଡଃ କୃଷ୍ଣପ୍ରସାଦ ମିଶ୍ର ଏବଂ ଡଃ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଏହି ଆଲୋଚନାଚକ୍ରରେ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରିଥିଲେ ।

 

ବ୍ରଜରାଜ ସିଂହଦେଓ ଜୟନ୍ତୀ ।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଖଡ଼ିଆଳ ସାହିତ୍ୟ ସମିତିଙ୍କ ସହଯୋଗିତାରେ ତା 27-1-93 ରିଖରେ ଖଡ଼ିଆଳସ୍ଥ ବୀର ବିକ୍ରମମଣ୍ଡପଠାରେ ବ୍ରଜରାଜ ସିଂହଦେଓଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତଦିନ ପୂର୍ବାହ୍ନ ଦଶଘଣ୍ଟା ସମୟରେ କବି ସୌରଭ ଶ୍ରୀ ଅନୁପସିଂହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ଏକାଡେମୀ ସମ୍ପାଦକ ଶ୍ରୀ ଇନ୍ଦୁଭୂଷଣ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଉତ୍ସବରେ ଏକାଡେମୀର ଉପସଭାପତି ଡଃ ବିନୋଦଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ଜିତାମିଶ୍ର ସିଂହଦେଓଙ୍କ ରଚିତ ‘‘ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜ ରାଜା ବ୍ରଜରାଜ ସିଂହଦେଓ’ ନାମକ ପୁସ୍ତକ ଡଃ ନାୟକ ଉନ୍ମୋଚନ କରିଥିଲେ । ଏହି ଅଧିବେଶନରେ ଖଡ଼ିଆଳ ସାହିତ୍ୟ ସମିତିଙ୍କ ପକ୍ଷରୁ ଶ୍ରୀ ଅନୁପ ସିଂହଦେଓଙ୍କୁ ‘କବି ଶ୍ରୀ’ ଉପାଧିରେ ସମ୍ମାନିତ କରାଯାଇ ଏକ ମାନପତ୍ର ପ୍ରଦାନ କରାଯାଇଥିଲା । ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଶ୍ରୀ ଅଭୟ ଚରଣ ଚାଲାନ୍ ଏବଂ ଏକାଡେମୀର ସଭ୍ୟ ଶ୍ରୀ ନୀଳଲୋହିତ ସିଂହଦେଓ ଏହି ଉତ୍ସବରେ ଯୋଗଦାନ କରି ବ୍ରଜରାଜଙ୍କୁ ଉତ୍କଳର ବିକ୍ରମାଦିତ୍ୟ ରୂପେ ଅଭିହିତ କରିଥିଲେ ।

 

କବି ଶ୍ରୀ ଗୋପାଳକୃଷ୍ଣ ରଥ ଏହି ଉତ୍ସବରେ ସମ୍ମାନିତ ବକ୍ତାଭାବେ ଯୋଗଦାନ କରି ଆଧୁନିକ କବିର ଦୃଷ୍ଟି, ସାମାଜିକ ଅଙ୍ଗୀକାର, ଆଧୁନିକ କବିତାର କାବ୍ୟାଦର୍ଶ କବିର ଜୀବନ ଓ ସମାଜକୁ ତା’ର ଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ବିଜୟ କୁମାର ବାରିକ ଏହି ଉତ୍ସବରେ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ଏହି ଉତ୍ସବର ଦ୍ୱିତୀୟ ଅଧିବେଶନ ଅପରାହ୍‍ଣ ୩.୩୦ଘଣ୍ଟା ସମୟରେ ଆରମ୍ଭ ହୋଇଥିଲା । ପଣ୍ଡିତ ପ୍ରୟୋଗଦତ୍ତ ଯୋଶୀ ଏହି ଅଧିବେଶନରେ ବକ୍ତାଭାବେ ଯୋଗଦାନ କରି ଖଡ଼ିଆଳ ଅଞ୍ଚଳରେ ସାହିତ୍ୟ ସାଧନାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ଡଃ ହରେକୃଷ୍ଣ ମେହେର ଅନ୍ୟତମ ବକ୍ତାଭାବେ ଯୋଗଦାନ କରି ବ୍ରଜରାଜଙ୍କ କାବ୍ୟ ପ୍ରତିଭା ଓ ବ୍ୟକ୍ତିତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ଅଧିବେଶନରେ ଏକାଡେମୀର ଉପସଭାପତି ଡଃ ବିନୋଦଚନ୍ଦ୍ର ନାୟକ ଅଧକ୍ଷତା କରିଥିଲେ । ଶେଷରେ ଖଡ଼ିଆଳ ସାହିତ୍ୟ ସମିତିର ଉପସଭାପତି ଶ୍ରୀ ମୋହିତ ମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

ଆଦିକବି ସାରଳାଦାସ ଶ୍ରାଦ୍ଧୋତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୩୦-୧-୯୩ ରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ ସାରଳା ସମାଧିପୀଠ, ତେନ୍ତୁଳିପଦାଠାରେ ଆଦିକବି ସାରଳାଦାସଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା ।

 

ଶ୍ରୀ ଶରତକୁମାର କର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ଉଦ୍‍ଘାଟକ ଭାବରେ ଯୋଗଦାନ କରିଥିଲେ । ଶ୍ରୀ ହୃଦାନନ୍ଦ ରାୟ ମୁଖ୍ୟବକ୍ତା ଭାବରେ, ଶ୍ରୀ ସାତକଡ଼ି ହୋତା ଏବଂ ଶ୍ରୀ ମୁରାରୀମୋହନ ଜେନା ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ପୌରୋହିତ୍ୟ କରିଥିଲେ ।

 

ବିଦଗ୍ଧ କବି ଅଭିମନ୍ୟୁଙ୍କ ଜୟନ୍ତୀ ଉପଲକ୍ଷେ ସାହିତ୍ୟ ସଭା ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦଙ୍କ ଯୁଗ୍ମ ଆନୁକୂଲ୍ୟରେ ତା 30-1-93 ରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଜନ୍ମପୀଠ ଅଭିମନ୍ୟୁ ବାଲିଆଠାରେ କବିଙ୍କ 236ତମ ଜୟନ୍ତୀ ଉପଲକ୍ଷେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଅଛି-। ଏହି ସଭାରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଅଧ୍ୟାପକ ପଠାଣି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଏବଂ ଶ୍ରୀମତୀ ବୀଣାଦେବୀ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ମୁଖ୍ୟଅତିଥି ପ୍ରାଧ୍ୟାପକ ପଠାଣି ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ସାହିତ୍ୟ ସଭାକୁ ଅନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ ଏବଂ ଅଭିମନ୍ୟୁଙ୍କ ସାହିତ୍ୟ ସୃଷ୍ଟିରେ ବୈଷ୍ଣବୀୟ ପରମ୍ପରା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ବକ୍ତା ଶ୍ରୀମତୀ ବୀଣାଦେବୀ ଅଭିମନ୍ୟୁ ସାହିତ୍ୟରେ କାବ୍ୟିକ ଛାନ୍ଦଶୈଳ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

 

ଏହି ସଭାରେ ଏକାଡେମୀର ଉପସଭାପତି ଶ୍ରୀ ବିନୋଦଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ ଏବଂ ସହସମ୍ପାଦକ ଶ୍ରୀ କୈଳାସ ବିହାରୀ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

 

ଅଭିମନ୍ୟୁ ସାହିତ୍ୟ ପରିଷଦର ସମ୍ପାଦକ ଡକ୍ଟର ରବିନ୍ଦ୍ର କୁମାର ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଉତ୍କଳଭାରତୀ କୁନ୍ତଳାକୁମାରୀଙ୍କ ଜୟନ୍ତୀ

ତା ୮-୨-୯୩ ରିଖ ସନ୍ଧ୍ୟା ୬-୩୦ ସମୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳଭାରତୀ କୁନ୍ତଳାକୁମାରୀ ସାବତଙ୍କ ୯୩ତମ ଜୟନ୍ତୀ ପାଳନ ଉପଲକ୍ଷେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନଠାରେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା ।

 

ଏହି ସଭାରେ ଅଧ୍ୟକ୍ଷତା କରି ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର କୁନ୍ତଳାକୁମାରୀ ସାବତଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରି କହିଲେ ଯେ ତାଙ୍କ ସାହିତ୍ୟରେ ମାନବବାଦର ଯେଉଁ ପରିପ୍ରକାଶ ଘଟିଛି ତାହା ଓଡ଼ିଆ ସାହିତ୍ୟରେ ଅନ୍ୟତ୍ର ବିରଳ ।

 

ଏହି କାର୍ଯ୍ୟକ୍ରମର ଉଦ୍‍ଘାଟକ ଅଧ୍ୟାପକ ଡଃ କୃଷ୍ଣଚରଣ ବେହେରା କୁନ୍ତଳାକୁମାରୀଙ୍କ ସାହିତ୍ୟରେ ଉଚ୍ଚକୋଟୀର ଆଧ୍ୟାତ୍ମିକ ଭାବଧାରା ନିହିତ ରହିଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ବକ୍ତାଭାବରେ ଯୋଗଦାନ କରି ଅଧ୍ୟକ୍ଷା ଡଃ ରେଖାମହାନ୍ତି କୁନ୍ତଳାକୁମାରୀଙ୍କ ରଚିତ ପାଞ୍ଚଗୋଟି କ୍ଷୁଦ୍ର ଉପନ୍ୟାସ ସମ୍ପର୍କରେ ଆଲୋଚନା କରିଥିଲେ ।

 

ଅନ୍ୟତମ ବିଶିଷ୍ଟ ବକ୍ତା ଡକ୍ଟର ରତ୍ନାକର ଚଇନି ଏବଂ ଡଃ ଇନ୍ଦୁମିଶ୍ର କୁନ୍ତଳାକୁମାରୀଙ୍କ ସାହିତ୍ୟର ବିଭିନ୍ନ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

 

କାର୍ଯ୍ୟକ୍ରମ ଆରମ୍ଭରେ ଏକାଡେମୀର ସହସମ୍ପାଦକ ଶ୍ରୀ କୈଳାସ ବିହାରୀ ଦାସ ତାଙ୍କର ପ୍ରାରମ୍ଭିକ ଭାଷଣରେ ଏହି କାର୍ଯ୍ୟରେ ଯୋଗଦାନ କରିଥିବା ବିଶିଷ୍ଟ ଅତିଥି ଓ ଶ୍ରୋତୃମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ଧନ୍ୟବାଦାର୍ପଣ କରିଥିଲେ ।

 

ପୁରସ୍କାର ପ୍ରଦାନ ଉତ୍ସବ ।

ତା ୨୨-୩-୯୩ ରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥ ସୂଚନାଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଆ ସାହିତ୍ୟର ତିନିଗୋଟି ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପୁସ୍ତକଗୁଡ଼ିକର ଲେଖକମାନଙ୍କୁ ୧୯୮୯ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟଙ୍କର ଅର୍ଥାନୁକୂଲ୍ୟରେ ପ୍ରବର୍ତ୍ତିତ ପୁରସ୍କାର ଉକ୍ତ ମସିହା ପାଇଁ ଶ୍ରେଷ୍ଠ ବିବେଚିତ ପୁସ୍ତକର ଲେଖକଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା ।

 

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପୁରସ୍କୃତ ହୋଇଥିବା ପୁସ୍ତକଗୁଡ଼ିକର ଲେଖକମାନଙ୍କୁ ତାମ୍ରଫଳକ ଓ ଦଶହଜାର ଟଙ୍କା ପରିମାଣର ନଗଦ ଅର୍ଥ ପ୍ରଦାନ କରିଥିଲେ । ଓଡ଼ିଶାର ମାନ୍ୟବର ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଏକାଡେମୀ ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ଏଥିରେ ପୌରୋହିତ୍ୟ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଏକାଡେମୀ ସମ୍ପାଦକ ଶ୍ରୀ ଇନ୍ଦୂଭୂଷଣ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଉପସଭାପତି ଡଃ ବିନୋଦଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

 

ବିଭିନ୍ନ ବିଭାଗରେ ପୁରସ୍କୃତ ହୋଇଥିବା ପୁସ୍ତକ ଓ ଲେଖକମାନଙ୍କର ନାମ ନିମ୍ନରେ ପ୍ରଦାନ କରାଗଲା ।

 

ଉପନ୍ୟାସ ବିଭାଗ

ବହ୍ନିବଳୟ

ଶ୍ରୀ ମଦନମୋହନ ମିଶ୍ର

ଗଳ୍ପ ବିଭାଗ

ମନ୍ୱନ୍ତରର ମାନବ

ଶ୍ରୀ ରାଜକିଶୋର ରାୟ

କାବ୍ୟକବିତା ବିଭାଗ

ଅନନ୍ତଶୟନ

ଶ୍ରୀମତୀ ଶକୁନ୍ତଳା ଦେବୀ

ନାଟକ ଏକାଙ୍କିକା ବିଭାଗ

ଏଇ ଯେ ସୂର୍ଯ୍ୟ ଉଏଁ

ଡଃ ବିଜୟକୁମାର ଶତପଥୀ

ପ୍ରବନ୍ଧ ଓ ସମାଲୋଚନା ବିଭାଗ

ରକ୍ତତୀର୍ଥଇରମ

ଡଃ ଜଗନ୍ନାଥ ପଟ୍ଟନାୟକ

ଜୀବନୀ, ଆତ୍ମଜୀବନୀ, ଅନୁବାଦ

ଓ ଭ୍ରମଣ ବୃତ୍ତାନ୍ତ ବିଭାଗ

କାରାଗାରର କାହାଣୀ

ଶ୍ରୀ ସୁରେନ୍ଦ୍ର ନାଥ ଦ୍ୱିବେଦୀ

ଶିଶୁ ସାହିତ୍ୟ ବିଭାଗ

ଗପୁଡ଼ି ଓ ପକୁଡ଼ି

ଶ୍ରୀ ନଦିଆ ବିହାରୀ ମହାନ୍ତି

ସଂସ୍କୃତ ସାହିତ୍ୟ ବିଭାଗ

ସୁରେନ୍ଦ୍ର ଚରିତମହାକାବ୍ୟମ୍

ପଣ୍ଡିତ ଦିଗମ୍ବର ମହାପାତ୍ର

 

ବୟୋଜ୍ୟେଷ୍ଠ ସାହିତ୍ୟ ସାଧକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ।

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା 29-3-93 ରିଖ ସନ୍ଧ୍ୟା 6.30 ଘଣ୍ଟା ସମୟରେ ପୁରୀ ଟାଉନ୍ ହଲ୍‍ଠାରେ ଓଡ଼ିଶାର ଆଠଜଣ ବୟୋଜ୍ୟେଷ୍ଠ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବାପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଶ୍ରୀ ରମାକାନ୍ତ ରଥ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସଂବର୍ଦ୍ଧିତ ସାହିତ୍ୟିକମାନଙ୍କୁ ତାମ୍ରଲେଖ, ପଶମ, ଉତ୍ତରୀୟ ଓ ଏକହଜାର ଏକ ପରିମାଣର ନଗଦ ଅର୍ଥ ପ୍ରଦାନ କରିଥିଲେ । ଏ ଅବସରରେ ସ୍ୱୀୟ ଅଭିଭାଷଣରେ ଶ୍ରୀ ରଥ ସଂପ୍ରତି ସଂଘଟିତ ସାମାଜିକ ପରିବର୍ତ୍ତନ ଫଳରେ ସାହିତ୍ୟ ସାଧକମାନେ ପୂର୍ବରୁ ଉପଭୋଗ କରି ଆସୁଥିବା ସାମାଜିକ ପ୍ରତିଷ୍ଠା ଓ ସମ୍ମାନରୁ ବଞ୍ଚିତ ହୋଇଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

 

ଏହି କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ସଭାପତିତ୍ୱ କରିଥିଲେ । ସଂବର୍ଦ୍ଧିତ ସାହିତ୍ୟିକମାନଙ୍କୁ ଓଡ଼ିଆ ସାହିତ୍ୟକୁ ସେମାନଙ୍କର ଅନବଦ୍ୟ ଅବଦାନ ପାଇଁ ସେ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶା ସାହିତ୍ୟ ଏକାଡେମୀଠାରୁ କିଞ୍ଚିତ ସ୍ୱୀକୃତି ଗ୍ରହଣ କରିବାଦ୍ୱାରା ସେମାନେ ଏକାଡେମୀର ଗୌରବ ମଣ୍ଡିତ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ଇନ୍ଦୁଭୂଷଣ କର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ ।

 

ସାମ୍ପ୍ରତିକ ସାହିତ୍ୟିକମାନଙ୍କ ମଧ୍ୟରୁ ଶ୍ରୀ ବଳରାମ ମହାନ୍ତି ତଥ୍ୟଭିତ୍ତିକ ରଚନାପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରବର୍ତ୍ତନ ପୂର୍ବକ ଏହି ପୁରସ୍କାରକୁ ବୟୋଜ୍ୟେଷ୍ଠ ସାମ୍ବାଦିକ ଡଃ ରାଧାନାଥ ରଥଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଥିଲେ । ପଣ୍ଡିତ ନୀଳମଣି ମିଶ୍ର ବଳରାମ ଦାସଙ୍କ ଦାଣ୍ଡିରାମାୟଣ ଏବଂ ସାରଳାଦାସଙ୍କ ବିଲଙ୍କା ରାମାୟଣର ଶୁଦ୍ଧ ସଂସ୍କରଣ ଏକାଡେମୀ ପକ୍ଷରୁ ପ୍ରକାଶ କରାଯିବାପାଇଁ ପ୍ରସ୍ତାବ ଦେଇଥିଲେ ।

 

ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିବା ବୟୋଜ୍ୟଷ୍ଠ ସାହିତ୍ୟିକମାନେ ହେଲେ ଶ୍ରୀ ବାଳମୁକୁନ୍ଦ ପଟ୍ଟନାୟକ, ଶ୍ରୀ ଶ୍ରୀଧର ଶତପଥୀ, ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣା, ଶ୍ରୀ ବଳରାମ ମହାନ୍ତି, ଶ୍ରୀମତୀ ବନଜାକ୍ଷୀ ପଣ୍ଡା, ଶ୍ରୀ ଗଣେଶ ପ୍ରସାଦ ପରିଜା, ଶ୍ରୀ ନୀଳମଣି ମିଶ୍ର ଏବଂ ଶ୍ରୀନିବାସ ଉଦ୍‍ଗାତା ।

 

କବି ଦୀନକୃଷ୍ଣ ଦାସ ଜୟନ୍ତୀ ।

ତା ୨୪-୪-୯୩ ରିଖରେ ଜଳେଶ୍ୱରସ୍ଥିତ ଗାନ୍ଧୀସେବାଶ୍ରମଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜଳେଶ୍ୱରସ୍ଥ ଦୀନକୃଷ୍ଣ ସ୍ମୃତି ପରିଷଦଙ୍କ ମିଳିତ ସହଯୋଗରେ କବି ଦୀନକୃଷ୍ଣ ଦାସଙ୍କର ଜୟନ୍ତୀ ପାଳନ ଅବସରରେ ଦୀନକୃଷ୍ଣଙ୍କ କାବ୍ୟ-ପ୍ରତିଭା ଶୀର୍ଷକ ଆଲୋଚନା-ଚକ୍ର ଅପରାହ୍ଣ ୪ ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା ।

 

ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ଉପସଭାପତି ଡଃ ବିନୋଦଚନ୍ଦ୍ର ନାୟକ, ସଂପାଦକ ଶ୍ରୀ ଇନ୍ଦୁଭୂଷଣ କର, ଦୀନକୃଷ୍ଣ ସ୍ମୃତି ପରିଷଦର ସଭାପତି ଶ୍ରୀ ବ୍ରଜେନ୍ଦ୍ରନାଥ ଦତ୍ତ, ସଂପାଦକ ବିପିନବିହାରୀ ବିଶ୍ୱାଳ ଏକାଡେମୀ ପକ୍ଷରୁ ନିମନ୍ତ୍ରିତ ବିଶିଷ୍ଟ ସାହିତ୍ୟିକ ଡଃ ବୈଷ୍ଣବ ଚରଣ ସାମଲ ଆଲୋଚନା-ଚକ୍ର କାର୍ଯ୍ୟକ୍ରମରେ ଯଥାକ୍ରମେ ସଭାପତି, ସମ୍ମାନିତ ବକ୍ତା, ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ, ସମ୍ମାନିତ ଅତିଥି, ଧର୍ମବାଦାର୍ପଣ, ମୁଖ୍ୟବକ୍ତା ରୂପେ ଭୂମିକା ଗ୍ରହଣ କରିଥିଲେ । ଆଲୋଚନା-ଚକ୍ର କାର୍ଯ୍ୟଟି ସଭାପତି ଶ୍ରୀମତୀ ମନୋରମା ମହାପାତ୍ରଙ୍କ ପ୍ରଦୀପ ପ୍ରଜ୍ୱଳନଦ୍ୱାରା ଉଦ୍ଘାଟିତ ହୋଇଥିଲା ।

 

ନିମନ୍ତ୍ରିତ ବିଶିଷ୍ଟ ସାହିତ୍ୟିକମାନେ କବିଙ୍କର ଫଟୋଚିତ୍ର ଓ ସେବାଶ୍ରମର ପ୍ରତିଷ୍ଠାତା ଶ୍ରୀନାଥଚନ୍ଦ୍ର କରଙ୍କ ପ୍ରତିମୂର୍ତ୍ତୀ ଉପରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସେବାଶ୍ରମର ଛାତ୍ରୀ କବିଙ୍କ କାବ୍ୟ ସୃଷ୍ଟିର କିୟଦଂଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରେ ପରେ କବି ଅନାଦି ଜେନା କବିଙ୍କ ରଚିତ କବିତା ଆବୃତ୍ତି କରିଥିଲେ । ଏହି ଆଲୋଚନାଚକ୍ରରେ ସମ୍ମାନିତ ବକ୍ତାଭାବେ ଡଃ ବିନୋଦଚନ୍ଦ୍ର ନାୟକ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଡଃ ବୈଷ୍ଣବଚରଣ ସାମଲ କବିଙ୍କର ‘‘କାବ୍ୟପ୍ରତିଭା ଜୀବନ ଇତିହାସ’’ ଶୀର୍ଷକ ପ୍ରବନ୍ଧ ପାଠ କରିଥିଲେ । ଦୀନକୃଷ୍ଣ ସ୍ମୃତି ପରିଷଦର ସଂପାଦକ ଶ୍ରୀ ବିପିନବିହାରୀ ବିଶ୍ୱାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସନ୍ଥକବି ଭୀମଭୋଇ ଜୟନ୍ତୀ ।

ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ପାଳନ ଅବସରରେ ରେଢ଼ାଖୋଲଠାରେ ତା ୬-୫-୯୩ ରିଖ ଦିନ ରେଢ଼ାଖୋଲସ୍ଥ ରାଜ୍ୟପ୍ରଶାସନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସାହିତ୍ୟିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ପ୍ରାତଃ ୭-୩୦ ଘଣ୍ଟା ସମୟରେ ଭୀମଭୋଇ ମହାବିଦ୍ୟାଳୟ ପରିସରରେ ସ୍ଥାପିତ କବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ପୂର୍ବାହ୍ନ ୯ଘଣ୍ଟା ସମୟରେ ସ୍ଥାନୀୟ କବିମାନଙ୍କଦ୍ୱାରା କବିତାପାଠ, ଅପରାହ୍ଣ ୫ଘଣ୍ଟା ସମୟରେ କନ୍ଧରାଠାରେ ସନ୍ଥକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବସନ୍ତ କୁମାର ମହାନନ୍ଦ ଶିଳାନ୍ୟାସ ଏବଂ ସନ୍ଧ୍ୟା 6.30 ଘଣ୍ଟା ସମୟରେ ସାହିତ୍ୟ ସଭା ଅନ୍ତର୍ଭୁକ୍ତ ହୋଇଥିଲା ।

 

ସନ୍ଧ୍ୟା ସମୟରେ ଆୟୋଜିତ ସାହିତ୍ୟ ସଭାରେ ଓଡ଼ିଶାର ବିଶିଷ୍ଟ କବି ଶ୍ରୀ ରାଜେନ୍ଦ୍ରକିଶୋର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବଟିକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ଶ୍ରୀ ଶରତକୁମାର କର ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଭୀମଭୋଇଙ୍କ ସାହିତ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଡଃ ବାଳକୃଷ୍ଣ ଶତପଥୀ ବକ୍ତାଭାବେ ଯୋଗଦାନ କରି ସନ୍ଥକବିଙ୍କ ମହିମାଧର୍ମୀ ସାହିତ୍ୟ ଅବତାରଣା କରିଥିଲେ । ଏକାଡେମୀ ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ରେଢ଼ାଖୋଲର ଉପଜିଲ୍ଲାପାଳ ଶ୍ରୀ ବିନୋଦବିହାରୀ ମହାନ୍ତି ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

ସାର ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ

ତା ୧୬-୫-୯୩ ରିଖରେ ପୂର୍ବାହ୍ନ ୯ ଘଣ୍ଟା ସମୟରେ ଦେବଗଡ଼ସ୍ଥ ବାସୁଦେବ ସୁଢ଼ଳଦେବ ଉଚ୍ଚବିଦ୍ୟାଳୟ ହଲ୍‍ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦଙ୍କ ମିଳିତ ଆନୁକୂଲ୍ୟରେ କବିତା ପାଠୋତ୍ସବର ଆୟୋଜନ କରାଯାଇଥିଲା । ଦେବଗଡ଼ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଶ୍ରୀ ପଦ୍ମନାଭ ସାହୁ ଏହି ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ । ଏକାଡେମୀର ଉପସଭାପତି ଡ଼ଃ ବିନୋଦଚନ୍ଦ୍ର ନାୟକ ଏବଂ ସମ୍ପାଦକ ଶ୍ରୀ ଇନ୍ଦୁଭୂଷଣ କର ଏଥିରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କବିତା ପାଠୋତ୍ସବରେ ତିରିଶ ଜଣ କବି/କବିୟତ୍ରୀ ଅଂଶଗ୍ରହଣ କରିଥିଲେ । କବିତାପାଠୋତ୍ସବ ପ୍ରାରମ୍ଭରେ ରାଜା ବାସୁଦେବଙ୍କ ଫଟୋଚିତ୍ର ଉପରେ ମାଲ୍ୟାର୍ପଣ ଏବଂ ପ୍ରଫୁଲ୍ଲଚନ୍ଦ୍ର ଗିରିଙ୍କ ଲିଖିତ ବାସୁଦେବଙ୍କ କର୍ମମୟଜୀବନ ଉପରେ ଆଧାରିତ କବିତାପାଠ ଏବଂ ଜଣାଣ ସ୍ଥାନୀୟ କବି ଶ୍ରୀ ପ୍ରସନ୍ନ ପଣ୍ଡାଙ୍କଦ୍ୱାରା ଗାନ କରାଯାଇଥିଲା ।

 

ସନ୍ଧ୍ୟା ୭-୩୦ଘଣ୍ଟା ସମୟରେ ରାଜା ବାସୁଦେବ ସୁଢ଼ଳଦେବ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସାର ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଏକ ସାହିତ୍ୟ ସଭା ଆୟୋଜନ କରାଯାଇଥିଲା । ସାହିତ୍ୟ ଏକାଡେମୀର ଉପ-ସଭାପତି ଡଃ ବିନୋଦଚନ୍ଦ୍ର ନାୟକ ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିରଞ୍ଜନ ପଣ୍ଡା ମୁଖ୍ୟ ଅତିଥି ଏବଂ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡଃ ଆଦିକନ୍ଦ ସାହୁ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରିଥିଲେ । ସଭା ଆରମ୍ଭରେ ଏକାଡେମୀ ସମ୍ପାଦକ ଶ୍ରୀ ଇନ୍ଦୂଭୂଷଣ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶ୍ରୀଗଜନ୍ନାଥ ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ମଧୁସୂଦନ ଗୁରୁ ଧନ୍ୟବାଦାର୍ପଣ କରିଥିଲେ ।

 

ରାତ୍ର ଆଠଘଣ୍ଟା ସମୟରେ ‘ବାମଣ୍ଡା କାଳକାର ସଂଘ’ ଦେବଗଡ଼ଦ୍ୱାରା ‘ଦୁର୍ନୀତି ତଳେ ମୁଁ’ ଶୀର୍ଷକ ପ୍ରଯୋଜିତ ନାଟକ ମଞ୍ଚସ୍ଥ କରାଯାଇଥିଲା ।

 

***

 

ସଂପାଦକୀୟ

।। କବିତା ଓ ଆର୍କିଟାଇପ୍।।

କବିତା ଶିଳ୍ପରେ ଆର୍କିଟାଇପ୍ (archetype) ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ସମାଲୋଚନା ପ୍ରେକ୍ଷାପଟରେ ଆପାତତଃ ଓଡ଼ିଆ ସାହିତ୍ୟରେ ତାହାର ଅବତାରଣା ପ୍ରାୟ ନାହିଁ । ଆର୍କିଟାଇପ୍‌ର ଓଡ଼ିଆ ପ୍ରତିଶବ୍ଦ ‘ଆଦିଆଦର୍ଶ’ ବା ‘ଆଦିକଥା’ ବୁଝାଉଥିଲେ ମଧ୍ୟ ବ୍ୟୁତ୍ପତ୍ତିଗତ ଭାବର ନିବିଡ଼ତା ଏଥିରେ ମିଳୁନଥିବାରୁ ଆର୍କିଟାଇପ୍ ମୂଳଶବ୍ଦଟିକୁ ଗ୍ରହଣ କରିନେବାଟାହିଁ ବାଞ୍ଛନୀୟ ।

 

ପ୍ରଥମେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଆପେକ୍ଷିକ ନୃତତ୍ତ୍ୱ ବିଭାଗ ଆର୍କିଟାଇପ୍‌ର ସାହିତ୍ୟ ସମ୍ପର୍କିତ ଅଭିଧା ନିର୍ଦ୍ଧାରଣ କରିଥିଲେ । ଜେ.ସି.ଫ୍ରେଜର ତାଙ୍କ ‘ଦି ଗୋଲ୍ଡ଼େନ୍‌ ବାଓ’ (୧୮୯୦-୧୯୧୫) ଗ୍ରନ୍ଥରେ ବିବିଧ ବିପରୀତମୁଖ ସଂସ୍କୃତିର ଲୋକକଥା (Legend) ଏବଂ ବଳିଦାନ ପୂଜାପଦ୍ଧତି (Sacrificial rites)ମାନଙ୍କରେ ପୌନପୁନିକ ଧାରାରେ ଉତ୍ସରିତ ପୌରାଣିକତା ବା ମିଥ୍ (myth) କର୍ମକାଣ୍ଡ (ritual)ର ମୌଳିକ ପ୍ରତିରୂପ (pattern) ମଧ୍ୟରେ ଆର୍କିଟାଇପ୍‌ର ଆଦିରୂପ ଆରୋପ କରିଛନ୍ତି ।

 

ଅନ୍ୟ ଦିଗରେ ମନସ୍ତତ୍ତ୍ୱବିଦ୍‌ ୟୁଙ୍ଗ୍(C. C. Jung) ତାଙ୍କ ମଗ୍ନଚୈତନ୍ୟ ତତ୍ତ୍ୱରେ ଆଦିକାଳିକ ପ୍ରତିବିମ୍ବ (Primordial images) ତଥା ମନନଶୀଳତାର ଅବଶିଷ୍ଟାଂଶ (psychic Residue)କୁ ଆର୍କିଟାଇପ୍‌ର ଆଦିରୂପ ଭାବରେ ଗ୍ରହଣ କରିଛନ୍ତି । ଆଦିପୂର୍ବପୁରୁଷଙ୍କଠାରୁ ବାରମ୍ବାର ପୁନରାବୃତ୍ତ ହୋଇ ଏ ସମସ୍ତ ବର୍ତ୍ତମାନ ମଣିଷର ସାମୂହିକ ନିର୍ଜ୍ଞାନ (Collective unconscious)ରେ ଘନୀଭୂତ ହୋଇ ଅବସ୍ଥାନ କରୁଛି ଏବଂ ପୌରାଣିକତା ବା ମିଥ୍, ଧର୍ମ, ସ୍ୱପ୍ନ, କିମ୍ଭୂତ କଳ୍ପନା (fantasy) ତଥା ସମାଲୋଚକ ନର୍‌ଥ୍ରଗ୍‌ଫ୍ରାଏ କିନ୍ତୁ ୟୁଙ୍ଗଙ୍କ ‘ସାମୂହିକ ନିର୍ଜ୍ଞାନ’ ତଥ୍ୟକୁ ପରିହାର କରିଦେଇଛନ୍ତି । ସେ କହନ୍ତି, ‘‘This theory is an Unnecessary hypothesis...however they (recurrent architypal pattern) get there.’’ (The Architypes of Literature) ‘ସାମୂହିକ ନିର୍ଜ୍ଞାନ’ ତତ୍ତ୍ୱଟି ନିରର୍ଥକ କିନ୍ତୁ ଯାହା ହେଉ ଆର୍କିଟାଇପ୍‌ର ପୌନପୁନିକ ଅବତାରଣା ଅବଚେତନରୁ ହିଁ ହୋଇଥାଏ । ଆହୁରି ଫ୍ରାଏ କହନ୍ତି ଯେ ସମାଲୋଚନାର ଚୂଡ଼ାନ୍ତ ମୌଳିକଧାରା ହେଉଛି ସାହିତ୍ୟ ତଥା କବିତାରେ ଆର୍କିଟାଇପ୍‌ର ସୌମ୍ୟ ପ୍ରୟୋଗ ।

 

ପ୍ରାୟ ସମସ୍ତ ସାହିତ୍ୟ ସମାଲୋଚକଗଣଙ୍କ ମତରେ ଶୋଭନ ସାହିତ୍ୟିକକୁଳ (Sophisticated writers) ପ୍ରାରମ୍ଭିକ ପୌରାଣିକତା (elemental myth)କୁ ଆର୍କିଟାଇପ୍‌ର ଘନିଷ୍ଠ ସମ୍ପର୍କ ରୂପେ ବ୍ୟବହାର କରୁଛନ୍ତି ଫଳରେ ଆର୍କିଟାଇପ୍‌ର ଆରୋପରେ ବିଭ୍ରାନ୍ତି ସୃଷ୍ଟିହେଉଛି ।

 

ଅନେକଙ୍କ ମତରେ ମୃତ୍ୟୁ ପୁନର୍ଜନ୍ମ ଅବଧାରଣା ଏକ ଶ୍ରେଷ୍ଠ ଆର୍କିଟାଇପ୍‌ର ନିଦର୍ଶନ । ଏହି ପରିପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗରର ଅନ୍ତର୍ବର୍ତ୍ତୀ ‘ପୁନରପି ଜନମଂ ପୁନରପି ମରଣଂ, ପୁନରପି ଜନନୀ ଜଠରେ ଶୟନଂ ସ୍ତବକଟିକୁ ସ୍ମରଣ କରାଯାଇପାରେ । ଋତୁପର୍ଯ୍ୟାୟ ଯେପରି ଚକ୍ରବତ୍‌ଘୂର୍ଣ୍ଣାୟମାନ, ସେହିପରି ଘୂର୍ଣ୍ଣାୟମାନ ମାନବିକ ଦୈହିକ ପରିବର୍ତ୍ତନ ଜନ୍ମ ତାରୁଣ୍ୟ ଯୌବନ ପୌଢ଼ତ୍ୱ ବାର୍ଦ୍ଧକ୍ୟ ମୃତ୍ୟୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ପୁନର୍ଜନ୍ମ । ପୁନର୍ଜନ୍ମ ଆବେଦନ ନେଇ ରାଜକୁଳଙ୍କ ଯଜ୍ଞାଦି କର୍ମକାଣ୍ଡ ଏବଂ ଦେବତାର ମୃତ୍ୟୁ ବିଷୟ ସଂପୂର୍ଣ୍ଣ ବିଭିନ୍ନ ଲୋକାଚାର ସମନ୍ୱିତ ବିସ୍ତର ସାହିତ୍ୟ ସୃଷ୍ଟି ଏପରିକି ବାଇବେଲ୍‍ରେ ମଧ୍ୟ ପରିଦୃଷ୍ଟ ହୁଏ । ଭାରତୀୟ ଲୋକକଥାରେ କଳ୍ପବଟରୁ ଗଙ୍ଗାରେ ଝାସ ଦେଇ ମୃତ୍ୟୁବରଣ କଲେ ପୁନର୍ଜନ୍ମରେ ମନସ୍କାମନା ପରିପୂର୍ଣ୍ଣ ହେବାର ଦୃଷ୍ଟାନ୍ତ ଅଛି । ଏତାଦୃଶ ଆତ୍ମଆହୁତି ଦେଇ ଅମ୍ବାଳିକା ପରଜନ୍ମରେ ଶିଖଣ୍ଡୀ ରୂପରେ ଭୀଷ୍ମଙ୍କ ଉପରେ ପ୍ରତିଶୋଧ ନେବାର ବିଷୟ ମହାଭାରତରେ ଉଲ୍ଲେଖ ଅଛି । କିନ୍ତୁ ଅନେକ ସମୟରେ ଆର୍କିଟାଇପ୍ ସମ୍ବନ୍ଧୀୟ ସମାଲୋଚନା ମିଥ୍ ସମାଲୋଚନା ସହିତ ମିଶ୍ରିତ ହୋଇଯିବାର ଭୟ ଥିବାରୁ ସମାଲୋଚକଙ୍କୁ ସତର୍କତା ଅବଲମ୍ବନ କରିବା ବାଞ୍ଛନୀୟ ।

 

କବିତାରେ ଆର୍କିଟାଇପ୍‌ର ପ୍ରତିରୂପ ନେଇ ମଡ଼୍‌ ବଡ଼୍‌କିନ୍ (Maud Bodkin) ତାଙ୍କ Archetypal Pattern in Poetry ପୁସ୍ତକରେ କହନ୍ତି :

 

‘‘In criticism Archetype is applied to narrative design character type or images which are said to be identifiable in a wide variety of works of literature, as well as in myths, dreams, and even in ritualized modes of social behaviour. Similarities within these diverse phenomena are held to reflect a set of universal, primitive, and elemental patterns, whose effective embodiment in a literary work evokes a profound response from the reader."

 

ସମାଲୋଚନା କ୍ଷେତ୍ରରେ ଏତିକି କହିଲେ ଯଥେଷ୍ଟ ହେବ ଯେ ପ୍ରଚୁର ପରିମାଣର ଭିନ୍ନ ଭିନ୍ନ ପ୍ରକାରର ସାହିତ୍ୟ ରଚନା ତଥା ପୌରଣିକତା, ସ୍ୱପ୍ନ ଏପରିକି ସାମାଜିକ ବ୍ୟବହାରର ପୂଜାପଦ୍ଧତିର କର୍ମକାଣ୍ଡ ମଧ୍ୟରେ ଚିହ୍ନିତ ହୋଇପାରୁଥିବା ବର୍ଣ୍ଣନାତ୍ମକ ଧରଣର ଆଦର୍ଶ ଚରିତ୍ର ବା ଚିତ୍ରରୂପ ଉପରେ ଆର୍କିଟାଇପ୍ ଆରୋପିତ ହୋଇଥାଏ ।

 

ବଡ୍‌କିନ୍‌ଙ୍କ ଏହି ବର୍ଗୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତୁଳନାତ୍ମକ ଭିନ୍ନ ଭିନ୍ନ ସାହିତ୍ୟ ତଥା କବିତା ଅଧ୍ୟୟନ, ନୃତତ୍ତ୍ୱ ତଥା ମନସ୍ତତ୍ତ୍ୱର ସମୀକରଣ ମଧ୍ୟରେ ହିଁ ଆର୍କିଟାଇପ୍‌ ନିର୍ଦ୍ଧାରଣ କରାଯାଇ ପାରିବ । ମାନବିକ ପ୍ରବୃତ୍ତି (Instinct), ସୂତ୍ର (Formulae), ନୀତି ବୟାନ (moral attributes) ଇତ୍ୟାଦି ଆର୍କିଟାଇପ୍ ନୁହେଁ । ଓଡ଼ିଆ ସାହିତ୍ୟରେ ବିଶେଷତଃ କବିତା କ୍ଷେତ୍ରରେ ଆର୍କିଟାଇପ୍‌ର ଅଗାଧ ଆରୋପ, ସମୀକ୍ଷାର ଅପେକ୍ଷା ରଖେ । ଏ ଦିଗନ୍ତକୁ ଆଭାନ୍ୱିତ କରିବାପାଇଁ ମୁଁ ପ୍ରାଜ୍ଞବର୍ଗକୁ ବିନୀତ ନିବେଦନ ଜଣାଉଛି ।

 

ବିନୋଦଚନ୍ଦ୍ର ନାୟକ

***